ଭାଷା ଆନ୍ଦୋଳନ: ସୌମ୍ୟ ନାୟକଙ୍କ ସିଧା ପ୍ରସାରଣ ଏବେ ୟୁ ଟ୍ୟୁବରେ

ସାମ୍ବାଦିକତାର ଉଦୀୟମାନ ପ୍ରତିଭା ଶ୍ରୀ ସୌମ୍ୟରଂଜନ ନାୟକ ସୋମବାର ସ୍ଵୟଂ ଶ୍ରୀକ୍ଷେତ୍ର ପୁରୀରେ ଭାଷା ଆନ୍ଦୋଳନର ଯେଉଁ କଳାପତାକା ଅଭିଯାନକୁ ସାମାଜିକ ଗଣମାଧ୍ୟମ ଫେସ ବୁକ ମାଧ୍ୟମରେ ସିଧା ପ୍ରସାରିତ କରିଥିଲେ, ତାହା ଏବେ oissamatters.com ‘ୟୁ ଟ୍ୟୁବ’ରେ ସ୍ଥାପିତ କରିଛି ।

ଆନ୍ଦୋଳନ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଏହାର ସଭାପତିମଣ୍ଡଲୀର ତିନିଜଣ ସଦସ୍ୟ , ଯଥା ଶ୍ରୀ କମଳଲୋଚନ ନାୟକ,ଶ୍ରୀ ଗିରିଜାକାନ୍ତ ମିଶ୍ର,ଶ୍ରୀ ସୁଭାଷ ଚନ୍ଦ୍ର ପ୍ରଧାନ ଏବଂ ଅବିଭକ୍ତ ପୁରୀ ଜିଲ୍ଲାର ସଂଯୋଜକ ଶ୍ରୀ ବିବୁଧେନ୍ଦ୍ର ବିଦ୍ୟାଧର ଓ ଅଗ୍ରଣୀ ନେତା ଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ ଏହି ସିଧା ପ୍ରସାରଣରେ ଶ୍ରୀ ନାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଭାଷା ଆନ୍ଦୋଳନର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ସାରା ଭାରତରେ ପ୍ରଥମେ ମାତୃଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ ଆଇନ ପ୍ରଣୟନ ପାଇଁ ଉଦ୍ୟମ ହୋଇ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀ ପ୍ରଥମ ନିର୍ବାଚିତ ବିଧାନସଭାରେ ଓଡିଶା ସରକାରୀ ଭାଷା ଆଇନ ପାରିତ ଓ ପ୍ରବର୍ତ୍ତିତ କରିଥିଲେ । ତାକୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆଇନ ସଂଶୋଧନ କରିବାକୁ ପ୍ରାୟ ତିନି ବର୍ଷ ଧରି ଭାଷା ଆନ୍ଦୋଳନ ଚାଲିଥିବା ବେଳେ ବର୍ତ୍ତମାନର ଓଡ଼ିଆଵିଦ୍ଵେଷୀ ସରକାର ସଂଶୋଧନ ଅଳରେ ସେହି ଆଇନଟିକୁ ଅତି ବେଆଇନ ଶୈଳୀରେ ଖର୍ବ କରିଛନ୍ତି ଓ ତାର ପ୍ରତିକାର ପାଇଁ ଜଣେ ବିରୋଧୀ ଦଳ ସଭ୍ୟ. ସିପିଆଇ (ଏମ)ର ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଏକ ଘରୋଇ ବିଧେୟକ ଆଣିବାକୁ ଚିଠା ସହ ନୋଟିସ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ଚାପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଏହି ଦୃଶ୍ୟପଟର ଅନ୍ତ ପାଇଁ ଭାଷା ଆନ୍ଦୋଳନର ପୁରୀ (ଅବିଭକ୍ତ ଜିଲ୍ଲା) ଶାଖା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଯେଉଁ ସ୍ମାରକପତ୍ର ଦେଇଛନ୍ତି ତାର ବିବରଣୀ ଏହି ୱେବ ସାଇଟରେ ସେହି ଦିନ ହିଁ ପ୍ରକାଶ ପାଇଛି ।

ଏବେ ଶ୍ରୀ ନାୟକଙ୍କ ସିଧା ପ୍ରସାରଣର ୟୁ ଟ୍ୟୁବ ସଂକଳନ :

ସିଂହଦ୍ଵାରରେ କଳାପତାକା ଅଭିଯାନର ଅୟମାରମ୍ଭ ଦୃଶ୍ୟ –

ବିଶ୍ଵବିଖ୍ୟାତ ବଡ଼ଦାଣ୍ଡରେ କଳାପତାକା ଅଭିଯାନ ଆଗେଇଚାଲିଥିବାର ଦୃଶ୍ୟ –

ସରକାରଙ୍କ ଓଡ଼ିଆ ଭାଷାଵିଦ୍ଵେଷୀ ଆଚରଣ ବନ୍ଦ ନ ହେଲେ ଓଡ଼ିଶାର ପୁରପଲ୍ଲୀରେ କଳାପତାକା ଅଭିଯାନ
ଚାଲିବ ବୋଲି ଭାଷା ଆନ୍ଦୋଳନ ନେତୃତ୍ବ ଘୋଷଣା କରିଛି ।