ଭାଷା ଆଇନରେ ଜାଲିଆତି: ପ୍ରାମାଣିକ ପୁସ୍ତକ ‘ଭର୍ତ୍ସନୀୟ ବିଧାନସଭା’ ଲୋକାର୍ପିତ

ନ୍ଯୁଜ ସିଣ୍ଡିକେଟ୍

ଓଡ଼ିଶା ରାଜ୍ଯଭାଷା ଆଇନ, ୧୯୫୪ (The Orissa Official Language Act, 1954)କୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ତହିଁରେ  ଅପସଂଶୋଧନ କରି ତାକୁ ଅକର୍ମଣ୍ୟ କରିଦିଆଯାଇଛି ଓ ଏହା କରିବା ପାଇଁ ବିଧାନ ପ୍ରଣଯନ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଲିଆତି ପ୍ରୟୋଗ କରିଛନ୍ତି । ଏହାର ପ୍ରାମାଣିକ ପୁସ୍ତକ – ‘ଭର୍ତ୍ସନୀୟ ବିଧାନସଭା – ଜୁଲାଇ ୧୭ ସନ୍ଧ୍ୟା ୭ଟାରେ ଲୋକାର୍ପିତ କରିଛନ୍ତି ପୁସ୍ତକର ଲେଖକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଫେସବୁକ୍ ମଞ୍ଚରେ ସିଧା ପ୍ରସାରଣ ଶୈଳୀରେ । 

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ  ୧୯୫୪ରୁ ଆଇନ ଥିଲେ ମଧ୍ୟ ଇଂରାଜୀମାନସ୍କ୍କ ଲୋକେ କ୍ଷମତାରେ ରହି ଅତି ଅବୈଧ ଭାବେ ଇଂରାଜୀକୁ ହିଁ  କାର୍ଯ୍ୟାଳୟର ଭାଷା ବନାଇରଖିଛନ୍ତି ଓଡ଼ିଶାରେ ।  ଏହି ଆଇନର ଆଜନ୍ମ ଦୁର୍ବଳତା ଦୂରକରି ଏହାକୁ ଅଲଙ୍ଘ୍ଯ କରିବା ପାଇଁ ଏଥିପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଶ୍ରୀ ପଟ୍ଟନାୟକ ୨୦୧୫ରେ ଆବଶ୍ୟକୀୟ ଆଇନ ସଂଶୋଧନର ପ୍ରସ୍ତାବ ଦେଇଥିଲେ । ଯେହେତୁ ସେହି ପ୍ରସ୍ତାବରେ ଆଇନ ଉଲଙ୍ଘନକାରୀକୁ ଦଣ୍ଡବିଧାନ ଅନ୍ତର୍ଭୁକ୍ତ ଥିଲା, ସେହେତୁ ତାହାକୁ ଆଲିଆଗଡକୁ ଫିଙ୍ଗିଦେଇଥିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀସ୍ତରୀୟ କମିଟିକୁ ପବନରେ ଉଡାଇ ଦେଇଥିଲେ । ଏହାର ପ୍ରତିବାଦରେ ଶ୍ରୀ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ଭାଷା ଆନ୍ଦୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଷଡଯନ୍ତ୍ର ସମ୍ପର୍କରେ ଜନାବଗତି ତଥା ଜନସାଧାରଣଙ୍କ ଭାଷା ଅଧିକାର ପ୍ରାପ୍ତି ପାଇଁ ଜନଜାଗୃତି ଉଦ୍ଦେଶ୍ୟରେ ତାଙ୍କ ଉଦ୍ଭାବିତ ‘ନୀରବ କଳାପତାକା ଅଭିଯାନ’ ଆଂଦୋଳନର କ୍ରିୟାତ୍ମକ ଅବେଗରେ ଆଗେଇଚାଲିଲା । 

ଏହି ଅଭିଯାନ ପ୍ରଭାବରୁ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଆଇନ ସଂଶୋଧନର କୁଝ୍ହଟିକା ତିଆରି କରି ଆଇନଟିର ଅପସଂଶୋଧନ କରିଛନ୍ତି ଓ ଏଥିପାଇଁ ବିଧାନ ପ୍ରଣୟକ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରିଛନ୍ତି । 

ପୁସ୍ତକଟିକୁ ଲୋକାର୍ପିତ କରି ଶ୍ରୀ ପଟ୍ଟନାୟକ ଏଥିର  ସୂଚନା ଦେଇ  କହିଥିଲେ ଯେ, ତାଙ୍କ ପ୍ରସ୍ତାବ ଅନୁରୂପେ ଆଇନ ବିଭାଗ ଆଇନତଃ ପ୍ରସ୍ତୁତ କରିଥିବା  ଚିଠା ସଂଶୋଧନ-ବିଧେୟକକୁ ନଥିରୁ ଗାୟେବ କରି ତା ସ୍ଥାନରେ ଜାଲିଆତିପ୍ରସୂତ ଚିଠା ବିଧେୟକ ରଖି ବିଧାନସଭାରେ ଭାଷା ଆଇନର ଭୁଲ ସଂଶୋଧନ କରାଯାଇଛି ଏବଂ ଏପରି ବିଧାୟକୀୟ ଦୁରାଚାର ସମ୍ପର୍କରେ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ଯଙ୍କୁ ତଥା ବିଧାନସଭାର ସମସ୍ତ ସଦସ୍ଯକୁ ଲିଖିତରୂପେ ସେ ଆଗୁଆ ସୂଚନା ଦେଇଥିଲେ ମଧ୍ୟ ପଞ୍ଚଦଶ ବିଧାନସଭାର ସଦସ୍ୟମାନେ ନିଜ ନିଜର ବିଧାୟକୀୟ ବିଜ୍ଞତା ପ୍ରୟୋଗ କରିବାରୁ ନିବୃତ୍ତ ରହିଯିବା ହେତୁ ଓଡ଼ିଶା ରାଜ୍ଯଭାଷା ଆଇନ ଅକର୍ମଣ୍ୟ ହୋଇଯାଇଛି । 

ଜନସାଧାରଣଙ୍କ ସ୍ଵାର୍ଥ ରକ୍ଷା ପାଇଁ ବିଧାନ ପ୍ରଣୟନ  ହିଁ ବିଧାନସଭାର ଦାୟିତ୍ଵ । ଯେଉଁ ବିଧାନସଭା ଏହି ଦାୟିତ୍ଵ ନିର୍ବାହ ନକରେ ତାହା ଭର୍ତ୍ସନାଯୋଗ୍ୟ । ସେହେତୁ ଓଡ଼ିଶାର ପଞ୍ଚଦଶ ବିଧାନସଭା ଭର୍ତ୍ସନୀୟ ବୋଲି  କହିଥିଲେ ଶ୍ରୀ ପଟ୍ଟନାୟକ । 

୧୭୭୫ ଦିନରେ ଭାଷା ଆନ୍ଦୋଳନ// ବୀର ଓଡ଼ିଆ ଜାତି ପୁଣି ଆରମ୍ଭ କଲା କଳାପତାକା ଅଭିଯାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଜାତିର ଭାଷାଜନନୀକୁ ମାରିଦେବା ପାଇଁ ଅଣଓଡ଼ିଆ ଅଧ୍ୟୁଷିତ ରାଜ୍ୟ ସରକାର ଯେଉଁ ଚକ୍ରାନ୍ତ ଚଳାଇଛନ୍ତି , ତାର ପରିସମାପ୍ତି ପାଇଁ ବୀର ଓଡ଼ିଆ ଜାତି ଆଜି ଆନ୍ଦୋଳନର ୧୭୭୫ତମ ଦିବସରେ ଆରମ୍ଭ କରିଛି ନୀରବ କଳାପତାକା ଅଭିଯାନର ଅନ୍ତିମ ପର୍ଯ୍ୟାୟ । ଓଡ଼ିଆ ଭାଷାରେ ଓଡ଼ିଶା ରାଜ୍ୟ ଚାଲିବା ସୁନିଶ୍ଚିତ ହେବା ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ ।
ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବଂ ରାଜ୍ୟ ବାହାରେ ଏହି ଅଭିଯାନ ଆରମ୍ଭ ହୋଇଛି ।


ଗୁଜରାଟର ଭଦୋଦରାଠାରେ ଭାଇ ମହାନ ଭାଷାପ୍ରେମୀ ଭାଇ ବାପୀ ପାଲଟାସିଂହଙ୍କ ନେତୃତ୍ବରେ ନିଶବ୍ଦ କଳାପତାକା ତୋଳିଛନ୍ତି ଭାଇ ସର୍ବଶୀ ରୋହିତ ମହାରଣା, ଶୁଭ୍ରାଂଶୁ ସାହୁ, ସମୀର ବେହେରା ଓ ଅଜୟ ସେଠୀ ।


କଟକ ଜିଲ୍ଲାର ଆଠଗଡ଼ରେ ବିଶିଷ୍ଟ ସମାଜସେବୀ ଭାଇ ନିର୍ମଳ କୁମାର ପତ୍ରୀଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଅଭିଯାନ ଆରମ୍ଭ ହୋଇ ଓଡ଼ିଆ ଭାଷାଜନନୀଙ୍କ ବିରୁଦ୍ଧରେ ଷଡଯନ୍ତ୍ର ବନ୍ଦ କରି ସମସ୍ତ କ୍ଷେତ୍ରରେ ଓଡ଼ିଆରେ କମ କରିବାକୁ ସରକାରଙ୍କୁ ନୀରବ ଆହ୍ଵାନ ଦିଆଯାଇଛି ।

 

 

ଏହି କ୍ରମରେ ସହର ସନ୍ନିକଟସ୍ଥ ରାଧଦର୍ଶନପୁରଠାରେ ଭାଇ ବିଚିତ୍ରାନନ୍ଦ ଜେନା, ଭରତ ପାଢୀ ଓ ଉମେଶ ଚନ୍ଦ୍ର ନାୟକ କଳା ପତାକା ତୋଳିଥିବା ବେଳେ ମୁଣ୍ଡଳି ଠାରେ ଭାଇ ସର୍ବଶୀ ହାଡିବନ୍ଧୁ ରାଉତ, ସୁଭାଷ ଚନ୍ଦ୍ର ଶେଠୀ, ସୁକାନ୍ତ ଭୋଇ ଏବଂ ଧୁରୁକୁଡିଆଠାରେ ଭାଇ ସର୍ବଶ୍ରୀ ଅରୂପନନ୍ଦ ମଲ୍ଲିକ, ପ୍ରତାପ ପାତ୍ରୀ, ମଦନ ଦେହୁରି ଓ ସ୍ଵୟଂ ନିର୍ମଳ କୁମାର ପତାକା ଉତ୍ତୋଳନ କରିଛନ୍ତି ।

କନ୍ଧମାଳର ଏକାଧିକ ସ୍ଥାନରେ ଓଡ଼ିଆ ଜାତିର ମୁକ୍ତିର ଏହି ଅଭିଯାନ ଆରମ୍ଭ ହୋଇଛି ।

ଫୁଲବାଣୀ ସହରରେ ଭାଷା ଜନନୀର ବିଜୟ କେତନ ଉତ୍ତୋଳନ କରିଛନ୍ତି ବରିଷ୍ଠ ସାମ୍ବାଦିକ ମହମ୍ମଦ ନଜିର ଅଖତାର , ସାମ୍ବାଦିକ ଡଃ ଅରୂପ କୁମାର ଜେନା ତଥା ରାଜ କିଶୋର ବେହେରା, ପ୍ରସନ୍ନ ସାହାଣୀ, ଅଶୋକ ପଟ୍ଟନାୟକ, ମନୋଜ ଚୌଧୁରୀ, ଉମେଶ ସାହୁ, ସଚ୍ଚି ପଟ୍ଟନାୟକ, ଗୌର ଚରଣ ସାହୁ, ପ୍ରମୋଦ ପଟ୍ଟନାୟକ, ବଟକୃଷ୍ଣ ଦିଗଳ, ଝିଲି ବେହେରା, ପୁଷ୍ପଳତା ବେହେରା ଓ ଭାଷା ଆନ୍ଦୋଳନର ତୁଙ୍ଗ ନେତା ଅଶୋକ କୁମାର ପରିଡ଼ା ପ୍ରମୁଖ ।


ସେହିପରି ବାଲିଗୁଡାରେ ନୀରବ କଳା ପତାକା ତୋଳିଛନ୍ତି ସର୍ବଶ୍ରୀ ଚନ୍ଦନ ଜେନା, ବିରେନ୍ଦ୍ର ଦିଗାଲ ପ୍ରମୁଖ ।

ଓଡ଼ିଆ ସଂସୃତିର ଅନ୍ୟତମ ସ୍ନାୟୁକେନ୍ଦ୍ର ବ୍ୟାସନଗରରେ ସହିଦ ଭଗତ ସିଂହ ଯୁବ ସଂଘ ସରକାରୀ ଷଡଯନ୍ତ୍ର କବଳରୁ ପ୍ରିୟ ମାତୃଭାଷାକୁ ରକ୍ଷା କରି ଓଡ଼ିଆ ଜାତିକୁ ଭାଷା ଅଧିକାର ଦେବାପାଇଁ କଳା ପତାକା ଅଭିଯାନର ଏହି ଚୁଡାନ୍ତ ସଂସ୍କରଣରେ ଆହ୍ଵାନ ଦେଇଛି ।

 

 

ଭାଷାଜନନୀର ବିଜୟ ଧ୍ଵଜା ତୋଳିଛନ୍ତି କବି ନାରାୟଣ ଚନ୍ଦ୍ର ନାୟକ, ପଣ୍ଡିତ ସୁବାସ ଚନ୍ଦ୍ର ପଣ୍ଡା, ସମୀର କୁମାର ରାୟ, ଚନ୍ଦ୍ରମଣି ସାମଲ, ବ୍ୟଙ୍ଗକବି ବାଇଧର ମାଝି, ସନାତନ ମଲ୍ଲିକ, ଭୁବନମୋହନ ମହାନ୍ତି, ମହେଶ୍ଵର ନାୟକ, ହେମନ୍ତ ଧୀର, ଜ୍ଞାନରଞ୍ଜନ ରାଉତ, ବିଜଯ କୁମାର ସାହୁ, ପଦ୍ମନାଭ ନାୟକ, ମଣିଭଦ୍ର ବଲ୍ଲୀକ, କଳିଙ୍ଗ ପହି, ସାହିତ୍ୟିକ ନନ୍ଦା ମହାନ୍ତି, ଉପେନ୍ଦ୍ର ମହାନ୍ତି ସଂଘର ସ୍ଥାୟୀ ସଭାପତି ରାଜେନ୍ଦ୍ର କୁମାର ବିଶ୍ଵାଳ ।


ରାଜଧାନୀ ଭୁବନେଶ୍ଵରରେ କୁଳଗୌରବ ମଧୁସୂଦନଙ୍କ ପୂଣ୍ୟ ବିଜେସ୍ଥଳୀରେ କଳା ପତାକା ତୋଳିଛନ୍ତି ସୁବିଦିତ ସମ୍ୟବାଦୀ ନେତା ଜନାର୍ଦ୍ଦନ ପତି , ବୈଜ୍ଞାନିକ ଡଃ ଅଶୋକ ମିଶ୍ର, ପୂର୍ବତନ ବ୍ୟାଙ୍କର ନିର୍ମଳ କୁମାର ବେହେରା, ଭାଷାପ୍ରାଣ ଆଶିଷ ବେହେରା, ଓଡ଼ିଆ ଜାତୀୟ ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶ, ଚାଟାର୍ଡ ଆକାଉଣ୍ଟାଣ୍ଟ ରଞ୍ଜନ କୁମାର ସାହୁ, ଓଡ଼ିଶା ସୂଚନା ଅଧିକାର ଅଭିଯାନର ମୁଖ୍ୟ ପ୍ରଦୀପ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ରାଉତରାୟ , ପ୍ରସନ୍ନ କୁମାର ଛୋଟରାୟ, ସାମ୍ବାଦିକ ମହେଶ ଦାସ, ସୂର୍ଯ୍ୟକାନ୍ତ ମାହାଲି , ନ୍ୟାୟ ପାଇଁ ସଂଘର୍ଷ ଚେତନାର ରୂପକଳ୍ପ ତପନ ପାଢୀ, ସାମ୍ବାଦିକ ତଥା ଜନସ୍ବାର୍ଥବାଡି ମାଧବାନନ୍ଦ ଭୋଇ, ସମାଜସେବୀ ମନ୍ଦରଧର ସ୍ଵାଇଁ ଓ ସୁଭାଷ ଚନ୍ଦ୍ର ପଟ୍ଟନାୟକ ।

ଓଡ଼ିଶା ସରକାରଙ୍କ ଦୋଷରୁ ଓଡ଼ିଆମାନେ ଉପଯୁକ୍ତ ବ୍ୟାଙ୍କ୍ ସେବାରୁ ବଞ୍ଚିତ : ବ୍ୟାଙ୍କ୍ ବିଶେଷଜ୍ଞ ନିର୍ମଳ କୁମାର ବେହେରା

ସୂତ୍ର : ଆମ ଭାଷା ଆମ ଅଧିକାର

ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ଵକାଳ ଭାରତର ଭିନ୍ନ ଭିନ୍ନ ଅଠୋଟି ପ୍ରଦେଶରେ ପ୍ରାୟ ଦୁଇ ଡଜନ ଦାୟିତ୍ବରେ ରହି ବ୍ୟାଙ୍କ୍ କାରବାରରେ ଗଭୀର ଜ୍ଞାନ ଅର୍ଜନ କରିଥିବା ଅବସରପ୍ରାପ୍ତ ବ୍ୟାଙ୍କର ନିର୍ମଳ କୁମାର ବେହେରା କହିଛନ୍ତି, ବିଭିନ୍ନ ବ୍ୟାଙ୍କ୍ ଓଡ଼ିଆ ଲୋକଙ୍କୁ ଯେଉଁ ସେବା ଦେବା କଥା ତାହା ଦେଉନାହାନ୍ତି , କାରଣ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା ପ୍ରତି ଥିବା ଅବଜ୍ଞା ଭାବ ସେମାନଙ୍କୁ ସୁହାଉଛି ।

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବାକୁ ଆଇନଗତ ବ୍ୟବସ୍ଥା ସକାଶେ ଚାଲିଥିବା ଭାଷା ଆନ୍ଦୋଳନର ଫେସବୁକ ଅନ୍ତର୍ଗତ ବୌଦ୍ଧିକ ମଞ୍ଚ ‘ଭାଷା ମାଆ ପାଇଁ ପଦେ’ରୁ ସେପ୍ଟେମ୍ବର ୨୮ରେ ସିଧା ପ୍ରସାରିତ ବିଷୟ ‘ବ୍ୟାଙ୍କ୍ ବ୍ୟବହାର ପାଇଁ ମାତୃଭାଷା’ ବ୍ୟାଖ୍ୟା କରି ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି ଯେ, ଜଣେ ଓଡ଼ିଆ ବ୍ୟାଙ୍କକୁ ଗଲେ ସେଠାରେ ଥିବା କର୍ମଚାରୀ ତାଙ୍କ ସହ ଓଡ଼ିଆ ଭାଷାରେ କଥା ହେବା ଓ ତାଙ୍କୁ ସେ ଚାହୁଁଥିବା ସେବା ଓଡ଼ିଆ ଭାଷାରେ ପ୍ରଦାନ କରିବାକୁ ବାଧ୍ୟ । ଜଣେ ଜମାକାରୀ ବ୍ୟାଙ୍କରୁ କେଉଁ କେଉଁ ସେବା ପାଇବାକୁ ହକ୍ଦାର୍ ତାହା ତାଙ୍କ ରାଜ୍ୟ ଭାଷାରେ ତାଙ୍କୁ ନିଶ୍ଚୟ ଅବଗତ କରାଯିବ , ଖାସ୍ ଏଇଥିପାଇଁ ପ୍ରତି ରାଜ୍ୟରେ ସେହି ରାଜ୍ୟର ଲୋକଙ୍କୁ ବ୍ୟାଙ୍କ୍ ସେବାରେ ନିଯୁକ୍ତ କରାଯାଇଥାଏ ।

ମାତ୍ର ଆମ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ବିରୋଧୀ ମନୋଭାବ ହେତୁ ପ୍ରଶାସନରେ ଯେହେତୁ ଓଡ଼ିଆ ଭାଷା ଅକାମୀ ହୋଇ ପଡ଼ିଛି, ସେହେତୁ ବ୍ୟାଙ୍କମାନେ ଏହାର ସୁଯୋଗ ନେଇ ସେମାନଙ୍କ ନିଜ ନିଜ କ୍ଷେତ୍ରରେ ଓଡ଼ିଆ ଭାଷା ପ୍ରୟୋଗ ନ କାରୀ ଏକ ମହାଭୁଲର ଜାଲ ବିଛାଇଛନ୍ତି । ଏହାର ଶିକାର ଓଡ଼ିଶାର ୪ କୋଟି ନିରୀହ ଜନତା ହେଉଛନ୍ତି, ଯେଉଁମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁବିଧା ପାଇବା ପାଇଁ ବ୍ୟାଙ୍କରେ ଖାତା ଖୋଲିଛନ୍ତି । ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦିଆଯାଉନାହିଁ । ଆମ ମାତୃଭାଷା ଓଡ଼ିଆରେ କହିବା, ଲେଖିବା ଓ ସବୁ ପ୍ରକାର ଭାବର ଆଦାନ ପ୍ରଦାନ କରିବା ଉପରେ ରାଜ୍ୟ ସରକାର, ବ୍ୟାଙ୍କ୍ ଓ ବ୍ୟାଙ୍କିଙ୍ଗ ଶିଲ୍ପ ସଂସ୍ଥା ଯଥା, ଭାରତୀୟ ରିଜର୍ଭ ବ୍ୟାଙ୍କ୍, ନାବାର୍ଡ, ବ୍ୟାଙ୍କିଙ୍ଗ ଆମ୍ବୁସ୍ମ୍ୟାନ ଇତ୍ଯାଦିଙ୍କୁ ଅଧିକାର ପ୍ରଦାନ କରାଯାଇଥିବା ସତ୍ତ୍ୱେ ଏହାକୁ ସମସ୍ତେ ଉଲ୍ଲଙ୍ଘନ କରୁଛନ୍ତି ଓ ଏଥିରେ ସମସ୍ତଙ୍କ ମଧ୍ୟରେ ମୁଖ୍ୟ ଉଲ୍ଲଂଘନକାରୀ ହେଉଛନ୍ତି ଏ ରାଜ୍ୟର ରାଜ୍ୟ ସରକାର, ଯେ କି ଆମ ମାତୃଭାଷାର କଣ୍ଠରୋଧ କରି ବିଦେଶୀ ଇଂରାଜୀ ଭାଷାର ଆଧିପତ୍ୟ ତଳେ ଆମ ଓଡ଼ିଶାର ଭାଗ୍ୟ ରବିକୁ ଅସ୍ତମିତ କାରୀ ରଖିଛନ୍ତି ।

ଭାଷା ଆନ୍ଦୋଳନ ହିଁ ଏହି ଦୁର୍ଭାଗ୍ୟ କବଳରୁ ଓଡ଼ିଶାକୁ ଉଦ୍ଧାର କରିପାରେ ।

ଶ୍ରୀ ବେହେରାଙ୍କ ସିଧା ପ୍ରସାରିତ ଭାଷଣ ଏଠାରେ ଉପସ୍ଥାପିତ ହେଲା :

ମହାନ ଆମ ମାତୃଭାଷା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବଲାଙ୍ଗିର ହୃଦୟରେ ବିକଶିତ ମହାନ ଆମ ମାତୃଭାଷା ସଂଘର ପ୍ରତିଷ୍ଠାତା ରାଜେଶ କୁମାର ଶତପଥୀଙ୍କ ରଚିତ ଓ ପରିବେଷିତ ଏହି ମହାନ କୃତି ସବୁ ଓଡ଼ିଆଙ୍କ ପ୍ରାଣସତ୍ତାର ଝଙ୍କାର ବହନ କରେ ।

ଅଧିକ ଭିଡିଓ ପାଇଁ 'ମହାନ ଆମ ମାତୃଭାଷା ' ୟୁଟ୍ୟୁବ୍ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ ।ମହାନ ଆମ ମାତୃଭାଷା#Odiasahitya #Saraladas#Lokasahitya #Odia_Song#Odiabhasa#UpendraBhanja

Posted by ମହାନ ଆମ ମାତୃଭାଷା Mahan ama Matrubhasa on Friday, September 25, 2020