ବ୍ୟାସନଗର: ଭାଷଜନନୀର ଜୈତ୍ରଧ୍ଵଜା ସହ ମଧୁ ଜୟନ୍ତୀ

ବିଶେଷ ପ୍ରତିନିଧି

କୁଳବୃଦ୍ଧ ମଧୁସୂଦନଙ୍କ ଜୟନ୍ତୀ ଭାଷା ଆଂଦୋଳନର ପାବନପୀଠ ବ୍ୟାସନଗରରେ ଓଡ଼ିଆ ଭାଷାଜନନୀଙ୍କ ଜୈତ୍ରଧ୍ଵଜା – କଳାପତାକା ସହ ମହାସମାରୋହରେ ପାଳିତ ହୋଇଯାଇଛି । ସହିଦ ଭଗତ ସିଂହ ଯୁବକ ସଂଘର ଅନ୍ଯତମ ତୁଙ୍ଗ ନେତା ବିଶିଷ୍ଟ ସମାଜସେବୀ ହେମନ୍ତ ଧୀରଙ୍କ ନେତୃତ୍ବରେ ଭାଷାପ୍ରାଣ ଅଞ୍ଜନ ସାହୁ ,ସୌମ୍ଯରଞ୍ଜନ ନାୟକ ଓ ଜିତେନ୍ଦ୍ର ପଲାଇ ଏହି କଳାପତାକାର ଲହରେ ଲହରେ ଜାରିକରିଛନ୍ତି ଓଡ଼ିଆ ଜାତିର ଅନାହତ ଦାବି – କାର୍ଯ୍ୟାଳୟର ଭାଷା ହେଉ ଓଡ଼ିଆ ।

ସହରର ଅଗ୍ରଣୀ ସାମାଜିକ ତଥା ସେବା ଅନୁଷ୍ଠାନ ସହୀଦ ଭଗତ ସିଂ ଯୁବକ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶୁଭ ଜୟନ୍ତୀ ଓଡ଼ିଆ ଜାତିର ସ୍ୱାଭିମାନ ଦିବସ ଭାବେ ପାଳିତ ହୋଇଥାଏ ।  ସୁତରାଂ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ କୁଳବୃଦ୍ଧଙ୍କ ପ୍ରତିମୂର୍ତ୍ତିରେ ସଭାପତି ରାଜେନ୍ଦ୍ର ବିଶ୍ଵାଳ, କବି ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ସଂଘର ସଭ୍ୟମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ ।

ଏହି ଅବସରରେ ସହରର କୌଣସି ଏକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେ ମଧୁବାବୁଙ୍କର ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ମଲ୍ଲିକଙ୍କୁ ଯୁବକ ସଂଘ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ନିର୍ବାହୀ ଅଧିକାରୀ ଏ ଦିଗରେ କାର୍ଯ୍ୟକରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ସକାଳ ୯ ଘଟିକା ସମୟରେ ବ୍ୟାସଶ୍ରୀ କଳାନିକେତନ ସଭାଗୃହରେ  ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଏଥିରେ ସଭାପତିତ୍ୱ କରିଥିଲେ ସଂଘର ଉପଦେଷ୍ଟା ନାରାୟଣ ଚନ୍ଦ୍ର ନାୟକ, ନନ୍ଦକିଶୋର ମହାନ୍ତି ବ୍ୟାଙ୍ଗକବି ବାଇଧର ମାଝୀ, ସଭ୍ୟ ମହେଶ୍ୱର ନାୟକ, ଜନ୍ମେଜୟ ରାଉତ, ଦୀପକ ଦାଶ, ନୀଳମଣି ଜେନା, ଟୁଲୁ ଟୁଲୁ ମୋହନ ଜେନା, ସେକଉଦ୍ଦିନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ମହାପୁରୁଷଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।  ସଂଘର ସମ୍ପାଦକ ଶ୍ରୀ ହେମନ୍ତ କୁମାର ଧୀର ଧନ୍ୟବାଦ ଅର୍ପଣ କରିଥିଲେ

କୁଳବୃଦ୍ଧ ମଧୁସୂଦନଙ୍କ ଜୟ ହେଉ; ଓଡ଼ିଆ ଜାତିର ଜୟ ହେଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଜି ଏହି ପବିତ୍ର ଦିବସରେ ସାମାଜିକ ଗଣମାଧ୍ୟମରେ ମୁଁ କେବେଳ ଏତିକି କହିଛି :

କୁଳବୃଦ୍ଧ ମଧୁସୂଦନଙ୍କ ଜୟ ହେଉ , ଓଡ଼ିଆ ଜାତିର ଜୟ ହେଉ । 

ଓଡ଼ିଆ ଭାଷାରେ ଓଡ଼ିଶାର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଯେଉଁପର୍ଯ୍ୟନ୍ତ ନଚାଲିଛି, ସେପର୍ଯ୍ୟନ୍ତ ମଧୁବାବୁଙ୍କ ବିଜଯ ଲାଭ ବାକିଅଛି ; ଇଂରାଜୀ ଅଧସ୍ଥାନତାରୁ ଓଡ଼ିଆ ଜାତିର ମୁକ୍ତି ନାହିଁ ।

ଏତିକି କହି, ମୁଁ ଆଜି ମଧୁବାବୁଙ୍କ ଜୟଲାଭ  ପାଇଁ ଚାଲିଥିବା ଭାଷା ଆନ୍ଦୋଳନର ଦୁଇଜଣ ବିଶିଷ୍ଟ କଳାପତାକା ଅଭିଯାତ୍ରୀଙ୍କ ରଚିତ ଦୁଇଟି ମଧୁବନ୍ଦନା ଉପସ୍ଥାପିତ କରୁଛି :

ପ୍ରଥମ ବନ୍ଦନାର ଲେଖକ ଅଧ୍ୟାପକ ମନୋରଞ୍ଜନ ଦାସ । 

ମଧୁ ଚଉପଦୀ
————–
ଓଡ଼ିଆ ଜାତିର ହାତପାଆନ୍ତାରେ ଓଡିଶା ଥୋଇ,
ଜୀବନର ଋଣ ଶୁଝିଦେଇ ସତେ ପଡିଲ ଶୋଇ ।
ଉଠିଲନି ଆଉ କାତରେ ଡାକିଲା ଯେତେ ଏ ଜାତି,
ତୁହାଇ ତୁହାଇ କହୁଥିଲା ଉଠ ହେଲା ପାହାନ୍ତି ।
ଓଡ଼ିଆ ଜାତିର ପରିଚୟ ପରା ଓଡ଼ିଆ ଭାଷା,
ଓଡ଼ିଆ ଭାଷାର ଆଧାରେ ହୋଇଛି ଆମ ଓଡିଶା ।
ସ୍ଵାଧୀନତା ପରେ ଓଡ଼ିଆ ଭାଷାରେ ଶାସନ ଆମ,
ଚାଲିବାର ବିଧି-ଅବିଧି-ଜାଲରେ ଘଟେ କି ଭ୍ରମ !
ଆଜି ନାହଁ ତୁମେ ନାହିଁ ତୁମ ସମ ଜଣେ ଓଡ଼ିଆ,
ଜଣେ ଓଡ଼ିଆ ତ ଥିଲ ବୋଲି ତୁମେ କହିଛ ଯାହା ।
ମନେ ପଡେ ଆଜି ଭାଷାଜନନୀର ଦୁର୍ଦ୍ଦଶା ଦେଖି,
ତୁମେ ଥିଲେ ସତେ ପାରନ୍ତା ମୋ ଭାଷା ଅଣ୍ଟା ସଳଖି ।
ଲଢିଥାନ୍ତ ତୁମେ ନବପରାକ୍ରମେ ତମସା ନାଶି,
ଅସ୍ତହୀନ ସୂର୍ଯ୍ୟ ପ୍ରଦୀପ୍ତ କିରଣେ ଶୋଭାପ୍ରକାଶି ।
ଉଜ୍ଜ୍ୱଳ ଦିଶନ୍ତା ଏ ଓଡ଼ିଆ ଜାତି ହୋଇ ନିଃଶଙ୍କ,
ମଧୁପ୍ରବାହରେ ହଟାଇ ଓଡ଼ିଆ- ଦ୍ଵେଷ-କଳଙ୍କ ।
***
 
ଦ୍ଵିତୀୟ ବନ୍ଦନାର ଲେଖକ  ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ। ସେ ଢେଙ୍କାନାଳ ଥିଙ୍କର୍ଷ ଫୋରମର ସମ୍ପାଦକ 
 
ତୁମ ଭଳି ଓଡ଼ିଆ ଟେ କାହିଁ ?
——————
 
ଏମିତି କୋଉ ଓଡ଼ିଆଟେ ଅଛି
ଯାହାକୁ ଅଣ୍ଡାରୁ ଭେଣ୍ଡା ଯାଏ
ଢ଼ିଙ୍କିଶାଳରୁ ଢେଙ୍କାନାଳ ଲୋକେ
ବାବୁ ଡାକନ୍ତି
ଜହ୍ନକୁ ମାମୁ ଡାକିଲା ଭଳି?
ଏମିତି କିଏ ସେ ଓଡ଼ିଆ ଅଛି
ଯିଏ ଗୋଟେ ଓଡିଶା ର ନିର୍ମାତା ସାଜିବ
ତୁମ ଭଳି
ଖାଲି ଭାଷା ମାଧ୍ୟମ ରେ
ସାରା ଜାତି ଟାକୁ ବାନ୍ଧି ଦେବ
ଓଡ଼ିଆ ର ଅସ୍ମିତା ରେ
ଏକତା ରଜ୍ଜୁରେ?
ଏମିତି ଓକିଲ କିଏ କାଇଁ
ଯିଏ ତା ଜାତିର ଠାକୁର ପାଇଁ
ଲଢେଇ କରିବ
କୋର୍ଟ କଚେରୀରେ
ତା ପୁଣି ବିନା ପାଉଣାରେ
ତା ଜାତିର ସ୍ୱାଭିମାନ ପାଇଁ?
ଏମିତି କୋଉ ଶିଳ୍ପଦ୍ୟୋଗୀ କାହିଁ
ଯିଏ ବାରିଷ୍ଟର ହେଇ
ମୃତ୍ୟୁ ଶେଯେ ଶୋଇଯିବ
ଦେବାଳିଆ ହେଇ
ଓଡ଼ିଆ ଜାତି ଟାକୁ
ଯଥା ଯୋଗ୍ୟ ମୁରବୀ ନଦେଇ?
ହେ ମଧୁ ସୁଦନ
ଏ ଜାତି ର ଭୀଷ୍ମ ପିତାମହ
ତୁମ ଭଳି ମଣିଷ ଟେ କାହିଁ
ଓଡ଼ିଆ ର ଅସ୍ମିତା କୁ ପ୍ରତିଷ୍ଠା ସକାଶେ
ଆଜୀବନ କରିବ ଲଢେଇ
ଅଣ ଓଡ଼ିଆ ଙ୍କ ମୁହେଁ ତୁଣ୍ଡି ଦେଇ
ସତରେ….
ତୁମ ଭଳି ଓଡ଼ିଆଟେ କାଇଁ?
ଆହେ କୂଳବୃଦ୍ଧ,
ଉତ୍କଳ ଗୌରବ ,ଏ ଜାତିର ସାଇଁ
ଫେରିବ କି ଓଡିଶାକୁ
ନୂଆ ଜନ୍ମ ନେଇ?
ଦେଖିବ କି ଆମେ ସବୁ
ଅଣବୀର୍ଯ୍ୟ ମାନେ ନିଦରେ କେମିତି
ଯାଇଅଛୁ ଶୋଇ
ଅଣ ଓଡ଼ିଆ ଙ୍କ ଛୁରୀକାଘାତରେ
କେମିତି ବହୁଛି ଏଠି
କ୍ଷତାକ୍ତ ଅସ୍ମିତାର ରକ୍ତ ଭିଜା ନଈ
ସତରେ ସାଆନ୍ତେ ତୁମେ ଭୂଲ ବୁଝ ନାହିଁ
ଯେତେ ଖୋଜିଲେ ବି
ଓଡିଶା ରେ ତୁମ ଭଳି ଓଡ଼ିଆ ଟେ ନାହିଁ
ତୁମେ ଥିଲେ ବୋଧେ ଆଜି
ଓଡ଼ିଆ ଭାଷାଟା ମୋର
କାନ୍ଦୁନଥାନ୍ତା କଳାପାହାଡ଼ ଙ୍କ ବନ୍ଧକ ଭିତରେ
ନିରୀହ ଶିଶୁଟି ଭଳି
କୁଆଁ କୁଆଁ ହେଇ |
ସେଇଥିପାଇଁ ତ କହେ
ହେ ମଧୁସୂଦନ..
ତୁମ ଭଳି ଓଡ଼ିଆଟେ
ଆଜିର ଏ ଓଡିଶାରେ ନାହିଁ |
ହେ ମଧୁବାବୁ, ହେ ମଧୁସୂଦନ, ଓଡ଼ିଶାର ଅସ୍ତହୀନ ସୂର୍ଯ୍ୟ ! ଆପଣଙ୍କୁ ହିଁ ପ୍ରଣାମ । 

ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ରାତି ସରନ୍ତି ଭାଗରେ ପ୍ରବେଶ କରିଥିଲା, ବଦଳିଯାଇଥିଲା କ୍ୟାଲେଣ୍ଡରର ତାରିଖ ଫେବ୍ରୁୟାରୀ ୪କୁ । କୁଳବୃଦ୍ଧ ମଧୁସୂଦନ ଆଖି ବୁଜିଥିଲେ । ଓଡ଼ିଆ ଜାତିର ଭାଗ୍ୟାକାଶ ଠେଲି ହୋଇଯାଇଥିଲା ଅସରନ୍ତି ଅନ୍ଧକାର ଭିତରକୁ । ସେହି ଅନ୍ଧକାର ଆଜି ବି ସରିନି, ଅଧିକ ଘଞ୍ଚ ହୋଇଛି । ତା କବଳରୁ ଆମ ଜାତିକୁ ଉଦ୍ଧାର କରି ମଧୁବାବୁଙ୍କ ଅପୂର୍ଣ୍ଣ ସ୍ବପ୍ନକୁ ସମ୍ପୂର୍ଣ୍ଣ କରିବାକୁ ଆମେ ଆମ ଭାଷାରେ ଆମ ରାଜ୍ୟର ପରିଚାଳନା ପାଇଁ ସଂଗ୍ରାମ ରତ; କିନ୍ତୁ ଆମ ରାଜ୍ୟ ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କ କବଳରେ ପଡିଛି, ଯିଏ ତାଙ୍କ ବାପାଙ୍କ ମତଲବକୁ ଚରିତାର୍ଥ କରିବା ପାଇଁ ଆମ ଭାଷା ବିରୁଦ୍ଧରେ ବିଧାନସଭାରେ ଜାଲିଆତି ବି ପ୍ରୟୋଗ କରିଛନ୍ତି । ଓଡ଼ିଆ ଜାତିର ଭାଗ୍ୟାକାଶରେ ଜମିରହିଥିବା ଅନ୍ଧକାରକୁ ଅଧିକ ଭୟଙ୍କର ଭାବେ ଘଞ୍ଚ ହୋଇଉଠିଛି ।

ଏହି ଦାରୁଣ ଦୁର୍ବିପାକ କବଳରେ ଆମେ ଆମ ପରିଚୟ ହରାଇବାକୁ ବସିଥିବା ବେଳେ, ଆମ ଭାଷାର ଲାଭଜନକ ଉପଯୋଗ କରି ନିଜ ନିଜ ପାଇଁ ପୁସ୍ତକୀୟ ଆୟ, ଲେଖକୀୟ ପରିଚୟ, ଅଖିଝଲସା ସମ୍ମାନ ସଂଗ୍ରହ କରୁଥିବା ଭାଷାଜୀବୀମାନେ ମୁହୂର୍ତ୍ତକପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କେବେ କହିନାହାନ୍ତି ମଧୁବାବୁଙ୍କ ଜୀବନବ୍ୟାପୀ ତପସ୍ୟାକୁ ବ୍ୟର୍ଥ କରିବା ପାଇଁ ସେ ଯେଉଁ ଷଡ଼ଯନ୍ତ୍ର ଚଲାଇଛନ୍ତି, ତହିଁରୁ ନିବୃତ୍ତ ହେବା ପାଇଁ । ଯେଉଁ ଓଡ଼ିଆମାନେ ସରସ୍ଵତୀ ସମ୍ମାନ, ଜ୍ଞାନପୀଠ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମ୍ମାନ, ରାଜ୍ୟ ସାହିତ୍ୟ ଏକାଡ଼େମୀ ସମ୍ମାନ, ସାରଳା ସମ୍ମାନ ଆଦି ସମ୍ମାନ ସାଉଁଟିଛନ୍ତି, ସାହିତ୍ୟସେବା ଆଳରେ ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ବିନା ଗବେଷଣାରେ ସମ୍ମାନଜନକ ଡକ୍ଟରେଟ ହାସଲ କରିଛନ୍ତି, ବିଭିନ୍ନ କିସମର ପଦ୍ମ ସମ୍ମାନରେ ବିଭୂଷିତ ହୋଇଛନ୍ତି , ସେ ସମସ୍ତେ ଓଡ଼ିଆ ଭାଷା କରୁଣାରୁ ସେ ସବୁ ଅର୍ଜନ କରିଛନ୍ତି । ଅଥଚ, ଓଡ଼ିଆ ଜାତିକୁ ଭାଷା ଅଧିକାର ମିଳୁନି; ସେମାନଙ୍କ ପାଟି ଫିଟୁନି ! ଆମ ଭାଷାଜୀବୀ ସାହିତ୍ୟିକମାନେ ଭାବୁଛନ୍ତି ଯେ, ସେମାନଙ୍କ ପରିସୃଷ୍ଟ ସାହିତ୍ୟ ହେତୁ ଓଡ଼ିଆ ଭାଷା ପରିପୁଷ୍ଟ ହେଉଛି । ମାତ୍ର ସେମାନେ ସ୍ଵୀକାର କରିବା ଆବଶ୍ୟକ ଯେ, ସେମାନଙ୍କୁ ସାହିତ୍ୟିକ ଭାବେ ଝଲସିବାର ଓ ଏତେ ସବୁ ସମ୍ମାନ, ଉପାଧି, ଅର୍ଥ ଅର୍ଜିବାର ପରିସର ଯିଏ ଦେଇଛି, ତାହା କେବଳ ଓଡ଼ିଆ ଭାଷା । ସାହିତ୍ୟ ଆମ ସହଜାତ ନୁହେଁ, ଭାଷା ଆମ ସହଜାତ । ଭାଷାର ସ୍ଵାର୍ଥକୈନ୍ଦ୍ରିକ ଉପଯୋଗ ଦ୍ଵାରା ସାହିତ୍ୟ ସୃଷ୍ତିହୁଏ , କିନ୍ତୁ ଯେଉଁ ଭାଷା କାମର ଭାଷା ନହୁଏ ସେ ଭାଷା ମରିଯାଏ , ଯେମିତି ମରିଯାଇଛି ବିପୁଳ ସାହିତ୍ୟ ସତ୍ତ୍ୱେ ପାଳି, ମରିଯାଇଛି ସଂସ୍କୃତ ।

ଓଡ଼ିଆ ଭାଷା ହିଁ ଆମ ପରିଚୟ । ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ବଙ୍ଗଳା ଯଦି ଆମ ଭାଷା ହୋଇଥାନ୍ତା, ଆମେ ହୋଇଥାନ୍ତେ ବଙ୍ଗାଳୀ ; ତେଲୁଗୁ ଯଦି ଆମ ଭାଷା ହୋଇଥାନ୍ତା, ଆମେ ହୋଇଥାନ୍ତେ ତେଲେଙ୍ଗା । ଆମ ଭାଷାଜୀବୀ ସାହିତ୍ୟିକମାନେ ଏହା ବୁଝିବା ଉଚିତ । ସେଥିପାଇଁ, ସେମାନେ ଓଡ଼ିଆବିଦ୍ଵେଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ଵର ତୋଳିବା ଉଚିତ । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଆମ ଭାଷା ଆଇନର ସଂଶୋଧନ ପାଇଁ ମୁଁ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ କହିବା ଉଚିତ ଓ କଳାପତାକା ଅଭିଯାନରେ ଝାସ ଦେବା ଉଚିତ ।

ଓଡ଼ିଆ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶର ରୂପାଯନ ପାଇଁ ମଧୁବାବୁ ଯେଉଁ ଆନ୍ଦୋଳନ କରିଥିଲେ ତାହା ଯେପରି ବିଷୟନିଷ୍ଠ, ଅଥଚ ଆଇନ ସମ୍ମତ ଥିଲା, ଠିକ ସେହି ଢାଞ୍ଚାରେ ମୁଁ ଏହି ଆନ୍ଦୋଳନ ଗଢିଛି । କୌଣସି ଆଇନ ଉଲ୍ଲଂଘନ ନକରି ଆଇନଅମାନ୍ୟକାରୀ ସରକାରକୁ ଆମ ଭାଷା ଆଇନର ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଓ ଓଡ଼ିଆ ଭାଷାକୁ ସର୍ବତୋଭାବେ ଓଡ଼ିଶାର କାର୍ଯ୍ୟଭାଷା କରିବା ପାଇଁ କିପରି ବାଧ୍ୟ କରାଯାଇପାରେ ଏହା ତାହାର ଉତ୍କୃଷ୍ଟତମ ପରୀକ୍ଷଣ । ଆମ ସାହିତ୍ୟିକମାନେ କେବଳ ଭାଷାଜୀବୀ ନୁହନ୍ତି , ସେମାନେ ଭାଷାପ୍ରେମୀ ମଧ୍ୟ, ଏହା ସରକାରଙ୍କୁ ଓ ସାରା ବିଶ୍ଵକୁ ଜଣାଇଦେବା ପାଇଁ ସେମାନେ ସମସ୍ତ କୁଣ୍ଠା ବିସର୍ଜନ କରି କଳାପତାକା ଅଭିଯାନକୁ ଆସନ୍ତୁ ।

ଓଡ଼ିଆ ଭାଷାକୁ ଓଡ଼ିଆ ଜାତିର କାର୍ଯ୍ୟଭାଷା କରିବା ପାଇଁ ଏକ ଭାଷା ଭିତ୍ତିକ ପ୍ରଦେଶ ଭାବେ ଓଡ଼ିଶାର ପରିକଳ୍ପନା କରି ତାହାର ରୂପାଯନ ପାଇଁ ମଧୁବାବୁ ଯେଉଁ ଉତ୍କଳ ସମ୍ମିଳନୀ ଗଢିଥିଲେ, ତହିଁରେ ଯୋଗଦେବାକୁ ସବୁ ଓଡ଼ିଆଙ୍କୁ ଆହ୍ଵାନ ଦେଇ ସେ କହିଥିଲେ –“ଏହି ସମ୍ମିଳନୀ ଜାତିପ୍ରାଣସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ, ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ ।‘

କଳାପତାକା ଅଭିଯାନ ଏହିପରି ଓଡ଼ିଆ ଜାତିର ଆତ୍ମାର ଅଭିଯାନ । ଏଥିରେ ଝାସ ଦେଇ ଆମ ସାହିତ୍ୟିକମାନେ ନିଜ ଭାଷାଜନନୀଙ୍କୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବାକୁ ଉଦ୍ୟମ କରନ୍ତୁ ।

ଏହି କଥା କହି, ଭାଷାପ୍ରେମୀ ଓଡ଼ିଆ ଜାତି ପକ୍ଷରୁ ମୁଁ ମଧୁବାବୁଙ୍କୁ ଆଭୂମ ପ୍ରଣାମ ଜଣାଉଛି ।