“ଅଣ୍ଟାଭିଡ଼ା” ଛାଡ଼, ଭାଷା ଆଇନ ସଜାଡ଼

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳାଇଥିବା ଷଡ଼ଯନ୍ତ୍ର ଯେତେବେଳେ ଫୁଙ୍ଗୁଳା ହୋଇଯାଏ, ଭାଷାପ୍ରେମ ଦେଖାଇ ତହିଁରୁ ଜନସାଧାରଣଙ୍କ ଦୃଷ୍ଟି ଅପସାରଣ କରିବାକୁ ସେ ପ୍ରତାରଣାର ଏକ ନୂଆ ଚାଲ୍ ଚଳାନ୍ତି । ଜୁଲାଇ ୨୭ ତାରିଖରେ ତଥାକଥିତ ଐତିହ୍ୟ କ୍ୟାବିନେଟର ୩ ବର୍ଷ ତଳର ନିଷ୍ପତ୍ତି ଉପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରକାଶିତ “ଅଣ୍ଟାଭିଡ଼ା” (ସମ୍ବାଦ ୨୮.୭.୨୦୨୧ , ପୃଷ୍ଠା ୩) ଏହି ପରି ଏକ ଚାଲ୍ । 

ଏ ଭିତରେ ଦୁଇଟି ପୁସ୍ତକ ମୁଁ ପ୍ରକାଶ କରିଛି ଯହିଁରେ ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ବିଶ୍ଵସ୍ତ ମୁଷ୍ଟିମେୟ ଅଫିସର ଯେଉଁ ଦୁରାଚରଣ କରିଛନ୍ତି ତାହା ନିରାଭରିତ ହୋଇଛି । ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ମୋର ତତ୍କାଳୀନ ଦୁଇ ଘନିଷ୍ଠ ସହଯୋଗୀଙ୍କ ଅର୍ଥଲୋଭର ଦୁରୁପଯୋଗ କରିଥିଲେ । ତାହା କରିବାପାଇଁ ଓଡ଼ିଶା ରାଜକୋଷରୁ ପ୍ରାୟ ଦେଢ କୋଟି ଟଙ୍କାର ଲୁଟ୍ ବ୍ୟବସ୍ଥା ବି କରିଥିଲେ । ଯଦିଓ ଏହି ଦେଢ କୋଟି ଟଙ୍କାର ସୁପାରି ଦିଆ ହେଉ ହେଉ ରାଜ୍ୟପାଳଙ୍କ ହସ୍ତକ୍ଷେପ ହେତୁ ଅଟକି ଗଲା, ପ୍ରଦ୍ୟୁମ୍ନ ଶତପଥିଙ୍କୁ ତାଙ୍କ  ସ୍ତ୍ରୀଙ୍କ ମାଧ୍ୟମରେ ସଂପୂର୍ଣ୍ଣ ବେଆଇନ ଭାବେ ପ୍ରତିମାସରେ ଲକ୍ଷ୍ୟାଧିକ ଟଙ୍କା ଦିଆଚାଲିଛି ।  ସେ ନିଜକୁ ଭାଷା ଆନ୍ଦୋଳନର ସଭାପତି ବୋଲି କହି , ଯେଉଁ ପରିଚୟ ମୁଁ ତାଙ୍କୁ ଦେଇଥିଲି ସେହି ପରିଚୟ ବ୍ୟବହାର କରି , ଓଡ଼ିଶା ଲୋକଙ୍କୁ ଯେମିତି କହିବେ ଯେ ଭାଷା ଆଇନ ସଜାଡ଼ି ହୋଇଯାଇଛି ସେହିକାମରେ ତାଙ୍କୁ ନିୟୋଜିତ କରିଛନ୍ତି ମୁଖ୍ୟମନ୍ତ୍ରୀ – ଏହା ମୁଁ  ‘ଦାନାର ତୋବଡ଼ା’ ଶୀର୍ଷକ ପୁସ୍ତକରେ ସପ୍ରମାଣ ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଅମଲାମାନଙ୍କ ଭିତରୁ ଯେଉଁମାନଙ୍କୁ ମୁଁ ଏହି ବହିରେ ନାମିତ କରିଛି , ସେମାନେ କେହି ବି  କୌଣସି ପ୍ରକାଶିତ ପ୍ରମାଣକୁ ଖଣ୍ଡନ କରିବାକୁ ସମର୍ଥ ହୋଇନାହାନ୍ତି ।  

ସେହିପରି , ଜୁଲାଇ ୨୩ରେ ମୁଁ ପ୍ରକାଶ କରିଛି ‘ମିଛ କେବେ ସତ ହୁଏନା’ । ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଅର୍ଜନରେ ବ୍ୟବହୃତ ଐତିହାସିକ ଦସ୍ତାବିଜ ଓ ସେ ସକଳର ବିଶ୍ଳେଷଣ ସମ୍ବଳିତ ସନ୍ଦର୍ଭ , ଯାହା ରାଜ୍ୟବାସୀଙ୍କ ରାଜକୋଷରୁ ବ୍ୟୟ କରି ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରସ୍ତୁତ କରିଥିଲା, କିପରି ରାଜ୍ୟବାସୀଙ୍କୁ ଅନୁପଲଭ୍ୟ କରାଯାଇଛି ତାହା ସପ୍ରମାଣ ଏହି ପୁସ୍ତକରେ ଅଛି । ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନର ଅପସଂଶୋଧନ କରାଯାଇ ଓଡ଼ିଆ ଜାତିର ଭାଷା ଅଧିକାରକୁ ଜଖମ କରାଯାଇଥିବା ବେଳେ ତା ଭାଷାର ପ୍ରାଚୀନ ବୈଭବ ଓ ଭାଷାତାତ୍ତ୍ଵିକ ବଶିଷ୍ଟ୍ୟ ସମ୍ପର୍କରେ ତାକୁ ଅନ୍ଧକାରରେ ରଖିବାକୁ ହୋଇଥିବା ଚକ୍ରାନ୍ତକୁ କିପରି ମୁଖ୍ୟମନ୍ତ୍ରୀ ଘଣ୍ଟଘୋଡ଼ାଇ ରଖିଛନ୍ତି ତହିଁର ସବିଶେଷ ସପ୍ରମାଣ ଆଲୋଚନା ହୋଇଛି ଏହି ବହିରେ ।  

ଏହି ଦୁଇ ବହି ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଷଡ଼ଯନ୍ତ୍ରକୁ ପଦାରେ ପକାଇଛି । ବିଧାନସଭାର ଆଗାମୀ ଅଧିବେଶନ ଆସନ୍ନ । ଭାଷା ଆଇନର ଅପସଂଶୋଧନ ସମ୍ପର୍କରେ ଆଲୋଚନା ହୋଇପାରେ । ଗତ ଅଧିବେଶନରେ ବିଧାନସଭାକୁ ଅଧିସୂଚିତ  ହୋଇଥିବା ଭାଷା ଆଇନ ସଂଶୋଧନ ପାଇଁ ଘରୋଇ ବିଧେୟକ ଏହି ଅଧିବେଶନରେ ଅଲୋଚନାକୁ ଆସିବାର ସମ୍ଭାବନା ଅଛି । 

ଅପରପକ୍ଷେ କାର୍ଯ୍ୟନିର୍ବାହୀ ସରକାରର ମୁଖ୍ୟଙ୍କୁ ଜୁଲାଇ ୭ ତାରିଖରେ ଏକ  ଚିଠି ଦେଇ  ଭାଷା ନିୟମାବଳୀ ଅନୁସାରେ ତାଙ୍କ ଅଧ୍ୟକ୍ଷତାରେ କାମ କରୁଥିବା “କମିଟି” ଗଠିତ ହେବା ଦିନଠାରୁ ଏ ପର୍ଯ୍ୟନ୍ତ କେତେ ଥର କେବେ କେବେ ବସିଛି ଓ କେତେ ଥର କେଉଁ କେଉଁତାରିଖରେ ସମୀକ୍ଷା ରିପୋର୍ଟ ଦେଇଛି ବୋଲି ମୁଁ ପଚାରିଥିଲି ।  ଚିଠିଟି  ହେଲା :

ମୁଖ୍ୟ ଶାସନ ସଚିବ, ଓଡ଼ିଶା
ମହାଶୟ
ଅତ୍ୟନ୍ତ ଜରୁରୀ ଥିବା ହେତୁ ମୁଁ ଆପଣଙ୍କୁ ଏହି ଇ-ମେଲ କରୁଛି ।
ଓଡ଼ିଶା କାର୍ଯ୍ୟାଳୟ ଭାଷା ନିୟମାବଳୀ, ୨୦୧୬ ଅନୁସାରେ ଆପଣଙ୍କ ଅଧ୍ୟକ୍ଷତାରେ କାମ କରୁଥିବା “କମିଟି” ଗଠିତ ହେବା ଦିନଠାରୁ ଏ ପର୍ଯ୍ୟନ୍ତ କେତେ ଥର କେବେ ବସିଛି ଓ କେତେ ଥର ସମୀକ୍ଷା ରିପୋର୍ଟ ଦେଇଛି, କେଉଁ କେଉଁ ତାରିଖରେ ? ଭାଷା ପ୍ରଭାଗ ଏହି କମିଟିର କାର୍ଯ୍ୟଧାରା ଉପରେ କେବେ ଓ କେତେଥର ସମୀକ୍ଷା ଓ ପର୍ଯ୍ୟାଲୋଚନା କରିଛି ଓ ତାର ଫଳ କ’ଣ ? ଏହା ଯେହେତୁ ମୋର ଆଗାମୀ ପୁସ୍ତକରେ ସ୍ଥାନିତ ହେବ, ମୋତେ ତିନିଦିନ ଭିତରେ ଏ ତଥ୍ୟ ଦେବାକୁ ଅନୁରୋଧ । ତାହା ନହେଲେ, ଏପରି କୌଣସି ବୈଠକ / ସମୀକ୍ଷା ଓ ପର୍ଯ୍ୟାଲୋଚନା ହୋଇନାହିଁ ବୋଲି ଉଲ୍ଲେଖ କରାଯିବ ।
ଧନ୍ୟବାଦ ଘେନାକରନ୍ତୁ ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ
୭.୭.୨୦୨୧

କାର୍ଯ୍ୟନିର୍ବାହୀ ସରକାରର ମୁଖ୍ୟଙ୍କ ପାଖରେ ମୁଁ ପଚାରିଥିବା ପ୍ରଶ୍ନର କୌଣସି ଉତ୍ତର ନାହିଁ  । 

ଏପରି ଅବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ମୁଖରକ୍ଷା କିପରି ହେବ?   ସରକାର ଯେଉଁ ଭୁଲ କରିଛନ୍ତି ତାକୁ ଘୋଡ଼ାଇବା ପାଇଁ  ଯେତେ ଆଣ୍ଟ କରି ଅଣ୍ଟା ଭିଡ଼ିଲେ ବି  ପରିବେନି । 

ମୋର ଆଗାମୀ ବହିରେ ଆମ ଭାଷାକୁ ମାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେଇଜଣ ଦରମାଖିଆ ନୌକର ଯାହା ଯାହା କରିଛନ୍ତି ସେ ସବୁର ପ୍ରାମାଣିକ ତଥ୍ୟ ମୁଁ ପ୍ରକାଶ କରିବି । ମୁଖ୍ୟମନ୍ତ୍ରୀଙ୍କୁ କେଉଁ ଅମଲା କି ସାଞ୍ଜୁ ଯୋଗାଇବ, ଦେଖିବା । 

ସମ୍ବାଦର ସମ୍ପାଦକ ବାବୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏକଦା ଭାଷା ଆନ୍ଦୋଳନର ଦୃଢ ସମର୍ଥକ ଥିଲେ । ମୁଖ୍ୟମନ୍ତ୍ରୀ ମୋର ଦୁଇଜଣ ଘନିଷ୍ଠ ସହକର୍ମୀଙ୍କ ଅର୍ଥ ଲୋଭ ଚରିତାର୍ଥ କରି ଓଡ଼ିଆ ଜାତିକୁ କୁହା କରିଲେ କି, ଭାଷା ଆଇନର ନିର୍ଭୁଲ ସଂଶୋଧନ ହୋଇଛି । ସୌମ୍ୟବାବୁଙ୍କ ରାଜନୈତିକ ଲୋଭ ଚରିତାର୍ଥ କରି ଭାଷା ଆନ୍ଦୋଳନକୁ ସେ ଦେଉଥିବା ସାମ୍ବାଦିକୀୟ ସହଯୋଗ ଲୋପ କରାଇଦେଲେ । ସେହି ସୌମ୍ୟବାବୁଙ୍କ ସେହି ସମ୍ବାଦ କାଗଜ ଭାଷା ଆଇନ କାର୍ଯ୍ୟକାରୀ କରାଇବାରେ ସରକାରଙ୍କ ଆନ୍ତରିକତାର ଅଭାବ ପ୍ରତି କଟାକ୍ଷପାତ କରି ମୁଖ୍ୟ ଶାସନ ସଚିବଙ୍କ ନିଦ୍ରାଭଙ୍ଗର ଶୀର୍ଷକ କରିଛି “୩ ବର୍ଷ ପରେ ମନେ ପଡ଼ିଲା ଐତିହ୍ୟ କ୍ୟାବିନେଟ୍ କଥା” ।  ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ଵାସ କରି ଭାଷା ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର କରିଥିବା ବାବୁ ସୌମ୍ୟ ରଞ୍ଜନ ଏଇ ତିନି ବର୍ଷ ଭିତରେ ଭାଷା ଆଇନର କାର୍ଯ୍ୟକରିତା ପାଇଁ କି କି ପରାମର୍ଶ ସରକାରଙ୍କୁ ଦେଇଛନ୍ତି ତାହା କହିଥିଲେ ତାଙ୍କ କାଗଜର ଉପରୋଦ୍ଧୃତ୍ତ ଶୀର୍ଷକ ଅଧିକ ପରିପୁଷ୍ଟ ହୋଇଥାନ୍ତା ।

କହିବାକୁ କିଛି ଥିଲେ ତ?

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ଓ ତାଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଆମ୍ଭେ ଯେଉଁ ପରାମର୍ଶ ଦେବାକୁ ଚାହୁଁ ତାହା ହେଲା – ଓଡ଼ିଆ ଜାତିକୁ ପୁନଶ୍ଚ ପ୍ରତାରିତ କରିବା ପାଇଁ  “ଅଣ୍ଟାଭିଡ଼ା” ଛାଡ଼, ଭାଷା ଆଇନ ସଜାଡ଼ ।   

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.