ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଜି॰ଭି॰ଭି॰ ଶର୍ମା ଜଣେ ଓଡ଼ିଆ ବିଦ୍ଵେଷୀ ଅଣଓଡ଼ିଆ ଅଫିସର । ସାଧାରଣ ପ୍ରଶାସନ ବିଭାଗ ଛାଡ଼ିଥିଲେ ମଧ୍ୟ ଭାଷା ଆଇନ ସଙ୍କ୍ରାନ୍ତୀୟ ଦାୟିତ୍ଵରୁ ମୁଖ୍ୟମନ୍ତ୍ରୀ ଏହି ଓଡ଼ିଆବିରୋଧୀ ଅଫିସରଙ୍କୁ ବିଦାକରିନଥିଲେ । ଏହି ଅଫିସର ମୁଁ ଦେଇଥିବା ଚିଠା ବିଧାନକୁ ବିରୋଧ କେବଳ କରିଥିଲେ ତା ନୁହେଁ , ସମ୍ପୃକ୍ତ ନଥିଟିକୁ ଗାଏବ ମଧ୍ୟ କରିଦେଇଥିଲେ । ମନ୍ତ୍ରୀସ୍ତରୀୟ କମିଟିର ଦାୟିତ୍ଵରେ ରହି ସେହି କମିଟିକୁ ଗୁଳାହରା କରାଇ ଶେଷରେ ପବନରେ ଉଡ଼ାଇଦେବାରେ ତାଙ୍କର ସଫଳତା ଦୃଷ୍ଟିରୁ ସେ କେବଳ ଅଣଓଡ଼ିଆ ଅଫିସରମାନଙ୍କ ପାଇଁ ନିର୍ଭରଯୋଗ୍ୟ ଥିଲେ ତାହା ନୁହେଁ, ଆମ ଓଡ଼ିଆ କୁଳସମ୍ଭୁତ ଦେଶୀଇଂରେଜିଆ ନେତା ଓ ଅମଲା ପଲଙ୍କ ପାଇଁ ବି ମାନ୍ୟ ହୋଇଉଠିଥିଲେ ।

ନିୟମାବଳୀ ପ୍ରଣୟନ ପାଇଁ ପ୍ରଥମେ ଭାଷା ଆଇନରେ ବ୍ୟବସ୍ଥା ରଖାଯାଉ ଓ ସେଥିପାଇଁ ଏକ ନୂଆ ଧାରା (ଧାରା ୪) ତହିଁରେ ଖଞ୍ଜାଯାଉ ବୋଲି ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ତାହାକୁ ଲୁଚାଇ ରଖି ଆଇନ ବିଭାଗ ସହ ଏ ବହୁ ଖେଳ ଖେଳିଲା ପରେ ବାଧ୍ୟ ହୋଇଥିଲେ ତାହାକୁ ବିଧି ବିଭାଗକୁ ପଠାଇବାପାଇଁ । ବିଧି ବିଭାଗ ତାହାକୁ ପେନସିଲ୍ ମାର୍ଜନ କରି ନିଜ ଅନୁମୋଦନ ସହ ସାଧାରଣ ପ୍ରଶାସନ ବିଭାଗକୁ ନଥିଟିକୁ ପଠାଇଦେଲାପରେ ଏହି ବ୍ୟକ୍ତି ୨୧.୫.୨୦୧୬ରେ ଅଧ୍ୟାଦେଶ ଜାରି ପାଇଁ ଏକ ତରବାରିଆ ପରିସ୍ଥିତି ସୃଷ୍ଟି କରାଇ ସେହି ତରବରିଆମୀ ଭିତରେ ଜାଲିଆତି କରି ମୁଁ ଦେଇଥିବା ଓ ଆଇନ ବିଭାଗ ଅନୁମୋଦନ କରିଥିବା ଧାରା-୪କୁ ଧାରା-୫ରେ ପରିବର୍ତ୍ତିତ କରି ଧାରା ୪ ଭାବେ ଏକ ଅନଧିକୃତ ବ୍ୟବସ୍ଥା ଖଞ୍ଜି ଆମ ଭାଷା ଆଇନକୁ ଅବମାନନା କରିଆସିଥିବା ପଦଧିକାରୀ ବିଶେଷତଃ ଅଣଓଡ଼ିଆ ପଦାଧିକାରୀମାନଙ୍କ ମର୍ଜିଭୁକ୍ତ କରିଦେଲେ ।

ଏହାର ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତରେ ମୁଁ ଦେଇଥିବା ସ୍ମାରକପତ୍ର କିପରି ଆଉ ଜଣେ ଅଣଓଡ଼ିଆ ପଣ୍ଡିଆନଙ୍କ ମାର୍ଫତରେ ନଷ୍ଟ ହୋଇଗଲା ତାହାର ବିବରଣୀ ମୁଁ ପୂର୍ବରୁ ଦେଇଛି । ଶୀର୍ଷକ: Predicament over Pandian: Need is Governor’s Intervention  ।

ଅତଏବ , ଅଣଓଡ଼ିଆ ଅଫିସରମାନେ ଆମ ଭାଷା ଅଧିକାରକୁ ଖତମ କରିବା ପାଇଁ ଗଭୀର ଷଡ଼ଯନ୍ତ୍ର ଚଳାଇଥିଲେ ଓ ଚଳାଇଛନ୍ତି । ସେମାନଙ୍କ ପ୍ରଭାବ ମୁଖ୍ୟମନ୍ତ୍ରୀ ଉପରେ ପ୍ରଚୂର ଥିବା ହେତୁ ଆମ ଦେଶୀଇଂରାଜିଆ ଓଡ଼ିଆ ଅଫିସରମାନେ ନିରବଦ୍ରାଷ୍ଟା ହୋଇ ରହୁଛନ୍ତି ବା ସେମାନଙ୍କୁ ନିଜ ସ୍ଵାର୍ଥ ଦୃଷ୍ଟିରୁ ସହଯୋଗ କରୁଛନ୍ତି ।

ଏହି ଦୃଶ୍ୟପଟ ସ୍ପଷ୍ଟ କରେ , ସାଧାରଣ ପ୍ରଶାସନ ବିଭାଗ ଛାଡି ଥିଲେ ମଧ୍ୟ ଭାଷା ଆଇନ ସଂଶୋଧନ ଦାୟିତ୍ଵ ଶର୍ମାଙ୍କ ହେପାଜତରେ କାହିଁକି ଚାଲିଥିଲା ।

ମୁଁ ୧୯.୫.୨୦୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ତାଙ୍କୁ ମୋର ଦୁଇଜଣ ସହକର୍ମୀଙ୍କ ସହ ଭେଟି ଶର୍ମା ଜାଲିଆତି କରି ଖଞ୍ଜିଥିବା ୪ ଧାରାକୁ ବଦଳାଇବାକୁ ଦେଇଥିବା ସ୍ମାରକପତ୍ରକୁ ଗାଏବ କରାଯାଇଥିଲେ ମଧ୍ୟ ତାଙ୍କ ଜାଲିଆତି ଯେ ମୋ ନଜରରେ ଧରାପଡ଼ିଯାଇଛି, ଏହା ଜାଣିଯାଇଥିଲେ ଶର୍ମା ଓ ଓଡ଼ିଆବିରୋଧୀ ଅମଲା ପଲ ।

ତେଣୁ ଭାଷା ଆଇନଟିରେ ଏପରି ସଂଶୋଧନ ହେବ , ଯଦ୍ଦ୍ଵାରା ତହିଁର ଖିଲାପକାରୀକୁ ଦଣ୍ଡବିଧାନପାଇଁ ଆମ ଦାବି ସପକ୍ଷରେ ଉଚ୍ଚାରଣ ରହିବ ,ମାତ୍ର ଆଚରଣରେ ତାହା ଅକାମି ହୋଇଯିବ – ଏଥିପାଇଁ ଚକ୍ରାନ୍ତ ଚାଲିଲା । ଏହି ଚକ୍ରାନ୍ତ ଫଳରେ ପୁରୀ ଠାରେ ୨୬.୧୨.୨୦୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ସମାବେଶରେ ଏକ ଅଭୂତପୂର୍ବ ମନ୍ତ୍ରୀମଣ୍ଡଳ ବୈଠକ କରି ତହିଁରେ ତୃତୀୟ ପ୍ରସ୍ତାବ ଭାବେ ଗୃହୀତ ପ୍ରସ୍ତାବରେ ଓଡ଼ିଶା ସରକାରୀ ଭାଷା ଆଇନକୁ ବସ୍ତୁତଃ ପଙ୍ଗୁ କରିଦେବାପାଇଁ ବୀଜବପନ ହେଲା । ସେହି ପ୍ରସ୍ତାବତୀ ଥିଲା ଏହିପରି :

“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ୱ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ତା ୦୧.୦୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ ।”

ଅନ୍ୟମାନେ ତାକୁ ସ୍ଵାଗତ ଜଣାଇଥିଲେ ବି ମୁଁ ଭୀଷଣ ବିରୋଧ କରିଥିଲି । ବସ୍ତୁତଃ ତାହା ଥିଲା ଏକ ବୌଦ୍ଧିକ ସଂଘର୍ଷ ସରକାରଙ୍କ ସହ । ସରକାର ମୋ ଯୁକ୍ତି ଖଣ୍ଡନ କରିବାକୁ ସକ୍ଷମ ନଥିଲେ ଓ ସେ ପର୍ଯ୍ୟନ୍ତ ଅନ୍ଦାଜ ବି କରିପାରୁନଥିଲେ ଯେ, ହୀନମନ୍ୟତା ଓ ଅର୍ଥ ଲୋଭର ବଶବର୍ତ୍ତୀ ହୋଇ ପବିତ୍ର ଓ ପ୍ରଦ୍ୟୁମ୍ନ ମୋ ସହ ବିଶ୍ଵାସଘାତକତା ବି କରିପାରନ୍ତି । ତେଣୁ, ୧୪.୩.୨୦୧୮ରେ ପୁନଶ୍ଚ ମନ୍ତ୍ରୀମଣ୍ଡଳ ବୈଠକ ବସି ୨୬.୧୨.୨୦୧୭ର ପ୍ରମାଦ ସଂଶୋଧନ କଲେ । ସେଦିନର ଗୃହୀତ ପ୍ରସ୍ତାବ ନିମ୍ନ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମକୁ ଏବଂ ମୋତେ ମଧ୍ୟ ଉପଲବ୍ଧ ହୋଇଥିଲା । ତାହା ଥିଲା :

ପ୍ରେସ ବିଜ୍ଞପ୍ତି
୧॰ ଓଡ଼ିଆ ଭାଷା କମିଟି ଦ୍ଵାରା ସମୀକ୍ଷା ସମୟରେ ଅନେକ ସରକାରୀ କର୍ମଚାରୀ/ଅଧିକାରୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ କରୁନଥିବା କିମ୍ବା ଠିକ ଭାବରେ କରୁନଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଅଛି ।
୨. ଓଡ଼ିଶା ସରକାରୀ ଭାଷା ଆଇନ , ୧୯୫୪ ଯଦିଓ ୧୯୫୪ ମସିହା ଠାରୁ ଲାଗୁ ହୋଇଅଛି ଏବଂ ଏହାର ଧାରା (୨) ଏବଂ ଉପଧାରା (୨) ଅନୁସାରେ ୧୯୮୫ ମସିହାରେରେ ବିଜ୍ଞାପନ ଦ୍ଵାରା ସରକାରୀ କାର୍ଯ୍ୟ ଓଡ଼ିଆରେ କରିବା ପାଇଁ ନିୟମ କରାଯାଇଅଛି, ଯେହେତୁ ଏଥିରେ ଦଣ୍ଡ ବିଧାନର କୌଣସି ବ୍ୟବସ୍ଥା ନାହିଁ , ଅନେକ ଅଧିକାରୀ ଏହାକୁ ସୁଚାରୁରୂପେ ପାଳନ କରୁନଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଅଛି ।
୩. ଏହି ପରିପ୍ରେକ୍ଷୀରେ , ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ର ଧାରା (୨) ଓ ଉପଧାରା (୨) ଅନୁଯାୟୀ ବିଜ୍ଞପ୍ତି କରାଯାଇଥିବା ନିୟମ ଯେଉଁ ଅଧିକାରୀ / କର୍ମଚାରୀ ପାଳନ କରିବେ ନାହିଁ , ସେମାନଙ୍କ ପାଇଁ ଦଣ୍ଡବିଧାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
୪. ସେହିପରି ଯେଉଁ କର୍ମଚାରୀ / ଅଧିକାରୀମାନେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ସଠିକ ପ୍ରୟୋଗ କରିବେ ସେମାନଙ୍କୁ ପୁରସ୍କୃତ କରିବା ପାଇଁ ସରକାର ସ୍ଥିର କରିଛନ୍ତି ।

ମୁଁ ଏହାକୁ ସ୍ଵାଗତ ଜଣାଇଥିଲି ଏହି ନଭମଞ୍ଚରେ ଏହି ଶୀର୍ଷକରେ :
ଭାଷା ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ବାଧ୍ୟ, କାରଣ ମନ୍ତ୍ରୀମଣ୍ଡଳ ଭାଷା ଆନ୍ଦୋଳନ ସପକ୍ଷରେ

ନିବନ୍ଧଟି ପାଠ କଳା ପରେ ତହିଁ ତଳେ ଥିବା ଅଭିମତ (comment)ଗୁଡ଼ିକ ଭିତରେ ଆପଣ ପାଇବେ ବନ୍ଧୁ ଜାନକୀଶ ବଡ଼ପଣ୍ଡା ରଖିଥିବା ଅଭିମତଟି । ସେଇଟିକୁ ବି ପାଠ କରନ୍ତୁ । ତା ସହ ୧୬.୭.୨୦୧୮ ସନ୍ଧ୍ୟାରେ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ଵରେ ଏ ବାବୁ ଦେଇଥିବା ବିବୃତ୍ତି ଓ ୧୦.୧୦.୨୦୧୯ରେ ପ୍ରମେୟ କାଗଜରେ ଲେଖିଥିବା “ଭାଷା ଆଇନକୁ ନେଇ ଚର୍ଚ୍ଚା” ଶୀର୍ଷକ ପ୍ରବନ୍ଧକୁ ମିଳାଇ ପଢିଲେ ଅକ୍ଳେଶ ଜାଣିହେବ, ନିଜର ନୀଚ ସ୍ଵାର୍ଥ ପାଇଁ ଏହି ଅରଜକତାବାଦୀମାନେ ନିଜ ଭାଷା ବିରୁଦ୍ଧରେ କିପରି ନିର୍ଲ୍ଲଜ ଭାବେ ହାତ ମିଳାଇଛନ୍ତି ଆମ ଭାଷାର ବିରୋଧୀମାନଙ୍କ ସହ । (କ୍ରମଶଃ)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.