ଭାଷା ଆଇନ ଅମାନ୍ୟକାରୀକୁ ଦଣ୍ଡବିଧାନ ଆବଶ୍ୟକ: ପ୍ରଫେସର ବୀରେନ୍ଦ୍ର ନାୟକ

ସୂତ୍ର : ଆମ ଭାଷା ଆମ ଅଧିକାର

ସୁବିଖ୍ୟାତ ଗଣିତତତ୍ତ୍ଵବିତ୍ ତଥା ସାମାଜିକଚେତନାବିଶ୍ଳେଷକ ପ୍ରଫେସର ବୀରେନ୍ଦ୍ର ନାୟକ କହିଛନ୍ତି, ଓଡ଼ିଶା ପ୍ରଦେଶ ଓଡ଼ିଆ ଭାଷାରେ ପରିଚାଳିତ ନ ହେବା ଓଡ଼ିଆ ଜାତି ପ୍ରତି ଏପରି ଅସମ୍ମାନ, ଯହିଁରୁ ମୁକ୍ତିପାଇଁ ମନୀଷୀ ନବକୃଷ୍ଣ ଚୌଧୁରୀ ଦେଇଯାଇଥିବା ଭାଷା ଆଇନ ଅମାନ୍ୟକାରୀକୁ ଦଣ୍ଡବିଧାନ ଆବଶ୍ୟକ । ଆଇନଟିର ପ୍ରଣୟନ ବେଳେ ନବବାବୁ କହିଥିଲେ, “ଏଇ କାମଟି ଆମେ ସ୍ଵାଧୀନତା ପରେ ପରେ ହାତକୁ ନେଇଥିଲେ ତାହା ବହୁ ଉତ୍ସାହ ସୃଷ୍ଟି କରିଥାନ୍ତା, ଲୋକେ ବୀ ସ୍ଵାଧୀନତାର ସ୍ଵାଦ ପାଇଥାନ୍ତେ ।” ଆଇନଟିକୁ କାର୍ଯ୍ୟକାରୀ କରା ନଯାଇ ଆମ ଲୋକଙ୍କୁ ସ୍ଵାଧୀନତାର ସ୍ଵାଦ ପାଇବାରୁ ଏଯାଏଁ ବଞ୍ଚିତ କରାଯାଇଛି ବୋଲି କହିଥିଲେ ପ୍ରଫେସର ନାୟକ “ମନୀଷୀ ନବକୃଷ୍ଣ ଓ ଓଡ଼ିଶା ଭାଷା ଆଇନ” ଶୀର୍ଷକ ବିଷୟରେ ।

ଓଡ଼ିଆରେ ଓଡ଼ିଶା ପାଇଁ ଚାଲିଥିବା କଳାପତାକା ଅଭିଯାନର ୧୬୯୯ତମ ଦିବସରେ ଭାଷା ଆନ୍ଦୋଳନର ବୌଦ୍ଧିକ ମଞ୍ଚ ଫେସବୁକ ଅନ୍ତର୍ଗତ ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ଡିସେମ୍ବର ୭ ତାରିଖରେ ସିଧା ପ୍ରସାରିତ ଅଭିଭାଷଣରେ ପ୍ରଫେସର ନାୟକ ଭାଷା ଆଇନ ପଛରେ ନିହିତ ଦର୍ଶନ ଉପରେ ଗୁରୁତ୍ଵାରୋପ କରିଥିଲେ । ଦେଶର ସ୍ଵାଧୀନତା ଆଣିଦେଇଥିବା ଗଣତନ୍ତ୍ରକୁ ସାର୍ଥକ କରିବା ପାଇଁ ସାଧାରଣ ଲୋକେ ସକ୍ଷମ ହେବା ସର୍ବାଦୌ ଆବଶ୍ୟକ । ଏଥିପାଇଁ ନିଜ ଭାଷାରେ ସେମାନେ ଶାସନର ତଥ୍ୟ ଜାଣିବା ଆବଶ୍ୟକ ଓ ମତ ପ୍ରକାଶ କରିବା ଆବଶ୍ୟକ । ଏହା ହିଁ ସ୍ଵାଧୀନତାର ସ୍ଵାଦ ହାସଲପାଇଁ ସେମାନଙ୍କୁ ଶକ୍ତି ଯୋଗାଇବ । ଓଡ଼ିଶାର ସାଧାରଣ ଲୋକଙ୍କୁ ଏହି ଶକ୍ତି ପ୍ରଦାନ ପାଇଁ ନବବାବୁ ଭାଷା ଆଇନ ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲେ । ଭାଷା ଆଇନରେ ନିହିତ ଏହି ଦର୍ଶନରୁ ଦୂରେଇ ଯାଇ ଓଡ଼ିଶା ସରକାର ଯେପରି ଖଇରାତି ଯୋଜନମାନ ଚଳାଇଛନ୍ତି ପ୍ରଫେସର ନାୟକ ତହିଁରେ ଘୋର ଉଦ୍ବେଗ ପ୍ରକାଶ କରିଥିଲେ ।

ସେ କହିଥିଲେ, ଶାସକବର୍ଗ ଲୋକଙ୍କ ଉପରେ ନିଜ ଭାଷା ନଡିବା ବିରୁଦ୍ଧରେ ମନୀଷୀ ନବକୃଷ୍ଣ ଥିଲେ ବିଦ୍ରୋହର ପ୍ରଥମ ଓ ବେସାଲିସ୍ ସ୍ଵର । ଯେଉଁ ୧୯୩୫ ଭାରତ ଆଇନ ବଳରେ ନିଜ ଭାଷା ଭିତ୍ତିରେ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଅବତୀର୍ଣ୍ଣ ହେଲା, ସେହି ଆଇନର ଧାରା ୩୯ରେ ଥିଲା, ତଦ୍ଦ୍ଵାରା ଗଠିତ ଭାରତ ଓ ପ୍ରାଦେଶିକ ପ୍ରତିନିଧିସଭାରେ ବିତର୍କର ଭାଷା ହେବ ଇଂରାଜୀ; ଯିଏ ଇଂରାଜୀ ନଜାଣିଥିବେ, କେବଳ ସେ ହିଁ ସ୍ଵତନ୍ତ୍ର ଅନୁମତି ନେଇ ତାଙ୍କ ମାତୃଭାଷାରେ କହିପାରିବେ । ନବବାବୁ ଏହି ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରି ନିଜ ଭାଷା ଓଡ଼ିଆରେ ପ୍ରତିନିଧି ସଭାରେ ନିଜ ବକ୍ତବ୍ୟ ରଖୁଥିଲେ । ଏକ ଦୃଷ୍ଟାନ୍ତ ଦେବାକୁ ଯାଇ ପ୍ରଫେସର ନାୟକ କହିଥିଲେ, ୨୮.୧.୧୯୩୮ ତାରିଖରେ Orissa Moneylenders Bill 1937 ଉପରେ ନବବାବୁ ତାଙ୍କ ଚିରାଚରିତ ଶୈଳୀରେ ଯେତେବେଳେ ଓଡ଼ିଆରେ ନିଜ ବୟାନ ରଖୁଥିଲେ ବିରୋଧୀ ଦଳର ମହାନ୍ ସଦସ୍ୟ ମୌଲବୀ ଲତିଫୁର ରହମାନ୍ ବାଚସ୍ପତିଙ୍କୁ ପଚାରିଥିଲେ – ଯେହେତୁ ତାଙ୍କୁ ଇଂରାଜୀ ଜଣା, ସେହେତୁ ସେ ଓଡ଼ିଆରେ ବକ୍ତବ୍ୟ ରାଖୀ ପାରିବେ କି? ବାଚସ୍ପତି ତୁରନ୍ତ ଉତ୍ତର ଦେଇଥିଲେ – ସେ କେତେବେଳେ ହେଲେ ଇଂରାଜୀରେ କହିନାହାନ୍ତି । ସବୁବେଳେ ଓଡ଼ିଆରେ କହିବା ଥିଲା ୧୯୩୫ ଆଇନର ଧାରା ୩୯ ପ୍ରତି ନବବାବୁଙ୍କ ବିଦ୍ରୋହର ଆହ୍ଵାନ । ଏହି ଆହ୍ଵାନ ଉପରଠାଉରିଆ ନଥିଲା , ଥିଲା ମଜ୍ଜାଗତ ବୋଲି ଦର୍ଶାଇ ପ୍ରଫେସର ନାୟକ ୧୯୫୧ ଫେବୃୟାରୀ ୨୧ ତାରିଖରେ ଏ କିପରି ଓଡ଼ିଆରେ ବଜେଟ ଉପସ୍ଥାପନ କରିଥିଲେ ତହିଁର ଅବତାରଣା କରିଥିଲେ ଅନ୍ୟ ଏକ ଦୃଷ୍ଟାନ୍ତ ଭାବେ । ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷୀ ଜନସମୁଦାୟ ଉପରେ କ୍ଷମତା ବଳରେ ଅନ୍ୟ ଏକ ଭାଷା ନଦିଦିଆଯିବା ବିରୁଦ୍ଦରେ ମାତୃଭାଷାର ପ୍ରୟୋଗକୁ ପ୍ରତିବାଦର ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ ମନୀଷୀ ନବକୃଷ୍ଣ ବୋଲି କହିଥିଲେ ପ୍ରଫେସର ନାୟକ , ଯେ କି ଏକ ସାକ୍ଷାତ୍କାରରେଏକଦା ତାଙ୍କୁ ପଚାରିଥିଲେ, “ଆପଣଙ୍କ ଶାସନ କାଳରେ ବି ଭାଷା ଆଇନ କାର୍ଯ୍ୟକ୍ଷମ ହୋଇପାରି ନଥିବାର କାରଣ କଣ?” ତାଙ୍କ ଉତ୍ତର ଥିଲା, “ତଳୁ ଲୋକମାନେ ଚାପ ଦେଲେନାହିଁ ।”

ପ୍ରଫେସର ନାୟକ କହିଲେ, ଏହି ଚାପ ପକାଇଚାଲିଛି ଭାଷା ଆନ୍ଦୋଳନ ଓ ଏଥିପାଇଁ ସେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ସାଥିମାନଙ୍କୁ ସାଧୁବାଦ ଦେଇଥିଲେ ।

ତାଙ୍କ ଆଲୋକବର୍ଷୀ ଭାଷଣ ଓଡ଼ିଶାର ସାଂପ୍ରତିକ ସାହିତ୍ୟ ଜ୍ୟୋତିଷ୍କମାନଙ୍କ ପ୍ରତି କଟାକ୍ଷପାତ କରିଥିଲା । ସେ କହିଥିଲେ, ନବବାବୁଙ୍କ ସମୟରେ ମଧ୍ୟ ଓଡ଼ିଆରେ କାମ କରିବାକୁ ଅମଲାମାନେ ଅମଙ୍ଗ ଥିଲେ, କାରଣ ଇଂରାଜୀ ଶାସନ କବଳରୁ ମୁକ୍ତ ଭାରତର ଗଣତନ୍ତ୍ର ଶିଶୁ ଅବସ୍ଥାରେ ଥିଲା ଓ ପ୍ରଶାସନରେ ଇଂରାଜୀ ଭାଷା ବ୍ୟବହାର ସେମାନଙ୍କ ଅଭ୍ୟାସଗତ ହୋଇରହିଥିଲା । ମାତ୍ର ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରି ପୁରସ୍କାର ପାଉଥିବା ଓଡ଼ିଆମାନେ କ୍ଷମତାରେ ଥିବା ବେଳେ ଓଡ଼ିଆରେ ନଥିକାମ କାହିଁକି କଲେନାହିଁ ? ଯଦି ସରକାରରେ ଥିବା ଓଡ଼ିଆମାନେ ସ୍ଵତଃସ୍ଫୁର୍ତ୍ତ ଭାବେ ଓଡ଼ିଆରେ ସରକାରୀ କାମ କରିଥାନ୍ତେ, ତେବେ ଆଜି ଭାଷା ଆନ୍ଦୋଳନର ଆବଶ୍ୟକତା ପଡ଼ିନଥାନ୍ତା । ଏହି ଆନ୍ଦୋଳନ ନବବାବୁଙ୍କ ସ୍ମୃତିକୁ ବଞ୍ଚାଇରଖିବା ପାଇଁ ଏକ ନିଷ୍ଠାପର ଉଦ୍ୟମ ବୋଲି କହିଥିଲେ ପ୍ରଫେସର ନାୟକ ।

ଯେଉଁଭାବେ ରାଜ୍ୟ ଚାଲିଛି ତାହା ଓଡ଼ିଆ ଭାଷା ପ୍ରତି ବିପଦ ଟାଣିଆଣୁଛି । ଓଡ଼ିଆ ଭାଷାଶିକ୍ଷା ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ, ସରକାର ରାଜ୍ୟ ସାରା ମୁଖ୍ୟ ସ୍ଥାନମାନଙ୍କରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି ଓ କରୁଛନ୍ତି । ସେଗୁଡ଼ିକର ଶିକ୍ଷାମଧ୍ୟମ ଇଂରାଜୀ । ଅତଏବ, ଓଡ଼ିଆ ଭାଷା ନୁହଁ , ଇଂରାଜୀ ହିଁ ଆଦର୍ଶ ବୋଲି ଓଡ଼ିଆ ଲୋକଙ୍କ ମନରେ ଧାରଣା ଭର୍ତ୍ତି କରୁଛନ୍ତି ରାଜ୍ୟ ସରକାର । ଏହି ବିଡମ୍ବନା, ନବବାବୁଙ୍କ ଭାଷାରେ, ସ୍ଵାଧୀନତାର ସ୍ଵାଦପ୍ରାପ୍ତିର ପରିପନ୍ଥୀ ବୋଲି କହିଥିଲେ ପ୍ରଫେସର ନାୟକ ।

ଭାଷାପ୍ରାଣ ଚାର୍ଟାର୍ଡ ଅକଉଣ୍ଟାଣ୍ଟ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ ।