ଓଡ଼ିଶା ସରକାରଙ୍କ ଦୋଷରୁ ଓଡ଼ିଆମାନେ ଉପଯୁକ୍ତ ବ୍ୟାଙ୍କ୍ ସେବାରୁ ବଞ୍ଚିତ : ବ୍ୟାଙ୍କ୍ ବିଶେଷଜ୍ଞ ନିର୍ମଳ କୁମାର ବେହେରା

ସୂତ୍ର : ଆମ ଭାଷା ଆମ ଅଧିକାର

ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ଵକାଳ ଭାରତର ଭିନ୍ନ ଭିନ୍ନ ଅଠୋଟି ପ୍ରଦେଶରେ ପ୍ରାୟ ଦୁଇ ଡଜନ ଦାୟିତ୍ବରେ ରହି ବ୍ୟାଙ୍କ୍ କାରବାରରେ ଗଭୀର ଜ୍ଞାନ ଅର୍ଜନ କରିଥିବା ଅବସରପ୍ରାପ୍ତ ବ୍ୟାଙ୍କର ନିର୍ମଳ କୁମାର ବେହେରା କହିଛନ୍ତି, ବିଭିନ୍ନ ବ୍ୟାଙ୍କ୍ ଓଡ଼ିଆ ଲୋକଙ୍କୁ ଯେଉଁ ସେବା ଦେବା କଥା ତାହା ଦେଉନାହାନ୍ତି , କାରଣ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା ପ୍ରତି ଥିବା ଅବଜ୍ଞା ଭାବ ସେମାନଙ୍କୁ ସୁହାଉଛି ।

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବାକୁ ଆଇନଗତ ବ୍ୟବସ୍ଥା ସକାଶେ ଚାଲିଥିବା ଭାଷା ଆନ୍ଦୋଳନର ଫେସବୁକ ଅନ୍ତର୍ଗତ ବୌଦ୍ଧିକ ମଞ୍ଚ ‘ଭାଷା ମାଆ ପାଇଁ ପଦେ’ରୁ ସେପ୍ଟେମ୍ବର ୨୮ରେ ସିଧା ପ୍ରସାରିତ ବିଷୟ ‘ବ୍ୟାଙ୍କ୍ ବ୍ୟବହାର ପାଇଁ ମାତୃଭାଷା’ ବ୍ୟାଖ୍ୟା କରି ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି ଯେ, ଜଣେ ଓଡ଼ିଆ ବ୍ୟାଙ୍କକୁ ଗଲେ ସେଠାରେ ଥିବା କର୍ମଚାରୀ ତାଙ୍କ ସହ ଓଡ଼ିଆ ଭାଷାରେ କଥା ହେବା ଓ ତାଙ୍କୁ ସେ ଚାହୁଁଥିବା ସେବା ଓଡ଼ିଆ ଭାଷାରେ ପ୍ରଦାନ କରିବାକୁ ବାଧ୍ୟ । ଜଣେ ଜମାକାରୀ ବ୍ୟାଙ୍କରୁ କେଉଁ କେଉଁ ସେବା ପାଇବାକୁ ହକ୍ଦାର୍ ତାହା ତାଙ୍କ ରାଜ୍ୟ ଭାଷାରେ ତାଙ୍କୁ ନିଶ୍ଚୟ ଅବଗତ କରାଯିବ , ଖାସ୍ ଏଇଥିପାଇଁ ପ୍ରତି ରାଜ୍ୟରେ ସେହି ରାଜ୍ୟର ଲୋକଙ୍କୁ ବ୍ୟାଙ୍କ୍ ସେବାରେ ନିଯୁକ୍ତ କରାଯାଇଥାଏ ।

ମାତ୍ର ଆମ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ବିରୋଧୀ ମନୋଭାବ ହେତୁ ପ୍ରଶାସନରେ ଯେହେତୁ ଓଡ଼ିଆ ଭାଷା ଅକାମୀ ହୋଇ ପଡ଼ିଛି, ସେହେତୁ ବ୍ୟାଙ୍କମାନେ ଏହାର ସୁଯୋଗ ନେଇ ସେମାନଙ୍କ ନିଜ ନିଜ କ୍ଷେତ୍ରରେ ଓଡ଼ିଆ ଭାଷା ପ୍ରୟୋଗ ନ କାରୀ ଏକ ମହାଭୁଲର ଜାଲ ବିଛାଇଛନ୍ତି । ଏହାର ଶିକାର ଓଡ଼ିଶାର ୪ କୋଟି ନିରୀହ ଜନତା ହେଉଛନ୍ତି, ଯେଉଁମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁବିଧା ପାଇବା ପାଇଁ ବ୍ୟାଙ୍କରେ ଖାତା ଖୋଲିଛନ୍ତି । ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦିଆଯାଉନାହିଁ । ଆମ ମାତୃଭାଷା ଓଡ଼ିଆରେ କହିବା, ଲେଖିବା ଓ ସବୁ ପ୍ରକାର ଭାବର ଆଦାନ ପ୍ରଦାନ କରିବା ଉପରେ ରାଜ୍ୟ ସରକାର, ବ୍ୟାଙ୍କ୍ ଓ ବ୍ୟାଙ୍କିଙ୍ଗ ଶିଲ୍ପ ସଂସ୍ଥା ଯଥା, ଭାରତୀୟ ରିଜର୍ଭ ବ୍ୟାଙ୍କ୍, ନାବାର୍ଡ, ବ୍ୟାଙ୍କିଙ୍ଗ ଆମ୍ବୁସ୍ମ୍ୟାନ ଇତ୍ଯାଦିଙ୍କୁ ଅଧିକାର ପ୍ରଦାନ କରାଯାଇଥିବା ସତ୍ତ୍ୱେ ଏହାକୁ ସମସ୍ତେ ଉଲ୍ଲଙ୍ଘନ କରୁଛନ୍ତି ଓ ଏଥିରେ ସମସ୍ତଙ୍କ ମଧ୍ୟରେ ମୁଖ୍ୟ ଉଲ୍ଲଂଘନକାରୀ ହେଉଛନ୍ତି ଏ ରାଜ୍ୟର ରାଜ୍ୟ ସରକାର, ଯେ କି ଆମ ମାତୃଭାଷାର କଣ୍ଠରୋଧ କରି ବିଦେଶୀ ଇଂରାଜୀ ଭାଷାର ଆଧିପତ୍ୟ ତଳେ ଆମ ଓଡ଼ିଶାର ଭାଗ୍ୟ ରବିକୁ ଅସ୍ତମିତ କାରୀ ରଖିଛନ୍ତି ।

ଭାଷା ଆନ୍ଦୋଳନ ହିଁ ଏହି ଦୁର୍ଭାଗ୍ୟ କବଳରୁ ଓଡ଼ିଶାକୁ ଉଦ୍ଧାର କରିପାରେ ।

ଶ୍ରୀ ବେହେରାଙ୍କ ସିଧା ପ୍ରସାରିତ ଭାଷଣ ଏଠାରେ ଉପସ୍ଥାପିତ ହେଲା :