ସୁଭାଷ ଚନ୍ଦ୍ର ପଟ୍ଟନାୟକ
କ’ଣ ଥିଲା ଏହି ଅପରାଧ?
କିଏ ଥିଲା ଏହି ଅପରାଧୀ?
ଅପରାଧ ଥିଲା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ (ତତ୍କାଳୀନ ସଂସ୍କୃତି ବିଭାଗ)ର ସତ୍ତ୍ଵାଧିକାର ଅନ୍ତର୍ଗତ ସାରଳା ମହାଭାରତ ଉପରେ ରାହାଜାନି ।
ଅପରାଧୀ ଥିଲା ସାରଳା ସାହିତ୍ୟ ସଂସଦ, କଟକ
ନବୀନ ପଟ୍ଟନାୟକଙ୍କ ସରକାର ଏହି ସଂସ୍ଥାକୁ ଏବର୍ଷର ବ୍ୟାସକବି ଫକୀରମୋହନ ଭାଷା ସମ୍ମାନ ଦେଇ ଏହି ଅପରାଧ ଉପରେ ସରକାରୀ ଢାଙ୍କୁଣୀ ଲଗାଇଦେଇଛନ୍ତି ।
ସାରଳା ସାହିତ୍ୟ ସଂସଦ ନିଶଙ୍କ ଚିତ୍ତରେ ଏହି ଅପରାଧ କରିଥିବା ବେଳେ ତାକୁ ମୁଖ୍ୟତଃ ସହଯୋଗ କରିଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଓ ଲେଖିକା ପ୍ରତିଭା ରାୟ ।
ମୁଁ ଲେଖିଥିଲି, ସଂସ୍କୃତି-ଶାଗୁଣାମାନେ ସରକାରୀ ସମ୍ପତ୍ତି ‘ସାରଳା ମହାଭାରତ’କୁ ନିଜ ଫାଇଦାରେ ରୂପାନ୍ତରିତ କରିଛନ୍ତି । ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ସହ ମିଶି ଏ ଅପରାଧ ଘଟାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ଏହି ଅପରାଧର ସାଂଘାତିକ ରୂପ ଦେଖିବା ପାଇଁ ସଚେତନ ପାଠକମାନେ ଏହି ସଂଯୋଗସରଣୀର ସହାୟତା ନେଇପାରନ୍ତି : https://orissamatters.com/2007/08/13/sarala-mahabharata-converted/
ଏହି ଲେଖାରେ ସାରଳା ଦାସ କାହିଁକି ମହାଭାରତ ଲେଖିଥିଲେ ତାର ତାତ୍ତ୍ଵିକ ତର୍ଜମା ମୁଁ କରିଥିଲି ଓ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି ଯେଉଁ ନାହିଁନଥିବା ପରିଶ୍ରମ କରି ତାଳପତ୍ରରେ ପ୍ରାୟତଃ କରଣିଅକ୍ଷରରେ ଲିଖିତ ୨୨ ସଜ ପୋଥି (21 sets of palm leaf manuscripts) ପଢ଼ି ପଢ଼ାଇ ଅନୁଧ୍ୟାନ କରି କରଣିଅକ୍ଷରରେ ଲିଖିତ ପ୍ତାୟ ୮୦୦ ବର୍ଷ ପୁରୁଣା ତାଳପତ୍ର ପୋଥିର ଏହି ସମ୍ପାଦନା କରି ତହିଁର ପ୍ରକାଶନ ପାଇଁ ରାଜ୍ୟ ସରକାରଙ୍କୁ ଦେଇଥିଲେ ତାହା ମୁଁ ଉଲ୍ଲେଖ କରିଥିଲି । ରାଜ୍ୟର ତତ୍କାଳୀନ ସଂସ୍କୃତି ବିଭାଗ ରାଜକୋଷରୁ ଅର୍ଥ ବ୍ୟୟ କରି ତାହାକୁ ପ୍ରକାଶ କରିଥିଲେ । ସୁତରାଂ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସମ୍ପାଦିତ ଓ ସଂସୃତି ବିଭାଗ ପ୍ରକାଶିତ ସାରଳା ମହାଭାରତ ହୋଇଯାଇଥିଲା ସପୂର୍ଣତଃ ଓଡ଼ିଶା ରାଜ୍ୟ ସରକାରଙ୍କ ବା ରାଜ୍ୟବାସୀଙ୍କ ସମ୍ପତ୍ତି । ଏହାର ପ୍ରଥମ ସଂସ୍କରଣ ସରିଗଲା ପରେ, ଦ୍ଵିତୀୟ ସଂସ୍କରଣ ପାଇଁ ଡିଟିପି ହୋଇଥିଲା ଓ ମୁଦ୍ରଣ ମଧ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ଏହାକୁ ହଡ଼ଫ କରି ନିଜ ବ୍ୟବସାୟୀକ କାମରେ ଲଗାଇଲା ସାରଳା ସାହିତ୍ୟ ସଂସଦ ।
ପ୍ରଫେସର ମହାନ୍ତି ଏହି ଗ୍ରନ୍ଥ ସମ୍ପାଦନପାଇଁ ଯେଉଁ କୃଚ୍ଛ୍ର ସାଧନା କରିଥିଲେ ତାହା ସ୍ଵୀକାର କରି ସଂସ୍କୃତି ବିଭାଗର ତଦାନୀନ୍ତନ ଭାରପ୍ରାପ୍ତ ସମ୍ପାଦକ ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା ମୁଖବନ୍ଧରେ ଲେଖିଥିଲେ, “ଜୀବନବ୍ୟାପୀ ଓଡ଼ିଆ ଓ ସଂସ୍କୃତ ସାହିତ୍ୟ ଅଧ୍ୟୟନଜନିତ ଯେଉଁ ଜ୍ଞାନ ଗାମ୍ଭୀର୍ଯ୍ୟ ଓ ବିଚାର ବିବେଚନା ଚତୁରୀ, ତହିଁରେ ସାରସ୍ଵତସେବାପରାୟଣତା ଓ ଜାତୀୟଗୌରବବୋଧର ଅବେଗଶୀଳତା ସଂଯୁକ୍ତକରି ଆର୍ତ୍ତବାବୁ ଯେଉଁ ଧୈର୍ଯ୍ୟ ଓ ସାଧନାର ପରାକାଷ୍ଠା ଦର୍ଶାଇଛନ୍ତି , ତାହା ଏକାବେଳକେ ଅନନ୍ୟସାଧରଣ ଓ ତାଙ୍କର ଉତ୍ତରପୁରୁଷଙ୍କ ପକ୍ଷରେ ଏକ ପ୍ରଦୀପ୍ତ ଆଲୋକସ୍ତମ୍ଭ ସ୍ୱରୂପ । ସେହିଦୃଷ୍ଟିରୁ ଏହି ମହାସାଧକ ସମଗ୍ର ଜାତିର ଅଭିନନ୍ଦନୀୟ ।“
ଏହି ଅଭିନନ୍ଦନୀୟ ମହାସାଧକଙ୍କ ଅତୁଳନୀୟ ଗବେଷଣା, ଅଧ୍ୟବସାୟ, ଆୟାସ ଓ ସମ୍ପାଦନା ହେତୁ ପ୍ରକାଶ ପାଇଥିବା ସାରଳା ମହାଭାରତକୁ ନିଜ କୃତି ପରି ଉପସ୍ଥାପିତ କରିଥିବା ସାରଳା ସାହିତ୍ୟ ସଂସଦ, ତାର ସଭାପତି (ପୂର୍ବତନ ମୁଖ୍ୟଶାସନସଚିବ) ସହଦେବ ସାହୁ ଆଇ. ଏ. ଏସ୍. ଓ ସମ୍ପାଦକ ଇଂ. ପ୍ରଭାକର ସ୍ଵାଇଁ ଯଦି ସଂସ୍କୃତି ବିଭାଗରୁ ଚୋରୀ କରି ନଥିଲେ ତେବେ ରାହାଜାନି କରିଥିଲେ । ସମୟ ଗଡ଼ିଯାଇଛି ବୋଲି ଅପରାଧ ସରିଯାଇଛି , ଏହା ନୁହେଁ । ସଂସ୍କୃତି ବିଭାଗ ଡିଟିପି କରିସାରିଥିବା ନଥି କୁଆଡ଼େ ଗଲା ଏବଂ ଯେଉଁ ତିନୋଟି ପର୍ବର ପୁନର୍ମୁଦ୍ରଣ ସରିଥିଲା ତାହା ବି କୁଆଡ଼େ ଗଲା – ତାହା ସହ ଏହି ଚୋରୀ ବା ରାହାଜାନିର ସମ୍ପର୍କ ଅଛି କି ନାହିଁ , ଅପରାଧିକ ଅନୁସନ୍ଧାନ ଦ୍ଵାରା ନିର୍ଣ୍ଣିତ ହେବା କଥା, ଯାହା ହୋଇନାହିଁ ।
ଏହି ଅନବଦ୍ୟ ସାରସ୍ଵତକୃତିର ହଡଫକାରୀ ସହଦେବ ସାହୁ ପରୋକ୍ଷରେ ସ୍ଵୀକାର କରିଛନ୍ତି ଯେ, ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସମ୍ପାଦିତ ଯେଉଁ ସାରଳା ମହାଭାରତର ସତ୍ତ୍ଵାଧିକାରୀ ସ୍ଵୟଂ ଓଡ଼ିଶା ସରକାର, ସେହି ମହାଭାରତର ସେ ଓ ସ୍ଵାଇଁ ଯୁଗ୍ମ ଉପସ୍ଥାପକ ଏବଂ ସାରଳା ସାହିତ୍ୟ ସଂସଦ ତାହାର ପ୍ରକାଶକ । ଏହି ସଂସ୍ଥାର ପ୍ରତିଷ୍ଠାତା ସଦସ୍ୟା ପ୍ରତିଭା ରାୟ ତାଙ୍କ “ଅଭିଳାଷୀ ସ୍ଵପ୍ନ” ବଖାଣରେ ଏହାକୁ ଓଡ଼ିଶା ସରକାର ପ୍ରକାଶ କରିଥିବା ସାରଳା ମହାଭାରତର ପୁନର୍ମୁଦ୍ରଣ ବୋଲି ସ୍ଵୀକାର କରିଛନ୍ତି ।
ଏହି ସରକାରୀ ସମ୍ପତ୍ତିକୁ ସେମାନଙ୍କ ଘରୋଇ ସଂସ୍ଥାର ସମ୍ପତ୍ତି ଭାବେ “ଉପସ୍ଥାପନ” କରିବାକୁ ସହଦେବ ସାହୁ ଓ ପ୍ରଭାକର ସ୍ଵାଇଁଙ୍କୁ କିଏ ଅଧିକାର ଦେଲା? ସରକାରଙ୍କ ଦ୍ଵାରା ପ୍ରକାଶିତ ସାରଳା ମହାଭାରତକୁ ନିଜ ବ୍ୟବସାୟ ପାଇଁ ପୁନର୍ମୁଦ୍ରଣ କରିବାକୁ ସାରଳା ସାହିତ୍ୟ ସଂସଦ ଅଧିକାର ପାଇଲା କେଉଁଠୁ?
ସମ୍ବାଦ ଖବରକାଗଜ, ବରେନ୍ଦ୍ରକୃଷ୍ଣ ଧଳ (ଧରିତ୍ରୀ) ଓ ମୁଁ ସୁଭାଷ ଚନ୍ଦ୍ର ପଟ୍ଟନାୟକ (orissamatters.com) ଏହି ସାଂସ୍କୃତିକ ରାହାଜାନୀ ଉପରୁ ପର୍ଦ୍ଦା ଉଠାଇଦେବା ପରେ, ସଂସ୍କୃତି ବିଭାଗର ତତ୍କାଳୀନ ନିର୍ଦ୍ଦେଶକ ଗୋପୀନାଥ ମହାନ୍ତି ଏହା ଉପରେ ସରକାରୀ ଅନୁସନ୍ଧାନ ଆରମ୍ଭ ହୋଇଥିବାର ସୂଚନା ଦେଇଥିଲେ । (ସମ୍ବାଦ, ୨୧.୭.୨୦୦୭) । ସେହି ଅନୁସନ୍ଧାନ ଚାଲିଥିବା ବେଳେ , କାରଣ ତାହା ପ୍ରତ୍ୟାହୃତ ହୋଇଥିବା କାହାକୁ ଜଣାନାହିଁ , ସେହି ଅଭିଯୁକ୍ତ ସାରଳା ସାହିତ୍ୟ ସଂସଦ ରାଜ୍ୟସରକାରଙ୍କ ସେହି ସଂସ୍କୃତି ବିଭାଗରୁ ଭାଷା ସମ୍ମାନ ପାଇବା ଉପରୋକ୍ତ ଅପରାଧ-ଅନୁସନ୍ଧାନ ଉପରେ ଯବନିକା ପତନ ଭିନ୍ନ କ’ଣ ଆଉ ହୋଇପାରେ ?
ପ୍ରତିଭା ରାୟଙ୍କ ଭାଷାରେ , ସାରଳା ସାହିତ୍ୟ ସଂସଦ “ଏହି ବିଶାଳ ଅକ୍ଷରମାଳାକୁ ପୁନର୍ମୁଦ୍ରଣ କରିବାର ସତ୍ ସାହସ କରିଛନ୍ତି ।“ ଏହା ସତ୍ ସାହସ?
ସତ୍ ସାହସ ହେଉ ବା ଦୁଃସାହସ ହେଉ, ଶ୍ରୀମତୀ ରାୟ ଯେହେତୁ ଏହି ସଂସ୍ଥାର ଜଣେ ପ୍ରତିଷ୍ଠାତା ତାଙ୍କ ସ୍ଵୀକାରୋକ୍ତିର ସାକ୍ଷ୍ୟମୂଲ୍ୟ ଅଧିକ । ତାଙ୍କ ସ୍ଵୀକାରୋକ୍ତି ସ୍ପଷ୍ଟ କରିଦେଇଛି ଯେ, ସରକାରୀ ସମ୍ପତ୍ତିକୁ ଏମାନେ ହଡଫ କରିଛନ୍ତି ବା ଚୋରୀ କରିଛନ୍ତି । ଏହି ସ୍ଵୀକୃତ ଅପରାଧ ହେତୁ ସାରଳା ସାହିତ୍ୟ ସଂସଦର ପଞ୍ଜୀକରଣ ବାଜ୍ୟାପ୍ତ ହେବା କଥା ଓ ଏହି ତିନିଜଣ ଜେଲରେ ରହିବା କଥା । ଅଥଚ ଓଡ଼ିଶା ସରକାର ଏହି ସଂସ୍ଥାକୁ ଫକୀରମୋହନ ଭାଷା ସମ୍ମାନ ପ୍ରଦାନ କରିଛନ୍ତି ଫକୀରମୋହନଙ୍କ ଜୟନ୍ତୀ ଦିବସରେ ! ଓଡ଼ିଆ ଜାତିର ଆତ୍ମା ଉପରେ ତସ୍କରମାନଙ୍କ ଏ ପଦାଘାତ ବାବୁ ନବୀନଙ୍କ ରାଜୁତି କାଳରେ ହିଁ ଘଟିଛି ; ୨୦୦୭ରେ ସଂସୃତି ବିଭାଗ ପ୍ରକାଶିତ ସାରଳା ମହାଭାରତ ଯିଏ ଚୋରିକଲେ ବା ଡକାୟତି ଦ୍ଵାରା ଦଖଲ କଲେ , ୨୦୨୦ରେ ସେହି ଚୋରିକରାହୋଇଥିବା ମହାଭାରତକୁ ନିଜ ସାହିତ୍ୟକୃତି ଭାବେ ଦେଖାଇ ସେହିମାନେ ହାସଲ କଲେ ସେହି ସଂସ୍କୃତି ବିଭାଗର ସବୁଠୁ ଦାମିକା ସମ୍ମାନ – ବ୍ୟାସକବି ଫକୀରମୋହନ ଭାଷା ସମ୍ମାନ ।
ଓଡ଼ିଆ ଭାଷା ତ ବିପଦରେ , ସାହିତ୍ୟ ବି ପ୍ରିୟାପ୍ରୀତି ତୋଷଣର ଗନ୍ଧରା ଘୋଡ଼ାଶାଳରେ ।