ଭାଷା ଆନ୍ଦୋଳନରୁ ଗଜାନନ ମିଶ୍ର ବହିଷ୍କୃତ

ଭାଷା ଆଂଦୋଳନର ସଭାପତି ମଣ୍ଡଳୀ ସଦସ୍ୟ ଶ୍ରୀ ଗଜାନନ ମିଶ୍ରଙ୍କୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବହିଷ୍କୃତ କରାଯାଇଛି । ଗତ ୪ ତାରିଖରେ ସଭାପତିମଣ୍ଡଳୀ ବସି ଶ୍ରୀ ମିଶ୍ରଙ୍କୁ ସୁଧୁରିଯିବା ପାଇଁ ଶେଷ ସୁଯୋଗ ଦେଇଥିଲେ । ସଭାପତି ମଣ୍ଡଳୀର ନିଷ୍ପତ୍ତି କ୍ରମେ ସଦସ୍ୟ ଡଃ ଅଶୋକ ମିଶ୍ର ତାଙ୍କୁ ନିମ୍ନ ଉଦ୍ଧୃତ୍ତ ପତ୍ରଟି ପଠାଇଥିଲେ ।

“ପ୍ରେରକ:
ଡ. ଅଶୋକ ମିଶ୍ର
ସଦସ୍ୟ, ସଭାପତି ମଣ୍ଡଳୀ
ଭାଷା ଆନ୍ଦୋଳନ, ଓଡ଼ିଶା

ପ୍ରାପକ:
ଶ୍ରୀ ଗଜାନନ ମିଶ୍ର
ସଦସ୍ୟ, ସଭାପତି ମଣ୍ଡଳୀ
ଭାଷା ଆନ୍ଦୋଳନ, ଓଡ଼ିଶା

ମହାଶୟ,
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପଦ ମର୍ଯ୍ୟାଦା ଉପରେ ଆପଣ ସାମାଜିକ ଗଣମାଧ୍ୟମ ଫେସବୁକରେ ୦୯.୦୫.୨୦୧୯ ତାରିଖରେ ଯେଉଁ ଅବାଞ୍ଛିତ ଖୋଲା ଟିପ୍ପଣୀ (ଅନୁରୋଧ) ପ୍ରକାଶ କରିଛନ୍ତି ତାହା ସମ୍ପୂର୍ଣ ଅନଧିକୃତ ଓ ସଭାପତି ମଣ୍ଡଳୀ ପ୍ରତି ମଧ୍ୟ ଅମର୍ଯ୍ୟାଦା ସୂଚକ ।

ଏ ସମ୍ପର୍କରେ ସଭାପତି ମଣ୍ଡଳୀର ବୈଠକ ୧୫.୦୫.୨୦୧୯ ତାରିଖରେ ଅନୁଷ୍ଠିତ ହୋଇ ବିଧିବଦ୍ଧ ନିଷ୍ପତି ଲିପିବଦ୍ଧ ହୋଇଛି ଏବଂ ଆପଣଙ୍କୁ ତାହା ଟେଲିଫୋନେ ଯୋଗେ କୁହା ହୋଇଛି ଏବଂ ସଭାପତି ମଣ୍ଡଳୀର ବିନା ଅନୁମୋଦନରେ ଆପଣ ସାମାଜିକ ଗଣମାଧ୍ୟମରେ ବା ଇଣ୍ଟରନେଟରେ ଶ୍ରୀ ପଟ୍ଟନାୟକଙ୍କ ସମ୍ପର୍କରେ ବା ଭାଷା ଆନ୍ଦୋଳନ ସମ୍ପର୍କରେ କୌଣସି ଅଭିମତ ବା କଟାକ୍ଷ ନ ରଖିବାକୁ ମଧ୍ୟ ଫୋନ ଯୋଗେ ବାରମ୍ବାର କୁହାହୋଇଛି । ମାତ୍ର, ଆପଣ ଏପରି ଏକ ଆଚରଣରୁ ନିବୃତ୍ତ ହୋଇନାହାନ୍ତି, ଫଳରେ ଭାଷା ଆନ୍ଦୋଳନର ଗରିମା ଓ ଭାବମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି । ଗତକାଲି ୦୪.୦୬.୨୦୧୯ ତାରିଖ ସନ୍ଧ୍ୟାରେ ସଭାପତି ମଣ୍ଡଳୀର ସ୍ଵତନ୍ତ୍ର ଅଧିବେଶନ ହୋଇ ଯେଉଁ ପ୍ରସ୍ତାବ ଗୃହୀତ ହୋଇଛି, ତାହା ଆପଣଙ୍କୁ ଜଣାଇବା ପାଇଁ ମୁଁ ଅଧିକୃତ ହୋଇଥିବା ହେତୁ ନିମ୍ନରେ ସେହି ପ୍ରସ୍ତାବର ନକଲ ଦେଲି ।

ଏହା ଆପଣଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଗଲା:

୦୪.୦୬.୨୦୧୯
ସ୍ଵତନ୍ତ୍ର ଜରୁରୀ ଅଧିବେଶନ

ଗତ ମେ ୯ ରେ ଫେସବୁକ ପୃଷ୍ଠାରେ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ଖୋଲା ଅନୁରୋଧ ଶୀର୍ଷକରେ ସଭାପତି ମଣ୍ଡଳୀର ସଦସ୍ୟ ଶ୍ରୀ ଗଜାନନ ମିଶ୍ର ଯେଉଁ ଭର୍ତ୍ସନାତ୍ମକ ଆକ୍ରମଣ କରିଛନ୍ତି ତାହା ସମ୍ପୂର୍ଣ ଅନଧିକୃତ ଓ ଶୃଙ୍ଖଳା ବହିର୍ଭୂତ ବୋଲି ଏହି ସଭାପତି ମଣ୍ଡଳୀ ପୁନରାୟ ଘୋଷଣା କରୁଛି ।
ସଭାପତି ମଣ୍ଡଳୀର ସମସ୍ତ ସଦସ୍ୟ ନିଜ ନିଜର ଉତ୍କଣ୍ଠା ପ୍ରକାଶ କରିଛନ୍ତି ଓ ଶ୍ରୀ ମିଶ୍ରଙ୍କର ଏତାଦୃଶ ଆଚରଣକୁ ନାପସନ୍ଦ କରିଛନ୍ତି । ସଭାପତି ମଣ୍ଡଳୀର ବରିଷ୍ଠ ସଦସ୍ୟ ଶ୍ରୀ ଅର୍ଜୁନ ଚରଣ ସାମନ୍ତରାୟ ଗଜାନନ ବାବୁଙ୍କୁ ଏପରି କୌଣସି ଲେଖା ସାମାଜିକ ଗଣମାଧ୍ୟମରେ ନଲେଖିବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ତହିଁରୁ ନିବୃତ୍ତ ନହେଉଥିବା ସମସ୍ତଙ୍କୁ ଦୁଃଖ ପ୍ରଦାନ କରିଛି ।
ଏତଦ୍ୱାରା ସଭାପତି ମଣ୍ଡଳୀ ଶ୍ରୀ ମିଶ୍ରଙ୍କୁ ସୁଧୁରି ଯିବା ପାଇଁ ଶେଷ ସୁଯୋଗ ଦେବା ସକାଶେ ସ୍ଥିର କଲେ । ତାଙ୍କୁ ଜଣେଇ ଦିଆଯିବ ଯେ ତିନିଦିନ ଅର୍ଥାତ ୭ ତାରିଖ ଦିନ ୧ ଟା ସୁଦ୍ଧା ଏପରି ବିଶୃଙ୍ଖଳ ଆଚରଣ ପାଇଁ ସେ ଦୁଃଖ ପ୍ରକାଶ କରିବେ ଏବଂ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କର ମର୍ଯ୍ୟାଦା ହାନି କଲା ପରି ଲେଖା ପ୍ରକାଶରୁ ନିବୃତ୍ତ ହେବେ । ଯଦି, ଏହା ନହୁଏ ତାହା ହେଲେ ୭ ତାରିଖ ଦିନ ୧ ଟା ୩୦ ମିନିଟ ରେ ଭାଷା ଆନ୍ଦୋଳନର ସଭାପତି ମଣ୍ଡଳୀରୁ ତାଙ୍କୁ ଉତ୍ଖାତ କରାଗଲା ବୋଲି ଧରି ନିଆଯିବ ଏବଂ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଭାଷାପ୍ରେମୀଙ୍କୁ ସ୍ଥାନିତ କରାଯିବ । ଏହି ନୂତନ ସଦସ୍ୟ ସଭାପତି ମଣ୍ଡଳୀର ପରବର୍ତ୍ତୀ ବୈଠକରେ ମନୋନୀତ ହେବେ ।
ଗତ ବୈଠକର ବିବରଣୀ ଅନୁମୋଦିତ ହେଲା । ଭାଷା ଆନ୍ଦୋଳନର ଇ-ମେଲ ଠିକଣାରୁ ଏହି ନିଷ୍ପତି ସଭାପତି ମଣ୍ଡଳୀର ସଦସ୍ୟ ଡ. ଅଶୋକ ମିଶ୍ର ଜଣାଇବେ ବୋଲି ନିଷ୍ପତି ହେଲା ।”

ସରକାରୀ ଭାତିଆ ଭିତ୍ତିରେ ଭାଷା ଯୋଦ୍ଧା ! ଭାଷା ତପସ୍ବୀ ଗଜାନନଙ୍କ ଐତିହାସିକ କଟାକ୍ଷ

ଭାଷା ଯୋଦ୍ଧା
ଗଜାନନ ମିଶ୍ର

ଭାଷା ଯୋଦ୍ଧାର
ମୂଲ୍ଯ କେତେ?
ଗୋଟିଏ ଫୁଲକଢି!
ଗୋଟିଏ କପଡା!
ଗୋଟିଏ କାଗଜ!

ଭାଷା ଯୋଦ୍ଧା କିଏ?
ଭାଷା ଯୋଦ୍ଧା କଣ କରେ?
ମନ୍ତ୍ରୀ ଅମଲାର ଗୋଡ ଚାଟେ?
ସ୍ତ୍ରୀ ପିଲା ବିକେ?
ଗାଡି, ଘର, ଚାକିରୀ ମାଗେ?

ଭାଷା ଯୋଦ୍ଧା କୋଉଠି?
ରାଜଧାନୀରେ!
ଖଟିର ଚା କପ୍ ରେ!
ଟିଭିର ରଡାରଡିରେ!
ଖବରକାଗଜ ପୃଷ୍ଠାରେ!

ଭାଷା ଯୋଦ୍ଧା , ଭାଷା ଯୋଦ୍ଧା!
କିଏ ଖୋଜେ? କଣ ପାଇଁ ଖୋଜେ?
ଭାଷା ଯୋଦ୍ଧା କଣ ଗୋଟେ ଶିଢି?
ଭାଷା ଯୋଦ୍ଧା କଣ ଗୋଟେ ଯାଦୁଛଡି?
ଭାଷା ଯୋଦ୍ଧା କଣ ବେତବାଡି?

ଭାଷା!
ପୁଣି ଯୋଦ୍ଧା!
ଭାଷା ତ ମୂଳରୁ ନାଇଁ ,
ଯୋଦ୍ଧା ଆସିବ କେଉଁଆଡୁ!

ଭାଷା ନାଇଁ,
ରାଜ୍ୟ ନାଇଁ।
ରାଜ୍ୟ ନାଇଁ,
ମନ୍ତ୍ରୀ ଅମଲା କାହାପାଇଁ?

ଭାଷା ଆସେ ମାଆଠୁ ,
ମାଆ ଥାଏ ରକ୍ତରେ,
ମାଆ ଥାଏ
ନିଶ୍ୱାସପ୍ରଶ୍ୱାସର ପବନରେ,
ମାଆ ଥାଏ ମାଟିରେ,
ମାଆ ଥାଏ ହୃଦୟ ଭିତରେ,
ମାଆ ଥାଏ ଆକାଶରେ।

ମାଆ ମାଆ ମାଆ
ମାଆ ଭାଷାରେ
ଝଟକୁଥାଏ ପରିଚୟ,
ପରିଚୟର ନ ଥାଏ ପରାଜୟ।
ଯୁଦ୍ଧର ନ ଥାଏ ପ୍ରଶ୍ନ ,
ହାରଜିତର ନ ଥାଏ ଚିହ୍ନ।
ଲାଂଚଖୋର, ରକ୍ତଶୋଷା
ମନ୍ତ୍ରୀ ଅମଲା ଜାଣିବେ କଣ
ଗୋଟେ ଜାତିର ଅମୂଲ୍ଯ ରତ୍ନ!

ଅବିକା-ଅକିଣା ଜୀବନ
ଝଟକୁ ଥାଏ ଖୋଲାମେଲା
ଆକାଶ ତଳେ ସବୁଦିନ।
ସରକାର ଆସେ , ସରକାର ଯାଏ
ମୁଣ୍ଡାଇ କେବଳ କଳଙ୍କ ।
ମା ଭାଷା ପାଇଁ
କାନ୍ଦୁଥାଏ କେବଳ କାକୁସ୍ଥ ପ୍ରାଣ।
ନ ଥାଏ କାହାଠି କିଛି ଉପଶମ,
କଉଣସି ପ୍ରକାରର ମଲମ।

ତପୋବନ,ଟିଟିଲାଗଡ, ବଲାଙ୍ଗିର
29/1/2019

କଳା ପତାକା ଧରିବା ଆମେ, ଧରିବା ଆମେ, ଧରିବା ଆମେ

ଭାଷା ତପସ୍ବୀ ଗଜାନନ ମିଶ୍ରଙ୍କ ଏହି କବିତା ସବୁ ଓଡ଼ିଆଙ୍କର ହୃଦୟରେ ସ୍ଥାନିତ ହେଉ ।


ମରିବା ପଛେ ଛାଡିବା ନାହିଁ,
ଗାଲୁ କଥାକୁ ବିଶ୍ୱାସ ନାହିଁ।
ଭାଷା ଆମର ଜୀବନ ଏଠି,
ଭାଷା ପାଇଁକି ଆମେ ଏକାଠି।
ମାଆର କଥା ମାଆର ଭାଷା,
ଛାଡିଲେ ହେବା ଲୋଓକ ହସା।
ମରିବା ପଛେ ଛାଡିବା ନାହିଁ,
ସରକାରଠି ଭରସା ନାହିଁ।

ଭରସା ନାଇଁ ଭରସା ନାଇଁ,
ଗୁଲାମ ବିବି ଖେଳିବା ନାଇଁ।
ଗାଳିଗୁଲଜ କରିବା ନାଇଁ,
ଭାଷାକୁ କିନ୍ତୁ ଛାଡିବା ନାଇଁ।
ଭାଷାରେ ଆମର ପରିଚୟ,
ଭାଷା ନ ହେଲେ ଆମେ ଅଥୟ।
ଆମରି ଭାଷା ଆମକୁ ଦିଅ,
ନ ହେଲେ ରାଜ୍ଯ ଛାଡିକି ଯାଅ।

ଭାଷାରେ ଆମର ଅଧିକାର,
ଭାଷା ନ ହେଲେ ସବୁ ଅନ୍ଧାର।
ମାଆର ମାଟି ମାଆର ଭାଷା
ପୂରିବ ଆଶା ଖଣ୍ଡ ଖିରିସା।
ଛାଡିବା ନାହିଁ ଛାଡିବା ନାହିଁ
କାହାରି ଫାଶେ ପଡିବା ନାହିଁ।
ପଡିବା ନାହିଁ ପଡିବା ନାହିଁ,
ଚାତୁରୀ କଥା ଶୁଣିବା ନାହିଁ।

କଳା ପତାକା ଧରିବା ଆମେ,
ଧରିବା ଆମେ, ଧରିବା ଆମେ।
ଏକ ସ୍ୱରରେ କହିବା ଆସ,
ଏକାଠି ଛାଡି ଖର ନିଶ୍ୱାସ।
ଛାଡ ଗାଦି, ସରକାର ତୁମେ,
ବେଇମାନ, ସରକାର ତୁମେ।
ଭାଷାରେ ଦେଖ ଆମର ପ୍ରାଣ,
ଆମର ମନ ଆମର ଦିନ।

ଭାଷା ନାଇଁ ତ ତୁମେ କିଏ ହୋ?
ରହ ରହ ଭୋଟ ପାଇବ ଢୋ।
ଭାଷା ନାଇ ତ କିଛି ଇ ନାଇଁ,
ଶବ ଉପରେ ନାଚୁଛ କାଇଁ!
ଅଛି ଜୀବନ ଅଛି ଜୀବନ,
ବଇଦ ହୋଇ ନେଉଛ ଧନ।
ଠକ ସର୍ଦାର ମଠ ମହନ୍ତ
ଗଲାଣି ସବୁ ଲାଜ ମହତ।

ଭାଷାରେ ଭାଷା ଆମରି ଭାଷା,
ଆମରି ମାଟି ଆମରି ଆଶା।
ଆମରି ଭାଷା ଆମରି ମାଟି
ଏଥିପାଇଁ ଏ ମଣିଷ ଜାତି।
ନିଜର ଭାଷା ନିଜର ଇଷ୍ଟ,
ଇଷ୍ଟ ନ ଥିଲେ ସବୁ ଇ କଷ୍ଟ।
ମରିବୁ ପଛେ ଛାଡିବୁ ନାଇଁ,
ଭାଷାକୁ ଛାଡି ଜିଇଁବୁ ନାଇଁ।

ଦୁଇଶ ପଚାଶ ଦିନ ଟପିଲା ବ୍ୟାସ ନଗରରେ ଦୈନିକ କଳାପତାକା ଅଭିଯାନ

ଏଇ ଡିସେମ୍ବର ତେଇଶିରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ବ୍ୟାସ ନଗରରେ ଟପିଲା 250 ଦିନ ∣  ବିଶିଷ୍ଟ ସମାଜସେବୀ ଶ୍ରୀ ରାଜେନ୍ଦ୍ର ବିଶ୍ଵାଳ ଯାହାଙ୍କ ନେତୃତ୍ବରେ ଏ ଅଭିଯାନ ସେଠାରେ ଚାଲିଛି, ଏହି ବିଶେଷ ଦିବସ ଉପଲକ୍ଷେ ଆୟୋଜିତ ସକ୍ରିୟସାଥୀ ସମାରୋହରେ ସଭାପତିତ୍ଵ କରିଥିଲେ 

ବ୍ୟାସନଗର ଶାଖାର ନାରାୟଣ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ପାତ୍ର, ଚିନ୍ତାମଣି ପାଢ଼ୀ, ଭୁବନାନନ୍ଦ ମହାନ୍ତି, ବ୍ରଜକିଶୋର ସିଂହ, ଉପେନ୍ଦ୍ର ନାଥ, ପ୍ରଫୁଲ୍ଲ ସାହାଣୀ, ଚନ୍ଦ୍ରଶେଖର ପଣ୍ଡା, ମହେଶ୍ବର ନାୟକ, ଚନ୍ଦ୍ରମଣି ସାମଲ, ବିଶ୍ବଜିତ ମହାନ୍ତି, ଗଜାନନ ମିଶ୍ର, ସଂଯୁକ୍ତା ମହାପାତ୍ର ପ୍ରମୁଖ ନିଜ ନିଜ ଭାଷଣରେ ଭାଷା ଆନ୍ଦୋଳନର ଦାବି ହିଁ କାହିଁକି ଜନହୃଦୟର ଦାବି ତାହା ବର୍ଣନା କରିଥିଲେ ଓ ଯେଉଁଯାଏଁ ଏହି ଦାବି ମାନି ଓଡ଼ିଆ ଭାଷାରେ ଦାପ୍ତରିକ କାମ ନ କରିବା ବ୍ୟକ୍ତିକୁ ଦଣ୍ଡ ବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜା ନହୋଇଛି ସେ ପର୍ଯ୍ୟନ୍ତ କଳାପତାକା ଅଭିଯାନ ଚାଲିବ ବୋଲି ଘୋଷଣା କରିଥିଲେ ∣ 

ଭାଷାତପସ୍ବୀ ଗଜାନନ ମିଶ୍ର, ଭାଷା ଆନ୍ଦୋଳନ,ଓଡ଼ିଶାର ଆବାହକ ପବିତ୍ର ମହାରଥା ଆନ୍ଦୋଳନର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କଲା ପରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ସକ୍ରିୟସାଥୀ ସମାରୋହ ପରେ ପଟୁଆର ଯାଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆନ୍ଦୋଳନକୁ ଅଧିକ ସମ୍ପ୍ରସାରିତ କରିବାକୁ ଶପଥ ନବୀକୃତ ହୋଇଥିଲା 

ବ୍ୟାସଭୂମି ମହିମା ସେବା ଚ୍ୟାରିଟେବଲ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରିତ ହୋଇ ଭାଷା ଆନ୍ଦୋଳନର କେନ୍ଦୀୟ ନେତୃତ୍ବ ବ୍ୟାସ ନଗର ସ୍ଥିତ ସୁବିଖ୍ୟାତ ବ୍ୟାସ ସରୋବର ପରିଦର୍ଶନରେ ଯାଇ ତହିଁର ପରିବେଶ ପ୍ରତି ସରକାରୀ ଉଦାସୀନତା କାରଣରୁ ସେହି ପୁରାଣପ୍ରସିଦ୍ଧ ଜଳଖଣ୍ଡ କିପରି ଅସ୍ତିତ୍ବ ହରାଇବାକୁ ବସିଲାଣି ତାହା ଦେଖି ଘୋର ଉଦ୍ବେଗ ପ୍ରକାଶ କରିଥିଲେ ∣ 

 

 

D.P.Pattanayak’s closest associate stripped layer by layer

ଭାଷା ବିଜ୍ଞାନୀ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଘନିଷ୍ଠତମ ସହଯୋଗୀ ସୁବ୍ରତ କୁମାର ପୃଷ୍ଟିଙ୍କୁ ଫୁଙ୍ଗୁଳା କରିଦେଇଛନ୍ତି ଭାଷାତପସ୍ବୀ ଗଜାନନ ମିଶ୍ର ସର୍ବସାଧାରଣ ସମ୍ବାଦପତ୍ରର ଶନିବାର ସଂସ୍କରଣରେ ∣ ପଢ଼ିବା ହେଉ –