ଭାଷା ଆନ୍ଦୋଳନ ସ୍ମରଣିକା, ପବିତ୍ର ମହାରଥା ଓ ସଞ୍ଜୟ ଯେନା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଁ ସ୍ଵପ୍ନରେ ସୁଧା ଚିନ୍ତା କରିପାରିନଥିଲି ଯେ, ସମୟ ଆସିବ , ଯାହା ମୁଁ ଏବେ ଲେଖିବାକୁ ଯାଉଛି ତାହା ମୋତେ ଲେଖିବାକୁ ହେବ ।

ମୁଁ ଯାହା ଲେଖିବାକୁ ଯାଉଛି ତାହା କେବଳ ତିନିଜଣଙ୍କୁ ଜଣା ।  ମୋତେ ଜଣା , ପବିତ୍ର ମହାରଥାଙ୍କୁ ଜଣା ଓ ହିନ୍ଦୁସ୍ତାନ ସମାଚାରର ସାମ୍ବାଦିକ ସଞ୍ଜୟ ଜେନାଙ୍କୁ ଜଣା । ଏହି ଲେଖା ସପକ୍ଷରେ ମୋ ପାଖରେ କୌଣସି ଲିଖିତ ପ୍ରମାଣ ନାହିଁ । କିନ୍ତୁ ଆମ୍ଭମାନଙ୍କ ବିବେକ ହିଁ ପ୍ରମାଣ । ଏହି ଲେଖାରେ ମୁଁ ଅଭିଯୋଗକାରୀ, ପବିତ୍ର ଅଭିଯୁକ୍ତ । ସୁତରାଂ ସାମ୍ବାଦିକ ସଞ୍ଜୟ ଜେନାଙ୍କ ବିବେକ ଉପରେ ମୋ ଅଭିଯୋଗର ମାନ୍ୟତା ନିର୍ଭର କରେ ।

ମୁଁ ଯାହା ଲେଖିବାକୁ ଯାଉଛି ତାହା ନ ଲେଖିଲେ ବି ଚଳନ୍ତା । ମାତ୍ର ଭାଷା ଆନ୍ଦୋଳନ ଜୀବନରେ ଘଟିଥିବା ଏହି ପ୍ରଥମ ଭୀଷଣ, ଭୟାନକ ଦୁର୍ଘଟଣା ସମ୍ପର୍କରେ ସମସ୍ତେ ସବୁକଥା ଜାଣିବା ଉଚିତ ।

ସ୍ମରଣିକା ପରିକଳ୍ପନା 

ଭାଷା ଆନ୍ଦୋଳନ ପ୍ରତି ସମଗ୍ର ଓଡ଼ିଶାରେ ସମର୍ଥନ ପ୍ରକାଶ ପାଉଥିଲେ ମଧ୍ୟ ସବୁ ଜିଲ୍ଲାରେ କଳାପତାକା ଅଭିଯାନ ପ୍ରବର୍ତ୍ତନ କରିବା ପାଇଁ ଗସ୍ତଖର୍ଚ୍ଚ ସକାଶେ ଅର୍ଥର ଆବଶ୍ୟକତା ଥିଲା । ତେଣୁ ଭାଷା ଆଂଦୋଳନର ଏକ ସ୍ମରଣିକା ପ୍ରକାଶ କରି, ତା ପାଇଁ ବିଜ୍ଞାପନ ସଂଗ୍ରହ କରି ତହିଁର ଉପାର୍ଜନରୁ ମୁଦ୍ରଣଖର୍ଚ୍ଚ ବାଦଯାଇ ଯାହା ବଳିବ ତାହା ହିଁ ଆମ ଆଂଦୋଳନର ସମ୍ପ୍ରସାରଣରେ ସହାୟକ ହେବ ବୋଲି ଚିନ୍ତାକରି ଆମେ ସ୍ମରଣିକାର ପରିକଳ୍ପନା କଲୁ ।

ସଞ୍ଜୟ ଜେନାଙ୍କ ସାହାଯ୍ୟ 

ପବିତ୍ର ମୋତେ ପ୍ରବର୍ତ୍ତାଇଥିଲେ ସଞ୍ଜୟ ଜେନାଙ୍କୁ ଭେଟିବା ପାଇଁ ଏଇଆ କହି ଯେ, ସେ ଚାହିଁଲେ କେନ୍ଦ୍ରୀୟ ଉଦ୍ୟୋଗମାନଙ୍କରୁ ବହୁ ଲକ୍ଷ ଟଙ୍କାର ବିଜ୍ଞାପନ ଆମକୁ ଅକ୍ଳେଶରେ ମିଳିଯିବ ।  ସେ କିଏ ବୋଲି ମୁଁ ତାଙ୍କୁ ପଚାରିଥିଲି ; ସେ ତାଙ୍କ ପରିଚୟ ଦେଇଥିଲେ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ବଳୟରେ ଥିବା କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକର ଯେଉଁ ସବୁ ବିଜ୍ଞାପନ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପାଉଛନ୍ତି ସେ ସବୁ ସଞ୍ଜୟ ବାବୁ ହିଁ ନିୟନ୍ତ୍ରଣ କରୁଛନ୍ତି ବୋଲି କହିଥିଲେ ।

ମୁଁ ତ ତାଙ୍କୁ ଜାଣିନାହିଁ ; ସେ କାହିଁକି ମୋତେ ଗୁରୁତ୍ଵ ଦେବେ ବୋଲି ମୁଁ ପଚାରିଲି । ପବିତ୍ର କହିଲେ, ମୁଁ ତାଙ୍କୁ ନ ଜାଣିଥିଲେ ବି ସେ ମୋତେ ଭଲଭାବେ ଜାଣନ୍ତି ଓ ମୁଁ ଅନୁରୋଧ କଲେ ସେ ତାହା ଭାଙ୍ଗିବେ ନାହିଁ । ଭାଷା ଆଂଦୋଳନର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ମୁଁ ପବିତ୍ରଙ୍କ ସହ ତାଙ୍କ ଘରକୁ ଯାଇଥିଲି । ଦେଖାଗଲା ସେ ମୋତେ ଜାଣିଥିଲେ । ସମାଦର ସହ ସେ ମୋତେ ପାଛୋଟି ନେଇଥିଲେ । ମୁଁ ବି ଦେଖି ଜାଣିଗଲି ଯେ, ଟେଲିଭିଜନ ଚ୍ୟାନେଲମାନଙ୍କ ବିତର୍କରେ ଯେଉଁ ବ୍ୟକ୍ତିଙ୍କ ବୁଦ୍ଧିଦୀପ୍ତତା ମୋ ପାଇଁ ଅତ୍ୟନ୍ତ ହୃଦ୍ୟ ହୋଇଥାଏ ଏ ହେଉଛନ୍ତି ସେହି ସଞ୍ଜୟ ଜେନା । ସେ ମୋତେ ପଚାରିଲେ, “ସାର୍ , ମୋ ପାଖରେ ହଠାତ୍ କି କାମ ପଡ଼ିଲା ? ମୁଁ ତାଙ୍କୁ କଥାଟି କହିଲି । ସେ କହିଲେ, ଆମେ ଏତେ ସଂସ୍ଥାକୁ ସାହାଯ୍ୟ କରୁଛୁ ; ଓଡ଼ିଶାର ନିରୋଳା ସ୍ଵାର୍ଥ ପାଇଁ ଆପଣ ଚଳାଇଥିବା ଏ ଆନ୍ଦୋଳନକୁ ଆମେ ନିଶ୍ଚୟ ସାହାଯ୍ୟ କରିବୁ । ମୁଁ ଯଥେଷ୍ଟ ବିଜ୍ଞାପନ ଦିଆ କରାଇବି । ମୁଁ ତାଙ୍କ ମନ ବିଡ଼ିବା ପାଇଁ କହିଥିଲି ଭାଷା ଆନ୍ଦୋଳନକୁ ସାରା ଓଡ଼ିଶାରେ ମଜବୁତ ହେବାରେ ସେ ଦେଉଥିବା ବିଜ୍ଞାପନ ଯଦି ସହାୟକ ହୁଏ, ତାର ରାଜନୈତିକ ଫାଇଦା ଧର୍ମେନ୍ଦ୍ର ବାବୁଙ୍କୁ ଯିବ । ସେ ସ୍ପଷ୍ଟ କରିଦେଇଥିଲେ ଯେ, ଭାଷା ଆନ୍ଦୋଳନ ଓଡ଼ିଆ ଜାତି ପାଇଁ ଏପରି ଏକ ଯଜ୍ଞ , ଯାହାକୁ ରାଜନୈତିକ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର କେବେ ବ୍ୟବହାର କରିବେ ନାହିଁ । ମୁଁ ଆଶ୍ଵସ୍ତ ହୋଇଥିଲି ; କାରଣ ପବିତ୍ର ଏହି ବିଜ୍ଞାପନ ଆଳରେ  ଆମ ଆନ୍ଦୋଳନକୁ ବିଜେପି ଶିବିରକୁ ନେଇଯିବା ଯୋଜନାରେ  ଅଛି କି ବୋଲି ଅବଚେତନରେ ଯେଉଁ ଆଶଙ୍କା ସେଠି ଉଦ୍ରେକ ହୋଇଥିଲା , ତାହା ତତ୍କାଳ ଦୂରୀଭୂତ ହୋଇଥିଲା ଓ ସଞ୍ଜୟ ବାବୁଙ୍କ ପ୍ରତି ମୋର ସମ୍ମାନ ଅଧିକ ବଢିଯାଇଥିଲା । ଯେହେତୁ ଭାଷା ଆନ୍ଦୋଳନ ପରି ଏକ ଆନ୍ଦୋଳନକୁ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ବିଜ୍ଞାପନ ଆଳରେ ଆର୍ଥିକ ସହାୟତା ଦେବା ଦୁରୂହ ଥିଲା, ସେହେତୁ ପବିତ୍ର କର୍ତ୍ତୁତ୍ଵାଧୀନ ‘ଶବ୍ଦସ୍ପର୍ଶ’କୁ ଏହି ପ୍ରସ୍ତାବିତ ସ୍ମରଣିକାର ପ୍ରକାଶକ ଦର୍ଶାଇ ତାହାକୁ ଏହି ବିଜ୍ଞାପନ ଦେବାକୁ ପବିତ୍ରଙ୍କ ପରମର୍ଶକ୍ରମେ ମୁଁ ସଞ୍ଜୟବାବୁଙ୍କୁ କହିଥିଲି । ସେତେବେଳେ ମୁଁ କଲ୍ପନା କରିପାରିନଥିଲି ଯେ, ବିଜ୍ଞାପନ ପାଇଗଲା ପରେ ପବିତ୍ର ଲୋଭଗ୍ରସ୍ତ ହୋଇ ଏକ ସ୍ଵତନ୍ତ୍ର ବ୍ୟାଙ୍କ ଖାତା ଖୋଲି ଭାଷା ଆଂଦୋଳନର ବିଜ୍ଞାପନପ୍ରସୂତ ସେହି ଉପାର୍ଜନକୁ ତୋଷରପାତ କରିବ ଓ ଧରାପଡ଼ିଗଲା ପରେ ଭାଷା ଆଂଦୋଳନର କୌଣସି ସ୍ମରଣିକା ପ୍ରକାଶ ପାଇନାହିଁ ଓ ସେପରି କୌଣସି ସ୍ମରଣିକା ପାଇଁ କୌଣସି ବିଜ୍ଞାପନ ଆସିନାହିଁ ବୋଲି କହି ଭାଷା ଆନ୍ଦୋଳନ ଜୀବନରେ ଏପରି ଜଘନ୍ୟ ବିଶ୍ଘାସଘାତକତା ଖୋଦେଇ କରିବ ।

ସତ୍ୟ ପାଇଁ ସଞ୍ଜୟବାବୁଙ୍କୁ ଅନୁରୋଧ

ସତ୍ୟ ଜାଣିବାରେ ଓଡ଼ିଶାର ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ସଞ୍ଜୟବାବୁଙ୍କୁ ଅନୁରୋଧ କରୁଛି । ସେ ଯେଉଁ ବିଜ୍ଞାପନଗୁଡ଼ିକ ଭାଷା ଆଂଦୋଳନର ସ୍ମରଣିକା ପାଇଁ ନିର୍ଗତ କରାଇଥିଲେ  ସେଗୁଡ଼ିକ ଭାଷା ଆଂଦୋଳନର ପାଣ୍ଠି ସୃଷ୍ଟି ପାଇଁ ମୋ ଅନୁରୋଧ ଉପରେ ଆଧାରିତ ଥିଲା କି ପବିତ୍ର ମହାରଥାଙ୍କ ନିଜ ଉପାର୍ଜନ ପାଇଁ  ଅଭିପ୍ରେତ ଥିଲା, ତାହା ଏହି ଅନନ୍ୟ ଆଂଦୋଳନର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଆ ଜାତି ଅବଗତ ହେବା ଆବଶ୍ୟକ । ମୋର ବିଶ୍ଵାସ, ସଞ୍ଜୟବାବୁ ଏହି ଅନୁରୋଧ ରକ୍ଷା କରିବେ ।