ଜନଜାତିର ବିକାଶ ପାଇଁ ଓଡ଼ିଆରେ ଓଡ଼ିଶା ଶାସନ ଅପରିହାର୍ଯ୍ୟ : ପ୍ରଫେସର ବିଭୁତିଭୂଷଣ ଆଚାର୍ଯ୍ୟ

ଓଡ଼ିଶାରେ ୬୨ପ୍ରକାର ଜନଜାତି । ସେହିମାନଙ୍କ ଭାଷାର ସମିଶ୍ରିତ ବିକଶିତ ରୂପ ହେଉଛି ଓଡ଼ିଶାର ସମୃଦ୍ଧ ରାଜ୍ୟ ଭାଷା – ଓଡ଼ିଆ । ଓଡ଼ିଆ ଭାଷାର ପ୍ରାଚୀନତା ସପକ୍ଷରେ ଜନ୍ ବିମ୍ସଙ୍କ ମତ , ଏହାକୁ ବୈଦିକ ସଂସ୍କୃତର ସମକାଳୀନ ଓ ଶାସ୍ତ୍ରୀୟ ସଂସ୍କୃତ ଅପେକ୍ଷା ପ୍ରାଚୀନତର ବୋଲି ଭାରତର ଭାଷା ସର୍ବେକ୍ଷଣରେ ସାର୍ ଜର୍ଜ ଗ୍ରୀୟରସନଙ୍କ ନିର୍ଦ୍ଧାରଣ ଏହି ସତ୍ୟ ଉପରେ ଆଧାରିତ । ସୁତରାଂ ଓଡ଼ିଆ ଭାଷାରେ ଓଡ଼ିଶାର ଜନଜାତି ବର୍ଗ ନିଜ ନିଜ ଜନ୍ମଭାଷାର ସନ୍ଦର୍ଶନ କରନ୍ତି । ସେହେତୁ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ହେଲେ ହିଁ ଏହି ୬୨ ଜନଜାତି ରାଜ୍ୟ ପରିଚାଳନାରେ ନିଜ ନିଜ ସକ୍ରିୟ ଭୂମିକା ନିର୍ବାହ କରିପାରିବେ।

ଏହା କହିଛନ୍ତି ଜନଜାତିର ଭାଷା ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ହେତୁ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଫେସର ବିଭୁତିଭୂଷଣ ଆଚାର୍ଯ୍ୟ ଜାନୁଆରୀ ୩ ତାରିଖରେ, ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ଚାଲିଥିବା ଭାଷା ଆନ୍ଦୋଳନର କଳାପତାକା ଅଭିଯାନରେ ବୌଦ୍ଧିକ ଅଭିମତ ରଖି ।

ଓଡ଼ିଶା ରାଜ୍ୟ ଓଡ଼ିଆ ଭାଷାର ରାଜ୍ୟ, ଏକୁ ରକ୍ଷା କରିବାକୁ ହେବ: ପ୍ରଫେସର ମନୋରଞ୍ଜନ ଦାସ

(ସୂତ୍ର ଆମ ଭାଷା ଆମ ଅଧିକାର)
“ଭାଷା ଯେକୌଣସି ଜାତିର ପରିଚୟ କେବଳ ନୁହେଁ , ତା’ର ପ୍ରାଣଶକ୍ତି ମଧ୍ୟ । ଅନୁରୂପ ଭାବରେ ଓଡ଼ିଆ ଭାଷା ଓଡ଼ିଆ ଜାତିର ପରିଚୟ ଓ ପ୍ରାଣଶକ୍ତିର ଅଫୁରନ୍ତ ଉତ୍ସ ।” ଏହାର ଅବକ୍ଷୟ ରୋକିବା ପାଇଁ “ଆସନ୍ତୁ, କଳାପତାକାକୁ ମୁଣ୍ଡାଇ ଚାଲିବା ଲକ୍ଷ୍ୟ ସାଧନ ପର୍ଯ୍ୟନ୍ତ” ବୋଲି କହିଛନ୍ତି ଓଡ଼ିଆଭାଷାସାହିତ୍ୟର ସୁଖ୍ୟାତ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋରଞ୍ଜନ ଦାସ ।

ଇଂରାଜୀ ରାଜୁତିରୁ ଓଡ଼ିଶାକୁ ମୁକ୍ତ କରି ଓଡ଼ିଆ ଜାତିର ପରିଚୟ ଓ ପ୍ରାଣଶକ୍ତି ସୁରକ୍ଷିତ କରିବା ପାଇଁ ଚାଲିଥିବା ଭାଷା ଆନ୍ଦୋଳନ କରୋନା କାଳରେ ତାର କଳାପତାକା ଅଭିଯାନକୁ ବୌଦ୍ଧିକ ପ୍ରଦର୍ଶନରେ ପରିଣତ କରିଛି ଓ ପ୍ରତି ସୋମବାର ଜଣେ ଜଣେ ପ୍ରସିଦ୍ଧ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ତାଙ୍କର ବକ୍ତବ୍ୟ ରଖୁଛନ୍ତି, ଯାହାକୁ ଆଂଦୋଳନର ଫେସବୁକ ମଞ୍ଚ ଭାଷା ମା ପାଇଁ ପଦେ ପୃଷ୍ଠାରୁ ସିଧା ପ୍ରସାରିତ କରାଯାଉଛି ।

ଏହିକ୍ରମରେ ସେପ୍ଟେମ୍ବର ୨୧ ସୋମବାର ପ୍ରଫେସର ଦାସ କହିଛନ୍ତି, “ଓଡ଼ିଆ ଭାଷା ନିଷ୍ପ୍ରାଣ ହୋଇ ମୃତ୍ୟୁ ମୁଖରେ ପଡ଼ିବା ପୂର୍ବରୁ ଏହାକୁ ଜୀବନକ୍ଷମ କରାଇବାର ଏକମାତ୍ର ବାଟ ହେଉଛି ଓଡ଼ିଆ ଭାଷାକୁ ଅବିଳମ୍ବେ ଓଡ଼ିଶାର ରାଜଭସ ରୂପେ ପ୍ରତିଷ୍ଠା ଦେବା ।”

ଫେସବୁକର ଭାଷା ଆନ୍ଦୋଳାନ ମଞ୍ଚରୁ ସିଧା ପ୍ରସାରିତ ଭାଷଣଟିକୁ ବିଶ୍ଵବାସୀ ଓଡ଼ିଆଙ୍କ ସୁବିଧା ପାଇଁ ୟୁଟ୍ୟୁବରେ ସ୍ଥାନିତ କରାଯାଇଛି । ନିମ୍ନରେ ତାହା ଉପସ୍ଥାପିତ ହେଲା –