ରଞ୍ଜନ କୁମାର ସାହୁ 

ନାଁ, ମୁଁ ଖୁସି ନାହିଁ ।

ମୁଁ ମୋ ଘରକୁ ଫେରିବା ପୂର୍ବରୁ ମୋତେ ମୋ ଘର ବାହାରେ ବନ୍ଦୀ କରିଦେଲ । ମୁଁ ଯାଇଥିଲି ବାହାରକୁ ମୋ ପେଟ ପୋଷିବା ପାଇଁ, କାରଣ ଓଡ଼ିଶାରେ ପେଟ ପୋଷିବାର ମାଧ୍ୟମ ଅତ୍ୟନ୍ତ ନଗଣ୍ୟ ।
ଓଡ଼ିଶା ସବୁଥିରେ ଆଗୁଆ ବୋଲି ବର୍ତ୍ତମାନ ଦର୍ଶାଯାଉଛି । ଲକ୍ ଡାଉନ ବେଳେ ମଧ୍ୟ ଆଗରେ ଥିଲା । ହେଲେ, ନିଜ ଲୋକଙ୍କ କଥା ଚିନ୍ତା କରିବାରେ ପଛରେ କାହିଁକି? ଓଡ଼ିଶା ଚାହିଁଥିଲେ କ’ଣ ଓଡିଶା ବାହାରେ ଥିବା ଓଡ଼ିଆ ମାନଙ୍କୁ ପୂର୍ବ ସୂଚନା ଦେଇପାରିନଥାନ୍ତା ? ଓ ତାଙ୍କୁ ସୁଯୋଗ ଦେଇପାରିନଥାନ୍ତା ନିଜ ମାଟିକୁ ଫେରିବାକୁ?

ମୁଁ ମୋ ପରିବାର ନିକଟରେ ନାହିଁ । ଗାଁରେ ମୋର ଦୁଇଟି ପିଲା ଓ ବୁଢ଼ା ବୁଢ଼ୀ ବାପା ମାଆ ଓ ସ୍ତ୍ରୀ କେମିତି ଚଳୁଛନ୍ତି ତାହା ମୋତେ ଜଣାନାହିଁ । କାରଣ, ମୁଁ ତାଙ୍କୁ ଏହି ମାସର ପଇସା ପଠେଇ ପାରିନାହିଁ । ନିଜେ ମଧ୍ୟ ଚଳିବା ପାଇଁ ପଇସା ନାହିଁ ।

ଏ ଲକଡ଼ାଉନ କେବେ ଉଠିବ ଓ ପରିସ୍ଥିତି କେବେ ସ୍ୱାଭାବିକ ହେବ ତାହା ଜଣା ନାହିଁ । ଖାଲି ପକେଟର ମହାମାରୀ କରୋନା ମହାମାରୀ ଠାରୁ ଅନେକ ଗୁଣରେ ଅସହ୍ୟ । ଏହା ଯଦି ଆପଣ ଅନୁଭବ କରିଥିବେ ତାହେଲେ ଆପଣ ଜାଣିପାରିବେ ।

ମୁଁ ବର୍ତ୍ତମାନ କ’ଣ କରିବି କିଛି ଜାଣି ପାରୁନି । ପ୍ରକୃତରେ ୧୦ ବର୍ଷ ହେଲାଣି ଓଡ଼ିଶା ବାହାରେ ମୁଁ ଦାଦନ ଖଟୁଛି । କିନ୍ତୁ, ଦାଦନ ଖଟିବାର ଦୁଃଖ ମୋତେ ଏବେ ଅସହ୍ୟ ଲାଗୁଛି ।

ଭୋଟ ବେଳେ ଆମ ନିକଟକୁ ରାଜନେତାମାନେ ଆସି ଭୋଟ ମାଗିଥିଲେ ତାଙ୍କ ସାଥେ ହିରୋ ହିରୋଇନଙ୍କୁ ଆଣି । ହେଲେ, ଏବେ ଆମେ ଏତେ ଦୁଃଖ କଷ୍ଟରେ, କେହି ଆମ କଥା ଶୁଣିବାକୁ ନାହାନ୍ତି ।
ଅନ୍ୟ ସମସ୍ତେ ପରିବାର ସହ ଉପଭୋଗ କଲାବେଳେ, ଆମେ ଏଠାରେ ସନ୍ତୁଳି ହୋଇଗଲୁଣି । ନା ଭଲରେ ଦିମୁଠା ଖାଇବାକୁ ପଇସା ଅଛି ନା ଏକାନ୍ତରେ ବାସ କରିପାରୁଛୁ । ଦୁଃଖକୁ ଏକାନ୍ତରେ ସହିବା ଭାରି ଅସହ୍ୟ ଆପଣ ଜାଣିଥିବେ ।

ଲାଗୁଛି, ସତେ ଯେମିତି କରୋନା ମହାମାରୀ ମଧ୍ୟ ପକ୍ଷପାତ କଲା ଓ ଆମ ଭଳି ଗରିବଙ୍କ ଉପରେ ଦାଉ ସାଧିଲା ।

ବେଳେବେଳେ ମୁଣ୍ଡ କାମ କରୁନି, ଲାଗୁଛି କିଛି ଗୋଟେ କରିବସିବି ।

ମେ ୩ ତାରିଖ ଯାଏଁ ଯେତେବେଳେ ଲକ ଡାଉନ ପୁଣି ବଢ଼ିଲା ଅନେକ ଲୋକ ଆନନ୍ଦ ଉଲ୍ଲାସରେ ନାଚିଲେ । କାରଣ, ସେମାନେ ଚାକିରିଆ ହେଲେ ଆମେତ ମୂଲିଆ । ଖଟିଲେ ଖାଇବୁ , ନଖଟିଲେ ଓପାସ ରହିବୁ । ଦାଣ୍ଡରୁ ଆଣିଲେ ହାଣ୍ଡିରେ ପଡ଼େ ।

ବେଳେବେଳେ ବହୁତ ନିଜକୁ ଧିକ୍କାର କରୁଛି, କାହିଁକି ପାଠ ପଢି ଚାକିରି କଲିନି ବୋଲି । ମୁଁ କଲେଜ ମାଟି ମାଡ଼ିଛି ହେଲେ ହେବ କ’ଣ, ସବୁ ନିଷ୍ଫଳ । ଓଡ଼ିଶାରେ ବହୁତ ଖୋଜିଥିଲି ଭଲ ଚାକିରି ଖଣ୍ଡେ ପାଇଁ କିନ୍ତୁ ମିଳିନଥିଲା ।

ମୋ ପୁଅ ଓ ଝିଅ ଏବେ ଓଡ଼ିଶାରେ ପଢୁଛନ୍ତି । ମୋର ସାଙ୍ଗ କହୁଥିଲା ଏବେ କୁଆଡେ ଗ୍ରାଜୁଏସନ ପିଲାଙ୍କୁ ମଧ୍ୟ ଚାକିରି ମିଳୁନି ଓ ସେମାନେ ଦାଦନ ଖଟିବାକୁ ବାହାରକୁ ପଳେଇ ଆସୁଛନ୍ତି ବୋଲି ।

ମୋତେ ବେଳେବେଳେ ଭୟ ଲାଗୁଚି, ମୋ ପୁଅ ମୋ ଭଳି ଦାଦନ ଖଟିବାକୁ ଆସିବନି ତ ?

ଶୁଣୁଛି , ସରକାରଙ୍କ କାରୋନା ଆଇନ ଯଦି ଦୈବାତ କିଏ ଭାଙ୍ଗିଲା, ପୋଲିସ ତାକୁ ନିସ୍ତୁକ ପିଟୁଛି, ଦି ବର୍ଷ ଜେଲ ସାଙ୍ଗକୁ ୧୦ ହଜାର ଟଙ୍କା ଜୋରିମାନା । କଣ ସେ ଆଇନ ମୋତେ ତ ଜଣା ନାହିଁ । ଅଜାଣତରେ ଯଦି ଭୁଲ ହୋଇଗଲା ? ଭୋକିଲା ପେଟରେ ୧୦ ହଜାର ଟଙ୍କା ଜୋରିମାନା କେଉଁଠୁ ଦେବି? ଦି ବରଷ ଜେଲ ଗଲେ ମୋ ପିଲା ବଞ୍ଚିବେ କେମିତି ?

ମୁଁ ଆଉ କିଛି ଲେଖିପାରୁନି, ମୋ ଆଖି ଛଳଛଳ ।

ଆପଣ ଜ୍ଞାନୀ ଗୁଣୀ ଜନ, ମୋ କଥାର ମର୍ମ ଆପଣ ମୋ ସ୍ଥାନରେ ଛିଡ଼ା ହୋଇ ବୁଝିପାରିବେ ବୋଲି ଆଶା ।

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.