ସୁଭାଷ ଚନ୍ଦ୍ର ପଟ୍ଟନାୟକ
“ଦିନଟି ସରିଲା! ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜନ୍ମଦିନ ଗଲା। ସକାଳୁ ସକାଳୁ ସମାଜ କାଗଜ ଦେଖି ମନଟା ଏମିତି ଖରାପ ହେଇଗଲା ଯେ ସେ ସନ୍ତାପରୁ ମୁକୁଳିବା ବଡ଼ କଷ୍ଟକର ହେଲା। ଗୋପବନ୍ଧୁଙ୍କୁ ଶ୍ରଦ୍ଧା ନିବେଦନ ତଳକୁ ଠିକ୍ ଜୋତା କମ୍ପାନୀର ବ୍ୟାନର ବିଜ୍ଞାପନ!”
ଏକଥା ଲେଖିଛନ୍ତି ଉତ୍କଳମଣି ଗୋପବନ୍ଧୁଙ୍କ ଏକାନ୍ତ ଅନୁଗତ , ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ ତାଙ୍କ ଫେସବୁକ କାନ୍ଥରେ, ଗତ ୯ ତାରିଖରେ । ଯେଉଁମାନେ ଗୋପବନ୍ଧୁଙ୍କୁ ନିଜ ମନପ୍ରାଣରେ ଦେବତାର ଆସନରେ ରଖିଥାନ୍ତି ସେମାନଙ୍କ ଭିତରେ ଶ୍ରୀମାନ୍ ନାୟକ ବାରିହୋଇପଡ଼ନ୍ତି । ତାଙ୍କ ଫେସବୁକ କାନ୍ଥର ପ୍ରଚ୍ଛଦ ଚିତ୍ର ଗୋପବନ୍ଧୁଙ୍କ ପ୍ରତି ଅର୍ପିତ ଏକ ବନ୍ଦନାକୁ ହିଁ ଧାରଣ କରିଛି ।
ଏହା ହିଁ ଦର୍ଶାଏ, ଦେବୀପ୍ରସନ୍ନଙ୍କ ଅନ୍ତରାତ୍ମାରେ ଏହି ମହାତ୍ମାଙ୍କ ପ୍ରତି ଭରି ହୋଇରହିଥିବା ଅନୁରକ୍ତି କିପରି ସ୍ଵୟଂସଂପୂର୍ଣ୍ଣ ଓ ପ୍ରଶ୍ନାତୀତ । ସୁତରାଂ ଉତ୍କଳମଣି ପ୍ରତିଷ୍ଠା କରିଥିବା ସମାଜ କାଗଜରେ ତାଙ୍କ ପ୍ରତିଛବି ପ୍ରତି ଅସମ୍ମାନ ପ୍ରଦର୍ଶନ ଦେଖି ସେ ଗଭୀର ମାନସିକ ଯନ୍ତ୍ରଣା ଭୋଗିଥିବା ସ୍ଵାଭାବିକ ।
ଏହି ଯନ୍ତ୍ରଣା ଓଡ଼ିଶାର ବହୁ ବ୍ୟକ୍ତି ବି ଭୋଗିଛନ୍ତି । ଭାଇ ଧୀରେନ୍ଦ୍ର କରଙ୍କ ଫେସବୁକ କାନ୍ଥରେ ଥିବା ଏହି ପ୍ରତିକ୍ରିୟା ତହିଁର ସୂଚନା ଦିଏ ।
ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତି ଏହି ଭୟଙ୍କର ଅବଜ୍ଞା ପ୍ରଦର୍ଶନ ଓଡ଼ିଶାର ସର୍ବତ୍ର ଏପରି କ୍ଷୋଭ ସୃଷ୍ଟି କରିଛି ଯେ, ସମାଜ ସମ୍ପାଦକ ଏହାକୁ ଅନିଚ୍ଛାକୃତ ବୋଲି ଦର୍ଶାଇବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ ଏହି ଦୁଃଖ ପ୍ରକାଶ ଯଦି ସମାଜ ସମ୍ପାଦକଙ୍କ ଅନିଚ୍ଛାକୃତ ହୋଇନଥାନ୍ତା, ତେବେ ସରଳ ଓ ସ୍ପଷ୍ଟଭାବେ ତାହା କାଗଜର ପ୍ରଥମ ପୃଷ୍ଠାରେ ସେହି ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ସ୍ଥାନିତ ହୋଇଥାନ୍ତା ।
ଓଡ଼ିଶାର ଏତେ ଲୋକ ଉତ୍କଳମଣିଙ୍କ ପ୍ରତି ସମାଜ କାଗଜରେ ପ୍ରଦର୍ଶିତ ଏ ଅପମାନରେ କ୍ଷୋଭ ପ୍ରକାଶ କଲେ , ଅଥଚ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ, ଏମ୍ .ଏଲ୍ .ଏ. , ଏମ୍ .ପି. ପଲଙ୍କ ଭିତରୁ କେହି ବି ସାମାନ୍ୟ ଦୁଃଖ ପ୍ରକାଶ କରିନାହାନ୍ତି । ଗୋପବନ୍ଧୁଙ୍କ ଉଇଲ ଜାଲ୍ କରି ସମାଜକୁ ମାଡ଼ିବସିଥିବା ଅଣଓଡ଼ିଆ ଅଧ୍ୟୁଷିତ ଲୋକସେବକ ମଣ୍ଡଳର ଆର୍ଥିକ ସ୍ଵାର୍ଥ ପାଇଁ ନବୀନ ପଟ୍ଟନାୟକ ଗୋପବନ୍ଧୁଙ୍କ ସତ୍ୟବାଦୀ ବନ ବିଶ୍ଵବିଦ୍ୟାଳୟ ସ୍ଵପ୍ନକୁ କିପରି ଉଜାଡ଼ି ଦେଇଛନ୍ତି ତାହା ତ ଅନ୍ୟତ୍ର ମୁଁ ଲେଖିଛି , କିନ୍ତୁ ଗୋପବନ୍ଧୁଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ସତ୍ତ୍ୱେ ନବୀନ ପଟ୍ଟନାୟକ ଓ ତାଙ୍କ “ଚାକର” ଗୋଷ୍ଠୀ ସେହି ଅଣଓଡ଼ିଆପଲଙ୍କ ପ୍ରତି ସାମାନ୍ୟ ଅସନ୍ତୋଷ ବି ପ୍ରକଟ କରିବେନି, ଏହା ମୋର କଲ୍ପନା ବାହାରେ ଥିଲା ।
ଆମ ଲୋକଙ୍କ ଅଯୋଗ୍ୟତା ହେତୁ ଏହି ପରି ଲୋକଙ୍କ ହାତରେ ଓଡ଼ିଶା ପଡ଼ିଛି , ଯେଉଁ ଓଡ଼ିଶାକୁ ଧରାପୃଷ୍ଠାରେ ଆବିର୍ଭୂତ କରାଇବା ପାଇଁ ଅନ୍ୟତମ ଆତ୍ମତ୍ୟାଗୀ ତପସ୍ଵୀ ଥିଲେ ପଣ୍ଡିତ ଗୋପବନ୍ଧୁ । ଆମକୁ ଧିକ୍ ଯେ, ଆମେ ଆମ ଜାତିର ଚିରପୂଜ୍ୟଙ୍କ ପ୍ରତି ପ୍ରଦର୍ଶିତ ଏ ଅପମାନକୁ ସହ୍ୟ ବି କରୁଛୁ ।
ହେ ମହାତ୍ମା ଗୋପବନ୍ଧୁ! ଏ ଜାତିକୁ କ୍ଷମା କର ।