ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ମାନ୍ୟବର ହାଇକୋର୍ଟଙ୍କ ଆଦେଶରୁ ଆମେ ଏହି କଥାଟି ସ୍ପଷ୍ଟଭାବେ ଜାଣିଗଲେ ଯେ, ସରକାରଙ୍କ ୨୨.୬.୨୦୧୫ ତାରିଖର ୧୩୨୯୦ ସଂଖ୍ୟକ ପତ୍ରରେ ସୂଚିତ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ଓ ୨.୭.୨୦୦୮ ତାରିଖରୁ ତାଙ୍କୁ ସମସ୍ତ ପିଛିଲା ବେତନ ଓ ଆନୁଷଙ୍ଗିକ ଫାଇଦା ପାଇଁ ଶ୍ରୀମତୀ ଷଡଙ୍ଗୀ ରିଟ୍ ମାମଲାଟି ଦାଏର କରିଥିଲେ ।

ସରକାରଙ୍କ ନିଷ୍ପତ୍ତି

କଣ ଥିଲା ଏହି ନିଷ୍ପତ୍ତି? ପୁନରାବୃତ୍ତି ହେଉଥିବା ସତ୍ତ୍ୱେ ଏହା ଏଠାରେ ଉପସ୍ଥାପିତ ହେବା ଆବଶ୍ୟକ । ଇଂରାଜୀ ଭାଷାରେ ଲିପିବଦ୍ଧ ନିଷ୍ପତ୍ତିଟି ଓଡ଼ିଆରେ ହେଲା: ଆଡ଼ଶପୁରସ୍ଥ ୟୁ. ଏନ୍. (ସ୍ଵୟଂଶାସିତ) ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମାନସୀ ଷଡଙ୍ଗୀ ଯେହେତୁ ୨.୭.୨୦୦୮ ତାରିଖରୁ ସେହି କଲେଜରେ କାମ କରୁନାହାନ୍ତି (has not been performing her duties) ସେହେତୁ , (୧)କର୍ମକ୍ଷେତ୍ରରୁ ତାଙ୍କର (ଶ୍ରୀମତୀ ଷଡଙ୍ଗୀଙ୍କର) ଅନୁପସ୍ଥିତି କାଳ ଚାକିରି କାଳରୁ ବାଦ୍ ପଡ଼ିବ ଓ ସେ ସେହି ସମୟ ପାଇଁ କୌଣସି ବେତନ ବା ଫାଇଦା ଦାବି କରିବେ ନାହିଁ ; (୨) ଏଥିପାଇଁ ସ୍ଵୀକୃତିନାମାର ସେ ଏକ ସତ୍ୟପାଠ ଦାଖଲ କରିବେ ; (୩) ଏହି ସତ୍ୟପାଠ ହାସଲ କଳା ପରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାଙ୍କୁ ଏକ ସମବର୍ଗୀୟ କଲେଜରେ ନିଯୋଜିତ କରିବେ; (୪) ସେ ସେଠାରେ ଯୋଗଦେବା ପରେ, ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨ ବଳରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ।

ନିୟମଟି କ’ଣ?

ଏହି ନିୟମଟି ହେଲା ଶୃଙ୍ଖଳାଗତ ଦଣ୍ଡବିଧାନର ନିୟମ । ଏତଦନୁସାରେ ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲେ, ନିୟମ ୨୧(୧) ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ଷଡଙ୍ଗୀଙ୍କ ପ୍ରତି ପ୍ରଯୁଜ୍ୟ ଦଣ୍ଡ ଧାର୍ଯ୍ୟ କରିଥାନ୍ତେ । ଏହି ନିୟମଟି କହିଛି , “The Director may impose any of the penalties specified in rule 20 on any employee” ଅର୍ଥାତ୍ , ନିୟମ -୨୦ରେ ଚିହ୍ନିତ କରାହୋଇଥିବା ଦଣ୍ଡ ମଧ୍ୟରୁ ହିଁ ଶିକ୍ଷା ନିର୍ଦ୍ଦେଶକ ଦଣ୍ଡ ଧାର୍ଯ୍ୟ କରିବେ ।

ନିୟମ ୨୦ ସମୁଦାୟ ୯ ଗୋଟି ଦଣ୍ଡ ଚିହ୍ନିତ କରିଛି । ତନ୍ମଧ୍ୟରୁ କେବଳ ଦୁଇଟି ଦଣ୍ଡ ଏ କ୍ଷେତ୍ରରେ ପ୍ରାସଙ୍ଗିକ । ସେଗୁଡ଼ିକ :

20 (1) (h) / ୨୦(୧) (ଜ) removal from service which shall not be a disqualification for future employment (ଚାକିରିରୁ ଅପସାରଣ, ଯାହା ଭବିଷ୍ୟତର କୌଣସି ନିଯୁକ୍ତି ପାଇଁ ଅଯୋଗ୍ୟତା ନହୋଇପାରେ); and (ଓ)
20 (1) (i)/ ୨୦(୧) (ଝ) dismissal from service which shall ordinarily be a disqualification for future employment (ଚାକିରିରୁ ବହିଷ୍କରଣ, ଯାହା ସାଧାରଣତଃ ଭବିଷ୍ୟ ନିଯୁକ୍ତି ପାଇଁ ଅଯୋଗ୍ୟତା ହୋଇପାରେ) ।

ପ୍ୟାରେ ଲାଲ୍ ଶର୍ମା ମାମଲା (1989 AIR 1854, 1989 SCR (3) 428 )ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ମତ ହେଲା “ଅନଧିକୃତ ଅନୁପସ୍ଥିତି ପାଇଁ ଏକ ମାତ୍ର ଦଣ୍ଡ ହେଉଛି ଚାକିରିରୁ ବହିଷ୍କରଣ (dismissal)” । ସେ ଦୃଷ୍ଟିରୁ ଶିକ୍ଷା ନିର୍ଦ୍ଦେଶକ ହୁଏତ ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ ବହିଷ୍କରଣ ଦଣ୍ଡ ଧାର୍ଯ୍ୟ କରିଥାନ୍ତେ ନିୟମ ୨୦(୧) (ଝ) ଅନୁସାରେ, ଯାହା ତାଙ୍କୁ ଅନ୍ୟତ୍ର କୌଣସି ଚାକିରି କରିବାକୁ ଅଯୋଗ୍ୟ ଦର୍ଶାଇ ପାରିଥାନ୍ତା ; କିମ୍ବା ନିୟମ ୨୦(୧) (ଜ) ଅନୁସାରେ ତାଙ୍କ ପ୍ରତି ଚାକିରିରୁ ଅପସାରଣ ଦଣ୍ଡ ଧାର୍ଯ୍ୟ କରିଥାନ୍ତେ , ଯାହା ତାଙ୍କର କୌଣସି ଭବିଷ୍ୟତ ନିଯୁକ୍ତି ପାଇଁ ପ୍ରତିବନ୍ଧକ ହୋଇନଥାନ୍ତା । ସୁତରାଂ ବହିଷ୍କରଣ ଅପେକ୍ଷା ଅପସାରଣ ଏକ କୋମଳ ଦଣ୍ଡ ଯାହା ଦେବାପାଇଁ ଶିକ୍ଷା ନିର୍ଦ୍ଦେଶକଙ୍କୁ ବି ସୁଯୋଗ ଥିଲା । ଉଲ୍ଲେଖନୀୟ ଯେ, ୯.୧୦.୨୦୧୩ ତାରିଖରେ ଅଡ଼ଶପୁର କଲେଜର ପରିଚାଳନା କମିଟି ଯେଉଁ ପ୍ରସ୍ତାବ ଗ୍ରହଣ କରିଥିଲେ (ପ୍ରସ୍ତାବ ନଂ ୩) ତାହା ବି ଥିଲା ତାଙ୍କୁ ଚାକିରିରୁ ଅପସାରଣ ପାଇଁ; ଯଥା –

“The Governing Body has decided to move the Director of Higher Education, Govt. of Odisha under section 10-A of Odisha Education Act ,1969 to accord approval for the removal of Smt. Manasi Sarangi, Lect. in Botany , who has unauthorisedly been absent from duty for a prolonged period of more than five years from 2 July 2008 till date.”

ଅତଏବ, ଉପର ଚର୍ଚ୍ଚିତ ନିୟମାବଳୀରେ ଶିକ୍ଷା ନିର୍ଦେଶକଙ୍କୁ ନିୟମ ୨୦ରେ ଚିହ୍ନିତ ଦଣ୍ଡଗୁଡ଼ିକ ଭିତରୁ ପ୍ରଯୁଜ୍ୟ ଦଣ୍ଡ ଧାର୍ଯ୍ୟ କରିବାକୁ କ୍ଷମତା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶା ଶିକ୍ଷା ଆଇନ ୧୯୬୯ର ଧାରା ୧୦-କ-(୨) ତାଙ୍କୁ ବାଧ୍ୟ କରିଛି କି, ଶିକ୍ଷା ଆଇନର ଧାରା ୧୦-କ (୧) ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି କଲେଜରୁ ତାଙ୍କୁ ପ୍ରସ୍ତାବ ଆସିଲେ ସେ ସର୍ବୋଚ୍ଚ ୩ ମାସ ଭିତରେ ସେହି ପ୍ରସ୍ତାବିତ ଦଣ୍ଡକୁ ଅନୁମୋଦିତ କରିବେ । ଯଦି ତାହା ନକରନ୍ତି, ତେବେ ନିୟମ ୨୦ରେ ଚିହ୍ନିତ କେଉଁ ଦଣ୍ଡ ସେ ଧାର୍ଯ୍ୟ କରୁଛନ୍ତି ତାହା ଜଣାଇବେ, ଯଦ୍ଦ୍ଵାରା ସମ୍ପୃକ୍ତ କଲେଜ ସେହି ଦଣ୍ଡ ପ୍ରଦାନ କରିବ ।

ସେବା ସଂହିତା

ସରକାରୀ ପାଣ୍ଠିରୁ ବେତନ ପାଉଥିବା ଘରୋଇ କଲେଜ କର୍ମଚାରୀମାନେ ସରକାରୀ ନିୟମର ଅନୁବର୍ତ୍ତୀ । ସେହେତୁ ଶୀମତୀ ଷଡଙ୍ଗୀ ମଧ୍ୟ । ସୁତରାଂ ତାଙ୍କ ପାଇଁ ଓଡ଼ିଶା ସେବା ସଂହିତାର ଧାରା ୭୨ ପୂର୍ଣତଃ ପ୍ରଯୁଜ୍ୟ । ତାହା ହେଲା :-

“72. Removal of Government servant after remaining leave for a continuous period exceeding five years.
(1) No Government servant shall be granted leave of any kind for a continuous period exceeding five years.
(2) Where a Government servant does not resume duty after remaining on leave for a continuous period of five years, or where a government servant after the expiry of his leave remains absent from duty otherwise than on foreign service or on account of suspension, for any period which together with the period of the leave granted to him exceeds five years, he shall unless Government in view of the exceptional circumstances of the case otherwise determine, be removed from service after following the procedure laid down in the Orissa Civil Services (Classifications, Control and Appeal) Rules, 1962.”

ପ୍ରଥମତଃ ଏହା ୫ ବର୍ଷରୁ ଅଧିକ କାଳ ଛୁଟି ନିଷିଦ୍ଧ କରିଛି ଓ ଦ୍ଵିତୀୟତଃ , ବିଦେଶରେ ସେବା ଦାନ ବା ନିଲମ୍ବନ ଭିନ୍ନ ୫ ବର୍ଷର ବର୍ଦ୍ଧିତ ଅନୁପସ୍ଥାନ ବା ୫ ବର୍ଷ ଛୁଟି ପରେ କର୍ମକ୍ଷତ୍ରରେ ଅନୁପସ୍ଥାନ ପାଇଁ ଯଦି କୌଣସି ଅସାଧାରଣ ପରିସ୍ଥିତି ଦାୟୀ ବୋଲି ସରକାର ନିର୍ଣୟ ନ କରନ୍ତି ତେବେ ତାଙ୍କୁ ଚାକିରିରୁ ଅପସାରଣ କରାଯିବ ।

ସେବା ସଂହିତାର ଏହି ବ୍ୟବସ୍ଥା ଦୃଷ୍ଟିରୁ ଶ୍ରୀମତୀ ଷଡଙ୍ଗୀଙ୍କର ୫ ବର୍ଷରୁ ଉର୍ଦ୍ଧ୍ଵ ଅନୁପସ୍ଥାନ ହେତୁ ତାଙ୍କ ଅପସାରଣ ପାଇଁ ପ୍ରସ୍ତାବ କରି ସେହି ପ୍ରସ୍ତାବର ଅନୁମୋଦନ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅଡ଼ଶପୁର କଲେଜ ୨୦.୧୦.୨୦୧୩ରେ ଶିକ୍ଷା ଆଇନର ୧୦-କ (୧) ଧାରା ଅନୁଯାୟୀ ପଠାଇଥିଲେ । ଶିକ୍ଷା ଆଇନର ୧୦-କ (୨)ର ନିର୍ଦ୍ଦିଷ୍ଟ ସମୟ ଭିତରେ ନିର୍ଦ୍ଦେଶକ ତାହାକୁ ଅନୁମୋଦିତ କରି ଶ୍ରୀମତୀ ଷଡଙ୍ଗୀଙ୍କ ଅପସାରଣ ବା ବହିଷ୍କରଣ ପାଇଁ ଦଣ୍ଡ ଧାର୍ଯ୍ୟ କରିଥାନ୍ତେ ; ତା ନହେଲେ ସେବା ସଂହିତାର ଉପରୋକ୍ତ ବ୍ୟବସ୍ଥା ଦୃଷ୍ଟେ କେଉଁ ଅସାଧାରଣ ପରିସ୍ଥିତିରେ ସେ ଏତେ ଦୀର୍ଘକାଳ ଛୁଟି ନ ନେଇ ଓ ଛୁଟି ମଞ୍ଜୂର ପାଇଁ ଦରଖାସ୍ତ ନ କରି ଅନୁପସ୍ଥିତ ଥିଲେ ତାହା ପ୍ରାଞ୍ଜଳ ଭାବେ ଉଲ୍ଲେଖ କରି ତାଙ୍କ ଅପସାରଣ ପାଇଁ କଲେଜ କମିଟିର ପ୍ରସ୍ତାବକୁ ପତ୍ୟାଖ୍ୟାନ କରିପାରିଥାନ୍ତେ । ଏବଂ ତାହା କରିବାକୁ ହେଲେ, ଅର୍ଥ ବିଭାଗ ୯.୧୦.୨୦୦୨ ତାରିଖରେ ଜାରି କରିଥିବା ୪୭୩୫୨(୪୫) ସଂଖ୍ୟକ ନିର୍ଦ୍ଦେଶ ମୁତାବକ ଶ୍ରୀମତୀ ଷଡଙ୍ଗୀଙ୍କ ଦୀର୍ଘ ଅନୁପସ୍ଥିତିର ପ୍ରତ୍ୟେକ ଅସାଧାରଣ ପରିସ୍ଥିତି ସପକ୍ଷରେ ପ୍ରମାଣ ସହ ତାଙ୍କୁ ସତ୍ୟପାଠ ତୁଲ୍ୟ ଏକ ପ୍ରମାଣପତ୍ର ଦେବାକୁ ପଡ଼ିଥାନ୍ତା, ଯହିଁରେ ଲେଖାହୋଇଥାନ୍ତା :

“Certified that instructions contained in Finance Department O.M. No.5711 dt. 5.2.1980 has been scrupulously followed and supporting documents have been furnished in support of the issue in question”.

ଏହା ସେ କରିପାରିନଥାନ୍ତେ ବୋଲି ଶ୍ରୀମତୀ ଷଡଙ୍ଗୀଙ୍କୁ ଜଣାଥିଲା । କାରଣ ସେ ଭଲଭାବେ ଜାଣିଥିଲେ ଯେ, ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କଲେଜ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାକୁ ହେଲେ, ତାଙ୍କ ଅନୁପସ୍ଥିତି ପାଇଁ କେଉଁ “ଅସାଧାରଣ ପରିସ୍ଥିତି” ଦାୟୀ ତାହା ତାଙ୍କୁ ହିଁ ସପ୍ରମାଣ ରଖିବାକୁ ହେବ ନିର୍ଦ୍ଦେଶକଙ୍କ ସମ୍ମୁଖରେ, ଯାହା ସେ କରିପାରିନଥାନ୍ତେ । ସୁତରାଂ କଲେଜ ପରିଚାଳନା କମିଟିର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ନିର୍ଦ୍ଦେଶକଙ୍କ ପକ୍ଷେ ସମ୍ଭବ ହୋଇନଥାନ୍ତା । ଏହି କାରଣ ହେତୁ ନିର୍ଦ୍ଦେଶାଳୟରେ ଧରାଧରି କରି କଲେଜ ପଠାଇଥିବା ପ୍ରସ୍ତାବକୁ ଚାପିରଖାଇ ଶ୍ରୀମତୀ ଷଡଙ୍ଗୀ ଉଚ୍ଚ ଶିକ୍ଷା ବିଭାଗର ଶରଣାପନ୍ନ ହୋଇଥିଲେ ଭୁବନେଶ୍ଵର ବା ତନ୍ନିକଟସ୍ଥ ଅନ୍ୟ କୌଣସି କଲେଜକୁ ବଦଳି ହୋଇଯିବା ପାଇଁ ।

ଦୁଃଖଦ ଦୃଶ୍ୟପଟ

ଅପରପକ୍ଷେ , ନିର୍ଦ୍ଦେଶକ ଏ ବିଷମ ସମସ୍ୟା ଉପରେ ଶୋଇନରହି ଶିକ୍ଷା ଆଇନର ୧୦-କ-(୨) ଧାରା ତାଙ୍କୁ ଦେଇଥିବା ଦାୟିତ୍ଵ ନିର୍ବାହ କରନ୍ତୁ ବୋଲି କଲେଜ ଅଧ୍ୟକ୍ଷ ୩.୯.୨୦୧୪ ତାରିଖରେ ତାଙ୍କୁ ଚେତାଇ ଦେଇଥିଲେ । ତହିଁର ଶେଷ ଅଂଶ :

“The College is suffering for the continuous unauthorized absence of a lecturer for such a long time, which the undersigned is sure that the Director shall appreciate. Secondly, the College is also losing a sanctioned post till the sanctioned post of the teacher is terminated or shifted. Lastly, the decision of approval or disapproval as statutority is required, quickly sought for”.

ଏ ଦୁଃଖଦ ଦୃଶ୍ୟପଟକୁ ବିଚାରକୁ ନେଇ ସରକାର ଦେଖିଲେ ଯେ, ଶ୍ରୀମତୀ ଷଡଙ୍ଗୀଙ୍କ ଉପରେ ଶୃଙ୍ଖଳାଗତ ଦଣ୍ଡବିଧାନ ଏକାନ୍ତ ଆବଶ୍ୟକ । ସେହେତୁ ସରକାର ତାଙ୍କ ବିରୁଦ୍ଧରେ ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨ ବଳରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେଇଥିଲେ, ଯାହା ୨୨.୬.୨୦୧୫ ତାରିଖର ଆଦେଶରେ ଜାରି କରା ହୋଇଥିଲା । (କ୍ରମଶଃ)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.