Posts from the Literature of the MOVEMENT Category

ଭୁବନେଶ୍ଵର, ୫.୯.୨୦୧୮

ଆମ ଭାଷା ଆମ ମା । ଆମ ମା ପାଇଁ ଆମ ଲଢ଼େଇ । ଏ ଲଢ଼େଇରେ ଆଜି ଭାଷା ଜନନୀଙ୍କ କଳାପତାକା ହାତରେ ଧରି ଖୋର୍ଦ୍ଧା ପରିକ୍ରମା କରିଥିଲେ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ ,ଡ. ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା ।

ସେଠାରୁ ଚାଲି ଚାଲି ଭୁବନେଶ୍ୱର ଆସିଥିଲେ ବିଭୁଦେନ୍ଦ୍ର ବିଦ୍ୟାଧର, ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରସେନଜିତ ରାୟ । ନେତୃତ୍ବ ଦେଇଥିଲେ ଭାଷା ଆନ୍ଦୋଳନ, ଓଡ଼ିଶାର ଉପସଭାପତି କମଳ ଲୋଚନ ନାୟକ ।

ଭୁବନେଶ୍ଵରରେ ସେମାନଙ୍କୁ ସ୍ଵାଗତ ଜଣାଇଥିଲେ ଭାଷା ଆନ୍ଦୋଳନର ସମ୍ପାଦକ ପ୍ରମୋଦ କୁମାର ଦେବ, “ଭାଷା ମା ପାଇଁ ଘଣ୍ଟାଟିଏ ” ମନ୍ତ୍ର ସ୍ରଷ୍ଟା ସଂଜୀବ ପତ୍ରୀ , ସହସଂପାଦିକା ସଂଘମିତ୍ରା ଯେନା , କୋଷାଧ୍ୟକ୍ଷ ବୀର କିଶୋର ବେହେରା । ଅଧକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆଇନ ପ୍ରଦାତା ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ବିଧାନସଭା ସମ୍ମୁଖସ୍ଥ ପ୍ରତିମୂର୍ତ୍ତିରେ ସମସ୍ତଙ୍କ ଗହଣରେ ପୁଷ୍ପାର୍ଘ୍ୟ ଦେବା ପରେ ସେଠାରୁ ସମସ୍ତେ ରାଜଭବନ ସମ୍ମୁଖସ୍ଥ କୁଳଗୌରବ ମଧୁସୂଦନ ଦାସଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ କଳାପତାକା ପଟୁଆରରେ ଆସିଥିଲେ।

ଭାଷା ଆନ୍ଦୋଳନ ଓଡ଼ିଶାର ସହସଂପାଦକ ତଥା ସାମ୍ବାଦିକ ସୌମ୍ୟରଂଜନ ନାୟକ ସମଗ୍ର କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିଥିବା ବେଳେ, ଅନ୍ୟତମ ସହସଂପାଦକ ଓ ସୁପ୍ରତିଷ୍ଠିତ ଯୁବସଙ୍ଗଠକ ମାନସ ପଟ୍ଟନାୟକ ଏଥିରେ ସହଯୋଗ କରିଥିଲେ ।

ସ୍ୱତନ୍ତ୍ର ପ୍ରତିନିଧି

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅପରିହାର୍ଯ୍ୟ କରିବା ପାଇଁ ଓଡିଶା ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ସକାଶେ ଚାଲିଥିବା କଳାପତାକା ଅଭିଯାନ ଯେତେବେଳେ ଆହୁରି ସଘନ ହେବା ଆବଶ୍ୟକ ଥିଲା, ସେତେବେଳେ ଏହି ଅଭିଯାନ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଲା ବୋଲି ୧୬. ୭. ୨୦୧୮ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତିରେ ଘୋଷଣା କଲେ । ସେମାନଙ୍କ କାମ ଥିଲା ପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗେଇବା ଓ ଗଣମାଧ୍ୟମରେ ତଥା ସରକାରୀ ସ୍ତରରେ ପ୍ରସଙ୍ଗ ଉପସ୍ଥାପନା ତଥା ଆଲୋଚନା କାଳରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ସହଯୋଗ କରିବା, ଯାହା ସେମାନେ ନିଷ୍ଠାର ସହ କରିଆସିଥିଲେ । ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କରିବା ପାଇଁ ସେମାନେ ଅଧିକୃତ ନ ଥିଲେ । ଫଳରେ ମାତୃଭାଷାଭକ୍ତ ଓଡ଼ିଆ ଜାତି ସେମାନଙ୍କ ଏହି ଅନଧିକୃତ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଛି ଓ କଳାପତାକା ଅଭିଯାନ ଅଧିକ ଶାଣିତ ଆବେଗରେ ଯଥାରୀତି ଚାଲିଛି ।

କିନ୍ତୁ ଶତପଥୀ ଓ ମହାରଥା ଜାରିକରିଥିବା ପ୍ରେସ ବିବୃତ୍ତି ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଯାଇଥିବା ହେତୁ ଓ କଳାପତାକା ଅଭିଯାନ ବନ୍ଦ ରଖିବାକୁ ସେମାନେ ଅବକାରୀ ଓ ଅର୍ଥ ବିଭାଗଦ୍ଵୟର ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅକାମି ହୋଇଯାଇଥିବା ହେତୁ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଜୀବନ ବିପଦାପନ୍ନ ବୋଲି ସାମାଜିକ ଗଣମାଧ୍ୟମ ଫେସ ବୁକ ପୃଷ୍ଠାରେ ଉଲ୍ଲେଖ କରି ପବିତ୍ର ମହାରଥା ମନ୍ତ୍ରୀ ଶ୍ରୀ ବେହେରାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛନ୍ତି ।

ଏହି ପ୍ରେକ୍ଷାପଟରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ଥିତି ସ୍ପଷ୍ଟ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାଙ୍କୁ ଏକ ପତ୍ର ପ୍ରେରଣ କରିଛନ୍ତି ।

ତହିଁରେ ସେ ଲେଖିଛନ୍ତି,

“ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ (କଳାପତାକା ଅଭିଯାନକୁ) ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତ ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ ।”

ପ୍ରେସ ବିବୃତ୍ତିଟିକୁ ଅନୁଧ୍ୟାନ କରିବାକୁ ଶ୍ରୀ ବେହେରାଙ୍କୁ ଅନୁରୋଧ କରି ଶ୍ରୀ ପଟ୍ଟନାୟକ ତାଙ୍କଠାରୁ ତିନି ଗୋଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି । ସେଗୁଡିକ ହେଲା :

(୧) ଏଥିରେ କୁହାହୋଇଥିବା ପରି ବିଧାନସଭାରେ ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ଭାଷା ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?

ଅର୍ଥ ମନ୍ତ୍ରୀଙ୍କ ଉତ୍ତର ଯେତେ ଶୀଘ୍ର ମିଳେ ସେତେ ଭଲ ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଓଡ଼ିଆ ବିରୋଧୀ ବ୍ୟକ୍ତି । ତାଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡିଶା ସରକାରୀ ଭାଷା ଆଇନକୁ ଅତି ଅନଧିକୃତ ଭାବେ ୧୯୬୩ରେ ସଂଶୋଧିତ କରି ଇଂରାଜୀ ଭାଷାକୁ ବିଧାନସଭାରେ ସରକାରୀ ଭାଷା କରାଇଦେଇଥିଲେ, ଯାହା ଓଡ଼ିଆ ଭାଷାକୁ ପ୍ରଶାସନିକ କ୍ଷେତ୍ରରେ ବସ୍ତୁତଃ ଅଚଳ କରିଦେଇଛି । ପିତାଙ୍କ ପଥ ଅନୁସରଣ କରି ନବୀନ ବାବୁ ବି ଓଡ଼ିଆ ଭାଷାକୁ ମୁମୂର୍ଷୁତର କରାଇଛନ୍ତି । ଏପରିକି, ଗତ ବିଧାନସଭାରେ ପୁନଶ୍ଚ ଏକ ସଂଶୋଧନ ଆଣି ମୂଳ ଭାଷା ଆଇନକୁ ମଧ୍ୟ ଅକାମି କରିଦେଇଛନ୍ତି । ଏହା ବିରୁଦ୍ଧରେ ମୁଁ ତାଙ୍କୁ ପତ୍ର ଲେଖି ପ୍ରତିକାର ଦାବି କଲାପରେ, ଭାଷା ଆନ୍ଦୋଳନକୁ ଗଳା ମୋଡ଼ି ମାରିଦେବା ପାଇଁ , ଆନ୍ଦୋଳନର କଳାପତାକା ଧରିବାକୁ ଯେଉଁ ଦୁଇଜଣ ବ୍ୟକ୍ତି ଲୋକ ଯୋଗାଡ଼ କରୁଥିଲେ ସେହି ଦୁଇଜଣଙ୍କୁ କାବୁ କରି ନେଇଛନ୍ତି । ସାରା ଓଡିଶା ଏହି ହୀନ ଚକ୍ରାନ୍ତ ବିରୁଦ୍ଧରେ ଜାଗି ଉଠିଛି ।

ସର୍ବଶ୍ରୀ ରଞ୍ଜନ କୁମାର ଦାସ, ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି କୁଳଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଆନ୍ଦୋଳନର କଳାପତାକା ସହ ପାଦରେ ଚାଲି ଚାଲି ଭୁବନେଶ୍ଵରରେ ପହଂଚି ଓଡ଼ିଶାର ଏହି ନବଜାଗୃତିର ସ୍ଵାକ୍ଷର ରଖିଛନ୍ତି ଦୃପ୍ତଭାବେ ଅଭିଯାନର ଛତ୍ରପୁର ଶାଖା ସଂସ୍ଥାପକ ତଥା ଯୁବସାମ୍ବାଦିକ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକରେ ଏହାର ସିଧା ପ୍ରସାରଣ କରିଥିଲେ ଯାହା ପ୍ରତିଜ୍ଞା ଟିଭିର ଏହି ପ୍ରତିବେଦନରେ ବିଶ୍ବର୍ପିତ ହୋଇଛି :

ଭୁବନେଶ୍ୱର, ୧୭-୮-୨୦୧୮
(ସଞ୍ଜୀବ ପତ୍ରୀଙ୍କ ରିପୋର୍ଟ)

“ମା” ପାଇଁ ଲଢ଼େଇରେ ସନ୍ତାନ କେବେ ହାରିବ ନାହିଁ ! ଏହା ଆଜି ଜଣାଇ ଦେଇଛନ୍ତି କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ରଂଜନ କୁମାର ଦାସ ଓ ତାଙ୍କ ସାଥୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି ।

ସରକାରୀ ଷଡଯନ୍ତ୍ର କବଳରୁ ଭାଷା ଜନନୀଙ୍କୁ ରକ୍ଷା କରିବା ପାଇଁ ଭୂବନେଶ୍ୱରରେ ଚାଲିଥିବା ଓଡ଼ିଆ ଭାଷା ଆନ୍ଦୋଳନର “କଳା ପତକା ଅଭିଯାନ” ରେ ଯୋଗ ଦେବାପାଇଁ, କାଲିଠୁ (୧୬. ୮. ୨୦୧୮) ରଂଜନଙ୍କ ନେତୃତ୍ୱରେ ଭାଷାମଗ୍ନ ଏକ ୬ ଜଣିଆ (ପରେ କଟକରୁ ୨ଜଣ ସାମିଲ ହୋଇଛନ୍ତି, ମୋଟ ୮ ଜଣ) କ୍ରାନ୍ତିଦଳ କୁଳଗୌରବ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଓଡ଼ିଆ ଭାଷାଜନନୀଙ୍କ ବିଜୟ ପତାକା “କଳାପତାକା” ଓ ଦାବୀ ଫଳକ ହାତରେ ଧରି ଚାଲି ଚାଲି ଆସି ଆଜି (ତା.୧୭/୮/୨୦୧୮) ଅପରାହ୍ନ ୫ଟାରେ ଭୂବନେଶ୍ୱରରେ ବିଧାନସଭା ସମ୍ମୁଖସ୍ଥ ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସାମ୍ମୁକରେ ପହଁଚିଥିଲେ ।

ସେଠାରେ ଭାଷା ଆନ୍ଦୋଳନ ପକ୍ଷରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସଦସ୍ୟ ପ୍ରଫେସର ଡ଼. କୁଳମଣି ନାୟକ, ବୈଞ୍ଜାନିକ ଡ଼ ଅଶୋକ ମିଶ୍ର, ସଂଜୀବ ପତ୍ରୀ, ପ୍ରମୋଦ ଦେବ, କମଳ ଲୋଚନ ନାୟକ, ଆନନ୍ଦ ମହାପାତ୍ର, ବିପ୍ଲବୀ ତପନ ପାଢ଼ୀ, ଆଡ଼ଭୋକେଟ ଧ୍ରୁବ ଚରଣ ମହାନ୍ତି, ନନ୍ଦିନୀ ଶତପଥୀ ,ପ୍ରଦ୍ୟୋତ କୁମାର ବିଶୋୟୀ ଓ ବୀରକିଶୋର ବେହେରା ପ୍ରମୁଖ ପଦଯାତ୍ରୀ ଭାଷା ଯୋଧ୍ୟା ମାନଙ୍କୁ ଫଳ ଖୁଆଇ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ ।

ଅଭିଯାତ୍ରୀମାନେ ବରିଷ୍ଠ ସଂଚାଳକମାନଙ୍କଠାରୁ କଳାପତାକା ଓ ଦାବିଫଳକ ପୁନଃ ଧାରଣ କରି ଆଗେଇଥିଲେ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ ପ୍ରଚଳିତ ଧାରାରେ । ଏହାର ଅଗ୍ରଭାଗରେ ଥିଲେ ସଂଘମିତ୍ରା ଜେନା ।

ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଅଭିଯାତ୍ରୀ ମାନକୁ ସ୍ୱାଗତ ଓ ସହଯୋଗ କରିଥିଲେ-ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ସମାଜସେବୀ ଅଶୋକ କୁମାର ଦାସ, ଛତ୍ରପୁର ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ନାୟକ, ମାନସ ପଟ୍ଟନାୟକ, ସରୋଜ କୁମାର ମହାପାତ୍ର, ଆଶିଷ କୁମାର ଦାଶ, ରିଂକନ୍ ନାରାୟଣନ୍, ଅମିତ ଅଭିଜିତ ସାମଲ, ଅଭିଷେକ ଦାଶ, ଦିବ୍ୟଜ୍ୟୋତି ଜେନା, ବିଶ୍ୱରଂଜନ ସାହୁ, ହୃଷିକେଶ ଷଡ଼ଙ୍ଗୀ, ପ୍ରସନ୍ନ କୁମାର ପ୍ରଧାନ ଓ ଶିଶିର କୁମାର ସାହୁ ପ୍ରମୁଖ ।


ଯେଉଁଯାଏଁ ଓଡ଼ିଆ ଭାଷାରେ ସେବା ନ ଦେବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନର ନିର୍ଭୁଲ ସଂଶୋଧନ ନ ହୋଇଛି ସେ ଯାଏଁ ଏ ଅଭିଯାନ ଚାଲିବ ବୋଲି ସେମାନେ ଶପଥ ନବୀକୃତ କରିଥିଲେ ।

ଭାଷା ଆନ୍ଦୋଳନର ଛତ୍ରପୁର ଶାଖାର ଆବାହକ ଓ ଯୁବବାଗ୍ମୀ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମରେ ସମଗ୍ର ପଦଯାତ୍ରାର ଜୀବନ୍ତ ପରିବେଷଣ କରିଥିଲେ ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାମାଜିକ ଗଣମାଧ୍ୟମ ‘ଫେସ ବୁକ’ ପୃଷ୍ଠାରେ ଯେଉଁ ଭାଷା ଆନ୍ଦୋଳନର ଚର୍ଚ୍ଚା ଏବେ ଏତେ ବ୍ୟାପକଭାବେ ଚାଲିଛି ସେହି ଭାଷା ଆନ୍ଦୋଳନକୁ ଏହି ଏକ ଗଣମାଧ୍ୟମରେ ମୁଁ ଆରମ୍ଭ କରିଥିଲି ୨୦୧୬ ଏପ୍ରିଲ ପହିଲାରେ ।

ଏ ବିଷୟରେ ସବିଶେଷ ଆଲୋଚନା ସମୟକ୍ରମେ ହେବ । କିନ୍ତୁ ଏଥିପାଇଁ ମୁଁ ବପନ କରିଥିବା ବୀଜ କିପରି ଥିଲା ତାହା ସେଦିନର ମୋ ଉପସ୍ଥାପନାର ଫଟୋଚିତ୍ରରୁ ଦେଖାଯାଉ ।