ବିଜୁ ପଟ୍ଟନାୟକଙ୍କୁ ନର୍କରେ ପକାଇଛି ସଂସ୍କୃତି ବିଭାଗ : ଚିତ୍ର ବୀଥି ହଟୁ ବା ସଜଡ଼ା ହେଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ରାଜ୍ୟ ସଂସ୍କୃତି ବିଭାଗ ବିଜୁ ପଟ୍ଟନାୟକଙ୍କୁ ଯେପରି ନର୍କରେ ପକାଇଛି ତାହାର ତୁରନ୍ତ ପରିସମାପ୍ତି ଆବଶ୍ୟକ ; କାରଣ ଏଠାକୁ ଆସୁଥିବା ଅଣଓଡ଼ିଆମାନଙ୍କ ଆଖିରେ ଏହା ଆମ ଜାତୀୟ ଅସ୍ମିତାକୁ ଉପହାସିତ କରୁଛି ।

ଏହାର ଅର୍ଥ ନୁହେଁ ଯେ, ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର କୌଣସି ଦରଦ ଅଛି।

ତାଙ୍କ ଛଳନାରେ ବିଭ୍ରାନ୍ତ ହୋଇ ଓଡ଼ିଶା ଲୋକେ ତାଙ୍କୁ ଥରେ କ୍ଷମତା ଦେଇଦେଲେ ଏପରି କୁଶାସନ କବଳରେ ପଡ଼ନ୍ତି ଯେ, ପଶ୍ଚାତାପ ହେତୁ ତାଙ୍କୁ ଲାଗ୍ ଲାଗ୍ ଅନ୍ୟୁନ୍ୟ ଦିଥର ପ୍ରତ୍ୟାଖ୍ୟାନ କରି ପ୍ରତିଶୋଧ ନିଅନ୍ତି (ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସମ୍ବାଦ, ୬।୬।୧୯୯୪) । ଏହି କାରଣ ହେତୁ ହିଁ  ମୃତ୍ୟୁ ପୂର୍ବରୁ ସେ କ୍ଷମତାରୁ ବିତାଡ଼ିତ ହୋଇରହିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କୁ “ଝଡ଼ର ଇଗଲ” ବୋଲି ବର୍ଣନା କରି, ସଞ୍ଜୟ ଗାନ୍ଧିଙ୍କୁ “ଋତୁରାଜ ବସନ୍ତ” କହିପାରିଥିବା ସୁଦକ୍ଷ ଶବ୍ଦବିନ୍ଧାଣି ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୁଙ୍କୁ ଏପରି ମରଣୋତ୍ତର ଗୌରବ ପ୍ରଦାନ କଲେ ଯେ, ନବୀନ ପଟ୍ଟନାୟକଙ୍କ ରାଜୁତି ଚାଲିଲା କେବଳ ବିଜୁଙ୍କ ନାଁରେ ! ଛାଇ ହୋଇଗଲେ ବିଜୁ ସମଗ୍ର ଓଡ଼ିଶାରେ ଓଡ଼ିଆ ଜାତିର ଯୁଗ ପୁରୁଷ ସାଜି । ସେହି କ୍ରମରେ ଓଡ଼ିଶା ସଂସ୍କୃତି ନିର୍ଦ୍ଦେଶାଳୟରେ ମଧ୍ୟ ସ୍ଥାପିତ ହେଲା ‘ବିଜୁ ଚିତ୍ର ବୀଥି’ (Biju Photo Gallery) ଓଡ଼ିଶା ରାଜକୋଷରୁ ବହୁ ଲକ୍ଷ ଟଙ୍କା ବ୍ୟୟକରି ।

ସେ ‘ଚିତ୍ର ବୀଥି’ର ସ୍ଥିତି ଏବେ ଯାହା, ଦେଖିଲେ ମନେହୁଏ, ଓଡ଼ିଆ ଭାଷା ପ୍ରତି ବିଶ୍ବାସଘାତକତା କରିଥିବା ବିଜୁଙ୍କୁ ନର୍କଗତି ହୋଇଛି ଓ ଏହି ନର୍କ ନିବାସ ହେଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଶାସନିକ ମୁଖ୍ୟାଳୟ, ଯେଉଠି ରହିଛି ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଓଡ଼ିଶା ଲଲିତକଳା ଏକାଡ଼େମୀ ଓ ସର୍ବୋପରି ଏ ସମସ୍ତର ନିର୍ଦ୍ଦେଶାଳୟ ।

ଆମ ଭାଷାର ଆଜନ୍ମ ବିରୋଧୀ 

ଓଡ଼ିଆ ଭାଷାକୁ ଇଂରାଜୀ ଭାଷାର ପୋଇଲି କରି ରଖିବାକୁ ବିଜୁ ଯେଉଁ ଚକ୍ରାନ୍ତ କରିଥିଲେ ମୁଁ ତାର ସବିଶେଷ ଆଲୋଚନା କରିଛି ଏ ବର୍ଷ ପ୍ରକାଶିତ ମୋ ପୁସ୍ତକ ‘ବିଜୁଙ୍କ ଛୁରା’ରେ, ଯାହା ୧୪।୩।୧୯୯୬ରେ ପ୍ରକାଶିତ ମୋର ନିବନ୍ଧ ‘ପ୍ରଶାସନ ଶବ୍ଦକୋଷ: ଓଡ଼ିଆ ଭାଷା ଉପରେ ବିଜୁଙ୍କ ରୋଷ’ରୁ ଆରମ୍ଭ ହୋଇଥିବା ଉଦ୍ୟମର ଏକ କ୍ରମ ରୂପାଯନ । ୧୯୬୩ରେ ଓଡ଼ିଆ ଭାଷାକୁ ଇଂରାଜୀ ଭାଷାର ପୋଇଲି ବନାଇବାକୁ ଆମ ଭାଷା ଆଇନରେ ସେ ଯେଉଁ ସଂଶୋଧନ ଘଟାଇଲେ, ସେତେବେଳେ ତାଙ୍କ ଅସଲ ରୂପ ପଦାକୁ ବାହାରି ଆସିଥିଲା।  ଇଂରାଜୀ ସପକ୍ଷରେ ନିଜର କ୍ରୀତଦାସସୁଲଭ ଆନୁଗତ୍ୟ ପ୍ରକାଶ କରି ସେ କହିଥିଲେ, ଆଜି ଯଦିଓ ପରିସ୍ଥିତି ବଦଳି ଯାଇଛି, ଇଂରାଜୀ ହେଉଛି ମାଲିକର ଭାଷା (Language of the Masters) , ସେଦିନ ମୋ ଭାଷା ଥିଲା ଇଂରାଜୀ (My language was the other day English), ମୋ ସଂସ୍କୃତି ଥିଲା ଇଂରେଜର ସଂସ୍କୃତି (“My culture was the culture of an Englishman”) (ବିଧାନସଭା ବିବରଣୀ , ୩୦।୯।୧୯୬୩) । ସେ ଏତେ ଉଦଗ୍ର ଇଂରାଜୀ ଅନୁଗତ ଥିଲେ ଯେ, ବିଧାନସଭାରେ କହିଥିଲେ, ଓଡ଼ିଆ ପରି ଭାଷା ଥିବା ହେତୁ ଭାରତ ଗୋଟାଏ ଦେଶ ପଦବାଚ୍ୟ ନୁହେଁ (“This is not a country at all.”) (ଓଡ଼ିଶା ସରକାରୀ ଭାଷା ଆଇନ ସଂଶୋଧନ ଉପରେ ବିଧାନସଭା ବିତର୍କ, ୧୯୮୫, ପୃ॰ ୧୦୮) ।

ବିଜୁ ୱସିୟତ

ଇଂରାଜୀ ଭାଷା ପ୍ରତି ଏହି କ୍ରୀତଦାସସୁଲଭ ଅନୁରକ୍ତି ଓ ଓଡ଼ିଆ ଭାଷା ପ୍ରତି ଏହି ଅଯୌକ୍ତିକ ଘୃଣା ବିଜୁ ପଟ୍ଟନାୟକଙ୍କ ଠାରୁ ନବୀନ ପଟ୍ଟନାୟକ ଯଦି ରକ୍ତସୂତ୍ରରେ ଆହରଣ କରିନଥାନ୍ତେ , ସେ କଣ ଓଡ଼ିଶାକୁ ବିଜୁମୟ କରି ଓଡ଼ିଆ ଭାଷାକୁ ଅକାମୀ କରିଦେବାକୁ ଯାବତୀୟ ହୀନ ଚକ୍ରାନ୍ତ ଚଳାଇଥାନ୍ତେ; ଏତେ ବର୍ଷ କ୍ଷମତାରେ ଥାଇ ବି ଓଡ଼ିଆ ଭାଷାରେ କାମ କରିବାକୁ ସକ୍ଷମ ହୋଇନଥାନ୍ତେ; ଇଂରାଜୀ ଭାଷାର ଅଧସ୍ତନ କରି ରଖିଥାନ୍ତେ ଓଡ଼ିଶାକୁ ; ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଦଲାଲ ନିଯୁକ୍ତ କରିଥାନ୍ତେ?

ଅତଏବ ଓଡ଼ିଆ ଭାଷା ଆଜି ଯେଉଁ ବିପଦରେ ପଡ଼ିଛି , ତା ମୂଳରେ ଅଛି ବିଜୁ ୱସିୟତ (Biju Legacy) ।  ଏହି ୱସିୟତର ଅନ୍ଧମୁହାଣୀରେ ଓଡ଼ିଶା ରାଜକୋଷରୁ ବହୁ ଲକ୍ଷ ଟଙ୍କା ସ୍ଵାହା କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଜୁମୟ କରିବା ପାଇଁ ଯେଉଁ ବିଜୁ ଚିତ୍ର ବୀଥି ସୃଷ୍ଟି କରଯାଇଥିଲା ସଂସ୍କୃତି ଭବନରେ, ମା ଓଡ଼ିଶାର ଆତ୍ମା ତାକୁ ବରଦାସ୍ତ କରିନାହିଁ । ସଂସ୍କୃତି ଭବନର ବର୍ଜ୍ୟ ପାଣିର ଗନ୍ଧରା ସମୁଚ୍ଚୟରେ ହିଁ ତା ପରିଚୟ ସୀମିତ ହୋଇ ପଡ଼ିଛି । ଲୁହା  ଜାଫ୍ରିରେ ପଡ଼ିଥିବା ତାଲା କେବଠୁ ଫିଟି ନାହିଁ । ଏଥିରେ ଥିବା ଚିତ୍ର ଗୁଡ଼ିକୁ କେହି ଓଡ଼ିଆ କେବେ ଦେଖିବାକୁ ଚାହିଁ ନାହାନ୍ତି ।

ନର୍କ ନିବାସ 

ଏହି ସମ୍ବାଦ ସନ୍ନିହିତ ଚିତ୍ରଗୁଡ଼ିକୁ ଦେଖିଲେ ଜାଣିବେ ଯେ , ସଂସ୍କୃତି ନିର୍ଦ୍ଦେଶକଙ୍କ ଦପ୍ତରକୁ ଯାଇଥିବା ପାହାଚ ଏହି ଚିତ୍ର ବୀଥି ସମ୍ମୁଖରେ ଅବସ୍ଥିତ । ନିର୍ଦ୍ଦେଶାଳୟର ସମସ୍ତ କର୍ମଚାରୀ / ପଦଧିକାରୀ ଏହି ପାହାଚ ପ୍ରତିଦିନ ବ୍ୟବହାର କରନ୍ତି, ପ୍ରତିଦିନ ବିଜୁଙ୍କ ଏ ଚିତ୍ର ବୀଥିକୁ ଏହିପରିଭାବେ ଦେଖନ୍ତି । ପାହାଚକୁ ଲାଗି ସାହିତ୍ୟ ଏକାଡ଼େମୀ । ଏହାର କର୍ମକର୍ତ୍ତା ଓ କର୍ମଚାରୀମାନେ ପ୍ରତିଦିନ ଏହି ଗନ୍ଧରା ଦୃଶ୍ୟ ଦେଖନ୍ତି । ଉପରେ ପ୍ରଥମ ମହଲାରେ ଭାଷା ପ୍ରତିଷ୍ଠାନ । ସଭିଏଁ ଏହିବାଟେ ଯାଆନ୍ତି । ସାହିତ୍ୟ ଏକାଡ଼େମୀ ସହ ସଂସ୍କୃତି ଭବନର ତଳ ମହଲାରେ ଅଛି ଓଡ଼ିଶା ଲଳିତକଳା ଏକାଡ଼େମୀ । ତହିଁର କର୍ମକର୍ତ୍ତା ଓ କର୍ମଚାରୀମାନେ ମଧ୍ୟ ପ୍ରତିଦିନ ଦେଖନ୍ତି ଏହି ଦୃଶ୍ୟ । ମନେହୁଏ , ବିଜୁଙ୍କ ଚିତ୍ର ବୀଥିକୁ ସର୍ବ ଶକ୍ତିମାନ ସମୟ ସଂସ୍କୃତି ବିଭାଗ ମାଧ୍ୟମରେ ଠିକଣା ସ୍ଥାନରେ ରଖିଛି ।  ଏବେ ଏହି ଦୃଶ୍ୟ ପ୍ରତି ଦୃଷ୍ଟିପଡୁ :

ହଟା ହେଉ ବ ସଜଡ଼ା ହେଉ 

ବିବେକ ଜାଗ୍ରତ ହେଉ । ଏହାକୁ ଏଠୁ ଉଠାଇ ଦିଆଯାଉ ବା ସଜଡ଼ାଯାଉ । ନବୀନବାବୁଙ୍କ ରାଜୁତିରେ ଓଡ଼ିଆ ଜାତି ତ ତା ଭାଷା ମାଆ ଉପରେ ଚାଲିଥିବା ସରକାରୀ ଅତ୍ୟାଚାର ସହି ଚାଲିଛି , ତାଙ୍କରି ରାଜୁତିରେ ତାଙ୍କ ପିତାଙ୍କ ଚିତ୍ର ବୀଥି ଉପରେ ଚାଲିଥିବା ଏହି ନାରକୀୟ ନିର୍ଯ୍ୟାତନାର ନୀରବଦ୍ରଷ୍ଟା ହୋଇ ରହିବାକୁ ଓଡ଼ିଆ ଜାତିକୁ ବାଧ୍ୟ କରା ନ ହେଉ । ବିଜୁ ବାବୁ ଜଣେ ରାଜନୈତିକ ବ୍ୟକ୍ତିଥିଲେ ଓ ସେହେତୁ ଓଡ଼ିଶାର ସାର୍ବଜନୀନ ନେତା ନଥିଲେ । ତେଣୁ ସଂସ୍କୃତି ଭବନ ପରି ଏକ ସାର୍ବଜନୀନ ସ୍ଥାନରେ ତାଙ୍କ ଏହି ଚିତ୍ର ବୀଥି ଅତ୍ୟନ୍ତ ଅନଧିକୃତ ଓ ବେଆଇନ । ସେହେତୁ ଏହାକୁ ଏଠାରୁ ହଟାଇ ଦିଆଯିବା ଉଚିତ । ଯଦି ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି ପ୍ରଶାସନିକ ବାହୁବଳରେ ଏହାକୁ ଏଠାରେ ଜବରଦସ୍ତ ରଖାଯାଏ , ତେବେ ସମ୍ମାନର ରଖାଯାଉ, ଏପରି ନର୍କ ଭିତରେ ରଖାନଯାଉ । ସଂସ୍କୃତି ଭବନକୁ ଓଡ଼ିଶା ବାହାରର ବହୁ ବ୍ୟକ୍ତି ଓଡ଼ିଶା ସଂସ୍କୃତି ଅବଗତିରେ ସହାୟତା ଲୋଡ଼ି ଅନେକ ସମୟରେ ଆସିଥାନ୍ତି । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ନର୍କନିବାସ ଦେଖି ସେମାନେ ଓଡ଼ିଆ ଜାତିକୁ ଉପହାସ ନ କରନ୍ତୁ ।