ବ୍ୟାସନଗର: ଭାଷଜନନୀର ଜୈତ୍ରଧ୍ଵଜା ସହ ମଧୁ ଜୟନ୍ତୀ

ବିଶେଷ ପ୍ରତିନିଧି

କୁଳବୃଦ୍ଧ ମଧୁସୂଦନଙ୍କ ଜୟନ୍ତୀ ଭାଷା ଆଂଦୋଳନର ପାବନପୀଠ ବ୍ୟାସନଗରରେ ଓଡ଼ିଆ ଭାଷାଜନନୀଙ୍କ ଜୈତ୍ରଧ୍ଵଜା – କଳାପତାକା ସହ ମହାସମାରୋହରେ ପାଳିତ ହୋଇଯାଇଛି । ସହିଦ ଭଗତ ସିଂହ ଯୁବକ ସଂଘର ଅନ୍ଯତମ ତୁଙ୍ଗ ନେତା ବିଶିଷ୍ଟ ସମାଜସେବୀ ହେମନ୍ତ ଧୀରଙ୍କ ନେତୃତ୍ବରେ ଭାଷାପ୍ରାଣ ଅଞ୍ଜନ ସାହୁ ,ସୌମ୍ଯରଞ୍ଜନ ନାୟକ ଓ ଜିତେନ୍ଦ୍ର ପଲାଇ ଏହି କଳାପତାକାର ଲହରେ ଲହରେ ଜାରିକରିଛନ୍ତି ଓଡ଼ିଆ ଜାତିର ଅନାହତ ଦାବି – କାର୍ଯ୍ୟାଳୟର ଭାଷା ହେଉ ଓଡ଼ିଆ ।

ସହରର ଅଗ୍ରଣୀ ସାମାଜିକ ତଥା ସେବା ଅନୁଷ୍ଠାନ ସହୀଦ ଭଗତ ସିଂ ଯୁବକ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶୁଭ ଜୟନ୍ତୀ ଓଡ଼ିଆ ଜାତିର ସ୍ୱାଭିମାନ ଦିବସ ଭାବେ ପାଳିତ ହୋଇଥାଏ ।  ସୁତରାଂ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ କୁଳବୃଦ୍ଧଙ୍କ ପ୍ରତିମୂର୍ତ୍ତିରେ ସଭାପତି ରାଜେନ୍ଦ୍ର ବିଶ୍ଵାଳ, କବି ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ସଂଘର ସଭ୍ୟମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ ।

ଏହି ଅବସରରେ ସହରର କୌଣସି ଏକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେ ମଧୁବାବୁଙ୍କର ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ମଲ୍ଲିକଙ୍କୁ ଯୁବକ ସଂଘ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ନିର୍ବାହୀ ଅଧିକାରୀ ଏ ଦିଗରେ କାର୍ଯ୍ୟକରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ସକାଳ ୯ ଘଟିକା ସମୟରେ ବ୍ୟାସଶ୍ରୀ କଳାନିକେତନ ସଭାଗୃହରେ  ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଏଥିରେ ସଭାପତିତ୍ୱ କରିଥିଲେ ସଂଘର ଉପଦେଷ୍ଟା ନାରାୟଣ ଚନ୍ଦ୍ର ନାୟକ, ନନ୍ଦକିଶୋର ମହାନ୍ତି ବ୍ୟାଙ୍ଗକବି ବାଇଧର ମାଝୀ, ସଭ୍ୟ ମହେଶ୍ୱର ନାୟକ, ଜନ୍ମେଜୟ ରାଉତ, ଦୀପକ ଦାଶ, ନୀଳମଣି ଜେନା, ଟୁଲୁ ଟୁଲୁ ମୋହନ ଜେନା, ସେକଉଦ୍ଦିନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ମହାପୁରୁଷଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।  ସଂଘର ସମ୍ପାଦକ ଶ୍ରୀ ହେମନ୍ତ କୁମାର ଧୀର ଧନ୍ୟବାଦ ଅର୍ପଣ କରିଥିଲେ

ଯୁଦ୍ଧକାଳୀନ ଭିତ୍ତିରେ ଓଡ଼ିଆ ଭାଷାରେ କାମ କର : କଳାପତାକା ଅଭିଯାନ ଆରମ୍ଭ କରି ରାଜେନ୍ଦ୍ର ବିଶ୍ବାଳଙ୍କ ସରକାରଙ୍କୁ ଆହ୍ଵାନ

ନିଜ ଭାଷାରେ ନିଜ କାର୍ଯ୍ୟ ପାଇଁ ଓଡ଼ିଆ ପୂର୍ବଜମାନେ ଇଂରାଜୀ ସରକାର ସହ ତଥା ପ୍ରତିଯୋଗୀ ପଡୋଶୀ ପ୍ରଦେଶବାସୀଙ୍କ ସହ ସଂଗ୍ରାମ କରି ୧୯୩୬ରେ ସୃଷ୍ଟିକରିଥିଲେ ଓଡ଼ିଶା । ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ଏହି ଉଦ୍ଦେଶ୍ୟରେ ପ୍ରଣୀତ ଓ ପ୍ରବର୍ତ୍ତିତ କରିଥିଲେ ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ରେ । ଅଥଚ ଏହି ଆଇନକୁ ସ୍ଵୟଂ ସରକାର ମାନୁନାହାନ୍ତି । ଏହାର ପ୍ରତିକାର ପାଇଁ ଭାଷା ଆନ୍ଦୋଳନ ମାଧ୍ୟମରେ ଓଡ଼ିଆ ଜାତି ସଂଗ୍ରାମ କରୁଥିବା ବେଳେ, ଆଇନଟିକୁ ଭୁଲ ସଂଶୋଧନ ଦ୍ଵାରା ଅକର୍ମଣ୍ୟ କରାହୋଇଛି ।

ବିଶ୍ଵ ମାତୃଭାଷା ଦିବସରୁ ବ୍ୟାସନଗର ପୁନଶ୍ଚ ଆରମ୍ଭ କରିଛି ଆନ୍ଦୋଳନର କଳା ପତାକା ଅଭିଯାନ, ଯାହା କରୋନା କାଳରେ ସ୍ଥଗିତ ଥିଲା ।

ବ୍ୟାସନଗରର ମହାନ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସହିଦ ଭଗତ ସିଂହ ଯୁବକ ସଂଘ’ ଯାହା ଓଡ଼ିଆ ଜାତିର ଏହି ସ୍ଵପ୍ନକୁ କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭରୁ ଉଦ୍ୟମ ଚଳାଇଛି, ପୁନଃ ଆରମ୍ଭ କରିଛି ଏହି ଅଭିଯାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୂଣ୍ୟ ବିଜେସ୍ଥଳୀରେ ।

ସଂଘର ସ୍ଥାୟୀ ସଭାପତି , ନିସ୍ଵାର୍ଥ ସମାଜସେବୀ ରାଜେନ୍ଦ୍ର ବିଶ୍ଵାଳ ଏହି ଅବସରରେ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି ଓଡ଼ିଆ ଭାଷାକୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଦପ୍ତରରେ ଅଲଙ୍ଘ୍ୟ କରିବା ପାଇଁ :::