ଭାଷାବଲୋକନ// ଭାଷାଦ୍ରୋହୀଙ୍କୁ ଭାଷା ନାମରେ ସମ୍ମାନ ପ୍ରଦାନ: ଭାଗ -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ସାରସ୍ଵତ ଜଗତର ସାଲିସହୀନ ବିବେକରକ୍ଷକ, ବରିଷ୍ଠ ସାମ୍ବାଦିକ ଅସିତ ମହାନ୍ତି ତାଙ୍କ ‘ସାହିତ୍ୟିକ ପାଣିପାଗ’ ସ୍ତମ୍ଭରେ ରଖିଥିବା ‘ଫକୀରମୋହନ ଭାଷା ସମ୍ମାନ –ଏକ ଅବଲୋକନ’ (ସମ୍ବାଦ,୧୦.୧.୨୦୨୦) ବିଶେଷ ଦ୍ରଷ୍ଟବ୍ୟ । ସେ ନିର୍ଭୁଲ ଭାବେ ଦର୍ଶାଇଛନ୍ତି ଯେ, ଏହି ସମ୍ମାନ ପ୍ରଦାନ ପାଇଁ ସରକାର ଯେଉଁ ନୀତି ପ୍ରଣୟନ ଓ ପ୍ରବର୍ତ୍ତନ କରିଛନ୍ତି ତାହା ଓଡ଼ିଆ ସାରସ୍ଵତ ଅସ୍ମିତାର ଘୋର ପରିପନ୍ଥୀ ।

ଏହି ସମ୍ମାନର କୌଣସି ବିଧିସମ୍ମତ ଭିତ୍ତି ନାହିଁ । ବଙ୍ଗଳାର ଏକ ଢମାଳି ଅନୁସାରେ “ରାଜାଙ୍କ ନନ୍ଦିନୀ ପ୍ୟାରୀ, ଯାହା କହେ ତା ଭଲ ।” ସେମିତି ଓଡ଼ିଆ ଜାତିକୁ ଭୁଆଁ ବୁଲେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ରେ କହିଦେଇଥିଲେ, ବ୍ୟାସକବି ଫକୀରମୋହନଙ୍କ ନାମରେ ଏକ ଭାଷା ସମ୍ମାନ ଦିଆଯିବ । ତାହା ହିଁ ହେଲା ଏହି ସମ୍ମାନର ଭିତ୍ତି ।

ସେତେବେଳେ ନବୀନବାବୁଙ୍କ ମାନସିକ ସ୍ଥିତି

ଏହି କଥା କହିଲାବେଳେ ମୁଖ୍ୟମନ୍ତ୍ରୀଙ୍କ ମାନସିକ ସ୍ଥିତି କେଉଁ ପରି ଥିଲା ତାହା ଅନୁଶୀଳନୀୟ ।

ଅଣଓଡ଼ିଆ ଅଫିସରମାନଙ୍କ ବୋଲରେ ପଡ଼ି ବା ସେମାନଙ୍କ ସାହାଯ୍ୟ ଲୋଡ଼ି ସେ ଓଡ଼ିଆ ଭାଷା ବିରୁଦ୍ଧରେ ୨୦୧୮ରେ ଏକ ଭର୍ତ୍ସନୀୟ ପଦକ୍ଷେପ ନେଇଥିଲେ ।

ଓଡ଼ିଶାର ସର୍ବତ୍ର, ସମସ୍ତ ଓ ଯେକୌଣସି ଦାପ୍ତରିକ କାମ (official work) ଓଡ଼ିଆ ଭାଷାରେ ହେବ ବୋଲି ଓଡ଼ିଶା ଦାପ୍ତରିକ ଭାଷା ଆଇନ (Orissa Official Language Act), ୧୯୫୪ ଧାର୍ଯ୍ୟ କରିଥିବା ବେଳେ ଅମଲାତନ୍ତ୍ର ଯେତିକି ଓ ଯେପରି ଚାହିଁବ ସେତିକି ଓ ସେପରିଭାବେ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ସେ ୧.୫.୨୦୧୮ ତାରିଖରେ ଓଡ଼ିଶା ବିଧାନସଭାରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ମାଧ୍ୟମରେ ଭାଷା ଆଇନ ସଂଶୋଧନ କରିଦେଲେ, ଯେଉଁ ସଂଶୋଧନରେ ବ୍ୟବସ୍ଥା ରହିଲା: ଓଡ଼ିଶାର ସର୍ବତ୍ର, ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆରେ ହେବନାହିଁ ଏବଂ କୌଣସି କର୍ମଚାରୀ ଓଡ଼ିଆରେ କାମ ନ କଲେ ସେଥିପାଇଁ ଜନସାଧାରଣ ଦଣ୍ଡିତ ହେବେ ।

ଓଡ଼ିଆ ଜାତି ବିରୁଦ୍ଧରେ ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ବିଧିଭୁକ୍ତ କରିବା ପାଇଁ ସେ ତାଙ୍କର ଅଧ୍ୟକ୍ଷତାରେ ୧୪.୩.୨୦୧୮ରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଗ୍ରହଣ କରିଥିବା ଭାଷା ସପକ୍ଷବାଦୀ ପ୍ରସ୍ତାବକୁ ଲୁଚେଇ ଦେଇ ବିଧାନସଭାକୁ ମିଛ କହିଥିଲେ ।

ବିକ୍ରମ ଆରୁଖ ନବୀନବାବୁଙ୍କ ପକ୍ଷରୁ ବିଲ୍ ଉପରେ ବିତର୍କ ପାଇଁ ବିଧାନସଭାକୁ କହିବା ବେଳେ, ଏବଂ ବିତର୍କ ଉପରେ ଉତ୍ତର ରଖିବା ବେଳେ ଓ ତହିଁ ଉତ୍ତାରେ ତାହାକୁ ଗ୍ରହଣ କରାଯିବା ପାଇଁ ଅନୁରୋଧ ରଖିବା ବେଳେ ପ୍ରତିଥର ନିଜ ପକେଟରୁ ଟାଇପ କରାହୋଇଥିବା କାଗଜ ବାହାରକରି ପଢିଥିଲେ ମନ୍ତ୍ରୀ ବିକ୍ରମ ଆରୁଖ ! ଅର୍ଥାତ୍, ଏହି ସଂଶୋଧନ ବିଲ୍ ବିଧାନସଭାରେ ଗୃହୀତ କରାଇବା ବେଳେ ମନ୍ତ୍ରୀ ଆରୁଖ ଠିକ୍ ତାହା ହିଁ କରିଥିଲେ ଯାହା କରିବାକୁ ତାଙ୍କୁ ଅମଲାତନ୍ତ୍ର ହୁକୁମ ଦେଇଥିଲା ।

ଏହା ନହୋଇଥିଲେ, ଜଣେ ମନ୍ତ୍ରୀ ପୂର୍ବରୁ ଟାଇପ କରାହୋଇଥିବା କାଗଜ ପଢି କିପରି ବିଧାନସଭାରେ ବିତର୍କର ଉତ୍ତର ଦେଇପାରିଥାନ୍ତେ?

ଅପରପକ୍ଷେ ସେ ନିଜେ ଥିଲେ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ଓ ୧୪.୩.୨୦୧୮ ତାରିଖର କ୍ୟାବିନେଟ୍ ବୈଠକରେ ଗୃହୀତ ପ୍ରସ୍ତାବରେ ସେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ । ଯେଉଁ ବିଲ୍ ସେ ଗୃହୀତ କରାଇଲେ ତାହା ସେହି ତାରିଖର ପ୍ରସ୍ତାବ ଉପରେ ଆଧାରିତ ନ ହୋଇ ଅନ୍ୟ ଏକ ପ୍ରସ୍ତାବ ଉପରେ ଆଧାରିତ ହୋଇଥିବା ଦେଖି , ସେ ତାକୁ ପ୍ରତ୍ୟାଖ୍ୟାନ କରିବା ପରିବର୍ତ୍ତେ ପ୍ରାଚୋଦିତ କଲେ କିପରି?

ମୁଁ ମନ୍ତ୍ରୀଙ୍କ କାଗଜପଢା ଉତ୍ତର ଉପରେ ରିପୋର୍ଟ କରିଥିଲି, କେବଳ ନୁହେଁ, ଏହି ଅବୈଧ ସଂଶୋଧନର ପ୍ରତ୍ୟାଖ୍ୟାନ ଓ ବିଲୋପନ ପାଇଁ ଯଥାକ୍ରମେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଯୁକ୍ତି ରଖିଥିଲି ଏବଂ ବିଧାନସଭାକୁ ବିଭ୍ରାନ୍ତ କରିଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ମାମଲା ପାଇଁ ଦାବି ରଖିଥିଲି ।

ଏହା ଫଳରେ ଏହି ସଂଶୋଧନକୁ କାର୍ଯ୍ୟକାରୀ କରିବାକୁ ସାହସ ନକରି ପରବର୍ତ୍ତୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଏହି ଦୂଷିତ ଧାରାର ସଂଶୋଧନ କରିବାକୁ ପଦକ୍ଷେପ ନେଇ ସ୍ଵୀକାର କଲେ ଯେ, ୨୦୧୮ର ପ୍ରଥମ ସଂଶୋଧନରେ ଭୁଲ ଥିଲା । କିଏ ସେହି ଭୁଲ କରିଥିଲା? ସମ୍ପୃକ୍ତ କର୍ମଚାରୀ ବା ପଦଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଦାବି କରିଥିଲି । ବିଲ୍ ଚିଠା କରିଥିବା ବ୍ୟକ୍ତି କେବଳ ଯେ କ୍ୟାବିନେଟ୍ ସ୍କାମ୍ ଘଟାଇଥିଲେ ତା ନୁହେଁ, ସେ ମଧ୍ୟ ଯେଉଁ ପ୍ରସ୍ତାବକୁ ଏହି ବିଧେୟକର ଭିତ୍ତି କାରାଇଥିଲେ, ସେହି ପ୍ରସ୍ତାବ ଉପରେ ଜାଲିଆତି ବି କରିଥିଲେ । ଏହାର ସମସ୍ତ ପ୍ରମାଣ ସହ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି । ଯେ କୌଣସି ଦାୟିତ୍ଵସମ୍ପନ୍ନ ମୁଖ୍ୟମନ୍ତ୍ରୀ ଏହାର ବିଧିବଦ୍ଧ ତଦନ୍ତ କରାଇ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଠିନ ଦଣ୍ଡବିଧାନ କରିଥାନ୍ତେ ; କିନ୍ତୁ ନବୀନବାବୁ ନୀରବ ରହିଲେ କାହିଁକି? ମୁଖ୍ୟମନ୍ତ୍ରୀ ନ ଚାହିଁଲେ ତାଙ୍କ ଅଧ୍ୟକ୍ଷତାରେ ଗୃହୀତ କ୍ୟାବିନେଟ୍ ପ୍ରସ୍ତାବକୁ ଅମଲାତନ୍ତ୍ର କବର ଦେଇଦେବ?

ଆମ ଜାତି ବିରୁଦ୍ଧରେ ଏହି ଅଭୂତପୂର୍ବ ଅପରାଧକୁ ମୁଁ ପଦାକୁ ଆଣିବା ପରେ, କେଇଜଣ ମନ୍ତ୍ରୀ ମୋଠୁ ଏହି ସଂଶୋଧନର ଗୋଳମାଳିଆ ଦିଗଟି ଉପରେ ସବିଶେଷ ବୁଝିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧.୫.୨୦୧୮ରେ ହୋଇଥିବା ସଂଶୋଧନକୁ ବଦଳାଇବାକୁ ଅନୁରୋଧ କରିଥିଲେ । ଫଳରେ ଆଉ ଥରେ କ୍ୟାବିନେଟ୍ ବସି ୨ୟ ସଂଶୋଧନ ପାଇଁ ପ୍ରସ୍ତାବ କରିବା ସ୍ଥିର ହେଲା । କିନ୍ତୁ  ଦେଖାଗଲା, ପ୍ରଥମ ସଂଶୋଧନର ଭୁଲ ଦ୍ଵିତୀୟ ସଂଶୋଧନରେ ଅମଲାତାନ୍ତ୍ରିକ ଶବ୍ଦ ଚାତୁରୀ ଦ୍ଵାରା କାଏମ ରହିଲା, ଯାହାକୁ ମୁଁ ପୁଣି ପଦାରେ ପକାଇଲି ।

ପ୍ରଥମ ସଂଶୋଧନରେ ଆମ ଭାଷା ଆଇନଟିକୁ ନିରୁଦ୍ଦିଷ୍ଟ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋର ଦୁଇ ଘନିଷ୍ଠ ସହଯୋଗୀ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାର୍ଥାଙ୍କ ଅର୍ଥଲୋଭର ଉପଯୋଗ କରି ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର କରିଥିଲେ ମାତୃଭାଷାପ୍ରାଣ ଓଡ଼ିଆ ଜାତି ତାହାକୁ ବ୍ୟର୍ଥ କରିଦେଇଥିଲା ଓ ନିରବଚ୍ଛିନ୍ନ ଭାବେ କଳାପତାକା ଅଭିଯାନ ଚାଲିରହିଥିଲା । ଦ୍ଵିତୀୟ ସଂଶୋଧନର ଧୂର୍ତ୍ତତାକୁ ମଧ୍ୟ ମୁଁ ଓ ମୋର ସାଥୀମାନେ ପ୍ରତ୍ୟାଖ୍ୟାନ କଲୁ ।

ଏହା ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନସିକ ସ୍ଥିତି ଚହଲିଯାଇଥିଲା ଓ ନିର୍ବାଚନ ପୂର୍ବରୁ ସେ ଯେକୌଣସି ପ୍ରକାରେ ଜନମାନସରେ ତାଙ୍କ ଓଡ଼ିଆବିଦ୍ଵେଷୀ ସ୍ଵରୂପକୁ ଓଡ଼ିଆ ଭାଷା ପ୍ରେମର ମୁଖା ଲଗାଇ ଘୋଡ଼େଇପକାଇବାକୁ ଚାହୁଁଥିଲେ ।

ଏହି ମାନସିକ ସ୍ଥିତିରେ ସେ ଘୋଷଣା କରିଥିଲେ ଭାଷା ସେନାପତି ଫକୀରମୋହନଙ୍କ ନାମରେ ଭାଷା ସମ୍ମାନ ।

ବେନିୟମ ନାଟକବାଜୀ

ମୁଖ୍ୟମନ୍ତ୍ରୀ ଜାଣିଥିଲେ ଯେ, ଏହା ଥିଲା ଏକ ନାଟକବାଜୀ ଓ ଅମଲାତନ୍ତ୍ର ବି ଜାଣିଥିଲା ଯେ, ଏହା ଥିଲା ଏକ ନାଟକବାଜୀ । ତେଣୁ ଏହି ସମ୍ମାନକୁ ବିଧିବଦ୍ଧ କରିବା ପାଇଁ କୌଣସି ବିଧାନ ପ୍ରଣୀତ ହୋଇନଥିଲା ଓ ଏବେ ବି ହୋଇନାହିଁ ।

ଉପର ଚିତ୍ରଟି ‘ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ’ର ନିଜସ୍ୱ ପୋର୍ଟାଲର ପ୍ରାସଙ୍ଗିକ ଛବି । ବିଭାଗୀୟ ନିୟମକାନୁନର ଏହି ତାଲିକାରେ ‘ବ୍ୟାସକବି ଫକୀରମୋହନ ଭାଷା ସମ୍ମାନ’ ସମ୍ପର୍କିତ କୌଣସି ବିଧାନର ନାମଗନ୍ଧ ବି ନାହିଁ । ଅତଏବ ବିଧାନ ବହିର୍ଭୂତ ଶୈଳୀରେ ବା ବେନିୟମ ଶୈଳୀରେ ଏହି ଭାଷା ସମ୍ମାନ ପ୍ରଦାନ ଚାଲିଛି, ଯାଦ୍ଦ୍ଵାରା ଓଡ଼ିଆ ଜାତିକୁ ଆଖିମିଟିକା ମାରି ଏବର୍ଷ କେବଳ ଆମ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ତା ନୁହେଁ, ଓଡ଼ିଆ ଜାତି ବିରୁଦ୍ଧରେ ଏକ ଭୟଙ୍କର ଅପରାଧକୁ ମଧ୍ୟ ଅପରାଧମୁକ୍ତ କରାହୋଇଛି । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.