ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆଇନ ନିର୍ଭୁଲ ହୋଇଯାଇଛି ବୋଲି କହି ଗତବର୍ଷ ଜୁଲାଇ ୧୬ ତାରିଖରେ ଏବଂ ସେପ୍ଟେମ୍ବର ୧୯ ତାରିଖରେ ସରକାରଙ୍କ ମୁଖପାତ୍ର ଭାବେ କାମ କରିଥିବା ଜାନକୀଶ ବଡପଣ୍ଡାଙ୍କର ‘ଭାଷା ଆଇନକୁ ନେଇ ଚର୍ଚ୍ଚା’ ଶୀର୍ଷକ ଏକ ପ୍ରବନ୍ଧ ଅକ୍ଟୋବର ୧୦ ତାରିଖର ପ୍ରମେୟରେ ପ୍ରକାଶିତ ହୋଇ ମୋ ଦୃଷ୍ଟିକୁ ଆସିଛି । ଏଥିରେ ଠାଏଁ ସେ ମୋ ଦାବିକୁ ଆଂଶିକ ନକଲ କରି ଲେଖିଛନ୍ତି, “ଓଡ଼ିଆ ଭାଷାର ‘ପର୍ଯ୍ୟାପ୍ତ’ ବ୍ୟବହାର ବଦଳରେ ଶତପ୍ରତିଶତ ବ୍ୟବହାର ନ କଲେ ଅନୁଶାସନିକ କାର୍ଯ୍ୟବିଧି ଅଧିନିୟମ ଅନ୍ତର୍ଗତ ଅବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ।“ ଯଦି ଏବେ ବି ସେ ସ୍ଵୀକାର କରୁଛନ୍ତି ଯେ, ଭାଷା ଆଇନ ଭୁଲ ସଂଶୋଧନର ଶିକାର ହୋଇଛି, ତେବେ ଏହା ହିଁ ସତ୍ୟ ଯେ, ପବିତ୍ର ମହାରଥା ଓ ପ୍ରଦ୍ୟୁମ୍ନ ଶତପଥୀଙ୍କ ସହ ମିଶି ଉପରୋକ୍ତ ଦୁଇଟିଯାକ ତାରିଖରେ ସମ୍ପୂର୍ଣ ମିଛ କଥା କହି ସେ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଅପଚେଷ୍ଟା କରିଥିଲେ। ଅତୀତର ଏହି ଅପକର୍ମ ପାଇଁ ଓଡ଼ିଆ ଜାତିକୁ କ୍ଷମା ନ ମାଗି ପୁନଶ୍ଚ ଏହି ପ୍ରବନ୍ଧରେ ଭାଷା ଆଇନ ଉପରେ ଚର୍ଚ୍ଚା ନାମରେ ସେ ଅପଚର୍ଚ୍ଚା କରିଛନ୍ତି ।

ଉପରୋକ୍ତ ଲେଖାରେ କ୍ରୀତଦାସ ତାର ମାଲିକର ମର୍ଜିରେ ମିଥ୍ୟା କହିବା ପରି ସେ ଲେଖିଛନ୍ତି, ଭାଷା ଆନ୍ଦୋଳନର “ରୂପରେଖ ପ୍ରସ୍ତୁତ କରିଥିଲେ ଯୁବ ସଂଗଠକ ପବିତ୍ର ମୋହନ ମହାରଥା । ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥିଙ୍କ ସଭାପତିତ୍ଵରେ ଭାଷା ଆନ୍ଦୋଳନ, ଓଡ଼ିଶା ମୁଣ୍ଡ ଟେକିଲା ।“

ଜନକୀଶଙ୍କ ଏହି କପୋଳକଳ୍ପିତ କଥା ପଛରେ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଲାଗିରହିଥିବା ସୂକ୍ଷ୍ମ ସରକାରୀ ଷଡଯନ୍ତ୍ର କିପରି ନିହିତ ତାହା ଅଲୋଚନା ଶେଷରେ ମୁଁ ଦର୍ଶାଇବି । ପ୍ରଥମେ ପବିତ୍ର ଓ ପ୍ରଦ୍ୟୁମ୍ନଙ୍କ ଦସ୍ତାବିଜରୁ ଭାଷା ଆନ୍ଦୋଳନର ଜନ୍ମ ଜାତକ ଦେଖାଯାଉ ।

“ବରେଣ୍ୟ ସୁଭାଷ ପଟ୍ଟନାୟକଙ୍କ ପରିପକ୍ଵ ପ୍ରଜ୍ଞାଜ ଏହି ଦର୍ଶନର ଆମେ ସମସ୍ତେ ସଞ୍ଚାଳକ, କୌଣସି ବ୍ୟକ୍ତିବିଶେଷ ନୁହନ୍ତି” ବୋଲି ଘୋଷଣା କରିଥିଲେ ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ଫେସ ବୁକ ପୃଷ୍ଠାରେ ୧୧.୫.୨୦୧୬ରେ । ଜାନକୀଶ ବାବୁଙ୍କ ଉପରୋଦ୍ଧୁତ୍ତ ମିଥ୍ୟା ଦ୍ଵାରା ଏ ସତ୍ୟ କଣ ବଦଲିଯାଇପାରିବ?

ଆନ୍ଦୋଳନର ଜନ୍ମ ସମ୍ପର୍କରେ ପବିତ୍ର ମହାରଥା କଣ କହିଛନ୍ତି ତାହା ବି ଦେଖାଯାଉ । ସେ କହିଛନ୍ତି,

“ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସେଦିନ ନଣ୍ଡା ପାହାଡ଼ ପରି ଚୁପ ଚାପ ବସିଥିବା ଦେଖି ମୁଁ ଚମକି ପଡ଼ିଥିଲି । ପଚାରିଲି “କଥାକଣ ସାର୍? ଆପଣ ଏତେ ଗମ୍ଭୀର କାହିଁକି ? କିଛି ସମୟ ମୋତେ ଅନ୍ତର୍ଭେଦୀ ଆଖିରେ ଚାହିଁ ସେ ଓଲଟି ପଚାରିଲେ , “ତମେ ମୋ ସହ ରହିପାରିବ?” କିଛି ନ ବିଚାରି ସଙ୍ଗେ ସଙ୍ଗେ ଉତ୍ତର ଦେଲି , “ଅଛି ଓ ରହିବି ।“
“ଆମ ମାତୃଭାଷା ଯେଉଁ ବିପଦରେ ପଡ଼ିଛି ତାକୁ ତହିଁରୁ ମୁକ୍ତ କରିବା ପାଇଁ ଉଭୟ ଓଡ଼ିଆ ଜାତି ଓ ଓଡ଼ିଶା ସରକାରଙ୍କୁ ନିଦରୁ ଉଠେଇବାକୁ ହେବ । ଏଥିପାଇଁ କିଛି କଥା ନକହି ଗୋଟିଏ ହାତରେ ଆମେ ପ୍ଲାକାର୍ଡ଼ ଧରିବା ଯେଉଁଥିରେ ଲେଖାଥିବ ଓଡ଼ିଆରେ ଓଡ଼ିଶାର ଶାସନ ଆମର ଦାବି ଏବଂ ଦାବି, ଏଥିରେ ବାଧା ଦେବା ଲୋକକୁ ଦଣ୍ଡବିଧାନ ଓ ଅନ୍ୟ ହାତଟିରେ ଧରିବା କାଳପତାକା ଯାହାର ଲହର ଶୋଇ ରହିଥିବା ଜାତିର ଆତ୍ମାକୁ ହଲେଇ ହଲେଇ ଉଠେଇ ଦେବ ନିଦରୁ । ଆମେ ଚାଲିବା ବିଧାନସଭା ଆଗରେ ଥିବା ନବବାବୁଙ୍କ ପ୍ରତିମୂର୍ତ୍ତି ସାମନାରୁ ରାଜଭବନ ସାମନାରେ ଥିବା କୂଳଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାବେଳେ ସମ୍ପୂର୍ଣ ନୀରବରେ”, କହିଗଲେ ସେ ଏକ ନିଶ୍ଵାସରେ । “ସାର୍, ଏକଥା ତ ଆପଣ ଆଗରୁ କହିଥିଲେ। ସରକାରଙ୍କୁ ନୋଟିସ ମଧ୍ୟ ଡାକି ଦେଇଥିଲେ । ମାତ୍ର ୧୪୪ ଧାରା ଭୟରେ ସଂଗ୍ରାମ ସମିତିର ସାଥୀମାନେ ସହଯୋଗ କଲେନି । ସେହି ୧୪୪ ଧାରା ତ ସେହି ଅଞ୍ଚଳରେ ସବୁବେଳେ ବଳବତ୍ତର ରହିଛି ”, ମୁଁ କହିଲି ।
“ଆମେ ସେ ଧାରାର ଊଲଙ୍ଘନ କରିବାନି , କାରଣ ଆମେ ମାତ୍ର ଦୁଇଜଣ ଥିବା”, ସେ କହିଲେ (ପବିତ୍ର ମହାରଥା , ଅବାହକଙ୍କ କଲମରୁ, ଭାଷା ପାଇଁ ଗଣ ଓ ଗଣମାଧ୍ୟମ,୨୦୧୬, ପୃ॰୧୯) ।

ଏ ହେଲା ଭାଷା ଆନ୍ଦୋଳନର ଜନ୍ମ ସମ୍ପର୍କରେ ପବିତ୍ରଙ୍କ ନିଜ ବୟାନ ।

ଅତଏବ ପବିତ୍ର ଓ ପ୍ରଦ୍ୟୁମ୍ନ ଶତପଥୀ – ଉଭୟଙ୍କ ଦ୍ଵାରା ବର୍ଣିତ ଭାଷା ଆଂଦୋଳନର ଏ ଜନ୍ମ ବୃତ୍ତାନ୍ତ କଣ ମିଥ୍ୟା ?

ଭାଷା ଆନ୍ଦୋଳନ ଯେ ମୁଁ ଆମ ଜାତିର ଭାଷା ଅଧିକାର ପାଇଁ ତୋଳିଥିବା ଦାବି ସପକ୍ଷରେ ସୃଷ୍ଟି କରିଥିଲି – ଏକଥା କଣ ଜାନକୀଶ ବଡପଣ୍ଡା ନିଜେ ଜାଣନ୍ତି ନାହିଁ ? ତାଙ୍କରି ଭାଷାରୁ ଏହାର ଉତ୍ତର ଉଣ୍ଡାଳିବା ।

ମୋର ଏକ ପ୍ରକାଶିତ ନିବନ୍ଧର ଶୀର୍ଷକ ଥିଲା – ‘ଭାଷା ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ବାଧ୍ୟ,କାରଣ ମନ୍ତ୍ରୀମଣ୍ଡଳ ଭାଷା ଆନ୍ଦୋଳନ ସପକ୍ଷରେ’ । ଭାଷା ଆନ୍ଦୋଳନର ସୃଷ୍ଟି ସମ୍ପର୍କରେ ମୁଁ ପ୍ରସଙ୍ଗକ୍ରମେ ଏଥିରେ ଲେଖିଥିଲି,

“ଆଇନ ସଂଶୋଧନ ସକାଶେ ଜନମତ ସୃଷ୍ଟିପାଇଁ ମୁଁ ଏକ ସ୍ବତନ୍ତ୍ର ଆନ୍ଦୋଳନର ପରିକଳ୍ପନା କଲି ଓ ୧.୪.୨୦୧୬ ତାରିଖରେ ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ପୃଷ୍ଠାରେ ଜନସାଧାରଣଙ୍କ ମତ ଲୋଡ଼ିଲି । ମୋତେ ଇ-ମେଲ ମାଧ୍ୟମରେ ତତ୍କାଳ ସମର୍ଥନ ଜଣାଇଲେ ଟିଟିଲାଗଡ଼ ନିବାସୀ ଗଜାନନ ମିଶ୍ର , ଯେ କି ୧.୭.୨୦୧୫ରେ ମଧୁମିତା ସାମଲ ଓ ସଂଜୀବ ପରିଡ଼ାଙ୍କ ସହ ମିଶି ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଅନଶନ କରିଥିଲେ । ଚାଟାର୍ଡ଼ ଅକଉଣ୍ଟାଣ୍ଟ ବିଶ୍ଵଜିତ ମହାନ୍ତି, ପ୍ରଫେସର କମଳା ପ୍ରସାଦ ମହାପାତ୍ର ଇତ୍ୟାଦି ବନ୍ଧୁମାନେ ବି ସେମାନଙ୍କ ମୂଲ୍ୟବାନ ପରାମର୍ଶ ଦେଲେ । ତହିଁରୁ ମୋର ହୃଦବୋଧ ହେଲା କି, ମୁଁ ସରକାରଙ୍କୁ ଦେଇଥିବା ପରାମର୍ଶ ସପକ୍ଷରେ ଏକ ଆନ୍ଦୋଳନ ଠିଆ କରାଯାଇପାରିବ । ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନଚେତନା ଜାଗ୍ରତ କରିବା ପାଇଁ ମୁଁ ସୃଷ୍ଟିକରିଥିବା ନୀରବ କଳାପତାକା ଅଭିଯାନ ପଦ୍ଧତ୍ତିରେ ଏହି ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲି ।
ସମାଜ କାଗଜରେ ଚାଲିଥିବା କର୍ମଚାରୀଶୋଷଣ ବିରୁଦ୍ଧରେ ସୃଷ୍ଟିହୋଇଥିବା ‘ସେଭ ଦି ସମାଜ ଫୋରାମ’ ହେତୁ ମୋର ନିକଟତର ହୋଇଥିବା ବିଜ୍ଞାପନ ସଂଗ୍ରାହକ ପବିତ୍ର ମୋହନ ମହାରଥା ଏ କ୍ଷେତ୍ରରେ ମୋର ପ୍ରଥମ ସହଯୋଗୀ ସାଜିଲେ । ସୁବାର୍ତ୍ତା ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ ଓ ସାମ୍ବାଦିକ ସାଗର ଶତପଥୀ, ଯେଉଁମାନେ କି ମଧୁବାବୁଙ୍କ ବିଜେସ୍ଥଳୀରୁ ମୋଦୀ ଓ ନବୀନଙ୍କ ପ୍ରଚାର-ପ୍ରାଚୀର ହଟାଇବାରେ ମୋତେ ସାହାଯ୍ୟ କରିଥିଲେ, ସେମାନେ ଏଥିପାଇଁ ସହଯୋଗର ହାତ ବଢ଼ାଇଲେ । ଓଡ଼ିଆ ଭାଷାର ମୁମୂର୍ଷୁ ଅବସ୍ଥା ଲକ୍ଷ୍ୟ କରି ଭାଷାଭିତ୍ତିକ ଜାତୀୟତା ଉଦ୍ରେକ କରିବା ସକାଶେ ‘ଓଡିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ଶୀର୍ଷକ ଏକ ପ୍ରାମାଣିକ ନିବନ୍ଧରେ ଆମ ଭାଷାକୁ ରକ୍ଷା କରିବା ପାଇଁ କିପରି ଆମ ସାମ୍ବାଦିକୀୟ ପୂର୍ବସୂରୀମାନେ ନେତୃତ୍ବ ଦେଇଥିଲେ ତାହାର ଅବତାରଣା କରି ଏଥିପାଇଁ ଆମ ସାମ୍ବାଦିକମାନଙ୍କୁ ଜାଗ୍ରତ କରାଇବାକୁ ମୁଁ ଚେଷ୍ଟା କରିଥିଲି ୨୦୦୯ରେ ନଭମଞ୍ଚରେ । ସୁତରାଂ ସାମ୍ବାଦିକୀୟ ବୃତ୍ତିରେ ଥିବା ଆମେ ପାଞ୍ଚଜଣ ଏକାଠି ହେବା ଥିଲା ସ୍ଵପ୍ନ ସାର୍ଥକ ହେଲାପରି ଏକ ରୋମାଞ୍ଚକର ଉପଲବ୍ଧି ।
ଇ-ମେଲ ଯୋଗେ ସଂସ୍ଥାପିତ ସମ୍ପର୍କ ପ୍ରତ୍ୟକ୍ଷ ସମାବେଶରେ ଓ କାର୍ଯ୍ୟାନ୍ତ ଅନୁମୋଦନରେ ରୁପାୟିତ ହେଲା ୮.୪.୨୦୧୬ ସନ୍ଧ୍ୟାରେ, ଯେତେବେଳେ ଆମ ସହ ଯୋଗ ଦେଲେ ଡ଼. ନିତ୍ୟାନନ୍ଦ ପଟ୍ଟନାୟକ, ଶ୍ରୀମତୀ ମଧୁମିତା ସାମଲ, କାଳିପ୍ରସାଦ ସାମନ୍ତରାୟ,ସୁବ୍ରତ ଛାଟୋଇ, କାହ୍ନୁ ବେହୁରା । ସ୍ଥାନ ଥିଲା : ପ୍ରଦ୍ୟୁମ୍ନବାବୁଙ୍କ ସୁବାର୍ତ୍ତା କାର୍ଯ୍ୟାଳୟ, କାରଣ ମୁଁ ରହୁଥିବା ସରକାରୀ ଘର ସେଥିପାଇଁ ଉପଯୁକ୍ତ ନଥିଲା । ମୌଖିକ ଅନୁମୋଦନ ଅନୁସାରେ ମୁଖ୍ୟ ଶାସନ ସଚିବଙ୍କୁ ଦିଆସରିଥିଲା ସ୍ମାରକପତ୍ର ଦିନବେଳେ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ।
ଆରମ୍ଭ ହେଲା ଭାଷା ଆନ୍ଦୋଳନ ଏବଂ ଚାରି ଦିନ ପରେ ୧୩. ୪. ୨୦୧୬ (ପଣା ସଂକ୍ରାନ୍ତି – ଓଡ଼ିଆ ନୂଆ ବର୍ଷ)ରେ କଳାପତାକା ଅଭିଯାନ ।“

ଭାଷା ଆନ୍ଦୋଳନ ମୁଁ କିପରି ପ୍ରତିଷ୍ଠା କରିଥିଲି ତାହାର ଉପରୋକ୍ତ ଚିତ୍ର ଉପରେ ମନ୍ତବ୍ୟ ରଖି ଜାନକୀଶ ବଡପଣ୍ଡା ୨୦.୪.୨୦୧୮ରେ ଲେଖିଥିଲେ

“ଭାଷା ଆଇନ ସଂଶୋଧନ ପ୍ରସଙ୍ଗରେ ଆପଣଙ୍କ ସୁଖପାଠ୍ୟ ଅଥଚ ଅତ୍ୟନ୍ତ ଗମ୍ଭୀର ପ୍ରବନ୍ଧଟି ଅତ୍ୟନ୍ତ ଉଚ୍ଚକୋଟିର। ଅତ୍ୟନ୍ତ ସାବଲୀଳ ଭାବେ ସମଗ୍ର ଭାଷାଆନ୍ଦୋଳନର ଇତିହାସ ଆପଣ ଉପସ୍ଥାପିତ କରିଛନ୍ତି ।“

ଅତଏବ , ଭାଷା ଆନ୍ଦୋଳନ ମୋ ଦ୍ଵାରା ପରିସୃଷ୍ଟ ବୋଲି ସେ ଜାଣନ୍ତି ଓ ତାହା ସ୍ଵୀକାର ବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏହି ଏକା ବ୍ୟକ୍ତି ଉପରୋଦ୍ଧୃତ୍ତ ମତେ ପ୍ରମେୟରେ ଯାହା କହିଛନ୍ତି ତାହା ଆମ ଭାଷା ଇତିହାସ ପ୍ରତି ଯେ ଅବମାନନା – ଏହା ବୁଝିବାର ଯୋଗ୍ୟତା ତାଙ୍କର ଅଛି କି ନାହିଁ , ମୋତେ ଜଣାନାହିଁ ।

ପାପ ଗର୍ଭ ଧାରଣ କରିଥିବା ନାରୀର ଅଇ ସହ ତୁଳନୀୟ ଜାନକୀଶଙ୍କ ଉଦ୍ଗାର । ସତେ ଯେମିତି ଏ ଅଇ ଭିନ୍ନ ତାଙ୍କର ଅନ୍ୟ ଗତି ନାହିଁ !

ଏହାଙ୍କୁ ମିଶାଇ ତିନି ଜଣ ଲୋକଙ୍କ ଏହି ପ୍ରକାରର ଅଇ ଏ ଭିତରେ ଓଗାଳି ହେଲାଣି । ଅନ୍ୟ ଦୁଇଜଣ ହେଲେ ଭାଗୀରଥୀ ମହାସୁଆର ଓ ଗଜାନନ ମିଶ୍ର । ସେମାନଙ୍କ କଥା ପରେ ଆଲୋଚନା କରିବା ।

ଏବ ପାଇଁ ଏତିକି କୁହାଯାଇପାରେ ଯେ, ଭାଷା ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଓଡ଼ିଶା ସରକାର ସବୁ ପ୍ରକାରର କୁତ୍ସିତ କଳକୌଶଳ ପ୍ରୟୋଗ କରି ବିଫଳ ହେବା ପରେ ମୋତେ ବ୍ୟକ୍ତିଗତ ଭାବେ ଆକ୍ରମଣ କରିବା ଆରମ୍ଭ କରାଇଛନ୍ତି । ଏହି ସୂକ୍ଷ୍ମ ସରକାରୀ ଷଡ଼ଯନ୍ତ୍ରର ସର୍ବଶେଷ ନମୁନା ହେଲା ଜନକୀଶ ବଡପଣ୍ଡାଙ୍କ ପ୍ରମେୟ ପ୍ରବନ୍ଧ । (ପରେ ଅବଶିଷ୍ଠାଂଶ) ।

Comments

2 Comments

Post a comment
  1. ଭବାନୀ ଶଙ୍କର ପରିଜା #
    October 14, 2019

    ଲକ୍ଷ୍ୟ ରୁ ବିଚ୍ୟୁତ କରିବାପାଇଁ ହତୋତ୍ସାହିତ କରାଯିବା ସ୍ୱାଭାବିକ ପ୍ରକ୍ରିୟା।କାରଣ ଶାସନ ଇନ୍ଦ୍ରଙ୍କ ପରି ବହୁ ଛଳନା ଓ କପଟ ର ଆଶ୍ରୟ ନିଏ।କିନ୍ତୁ ଯୋଗୀ ନିଜ ଲକ୍ଷ୍ୟ ହାସଲ ପାଇଁ ସତତ ଉଦ୍ୟମ ଚଳାଇରଖେ।ସେଇଥିପାଇଁ କେବଳ ମୁଁ ଆପଣଙ୍କ ସହିତ ଏହି ଜାତୀୟ ଆନ୍ଦୋଳନ ସପକ୍ଷରେ ଅଛି ଓ ଶେଷପର୍ଯ୍ୟନ୍ତ ଥିବି।ମା ପାଇଁ ପୁଅର ଅଭାବ ନାହିଁ।ଏଣୁ ଏମାନଙ୍କ ନାମ ପ୍ରଚାରରୁ ନିବୃତ୍ତ ରହନ୍ତୁ।ବନ୍ଦେ ଓଡିଶା ଜନନୀ 💐ଜୟ ଜଗନ୍ନାଥ ସ୍ୱାମୀ💐💐

    • admin #
      October 14, 2019

      ଅଶେଷ ଧନ୍ୟବାଦ ଭାଇ । ରାମ ତ ରାବଣଙ୍କୁ ମାରିଲେ , କିନ୍ତୁ ସବୁଠୁ ସଂକ୍ଷେପରେ ରାମାୟଣ ବର୍ଣନା କରିବାକୁ ଯାଇ ଆମ ପୂର୍ବ ପୁରୁଷେ କହିଯାଇଛନ୍ତି – ସୀତା ହରଣ , ରାବଣ ମରଣ – ଇତି ଶ୍ରୀ ରାମାୟଣ । ତେଣୁ ବେଳେବେଳେ ଅତ୍ୟନ୍ତ ଦୁଃଖର ସହ ଏହି ରାବଣମାନଙ୍କ ନାମ ନେବାକୁ ପଡୁଛି । (ସୁଭାଷ)

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.