ଭାଷା ଆନ୍ଦୋଳନ ଅନନ୍ୟ ଓ ଅବ୍ୟର୍ଥ : ମୁଖ୍ୟମନ୍ତ୍ରୀ ସୁପାରି ଦେଇ ଏକୁ ଭାଙ୍ଗିବାକୁ ଚେଷ୍ଟା କରିବା ପରିବର୍ତ୍ତେ ନିଜ ଭୁଲ ସୁଧାରନ୍ତୁ

ଦି ନିଉଜ୍ ସିଣ୍ଡିକେଟ୍

ଯେହେତୁ ଓଡ଼ିଆଭାଷାକୁ କେନ୍ଦ୍ରକରି ଓଡ଼ିଶା ପ୍ରଦେଶ ସୃଷ୍ଟି ଆନ୍ଦୋଳନ ହୋଇଥିଲା, ସେହେତୁ ସେହି ଆନ୍ଦୋଳନକୁ ବି କେହି କେହି ଭାଷା ଆନ୍ଦୋଳନ ବୋଲି ମନେ କରନ୍ତି ।  ଯଦିଓ, “ଭାଷା ଆନ୍ଦୋଳନ” ନାମକ ଏକ ବିଶେଷ ନାମଧ୍ୟେୟ ଆନ୍ଦୋଳନ ଆଗରୁ କେବେ ସୃଷ୍ଟି ହୋଇନଥିଲା ।

ସ୍ଵାଧୀନତା ପୂର୍ବରୁ ଓଡ଼ିଶା ରାଜ୍ୟ ଗଠନ ପାଇଁ ଓଡ଼ିଆ ଭାଷାକୁ ଭିତ୍ତି କରି ମଧୁବାବୁ ଯେଉଁ ବୌଦ୍ଧିକ ଅଭିଯାନ/ଆନ୍ଦୋଳନ ଆରମ୍ଭ କରିଥିଲେ ତାହାର ନାମ ଥିଲା ଉତ୍କଳ ସମ୍ମିଳନୀ । ସ୍ଵାଧୀନତା  ପରେ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଶାସନିକ ବ୍ୟବହାର ପାଇଁ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ତିଆରି ପାଇଁ ଦାବି କରିଥିଲେ ସମ୍ବଲପୁରରେ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର । କିନ୍ତୁ ନିଜ ଦାବି ସପକ୍ଷରେ ସେ କୌଣସି ଆନ୍ଦୋଳନ ଚଲାଇନଥିଲେ । ହରେକୃଷ୍ଣ ମହତାବଙ୍କ ସରକାର ତାଙ୍କୁ ତାଙ୍କ ପ୍ରସ୍ତାବ ପ୍ରତ୍ୟାହାର କରିନେବାକୁ ବାଧ୍ୟ କରିଥିଲା । ମହତାବଙ୍କ ପରେ, ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ବିଧାନସଭାରେ ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ  ଏହି କାର୍ଯ୍ୟାଳୟ ଭାଷା ଆଇନ (The Orissa Official Language Act, 1954) ଉପସ୍ଥାପିତ, ପାରିତ ଓ ପ୍ରବର୍ତ୍ତିତ କରିଥିଲେ । ତାହା କାର୍ଯ୍ୟକାରୀ ନ ହୋଇ ପଡ଼ି ରହିଥିବା ବେଳେ ୨୦୦୯ରେ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରବର୍ତ୍ତକ ପୁସ୍ତକ ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା କିପରି ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା, ତାହା ଦର୍ଶାଇ ବିଜୁ ପଟ୍ଟନାୟକଙ୍କ ଠାରୁ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଯେପରି ଏହି ଉଦ୍ଦେଶ୍ୟକୁ ପଣ୍ଡ କରାହୋଇଆସିଛି ତା ଉପରେ ପ୍ରଥମ ସମ୍ବାଦିକୀୟ ଓ ସାରସ୍ଵତ କ୍ଷୋଭ ପ୍ରକଟ କଲେ, ଯାହା କେତେକଙ୍କ ଭିତରେ ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଚିନ୍ତା ଉଦ୍ରେକ କଲା ।

ଅଦାଲତରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ଟିଟିଲାଗଡ଼ର ଓକିଲ ଗଜାନନ ମିଶ୍ର ଅଦାଲତୀୟ  ସଂଘର୍ଷ ଆରମ୍ଭ କଲେ ଓ ଟିଟିଲାଗଡ଼ର ତଳ ଅଦାଲତରେ ଓଡ଼ିଆରେ ମକଦ୍ଦମା ପରିଚାଳନା ସପକ୍ଷରେ ଓଡ଼ିଶା ହାଇ କୋର୍ଟରୁ ଆଦେଶ ବି ପାଇଲେ ।  ମାତ୍ର ସାରା ଓଡ଼ିଶାରେ ଓଡ଼ିଆ ଭାଷାରେ ଅଦାଲତ କାମ ହେବା ଦାବିରେ ସେ ରାଜଧାନୀରେ ଆମରଣ ଅନଶନ କରିବାକୁ ନୋଟିସ ଦେଲେ । ତାଙ୍କୁ ସାହାଯ୍ୟ କରିବାକୁ ୨୦୧୫ରେ ଗଢା ହୋଇଥିଲା ଏକ ସଂଗଠନ ଯାହାର ନାମ ଥିଲା  ଓଡ଼ିଆ ଭାଷା ସଂଗ୍ରାମ ସମିତି । ତତ୍କାଳୀନ ସାଂସଦ ବୈଷ୍ଣବ ଚରଣ ପରିଡ଼ା ଗଜାନନବାବୁଙ୍କ ଅଦାଲତୀୟ ଉପଲବ୍ଧିକୁ ପରାଗଗ୍ରସ୍ତ କରିବା ପାଇଁ  ଭାଷା ଆଇନର କାର୍ଯ୍ୟକାରୀତା ଡୁହା ତୋଳି ଗଢିଥିଲେ ଏକ ବୈଠକୀ ମଞ୍ଚ , ଯାହାର ନାମ ଥିଲା ଓଡ଼ିଆ ଭାଷା ସୁରକ୍ଷା ଅଭିଯାନ । 

ସୁତରାଂ, ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆଇନର ସଶକ୍ତିକରଣ ପାଇଁ ଦେଇଥିବା ଚିଠା ବିଧାନର ପରିଗ୍ରହଣ ପାଇଁ  ଯେଉଁ ଭାଷା ଆନ୍ଦୋଳନ ଚାଲିଛି, ତାହା ଭାଷା ସଂଗ୍ରାମ ସମିତି  ଓ ଭାଷା ସୁରକ୍ଷା ଅଭିଯାନ ଉଭୟଠାରୁ ଭିନ୍ନ । ଏହାର ଆନୁଷ୍ଠାନିକ ନାମ ଭାଷା ଆନ୍ଦୋଳନ, ଓଡ଼ିଶା , ଯାହାର ପ୍ରୟୋଗାତ୍ମକ ମାଧ୍ୟମ  ହେଉଛି ନିରବ କଳାପତାକା ଅଭିଯାନ, ଯାହା ତାଙ୍କ ନିଜସ୍ଵ ଓ ପୂର୍ବ ପରୀକ୍ଷିତ  ବୌଦ୍ଧିକ କୌଶଳ ଉପରେ ଆଧାରିତ ଓ ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆରେ ଓଡ଼ିଶାର ସାମଗ୍ରିକ ପରିଚାଳନା । ଏହି ଦୃଷ୍ଟିରୁ,ଏହି ଭାଷା ଆନ୍ଦୋଳନର ନାମ, ଆଧାର ଓ ଲକ୍ଷ୍ୟ ପୂର୍ବବର୍ତ୍ତୀ ସଂଗଠନମାନଙ୍କଠାରୁ ସମ୍ପୁର୍ଣ୍ଣ ଭିନ୍ନ ।

ଉଲ୍ଲେଖନୀୟ ଯେ, ଆଜିର ସରକାର ଚକ୍ରାନ୍ତ କରି ଭାଷାକୁ ଭିତ୍ତି କରି ହୋଇଥିବା ସମସ୍ତ ଆନ୍ଦୋଳନ/ଅଭିଯାନର ଆବେଦନକୁ ବ୍ୟର୍ଥ କରିଥିବାବେଳେ, ଭାଷାକୁ ଭିତ୍ତି କରି ପୂର୍ବରୁ ହୋଇଥିବା ସମସ୍ତ ଆନ୍ଦୋଳନର ସାମଗ୍ରିକ ଦୁର୍ବଳତାକୁ ଅନୁଧ୍ୟାନ କରି ସେ ସବୁ ଦୁର୍ବଳତା ପରିହାର ପୂର୍ବକ ଭାଷା ଆଇନର ସଶକ୍ତିକରଣ ପାଇଁ ତହିଁର ଉପଯୁକ୍ତ ସଂଶୋଧନ ଓ ତାହାକୁ ଆଗକୁ ନେବା ସକାଶେ ନିୟମାବଳୀ ପ୍ରବର୍ତ୍ତନର ପ୍ରସ୍ତାବ ଓ ଚିଠା ପ୍ରଦାନ କରି ତାହାକୁ ବିଧିକୃତ କରିବା ପାଇଁ ଶ୍ରୀ ପଟ୍ଟନାୟକ ଯେଉଁ ଆନ୍ଦୋଳନ ଭିଆଇଲେ ୨୦୧୬ ଏପ୍ରିଲ ପହିଲାରେ ଓ ଯାହା ସେ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ନିରବ କଳା ପତାକା ଅଭିଯାନ ଦ୍ଵାରା ଆଗେଇଲା , ତାହାକୁ ଭାଙ୍ଗି ଦେବା ପାଇଁ ସରକାର ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି । 

ନିରବ କଳାପତାକା ଅଭିଯାନ ପରି ଏକ ଅଭିନବ ରଣକୌଶଳ ହେତୁ ଏହା ଏତେ ଶକ୍ତିଶାଳୀ ଯେ, ଏହାକୁ ବ୍ୟର୍ଥ କରାଇବା ସରକାରଙ୍କ ପକ୍ଷେ ଅସମ୍ଭବ  । କୌଣସି ଆଇନ ଉଲ୍ଲଂଘନ ନକରି ଆଇନ ନ ମାନୁଥିବା ଏକ କ୍ଷମତାମଦମତ୍ତ ସରକାରକୁ କିପରି ଆଇନ ମାନିବାକୁ ବାଧ୍ୟ କରାଯାଇପାରେ ଏହି ଆନ୍ଦୋଳନ ହେଉଛି ତହିଁର ଯୁଗାନ୍ତକାରୀ ପରୀକ୍ଷଣ । 

ବହୁ ନୀତିନିଷ୍ଠ ଭାଷାପ୍ରାଣ ଓଡ଼ିଆ, ବିଶେଷତଃ ଶିକ୍ଷିତ ଯୁବ ସଂପ୍ରଦାୟ, ଭାଷା ଆନ୍ଦୋଳନ ବିରୁଦ୍ଧରେ ସରକାର ଷଡ଼ଯନ୍ତ୍ର  ଚଳାଇଥିବା ଅନୁଭବ କରି ଏହି ଆନ୍ଦୋଳନକୁ ନିଜ ଆନ୍ଦୋଳନ ଭାବେ ଆପଣାଇ ନେଇଛନ୍ତି ଓ ନିଜ ନିଜ ସ୍ତରରେ ଏହାକୁ ଆଗେଇ ନେଉଛନ୍ତି । ଭାଷା ଆନ୍ଦୋଳନ ତାର ଯେଉଁ ନୂଆ ସନ୍ତକ (logo ) ବ୍ୟବହାର କରୁଛି, ତାହା ତିଆରିକରିଛନ୍ତି  ଚାର୍ଟର୍ଡ ଆକାଉଣ୍ଟାଣ୍ଟ ରଞ୍ଜନ କୁମାର ସାହୁ, ଯହିଁରେ ଖୋଦିତ ହୋଇଛି ତାଙ୍କ ଲିଖିତ ଆବାହନୀ:

“ଦୂରୀଭୂତ ହେବ ଭାଷା ମାଆ ପାଇଁ ଅନ୍ଧକାରର ରାତି , ଉଠରେ ଉଠ ସୂର୍ଯ୍ୟ ପରି ଉଠ ଓଡ଼ିଆ ଜାତି ॥”

ଫେସବୁକ୍ ଅନ୍ତର୍ଗତ “ଭାଷା ମା ପାଇଁ ପଦେ” ପୃଷ୍ଠାରୁ ସିଧା ପ୍ରସାରଣକ୍ରମେ ଅଭିଭାଷଣ ଦେଇ ଯେଉଁ ସୁବିଦିତ ଓଡ଼ିଆ ବିଜ୍ଞବ୍ୟକ୍ତିମାନେ  ଏହି ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରିଛନ୍ତି , ସେମାନଙ୍କ ମଧ୍ୟରେ ଅଛନ୍ତି  

ଶିକ୍ଷାବିତ୍ ମହେନ୍ଦ୍ର ତ୍ରିପାଠୀ, ଗବେଷକ ସୌଭାଗ୍ୟ ରାଉତ, ପ୍ରଫେସର କମଳା ପ୍ରସାଦ ମହାପାତ୍ର, କବି ଉମାକାନ୍ତ ରାଉତ, ବିଦ୍ଵାନ ରାଜନେତା ପ୍ରସାଦ ହରିଚନ୍ଦନ, ସାହିତ୍ୟିକ ଡଃ ଗୋବିନ୍ଦ ଭୂୟାଁ , ମନସ୍ତାତ୍ତ୍ଵିକ ଭାଷାତତ୍ତ୍ଵବିତ୍ ପ୍ରଫେସର ଅଜିତ କୁମାର ମହାନ୍ତି , ବିଶିଷ୍ଟ ବ୍ୟାଙ୍କର ନିର୍ମଳ କୁମାର ବେହେରା, କ୍ରାନ୍ତିକାରୀ ଲେଖକ ଓ କଥକ ବୈଷ୍ଣବ ଚରଣ ମହାନ୍ତି, ଭାରତ ବିଖ୍ୟାତ ଭାଷାତତ୍ତ୍ଵବିତ୍ ପ୍ରଫେସର ପଞ୍ଚାନନ ମହାନ୍ତି, କୃଷି ଅର୍ଥନୀତିର ସୁବିଦିତ ବ୍ୟାଖ୍ୟାକାର ନଟବର ଖୁଣ୍ଟିଆ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା ଡଃ ତମସାରାଣୀ ଦାସ ମହାପାତ୍ର , ପ୍ରସିଦ୍ଧ ଭାଷାତତ୍ତ୍ଵବିତ୍ ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ, ଅଧ୍ୟାପକ ଅଶୋକ ମହାରଣା, ଭାଷାତତ୍ତ୍ଵବିତ୍ ପ୍ରଫେସର ଅରବିନ୍ଦ ଦାସ, ଶିକ୍ଷକସଙ୍ଗଠନମାନଙ୍କ ବିଶ୍ଵ ମହାସଂଘର ସଭାପତି ପ୍ରଫେସର ଅମିୟ କୁମାର ମହାନ୍ତି, ବିଶିଷ୍ଟ ସାମ୍ବାଦିକ ଓ ସାହିତ୍ୟ ସମାଲୋଚକ ଡଃ ଅସିତ ମହାନ୍ତି, ବିଶିଷ୍ଟ ସମ୍ୟବାଦୀ ବୁଦ୍ଧିଜୀବୀ ପଦୀପ୍ତ ନାୟକ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ହରିହର କାନୁନଗୋ, ଜନବାଦୀ ସାମ୍ବାଦିକ ସତୀଶ ମିଶ୍ର, ମଧୁ ଜନତା ଦଳର ପ୍ରତିଷ୍ଠାତା ପ୍ରାଧ୍ୟାପକ ମନୋରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ ଡଃ ଅରୂପ କୁମାର ଜେନା, ଉତ୍କଳମଣି ସମ୍ବାଦପତ୍ର  କର୍ମଚାରୀ ସଂଗଠନର ସଭାପତି ତଥା ବିଶିଷ୍ଟ ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ, ସୁବିଦିତ ଚିକିତ୍ସକ ତଥା ଓଡ଼ିଆ ଭାଷା ଜାତୀୟତାର ଚଳନ୍ତି ବିଗ୍ରହ ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ , ଭାରତର ପ୍ରଥମ ଶ୍ରମିକ ସଂଗଠନ ଏ.ଆଇ.ଟି.ଯୁ.ସି.ର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ପରିବେଶସୁରକ୍ଷା କ୍ଷେତ୍ରରେ ବିଶ୍ଵବିଦିତ ପ୍ରଫୁଲ୍ଲ ସାମନ୍ତରା, ବାମପନ୍ଥୀ ଯୁବନେତା ଅବକାଶ ସାହୁ, ବିଜେପିର ବରିଷ୍ଠନେତା ସଜ୍ଜନ ଶର୍ମା, ଅଧିବକ୍ତା ସୁବାସ ମହାପାତ୍ର, ରାଜନୀତି ବିଜ୍ଞାନୀ ନେତାଜୀ ଅଭିନନ୍ଦନ ପ୍ରମୁଖ । 

ଏହି ଅନନ୍ୟ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସୁପାରି ଆତତାୟୀ ନିଯୁକ୍ତ କରିଥିବା ମୁଖ୍ୟମନ୍ତ୍ରୀ ନିଜର ଅଯଥା ଜିଦ ପରିହାର କରି ୨୦୧୫ ସେପ୍ଟେମ୍ବର ୩ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଯେଉଁ ପ୍ରସ୍ତାବ ଓ ପ୍ରସ୍ତାବିତ ବିଧାନର ଚିଠା ପ୍ରଦାନ କରିଥିଲେ, ଯାହାର କାର୍ଯ୍ୟକାରୀତା ପାଇଁ ଏ ଆନ୍ଦୋଳନ ଚାଲିଛି , ତାହାକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରନ୍ତୁ ଏବଂ ଓଡ଼ିଆ ଭାଷା ଜନନୀର ନିଜ ରାଜ୍ୟରେ ତାର ରାଜୁତି ଆରମ୍ଭ ହେଉ । ଭାଷା ଆନ୍ଦୋଳନ ଯଥାର୍ଥତଃ କହୁଛି:

“ଆମ ଭାଷାରେ ଆମ ରାଜ୍ୟ, ଆନ କାହିଁରେ ନାହିଁ କାର୍ଯ୍ୟ ॥”    

କଳାପତାକା ଅଭିଯାନ // ମାତୃଭାଷାରେ ରାଜ୍ୟ ଚାଲିବାକୁ ମାତୃକୁଳର ସମର୍ଥନ


ଜି.ଉଦୟଗିରି
୧.୪.୨୦୨୧
(ଅଶୋକ ପରିଡ଼ାଙ୍କ ସୂତ୍ରରୁ)

ଇଂରେଜଙ୍କୁ ଆମେ ହଟାଇଲେ, କାରଣ ସେମାନେ ଯେଉଁ ଭାଷାରେ ଶାସନ କରୁଥିଲେ ଆମେ ସେ ଭାଷା ବୁଝି ପାରୁ ନଥିଲେ । ଆମ ଭାଷାରେ ଆମ ଶାସନ ବ୍ୟବସ୍ଥା ନ ଚାଲି ଆମେ ପୂର୍ବପରି ଅତ୍ୟାଚାରିତ ହୋଇଚାଲିଛୁ ।

ଏହି ଅତ୍ୟାଚାର ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯେ କି ଆମ ଭାଷା ଅଧିକାର କ୍ଷୁର୍ଣ୍ଣ କରିବା ପାଇଁ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ରେ ଜାଲିଆତି ବଳରେ ଧାରା ୪ ଓ ଧାରା ୪କ ଯୋଡ଼ି ତାହାକୁ ଅଚଳ କରିଦେଇଛନ୍ତି ।
ଭାଷାପ୍ରାଣ ହୃଷିକେଶ ପ୍ରଧାନଙ୍କ ଡକରା କ୍ରମେ ଜି ଉଦୟଗିରିଠାରେ ମହିଳାମାନେ କଳାପତାକା ଧରି ଭାଷା ଆନ୍ଦୋଳନ କରିଛନ୍ତି ଉତ୍କଳ ଦିବସ ଅବସରରେ ଏପ୍ରିଲ ପହିଲା ଦିନ ।

ସରକାର ଏହାକୁ ଏକ ସତର୍କନାମା ବୋଲି ଗ୍ରହଣ କରନ୍ତୁ ଓ ଆଇନରୁ ନିଜ ଭୁଲ ପ୍ରତ୍ୟାହାର କରି ଓଡ଼ିଶାର ସମସ୍ତ କାର୍ଯ୍ୟାଳୟ ଯେପରି ଓଡ଼ିଆ ଭାଷାରେ ଚାଲେ ଓ ତହିଁରେ ବାଧା ଦେବା ବ୍ୟକ୍ତିକୁ କଠିନ ଦଣ୍ଡ ମିଳେ, ତ ପାଇଁ ତୁରନ୍ତ ଆଇନଗତ ବ୍ୟବସ୍ଥା କରନ୍ତୁ ।

ଭାଷା ଆନ୍ଦୋଳନର ନୂଆ ରଣକୌଶଳ: ବ୍ୟକ୍ତିଗତ ସତ୍ୟାଗ୍ରହରେ ସାମ୍ବାଦିକ ଦେବୀପ୍ରସନ୍ନ ନାୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଶାର ସମସ୍ତ କାର୍ଯ୍ୟାଳୟ ଚାଲିବା ପାଇଁ ଆମ ରାଜ୍ୟ ତଥା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ର ସୃଷ୍ଟି । ୧୯୬୩ରେ ବିଜୁ ପଟ୍ଟନାୟକଙ୍କ ଅବୈଧ ସଂଶୋଧନ ଦ୍ଵାରା ଏହି ଆଇନରେ ଧାରା ୩କ ସଂଯୋଜନ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜାଲିଆତି ବଳରେ ୨୦୧୬ରେ ଧାରା ୪ ତଥା ୨୦୧୮ରେ ଧାରା ୪କର ଅନ୍ତଃସ୍ଥାପନ ଆଇନଟିକୁ ଅକର୍ମଣ୍ୟ କରିଦେଇଛି ଓ ଆମ ରାଜ୍ୟ ପ୍ରତିଷ୍ଠାର ଉଦ୍ଦେଶ୍ୟକୁ ବି ପଣ୍ଡ କରିଦେଇଛି ।

ଏହି ପ୍ରଚଣ୍ଡ ସରକାରୀ ପ୍ରତାରଣା କବଳରୁ ଆମ ପ୍ରିୟ ମାତୃଭାଷାକୁ ଉଦ୍ଧାର କରିବା ପାଇଁ ଗତ ୧୩.୮.୨୦୧୬ ତାରିଖରୁ ଚାଲିଥିବା କଳାପତାକା ଅଭିଯାନରେ ଆମେ ଏକ ନୂଆ ପରୀକ୍ଷଣ ଆରମ୍ଭ କରିଛୁ । ବିଭିନ୍ନ ସ୍ଥାନରେ ସାମୁହିକ କଳାପତାକା ପ୍ରଦର୍ଶନ ଚାଲିଥିବା ବେଳେ ଗାନ୍ଧୀଜୀଙ୍କ କୌଶଳ ଛାୟାରେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହି କୌଶଳ ଅନୁଯାୟୀ, ଯେ କୌଣସି ଓଡ଼ିଆ ଯେକୌଣସି ସର୍ବସାଧାରଣ ସ୍ଥାନରେ ହାତରେ ଭାଷା ଆନ୍ଦୋଳନର ଉଦ୍ଘୋଷଣପତ୍ର ଓ କଳାପତାକା ଧରି ଏକାଏକ ଏହି ନୀରବ ସତ୍ୟାଗ୍ରହ ଚଳାଇବେ ।

ବିଶିଷ୍ଟ ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ ଉତ୍କଳ ଦିବସରେ ଏହି ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କରି କହିଛନ୍ତି, “ଆଜି ଆମ ଜନ୍ମମାଟି ଓଡ଼ିଶାର ଜନ୍ମଦିନ। କେଡ଼େ ପବିତ୍ର ଦିନ ଆମ ପାଇଁ। ଭାଷା ଭିତ୍ତିରେ ଗଠନ ହୋଇଥିବା ଆମ ଏ ସ୍ଵତନ୍ତ୍ର ପ୍ରଦେଶରେ କିନ୍ତୁ ଆମ ମା’ର ଭାଷା (ମାତୃଭାଷା) ଓଡ଼ିଆକୁ ସରକାରୀ କାର୍ଯ୍ୟକ୍ରମ ଓ ପ୍ରାଶାସନିକ ପରିଚାଳନାରେ ଏଯାଏଁ ପ୍ରାଥମିକତା ଦିଆଯାଇ ପାରିଲା ନାହିଁ। ଓଡ଼ିଆକୁ ସରକାରୀ ଭାଷା ଭାବରେ ପ୍ରାଥମିକତା ଓ ଏହାର ଖିଲାପକରୀଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ରାଜ୍ୟବ୍ୟାପି ଚାଲିଥିବା ଭାଷା ଆନ୍ଦୋଳନ (ଆମ ଭାଷା ଆମ ଅଧିକାର) ପରୀପ୍ରେକ୍ଷୀରେ ଆଜି ମୁଁ ମୋ ଅଞ୍ଚଳରେ କଳାପତାକା ଧରି ସେଥିରେ ସାମିଲ ହେଲି। ଆମ ଭାଷା ଜନନୀର ଜୟ ହେଉ। ଆମ ଜନ୍ମମାଟିର ଜୟ ହେଉ।”

ଯଦି ସରକାର ନିଜକୁ ନ ସୁଧାରନ୍ତି ଓ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରେ ଜାଲିଆତି ବଳରେ ଖଞ୍ଜିଥିବା ଧାରା ୪ ଓ ଧାରା ୪କ ବିଲୋପ କରି ଓଡ଼ିଆ ଭାଷାରେ ସେବା ନଦେବା ବ୍ୟକ୍ତିକୁ ଦଣ୍ଡବିଧାନ ପ୍ରକ୍ରିୟା ଆରମ୍ଭ କରିବାର ଅଧିକାର ସବୁ ଓଡ଼ିଆଙ୍କୁ ପ୍ରଦାନ କରାନଯାଏ , ତେବେ ଏହି ବ୍ୟକ୍ତିଗତ କଳାପତାକା ସତ୍ୟାଗ୍ରହ “ଚାଳେ ଚାଳେ କଳାପତାକା” ପର୍ଯ୍ୟାୟକୁ ଉନ୍ନୀତ ହେବ ।

ଯୁଦ୍ଧକାଳୀନ ଭିତ୍ତିରେ ଓଡ଼ିଆ ଭାଷାରେ କାମ କର : କଳାପତାକା ଅଭିଯାନ ଆରମ୍ଭ କରି ରାଜେନ୍ଦ୍ର ବିଶ୍ବାଳଙ୍କ ସରକାରଙ୍କୁ ଆହ୍ଵାନ

ନିଜ ଭାଷାରେ ନିଜ କାର୍ଯ୍ୟ ପାଇଁ ଓଡ଼ିଆ ପୂର୍ବଜମାନେ ଇଂରାଜୀ ସରକାର ସହ ତଥା ପ୍ରତିଯୋଗୀ ପଡୋଶୀ ପ୍ରଦେଶବାସୀଙ୍କ ସହ ସଂଗ୍ରାମ କରି ୧୯୩୬ରେ ସୃଷ୍ଟିକରିଥିଲେ ଓଡ଼ିଶା । ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ଏହି ଉଦ୍ଦେଶ୍ୟରେ ପ୍ରଣୀତ ଓ ପ୍ରବର୍ତ୍ତିତ କରିଥିଲେ ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ରେ । ଅଥଚ ଏହି ଆଇନକୁ ସ୍ଵୟଂ ସରକାର ମାନୁନାହାନ୍ତି । ଏହାର ପ୍ରତିକାର ପାଇଁ ଭାଷା ଆନ୍ଦୋଳନ ମାଧ୍ୟମରେ ଓଡ଼ିଆ ଜାତି ସଂଗ୍ରାମ କରୁଥିବା ବେଳେ, ଆଇନଟିକୁ ଭୁଲ ସଂଶୋଧନ ଦ୍ଵାରା ଅକର୍ମଣ୍ୟ କରାହୋଇଛି ।

ବିଶ୍ଵ ମାତୃଭାଷା ଦିବସରୁ ବ୍ୟାସନଗର ପୁନଶ୍ଚ ଆରମ୍ଭ କରିଛି ଆନ୍ଦୋଳନର କଳା ପତାକା ଅଭିଯାନ, ଯାହା କରୋନା କାଳରେ ସ୍ଥଗିତ ଥିଲା ।

ବ୍ୟାସନଗରର ମହାନ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସହିଦ ଭଗତ ସିଂହ ଯୁବକ ସଂଘ’ ଯାହା ଓଡ଼ିଆ ଜାତିର ଏହି ସ୍ଵପ୍ନକୁ କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭରୁ ଉଦ୍ୟମ ଚଳାଇଛି, ପୁନଃ ଆରମ୍ଭ କରିଛି ଏହି ଅଭିଯାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୂଣ୍ୟ ବିଜେସ୍ଥଳୀରେ ।

ସଂଘର ସ୍ଥାୟୀ ସଭାପତି , ନିସ୍ଵାର୍ଥ ସମାଜସେବୀ ରାଜେନ୍ଦ୍ର ବିଶ୍ଵାଳ ଏହି ଅବସରରେ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି ଓଡ଼ିଆ ଭାଷାକୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଦପ୍ତରରେ ଅଲଙ୍ଘ୍ୟ କରିବା ପାଇଁ :::

ଭାଷା ଆନ୍ଦୋଳନ// ଲେଖକ ଓ ବୁଦ୍ଧିଜୀବୀମାନେ ସ୍ପଷ୍ଟ ମତ ରଖନ୍ତୁ : ଜନାର୍ଦ୍ଦନ ପତି

ସୁବିଦିତ ସମ୍ୟବାଦୀ ନେତା ଓ ବାମପନ୍ଥୀ ସାହିତ୍ୟିକ, ସାଥୀ ଜନାର୍ଦ୍ଦନ ପତି କଳାପତାକା ଅଭିଯାନର ବୌଦ୍ଧିକ ସଂସ୍କରଣରେ ଅଭିଭାଷଣ ରଖି ଓଡ଼ିଶାର ଲେଖକ ଓ ବୁଦ୍ଧିଜୀବୀମାନଙ୍କୁ ଆହ୍ଵାନ ଦେଇଛନ୍ତି କି, ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ଦୀର୍ଘ ପାଞ୍ଚବର୍ଷ ଧରି ଚାଲିଥିବା ଭାଷା ଆନ୍ଦୋଳନ ଉପରେ ସେମାନଙ୍କ ସ୍ପଷ୍ଟ ମତ ରଖିବା ଆବଶ୍ୟକ, କାରଣ ଭାଷା ହିଁ ଜାତିର ଜୀବନ ଓ ପ୍ରଶାସନିକ ଚକ୍ରାନ୍ତ ହେତୁ ଓଡ଼ିଆ ଭାଷା ଆଜି ବିପନ୍ନ ।

ଭାଷା ଆନ୍ଦୋଳନର ଭାଷା ମା ପାଇଁ ପଦେ ପୃଷ୍ଠାରୁ ଜାନୁୟାରୀ ୨୪ରେ ଫେସବୁକ ମଞ୍ଚରେ ସିଧାପ୍ରସାରିତ ହୋଇଥିଲା ଶ୍ରୀ ପତିଙ୍କ ଏହି ଭାଷଣ :