ନବୀନ ଏଥର ଋଣ ପରିଶୋଧ କରନ୍ତୁ


ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଲୋକେ ପଞ୍ଚାଯତ ନିର୍ବାଚନରେ ବିଜେଡ଼ି ମୁଖ୍ୟ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଦୟା ପ୍ରଦର୍ଶନ କରିଛନ୍ତି, ତାହା ଅଭୂତପୂର୍ବ । ଅପଶାସନରେ ଭରପୁର ହୋଇଥିବା ସତ୍ତ୍ୱେ ନବୀନଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ଗାଁ ଗହଳର ୫୩ ଶତାଂଶ ସରଳବିଶ୍ଵାସୀ ଅଶିକ୍ଷିତ ଓଡ଼ିଆ, ଯେଉଁମାନେ ନବୀନଙ୍କ ଠାରୁ ଋଣ ପରିଶୋଧ ହାସଲ କରିବାକୁ ଏତେ ବ୍ୟଗ୍ର ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ତାଙ୍କ ଯୋତା ପିନ୍ଧି ଚାଲିଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଜାତୀୟ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଯେଉଁ ପ୍ରଦେଶର ସେ ମୁଖ୍ୟମନ୍ତ୍ରୀ, ସେ ପ୍ରଦେଶ ଦୟାର୍ଦ୍ର ଲୋକମାନଙ୍କ ପ୍ରଦେଶ । ଓଡ଼ିଆ ଭାଷାରେ ନିଜ କାର୍ଯ୍ୟ ପରିଚାଳନା ପାଇଁ ସେମାନେ ବିଦେଶୀ ଶାସନ କାଳରେ ମଧ୍ୟ ଏହି ପ୍ରଦେଶର ଆବିର୍ଭାବ ଘଟାଇଥିଲେ । କୁଳଗୌରବ ମଧୁସୂଦନ ଦାସ ଏ ଜାତିକୁ ଏଥିପାଇଁ ନେତୃତ୍ଵ ଦେଇଥିଲେ । ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟାଳୟ ପରିଚାଳନା ହେଲେ ଆମ ଜାତିର ଦୁର୍ଭାଗ୍ୟ ହଟିବ ବୋଲି ବିଶ୍ଵାସ ଥିଲା । ତେଣୁ ସ୍ୱଭାବକବି ଗଙ୍ଗାଧର ଲେଖିଥିଲେ, “ଶ୍ରୀ ମଧୁସୂଦନ ସର୍ବ ଗୁଣ ଯୁତ/ ଫିଟାଇବେ ପରା ସୌଭାଗ୍ୟର ପଥ ।”

ଏହି “ସୌଭାଗ୍ୟର ପଥ” ମଧୁବାବୁ ଫିଟାଇଥିଲେ ମଧ୍ୟ ବିଜୁ ପଟ୍ଟନାୟକ ବନ୍ଦ କରିଦେଇଥିଲେ ୧୯୬୩ରେ ଆମ ଭାଷା ଆଇନକୁ ଅବୈଧ ଭାବେ ସଂଶୋଧିତ କରି । ‘ବିଜୁଙ୍କ ଛୁରା’ ବହିରେ ମୁଁ ତାହା ସପ୍ରମାଣ ଦର୍ଶାଇଛି । ଓଡ଼ିଆ ଲୋକେ ତାଙ୍କୁ ଥରେ ଭୋଟ ଦେଲେ ପରବର୍ତ୍ତୀ ଦୁଇଥର ପ୍ରତ୍ୟାଖ୍ୟାନ କରୁଥିଲେ । କିନ୍ତୁ ନବୀନଙ୍କ ଭାଗ୍ୟ ନିଆରା । ଲୋକେ ତାଙ୍କୁ ଏ ଯାଏଁ ସେପରି ଅଭିଜ୍ଞତା ନଦେଇ ଋଣଗ୍ରସ୍ତ କରି ରଖିଛନ୍ତି ।

ନବୀନବାବୁ ଋଣଗ୍ରସ୍ତ ଅବସ୍ଥାରେ ବିଦାହେବା ଉଚିତ ନୁହେଁ । ଏହା ମନସ୍ଥ କରି ଲୋକେ ତାଙ୍କୁ ପଞ୍ଚାଯତ ନିର୍ବାଚନରେ ବିଜୟୀ କରାଇଛନ୍ତି । କ୍ଷମତାରେ ରହିଲେ ସିନା ସେ ଋଣ ଶୁଝିବେ ! ସୁତରାଂ ଉଦାରଚେତା ଓଡ଼ିଆ ଜାତି ଋଣ ପରିଶୋଧ ପାଇଁ ନବୀନଙ୍କୁ ଏହି ଶେଷ ସୁଯୋଗ ଦେଇଛି ।

କେବଳ ଗୋଟିଏ କାମ କରି ସେ ଏହି ଋଣ ଶୁଝିଦେଇପାରିବେ । ତାହା ହେଲା, ଜାଲିଆତି ଦ୍ଵାରା ସେ ଭାଷା ଆଇନର ଯେଉଁ ଅପସାଂଶୋଧନ କରିଛନ୍ତି, ତାହା ପ୍ରତ୍ୟାହାର କରିବାକୁ ଓ ଯେଉଁ ବ୍ୟକ୍ତି ଓଡ଼ିଆ ଭାଷାରେ କାର୍ଯ୍ୟାଳୟ କାମ ନକରିବ, ତାକୁ ରାଜ୍ୟଦ୍ରୋହୀ ଅର୍ଥାତ୍ ଦେଶଦ୍ରୋହୀ ଘୋଷଣକରି ତଦନୁଯାୟୀ ନିର୍ଦ୍ଧାରିତ ଦଣ୍ଡ ବିଧାନ ପାଇଁ ଆଇନ ପ୍ରଣୟନ କରିବାକୁ ସେ ବିଧାନସଭାର ଆଗାମୀ ଅଧିବେଶନରେ ପ୍ରସ୍ତାବ ଦେଇ ତଦ୍ଦୃପ ଆଇନ ପ୍ରବର୍ତ୍ତନ କରିପାରିବେ ।

ନିର୍ବାଚନ ଜିଣାରେ ଉଲ୍ଲସିତ ନହୋଇ ନବୀନ ଏହି ଋଣ ପରିଶୋଧ କାମ ଯେତେଶୀଘ୍ର କରିବେ, ସେତେ ଭଲ ।