ମହାନ ଆମ ମାତୃଭାଷା ସଂଘ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ

(ରାଜେଶ କୁମାର ଶତପଥୀ)

ପାଟଣାଗଡ଼, ୯/୮: କଥାରେ ଅଛି ଇଚ୍ଛା ଏବଂ ଚେଷ୍ଟା ଥିଲେ ସବୁକିଛି ସମ୍ଭବ ହୋଇ ପାରେ । ଏହାକୁ ସତ୍ୟ ପ୍ରମାଣିତ କରିଛି ‘ମହାନ ଆମ ମାତୃଭାଷା ସଂଘ ‘ । ତାଲାବନ୍ଦ ଯୋଗୁଁ ସବୁ ପ୍ରକାର ସଭା ସମିତି ବନ୍ଦ ଥିବାବେଳେ ନଭମଞ୍ଚ ବା ଇଣ୍ଟରନେଟ୍ ମାଧ୍ୟମରେ ‘ମହାନ ଆମ ମାତୃଭାଷା ସଂଘ ‘ ପକ୍ଷରୁ ପାଳିତ ହୋଇ ଯାଇଛି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ।

ମହାନ ଆମ ମାତୃଭାଷା ସଂଘ ର ପ୍ରତିଷ୍ଠାତା ରାଜେଶ କୁମାର ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ବିଶିଷ୍ଟ ବ୍ୟଙ୍ଗକବି ଶ୍ରୀଯୁକ୍ତ ସତ୍ୟାନାଶ । ଗଙ୍ଗାଧର ମେହେରଙ୍କ ସାହିତ୍ୟ ରେ ହାସ୍ୟରସର ପରିପ୍ରକାଶ ଉପରେ ସେ ଖୁବ୍ ସୁନ୍ଦର ଆଲୋଚନା କରିଥିଲେ । ଗଙ୍ଗାଧର ସାହିତ୍ୟରେ ରସଗୁଡ଼ିକର ଅବତାରଣା ଦର୍ଶାଇବାକୁ ଯାଇ ସେ କୀଚକବଧ ତଥା ଅନ୍ୟାନ୍ୟ କାବ୍ୟ ଗୁଡ଼ିକରୁ ଅନେକ ଦୃଷ୍ଟାନ୍ତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜବାହାରଲାଲ ମହାବିଦ୍ୟାଳୟ, ପାଟଣାଗଡ଼ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ତଥା ପ୍ରାଧ୍ୟାପକ ଡଃ ପ୍ରଦ୍ୟୁମ୍ନ କୁମାର ମିଶ୍ର । ସେ ଅତ୍ୟନ୍ତ ଆକର୍ଷଣୀୟ ଶୈଳୀରେ ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଆଧ୍ୟାତ୍ମିକତାଉପରେ ଆଲୋଚନା କରିବା ସହିତ ମେହେର ସାହିତ୍ୟରେ ଅନ୍ତର୍ପ୍ରକୃତି ଓ ବହିର୍ପ୍ରକୃତିର କିଭଳି ସମନ୍ବୟ ଘଟିଛି ତାହା ଅତି ମନୋରମ ଭାବେ ବର୍ଣ୍ଣନା କରିଥିଲେ।

ବର୍ତ୍ତମାନ ଓଡ଼ିଶାରେ ଚାଲିଥିବା ଭାଷା ଆନ୍ଦୋଳନ କଳା ପତାକା ଅଭିଯାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନକରି ଓଡ଼ିଆ ଭାଷା ଆନ୍ଦୋଳନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଙ୍ଗାଧର ଏବଂ ପଶ୍ଚିମ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଥିଲେ । ସ୍ଵଭାବକବିଙ୍କ ‘ଉତ୍କଳ ଭାରତୀଙ୍କ ଉକ୍ତି’ କବିତା ଆଲୋଚନା କରିବା ସମୟରେ ସେ ଅତ୍ୟନ୍ତ ଭାବ ବିହ୍ବଳ ହୋଇ ପଡ଼ିଥିଲେ। ଭାଷା ଜନନୀର ଦୁଃଖ ପ୍ରସଙ୍ଗ ଉପସ୍ଥାପନ କରିବା ସମୟରେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଲା ଏବଂ ଉପସ୍ଥିତ ଦର୍ଶକମାନେ ମଧ୍ୟ ଭାବ ବିହ୍ବଳ ହୋଇ ପଡ଼ିଲେ । ଆଉ ମଧ୍ୟ ଅନେକ ଦସ୍ତାବିଜ ଓ ନୀତିର ଦୃଷ୍ଟାନ୍ତ ଦେଇ ସେ ଓଡ଼ିଆ ଭାଷା ପ୍ରତି ହୋଇ ଆସୁଥିବା ଅବହେଳାଗୁଡିକ ଉପରେ ଧାରଣା ଦେଇଥିଲେ ।

ଶ୍ରୀ ଜନ୍ମେଜୟ ପୁରୋହିତଙ୍କ ସଂଯୋଜନାରେ ପରିଚାଳିତ ଏହି ସଭାରେ ସଂଘର ପୁରୁଷବିଭାଗର ସଚିବ କେଶବ ସୁନାନୀ ‘ଗଙ୍ଗାଧର ସାହିତ୍ୟରେ ପ୍ରକୃତି ଚିତ୍ରଣ’ ପ୍ରସଙ୍ଗ ଆଲୋଚନା କରିଥିବା ବେଳେ ମହିଳାବିଭାଗର ସଚିବ ଦୀପାଳୀ ସାହୁ ‘ଗଙ୍ଗାଧର ସାହିତ୍ୟରେ ଜୀବନ ଦର୍ଶନ’ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସୁନିତା ପଧାନ, ବିଶ୍ବଜିତ ସାହୁ ଏବଂ ଶୁଭେନ ପାଣିଗ୍ରାହୀ ଯଥାକ୍ରମେ ‘ଗଙ୍ଗାଧରଙ୍କ ଜୀବନୀ ‘, ‘ଗଙ୍ଗାଧରଙ୍କ ସାହିତ୍ୟ କୃତି’ ଓ ‘ମହାନ ଆମ ମାତୃଭାଷା ସଂଘର ଉଦ୍ଦେଶ୍ୟ ‘ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବୈଦିକ କଲେଜ, ସମ୍ବଲପୁରର ଅଧ୍ୟାପିକା ଶ୍ରୀମତୀ ଲିଲିମା ହୋତା ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟରେ ସଭାପତିତ୍ଵ  ଭାଷଣ ରଖିଥିଲେ ଶ୍ରୀ ରାଜେଶ କୁମାର ଶତପଥୀ। ବର୍ତ୍ତମାନ ସମୟରେ ମାତୃଭାଷା ପ୍ରତି ହେଉଥିବା ଅବହେଳା, ମାତୃଭାଷା ପ୍ରତି ସାଧାରଣ ଜନତା ଏବଂ କବି, ସାହିତ୍ୟିକଙ୍କ କର୍ତ୍ତବ୍ୟ ଏବଂ ମହାପୁରୁଷମାନଙ୍କ ଜୟନ୍ତୀ ପାଳନର ଉଦ୍ଦେଶ୍ୟ ଉପରେ ସେ ମତ ଦେଇଥିଲେ । ମହାପୁରୁଷମାନଙ୍କ ଫଟୋକୁ ପୂଜା କରିବା ଅପେକ୍ଷା ବେଶୀ ଜରୁରୀ ହେଉଛି ତାଙ୍କ ଚିନ୍ତାଧାରାକୁ ମାନିବା ବୋଲି ସେ କହିଥିଲେ ।

ଏହି ସଭାରେ ସ୍ବାଗତ ଭାଷଣ ରଖିଥିଲେ ଶ୍ରୀ ବିଶ୍ବଜିତ ସାହୁ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ନାମାକ୍ଷୀ ପୁରୋହିତ ଓ ଜନ୍ମେଜୟ ପୁରୋହିତ । ଶିଶୁ କଣ୍ଠଶିଳ୍ପୀ ରୋଶନ ମିଶ୍ର ଓ ନାମାକ୍ଷୀ ପୁରୋହିତ ମଝିରେ ମଝିରେ ଗଙ୍ଗାଧର ମେହେରଙ୍କ ଜନପ୍ରିୟ କବିତା ଗୁଡ଼ିକ ଗାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଲିପିକା ସାହୁ ।

ଦର୍ଶକ ଭାବରେ ଯୋଗଦାନ କରିଥିଲେ ଜବାହାରଲାଲ ମହାବିଦ୍ୟାଳୟ ପାଟଣାଗଡ଼ର ଅନେକ ଅଧ୍ୟାପକ ଅଧ୍ୟାପିକା , ବେଲପଡା କଲେଜର ଅଧ୍ୟାପକ, ତଥା ଅନେକ ଛାତ୍ରଛାତ୍ରୀ ଏବଂ ଭାଷା ପ୍ରେମୀ ।

କାନ୍ଦୁଛି କବିର କଲମ

ରାଜେଶ କୁମାର ଶତପଥୀ 

ଅଶୀଠାରୁ ମସୀ ଅଟେ ଶକ୍ତିଶାଳୀ
ଏ କଥା ଜାଣେ ଜଗତ,
ଅସମ୍ଭବ କର୍ମ ସମ୍ଭବ କରିଣ
ଜଗତେ ସିଏ ବିଖ୍ୟାତ ।

ମସୀ ଅସ୍ତ୍ର ରୂପେ ଧରି ନିଜ ହାତେ
ଯୁଦ୍ଧ କରେ ମର୍ତ୍ତ୍ୟେ ଜଣେ,
ଅସତ୍ୟରୁ ସତ୍ୟ ଅଧର୍ମରୁ ଧର୍ମ
ଦୁର୍ନୀତିରୁ ନୀତି ଆଣେ ।

କେତେ ଯେ ବିପ୍ଳବ କେତେ ଆନ୍ଦୋଳନ
କରିଅଛି ଏ କଲମ,
ଇତିହାସ ପୃଷ୍ଠା ଭିତରେ କେବଳ
ରହିଯାଇଛି ତା ନାମ ।

ବଦଳି ଯାଇଛି ଆଜିର ସାହିତ୍ୟ
ବଦଳିଛି କବିମତ,
କମିଯାଉଅଛି ସାହିତ୍ୟ ସାଧନା
ହୋଇଛି କ୍ଷତ ବିକ୍ଷତ ।

କି ସୁନ୍ଦର ସତେ ଓଡ଼ିଆ ସାହିତ୍ୟ
ଅଟେ କେତେ ପୁରାତନ,
କେତେ ଯେ ସୁଯୋଗ୍ୟ ସାହିତ୍ୟସାଧକ
ରଖି ଯାଇଛନ୍ତି ନାମ ।

ସାହିତ୍ୟ ସାଧନା ଧର୍ମ ଥିଲା ତାଙ୍କ
ଲେଖନୀ ଯେ ଭଗବାନ,
ସମାଜ ଉନ୍ନତି ଲକ୍ଷ୍ୟ ଥିଲା ତାଙ୍କ
ଥିଲେ ବଡ଼ ତ୍ୟାଗବାନ ।

ଆଜି ବି ଅଛି ଏ ଓଡ଼ିଆ ସାହିତ୍ୟ
ଅଛନ୍ତି କବି, ଲେଖକ,
ନାହିଁ ଆଜି ସେହି ସାହିତ୍ୟ ଆଦର
ନାହିଁ ତ ଆଉ ପାଠକ ।

ଉନ୍ନତି ନାମରେ ଡିଣ୍ଡିମ ବଜାଇ
ହେଉଛନ୍ତି ଅନୁନ୍ନତ,
ନିଜ ଭାଷା ପାଇଁ ସମୟ ତ ନାହିଁ
ଇଂରାଜୀରେ ସର୍ବେ ବ୍ୟସ୍ତ ।

ନିଜକୁ ପଛେ କେ ଚିହ୍ନି ନ ପାରନ୍ତୁ
ନ ଜାଣନ୍ତୁ ପରିଚୟ,
ସଭିଙ୍କର ଇଚ୍ଛା ପଢିବେ ଇଂରାଜୀ
ବଢିବ ନିଜର ମୂଲ୍ୟ ।

ଓଡ଼ିଆ ପୁସ୍ତକ, ଓଡ଼ିଆ ପତ୍ରିକା
ପଢ଼ିବାକୁ ନାହିଁ କେହି,
ଓଡ଼ିଶାର ଛାତ୍ର ବାଧ୍ୟ ତ ନୁହନ୍ତି
ଓଡ଼ିଆ ପଢିବା ପାଇଁ ।

ପାଠକମାନେ ତ ଅଟନ୍ତି ଏମିତି
ଲେଖକ ବି କମ୍ ନୁହେଁ,
ଭାଷା ସାହିତ୍ୟର ଅବନତି ପାଇଁ
ତାଙ୍କର ବି ଦୋଷ ଥାଏ।

କାହାର ଲେଖାରେ ନ ଥାଏ ମାଧୁର୍ଯ୍ୟ
କିଏ ଲେଖେ ସ୍ଵାର୍ଥ ପାଇଁ,
ଟଙ୍କା ଉଦ୍ଦେଶ୍ୟରେ ଲେଖା ବ୍ୟବସାୟ
କରେ କିଏ କବି ହୋଇ !

ଲେଖକ ମାନଙ୍କ ଚିନ୍ତା ବଦଳିଲା
ବଦଳିଗଲେ ପାଠକ ,
ଏମାନଙ୍କ ମଧ୍ୟେ ଛନ୍ଦି ହୋଇ ଆଜି
କଲମର ବଢେ ଦୁଃଖ ।

ସମାଜ ଉନ୍ନତି ଜାତୀୟ ପ୍ରଗତି
ଲକ୍ଷ୍ୟ ଅଟେ କଲମର,
ଭୁଲ ଚିନ୍ତାଧାରା ଦୂର କରିବାକୁ
ସବୁବେଳେ ଚେଷ୍ଟା ତାର ।

କଲମର ଦୁଃଖ କିଏ ବା ବୁଝିବ
କାହାର ସେ ଚିନ୍ତାଧାରା?
ଟଙ୍କା ପଛେ ଆଜି ଧାଇଁ ଧାଇଁ ପରା
ଜାତି ହୋଇଛି ବେସୁରା ।

ନିଜ ଘରେ ଆଜି ଭିକାରୀ ସାଜିଛି
ଓଡ଼ିଆ ଭାଷା ସାହିତ୍ୟ,
କବିର କଲମ କାନ୍ଦୁଅଛି ଆଜି
ସବୁ ଥାଇ ସେ ଅନାଥ ।

(ମାଲପଡା, ଧଣ୍ଡାମୁଣ୍ଡା, ଖପ୍ରାଖୋଲ, ବଲାଙ୍ଗୀର)