ସୁଭାଷ ଚନ୍ଦ୍ର ପଟ୍ଟନାୟକ
ବୁଦ୍ଧଙ୍କର ଜନ୍ମସ୍ଥାନକୁ ଅପବିତ୍ର କରି ବୌଦ୍ଧ ଧର୍ମର ମୂଳ ଉତ୍ସକୁ ନଷ୍ଟ କରିବା ପାଇଁ ମଗଧର ଚଣ୍ଡାଶୋକ ଆମକୁ ଆକ୍ରମଣ କରିଥିଲେ । ଶୋଚନୀୟ ପରାଜୟ ଭୋଗିଲେ ଓ ଯେଉଁ ବୌଦ୍ଧ ଧର୍ମକୁ ମାରା କରିବାକୁ ଆସିଥିଲେ, ଜୀବନ ବଞ୍ଚାଇବାକୁ ସେହି ଧର୍ମରେ ଦୀକ୍ଷା ନେଇ ଫେରିଗଲା ପରେ ମଗଧରେ ପ୍ରୌଢୀ ଦେଖାଇ କହିଲେ, ଯୁଦ୍ଧର ବିଭୀଷିକା ଦେଖି ତାଙ୍କ ହୃଦୟ ତରଳିଗଲା ଓ ସେ ବୌଦ୍ଧ ଧର୍ମ ଗ୍ରହଣ କରିଗଲେ।
ଯାହା ହେଉ , ଏ ବିଭୀଷିକା ବର୍ଣନା କରିବାକୁ ସେ ଯେଉଁ ଦୃଶ୍ୟପଟର ଅବତାରଣା କରିଥିଲେ, କପୋଳ କଳ୍ପିତ କିମ୍ବଦନ୍ତୀ ହେଉ ପଛେ ,ତାହା ଆମକୁ ଦିଏ ଅଶୋକଙ୍କ ମାନସପଟରେ ଥିବା ଆମ ଜାତୀୟ ଚରିତ୍ରର ଏକ ଚିତ୍ର । ତାହା ହେଲା, ଧଉଳିଗିରି ପାଦଦେଶରେ ମରି ପଡ଼ିଛନ୍ତି ଆମର ସବୁ ସୈନ୍ୟ ; ଦୟାନଦୀର ନୀଳ ପାଣି ସେମାନଙ୍କ ରକ୍ତରେ ଲାଲ । ଚଣ୍ଡାଶୋକ ଅଟ୍ଟହାସ୍ୟ କରି କହି ଉଠିଲେ – ଯେଉଁ ଜାତି ଏଯାଏଁ ଥିଲା ଅପରାଜେୟ ତାହାକୁ ମୁଁ ଜୟ କରିଗଲି ! ତାଙ୍କୁ ଲାଗିଲା , ମୃତ୍ୟୁର ସେହି ମହା ନିସ୍ତବ୍ଧତା ଭେଦ କରି କିଏ ଯେମିତି କିଛି କହୁଛି । ସେହି ଶବ୍ଦ ଆସୁଥିବା ଦିଗକୁ ଦୃଷ୍ଟି ପକାଇ ସେ ଦେଖିଲେ, ପଡ଼ିରହିଥିବା ଜଣେ ସୈନିକର କଷ୍ଟେମଷ୍ଟେ ଉପରକୁ ଉଠିଥିବା ଗୋଟାଏ ହାତରେ ପଟେ ତଲୱାର ଝଲସି ଉଠୁଛି ଘନକୃଷ୍ଣ ମେଘ ଦେହରେ ବିଦ୍ୟୁତ ଚହଟିଲା ପରି । କୌତୁହଳ ସମ୍ଭରଣ କରିନପାରି ସେ ତା ପାଖକୁ ଗଲେ । ଭୟଙ୍କର ଭାବେ କ୍ଷତାକ୍ତ ହୋଇ ତଳେ ପଡ଼ିଥିବା ସେହି ମୁମୂର୍ଷୁ ସୈନିକ ତଲୱାର ଚହଟାଇ କହୁଥିଲା, “ମୂର୍ଖ ଅଶୋକ, ମୁଁ ତ ଏଯାଏଁ ବଞ୍ଚିଛି , ମୋ ଜାତି ହାରିଗଲା କେତେବେଳେ?”
ଅଶୋକ ଏହା ଦେଖି ଅଭିଭୂତ ହୋଇଗଲେ ଓ ଚିତ୍କାର କରି କହିଲେ, “ଯେଉଁ ଜାତିର ଜଣେ ବି ବ୍ୟକ୍ତି ମୃତ୍ୟୁ ମୁଖରେ ବି ଏକାକୀ ତାର ମାତୃଭୂମି ଓ ତାର ଆଦର୍ଶ ସହ ଅଟଳ ଥାଏ ସେ ଜାତି କେବେ ବି ପରାଜିତ ହୋଇ ନପାରେ ।” ଏବଂ ଏହା କହି, ସେହି ଚଣ୍ଡାଶୋକ ନିଜକୁ ଧିକ୍କାର କଲେ ଓ ଅନୁତାପ ବହ୍ନିରେ ଝାସ ଦେଲେ ।
ପରମ ଦୟାଳୁ ବୁଦ୍ଧଙ୍କର ଜଣେ ଶିଷ୍ୟ ତାଙ୍କୁ ପାପମୁକ୍ତ କରିବା ପାଇଁ ବୌଦ୍ଧ ଧର୍ମରେ ଦୀକ୍ଷା ଦେଲେ ।
ଏହାହିଁ ହେଉଛି ଓଡ଼ିଆ ଜାତିର ଗରିମାର ଏକ ଚିତ୍ର ।
ସେଦିନ ପରି ଆଜି ବି ଜଣେ ଓଡ଼ିଆ ଏ ଭୟଙ୍କର ବର୍ଷାରେ ଏକୁଟିଆ କଳା ପତାକା ତୋଳି ଭାଷା ଜନନୀଙ୍କ ବିଜୟଯାତ୍ରାକୁ ଅବ୍ୟାହତ ରଖିଛନ୍ତି । ଏହି ସର୍ବଶ୍ରେଷ୍ଠ ଓଡ଼ିଆ ହେଲେ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ।
ଆଜି ଥିଲା ଆମ ଆଂଦୋଳନର ୧୨୧୫ ତମ ଦିବସ । ଏହିପରି ଏକଦା କଳା ପତାକା ଧରି ଏକାକୀ ଚାଲିଥିବା ବୈଜ୍ଞାନିକ ଡଃ ଅଶୋକ ମିଶ୍ର ଆଜିର ଏ ଅଭିଯାନ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ମୁଖରେ ଆରମ୍ଭ କରାଇଥିଲେ ଓ ଭାଷାପ୍ରାଣ ରଞ୍ଜନ କୁମାର ସାହୁ ଓଡ଼ିଆ ଜାତି ପାଇଁ ଏ ବିରଳ ଦୃଶ୍ୟ ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ କୁଳବୃଦ୍ଧ ମଧୁସୂଦନଙ୍କ ସମ୍ମୁଖରେ ଭାଷା ବନ୍ଦନାରେ ସହଯୋଗ କରିଥିଲେ ଭାଇ ସୁଭାଷଙ୍କ ସହ ।