ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଓଡ଼ିଆ ଜାତିର ଭାଷା ଅଧିକାର ବିରୁଦ୍ଧରେ ନବୀନ ପଟ୍ଟନାୟକଙ୍କ ସରକାର ଚଳାଇଥିବା ସୂକ୍ଷ୍ମ ଷଡ଼ଯନ୍ତ୍ରର ଏକ ଅଂଶ ଥିଲା ଅକ୍ଟୋବର ୧୦ ତାରିଖର ପ୍ରମେୟରେ ପ୍ରକାଶିତ ଜାନକୀଶ ବଡପଣ୍ଡାଙ୍କ ପ୍ରବନ୍ଧ, ଯାହାର କେନ୍ଦ୍ରବିନ୍ଦୁ ବିଦାରଣ ମୁଁ କରିଛି ଗତକାଲି ଏହି ମଞ୍ଚରେ ।

ଏହି ଷଡ଼ଯନ୍ତ୍ରର ସାଂପ୍ରତିକ ମୁଖ୍ୟ ସଞ୍ଚାଳକ ହେଲେ ପ୍ରଦ୍ୟୁମ୍ନ ଶତପଥୀ ଯେ କି ପତ୍ନୀଙ୍କ ମାଧ୍ୟମରେ ପ୍ରାୟ ଦେଢକୋଟି ଟଙ୍କା ପରିମାଣର ସମ୍ଭାବ୍ୟ ଆୟର ଝଲକରେ ଝଲସି “କୁଳ ଗଉରବ ବାରି ନ ପାରନ୍ତି ଆରତେ ସଫରୀନୟନା” ରୀତିରେ ୧୬.୭.୨୦୧୮ ସନ୍ଧ୍ୟାରେ ପବିତ୍ର ଓ ଜାନକୀଶଙ୍କ ସମେତ ଆଉ ୭ ଜଣ ହେଣ୍ଡାଙ୍କୁ ସାଙ୍ଗରେ ଧରି ବିଧାନସଭାର “ଆଗାମୀ ବର୍ଷାକାଳୀନ ଅଧିବେଶନ ପର୍ଯ୍ୟନ୍ତ କଳା ପତାକା ଅଭିଯାନ ସ୍ଥଗିତ ରଖିବ” ବୋଲି ଭାଷା ଆନ୍ଦୋଳନ ନିଷ୍ପତ୍ତି କରିଥିବାର ମିଥ୍ୟା ପ୍ରଚାର କରିଥିଲେ ।

ଆଗକୁ ଯିବା ପୂର୍ବରୁ ତହିଁ ପରଦିନ, ଅର୍ଥତ୍ ୧୭.୭.୨୦୧୮ରେ ମୁଁ ଏହି ଦୁରାଚାରର ଯେଉଁ ବିବରଣୀ ପ୍ରକାଶ କରିଥିଲି ତାହାର ଅନୁଧ୍ୟାନ ପ୍ରଥମେ ଆବଶ୍ୟକ । ନିମ୍ନରେ ପ୍ରଦତ୍ତ ଉଦ୍ଧୃତ୍ତାଂଶ ଉପରେ  ଅଙ୍ଗୁଳି ବା ମୂଷିକ ଚାପ ଦେଇ ଆପଣ ସମଗ୍ର ଉପସ୍ଥାପନାଟି ଅଧ୍ୟୟନ ଓ ଅନୁଧ୍ୟାନ କରିପାରିବେ । ଏଥିରେ ଆପଣ ଏମାନଙ୍କ ଦୁରାଚାରର ବିବରଣୀ ପାଇପାରିବେ, କିନ୍ତୁ ଦୁରାଚାରର ପୂର୍ଣାଙ୍ଗ କାରଣ ପାଇପାରିବେ ନାହିଁ  ।  କାରଣ, ସେତେବେଳେ ମୋତେ ବି ପୂର୍ଣାଙ୍ଗ କାରଣ ଜଣା ନଥିଲା । ଜାଣିବାକୁ ଏତେ ଦିନ ଧରି ମୁଁ ଅନୁସନ୍ଧାନ ଚଳାଇଥିଲି । ଧୀରେ ଧୀରେ ସେ ସବୁ ଉପସ୍ଥାପିତ ହେବ ।  ତେଣୁ ପ୍ରଥମେ ସେ ଦିନର ଦୃଶ୍ୟପଟ ଦେଖନ୍ତୁ :

ମୁଁ ଲେଖିଥିଲି –

ଦୁଷ୍ଟବୁଦ୍ଧିସମ୍ପନ୍ନ ଲୋକଙ୍କ ସହ ସମ୍ପର୍କ ରଖିଲେ ଯେ ସେମାନଙ୍କଠାରୁ ମରଣାନ୍ତକ ଆଘାତ ମିଳିପାରେ ତାହା ମୁଁ ଗତକାଲି ଜୁଲାଇ ୧୬ ସନ୍ଧ୍ୟାରେ ହିଁ  ଜାଣିଲି । ମୋ ପରିବାରର ସଦସ୍ୟମାନେ ଓ ମୋର ଖାସ୍ ନିଜ ଲୋକେ ଯେଉଁମାନେ ଏହି ପୃଷ୍ଠାକୁ ଆସନ୍ତି କେବଳ ସେହିମାନଙ୍କୁ ଜଣାଇବା ପାଇଁ ଯେ, ସାପ ସହ ବାସ କରିବା ନିରାପଦ ନୁହେଁ, ମୁଁ ଭାଷା ଆନ୍ଦୋଳନର ଜୀବନରେ କାଲି ଯାହା ଘଟିଲା ତାହା ଦୁଃଖର ସହ ଏଠି ରଖୁଛି ।

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.