ଓଡ଼ିଆରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବା ପାଇଁ ଚାଲିଥିବା କଳା ପତାକା ଅଭିଯାନ ଏପ୍ରିଲ ୧୩ ତାରିଖରେ ତିନି ବର୍ଷ ଅତିକ୍ରମ କଲା । ଏହି ଉପଲକ୍ଷେ ଭୁବନେଶ୍ବରର ନେହେରୁ ଯୁବ କେନ୍ଦ୍ର ସମ୍ମିଳନୀ କକ୍ଷରେ “ଆମ ଭାଷା ପାଇଁ ଆମ ଲଢ଼େଇ” ଶୀର୍ଷକ ଇ-ପୁସ୍ତକର ବିଶ୍ବାର୍ପଣ ଓ “ସଙ୍କଟାବର୍ତ୍ତରେ ଓଡ଼ିଶା ସରକାରୀ ଭାଷା ଆଇନ” ଶୀର୍ଷକ ଆଲୋଚନା ଚକ୍ର ସଂଘଟିତ ହୋଇଥିଲା ।

ସରକାରୀ ଭାଷା ଆଇନର ଆଜନ୍ମ ତ୍ରୁଟିଗୁଡ଼ିକ ପ୍ରଥମେ ଠାବ କରି ସେ ସମ୍ପର୍କରେ ସରକାରଙ୍କୁ ପ୍ରଥମ ଥର ପାଇଁ ଅବଗତ କରାଇଥିବା ଓ ସେହି ତ୍ରୁଟିଗୁଡ଼ିକର ଦୂରୀକରଣ ପାଇଁ ୩.୯.୨୦୧୫ରେ ପ୍ରସ୍ତାବ ଓ ପ୍ରସ୍ତାବିତ ଆଇନର ଚିଠା ଦେଇ ଏ ସମ୍ପର୍କରେ ପ୍ରଥମଥର ପାଇଁ ସରକାରଙ୍କୁ ସଚେତନ କରାଇ ଥିବା ତତ୍କାଳୀନ ମନ୍ତ୍ରୀସ୍ତରୀୟ କମିଟି ସଦସ୍ୟ ତଥା ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭିତ୍ତି-ବୟାନ ଉପସ୍ଥାପନ କରି କହିଥିଲେ, ଓଡ଼ିଶା ସରକାରଙ୍କ ଷଡ଼ଯନ୍ତ୍ର ହେତୁ ଓଡ଼ିଶା ସରକାରୀ ଭାଷା ଆଇନ ସଙ୍କଟ ଘେରରେ ପଡ଼ିଛି । ସାରା ଓଡ଼ିଶାରେ ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବ ବୋଲି ସରକାରୀ ଭାଷା ଆଇନରେ ଥିଲା , ଯାହାକୁ ନିଯମାବଳୀ ଓ ଉଲ୍ଲଙ୍ଘନକାରୀ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଦ୍ଵାରା ସଶକ୍ତୀକୃତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ଓ ସେହି ପରାମର୍ଶ ହେତୁ ଆଇନତିର ସଂଶୋଧନ ପାଇଁ ସରକାର ପ୍ରଥମଥର ପାଇଁ ଆବଶ୍ୟକତା ଅନୁଭବ କରିଥିଲେ । ମାତ୍ର ଦିଅଁ ଗଢୁ ଗଢୁ ବାନ୍ଦର ଗଢିଲା ପରି ସଂଶୋଧନ ଆଳରେ ରାଜ୍ୟ ସରକାର ଖଞ୍ଜିଥିବା ୪-କ ଧାରା ଓଡ଼ିଶା ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡା କରିଛି । ଏଥିରେ କୁହ ହୋଇଛି , ଯେଉଁ କର୍ମଚାରୀମାନେ “ବ୍ୟାପକ ଭାବେ” ଓଡ଼ିଆ ଭାଷା ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ଏହାର ଅର୍ଥ , ଯେଉଁମାନେ ସାମଗ୍ରିକ ଭାବେ ଓଡ଼ିଆ ଭାଷାରେ କାମ ନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ ! ଅଧିକନ୍ତୁ , ସଂଶୋଧନର ଉଦ୍ଦେଶ୍ୟ ଓ କାରଣ କଥନରେ ଏପରି ଉପାଦାନ ରଖାଯାଇଛି ଯେ,ଓଡ଼ିଶାର ସର୍ବତ୍ର ଆଇନଟି ଲାଗୁ ହେବନାହିଁ ଓ ଅମଲାତନ୍ତ୍ରର ମର୍ଜି ଅନୁରୂପେ ଏହା ନିର୍ବାହିତ ହେବ । ତେଣୁ ଓଡିଶା ସରକାରୀ ଭାଷା ଆଇନରେ ଖଞ୍ଜ ହୋଇଥିବା ୪-କ ଧାରା ବିଲୋପନ ପାଇଁ ସେ ଜୋର ଦେଉଥିବା ହେତୁ ଓଡିଆଭାଷାବିଦ୍ଵେଷୀ ସରକାର ଆନ୍ଦୋଳନକାରୀଙ୍କ ଭିତରୁ ଦୁଇଜଣ ମୁଖ୍ୟବ୍ୟକ୍ତିଙ୍କୁ ପୋଷାମନେଇ ଆନ୍ଦୋଳନକୁ ମାରିଦେବାକୁ ଚେଷ୍ଟା କରିଥିଲେ । ମାତ୍ର ଭାଷାପ୍ରାଣ ଓଡ଼ିଆ ଜାତି ସେହି ଘୃଣୀ ଷଡ଼ଯନ୍ତ୍ରକୁ ବ୍ୟର୍ଥ କରିଦେଇଛି ଓ ବିଶ୍ବାସଘାତକମାନେ ଚାଲିଗଲା ପରେ ଆମ ଭାଷା ପାଇଁ ଆମ ଲଢ଼େଇ ଚାଲିଛି ବୋଲି ସେ କହିଥିଲେ ।

ଭାଷା ଆନ୍ଦୋଳନର ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ସରକାରୀ କାମରେ ଭାଷା ପ୍ରୟୋଗ ପାଇଁ ଚାପ ସୃଷ୍ଟି କରିଥିବା ଓଡିଆ ଭାଷା ପ୍ରୟୋଗ କ୍ରିଯାନୁଷ୍ଠାନ କମିଟିର ଅନ୍ୟତମ ସଂସ୍ଥାପକ ପ୍ରଫେସର କମଳାପ୍ରସାଦ ମହାପାତ୍ର ମଧ୍ୟ ତତ୍ତୁଲ୍ୟ ମତ ଦେଇ କହିଥିଲେ କି, କହିଥିଲେ କି, ଆଇନଟିର ଶୀର୍ଷକ ପରିବର୍ତ୍ତନ ପାଇଁ ସୁଭାଷବାବୁଙ୍କ ମତ ସହ ସେ ଏକମତ ନୁହନ୍ତି; କାରଣ, ତାଙ୍କ ବିଚାରରେ ଅଫିସିଆଲ ଅର୍ଥ ସମସ୍ତ ସରକାରୀ ଓ ବେସରକାରୀ ଅଫିସ । କିନ୍ତୁ ଅଫିସମାନଙ୍କରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚଳନକୁ ପୁରସ୍କୃତ କରାଯିବା ବିଭାବନାକୁ ଅଗ୍ରାହ୍ୟ କରିବାକୁ ସେ ସୁଭାଷ ବାବୁଙ୍କ ସହ ଏକମତ ହୋଇଥିଲେ ।

ଓଡ଼ିଆ ଅସ୍ମିତାର ଅନ୍ଯତମ ଅତନ୍ଦ୍ର ପ୍ରହରୀ, ସାମ୍ବାଦିକ ଡକ୍ଟର ଅସିତ ମହାନ୍ତି କହିଥିଲେ ଓଡ଼ିଶା ସରକାରୀ ଭାଷା ଆଇନ କ୍ଷେତ୍ରରେ ସରକାରୀ ପ୍ରବଞ୍ଚନା ଆଜିକୁ ଶହେ ବର୍ଷ ତଳେ ଏହି ଦିନ (୧୩ ଏପ୍ରିଲ) ବିଦେଶୀ ଇଂରାଜ ବାହିନୀ ଘଟାଇଥିବା ଜାଲିଆନାଵାଲାବାଗ୍ ଗଣହତ୍ୟା ଠାରୁ କମ୍ ନୁହେଁ ।

ଏକାଧିକବାର କଳାପତାକା ଧରି ଭାଷା ଜନନୀ ପାଇଁ ସଂଗ୍ରାମ କରିଥିବା ବିଦୁଷୀ ତନୁଜା ରଥ ତାଙ୍କ ମନକଥା କହିଥିଲେ ।

ବିଶିଷ୍ଟ ସମାଜସେବୀ ରାମଶଙ୍କର ନିଜ ଆଦର୍ଶରେ ଅତଳ ରହି ଏ ଅଭିଯାନ ସାରା ଓଡିଶାରେ ପରିବ୍ୟାପ୍ତ ହେବ ବୋଲି ଆଶାପୋଷଣ କରିଥିଲେ ।

ଭାଷା ଜନନୀଙ୍କ ଶ୍ରେଷ୍ଠ ଚାରଣକବି ଅରୂପ (ଉମାକାନ୍ତ ରାଉତ) ନିଜ କବିତା ଅବୃତ୍ତି କରି କାବ୍ୟିକ ଉଦ୍ବୋଧନ ଦେଇଥିଲେ ।

ସଭାପତିତ୍ଵ କରୁଥିବା ସମାଜ ସଂସ୍କାରକ, ଅଧିବକ୍ତା ଅର୍ଜୁନ ଚରଣ ସାମନ୍ତରାୟ କହିଥିଲେ ନିଜ ଭାଷା ଜନନୀଙ୍କୁ ବିପଦମୁକ୍ତ କରିବା ପାଇଁ ଏହି ଅଭିଯାନ ଚାଲିଛି ଓ ଚାଲିବ ଏବଂ ବ୍ୟାପକ ହେବ ।

ଖୋର୍ଦ୍ଧା ମାଟିର ଏକ ନବମ ଶ୍ରେଣୀ ଛାତ୍ରୀ ଶ୍ରୁତି ମହାନ୍ତି ସୁଲଳିତ କଣ୍ଠରେ ଓଡ଼ିଆ ଅସ୍ମିତାର ବନ୍ଦନା କରି କାଳପଟକ ଅଭିଯାନର ତିନିବର୍ଷ ପୂର୍ତ୍ତି ମୁହୂର୍ତ୍ତକୁ କରିଦେଇଥିଲେ ପ୍ରାଣପୂର୍ତ୍ତ ।

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS