ଭାଷା ଆନ୍ଦୋଳନକୁ ସଫଳ କରାଇବା ଓଡ଼ିଆ ଜାତିର ଐତିହାସିକ ଦାୟିତ୍ଵ : ରାମକୃଷ୍ଣ ପଣ୍ଡା

ଦି ନିଉଜ୍ ସିଣ୍ଡିକେଟ୍

ଅଖିଳ ଭାରତ ଟ୍ରେଡ୍ ୟୁନିୟନ୍ କଂଗ୍ରେସର ଜାତୀୟ ସମ୍ପାଦକ ସାଥୀ ରାମକୃଷ୍ଣ ପଣ୍ଡା ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ସାଢ଼େଚାରିବର୍ଷରୁ ଉର୍ଦ୍ଧ୍ଵକାଳ ଧରି ଲାଗିରହିଥିବା ଭାଷା ଆନ୍ଦୋଳନକୁ ସଫଳ କରାଇବା ବର୍ତ୍ତମାନ ଓଡ଼ିଆ ଜାତିର ଐତିହାସିକ ଦାୟିତ୍ଵ ବୋଲି ମତ ବ୍ୟକ୍ତ କରିଛନ୍ତି । ଆଜି ଯଦି ଆମେ ଏ ଆନ୍ଦୋଳନକୁ ସଫଳ ନ କରାଉଁ , ତା ହେଲେ ଆଉ କିଛି ବର୍ଷ ପରେ ଆମେ ଚାହିଁଲେ ମଧ୍ୟ ଆମ ଭାଷା ଓ ଆମ ସଂସ୍କୃତିକୁ ରକ୍ଷା କରି ହେବନି ସେ ଦେଇଛନ୍ତି ହୃଦୟସ୍ପର୍ଶୀ ଚେତାବନୀ ।

ସେ କହିଛନ୍ତି, ଏହି ଭାଷା ଆନ୍ଦୋଳନ ଆହୁରି ପରିବ୍ୟାପ୍ତ ହେବା ଆବଶ୍ୟକ । ପ୍ରତ୍ୟେକ ଓଡ଼ିଆପ୍ରାଣ ଏହାକୁ ଆଗକୁ ବଢାଉ । ସମସ୍ତେ ହୁଏତ କଳାପତାକା ଅଭିଯାନରେ ଅଂଶ ଗ୍ରହଣ କରି ନପାରନ୍ତି, ମାତ୍ର ଯିଏ ଯେପରି ପାରିବ ସେ ସେପରି ଭାବେ ଏହି ଆନ୍ଦୋଳନକୁ ସହଯୋଗ କରୁ । ଏହା ସହ ଯେପରି ସମ୍ଭବ ସେପରି ଜଡ଼ିତ ହେଉ ।

ସରକାର ଶିଳ୍ପସାମ୍ରାଜ୍ୟର ମାଲିକମନଙ୍କ ସ୍ଵାର୍ଥ ରକ୍ଷା କରିବାକୁ ଯାଇ ଜନସାଧାରଣଙ୍କ ବିରୁଦ୍ଧରେ ନାନା ଭୁଲ ନିଷ୍ପତ୍ତି ନେଇଚାଲିଛନ୍ତି । ଯେ କୌଣସି ସରକାରୀ ଭୁଲ ବିରୁଦ୍ଧରେ ଆଜି ନହେଲେ କାଲି ଆନ୍ଦୋଳନ ହୋଇପାରେ । ମାତ୍ର ନିଜ ଭାଷା ବିରୁଦ୍ଧରେ ସରକାରଙ୍କ ଭୁଲ ପଦକ୍ଷେପକୁ ହଟାଇବା ପାଇଁ ଚାଲିଥିବା ଆନ୍ଦୋଳନ ପ୍ରତି ମୁହୁର୍ତ୍ତେ ମଧ୍ୟ ଅବହେଳା ସ୍ପୃହଣୀୟ ନୁହେଁ । ଅନ୍ୟ ଯେ କୌଣସି ଆନ୍ଦୋଳନ ଅପେକ୍ଷା କରିପାରେ, କିନ୍ତୁ ଭାଷା ପାଇଁ ଆନ୍ଦୋଳନ ଅପେକ୍ଷା କରିନପାରେ ।

ଏହି ଆନ୍ଦୋଳନର ସଫଳତା ଶ୍ରମିକ ଶ୍ରେଣୀର ସ୍ଵାର୍ଥ ସଙ୍ଘର୍ଷର ସଫଳତା ସୁନିଶ୍ଚିତ କରିବ ବୋଲି ଦର୍ଶାଇ ଭାରତର ଏହି ଅନ୍ୟତମ ଶ୍ରେଷ୍ଠ ଶ୍ରମିକ ସଂଗଠକ କହିଛନ୍ତି, ୧୮୫୭ ସିପାହୀ ବିଦ୍ରୋହରେ ଚାକିରି କରୁଥିବା ଲୋକଙ୍କ ସାଙ୍ଗଠନିକ ସଚେତନତାର ଯେଉଁ ଅଙ୍କୁରୋଦ୍ଗମ ହୋଇଥିଲା ତାହାକୁ ସମସ୍ତ ମେହନତ୍କାରୀ ମଣିଷର ଆଇନସିଦ୍ଧ ଅଧିକାରର ରୂପ ପ୍ରଦାନ ପାଇଁ ୧୯୨୦ରେ ପ୍ରତିଷ୍ଠା ହୋଇଥିଲା ଭାରତର ପ୍ରଥମ ଶ୍ରମଜୀବୀ ସଂଗଠନ – ଅଖିଳ ଭରତ ଟ୍ରେଡ୍ ୟୁନିୟନ୍ କଂଗ୍ରେସ୍ । ଏହା ପକାଇଥିଲା ଭାରତରେ ସଂଗଠିତ ଶ୍ରମିକ ଆନ୍ଦୋଳନର ମୂଳଭିତ୍ତି । ପରାଧୀନ ଭାରତରେ ୧୯୨୬ରେ ଯେ ଶ୍ରମିକମାନଙ୍କ ସାଙ୍ଗଠନିକ ଅଧିକାରକୁ ସ୍ଵୀକାର କରି ଟ୍ରେଡ୍ ୟୁନିୟନ୍ ଆଇନ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇପାରିଲା ତାହା ମୂଳରେ ଥିଲା ଏହି ସଂଗଠନର କୃଚ୍ଛ୍ର ସାଧନା । ସେହି ଦିନଠାରୁ ବହୁ ସଂଘର୍ଷ କରି କରି ଭାରତର ଶ୍ରମିକ ସମାଜ ସଫଳ ହୋଇଥିଲା ୧୯୪୬ରେ ନିଜର ବିଶ୍ରାମ ଅଧିକାର ହାସଲ କରିବା ପାଇଁ ; ଆଇନ ସିଦ୍ଧ ହୋଇଥିଲା ୮ ଘଣ୍ଟିଆ ଶ୍ରମ ଦିବସ । ବର୍ତ୍ତମାନର ସରକାର ୧୨ ଘଣ୍ଟିଆ ଶ୍ରମ ଦିବସ ଜାରି କରି ଶ୍ରମିକ ସମାଜକୁ ସ୍ଵାଧୀନତା ପୂର୍ବ ଅବସ୍ଥାକୁ ଫିଙ୍ଗି ଦେଇଛନ୍ତି । ଏହା ଫଳରେ ଦୁଇ ସିଫ୍ଟ କାମ ହୋଇ ଏକ ତୃତୀୟାଂଶ ଶ୍ରମିକ ନିଯୁକ୍ତି ହରାଇବେ ଓ ନିଯୁକ୍ତି ହରାଇନଥିବା ଶ୍ରମିକମାନେ ଅଧିକ ଶୋଷଣର ଶିକାର ହେବେ ।

ଶ୍ରମିକମାନଙ୍କ ବିରୁଦ୍ଧରେ ଅନ୍ୟ ଏକ ଭୟଙ୍କର ସରକାରୀ ଷଡଯନ୍ତ୍ରର ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି, ୧୦୦ ଜଣ ଶ୍ରମିକ ଥିବା କାରଖାନାରେ ସ୍ଥାୟୀ/ଅସ୍ଥାୟୀ କାର୍ଯ୍ୟବନ୍ଦ/ତାଲାବନ୍ଦ ପାଇଁ ସରକାରୀ ଅନୁମତି ଅପରିହାର୍ଯ୍ୟ ଥିବା ବେଳେ, ବର୍ତ୍ତମାନର ସରକାର ଏହି ୧୦୦କୁ ୩୦୦ କରିଦେଇଛନ୍ତି । ତେଣୁ ୩୦୦ରୁ ଊଣା ଶ୍ରମିକ ଥିବା କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କ ନିଯୁକ୍ତି ସ୍ଥିରତା ଉଜୁଡ଼ି ଯାଇଛି ଓ କାରଖାନା ଚଳାଇରଖିବାକୁ ସେମାନେ ମାଲିକମାନଙ୍କ ଯାବତୀୟ ଜୁଲୁମକୁ ସହିବାକୁ ବାଧ୍ୟ ହେଉଛନ୍ତି ।

ଶ୍ରମିକ ସଂପ୍ରଦାୟର କ୍ରମାଗତ ସଂଘର୍ଷ ଓ ଆତ୍ମତ୍ୟାଗର ଭିତ୍ତି ଉପରେ ତିଆରି ୪୪ଟି ଶ୍ରମ ସମ୍ପର୍କିତ ଆଇନକୁ ବର୍ତ୍ତମାନର ସରକାର ଭାଙ୍ଗିଭୁଙ୍ଗି ୪ଟି କୋଡରେ ସୀମିତ କରିଥିବା ବେଳେ ଚାକିରି ସର୍ତ୍ତାବଳୀ ସମ୍ପର୍କରେ ଶ୍ରମିକମାନଙ୍କୁ ଅନ୍ଧକାରରେ ରଖାହୋଇଛି , କାରଣ ଶ୍ରମିକମାନଙ୍କ ମାତୃଭାଷାରେ ନ ରହି ସେମାନେ ନ ଜାଣିଥିବା ଇଂରାଜୀ ଭାଷାରେ ଏହା ଜାରିକରାଯାଉଛି । ଏହା ଏଇଥିପାଇଁ ଯେ, ଶୋଷକ-ଶାସକ ଶ୍ରେଣୀ ଭୟ କରୁଛନ୍ତି ଶ୍ରମ ଆଇନ ଯଦି ଶ୍ରମିକମାନଙ୍କ ପାଇଁ ଅବୋଧ୍ୟ ଭାଷାରେ ନ ରହେ ତେବେ ସେମାନେ ସେମାନଙ୍କ ଆଇନସିଦ୍ଧ ଅଧିକାର ସମ୍ପର୍କରେ ଜାଣିଯିବେ ଓ ସେମାନଙ୍କ ଶ୍ରମମୂଲ୍ୟ ଲୁଣ୍ଠନ ସହଜ ହେବ ନାହିଁ ।

ଅପରପକ୍ଷେ, “କଣ୍ଟ୍ରାକ୍ଟ ଏମ୍ପ୍ଲୟମେଣ୍ଟ”, “ସିଜନାଲ ଏମ୍ପ୍ଲୟମେଣ୍ଟ”, “ଫିକ୍ସ୍ଦ-ଟାଇମ୍ ଏମ୍ପ୍ଲୟମେଣ୍ଟ” ଆଦି ନାନା ଅବୋଧ୍ୟ ବିଦେଶୀ ଢାଞ୍ଚାର ନିଯୁକ୍ତି-ନାମ ଆମଦାନୀ କରି, ଶ୍ରମଜୀବୀମାନଙ୍କ ମଧ୍ୟରୁ ୯୨ ଶତାଂଶ ଅସଙ୍ଗଠିତ ଶ୍ରମିକମାନଙ୍କୁ ସରକାର ଭୟାନକ ଅନିଶ୍ଚିତତା ଭିତରକୁ ଠେଲି ଦେଇଥିବା ବେଳେ ନିଯୁକ୍ତିଦାତା ଓ ନିଯୁକ୍ତ ହୋଇଥିବା କର୍ମଚାରୀମାନଙ୍କ ଭିତରେ ଆଇନ ବହିର୍ଭୂତ ତଥା ଉତ୍ତରଦାୟିତ୍ଵହୀନ ମଧ୍ୟସ୍ଥି ବ୍ୟବସ୍ଥା ତିଆରି କରିଛନ୍ତି ଯାହାକୁ “ସର୍ଭିସ ପ୍ରୋଭାଇଡ଼ର” ବୋଲି କହି ତାଙ୍କ କବଳରେ ପକାଇଦିଆଯାଇଛି ଅସଂଗଠିତ ଶ୍ରମିକ କର୍ମଚାରୀଙ୍କ ଜୀବନ ଜୀବିକାର ଭାଗ୍ୟ । ଅଥଚ ଏହାର ଅର୍ଥ କ’ଣ ତାହା ଶ୍ରମିକମାନେ ଜାଣନ୍ତିନାହିଁ ।  ସେମାନେ ଜାଣନ୍ତି ନାହିଁ ଯେ, “ସର୍ଭିସ ପ୍ରୋଭାଇଡ଼ର”ସହ ସଂଯୁକ୍ତ ଚାକିରି ସଂପୂର୍ଣ୍ଣତଃ ଠିକା ଚାକିରି ଓ ଶିଲ୍ପ/ଶ୍ରମ ଆଇନର କୌଣସି କଲ୍ୟାଣକାରୀ ବ୍ୟବସ୍ଥା ସେମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।

ସ୍ଵାଧୀନ ଭାରତର ଏହି ଅଧ୍ୟାୟରେ ଶ୍ରମିକ ଶୋଷଣ ସବୁ ସୀମା ଲଙ୍ଘନ କରିଛି, କାରଣ ଯେଉଁ ଆଇନ, ଯେଉଁ ସରକାରୀ ସିଦ୍ଧାନ୍ତ ଓ ନିର୍ଦ୍ଦେଶ ଏପରି ଭାବେ ଶ୍ରମିକର ଭାଗ୍ୟ ନିୟନ୍ତ୍ରଣ କରୁଛି ତାହା ଶ୍ରମିକର ମାତୃଭାଷାରେ ଉପଲବ୍ଧ ନୁହେଁ ।
ଯେଉଁ ପର୍ଯ୍ୟନ୍ତ ଏ ସମସ୍ତ ଶ୍ରମ ଆଇନ ଓ ଶ୍ରମିକମାନଙ୍କ ପାଇଁ ପ୍ରଯୁଜ୍ୟ ସମସ୍ତ ବ୍ୟବସ୍ଥା ଓଡ଼ିଆ ଭାଷାରେ ଓଡ଼ିଆ ଶ୍ରମିକମାନଙ୍କୁ ଉପଲବ୍ଧ ହୋଇନାହିଁ , ସେ ପର୍ଯ୍ୟନ୍ତ ଶ୍ରମିକ ଶୋଷଣର ଏବଂ ସେମାନଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନର ଅନ୍ତଃବିଧାନ ସମ୍ଭବ ନୁହେଁ ବୋଲି କହି ଭାଷା ଆନ୍ଦୋଳନ ସଫଳ ହେଲେ ଏହା ସମ୍ଭବ ହେବ ବୋଲି କହିଛନ୍ତି ଶ୍ରୀ ପଣ୍ଡା ।