ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଆଜି ବିଶ୍ଵ ମାତୃଭାଷା ଦିବସ । ଏହି ନାମରୁ ବୁଝିହୁଏ ଯେ, ମାତୃଭାଷା ଉପରେ ସମଗ୍ର ବିଶ୍ଵ ଗୁରୁତ୍ଵ ଦେଉଛି । ମାତ୍ର ଆମ ରାଜ୍ୟ ସରକାର ନିଆରା । ମାତୃଭାଷାକୁ କିପରି ମରାଯାଇପାରେ ତହିଁରେ ଆମ ସରକାର ମନଧ୍ୟାନ ଦେଇ ଲାଗିଛନ୍ତି । ଫଳରେ, ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ଓଡ଼ିଶା ଦାପ୍ତରିକ ଭାଷା ଆଇନ (Orissa Official Language Act) କାର୍ଯ୍ୟକାରୀ ହୋଇପାରୁନି । ଓଡ଼ିଶାର ସବୁଠି ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବ ବୋଲି ଏହି ଆଇନରେ ବ୍ୟବସ୍ଥା ଅଛି । କିନ୍ତୁ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଥିବା ଆମ ସରକାର ୨୦୧୮ରେ ଏହାକୁ ସଂଶୋଧନ କରି ଓଡ଼ିଶାର ସବୁଠି ସମସ୍ତ ଓ ଯେକୌଣସି ଦାପ୍ତରିକ କମ ଓଡ଼ିଆରେ ହେବନାହିଁ ବୋଲି ଧାର୍ଯ୍ୟ କରିଛନ୍ତି । ସେ ଏହା ବି ଧାର୍ଯ୍ୟ କାରିଛନ୍ତି ଯେ, କର୍ମଚାରୀମାନେ ଯେଉଁଠି ଯେପରି ଭାବେ ଚାହିବେ ସେଇଠି ସେପରି ଭାବେ ଓଡ଼ିଆରେ କାମ ହୋଇପାରେ, ନହେଲେ ନାହିଁ । କେବଳ ଏତିକି ନୁହେଁ, ଯେଉଁ କର୍ମଚାରୀ ବା ପଦଧିକାରୀ ସମ୍ପୂର୍ଣତଃ ଓଡ଼ିଆରେ କାମ ନ କରିବେ ସେମାନଙ୍କୁ ସରକାର ପୁରସ୍କୃତ କରିବେ ବୋଲି ବି ନବୀନ ବାବୁ ବ୍ୟବସ୍ଥା କରିଛନ୍ତି । ଆମ ମାତୃଭାଷା ବିରୁଦ୍ଧରେ ଏହି କୁତ୍ସିତ ଷଡ଼ଯନ୍ତ୍ରର ପରିସମାପ୍ତି ପାଇଁ ଓ ଆମ ମାତୃଭାଷାରେ ଆମ ମାତୃଭୂମିର ପରିଚାଳନା ପାଇଁ ଚାଲିଥିବା କଳାପତାକା ଅଭିଯାନ ଆଜି ୧୪୦୬ ଦିନରେ ପହଞ୍ଚିଛି । ଏହି ଅନନ୍ୟ ଅନ୍ଦୋଳନକୁ ଭାଙ୍ଗିଦେବା ପାଇଁ ଆମ ଭିତରୁ କେଇଜଣଙ୍କ ଅର୍ଥଲୋଭକୁ ଉପଯୋଗ କରି ସୁଦ୍ଧା ସରକାର ସଫଳ ନହେବା ପରେ କେତେକ ମାନ୍ୟତାସମ୍ପନ୍ନ ସାମ୍ବାଦିକ,ସାହିତ୍ୟିକ ଓ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବିବେଚିତ ବ୍ୟକ୍ତିଙ୍କ ସଂବାଦପତ୍ର ମାଧ୍ୟମରେ ଏକ ନୂଆ କୌଶଳ ପ୍ରୟୋଗ କରିଛନ୍ତି । ତାହା ହେଲା, “ଭାଷା ଆନ୍ଦୋଳନ ହିଁ ଓଡ଼ିଶାର ମୁକ୍ତି ଆନ୍ଦୋଳନ” ବୋଲି ମୁଁ ଯାହା ଦର୍ଶାଇଥିଲି ତହିଁର ବିପରୀତ ଧାରଣା ବାଣ୍ଟିବାର କୌଶଳ । ଏମାନେ ଯୁକ୍ତି କରୁଛନ୍ତି, ଓଡ଼ିଆ ଭାଷା ନୁହେଁ , ଇଂରାଜୀ ଭାଷା ହିଁ ଓଡ଼ିଶାକୁ ମୁକ୍ତି ଦେବ ! ଏବଂ ସମତାଳରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଭାଷାରେ କଥାକୁହା ଶିଖାଯିବ ବୋଲି ଘୋଷଣା କରିବା ସଙ୍ଗେ ସଙ୍ଗେ କେତେକ ପ୍ରାଥମିକ ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ କଲେଣି ଆମ ସରକାର । ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଥମିକତା ନଷ୍ଟ କରି, ଏହାକୁ ଗୌଣ ଓ ଇଂରାଜୀ ଭାଷାକୁ ମୁଖ୍ୟ ଭାବେ ଗ୍ରହଣ କରିବାକୁ ଲୋକଙ୍କ ମାନସିକତା ସୃଷ୍ଟି ହିଁ ଏହି କୁତ୍ସିତ ଷଡ଼ଯନ୍ତ୍ରର ଏକମାତ୍ର ଉଦ୍ଦେଶ୍ୟ ।
ଜାତୀୟ ପାଠ୍ୟକ୍ରମ ଖସଡ଼ାକୁ ବେଖାତିର
ଏହି ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଅଣଓଡ଼ିଆ ଅଧ୍ୟୁଷିତ ଶାସନକଳ ଏତେ ବ୍ୟଗ୍ର ଯେ, ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ଉପରେ ନିଜ ମାତୃଭାଷା ଭିନ୍ନ ଅନ୍ୟ କୌଣସି ଭାଷା ନଦାଯିବା ବିରୁଦ୍ଧରେ ଥିବା କୌଣସି ସିଦ୍ଧାନ୍ତକୁ ବି ଆମ ସରକାର ଖାତିର କରୁନାହାନ୍ତି । ଉଦାହରଣ ସ୍ବରୂପ, ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ୨୦୦୫ରେ ଯେଉଁ ଜାତୀୟ ପାଠ୍ୟକ୍ରମ ଖସଡ଼ା ତିଆରି କରିଥିଲେ, ତହିଁରେ କହିଥିବା ଦୁଇଟି ମୁଖ୍ୟକଥାକୁ ବିଚାରକୁ ନିଆଯାଇପାରେ । ଏହା ହେଲା (୧) ପିଲାମାନଙ୍କ ମାତୃଭାଷା ହିଁ ସ୍କୁଲ ଶିକ୍ଷାର ମାଧ୍ୟମ ହେବା ଉଚିତ ଓ (୨) ଶାସ୍ତ୍ରୀୟ ବା ବିଦେଶୀ ଭାଷା ସହ ସେମାନଙ୍କ ପରିଚିତି ପରେ କରାଯାଇପାରେ ।
ଘର ଭାଷା ବନାମ ପର ଭାଷା
କନ୍ନଡ଼ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ କର୍ଣାଟକ ସରକାର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ କେବଳ ସେହି ଭାଷାରେ ଶିକ୍ଷାଦାନ ହେବ ବୋଲି ଆଦେଶ ଜାରିକଲେ । ଏହା ନାନା ନ୍ୟାୟିକ ପରୀକ୍ଷଣ ଶେଷରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ପୀଠରେ ପହଞ୍ଚିଲା । ଏହି ପୀଠ ସିଭିଲ ଅପିଲମାଳା ୫୧୬୬-୫୧୯୦ / ୨୦୧୩ ଉପରେ ୬.୫.୨୦୧୪ ତାରିଖରେ ଦେଇଥିବା ରାୟରେ ସ୍ପଷ୍ଟ କହିଛନ୍ତି, ପ୍ରାଥମିକ ସ୍ତରରେ ପିଲା ତ ନିଜର ମାତୃଭାଷାରେ ହିଁ ଶିକ୍ଷା ଲାଭ ପାଇଁ ମୌଲିକ ଅଧିକାରଡ଼ ଅଧିକାରୀ । ଅନ୍ୟ କେଉଁ ଭାଷାରେ ଶିକ୍ଷାର୍ଜନ ତାର ଭବିଷ୍ୟତରେ ମଙ୍ଗଳକାରକ ହେବ ବୋଲି କହି ସରକାର ତା ଘର ଭାଷା ଉପରେ ପର ଭାଷା ନଦିଦେଇ ପରିବେନାହିଁ (“We are of the view that the right to freedom of speech and expression under Article 19(1) (a) of the Constitution includes the freedom of a child to be educated in the primary stage of school in a language of the choice of the child and the State cannot impose controls on such choice just because it thinks that it will be more beneficial for the child.”) ।
ଓଡ଼ିଶାଜନ୍ମିତ ଭାରତର ବିଶିଷ୍ଟ ଭାଷାତତ୍ତ୍ଵବିତ୍ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଆପାତତଃ ଏହା ହିଁ କହିଛନ୍ତି ତାଙ୍କ ଆଲୋକବର୍ଷୀ ନିବନ୍ଧ Mother Tongue Education and Destinyରେ । ସେ କହିଛନ୍ତି, କୌଣସି ଭାଷା ଭବିଷ୍ୟତରେ ସାମାଜିକ ଓ ଆର୍ଥିକ ସୁଖ ଦେବ ବୋଲି ବିଚାରି ତାକୁ ଯଦି କୋମଳମତି ଶିଶୁ ଉପରେ ତା ମାତୃଭାଷା ବଦଳରେ ନଦି ଦିଆଯାଏ, ତେବେ ତାକୁ ଯେ କେବଳ ବୟସ୍କ ଲୋକଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ କରାଯିବ ତା ନୁହେଁ, ସେ ମଧ୍ୟ ସୀମିତ ସଂଖ୍ୟକ ଅଖିଝଲସା ଲୋକଙ୍କ କୂଟକୌଶଳଭରା ଦୁନିଆ ପାଲରେ ପଡ଼ିଯିବ । ତେଣୁ ନିଜ ଘର ଭାଷା ବଦଳରେ ପର ଭାଷା ଚଳାଇବା ଯେ ଶିଶୁ ପାଇଁ ଭୟଙ୍କର ଏକଥା ଆମ ସରକାର ବୁଝିବା ଆବଶ୍ୟକ ।
ଅଧା ବାଟରେ ପାଠତ୍ୟାଗ
ପ୍ରାଥମିକ ବିଦ୍ୟାଳୟର ଆବଶ୍ୟକୀୟ ଶିକ୍ଷାର୍ଥୀ ହେଉନଥିବାରୁ ଓଡ଼ିଶାରେ ଶହ ଶହ ବିଦ୍ୟାଳୟ ବନ୍ଦ ହୋଇଯାଉଥିବା ଏକ ଦୁଃଖଦ ବିଭାବନା । କେତେବେଳେ ୧୦ ଜଣରୁ ଊଣା ପିଲାଙ୍କ କାରଣରୁ ବିଦ୍ୟାଳୟ ବନ୍ଦ ତ କେତେବେଳେ ୫ ଜଣରୁ କମ ଶିକ୍ଷାର୍ଥୀ ଥିବାରୁ ବିଦ୍ୟାଳୟ ବନ୍ଦ ହୋଇଯାଉଛି । ଏହାର ଏକ ପ୍ରଧାନ କାରଣ ହେଲା ଘର ଭାଷାରେ ଶିକ୍ଷାଦାନର ଅଭାବ । ଏହା ଅନୁଭବ କରି ଅଗ୍ରଗାମୀ ନାମକ ଏକ ସଂସ୍ଥା କୋରାପୁଟର ୧୮ଟି ପ୍ରାଥମିକ ବିଦ୍ୟାଳୟକୁ କୁଇ ଭାଷା ଜାଣିଥିବା ଶିକ୍ଷକ ଯୋଗାଇ ଦେଇଛି, ଫଳରେ ସେଇ ବିଦ୍ୟାଳୟଗୁଡିକରୁ ପାଠଛାଡି ପଳାଉଥିବା ପିଲାଙ୍କ ସଂଖ୍ୟା କମିଛି । ଅତଏବ, ରାଜ୍ୟ ମାତୃଭାଷା (ଓଡ଼ିଶାରେ ଓଡ଼ିଆ) ସତ୍ତ୍ଵେ, ଶିଶୁର ନିଜସ୍ଵ ମାତୃଭାଷା ତା ପାଇଁ ଗୁରୁତ୍ବପୂର୍ଣ, ଯେପରି କୋରାପୁଟର ଏହି ୧୮ଟି ବିଦ୍ୟାଳୟର ଶୋକ୍ଷାର୍ଥୀଙ୍କ ପାଇଁ କୁଇ ଭାଷା ।
ମାତୃଭାଷା ବନାମ ମାତୃଭାଷା
ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ପୀଠ ଉପରୋଦ୍ଧୃତ୍ତ ରାୟରେ ଏଇଥିପାଇଁ କହିଛନ୍ତି ଯେ, ନିମ୍ନ ପ୍ରାଥମିକ ସ୍ତରରେ ଯେଉଁ ଛାତ୍ରର ରାଜ୍ୟ ମାତୃଭାଷା ଘର ଭାଷା ନୁହେଁ, ତାକୁ ରାଜ୍ୟ ମାତୃଭାଷାରେ ଶିକ୍ଷା ଦିଆ ନଯାଇ ତା ନିଜ ମାତୃଭାଷାରେ, ଅର୍ଥାତ୍ ଯେଉଁ ଭାଷାରେ ସେ ଘରେ ତା ମାଆ ସହ କଥା ହୁଏ, ସେହି ଭାଷାରେ ଶିକ୍ଷା ଦିଆଯିବ ।
ସରକାରୀ ମୂର୍ଖତା
ଯେତେବେଳେ ଏହି ରାୟରେ ସର୍ବୋଚ୍ଚ ନ୍ୟାୟଳୟ ସ୍ପଷ୍ଟ କହିଛନ୍ତି ଯେ, ପ୍ରଥମରୁ ତୃତୀୟ ଶ୍ରେଣୀ ଭିତରେ ପିଲାଙ୍କ ଉପରେ ପ୍ରାଦେଶିକ ମାତୃଭାଷା ବି ନଦା ଯାଇ ପାରିବ ନାହିଁ , ସେତେବେଳେ ଆମ ସରକାର ପ୍ରଥମ ଶ୍ରେଣୀରୁ ଇଂରାଜୀ ଭାଷା-ବଳୟକୁ ଆମ ଭବିଷ୍ୟତ ବଂଶଧରମାନଙ୍କୁ ଠେଲି ଦେବାକୁ ଯେଉଁ ଚକ୍ରାନ୍ତ ଆରମ୍ଭ କଲେଣି ତାହା ମୂର୍ଖତା ଭିନ୍ନ କିଛିନୁହେଁ ।
ଇଂରାଜୀ ଭାଷାରେ ପିଲାଙ୍କୁ ଦୋରସ୍ତ କରାଯାଉ ବୋଲି ଆମେରିକା ପ୍ରେମୀ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ଵ କାଳରେ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦକୁ ନିର୍ଦ୍ଧେଶ ଦିଆଯାଇଥିଲା । ନିର୍ଦ୍ଧେଶନାମାର ଶୀର୍ଷକ ଥିଲା “Teaching of English at the primary level” । ଯେଉଁ ବିଶେଷଜ୍ଞ କମିଟି ଏହା ଉପରେ ଅନୁଧ୍ୟାନ କରିଥିଲେ ସେମାନେ ଓଡିଶାର ପ୍ରାଥମିକ ଶିକ୍ଷାର ସ୍ଥିତି ଉପରେ ଆଲୋକପାତ ବି କରିଛନ୍ତି । ସେମାନଙ୍କ ମତରେ, ଇଂରାଜୀ ପଢାଉଥିବା ଶିକ୍ଷକମାନେ ବି ଇଂରାଜୀରେ ପଢାଇବାକୁ ସୁଖକର ମନେକରୁନାହାନ୍ତି । ସରଳ ଇଂରାଜୀରେ ଶିକ୍ଷାଦାନର ଗୁରୁତ୍ଵ ତ ସେମାନେ ବୁଝନ୍ତିନି, ତାହା କରିବାର ଯୋଗ୍ୟତା ବି ସେମାନଙ୍କର ନାହିଁ । (“It is evident that the teachers teaching English were not comfortable in using English. Not only he/she was unaware of the importance of transacting the lesson in simple English, he/she was not equipped to do so.”) ଶିକ୍ଷାର୍ଥୀମାନଙ୍କ ଭିତରୁ ଶତକଡ଼ା ୨୦ ଭାଗଙ୍କ ସ୍ପଷ୍ଟ ମତ ହେଲା, ସେମାନେ ଇଂରାଜୀ ପଢିବାକୁ ଆଦୌ ପସନ୍ଦ କରନ୍ତିନାହିଁ , କାରଣ ସେମାନେ ତାହା ବୁଝି ପାରନ୍ତି ନାହିଁ କି କହି ପାରନ୍ତିନାହିଁ (“20% students said that they did not like studying English because they could not understand or speak English।“) । ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୪ର୍ଥ ୫ମ ଶ୍ରେଣୀରେ ପଢୁଥିବା ପିଲାମାନେ ବି ସରଜମିନ ତଦନ୍ତରେ ଦୋକାନଗୁଡ଼ିକର ନାମ ବା ନାମଫଳକ ପଢିପାରିବାକୁ ସକ୍ଷମ ନଥିବା କହି ଏହି ରିପୋର୍ଟରେ କୁହା ହୋଇଛି, ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପଢା ବହି ଭିନ୍ନ ଅନ୍ୟ କୌଣସି ଇଂରାଜୀ ବହି ପଢିନାହାନ୍ତି ( “Most of these children studying in class IV-V could not read the names of the shops and signboards. They had not read any English book other than the text book.”) (Teaching of English at the primary level , 2012) । ଇଂରାଜୀ ପଢା ହେଉଥିବା ବିଦ୍ୟାଳୟମାନଙ୍କୁ ଅନୁଧ୍ୟାନ କରି ଏହା ହିଁ ଯେତେବେଳେ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଓ ସର୍ବ ଶିକ୍ଷା ଅଭିଯାନର ମିଳିତ ରିପୋର୍ଟ, ସେତେବେଳେ ଆମ ସରକାର ପ୍ରଥମ ଶ୍ରେଣୀରୁ ଆମ ପିଲାମାନଙ୍କୁ ଇଂରାଜୀ ଭାଷା କବଳକୁ ଠେଲି ଦେଇ ଆମ ମୁମୁର୍ଷୁ ପ୍ରାୟ ପ୍ରାଥମିକ ଶିକ୍ଷାକୁ ଯେ ଆହୁରି ସଂକଟାପନ୍ନ କରାଇବାକୁ ଯାଉଛନ୍ତି ତାହା ଆମେ ଯେତେଶୀଘ୍ର ବୁଝିପାରିବା ସେତେ ମଙ୍ଗଳ ।
ଆମ ସରକାରଙ୍କ ମତଲବ
ଏହି ଆତ୍ମଘାତୀ ଅବିମୃଷ୍ୟକାରିତା ମୂଳରେ ଆମ ସରକାରଙ୍କ ଊହ୍ୟ ମତଲବ ହେଲା, ଯେ କୌଣସି ପ୍ରକାରେ ମଧ୍ୟ ଆମ ରାଜ୍ୟରେ ଆମ ମାତୃଭାଷାକୁ ଗୌଣ କରାଇ , ଇଂରାଜୀ ଭାଷାର ଆଧିପତ୍ୟ କାଏମ ରଖାଇବା ଓ ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା ଆମ ଆନ୍ଦୋଳନ ଉପରୁ ରାଜ୍ୟବାସୀଙ୍କ ଦୃଷ୍ଟି ଅପସାରଣ କରାଇବା ।
ଆଜି ଯେଉଁ ଓଡ଼ିଆମାନେ ମାତୃଭାଷା ଦିବସ ପାଳନରେ ମତ୍ତ, ସେମାନେ ଏହି ମାରାତ୍ମକ ସରକାରୀ ଷଡଯନ୍ତ୍ର ସମ୍ପର୍କରେ ସାମାନ୍ୟ ମଥା ଖେଳାଇବେ କି?