ସଂଶୋଧନର ପୁନଃ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଓଡ଼ିଆରେ ସେବା ପ୍ରଦାନ ନକରିବା ଦଣ୍ଡନୀୟ ହେବା ଦାବିରେ ଦୁଇ ବର୍ଷରୁ ଅଧିକ କାଳ ଧରି କଳାପତାକା ଅଭିଯାନ ଚଳାଇଥିବା ଭାଷା ଆନ୍ଦୋଳନ ମଇ ୨୪ରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇ ଦାବି କରିଛି କି, ଦଣ୍ଡବିଧାନ ପାଇଁ ଗୃହୀତ ହୋଇଥିବା ସଂଶୋଧନ ବିଧେୟକ ଓଡିଶା ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବାକୁ ଉଦ୍ଦିଷ୍ଟ ହୋଇଥିବା ହେତୁ ସେ ତାହାକୁ ସ୍ବୀକୃତି ନ ଦେଇ ପୁନଃ ସଂଶୋଧନ ପାଇଁ ବିଧାନସଭାକୁ ଫେରାଇ ଦିଅନ୍ତୁ ।

ଆନ୍ଦୋଳନର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ରାଜ୍ୟପାଳଙ୍କୁ ଜଣାଇଛନ୍ତି କି, ଓଡିଶା ପ୍ରଦେଶରେ ସମସ୍ତ ଓ ପ୍ରତ୍ୟେକ ସରକାରୀ କାମର ଭାଷା ଓଡ଼ିଆ ହିଁ ହେବ ବୋଲି ମୂଳ ଆଇନରେ ଧାର୍ଯ୍ୟ କରାଯାଇଛି । ଏହାର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର ଦାବି ସପକ୍ଷରେ ସାରା ଓଡିଶାରେ ସମର୍ଥନ ପ୍ରକାଶ ପାଇଛି ଓ ଗତ ମାର୍ଚ୍ଚ ୧୪ ତାରିଖରେ ମନ୍ତ୍ରୀମଣ୍ଡଳ ବୈଠକରେ ମଧ୍ୟ ଅନୁରୂପ ପ୍ରସ୍ତାବ ଗୃହୀତ ହୋଇଛି । ଅଥଚ ବିଧାନସଭାରେ ଗୃହୀତ ପ୍ରସ୍ତାବରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କଥା କୁହା ହୋଇ ମୂଳ ଆଇନର “ସମସ୍ତ ଓ ପ୍ରତ୍ୟେକ” ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରାଯାଇଛି । ସୁତରାଂ ଏହି ସଂଶୋଧନ ଏକ ବେଆଇନ ସଂଶୋଧନ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।

ଅପରପକ୍ଷେ ଓଡ଼ିଆରେ କାମ ନ କରିବା କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି ବିଧେୟକଟିରେ ଅଛି । କୌଣସି ସରକାରୀ ବିଭାଗକୁ ଦଣ୍ଡିତ କରିବା ଅର୍ଥ, ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବା; କାରଣ, ସରକାରୀ ବିଭାଗଗୁଡ଼ିକ ଜନସାଧାରଣଙ୍କ ଅର୍ଥବଳରେ ଚାଲେ । କର୍ମଚାରୀଙ୍କ ଦୋଷ ହେତୁ ଜନସାଧାରଣଙ୍କୁ ଦଣ୍ଡିତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେ ଦର୍ଶାଇଛନ୍ତି କି, ୨୬.୧୨.୨୦୧୭ ତାରିଖରେ ମନ୍ତ୍ରିମଣ୍ଡଳର ବୈଠକରେ ଭାଷା ଆଇନ ଉଲ୍ଲଙ୍ଘନକାରୀ କର୍ମଚାରୀ ଓ ବିଭାଗକୁ ବିହିତ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ହୋଇଥିଲା । ଭାଷା ଆନ୍ଦୋଳନ ସେହି ପ୍ରସ୍ତାବର ତ୍ରୁଟି ଦର୍ଶାଇବା ପରେ ୧୪.୦୩.୨୦୧୮ ତାରିଖରେ ମନ୍ତ୍ରୀମଣ୍ଡଳ ଦାୟୀତ୍ଵନିର୍ଦ୍ଧାରଣ ସମ୍ପର୍କୀୟ ତ୍ରୁଟି ସଂଶୋଧନ କରି ସ୍ପଷ୍ଟ କରିଥିଲେ କି, ଓଡ଼ିଆରେ କାମ ନକଲେ କେବଳ କର୍ମଚାରୀଙ୍କୁ ହିଁ ଦଣ୍ଡବିଧାନ ହେବ । ଅତ୍ୟନ୍ତ ଅନଧିକୃତ ଭାବେ ଏହି ୧୪.୦୩.୨୦୧୮ ତାରିଖର ପ୍ରସ୍ତାବକୁ କବର ଦିଆଯାଇ ୨୬.୧୨.୨୦୧୭ ତାରିଖର ଅକାମି କରାହୋଇଥିବା ପ୍ରସ୍ତାବ ଉପରେ ବିଧେୟକଟିକୁ ଆଧାରିତ କରାଯାଇଛି । ରାଜ୍ୟପାଳ ଯଦି ଏହି ବିଧେୟକଙ୍କୁ ସ୍ବୀକୃତି ଦିଅନ୍ତି ତେବେ ଏହି ଅନଧିକୃତ ଆଚରଣକୁ ବୈଧ କରିବା ସହ ତାହା ସମାନ ହୋଇଯିବ ।

ଏତଦ୍ଦୃଷ୍ଟିରୁ ଏହି ତ୍ରୁଟିପୂର୍ଣ୍ଣ ବିଧେୟକଙ୍କୁ ସ୍ବୀକୃତି ନ ଦେଇ ପୁନଃ ସଂଶୋଧନ ପାଇଁ ବିଧାନସଭାକୁ ଫେରସ୍ତ କରିଦେବାକୁ ଭାଷା ଆନ୍ଦୋଳନ ରାଜ୍ୟପାଳଙ୍କୁ ଅନୁରୋଧ କରିଛି ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

1 thought on “ସଂଶୋଧନର ପୁନଃ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର”

  1. ଓଡିଶାରେ ଭାଷା ଆନ୍ଦୋଳନ ଓଡିଶା ର ଦାବି ଉପରେ ‘ଇତି ପରନ୍ତୁ ଇତିବୃତ୍ତି’ ର ପୁନରାବୃତ୍ତି ଚାଲିଛି ! ଆଜି‌ ମଇ ୨୫, ୨୦୧୮ରେ ଆନ୍ଦୋଳନର ୭୭୩ ଦିନରେ ସଂଶୋଧନର ପୁନଶ୍ଚ ସଂଶୋଧନର ଆବଶ୍ୟକ ହେଉଛି ! ଏହାଠାରୁ ଓଡ଼ିଆଙ୍କୁ ଅହରହ ପ୍ରବଞ୍ଚନାର ଦୃଷ୍ଟାନ୍ତ ଆଉ କ’ଣ ହୋଇ ପାରିବ ?
    ଓଡିଆ ଭାଇ ଭଉଣୀ ଜାଗ୍ରତ ରହ !!

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.