ସୁଭାଷ ଚନ୍ଦ୍ର ପଟ୍ଟନାୟକ
(ଫେସବୁକରେ ଥିବା ୧୩।୧୧।୨୦୧୯ ତାରିଖର ଉପସ୍ଥାପନା)
ଆମ ଭାଷାମାଆ ଏଥର କିନ୍ତୁ ହାରିବ ନାହିଁ ।
ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସରମାନେ ଓଡ଼ିଶା ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ରହି ଓଡ଼ିଶାର ମୁଖ୍ଯମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ନିଜ କାବୁରେ ରଖି ଆମ ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟକୁ ପଣ୍ଡ କରିବା ପାଇଁ ଆମ ଭାଷାକୁ କିପରି ଆମ ରାଜ୍ୟ ପରିଚାଳନାର ଭାଷା କରାଇଦେଉନାହାନ୍ତି ତାହାର ଦୃଷ୍ଟାନ୍ତ ଭାବେ ମୁଁ ଏଥିପୂର୍ବରୁ ଜି.ଭି ଭି.ଶର୍ମାଙ୍କ କଥା ଉଲ୍ଲେଖ କରିଛି । ସ୍ବାଧୀନତା ପରେ ପରେ ଏହି ଅଣଓଡ଼ିଆଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିଲା ଆମ ଭାଷା ତାହାର ଏକ ଉଦାହରଣ ଦେବା ପାଇଁ ମୁଁ ଆଜି ୧୪।୯।୧୯୪୭ ତାରିଖରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ବିଶେଷ ଅଧିବେଶନର ପ୍ରଥମ ପ୍ରସ୍ତାବଟିକୁ ଏଠାରେ ଉଦ୍ଧାର କରୁଛି:
“୧ମ ପ୍ରସ୍ତାବ – ଓଡ଼ିଶା ପ୍ରାଦେଶିକ ସରକାର ଗଞ୍ଜାମ ଓ କୋରାପୁଟରେ କେତେ ଅଞ୍ଚଳରେ ତେଲୁଗୁ ଭାଷାକୁ ସରକାରୀ ଭାଷା ରୂପେ ଚଳାଇବା ପାଇଁ ଯେଉଁ ଆଦେଶ କରିଛନ୍ତି ଏ ସମ୍ମିଳନୀ ତାର ତୀବ୍ର ପ୍ରତିବାଦ କରୁଅଛି । ଏହି ସମ୍ମିଳନୀ ଦୃଢ଼ ବିଶ୍ବାସ କରନ୍ତି ଯେ, ପ୍ରତ୍ୟେକ ପ୍ରଦେଶରେ କେବଳ ପ୍ରାଦେଶିକ ଭାଷା ହିଁ ସେହି ପ୍ରଦେଶର ଭାଷା ହୋଇ ରହିବା ଉଚିତ । ଓଡ଼ିଶା ପ୍ରଦେଶରେ ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷାର ସ୍ଥାନ ନାହିଁ । ଯେଉଁ ମୁଷ୍ଟିମେୟ ଆନ୍ଧ୍ର ବିକ୍ଷିପ୍ତ ଭାବରେ ଏ ପ୍ରଦେଶରେ ଅଛନ୍ତି ସେମାନେ ଏ ପ୍ରଦେଶର ପ୍ରାଦେଶିକ ଭାଷା ଜାଣନ୍ତି । ଏହିପରି ସମସ୍ତ କାରଣରୁ ଆମ୍ଭେମାନେ ସରକାରଙ୍କ ନିକଟରେ ଦାବି କରୁଅଛୁ ଯେ, ସରକାର ତୁରନ୍ତ ତାଙ୍କର ଆଦେଶ ପ୍ରତ୍ୟାହାର କରି ଓଡ଼ିଆ ଭାଷା ସମଗ୍ର ପ୍ରଦେଶର ଏକମାତ୍ର କଚେରୀ ଭାଷା ବୋଲି ଇସ୍ତାହାର କରନ୍ତୁ” (ନବୀନ, ୧୬।୯।୧୯୪୭) ।
ସରକାର କର୍ଣ୍ଣପାତ କରି ନଥିଲେ; କାରଣ ତହିଁର ମୁଖ୍ୟ ଥିଲେ ହରେକୃଷ୍ଣ ମହତାବ । ଏ ହେଉଛନ୍ତି ସେହି ମହତାବ ଯାହାଙ୍କ ଇଙ୍ଗିତରେ ୧୯୪୮ ଏପ୍ରିଲ ପହିଲାରେ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଆଇନ ପ୍ରଣୟନ ସକାଶେ ପ୍ରସ୍ତାବ ଦେଇ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଭୟଙ୍କର ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଅତଏବ, ଦୁର୍ନୀତିଲିପ୍ତ ରାଜନେତାମାନଙ୍କୁ କବ୍ଜାରେ ରଖି ଅଣଓଡ଼ିଆ ଅଫିସରମାନେ ସ୍ୱାଧୀନତା ପରଠାରୁ ଏ ଯାଏଁ ଆମ ମାତୃଭାଷାକୁ ଆମ ରାଜ୍ୟରେ ଅକାମୀ କରିରଖିଛନ୍ତି ।
ତେଣୁ ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା ଆମ ଆନ୍ଦୋଳନ ଅଣଓଡ଼ିଆ ଅଧ୍ୟୁଷିତ ରାଜ୍ୟ ସରକାରଙ୍କ ପାଇଁ ଅସହ୍ୟ ହେଉଛି ଓ ଆମ ଭିତରୁ ଅର୍ଥଲୋଭୀମାନଙ୍କୁ ଠାବ କରି ସରକାର ପୋଷାମନେଇ ଆମ ବିରୁଦ୍ଧରେ ପ୍ରୟୋଗ କରୁଛନ୍ତି ।
ଆମ ଭାଷା ମାଆ ଏଥର କିନ୍ତୁ ହାରିବ ନାହିଁ । କାରଣ ଆମେ ତାକୁ ଅଧାବାଟରେ ଛାଡ଼ି ପଳାଇବୁ ନାହିଁ । କଳାପତାକାର ନିଶବ୍ଦ ଲହର ଓଡ଼ିଆ ଜାତିର ଆତ୍ମାରେ ପ୍ରତିଧ୍ୱନିତ ହେବା ଆରମ୍ଭ କଲାଣି । ସୁପ୍ତ ସିଂହ ଧୀରେ ଧୀରେ ଜାଗୁଛି ।