ସିଧା ପ୍ରସାରଣରେ ବାଧା ସୃଷ୍ଟି ସତ୍ତ୍ୱେ ଲୋକାର୍ପିତ ହେଲା ‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମ ଭାଷାରେ ଆମ କାର୍ଯ୍ୟ ପାଇଁ ଆମ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକାଠି କରି ଏକ ସ୍ଵତନ୍ତ୍ର ପ୍ରଦେଶ ତିଆରି କରାଯାଉ ବୋଲି ପ୍ରଥମ ସ୍ଵର ଉଠିଥିଲା ଗଞ୍ଜାମ ଜିଲ୍ଲାର ଘୁମୁସରରେ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଜାତିର କୁଳବୃଦ୍ଧ , ମହାତ୍ୟାଗୀ ମଧୁସୂଦନଙ୍କ ସହାୟତାରେ ଏହି ସ୍ଵର ସାର୍ଥକ ହୋଇଥିଲା ; ଆବିର୍ଭୂତ ହୋଇଥିଲା ମା ଓଡ଼ିଶା, ଭାଷା-ଜାତୀୟତାର ମହାଯଜ୍ଞରୁ ।

ଅଥଚ ସେହି ଗଞ୍ଜାମ ଜିଲ୍ଲାରୁ ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ ସୃଷ୍ଟିର ଏହି ଉଦ୍ଦେଶ୍ୟକୁ ପଣ୍ଡ କରିବା ପାଇଁ ଜଘନ୍ୟ ଷଡ଼ଯନ୍ତ୍ରରେ ଲିପ୍ତ । ଏହି ଦୁଃଖଦ ଦୃଶ୍ୟପଟର ପ୍ରାମାଣିକ ତଥ୍ୟ ଉପସ୍ଥାପିତ ହୋଇଛି ‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’ ଶୀର୍ଷକ ମୋ ପୁସ୍ତକରେ ।

ଓଡ଼ିଶା ପ୍ରଦେଶ ସୃଷ୍ଟି କରି ଓଡ଼ିଆ ଭାଷାରେ ତାର ପରିଚାଳନା ପାଇଁ ଉଠିଥିବା ପ୍ରଥମ ସ୍ଵରର ସ୍ମୃତିବିଜଡ଼ିତ ସେପ୍ଟେମ୍ବର ୧୧ ସନ୍ଧ୍ୟାରେ ଫେସବୁକ ମଞ୍ଚରେ ସିଧା ପ୍ରସାରଣ ଶୈଳୀରେ ମୁଁ ମୋ ରାଜ୍ୟବାସୀ ଭାଇଭଉଣୀମାନଙ୍କ ହାତରେ ଏହି ବହିଟିକୁ ଅର୍ପଣ କରିଛି ଏହି ଆଶାରେ ଯେ, ଗୋଟେ ଇଂରାଜୀମନସ୍କ ସରକାରର ଜଘନ୍ୟ ଷଡ଼ଯନ୍ତ୍ର କବଳରୁ ନିଜ ଭାଷାଜନନୀଙ୍କୁ ରକ୍ଷା କରିବା ପାଇଁ ସେମାନେ ଜାଗ୍ରତ ହେବେ ।

କୌଣସି ଅଜ୍ଞାତ କାରଣରୁ ଏହି ସିଧା ପ୍ରସାରଣ ବାଧା ପାଇଥିଲେ ମଧ୍ୟ କେତେକ ସହୃଦୟ ବନ୍ଧୁଙ୍କ  ତତ୍କାଳ ଅଭିମତ ସମଗ୍ର ଜାତିର ଅବଗତି ପାଇଁ ଉପସ୍ଥାପିତ କରୁଛି ।  ଏହାର ପ୍ରସାରଣରେ ବାଧା ଦେଇଥିବା ବ୍ୟକ୍ତି ଅନୁଭବ କରିବା ଆବଶ୍ୟକ ଯେ, କୌଣସି ବାହ୍ୟ ହସ୍ତକ୍ଷେପ ଦ୍ଵାରା କୌଣସି ଜାତିର ଜାତୀୟ ବ୍ୟାକୁଳତାକୁ ଅଟକାଯାଇନପାରେ । ଓଡ଼ିଆ ଭାଷାରେ ଓଡ଼ିଶା ଚାଲିବ । କାରଣ ଓଡ଼ିଆ ଜାତି ତାର ପରିଚୟ ହଜିଯିବାକୁ ଦେବନାହିଁ । ଏହି “ସ୍କ୍ରିନଶଟ”ଗୁଡ଼ିକରେ ଯେଉଁ ଅଭିମତ ଦୃଶ୍ୟମାନ ତାହା ଏହି ମହିମାମଣ୍ଡିତ ଜାତିର ଭାବନାର ପ୍ରତିଫଳନ ।  ଆମ ଭାଷାକୁ ମାରିଦେବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହା ଅନୁଭବ କରନ୍ତୁ ଓ ନିଜ ନିଜକୁ ସଜାଡ଼ନ୍ତୁ ।