ମାତୃଭାଷା ହିଁ ମୁଖ୍ୟ , ଅନ୍ୟ ସବୁ ଗୌଣ : ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ

ସୁବିଖ୍ୟାତ କଳାପତାକା ଅଭିଯାନର ବୌଦ୍ଧିକ ସଂସ୍କରଣରେ ଉଦ୍ବୋଧନ ଦେଇ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଆଧୁନିକ ଭାରତୀୟ ଭାଷାଚୟ ଓ ସାରସ୍ଵତ ଅଧ୍ୟୟନ (Modern Indian Languages & Literary Studies) ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡଃ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ଅଗ୍ରାଧିକାର ଦେଇଥିବାରୁ ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି ।

ମାତୃଭାଷା ହିଁ ମୁଖ୍ୟ, ଆଉ ସବୁ ଗୌଣ ବୋଲି ଏହି ଶିକ୍ଷାନୀତି ଯେପରି ସ୍ପଷ୍ଟ କରିଛି ତାହା ପୂର୍ବବର୍ତ୍ତୀ ଶିକ୍ଷାନୀତିମାନଙ୍କର ଅଭିଳାଷର ପ୍ରୟୋଗାତ୍ମକ ଅନୁଭୂତିରୁ ଅର୍ଜିତ ସିଦ୍ଧାନ୍ତ ଉପରେ ଆଧାରିତ ବୋଲି ଦର୍ଶାଇ ପ୍ରଫେସର ପଟ୍ଟନାୟକ ଭାଷା ଆନ୍ଦୋଳନ ପ୍ରେକ୍ଷାପଟରେ ଓଡ଼ିଶା ସରକାରଙ୍କୁ ଏକ ପରୋକ୍ଷ ପରାମର୍ଶ ଦେଇ କହିଥିଲେ, ମାତୃଭାଷା ହିଁ ଜାତିର ପରିଚୟ ହୋଇଥିବା ହେତୁ ତାର ସଂରକ୍ଷଣ ଆବଶ୍ୟକ । ଏହି ସଂରକ୍ଷଣ ସାହିତ୍ୟକୃତି ମାଧ୍ୟମରେ ନୁହେଁ, ସାହିତ୍ୟଠାରୁ ଭାଷାକୁ ଅଲଗା କରି ତାର ଶୈକ୍ଷିକ ଓ ବ୍ୟବହାରିକ ଉପଯୋଗୀତା ବୃଦ୍ଧି ଦ୍ଵାରା ହିଁ ସମ୍ଭବ ।

ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତିଷ୍ଠିତ ଭାଷା ଆନ୍ଦୋଳନ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ୧୯୫୪ରୁ ନିଷ୍କ୍ରିୟ ହୋଇରହିଥିବା ଓଡ଼ିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ସକାଶେ ପ୍ରାୟ ୫ ବର୍ଷ ଧରି ଏହି ଅଭିଯାନ ଚଳାଇଛି । କରୋନା କାଳରେ କାୟିକତଃ ଏହା ସ୍ଥଗିତ ଥିବା ବେଳେ ବୌଦ୍ଧିକ ସ୍ତରରେ ଅବ୍ୟାହତ ଅଛି ଓ ପ୍ରତି ସପ୍ତାହରେ ଓଡ଼ିଶାର ଜଣେ ଜଣେ ପ୍ରଥିତଯଶା ବିଜ୍ଞ ବ୍ୟକ୍ତି ଏହି ବୌଦ୍ଧିକ ଅଭିଯାନରେ ଅଂଶଗ୍ରହଣ କରି ଓଡ଼ିଆ ଜାତିକୁ ଦିଗ୍ଦର୍ଶନ ଦେଉଛନ୍ତି । ଏହି କ୍ରମରେ ପ୍ରଫେସର ପଟ୍ଟନାୟକ ଜାନୁଆରୀ ୧୭ ତାରିଖରେ ଦେଇଥିବା ଅଭିଭାଷଣ ସାମାଜିକ ଗଣମାଧ୍ୟମ ଫେସବୁକରେ ଏହି ଅଭିଯାନର ନଭମଞ୍ଚ – ଭାଷା ମାଆ ପାଇଁ ପଦେ – ପୃଷ୍ଠାରୁ ସିଧା ପ୍ରସାରିତ ହୋଇଥିଲା ।