ଆଜି ଦିନରେ ସେହି ଦିନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଜି ଏପ୍ରିଲ ପହିଲା , ମା ଓଡ଼ିଶାର ଜନ୍ମଦିନ । ଆଜି ମଧ୍ୟ ଭାଷା ଆନ୍ଦୋଳନ, ଓଡ଼ିଶାର ଜନ୍ମଦିନ । ଆଇନ ଅଦାଲତରେ ଓଡ଼ିଆ ଭାଷାରେ କାର୍ଯ୍ୟ ସମ୍ପାଦନ ପାଇଁ ଓଡ଼ିଶା ରାଜ୍ୟଭାଷା ଆଇନ, ୧୯୫୪ର କାର୍ଯ୍ୟକାରିତା ଦାବିରେ ବଲାଙ୍ଗିର ଟିଟିଲାଗଡ଼ ନିବାସୀ ଅଧିବକ୍ତା ଗଜାନନ ମିଶ୍ର ୨୦୧୫ ଜୁଲାଇରେ ଯେଉଁ ଆମରଣ ଅନଶନ କରିଥିଲେ, ତାହା ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୋହଲାଇ ଦେଇଥିଲା । 

ଅଗତ୍ୟା ଏକ ମନ୍ତ୍ରୀସ୍ତରୀୟ କମିଟି ଗଢି ଆଇନଟି କିପରି କାର୍ଯ୍ୟକାରୀ ହେବ ତା ପାଇଁ ସେ କମିଟିର ପରାମର୍ଶ ମାଗିଲେ ଓ ସେହି ଭିତ୍ତିରେ ଗଜାନନ ବାବୁ ତାଙ୍କ ଅନଶନ ଧର୍ମଘଟ ବି ଭାଙ୍ଗିଲେ । 

ସେହି କମିଟିରେ ମୁଁ ଜଣେ ସଦସ୍ୟ ଥିଲି ।

ଆଇନର ଉଦ୍ଦେଶ୍ୟ ଥିଲା ସମଗ୍ର ଓଡ଼ିଶାରେ ସମସ୍ତ ଓ ଯେ କୌଣସି ଦାପ୍ତରିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର । ଅଥଚ, ଯିଏ ତହିଁର ଉଲ୍ଲଙ୍ଘନ କଲା , ତା ବିରୁଦ୍ଧରେ କୌଣସି ଦଣ୍ଡ ଦେବାପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଆଇନଟିରେ ନଥିଲା। ତେଣୁ କେହି ତାକୁ ମାନୁନଥିଲେ । ଦଣ୍ଡବିଧାନ ପାଇଁ ବ୍ୟବସ୍ଥା ଖଞ୍ଜିବାକୁ ଆଇନଟିର ସଂଶୋଧନ ସକାଶେ ମୁଁ ପ୍ରସ୍ତାବ ଦେଇଥିଲି ।

ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ ନକରିବା ପାଇଁ ନବୀନବାବୁ ଆଶ୍ଚର୍ଯ୍ୟଜନକ ପଦକ୍ଷେପମାନ ନେଲେ ।  କମିଟିର ଅଧିକାଂଶ ସଦସ୍ୟ ଯେହେତୁ ନବୀନଙ୍କ କରୁଣା କାମନା କରୁଥିଲେ, ମୋର ହୃଦ୍ବୋଧ ହେଲା, ମୋ ପ୍ରଦତ୍ତ ପରାମର୍ଶ ସପକ୍ଷରେ ଏକ ନୂଆ ଆନ୍ଦୋଳନ ନ କଲେ, ଓଡ଼ିଆରେ ଓଡ଼ିଶା ଚାଲିବା ସମ୍ଭବ ହେବ ନାହିଁ । ସୁତରାଂ ୨୦୧୬ ଏପ୍ରିଲ ପହିଲା ସକାଳେ ମୁଁ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲି ଓ ଓଡ଼ିଶାର ଜନସାଧାରଣଙ୍କ ପରାମର୍ଶ ଲୋଡ଼ି ଫେସବୁକ ପୃଷ୍ଠାରେ ଏକ ନିବେଦନ ରଖିଲି ।  ଦୁଇବର୍ଷ ତଳେ ନିଆଯାଇଥିବା ତହିଁର ସ୍କ୍ରିନସଟ୍ ନିମ୍ନରେ : 

 

 

 

ତପୋବନର ତପସ୍ଵୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନ ସହ ଜଡ଼ିତ ସମସ୍ତେ କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କୁ ଜାଣନ୍ତି । ଓଡ଼ିଆ ଭାଷାରେ ଓଡ଼ିଶାର ନ୍ୟାୟ ନିଶାପ ପରିଚାଳନା ପାଇଁ ସେ ଆମରଣ ଅନଶନ କରିଥିଲେ ୨୦୧୫ ଜୁଲାଇ ପହିଲାରେ, ଯାହା ଆମ ଭାଷା ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟର ଅଧିକାରୀ । ସରକାର ଏବେ ଯେଉଁ ଓଡ଼ିଆ ବିଶ୍ୱବିଦ୍ୟାଳୟ କରିଛନ୍ତି ତାହାର ପ୍ରଥମ ସ୍ଵପ୍ନ ଦେଖିଥିଲେ ଗଜାନନ ମିଶ୍ର । ପରବର୍ତ୍ତୀ ସମୟରେ ଆମେ ତାହା ଉପରେ ଆଲୋଚନା କରିବା । ଏବେ ଦେଖିବା, ସେ ଏଇ ମୁହୂର୍ତ୍ତରେ କଣ କରୁଛନ୍ତି ।

ଶିକ୍ଷା ଦ୍ଵାରା ସାଧାରଣ ମଣିଷକୁ ଶକ୍ତିଶାଳୀ କରିବାକୁ ସ୍ଵପ୍ନ ଦେଖିଥିବା ଗଜାନନ ତାଙ୍କ ଟିଟିଲାଗଡ଼ ଜମି ଉପରେ ପ୍ରତିଷ୍ଠା କରିଛନ୍ତି ତପୋବନ ଏକାଡ଼େମୀ ଯାହାକୁ କାଳକ୍ରମେ ଉପାଧି କଲେଜରେ ପହଞ୍ଚାଇବା ତାଙ୍କ ଲକ୍ଷ୍ୟ ରହିଛି ।  ଏହା ସମ୍ପର୍କରେ ବି ପରବର୍ତ୍ତୀକାଳରେ ଆମେ ଆଲୋଚନା କରିବା । 

କିନ୍ତୁ ଯାହା ଏହି କ୍ଷଣି ଆଲୋଚ୍ୟ ତାହା ହେଲା ତିତିଲାଗଡ଼ର ଶୁଖାମାଟିର ଚାଷୀମାନଙ୍କୁ କୃଷିକର୍ମଣ ପାଇଁ ଉତ୍ସାହିତ କରିବା ସକାଶେ ତାଙ୍କ ତପୋବନ ପରିସରରେ ଗଢି ତୋଳିଥିବା କ୍ଷେତ । ଲୋକଙ୍କୁ ଆତ୍ମନିର୍ଭରଶୀଳତା ଶିଖାଇବା ସକାଶେ ସେ ନିଜେ ଜମି କମଣ କରି ଫସଲ ଉତ୍ପାଦନ କରୁଛନ୍ତି । ଚାଷ ଜମିରେ ବସି କବିତା ବି ଲେଖୁଛନ୍ତି । ଗରିବ ଲୋକଙ୍କୁ ଆଇନ ସହାୟତା ଦେଉଛନ୍ତି ।  ତାଙ୍କ ପାଇଁ ସ୍ଵପ୍ନର ଶେଷ ନାହିଁ, ଶ୍ରମର ଶେଷ ନାହିଁ , କବିତାର ଶେଷ ନାହିଁ , ସଙ୍ଘର୍ଷର ଶେଷ ନାହିଁ । 

ତାଙ୍କ ଏହି ତପସ୍ୟାସ୍ଥଳର କେତୋଟି ଚିତ୍ର ସବୁ ଓଡ଼ିଆଙ୍କ ପାଇଁ: 

ତପୋବନ ନିକଟସ୍ଥ ଏହି ପାହାଡ଼ ପରି ଅଟଳ ଆଦର୍ଶସମ୍ପନ୍ନ  କବି ଗଜାନନ ସମଗ୍ର ଓଡ଼ିଆ ଜାତି ପାଇଁ ଅନୁକରଣୀୟ ।    

ଇଂରାଜୀ ଭାଷାରେ ଆଇନ// ସରକାରୀ ଅଫିସର ଜିଅନ୍ତା ସନ୍ତ୍ରାସ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଟିଟିଲାଗଡ଼ ଘଣ୍ଟବାହେଲିର ଗୋଟିଏ ଆଦିବାସୀ ପରିବାରର ଜମି ଇଂରାଜୀ ଭାଷାରେ ଥିବା ଆଇନ ବଳରେ ସେଠିକା ତହସିଲଦାର ଜଣେ ଅଣଆଦିବାସୀଙ୍କ ମାଲିକାନାକୁ ବଦଳେଇଦେଇଛନ୍ତି ଓ ନିଜ ଜମିକୁ ରକ୍ଷା କରିବା ପାଇଁ ସମ୍ପୃକ୍ତ ଆଦିବାସୀ ପରିବାର ଏବେ ଆଇନ ଅଦାଲତକୁ ଦୌଡ଼ିବା ଭିନ୍ନ ଗତ୍ୟନ୍ତର ନାହିଁ ।

ଆଇନର ଶାସନ ଓଡ଼ିଆରେ ଚାଲୁ – ଏଥିପାଇଁ ଆମରଣ ଅନଶନ କରି ନିଜ ଜୀବନ ବିସର୍ଜନ କରିବାକୁ ବସିଥିବା ପ୍ରସିଦ୍ଧ କବି, ଅଧିବକ୍ତା ଓ ମାନବଧୀକାର ପ୍ରହରୀ ବରେଣ୍ୟ ଗଜାନନ ମିଶ୍ର ଏଥିରେ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି ।

ୟୁ ଟ୍ୟୁବ୍ ମଞ୍ଚରେ ପ୍ରସାରିତ ଏକ ସାକ୍ଷାତ୍କାରରେ କ୍ଷତିଗ୍ରସ୍ତ ଆଦିବାସୀ ପରିବାର ସହ କନ୍ଧରେ କାନ୍ଧ ମିଳାଇ ଠିଆ ହୋଇଥିବା ଶ୍ରୀ ମିଶ୍ରଙ୍କ ଉତ୍କଣ୍ଠା ସାରା ଓଡ଼ିଶାର ସବୁ ମାନବାଧିକାରପ୍ରେମୀ ମଣିଷର ଉତ୍କଣ୍ଠା ଭାବେ ବିବେଚ୍ୟ ।

ସରକାର ଏହା ପ୍ରତି ଧ୍ୟାନ ଦିଅନ୍ତୁ ଓ ନିରୀହ ଅଧିବାସୀ ପରିବାରଟି ପାଇଁ ତାଙ୍କ ରାଜସ୍ୱ କର୍ମଚାରୀ ଯେପରି ସନ୍ତ୍ରାସ ନହୁଅନ୍ତି ତାହା ନିଶ୍ଚିତ କରନ୍ତୁ ।

ଭାଷା ଆନ୍ଦୋଳନରୁ ଗଜାନନ ମିଶ୍ର ବହିଷ୍କୃତ

ଭାଷା ଆଂଦୋଳନର ସଭାପତି ମଣ୍ଡଳୀ ସଦସ୍ୟ ଶ୍ରୀ ଗଜାନନ ମିଶ୍ରଙ୍କୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବହିଷ୍କୃତ କରାଯାଇଛି । ଗତ ୪ ତାରିଖରେ ସଭାପତିମଣ୍ଡଳୀ ବସି ଶ୍ରୀ ମିଶ୍ରଙ୍କୁ ସୁଧୁରିଯିବା ପାଇଁ ଶେଷ ସୁଯୋଗ ଦେଇଥିଲେ । ସଭାପତି ମଣ୍ଡଳୀର ନିଷ୍ପତ୍ତି କ୍ରମେ ସଦସ୍ୟ ଡଃ ଅଶୋକ ମିଶ୍ର ତାଙ୍କୁ ନିମ୍ନ ଉଦ୍ଧୃତ୍ତ ପତ୍ରଟି ପଠାଇଥିଲେ ।

“ପ୍ରେରକ:
ଡ. ଅଶୋକ ମିଶ୍ର
ସଦସ୍ୟ, ସଭାପତି ମଣ୍ଡଳୀ
ଭାଷା ଆନ୍ଦୋଳନ, ଓଡ଼ିଶା

ପ୍ରାପକ:
ଶ୍ରୀ ଗଜାନନ ମିଶ୍ର
ସଦସ୍ୟ, ସଭାପତି ମଣ୍ଡଳୀ
ଭାଷା ଆନ୍ଦୋଳନ, ଓଡ଼ିଶା

ମହାଶୟ,
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପଦ ମର୍ଯ୍ୟାଦା ଉପରେ ଆପଣ ସାମାଜିକ ଗଣମାଧ୍ୟମ ଫେସବୁକରେ ୦୯.୦୫.୨୦୧୯ ତାରିଖରେ ଯେଉଁ ଅବାଞ୍ଛିତ ଖୋଲା ଟିପ୍ପଣୀ (ଅନୁରୋଧ) ପ୍ରକାଶ କରିଛନ୍ତି ତାହା ସମ୍ପୂର୍ଣ ଅନଧିକୃତ ଓ ସଭାପତି ମଣ୍ଡଳୀ ପ୍ରତି ମଧ୍ୟ ଅମର୍ଯ୍ୟାଦା ସୂଚକ ।

ଏ ସମ୍ପର୍କରେ ସଭାପତି ମଣ୍ଡଳୀର ବୈଠକ ୧୫.୦୫.୨୦୧୯ ତାରିଖରେ ଅନୁଷ୍ଠିତ ହୋଇ ବିଧିବଦ୍ଧ ନିଷ୍ପତି ଲିପିବଦ୍ଧ ହୋଇଛି ଏବଂ ଆପଣଙ୍କୁ ତାହା ଟେଲିଫୋନେ ଯୋଗେ କୁହା ହୋଇଛି ଏବଂ ସଭାପତି ମଣ୍ଡଳୀର ବିନା ଅନୁମୋଦନରେ ଆପଣ ସାମାଜିକ ଗଣମାଧ୍ୟମରେ ବା ଇଣ୍ଟରନେଟରେ ଶ୍ରୀ ପଟ୍ଟନାୟକଙ୍କ ସମ୍ପର୍କରେ ବା ଭାଷା ଆନ୍ଦୋଳନ ସମ୍ପର୍କରେ କୌଣସି ଅଭିମତ ବା କଟାକ୍ଷ ନ ରଖିବାକୁ ମଧ୍ୟ ଫୋନ ଯୋଗେ ବାରମ୍ବାର କୁହାହୋଇଛି । ମାତ୍ର, ଆପଣ ଏପରି ଏକ ଆଚରଣରୁ ନିବୃତ୍ତ ହୋଇନାହାନ୍ତି, ଫଳରେ ଭାଷା ଆନ୍ଦୋଳନର ଗରିମା ଓ ଭାବମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି । ଗତକାଲି ୦୪.୦୬.୨୦୧୯ ତାରିଖ ସନ୍ଧ୍ୟାରେ ସଭାପତି ମଣ୍ଡଳୀର ସ୍ଵତନ୍ତ୍ର ଅଧିବେଶନ ହୋଇ ଯେଉଁ ପ୍ରସ୍ତାବ ଗୃହୀତ ହୋଇଛି, ତାହା ଆପଣଙ୍କୁ ଜଣାଇବା ପାଇଁ ମୁଁ ଅଧିକୃତ ହୋଇଥିବା ହେତୁ ନିମ୍ନରେ ସେହି ପ୍ରସ୍ତାବର ନକଲ ଦେଲି ।

ଏହା ଆପଣଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଗଲା:

୦୪.୦୬.୨୦୧୯
ସ୍ଵତନ୍ତ୍ର ଜରୁରୀ ଅଧିବେଶନ

ଗତ ମେ ୯ ରେ ଫେସବୁକ ପୃଷ୍ଠାରେ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ଖୋଲା ଅନୁରୋଧ ଶୀର୍ଷକରେ ସଭାପତି ମଣ୍ଡଳୀର ସଦସ୍ୟ ଶ୍ରୀ ଗଜାନନ ମିଶ୍ର ଯେଉଁ ଭର୍ତ୍ସନାତ୍ମକ ଆକ୍ରମଣ କରିଛନ୍ତି ତାହା ସମ୍ପୂର୍ଣ ଅନଧିକୃତ ଓ ଶୃଙ୍ଖଳା ବହିର୍ଭୂତ ବୋଲି ଏହି ସଭାପତି ମଣ୍ଡଳୀ ପୁନରାୟ ଘୋଷଣା କରୁଛି ।
ସଭାପତି ମଣ୍ଡଳୀର ସମସ୍ତ ସଦସ୍ୟ ନିଜ ନିଜର ଉତ୍କଣ୍ଠା ପ୍ରକାଶ କରିଛନ୍ତି ଓ ଶ୍ରୀ ମିଶ୍ରଙ୍କର ଏତାଦୃଶ ଆଚରଣକୁ ନାପସନ୍ଦ କରିଛନ୍ତି । ସଭାପତି ମଣ୍ଡଳୀର ବରିଷ୍ଠ ସଦସ୍ୟ ଶ୍ରୀ ଅର୍ଜୁନ ଚରଣ ସାମନ୍ତରାୟ ଗଜାନନ ବାବୁଙ୍କୁ ଏପରି କୌଣସି ଲେଖା ସାମାଜିକ ଗଣମାଧ୍ୟମରେ ନଲେଖିବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ତହିଁରୁ ନିବୃତ୍ତ ନହେଉଥିବା ସମସ୍ତଙ୍କୁ ଦୁଃଖ ପ୍ରଦାନ କରିଛି ।
ଏତଦ୍ୱାରା ସଭାପତି ମଣ୍ଡଳୀ ଶ୍ରୀ ମିଶ୍ରଙ୍କୁ ସୁଧୁରି ଯିବା ପାଇଁ ଶେଷ ସୁଯୋଗ ଦେବା ସକାଶେ ସ୍ଥିର କଲେ । ତାଙ୍କୁ ଜଣେଇ ଦିଆଯିବ ଯେ ତିନିଦିନ ଅର୍ଥାତ ୭ ତାରିଖ ଦିନ ୧ ଟା ସୁଦ୍ଧା ଏପରି ବିଶୃଙ୍ଖଳ ଆଚରଣ ପାଇଁ ସେ ଦୁଃଖ ପ୍ରକାଶ କରିବେ ଏବଂ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କର ମର୍ଯ୍ୟାଦା ହାନି କଲା ପରି ଲେଖା ପ୍ରକାଶରୁ ନିବୃତ୍ତ ହେବେ । ଯଦି, ଏହା ନହୁଏ ତାହା ହେଲେ ୭ ତାରିଖ ଦିନ ୧ ଟା ୩୦ ମିନିଟ ରେ ଭାଷା ଆନ୍ଦୋଳନର ସଭାପତି ମଣ୍ଡଳୀରୁ ତାଙ୍କୁ ଉତ୍ଖାତ କରାଗଲା ବୋଲି ଧରି ନିଆଯିବ ଏବଂ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଭାଷାପ୍ରେମୀଙ୍କୁ ସ୍ଥାନିତ କରାଯିବ । ଏହି ନୂତନ ସଦସ୍ୟ ସଭାପତି ମଣ୍ଡଳୀର ପରବର୍ତ୍ତୀ ବୈଠକରେ ମନୋନୀତ ହେବେ ।
ଗତ ବୈଠକର ବିବରଣୀ ଅନୁମୋଦିତ ହେଲା । ଭାଷା ଆନ୍ଦୋଳନର ଇ-ମେଲ ଠିକଣାରୁ ଏହି ନିଷ୍ପତି ସଭାପତି ମଣ୍ଡଳୀର ସଦସ୍ୟ ଡ. ଅଶୋକ ମିଶ୍ର ଜଣାଇବେ ବୋଲି ନିଷ୍ପତି ହେଲା ।”