‘ମିଛ କେବେ ସତ ହୁଏନା’ ମିଛ ଓଗାଳୁଛି : ସତ ଜାଣିବା ପାଇଁ ସିବିଆଇ ତଦନ୍ତ ଦରକାର

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ପ୍ରସ୍ତୁତ ସରକାରୀ ସନ୍ଦର୍ଭ କିପରି ସେହି ପ୍ରକଳ୍ପରେ କାମ କରୁଥିବା ଲୋକେ ଚୋରୀ କରିନେଇ ତତ୍କାଳୀନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ମାଧ୍ୟମରେ ସରକାରୀ ସତ୍ତ୍ଵାଧିକାର ଉପରେ ଏକ ଦଣ୍ଡନୀୟ ସତ୍ତ୍ଵାଧିକାର ସୃଷ୍ଟି କରିଛନ୍ତି ଓ ସରକାରୀ ସନ୍ଦର୍ଭଟିକୁ ଓଡ଼ିଶାର ସାଧାରଣ ଲୋକଙ୍କ ପାଇଁ ଅପ୍ରାପ୍ୟ କରାଯାଇଛି ତହିଁର ପ୍ରାମାଣିକ ତଥ୍ୟ ‘ମିଛ କେବେ ସତ ହୁଏନା’ ପୁସ୍ତକରେ ପ୍ରଘଟ ହେବା ପରେ ଏହି ଦଣ୍ଡନୀୟ ଆଚରଣରେ ଜଡ଼ିତ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟି ନିଜ ନିଜ ସ୍ତରରେ ଭିଡିଓ ଜାରିକରି ସର୍ବ ସାଧାରଣଙ୍କୁ ନିଜ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି । କୌତୁହଳର କଥା, ସତ୍ୟ ସ୍ଵୀକାର କରିବା ପରିବର୍ତ୍ତେ, ଏ ଉଭୟେ ଯାହା କହିଛନ୍ତି ତାହା ଅଧିକ ମିଥ୍ୟା ଓଗାଳିଲା ପରି ପ୍ରତୀତ ହେଉଛି । ମନେ ହେଉଛି , ଏହି ଅପରାଧ ଉପରେ ସରକାର ଗତ ୪ ବର୍ଷ ଧରି ତଦନ୍ତର ଯେଉଁ ନାଟକ ଚଳାଇଛନ୍ତି ତାହା ବନ୍ଦ କରି ସତ୍ୟ ଜାଣିବା ପାଇଁ ସିବିଆଇର ଆଶ୍ରୟ ନେବାକୁ ହେବ ।

ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଥିବା ବହିରେ ଡ. ପଟ୍ଟନାୟକଙ୍କୁ ତହିଁର ଲେଖକ ଭାବେ ସ୍ଥାନିତ କରିଛନ୍ତି । ଶ୍ରୀ ପୃଷ୍ଟି ତାଙ୍କ ଭିଡ଼ିଓରେ ନିଜକୁ ସେହି ସନ୍ଦର୍ଭର ଲେଖକ ବୋଲି ଜାରି କଲେଣି । କୌଣସି ଗ୍ରହଣଯୋଗ୍ୟତା ନଥିବା ପୃଷ୍ଟିଙ୍କ କେଇପୃଷ୍ଠାର ଚିଠାକୁ ୮୦ ପ୍ରୁଷ୍ଠା ପର୍ଯ୍ୟନ୍ତ ବଢାଇ ଏହାର ଭିତ୍ତିପତ୍ର ତିଆରି କରିଥିବାର ଦାବି ରଖିଥିବା ନଟବର ଶତପଥୀ ପୃଷ୍ଟିଙ୍କ ଭିଡ଼ିଓରେ ଆଦୌ ଉଚ୍ଚାରିତ ବି ହୋଇନାହାନ୍ତି । ତେଣୁ ତାଙ୍କରି ନିର୍ମିତ ଭିତ୍ତିପତ୍ରକୁ ନିଜ କୃତ ବୋଲି ଡ. ପଟ୍ଟନାୟକ ଦେଖେଇଥିବାର ଯେଉଁ ଦାବି ଶ୍ରୀ ଶତପଥୀ “ସାହିତ୍ୟ ମନ୍ଥନ”ରେ କରିଥିଲେ ତାହା ଏବେ ସନ୍ଦେହର ଆବର୍ତ୍ତରେ ।

ଅସଲ ପ୍ରସଙ୍ଗ ହେଉଛି, ସରକାରୀ ସନ୍ଦର୍ଭ ପ୍ରକଳ୍ପରେ ଏମାନେ ନିଯୁକ୍ତ ରହି ସରକାରଙ୍କଠାରୁ ଟଙ୍କା ନେଇଛନ୍ତି । ଯୌଥ ବିଜ୍ଞତା ବଳରେ ପ୍ରସ୍ତୁତ ହୋଇଥିବା ସେହି ସରକାରୀ ସନ୍ଦର୍ଭକୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତିଆରି କରିଥିବା ସନ୍ଦର୍ଭ ବୋଲି ଅନୁମୋଦନ ଦେଇ ଏମାନେ ତହିଁରେ ସ୍ଵାକ୍ଷର କରିଛନ୍ତି ଓ ତାହାର କୌଣସି ଅଂଶ କେହି ଅନ୍ୟଥା କୌଣସି ପ୍ରକାରେ ହଡଫ କରିପାରିବେ ନାହିଁ ବୋଲି ଜାଣି ମଧ୍ୟ ଶ୍ରୀ ଖୁଣ୍ଟିଆଙ୍କୁ ତାର ଚୋରା ନକଲ ଦେଇ ତହିଁ ଉପରେ ସମାନ୍ତରାଳ ସତ୍ତ୍ଵାଧିକାର ତିଆରି କରିଛନ୍ତି ଓ ଗତ ୪ ବର୍ଷ ଧରି ତହିଁ ଉପରେ ଚାଲିଥିବା ସରକାରୀ ତଦନ୍ତ ଆଗେଇ ପାରୁନଥିବା ବେଳେ ମିଛ କେବେ ସତ ହୁଏନା ପୁସ୍ତକରେ ବର୍ଣ୍ଣିତ ରାଜକୋଷ ଲୁଣ୍ଠନ ଏମାନେ ବାରମ୍ବାର କରିଛନ୍ତି । ଓଡ଼ିଆ ଭାଷା କ୍ଷେତ୍ରରେ ମାଫିଆ ମତାଣ ଅବାରିତ ହୋଇଉଠିଛି ।

ଓଡିଶା ସରକାର ଏମାନଙ୍କ ସହ ହାତ ମିଳାଇଛନ୍ତି । କାରଣ, ଏମାନେ ଭାଷା ଆନ୍ଦୋଳନକୁ ବିରୋଧ କରି ଲୋକଙ୍କୁ ବିଭ୍ରାନ୍ତ କରିବାରେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ଏଣୁ ସିବିଆଇ ଦ୍ଵାରା ତଦନ୍ତର ଆବଶ୍ୟକତା ଅଛି ।

ନବୀନ ରାଜୁତି: ଥାନା ଭାଷା ବି ଇଂରାଜୀ ଅବା ହିନ୍ଦୀ , ଓଡ଼ିଆ ନାସ୍ତି

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ୧୯୫୪ ଭାଷା ଆଇନ ପ୍ରବର୍ତ୍ତିତ ହେବାର ୧୮ ବର୍ଷ ପରେ ୬ ଜୁନ ୧୯୭୨ ତାରିଖରେ ଓଡ଼ିଶାର ଆଇନ ଶୃଙ୍ଖଳାର ଭାଷା ଓଡ଼ିଆ ହେଲା (ଓଡ଼ିଶା ଅଶଧାରଣ ରାଜପତ୍ର, ସଂଖ୍ୟା -୮୯୪)।

କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ରାଜୁତି ଚଳାଇଛନ୍ତି ଯେ, ପୋଲିସ ଏତଲା ପଞ୍ଜିକରଣ କରୁଛି ଇଂରାଜୀରେ ଅଥବା ହିନ୍ଦୀରେ ; ଓଡ଼ିଆରେ ନୁହେଁ । କାରଣ ଓଡ଼ିଶା ସରକାର ଏତଲା ପଞ୍ଜିକରଣର ଯେଉଁ ମୁଦ୍ରିତ ଫର୍ମ ଥାନାମାନଙ୍କୁ ଯୋଗାଇଛନ୍ତି ତହିଁରେ ଓଡ଼ିଆ ନାହିଁ, କେବଳ ଇଂରାଜୀ/ହିନ୍ଦୀ ଅଛି । ତଳେ ଥିବା ଦସ୍ତାବିଜ ନିଠେଇ ଦେଖନ୍ତୁ ।

ଏହି କୁଶାସନ ଯେତେଶ୍ରୀଘ୍ର ପ୍ରତ୍ୟାଖାତ ହୁଏ , ରାଜ୍ୟ ପାଇଁ ସେତେ ମଙ୍ଗଳ: ସୂଚନା ଅଧିକାର ଅଭିଯାନ

ଓଡ଼ିଶା ରାଜ୍ୟ ସୂଚନା ଅଧିକାର ଅଭିଯାନର ମୁଖ୍ୟ ପ୍ରଦୀପ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଓଡ଼ିଆଭାଷାମାରଣ ଆଚରଣର ଏକ ଲେଲିହାନ ଦୃଷ୍ଟନ ଦେଇ “ଏହି କୁଶାସନକୁ ଯେତେଶ୍ରୀଘ୍ର ପ୍ରତ୍ୟାଖାତ କରାଯିବ, ରାଜ୍ୟ ପାଇଁ ସେତେ ମଙ୍ଗଳ” ବୋଲି କହିଛନ୍ତି । ତାଙ୍କ ବିବୃତ୍ତିକୁ ନିମ୍ନରେ ଦିଆଗଲା ।  

ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାକୁ ବହୁତ ଭଲ ପାଆନ୍ତି ଓ ରାଜ୍ୟରେ ଓଡ଼ିଆ ଭାଷାରେ ଶାସନ ବ୍ୟବସ୍ଥା କୁ ସେ ତ୍ଵରାନ୍ବିତ କରିଛନ୍ତି , ଏହି କଥା ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ହୋଇଛି । ଏହା ମଧ୍ୟ ପ୍ରଚାର ହୋଇଛି ଯେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । 2018 ମସିହାରେ ଏହି ଘୋଷଣା ହୋଇ ପୁରୀ ଜିଲ୍ଲାର ସତ୍ୟବାଦୀରେ ଶୁଭ ଦିଆଯାଇଥିଲେ ମଧ୍ୟ , ଏ ପର୍ଯ୍ୟନ୍ତ ଏହାର ରୂପରେଖ କିଛି ନାହିଁ ।

ସାଧାରଣତଃ ଗୋଟିଏ ଭାଷାକୁ କିପରି ଗୁରୁତ୍ୱ ଦିଆଯାଏ , ତାହା ରାଜ୍ୟର ଶିକ୍ଷାଦାନ ବ୍ୟବସ୍ଥା ରେ ବୁଝିହୁଏ । ଅର୍ଥାତ ସ୍କୁଲ, କଲେଜ ଓ ବିଶ୍ୱ ବିଦ୍ୟାଳୟ ରେ ଭାଷାକୁ ଗୁରୁତ୍ୱ , ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି , ପର୍ଯ୍ୟାପ୍ତ infrastructure ବ୍ୟବସ୍ଥା , ଭାଷାର ବିକାଶ ପାଇଁ ଗବେଷଣା ଇତ୍ୟାଦି ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ ।

ମୁଖ୍ୟମନ୍ତ୍ରୀ କିପରି ଓଡ଼ିଆ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ଏବଂ ବିଭିନ୍ନ ମହା ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ରେ କେତେ ଅଧ୍ୟାପକ ଓ ପ୍ରଫେସର ଅଛନ୍ତି , ଓଡ଼ିଆ ଚେୟାର କିପରି କାମ କରୁଛି , ଏହାର ତଥ୍ୟ ସୂଚନା ଆଇନରେ ମଗାଯାଇଥିଲା । ଏହି ତଥ୍ୟରୁ ଜଣାପଡିଥିଲା ଯେ, ବିଭିନ୍ନ ମହା ବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟ ରେ ଏକାଧିକ ଅଧ୍ୟାପକ ଓ ପ୍ରଫେସର ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ଏ ସମ୍ପର୍କରେ ମୁଁ ଆଗରୁ ଲେଖିଥିଲି ।

କିନ୍ତୁ ଏ ସମ୍ପର୍କରେ ଆଉ ଏକ ତଥ୍ୟ ମୋତେ ଅଧିକ ହତୋତ୍ସାହ କରିଛି । ରାଜ୍ୟ ସରକାର କିପରି ମିଛ ପ୍ରଚାର କରି ରାଜ୍ୟବାସୀ ଭୁଆଁ ବୁଲାଉଛନ୍ତି , ଏହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି ।

ସୂଚନା ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ରମା ଦେବୀ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ପ୍ରଫେସର ପଦବୀ -୧ , Associate Professor ପଦବୀ -୨ ଓ Assistant Professor ପଦବୀ -୩ ଅଛି । କିନ୍ତୁ ଦୀର୍ଘ ବର୍ଷ ଧରି Professor ଓ Associate Professor ପଦବୀ ଖାଲି ପଡ଼ିଛି । କିନ୍ତୁ ୫ଟିAssistant Professor ପଦବୀରୁ ମାତ୍ର ଜଣେ ଅଛନ୍ତି । ଓଡ଼ିଆ ଭାଷା କିପରି ପଢ଼ା ହେଉ ଥିବ ସ୍ପଷ୍ଟ ଅନୁମେୟ । 

ସେହିପରି ରମାଦେବୀ କଲେଜରେ ୫ ଟି ଅଧ୍ୟାପକ ପଦବୀ ଅଛି । 2018 ମସିହାରୁ ୩ ଟି ପଦବୀ ଖାଲି , 2019ରେ ଗୋଟିଏ ପଦବୀ ଖାଲି ଓ 2021 ରୁ ଗୋଟିଏ ପଦବୀ ଖାଲି ଅର୍ଥାତ ସମସ୍ତ ପଦବୀ ଖାଲି । ଓଡ଼ିଆ ଶିକ୍ଷାଦାନ କିପରି ଚାଲୁଥିବ ଓ ଛାତ୍ରଛାତ୍ରୀ ମାନେ କିପରି ପଢୁଥିବେ , ଏହା ସ୍ପଷ୍ଟ ଅନୁମେୟ ।

ଗୋଟିଏ ପଟେ କଲେଜ ଓ ବିଶ୍ଵ ବିଦ୍ୟାଳୟ ରେ ଓଡ଼ିଆ ଭାଷା କୁ systematically ବରବାଦ କରି ଆମ୍ଭକୁ କିପରି ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସ୍ଥାପନ ର କଥା କହି ଭ୍ରମିତ କରାଯାଉଛି , ଏହା ସମସ୍ତ ଭାଷାପ୍ରେମୀ ବୁଝିବା ଆବଶ୍ୟକ ।

ନବୀନଙ୍କ ଶାସନରେ ରାଜ୍ୟର ଅର୍ଥନୀତି , ପ୍ରଶାସନିକ ବ୍ୟବସ୍ଥା ଯେ ଭୁଶୁଡିପଡିଛି ତାହା ନୁହେଁ , ଓଡ଼ିଆ ଭାଷା ମଧ୍ୟ ବରବାଦ । ଏହି କୁଶାସନ କୁ ଯେତେଶ୍ରୀଘ୍ର ପ୍ରତ୍ୟାଖାତ କରାଯିବ , ରାଜ୍ୟ ପାଇଁ ସେତେ ମଙ୍ଗଳ ।

ଭାଷା ଜଗତରେ ମାଫିଆ ମତାଣ: ସନ୍ଦର୍ଭ ଚୋରଙ୍କ ପୃଷ୍ଠପୋଷକ କିଏ – ରାମଚନ୍ଦ୍ର କି ଧର୍ମେନ୍ଦ୍ର?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷା ଜଗତରେ ମଫିଆ ମତାଣ ସପ୍ରମାଣ ଚିତ୍ର ମୁଁ ଦେଇଛି ‘ମିଛ କେବେ ସତ ହୁଏନା’ ଶୀର୍ଷକ ମୋର ପୁସ୍ତକରେ । ମୁଁ ଦର୍ଶାଇଛି ଯେ,  ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସପକ୍ଷରେ ଓଡ଼ିଶା ସରକାର ଯେଉଁ ଯୁକ୍ତି-ସନ୍ଦର୍ଭ ପ୍ରସ୍ତୁତ କରିଥିଲେ, ତାକୁ ଚୋରେଇନେଇ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟି  ନିଜ ନିଜକୁ ତାହାର ସ୍ରଷ୍ଟା ବୋଲି ଦେଖେଇ ନାନାବିଧ ଅବୈଧ ଆୟରେ ତାହାର  ଉପଯୋଗ କରୁଛନ୍ତି । 

ଶାସ୍ତ୍ରୀୟ ଓଡ଼ିଆ ପାଇଁ ଉଭୟେ ରାଷ୍ଟ୍ରପତି ସମ୍ମାନ ସକାଶେ ଆଶାୟୀ ଥିବା ବେଳେ, ସୁବ୍ରତ ହିଁ  ରାଷ୍ଟ୍ରପତିଙ୍କ ମହର୍ଷି ବଦରାୟଣ ବ୍ୟାସ ସମ୍ମାନ ଅକ୍ତିଆର କରିଛନ୍ତି ।  ଏହି ସମ୍ମାନ ପାଇଁ ତାଙ୍କର ଆବଶ୍ୟକୀୟ ଯୋଗ୍ୟତା ନଥିବା ବେଳେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗ ଓ ରାଷ୍ଟ୍ରପତିଙ୍କ ଦପ୍ତର ଭ୍ରଷ୍ଟତା ଦ୍ଵାରା ପ୍ରଭାବିତ ହୋଇ ତାଙ୍କୁ ଏହି ସମ୍ମାନ ଦିଆଇଥିବା ସୁସ୍ପଷ୍ଟ  ।

ଓଡ଼ିଶାର ଦୁଇଜଣ ରାଜନେତା ଏହି କାମରେ ସୁବ୍ରତଙ୍କୁ ପୃଷ୍ଠପୋଷକତା ଦେଇଥିବା ସନ୍ଦେହ  । ଜଣେ ହେଲେ  ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯେ କି ସୁବ୍ରତ କରିଥିବା ସରକାରୀ ସନ୍ଦର୍ଭ ଚୋରିର ଉପଭୋକ୍ତା ଓ ଅନ୍ୟ ଜଣକ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଯାହାଙ୍କ ପ୍ରଭାବ ଉପରୋକ୍ତ ଦୁଇ ଦପ୍ତରକୁ ବାଟବଣା କରିଥିବା ଦିଲ୍ଲୀର ଏକ ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି । 

ଏହି ସମ୍ମାନ ପାଇଁ ଯୋଗ୍ୟତାର ଯେଉଁ ମାନଦଣ୍ଡ ଧାର୍ଯ୍ୟ ହୋଇଛି ସେ ଦୃଷ୍ଟିରୁ ଏହି ସମ୍ମାନ ପାଇବାକୁ ସୁବ୍ରତ ସଂପୂର୍ଣ୍ଣ ଅଯୋଗ୍ୟ । ତାଙ୍କ ବିରୁଦ୍ଧରେ ଅଶ୍ଳୀଳତା ଅଭିଯୋଗରେ ଭୁବନେଶ୍ବରର ଏକ ଫୌଜଦାରୀ ମକଦ୍ଦମା ବିଚାରାଧୀନ ଅଛି । ଆଇନତଃ , ଏପରି କୌଣସି ମକଦ୍ଦମାରେ ବିଚାରାଧୀନ ଥିବା କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦତ୍ତ ଏହି ସମ୍ମାନ ପାଇପାରିବେ ନାହିଁ । ଅତଏବ ଏହା ହିଁ ସ୍ପଷ୍ଟ ଯେ, ରାଷ୍ଟ୍ରପତିଙ୍କୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ  କରା ହୋଇଛି । 

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ସୁବ୍ରତଙ୍କର କୌଣସି ଅବଦାନ ନଥିବା ଓଡ଼ିଶା ସରକାରଙ୍କ ବିଶେଷଜ୍ଞ କମିଟି ପୂର୍ବରୁ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି କମିଟିରେ ଜଣେ ବିଶେଷଜ୍ଞ ଥିଲେ ଅଧ୍ୟାପକ ପ୍ରସନ୍ନ କୁମାର ମହାନ୍ତି ଯାହାଙ୍କ ଅଧୀନରେ ଶାସ୍ତ୍ରୀୟ ମାନ୍ୟତା ପାଇଁ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା ।  ସେ ଏହି କମିଟିରେ ନିଜ ଅଭିଜ୍ଞତା ଦୃଷ୍ଟିରୁ ଯେଉଁ ବୟାନ ଦେଲେ, ତାହା ସ୍ପଷ୍ଟ କରିଦେଲା ଯେ, ଓଡ଼ିଆ ଭାଷାର ଶାସ୍ତ୍ରୀୟତା ସମ୍ପର୍କରେ ସୁବ୍ରତଙ୍କର କୌଣସି ଉଲ୍ଲେଖନୀୟ ଗବେଷଣାତ୍ମକ ଅବଦାନ ନାହିଁ । ତେଣୁ,  ଶାସ୍ତ୍ରୀୟ ପୁରସ୍କାର ପାଇବା ପାଇଁ ତାଙ୍କ ନାମ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇ ପାରିବନାହିଁ ବୋଲି ନିଷ୍ପତ୍ତି କରି ତାଙ୍କ ଦରଖାସ୍ତ ସରକାର ବରଖାସ୍ତ କରିଦେଇଥିଲେ । ଏହା ସୁବ୍ରତ ଜାଣନ୍ତି । କିନ୍ତୁ ଏକଥା ନିଶ୍ଚୟ ରାଷ୍ଟ୍ରପତିଙ୍କୁ ଲୁଚେଇ ରଖାଯାଇଛି । ଅତଏବ, ତାଙ୍କ ସପକ୍ଷରେ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସୁପାରିଶ ପତ୍ର ସୁନିଶ୍ଚିତ ଜାଲିଆତିପ୍ରସୂତ  । 

ଶାସ୍ତ୍ରୀୟ ମାନ୍ୟତା ସପକ୍ଷରେ ଓଡ଼ିଶା ସରକାର ତିଆରି କରିଥିବା ଯୁକ୍ତି ସନ୍ଦର୍ଭ ଚୋରି କରି ଓଡ଼ିଶାରେ ହଟଚମଟ ସୃଷ୍ଟିକରିଥିବା ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟିଙ୍କ ଭିତରେ ଏବେ ବାଡ଼ିଆପିଟା ଚାଲିଛି ।  ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ୨୧.୮.୨୦୧୯ ତାରିଖର  ୨୩୫୭୧ ସଂଖ୍ୟକ ପତ୍ରରୁ ପ୍ରକାଶ ଯେ, ଏମାନଙ୍କ ବିରୁଦ୍ଧରେ ସର୍ବସତ୍ତ୍ଵ ସଂରକ୍ଷିତ ସରକାରୀ ସନ୍ଦର୍ଭ ଚୋରି ଅଭିଯୋଗ ଉପରେ ଓଡ଼ିଆ ଭାଷା ସାହିତ୍ୟ ଓ  ସଂସ୍କୃତି ବିଭାଗ ତଦନ୍ତ କରୁଛି । ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ଟାଳି ପ୍ରଶାସନିକ କଳ ତାଙ୍କ ପାଖରେ ଏ ତଥ୍ୟ ପହଞ୍ଚାଇ ପାରି ନାହିଁ  ।     

ଓଡ଼ିଆ ଭାଷାର ଉତ୍କର୍ଷତା ଏହି ମାଫିଆ ମତାଣ ଦ୍ଵାରା ଯେପରି ନିଷ୍ପ୍ରଭ ହୋଇନଯାଏ ତାହା ଦେଖିବା ପ୍ରତି ଓଡ଼ିଆର ପ୍ରାଥମିକ କର୍ତ୍ତବ୍ୟ  ।  

 

ତପୋବନର ତପସ୍ଵୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନ ସହ ଜଡ଼ିତ ସମସ୍ତେ କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କୁ ଜାଣନ୍ତି । ଓଡ଼ିଆ ଭାଷାରେ ଓଡ଼ିଶାର ନ୍ୟାୟ ନିଶାପ ପରିଚାଳନା ପାଇଁ ସେ ଆମରଣ ଅନଶନ କରିଥିଲେ ୨୦୧୫ ଜୁଲାଇ ପହିଲାରେ, ଯାହା ଆମ ଭାଷା ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟର ଅଧିକାରୀ । ସରକାର ଏବେ ଯେଉଁ ଓଡ଼ିଆ ବିଶ୍ୱବିଦ୍ୟାଳୟ କରିଛନ୍ତି ତାହାର ପ୍ରଥମ ସ୍ଵପ୍ନ ଦେଖିଥିଲେ ଗଜାନନ ମିଶ୍ର । ପରବର୍ତ୍ତୀ ସମୟରେ ଆମେ ତାହା ଉପରେ ଆଲୋଚନା କରିବା । ଏବେ ଦେଖିବା, ସେ ଏଇ ମୁହୂର୍ତ୍ତରେ କଣ କରୁଛନ୍ତି ।

ଶିକ୍ଷା ଦ୍ଵାରା ସାଧାରଣ ମଣିଷକୁ ଶକ୍ତିଶାଳୀ କରିବାକୁ ସ୍ଵପ୍ନ ଦେଖିଥିବା ଗଜାନନ ତାଙ୍କ ଟିଟିଲାଗଡ଼ ଜମି ଉପରେ ପ୍ରତିଷ୍ଠା କରିଛନ୍ତି ତପୋବନ ଏକାଡ଼େମୀ ଯାହାକୁ କାଳକ୍ରମେ ଉପାଧି କଲେଜରେ ପହଞ୍ଚାଇବା ତାଙ୍କ ଲକ୍ଷ୍ୟ ରହିଛି ।  ଏହା ସମ୍ପର୍କରେ ବି ପରବର୍ତ୍ତୀକାଳରେ ଆମେ ଆଲୋଚନା କରିବା । 

କିନ୍ତୁ ଯାହା ଏହି କ୍ଷଣି ଆଲୋଚ୍ୟ ତାହା ହେଲା ତିତିଲାଗଡ଼ର ଶୁଖାମାଟିର ଚାଷୀମାନଙ୍କୁ କୃଷିକର୍ମଣ ପାଇଁ ଉତ୍ସାହିତ କରିବା ସକାଶେ ତାଙ୍କ ତପୋବନ ପରିସରରେ ଗଢି ତୋଳିଥିବା କ୍ଷେତ । ଲୋକଙ୍କୁ ଆତ୍ମନିର୍ଭରଶୀଳତା ଶିଖାଇବା ସକାଶେ ସେ ନିଜେ ଜମି କମଣ କରି ଫସଲ ଉତ୍ପାଦନ କରୁଛନ୍ତି । ଚାଷ ଜମିରେ ବସି କବିତା ବି ଲେଖୁଛନ୍ତି । ଗରିବ ଲୋକଙ୍କୁ ଆଇନ ସହାୟତା ଦେଉଛନ୍ତି ।  ତାଙ୍କ ପାଇଁ ସ୍ଵପ୍ନର ଶେଷ ନାହିଁ, ଶ୍ରମର ଶେଷ ନାହିଁ , କବିତାର ଶେଷ ନାହିଁ , ସଙ୍ଘର୍ଷର ଶେଷ ନାହିଁ । 

ତାଙ୍କ ଏହି ତପସ୍ୟାସ୍ଥଳର କେତୋଟି ଚିତ୍ର ସବୁ ଓଡ଼ିଆଙ୍କ ପାଇଁ: 

ତପୋବନ ନିକଟସ୍ଥ ଏହି ପାହାଡ଼ ପରି ଅଟଳ ଆଦର୍ଶସମ୍ପନ୍ନ  କବି ଗଜାନନ ସମଗ୍ର ଓଡ଼ିଆ ଜାତି ପାଇଁ ଅନୁକରଣୀୟ ।