କୃଷି ଶବ୍ଦକୋଷ ଏକାନ୍ତ ଆବଶ୍ୟକ : ନଟବର ଖୁଣ୍ଟିଆ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଓଡ଼ିଶାର ଶତକଡ଼ା ୯୮ ଭାଗ ଚାଷୀ କେବଳ ଓଡ଼ିଆ ଭାଷା ବୁଝନ୍ତି । ସେମାନଙ୍କ ଭାଷାରେ ଆଧୁନିକ କୃଷି ଜ୍ଞାନକୌଶଳ ନ ପହଞ୍ଚିଲେ ଓଡ଼ିଶାର କୃଷି ଅର୍ଥନୀତିର ପୂର୍ଣ୍ଣ ବିକାଶ ସମ୍ଭବ ହେବନାହିଁ । ଏହି ଅସୁବିଧା ଦୂର ହେବା ପାଇଁ କୃଷକମାନେ ବ୍ୟବହାର କରୁଥିବା ଶବ୍ଦମାନଙ୍କୁ ନେଇ ଏକ କୃଷି ଶବ୍ଦକୋଷ ଅତ୍ୟାବଶ୍ୟକ ବୋଲି କହିଛନ୍ତି କୃଷି ଅର୍ଥନୀତିର ପ୍ରସିଦ୍ଧ ବ୍ୟାଖ୍ୟାକାର ଶ୍ରୀ ନଟବର  ଖୁଣ୍ଟିଆ ।

ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ କରାଗଲେ ତହିଁରୁ ଉତ୍ତୀର୍ଣ୍ଣ ହେଉଥିବା କୃଷିବିଦ୍ୟାର ଛାତ୍ରମାନେ ଓଡ଼ିଶାର କୃଷକମାନଙ୍କ ପାଖରେ ଜ୍ଞାନ କୌଶଳ ପହଞ୍ଚାଇବା ସହଜ ହେବ ବୋଲି ସେ କହିଛନ୍ତି ।

ଓଡ଼ିଆରେ ଓଡ଼ିଶାର ସର୍ବବିଧ ପରିଚାଳନା ଅଲଙ୍ଘ୍ୟ କରିବାକୁ ଚାଲିଥିବା ଭାଷା ଆନ୍ଦୋଳନ (କଳା ପତାକା ଅଭିଯାନ) କରୋନା ପ୍ରେକ୍ଷାପଟରେ କାୟିକତଃ ସ୍ଥଗିତ ଥାଇ ତାର ବୌଦ୍ଧିକ ସଂସ୍କରଣ ଅବ୍ୟାହତ ଅଛି । ପ୍ରତିଦିନ ଇଣ୍ଟର୍ନେଟ ମାଧ୍ୟମରେ ଏହାର ଅଦ୍ୟତନ ସ୍ଥିତି ଉପସ୍ଥାପିତ ହେଉଥିବା ବେଳେ, ପ୍ରତି ସୋମବାର ଏହାକୁ ସମର୍ଥନ କରୁଥିବା ଜଣେ ଜଣେ ସ୍ବନାମଧନ୍ୟ ବିଦ୍ଵାନ ଏହାର ପରିଗୃହୀତ କୌଣସି ଏକ ପ୍ରସଙ୍ଗରେ ବକ୍ତବ୍ୟ ରଖୁଛନ୍ତି । ଏହି କ୍ରମରେ “ଓଡ଼ିଶାର କୃଷି ପାଇଁ ଓଡ଼ିଆ” ବିଷୟରେ ଗତ ୧୪ ତାରିଖରେ ବକ୍ତବ୍ୟ ରଖିଥିଲେ ଶ୍ରୀ ଖୁଣ୍ଟିଆ, ଯାହା ଆନ୍ଦୋଳନର ବୌଦ୍ଧିକ ମଞ୍ଚ – ଫେସବୁକର ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ସିଧା ପ୍ରସାରିତ ହୋଇଥିଲା । ଆମ ପାଠକମାନଙ୍କ ପାଇଁ ନିମ୍ନରେ ତହିଁର ୟୁଟ୍ୟୁବ୍ ପରିବେଷଣ ଉପସ୍ଥାପିତ ହେଲା :

ଓଡ଼ିଆ ଭାଷା ହିଁ ଓଡ଼ିଶାର ଭିତ୍ତି : ପ୍ରଫେସର ପଞ୍ଚାନନ ମହାନ୍ତି

ଓଡ଼ିଆରେ ଓଡ଼ିଶାର ପରିଚାଳନା ପାଇଁ ଆବଶ୍ୟକୀୟ ଆଇନ ପ୍ରଣୟନ ଦାବିରେ ଚାଲିଥିବା ଭାଷା ଆନ୍ଦୋଳନର ବୌଦ୍ଧିକ ସଂସ୍କରଣରେ ଯୋଗଦାନ କରି ପ୍ରୟୋଗାତ୍ମକ ଭାଷା ତତ୍ତ୍ଵର ସ୍ଵନାମଧନ୍ୟ ବିଶେଷଜ୍ଞ ତଥା ଭାରତର ଭାଷାତତ୍ତ୍ଵବିତ୍ ସମାଜ (Linguistic Society of India )ର ସଭାପତି, ପ୍ରଫେସର ପଞ୍ଚାନନ ମହାନ୍ତି ସୋମବାର ନିର୍ଦ୍ଧାରିତ ସମୟରେ ଉଦ୍ବୋଧନ ଦେଇ, ଓଡ଼ିଆ ଭାଷା ହିଁ ଓଡ଼ିଶାର ଭିତ୍ତି ହୋଇଥିଲେ ମଧ୍ୟ ତହିଁର ଉପସ୍ଥିତ ସ୍ଥିତି ଉପରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ।

ଯୁଗାନ୍ତକାରୀ ଭାଷାତତ୍ତ୍ଵବିତ୍ ଜର୍ଜ କିଂସ୍ଲେ ଜିଫ୍ (George Kingsley Zipf)ଙ୍କ ନିରୂପଣ ସୂଚିତ କରି ପ୍ରଫେସର ମହାନ୍ତି କହିଛନ୍ତି, ଓଡ଼ିଶାର କର୍ମଚାରୀମାନେ ସବୁଠୁ କମ ପରିଶ୍ରମରେ କାମ କରିବା ନୀତି (Principle of least effort ) ଆପଣାଇବାକୁ ବ୍ୟଗ୍ର ଥାଇ, ଏଥିରେ ବାଧା ନଆସିବା ପନ୍ଥା (Principle of least resistance) ବି ଅପଣାଇଛନ୍ତି । ଏହା ହିଁ ହେଉଛି କାରଣ, ଯେଉଁଥିପାଇଁ ଓଡ଼ିଆରେ ଓଡ଼ିଶାର ଶାସନ ହୋଇପାରୁନି । ରାଜ୍ୟର କର୍ମଚାରୀ ଓ କର୍ମନିର୍ବାହିମାନଙ୍କୁ ଏହି ଆରାମ ମଣ୍ଡଳ (Comfort Zone) ପରିବର୍ତ୍ତେ ସେବା ମଣ୍ଡଳ (Service Zone )ର ଦାୟିତ୍ଵ ନିର୍ବାହ କରିବାକୁ ବାଧ୍ୟ କରାନଗଲେ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ସମ୍ଭବ ହେବନାହିଁ ବୋଲି ଦର୍ଶାଇଛନ୍ତି ପ୍ରଫେସର ମହାନ୍ତି ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ଭାଷାପ୍ରିୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଘୋଷଣା ସତ୍ତ୍ୱେ, ଓଡ଼ିଶାରେ ଓଡ଼ିଆ ଭାଷାରେ କାମ ହେଲା ନାହିଁ ; କାରଣ କିଂସ୍ଲେଙ୍କ ନିରୂପଣ ପ୍ରତି ଧ୍ୟାନ ଦେଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ପାରିଲା ନାହିଁ କି କର୍ମଚାରୀମାନଙ୍କୁ ଆରାମ ମଣ୍ଡଳରୁ ବାହାର କରାଯାଇ ପାରିଲା ନାହିଁ । ଏହାର ପ୍ରତିକାର ପାଇଁ ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କୁ ଦଣ୍ଡବିଧାନ ଉପରେ ଗୁରୁତ୍ଵ ଦେଉଥିବା ଭାଷା ଆନ୍ଦୋଳନକୁ ତାର ଅଭିଯାନର ୧୬୦୮ ଦିନରେ ପହଞ୍ଚିଥିବା ଅବସରରେ ସେ ପ୍ରଶଂସା କରିଛନ୍ତି ।

ଓଡ଼ିଆ ଭାଷା କିପରି ଓଡ଼ିଶା ସରକାରଙ୍କ ଅବିମୃଷ୍ୟକାରୀତାର ଶିକାର ହୋଇଛି ତାହା ଦର୍ଶାଇ ସେ କହିଛନ୍ତି, ସରକାର ପ୍ରସ୍ତୁତ କରିଥିବା ପ୍ରଶାସନିକ ଶବ୍ଦକୋଷରେ ସାର୍ବଜନୀନ ଶବ୍ଦମାନଙ୍କର ଘୋର ଅଭାବ ରହିଛି କେବଳ ନୁହେଁ, ତହିଁରେ ମୁଖ୍ୟମନ୍ତ୍ରୀଙ୍କ ସେ ସମ୍ପର୍କୀୟ ଅଭିଳାଷ ପ୍ରତିଫଳିତ ନ ହୋଇଥିବା ଏହି ସଂକେତ ଦେଉଛି କି ରାଜ୍ୟରେ କର୍ମଚାରୀ କୈନ୍ଦ୍ରିକ ଶାସନ ଚାଲିଛି , ଯାହା ଲୋକତନ୍ତ୍ର ସମର୍ଥିତ ବ୍ୟବସ୍ଥା ନୁହେଁ । ଏପରି ଏକ ସ୍ଥିତିରେ ଓଡ଼ିଆ ଭାଷା ଉପରେ ଏକ ସଙ୍କଟ ସୃଷ୍ଟି ହୋଇଛି । ଏହା ଏପରି  ଯେ, ଓଡ଼ିଆ ଭାଷାର ଏକ ଭାଷା-ବ୍ୟାକରଣ ନାହିଁ ଓ ଯେଉଁମାନେ ଲେଖିଛନ୍ତି , ସେମାନେ ବ୍ୟାକରଣ ପ୍ରସ୍ତୁତିର ମୌଳିକ ପଦ୍ଧତ୍ତି ପ୍ରତି ଧ୍ୟାନ ନ ଦେଇଥିବା ହେତୁ ଓଡ଼ିଆ ଭାଷାର ସ୍ଵକୀୟତା ବ୍ୟାକରଣରେ ପ୍ରସ୍ଫୁଟିତ ହୋଇନାହିଁ । ସେ କହିଛନ୍ତି, ଭାଷାକୁ ନେଇକରି ବ୍ୟାକରଣ ଲେଖାହୁଏ । ବ୍ୟାକରଣର କାମ ହେଲା , ଆମ ମସ୍ତିଷ୍କରେ ଥିବା ଭାଷାଢାଞ୍ଚାକୁ ପଦ୍ଧତ୍ତିଭୂକ୍ତ କରିବା । ଏହା ନ ହୋଇଥିବା ଫଳରେ ଭାବ ଓ ଭାଷା ମୌଳିକ ଫରକ ଦ୍ଵାରା ଆକ୍ରାନ୍ତ ହେଉଛି, ଯାହାର ନିରାକରଣ ଏକାନ୍ତ ଆବଶ୍ୟକ ।

ସେହିପରି ଓଡ଼ିଶାର ଇଂରାଜୀ ବନାନ Orissa ପରିବର୍ତ୍ତେ Odisha କରି ଆମ ଭାଷାର ମୌଳିକତା ପ୍ରତି ଘୋର ବିପର୍ଯ୍ୟୟ ସୃଷ୍ଟିକରାହୋଇଛି । ଏହି ନୂଆ ଇଂରାଜୀ ବନାନ ହେତୁ ରାଜ୍ୟ ବାହାରର ଅନେକ ବ୍ୟକ୍ତି ଆମ ରାଜ୍ୟକୁ “ଓଦିଶ୍ୟା” ବୋଲି କହୁଛନ୍ତି , କାରଣ ଇଂରାଜୀର ‘d’ ଅକ୍ଷର ‘ଦ’ ରୂପେ ବି ଉଚ୍ଚାରିତ ହୋଇଥାଏ । ଦୁଃଖର କଥା ଯେ, ଏହି ବିପର୍ଯ୍ୟୟର ଉତ୍ସବ ମନାଇବା ପାଇଁ ଶତାଧିକ କୋଟି ଟଙ୍କା ଖର୍ଚ୍ଚ କରାହୋଇଛି ଯାହା ଜନମଙ୍ଗଳ କାମରେ ଲଗାଯାଇପାରିଥାନ୍ତା ବୋଲି କହିଛନ୍ତି ପ୍ରଫେସର ମହାନ୍ତି ।

ଆମ ଭାଷା ଉଜୁଡ଼ି ଯାଉଥିବା ବେଳେ ଅଶୁଦ୍ଧ ଇଂରାଜୀରେ ଶାସନ ଚାଲିବା ଓ ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା ଉପରେ ସରକାରୀ ପ୍ରୋତ୍ସାହନ ଅଜାଡ଼ିହୋଇଚାଲିଥିବା ଆମ ଭାଷାକୁ ବିପଦଗ୍ରସ୍ତ କରିଛି । ଶାସ୍ତ୍ରୀୟ ମାନ୍ୟତା ଅର୍ଜନ କରିଛୁ ବୋଲି ଆତ୍ମସନ୍ତୋଷରେ ଆମେ ଝଲସୁଥିବା ବେଳେ ଆମ ଭାଷାର ପ୍ରାଣଶକ୍ତି (vitality) ବର୍ତ୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି । ଏହି ପ୍ରାଣଶକ୍ତି ହ୍ରାସ ପାଇଥିବା ହେତୁ ପ୍ରାୟ ୫ ବର୍ଷ ଖଣ୍ଡେ ବାହାରେ ରହିଗଲେ ଓଡ଼ିଆମାନେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ କୁଣ୍ଠା ପ୍ରକଟ କରୁଛନ୍ତି । ନିଜ ରାଜ୍ୟରେ ଯଦି ଆମ ଭାଷା ତାର ପ୍ରାଣଶକ୍ତି ହରାଇନଥାନ୍ତା, ଏପରି କେବେ ମଧ୍ୟ ହୁଅନ୍ତା ନାହିଁ ବୋଲି ସେ କହିଛନ୍ତି ।

ସରକାରଙ୍କ ଇଂରାଜୀ ଭାଷାପ୍ରୀତିର ଆତିଶଯ୍ୟ ଉପରେ ଇଂରାଜୀ ଭାଷାତତ୍ତ୍ଵର ଏହି ବିଶ୍ଵବିଦିତ ପ୍ରଫେସର ମତ ରଖି କହିଛନ୍ତି, ଇଂରାଜୀ ଭାଷା ଆମ ଭାଷାର ବହୁ ମୌଳିକ ବିଭବକୁ ନଷ୍ଟ କରିଦେବ । ଉଦାହରଣ ସ୍ୱରୂପ ଓଡ଼ିଆ ଭାଷାର ପାରିବାରିକ ଶବ୍ଦ ବିଭବ ଅତି ମୂଲ୍ୟବାନ ଓ ଓଡ଼ିଆ ବୁନିଆଦିର ବୈଶିଷ୍ଟ୍ୟରେ ଭରା । ଆମର ପ୍ରତି ସମ୍ପର୍କୀୟ ପାଇଁ ଆମର ଏକ ଏକ ଭିନ୍ନ ଭିନ୍ନ ଶବ୍ଦ ଅଛି । ଯେପରି ବାପାଙ୍କ ଭାଇ ‘ବଡବାପା’ ବା ‘ଦଦା’; ମାଆର ଭାଇ ‘ମାମୁଁ’ । ସେହିପରି ସମ୍ପର୍କ ଭିତ୍ତିରେ ‘ମଉସା’, ‘ପିଇସା’ ଇତ୍ୟାଦି । କିନ୍ତୁ ଏହି ସବୁ ଶବ୍ଦ ପାଇଁ ଇଂରାଜୀରେ କେବଳ ଗୋଟିଏ ଶବ୍ଦ ଅଛି , ଯାହା ହେଲା ‘ଅଙ୍କଲ’ । ଆମ ଇଂରାଜୀ ଭାଷା ଶିକ୍ଷା ଏହି ଅଙ୍କଲ ଶବ୍ଦ ତଳେ ଚାପିଦେବ ପାରିବାରିକ ଶବ୍ଦ ଭଣ୍ଡାର , ଯାହା ସମୁଦ୍ରରୁ କେବଳ ଶଙ୍ଖେ ପାଣିର ଉଦାହରଣ ବୋଲି ସେ କହିଛନ୍ତି । 

ଇଂରାଜୀ ଶିକ୍ଷା ଦ୍ଵାରା ଏପରି ଅଜସ୍ର ଓଡ଼ିଆ ଶବ୍ଦ ବିଭବ ନଷ୍ଟ ହୋଇଯିବ । ଇଂରାଜୀ ଭାଷା ଶିକ୍ଷା ଦ୍ଵାରା ଆମର ବିକାଶ ହେବ – ଏହା ଏକ ଭୁଲ ଚିନ୍ତା ବୋଲି କହି ପ୍ରଫେସର ମହାନ୍ତି କହିଛନ୍ତି, ପିଲାର ଦୈହିକ ସ୍ୱାସ୍ଥ୍ୟ ପାଇଁ ଯେପରି ମା କ୍ଷୀର ଆବଶ୍ୟକ, ତାର ମାନସିକ ସ୍ୱାସ୍ଥ୍ୟ ପାଇଁ ସେପରି ମାତୃଭାଷା ଆବଶ୍ୟକ । ଏହି ମାନସିକ ସ୍ୱାସ୍ଥ୍ୟ ସୁଦୃଢ ହେଲେ ହିଁ ଭବିଷ୍ୟ ପିଢିର ଓଡ଼ିଆ ସୁଦୃଢ ହେବ , ଅନ୍ୟଥା ନୁହେଁ । ପ୍ରତି ବାପ ମା ଏଥିପାଇଁ ଧ୍ୟାନ ଦେବା ଆବଶ୍ୟକ ଓ ଘରେ ପିଲା ସହ ସବୁବେଳେ ଓଡ଼ିଆ ଭାଷାରେ କଥା ହେବା ଆବଶ୍ୟକ ।

ଓଡ଼ିଶାର ଭିତ୍ତି ଅଟଳ ରଖିବାକୁ ହେଲେ, ପ୍ରଫେସର ମହାନ୍ତି କହିଛନ୍ତି, ପ୍ରତ୍ୟେକ ବାପ ମା ସେମାନଙ୍କ ଶିଶୁମାନଙ୍କ କଣ୍ଠରେ କେବଳ ଗୋଟିଏ ଗୌରବଭରା ଦୁହା ଧରାନ୍ତୁ, ଯାହାକୁ ଧରି ପ୍ରତି ଓଡ଼ିଆ ସନ୍ତାନ ଗର୍ବରେ କହୁ – ଓଡ଼ିଶା ମୋ ମାତୃଭୂମି, ଓଡ଼ିଆ ମୋ ମାତୃଭାଷା । ଏଥିରେ ହିଁ ନିହିତ ଆମ ପରିଚୟ ଅକ୍ଷୁର୍ଣ୍ଣ ରହିବାର ଆଶା ।

ଭାଷା ଆନ୍ଦୋଳନ : ଇତିହାସ-ବର୍ତ୍ତମାନ-ଭବିଷ୍ୟତ

ରଞ୍ଜନ କୁମାର ସାହୁ 

ଆଜି ଭାଷା ଆନ୍ଦୋଳନର ୧୬୦୭ ଦିନ । ଆଜି ପାଇଁ ଗତକାଲି ଇତିହାସ ଓ ଆସନ୍ତାକାଲି ଭବିଷ୍ୟତ। ତେଣୁ , ଆଜିର ବିଷୟ ହେଉଛି ଏହାର ଇତିହାସ-ବର୍ତ୍ତମାନ- ଭବିଷ୍ୟତ ।

ଭବିଷ୍ୟତ ବର୍ତ୍ତମାନ ଗର୍ଭରୁ ଓ ବର୍ତ୍ତମାନ ଇତିହାସ ଗର୍ଭରୁ ଜାତ ହୋଇଥାଏ । ଏହି ଧାରା ସତତ ଚଳମାନ । ଧ୍ୟାନ ରଖିବେ , ଏହି ଧାରା ଜାତ ହୋଇଥାଏ କେବେ ଗତ ହୋଇନଥାଏ । ଏହାର ଅର୍ଥ ଜାତିର ଜୀବନରେ କୌଣସି କାର୍ଯ୍ୟଧାରାର ମୃତ୍ୟୁ ହୋଇନଥାଏ । ଯାହା ଜାତ ହୋଇସାରିଛି ତାହା ଇତିହାସ, ଯାହା ଜାତ ହେଉଛି ତାହା ବର୍ତ୍ତମାନ ଓ ଯାହା ଜାତ ହେବାକୁ ଯାଉଛି ତାହା ଭବିଷ୍ୟତ । ତେଣୁ, ଏ ଧାରାର ଆରମ୍ଭ ଅଛି କିନ୍ତୁ ଅନ୍ତ ନାହିଁ ।

ଆମ ଇତିହାସ ହେଉଛି “କଳିଙ୍ଗାଃ ସାହସିକା” ର ଇତିହାସ । ଯେଉଁଥିରେ ବୁଦ୍ଧ ଆସିବେ , ଖାରବେଳ ଆସିବେ, କପିଳେନ୍ଦ୍ର ଦେବ ଆସିବେ । ସମଭାବାପନ୍ନ ମଣିଷମାନଙ୍କୁ ନେଇ ଜାତି ସୃଷ୍ଟି ହୋଇଥାଏ । ତେଣୁ, ମଣିଷର ଯେମିତି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଅଛି ସେହିଭଳି ସମଭାବାପନ୍ନ ମଣିଷମାନଙ୍କର ସମଷ୍ଟି ବା ଜାତିର ମଧ୍ୟ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଅଛି । ଫରକ ଏତିକି ମଣିଷର ଅନ୍ତ ଥାଏ, ଜାତିର ଅନ୍ତ ନଥାଏ । ଯେମିତି ସମୟର ଅନ୍ତ ନଥାଏ କିନ୍ତୁ ମୁହୂର୍ତ୍ତ ବା ମିନିଟର ଅନ୍ତ ଥାଏ । ମୁଁ ସମୟକୁ ଏହିଠାରେ ଜାତି ସହ ତୁଳନା କରିଛି ଓ ମୁହୂର୍ତ୍ତ ବା ମିନିଟକୁ ମଣିଷ ସହିତ ।

ଏବେ, ଆପଣମାନେ ଜାଣିପାରୁଥିବେ ମୁଁ କ’ଣ କହିବାକୁ ଚାହୁଁଛି । ଆମ ଜାତିର ସୁଦୂର ଅତୀତର ସନ୍ଧିକ୍ଷଣ ମୁହୁର୍ତ୍ତଗୁଡିକ ଥିଲେ ବୁଦ୍ଧ, ଯିଏ ମଣିଷପଣିଆରେ ପରିପୂର୍ଣ୍ଣ ଓ ବିଜ୍ଞାନସମ୍ମତ ଧର୍ମର ପ୍ରଚାର କରିଥିଲେ, ଥିଲେ ଭୀମ ଭୋଇ, ଯିଏ କହିଥିଲେ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ “, ଥିଲେ ଖାରବେଳ, ଯିଏ କଳିଙ୍ଗର ହୃତ ଗୌରବକୁ ଫେରାଇ ଆଣିଥିଲେ, ଥିଲେ କପିଳେନ୍ଦ୍ର ଦେବ, ଯିଏ ଓଡ଼ିଆ ଭାଷାର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ, ସେହି ସମୟର ମୁହୁର୍ତ୍ତଗୁଡ଼ିକ ଥିଲା “ଆଗଙ୍ଗା ଗୋଦାବରୀ”ର ମୁହୁର୍ତ୍ତ ।

ଏବେ ଆଉଟିକେ ନିକଟ ଅତୀତକୁ ଆସିବା, ସେହି ସମୟର ସନ୍ଧିକ୍ଷଣ ମୁହୁର୍ତ୍ତଗୁଡ଼ିକ ଥିଲେ, ଉତ୍କଳ ଗୌରବ ମଧୁସୂଦନ ଦାସ, ମଧୁବାବୁ, ଯିଏ ଓଡ଼ିଆକୁ ଓଡ଼ିଆଭାଷା ଭିତ୍ତିରେ ଓଡ଼ିଶା ଦେଇଥିଲେ, ସେ ଜାତିର ପୂର୍ବ ସନ୍ଧିକ୍ଷଣ ମୁହୁର୍ତ୍ତଗୁଡ଼ିକୁ ସ୍ମରଣ କରି ଡାକ ଦେଇଥିଲେ, “ତୋ ପୂର୍ବପୁରୁଷେ ଜୟ କରିଥିଲେ ଗଙ୍ଗାଠାରୁ ଗୋଦାବରୀ, ତାଙ୍କରି ଔରସେ ଜନ୍ମହୋଇ ତୁହି କେଉଁ ଗୁଣେ ତାଙ୍କୁ ସରି ?”, ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ, ଯିଏ ଓଡ଼ିଶାର ଦୀନଜନଙ୍କର ପରମବନ୍ଧୁ ଥିଲେ, ଥିଲେ ଗଙ୍ଗାଧର ମେହେର, ଯିଏ ଓଡ଼ିଆପ୍ରୀତି ନଥିବା ମହାଜ୍ଞାନୀମାନଙ୍କୁ ମୁର୍ଖର ଦୀନ ହୀନ କୁଡ଼ିଆରେ ବସେଇ ଦେଇଥିଲେ, ତେଣୁ, ତାଙ୍କୁ ନୁହେଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ?, ଥିଲେ ଫକୀର ମୋହନ ସେନାପତି, ଯିଏ ସାହିତ୍ୟ ଲେଖି ଭାଷାକୁ ଉଦ୍ଧାର କରିଥିଲେ ।

ଅତୀତର ଆଉଟିକେ ନିକଟ ସନ୍ଧିକ୍ଷଣ ମୁହୂର୍ତ୍ତଗୁଡ଼ିକ ଥିଲେ, ନବକୃଷ୍ଣ ଚୌଧୁରୀ, ଯିଏ ଓଡ଼ିଶାର ଆଧାରଶିଳାକୁ ମଜବୁତ କରିବା ପାଇଁ ଓଡ଼ିଆମାନଙ୍କୁ ଓଡ଼ିଆ ଭାଷା ଆଇନ ଦେଇଥିଲେ, ଥିଲେ ପଣ୍ଡିତ ଲାଷ୍ମୀନାରାୟଣ ମିଶ୍ର, ଯିଏ ବିଧାନସଭାରେ ଓଡ଼ିଶା ଭାଷା ଆଇନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ, ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ, ଯିଏ ଭାଷା ଆଇନର କାର୍ଯ୍ୟକାରିତା ପାଇଁ ଖୁବ୍ ଚେଷ୍ଟା କରିଥିଲେ ।

ଏବେ ଆମେ ବର୍ତ୍ତମାନକୁ ଆସିବା । ବର୍ତ୍ତମାନର ସନ୍ଧିକ୍ଷଣ ମୁହୂର୍ତ୍ତଗୁଡ଼ିକରେ ଅଛନ୍ତି ନବୀନ ପଟ୍ଟନାୟକ, ଯିଏ ନୂତନ ନୂତନ ଫନ୍ଦିଫିକର କରି ଓଡ଼ିଆ ଜାତିକୁ ଭୁଆଁ ବୁଲେଇ ଓଡ଼ିଆ ଭାଷା ପ୍ରତି ନାନା ଅବମାନନା ପ୍ରଦର୍ଶନ କରିଚାଲିଛନ୍ତି । ଏହା ହେଉଛି ସେହି ଓଡ଼ିଆ ଭାଷା ଯାହା ଅତୀତରେ କପିଳେନ୍ଦ୍ର ଦେବଙ୍କ ଦ୍ୱାରା, ମଧୁବାବୁଙ୍କ ଦ୍ୱାରା, ଫକୀର ମୋହନଙ୍କ ଦ୍ୱାରା ସୁରକ୍ଷିତ ହୋଇ ଆମ ନିକଟକୁ ଆସିଛି । କିନ୍ତୁ, ଆଜି ସେହି ଭାଷାର ଗୌରବମୟ ଗତିପଥରେ ଏକ ବିରାଟ ଗାତ ବା ଗାଢ଼ ଖୋଳିଛି ଏବଂ ଖୋଳୁଛି ବର୍ତ୍ତମାନର ଓଡ଼ିଶା ସରକାର ।

ବର୍ତ୍ତମାନର ଆଉ ଏକ ମହତ୍ୱପୂର୍ଣ୍ଣ ସନ୍ଧିକ୍ଷଣ ମୁହୂର୍ତ୍ତ ହେଉଛି, ଭାଷା ଆନ୍ଦୋଳନ, ଓଡ଼ିଶା ଯାହା ପ୍ରାଣପଣେ ଚେଷ୍ଟା କରିଚାଲିଛି ସେହି ଗାଢ଼କୁ ପୋତା ପକାଇ ଓଡ଼ିଆ ଭାଷା ଓ ତା’ ଆଧାରରେ ସୃଷ୍ଟି ଓଡ଼ିଆଜାତିର ଗୌରବମୟ ଯାତ୍ରାକୁ ବଜାୟ ରଖିବା ପାଇଁ । ଏହି ସନ୍ଧିକ୍ଷଣଟିର ଶକ୍ତି ଏହିଭଳି ଯେ, ଏହା ଓଡ଼ିଶା ସରକାରଙ୍କୁ ବାରମ୍ବାର ମଥାନତ କରି ଆଇନ ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି । ଶେଷରେ, ଏ ଆନ୍ଦୋଳନକୁ ସାମନା କରିନପାରି, ୨୦୧୮ ମସିହାରେ କିଛି ବିଶ୍ୱାସଘାତକଙ୍କୁ ତାଙ୍କର ବିକ୍ରି ଦାମ୍ ଦେଇ ତାଙ୍କୁ କିଣି ମିଛ ପ୍ରଚାର କଲେ ଯେ; “ଭାଷା ଆଇନ ସଂଶୋଧନ ହୋଇଗଲା; ବର୍ତ୍ତମାନ ଓଡ଼ିଶାର ସମସ୍ତ କାର୍ଯ୍ୟ ଓଡ଼ିଆରେ ହେବ ।” ଏହି ମିଛ ପ୍ରଚାରରେ ନିଜକୁ ଛାମୁଆ ଗଣମାଧ୍ୟମ ବୋଲି ପରିଚୟ ଦେଉଥିବା ଗଣମାଧ୍ୟମମାନେ ମଧ୍ୟ ସାମିଲ ହେଲେ, କିନ୍ତୁ ଜାତିପ୍ରୀତି ନଥିଲେ ଛାମୁଆମାନେ ଯେ ଚାମଚା ପରିଗଣିତ ହୋଇଥାଆନ୍ତି, ଗଙ୍ଗାଧରଙ୍କର ଏହି ଇଙ୍ଗିତକୁ ଏମାନେ ବୁଝିବାକୁ ଅସମର୍ଥ । ୨୦୧୮ ରେ ଏମାନଙ୍କର ପ୍ରଚାର ଥିଲା ଯେ ଓଡ଼ିଶା ସରକାର ବର୍ତ୍ତମାନ ଓଡ଼ିଆ ଭାଷା ଆଇନକୁ ଲାଗୁ କଲେ, ହେଲେ ଏମାନଙ୍କର ଜ୍ଞାନର ଅଭାବ ଯେ ୧୯୫୪ ରୁ ଓଡ଼ିଆ ଭାଷା ଆଇନ ଲାଗୁ ହୋଇସାରିଛି । ଏମାନେ ପ୍ରଚାର କଲେ ନାହିଁ ଯେ ସଂଶୋଧନ ଦ୍ୱାରା ଖିଲାପକାରୀକୁ ଦଣ୍ଡବିଧାନ ହୋଇନାହିଁ, ବରଂ ଖିଲାପ କରୁନଥିବା ଲୋକପାଇଁ ପୁରସ୍କାର ଅଛି । ତେଣୁ, ଏହି ଆଇନକୁ ବର୍ତ୍ତମାନର ଓଡ଼ିଶା ସରକାର ଏଭଳି ରୂପ ଦେଇଛନ୍ତି, ଯାହା ମାଈ ନା ଅଣ୍ଡିରା କହିବା ଏକ ଦୂରୁହ ବ୍ୟାପାର ।

ଏହିଭଳି କୋଳାହଳ ସୃଷ୍ଟି କରି ଓ ଓଡ଼ିଆ ଭାଷାରେ ଓଡ଼ିଶାର କାର୍ଯ୍ୟ ହେବ ବୋଲି ମିଡ଼ିଆ ମ୍ୟାନେଜମେଣ୍ଟ କରି ୨୦୧୯ ନିର୍ବାଚନରେ ଗାଦି ଗ୍ରହଣ କଲେ । ନିର୍ବାଚନ ପୂର୍ବରୁ ଯାହା ପ୍ରଚାର ହୋଇଥିଲା ତାହା ଷୋଳଅଣା ମିଥ୍ୟା ଥିଲା ବୋଲି ଭାଷା ଆନ୍ଦୋଳନ ଜାଣିଥିଲା । ସେଥିପାଇଁ, ଆନ୍ଦୋଳନର କଳାପତାକା ଅଭିଯାନ ବିଭିନ୍ନ ଘାତ ପ୍ରତିଘାତ ସତ୍ତ୍ୱେ ବନ୍ଦ ହୋଇନଥିଲା । କିନ୍ତୁ, ଆମ ସରଳ ଲୋକମାନେ ସେହି ମିଥ୍ୟା ପ୍ରଚାରରେ ଭାସି ଯାଇଥିଲେ ବୋଲି ଆଜି ମର୍ମେ ମର୍ମେ ଅନୁଭବ କରୁଛନ୍ତି । କାରଣ, କରୋନା ବେଳେ ସେମାନେ କୂଳକିନାରା ପାଉନାହାନ୍ତି । ଅର୍ଥାତ, କରୋନା ସମ୍ବନ୍ଧୀୟ ସମସ୍ତ ସୂଚନା ଇଂରାଜୀରେ ଜାରି ହେଉଛି । ଶହେକେ ୯୩ ଭାଗ ଓଡ଼ିଆ ଇଂରାଜୀ ଜାଣିନାହାନ୍ତି ବୋଲି ବିଧାନସଭା ନିଜେ ମାନୁଛି , ତା’ସତ୍ତ୍ୱେ ଏ ଚାଲବାଜି କ’ଣ ପାଇଁ? ଏହାର ଗୋଟିଏ ଅର୍ଥ । ସେମାନେ ଆମକୁ କହୁଛନ୍ତି ଯେ, “ପରୱା ନାହିଁ । ତୁମକୁ ଭକୁଆ ବନେଇ, ଆମେ ଭାକୁର ମାରିନେଇ, କେରାଣ୍ଡି ତୁମ ମୁହଁକୁ ଫୋପାଡ଼ି ଦେଉଥିବୁ । ଯଦି ବଞ୍ଚିବାର ଅଛି ଖାଅ, ନେହେଲେ ମର ।”

ଏବେ ଯେଉଁ ସନ୍ଧିକ୍ଷଣ ମୁହୂର୍ତ୍ତର କଥା ମୁଁ କହିବି ତାହା ହେଉଛି ବର୍ତ୍ତମାନର ମୁହୁର୍ତ୍ତ, ଚାଲୁଥିବା ଆଜିର ଏହି ସପ୍ତାହନ୍ତ ପାଠଚକ୍ରର ମୁହୁର୍ତ୍ତ । ଏହି ମୁହୂର୍ତ୍ତ ଧରି ରଖିଛି ଶିକ୍ଷାଦୀକ୍ଷା, ଉଚ୍ଚନୀଚ୍ଚ ଏଭଳି ଯେକୌଣସି ଯୋଗ୍ୟତା ନିର୍ବିଶେଷରେ ଭାଷାପ୍ରୀତି ଥିବା ଓଡ଼ିଆମାନଙ୍କୁ, ଯେଉଁମାନେ ଗଙ୍ଗାଧରଙ୍କ ଭାଷାରେ ଜ୍ଞାନୀ । ଗଙ୍ଗାଧର କହିଥିଲେ –
“ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?।”

ଆମେମାନେ ଜାତିର ଏହି ସମୟ ରୂପକ ଯାତ୍ରାରେ ଏକ ମହତ୍ୱପୂର୍ଣ୍ଣ ମୁହୂର୍ତ୍ତର ଭୂମିକା ଗ୍ରହଣ କରିଛେ । ଆମେ ଚାଲିବା, ଆଗକୁ ଚାଲିବା, ଅଟକିଯିବାନି, ଯେପର୍ଯ୍ୟନ୍ତ ଓଡ଼ିଆ ଜାତିକୁ ତା’ର ଭାଷା ଅଧିକାର ନମିଳିଛି । ଏହି ମୁହୁର୍ତ୍ତ ହିଁ ହେଉଛି ଆମର ଏହି ପ୍ରତିଜ୍ଞାର ସାକ୍ଷୀ ।

ବର୍ତ୍ତମାନର ଏହି ପ୍ରତିଜ୍ଞାର ମୁହୁର୍ତ୍ତର ଗର୍ଭରୁ ଜାତ ହେବ ଭବିଷ୍ୟତର ମୁହୁର୍ତ୍ତ । ସେହି ମୁହୁର୍ତ୍ତ ଥିବ ଓଡ଼ିଆ ଅସ୍ମିତାର, ସେହି ମୁହୁର୍ତ୍ତ ଥିବ ଓଡ଼ିଆ ଗରିମାର, ସର୍ବୋପରି ସେହି ମୁହୁର୍ତ୍ତ ଥିବ ଓଡ଼ିଆ ଭାଷାର ।

ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର: ଭାଷା ଅଧିକାର ହେଉ ମୌଳିକ ଅଧିକାର

(ସୂତ୍ର : ଆମ ଭାଷା ଆମ ଅଧିକାର )

ରାଜ୍ୟର ଭାଷା ରାଜ୍ୟବାସୀଙ୍କ ମୌଳିକ ଅଧିକାରଭୁକ୍ତ ହେଉ ବୋଲି ଗତ ରବିବାର(୦୬/୦୯/୨୦୨୦)ସନ୍ଧ୍ୟାରେ, ଭାଷା ଆନ୍ଦୋଳନର ଭର୍ଚୁଆଲ ସାପ୍ତାହିକ ଆଲୋଚନାଚକ୍ରରେ ପ୍ରସ୍ତାବିତ ହୋଇଛି ।ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀ ମାନେ ଅଂଶଗ୍ରହଣ କରିଥିଲେ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟନାୟକଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।  ତତ୍ପରେ ଶ୍ରୀ ବାପିନା ପାଲଟାସିଂହ ସ୍ୱରଚିତ କବିତା ଆବୃତି କରିଥିଲେ । ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା,”ଭାଷା ଆନ୍ଦୋଳନର ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତ”। ଶ୍ରୀ ରଂଜନ କୁମାର ସାହୁ ଏହି ବିଷୟରେ ନିଜ ଆଲୋଚନା ମାଧ୍ୟମରେ ନିମ୍ନ କେତୋଟି ମୁଖ୍ୟ ଦିଗ ପ୍ରତି ଆଲୋକପାତ କରିଥିଲେ । ସେଗୁଡିକ ହେଲା-

୧.ଓଡ଼ିଆ ଭାଷାର ସୁରକ୍ଷା ବିଷୟରେ ଇତିହାସକୁ ଅବଲୋକନ କଲେ, ଆମ ସାମ୍ନାକୁ ଆସନ୍ତି ଶ୍ରୀଯୁକ୍ତ ନବକୃଷ୍ଟ ଚୌଧୁରୀ, ଶ୍ରୀଯୁକ୍ତ ଲିଙ୍ଗରାଜ ମିଶ୍ର ଓ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ।କାରଣ ଓଡ଼ିଆ ଭାଷାକୁ ରାଜ-ଭାଷା /ପ୍ରଶାସନିକ ଭାଷା କରିବାର ପ୍ରକ୍ରିୟା ରେ,ସେମାନଙ୍କ ଅବଦାନ ଅତୁଳନୀୟ।
୨.ବର୍ତ୍ତମାନର ସମୟ ହେଉଛି, ଓଡ଼ିଆ ଭାଷା ସୁରକ୍ଷାର ଏକ ନିର୍ଣ୍ଣାୟକ ସମୟ। ଆଜି ଯଦି ଆମ ଭାଷା ଜନନୀର ସୁରକ୍ଷା ପାଇଁ କିଛି ନକରି ପାରିବା, ତେବେ ଆମ ଜାତି ଭବିଷ୍ୟତରେ ତାର ଅସ୍ମିତା କୁ ହରାଇବ।
୩.ଆମ ଭାଷାର ସୁରକ୍ଷା ରେ ହିଁ ଆମର ସାମାଜିକ ସୁରକ୍ଷା, ଅର୍ଥନୈତିକ ପ୍ରଗତି, ବୌଦ୍ଧିକ ବିକାଶ ସମ୍ଭବ ହୋଇପାରିବ।
ଏହି ଆଲୋଚନାଚକ୍ରରେ ଭାଗ ନେଇଥିବା ଭାଷାପ୍ରେମୀ ସୌଭାଗ୍ୟ ରାଉତ,ଶଶିକାନ୍ତ ପଣ୍ଡା,ମହେନ୍ଦ୍ର ତ୍ରିପାଠୀ, ସୁଶାନ୍ତ ମାହାଳି,ସରୋଜ କୁମାର ମହାନ୍ତି , କୁନାଲ ପତ୍ରି,ଚିରଞ୍ଜୀବ ମାହାଳି ଓ ପ୍ରିୟ ନିର୍ମଳ ଭାଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ।

ଭାଷା ଆନ୍ଦୋଳନର ସ୍ଥିତି ସମୀକ୍ଷା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପରେ, ଆଲୋଚନା ଶେଷ ହେଲା।

ଦଲାଲଙ୍କ ଦବ୍ଦବାରେ ଓଡ଼ିଶା : ଭାଷା ଆନ୍ଦୋଳନରେ ହିଁ ନିହିତ ମୁକ୍ତିର ମାର୍ଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଛାତିକି ଯେତେ ବାଧିଲେ ବି ଏହାହିଁ ସତ , ଆମ ରାଜ୍ୟଟି ଆରମ୍ଭରୁ ଅଣଓଡ଼ିଆ ଦଲାଲମାନଙ୍କ ଦ୍ୱାରା ଅଧ୍ୟୁଷିତ ହୋଇ ଆସିଛି | ୧୯୬୬ରୁ ଆମ ଓଡ଼ିଶାର ରାଜନେତାମାନଙ୍କ ଉପରେ ନଜର ରଖିବାର ସୁଯୋଗ ମତେ ମିଳିଛି ଓ ଯେହେତୁ ମୁଁ କାହା ସହ ମିଶେ ନାହିଁ , ସେହେତୁ ସେମାନଙ୍କ ଆଚରଣର ନିଷ୍କମ୍ପ ଅନୁଶୀଳନ ମୋ ପାଇଁ ସମ୍ଭବ ହୋଇଛି | ଡ଼ଃ ମହତାବ , ନବକୃଷ୍ଣ ଚୌଧୁରୀ, ବିଜୁ-ବିରେନଙ୍କ ଶାସନର ନିର୍ଭରଯୋଗ୍ୟ ତଥ୍ୟ ମୁଁ ସଂଗ୍ରହ କରିଛି | ସେହି ଭିତ୍ତିରେ ମୁଁ କହିପାରେ, କେବଳ ନବବାବୁ , ସଦାଶିବ ବାବୁ ଓ ବିନାୟକ ବାବୁଙ୍କ ସମୟକୁ ଛାଡ଼ି ଅବଶିଷ୍ଟ ସବୁ ମୁଖ୍ୟମନ୍ତ୍ରୀଙ୍କ କାଳରେ ଦଲାଲମାନେ ହିଁ ନିଜ ନିଜ ଅଙ୍ଗୁଠି ଅଗରେ ଚଳାଇଛନ୍ତି ଓଡ଼ିଶାକୁ | ଓ ସେହି ଦଲାଲି ହେତୁ ହିଁ ଅଣଓଡ଼ିଆମାନେ ଆମ ରାଜ୍ୟକୁ ନିଜ କବ୍ଜାକୁ ଏପରିଭାବେ ନେଇଯାଇଛନ୍ତି ଯେ, ଆମ ଭାଷାକୁ ଅକର୍ମଣ୍ୟ କରି ଶତକଡ଼ା ୯୦ ଭାଗ ଓଡ଼ିଆଙ୍କ ଗରିମା ନଷ୍ଟ ପାଇଁ ଚେଷ୍ଟା କରିଛନ୍ତି, କାରଣ ଆମ ଗରିମା ଭାଙ୍ଗି ନଗଲେ କାଳେ ସେମାନଙ୍କ ଦଲାଲୀ ବିରୁଦ୍ଧରେ ସ୍ଵର ଉଠିବ ଓ ଆମ ବଜାର ସେମାନଙ୍କ ହାତରୁ ଖସିଯିବ ।

ସାମାନ୍ୟ ଝଲକ

ଖାଦ୍ୟ ବଜାର ଯେହେତୁ ଏକ ଅପରିହାର୍ଯ୍ୟ ବଜାର ଓ ଓଡ଼ିଶାର କୃଷି ଉତ୍ପାଦନ ଉଜୁଡ଼ି ନ ଗଲେ ଅଣଓଡ଼ିଆ ରାଜ୍ୟମାନେ ଯେହେତୁ ଓଡ଼ିଶାକୁ ତାଙ୍କ ବଜାର କରିପାରିବେନି , ସେହେତୁ ସରକାରରେ ଥିବା ସେହିମାନଙ୍କ ଦଲାଲମାନେ ଓଡ଼ିଶାର କୃଷକଙ୍କୁ ବି ଆଗେଇବାକୁ ଦେଉ ନାହାନ୍ତି | ଓଡ଼ିଶା ବଜାର ଉପରେ ପଶ୍ଚିମ ବଙ୍ଗର ଆଳୁ ବେପାରୀଙ୍କ କବ୍ଜା କାଏମ ରହିବା ପାଇଁ ଓଡ଼ିଶାରେ ଶୀତଳ ଭଣ୍ଡାର ହେଉନାହିଁ |

ଆମ ରାଜ୍ୟର ଅଣ୍ଡା ବଜାର ଉପରେ ଆନ୍ଧ୍ର କୁକୁଡ଼ା ଚାଷୀଂକ କବ୍ଜା ଅତୁଟ ରଖିବା ପାଇଁ ବାର୍ଡଫ୍ଲୁର ମିଛ ବାହାନାରେ ଆମ ରାଜ୍ୟର କୁକୁଡ଼ା ବଂଶ ନିପାତ କରା ହେଉଛି |

ସେହିପରି ଫୁଲ ଚାଷ କଥା | ଏ ଲବି ଏପରି ଯେ ଓଡ଼ିଶାର କୌଣସି ଫୁଲ ଚାଷୀ ଆମ ରାଜ୍ୟରେ ଫୁଲ ବିକି ପାରୁନି | ଫୁଲ ବେପାରୀଏ ଓଡ଼ିଆ ଚାଷୀଙ୍କଠୁ ଫୁଲ କିଣୁ ନାହାନ୍ତି | ଆମ ଲୋକେ ବଙ୍ଗାଳି ବେପାରୀଙ୍କୁ ଫୁଲ ବିକିବାକୁ ବାଧ୍ୟ ହେଉଛନ୍ତି ଅଗତ୍ୟା କମ ଦରରେ ଓ ସେହି ଫୁଲ ଓଡ଼ିଶାକୁ ନେଉଟି ଆମ ଲୋକଙ୍କୁ ବିକା ହେଉଛି ଅଧିକ ଦାମରେ |

ଅର୍କିଡ଼ ଏକ ଅତି ମୂଲ୍ୟବାନ ଫୁଲ | ଆମ ଶିମିଳିପାଳରେ ପୃଥିବୀର ଅର୍କିଡ଼ମାନଂକ ମଧ୍ୟରୁ ଇଂ. ଶରତ ମିଶ୍ର ୧୧ କିସମର ନୂଆ ଅର୍କିଡ଼ ଆବିଷ୍କାର କରିଥିଲେ ଓ ସେ ବାରିପଦାରେ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଥିବାବେଳେ ତାଙ୍କ ଛୁଟି ସମୟ ଖଟେଇ ଏକ ଅର୍କିଡ଼ ଉପବନ ତିଆରି କରିଥିଲେ | ବଙ୍ଗାଳି ଲୁଟେରାମାନେ ଶିମିଳିପାଳକୁ ବହୁଧା ଲୁଟ କରନ୍ତି | ସେମାନେ ଏହି ସମ୍ପଦକୁ ଉଜାଡ଼ି ଦେବାକୁ ଚାହିଁଲେ | ବିଜୁ ବାବୁ ମୁଖ୍ୟମନ୍ତ୍ରୀ | ତାଙ୍କର ବଂଗାଳୀପ୍ରୀତି କିଏ ବା ନ ଜାଣେ ? ପୂର୍ତ୍ତ ମନ୍ତ୍ରୀ ନଳିନୀ ମହାନ୍ତି ଆଦେଶ ପାଇଲେ ଶରତ ମିଶ୍ରଙ୍କୁ ତୁରନ୍ତ ବାରିପଦାରୁ ଅପସାରଣ କରିବା ପାଇଁ | ସେ ଭୁବନେଶ୍ୱର ଆସିଲେ ଓ ଶିମିଳିପାଳର ଅର୍କିଡ଼ ଜଗତ ଉଜୁଡ଼ି ଗଲା | କଲିକତାରୁ ଆସୁଥିବା ଅର୍କିଡ଼ ଫୁଲ ଓଡିଶା ବଜାରକୁ ମାଡ଼ି ବସିଛି |

ଦୁଷ୍ମନ୍ତ ଦାସଙ୍କ କଖାରୁ ଚାଷର ଅନୁଭୂତି ଆମେ ଜାଣିବା ଉଚିତ | ଏବର୍ଷ ଅନ୍ୟତମ  ସର୍ବଶ୍ରେଷ୍ଠ ବିଧାୟକ ହୋଇଥିବା ପ୍ରଣବ ପ୍ରକାଶ ଦାସଙ୍କ ବଡ଼ ମାଉସୀଙ୍କ ଦିଅର ଦୁଷ୍ମନ୍ତ ଦାସ ଯେଉଁବର୍ଷ ନିଜ ଜମିରେ କଖାରୁ ଚାଷ କଲେ , ସେ ବର୍ଷ କଖାରୁ କିଲୋ ଭୁବନେଶ୍ବରରେ ଥିଲା ଅନ୍ୟୁନ୍ୟ ୨୫ ଟଙ୍କା | ସେ ଏକ ଟ୍ରକ ଭରା କଖାରୁ ଆଣି ଭୁବନେଶ୍ୱରରେ ପହଞ୍ଚିଲେ | ଏଠିକାର କଖାରୁ ହୋଲସେଲର କହିଲେ କୁଇଂଟାଲ ଦେଢ଼ଶହ ଟଙ୍କାରୁ ଅଧିକ ହେବ ନାହିଁ | ସେ ବହୁ କଷ୍ଟରେ କୁଇଂଟାଲ ୨୦୦ଟଙ୍କାରେ ଦେଇ କାନମୁଣ୍ଡା ଆଉଁସି ଘରକୁ ଗଲେ |

ଭାଷା ଆନ୍ଦୋଳନ ଆଣିବ ପରିବର୍ତ୍ତନ

ଶାସନ ଗାଦିରେ ଦଲାଲମାନେ ଥିବାଯାଏଁ ଅଣଓଡ଼ିଆଏ ଆଳୁ ପିଆଜଠୁ ଅଣ୍ଡା , ପନିପରିବା ଓ ଫୁଲ – ସବୁଥିର ବଜାର ନିଜ କବ୍ଜାରେ ରଖିଥିବେ ଓ ଆମେ କିଛି ବି କରିପାରିବାନି | ଓଡ଼ିଆ ଜାତିର ଅସ୍ମିତା ଫେରିଲେ ଅଣଓଡ଼ିଆ ଆଧିପତ୍ୟ ହଟିବ | ଏହି ଅସ୍ମିତା ଫେରିବା ସମ୍ଭବ ହେବ ସେତିକି ବେଳେ ଯେତେବେଳେ ଆମେ ଚଳାଇଥିବା ଭାଷା ଆନ୍ଦୋଳନ ସଫଳ ହେବ ଓ ଅଣଓଡ଼ିଆ ଭାଷାଧିପତ୍ୟ କବଳରୁ ଓଡିଶା ମୁକ୍ତ ହେବ | ଏହା ହେଲେ,  ଅଣଓଡିଆଂକ ଦଲାଲି କରୁଥିବା ଲୋକେ ଦବିଯିବେ ଓ ଆମ ରାଜ୍ୟରେ ଶୀତଳ ଭଣ୍ଡାର ହୋଇପାରିବ , ନଦୀପଠାମାନଙ୍କରେ ଆଳୁ ଚାଷ ହୋଇପାରିବ , କୁକୁଡ଼ା ଚାଷ ଉଜୁଡ଼ି ଯିବନି , ମାଛ ଚାଷ ବୃଦ୍ଧି ପାଇବ , ଫୁଲ ଚାଷ ବୃଦ୍ଧି ପାଇବ , ଆମ ବଜାର ଆମର ହେବ |

ଭାଷା ଆଂଦୋଳନକୁ ସଫଳ କରିବାକୁ ହେଲେ କଳା ପତାକା ଅଭିଯାନକୁ ସମସ୍ତେ ଆପଣେଇନେବା ଆବଶ୍ୟକ | ତା ନହେଲେ ଆମେ କେବଳ ଏମିତି କାନ୍ଦୁଥିବା , କିଛି ହେଉ ନଥିବ |

ଏବେ ନିଷ୍ପତ୍ତି ନେବାର ବେଳ ।