ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା

ଗତ ବିଧାନସଭା ଅଧିବେଶନ ଠାରୁ ସ୍ଥଗିତ ଥିବା କଳାପତାକା ଅଭିଯାନ ଏ ମାସ ୧୬ ତାରିଖରୁ ପୁନଶ୍ଚ ଚାଲିବ ; କାରଣ, ଓଡ଼ିଆ ଜାତି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତାରଣା ଏ ଯାଏଁ ସରିନାହିଁ ।

ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଓଡିଶା ସରକାରଙ୍କୁ ତିନି ତିନି ଥର ବାଧ୍ୟ କଲାଣି ଓଡିଶା ସରକାରୀ ଭାଷା ଆଇନ, 1954ର ସଂଶୋଧନ ପାଇଁ । ମାତ୍ର ଓଡ଼ିଶାର ରାଜନୈତିକ ନେତୃତ୍ଵ ଦୁର୍ବଳ ହୋଇଥିବା କାରଣରୁ ଏବଂ ଅମଲାତନ୍ତ୍ର ଉପରେ ସର୍ବଥା ନିର୍ଭରଶୀଳ ଥିବା ହେତୁ , ଧୂର୍ତ୍ତ ଅମଲାମାନେ ସଂଶୋଧନ-ବିଧେୟକଗୁଡ଼ିକରେ ଏପରି ଶବ୍ଦ ଖଞ୍ଜୁଛନ୍ତି ଯେ, ଆଇନଟି ନିର୍ଭୁଲ ହୋଇପାରୁନି ।

ଆଇନଟିରେ ପ୍ରଥମରୁ ଦୁଇଟି ପ୍ରମାଦ ଥିଲା ; ଯଥା – (୧) ନିୟମାବଳୀ ପ୍ରଣୟନ କରି ଆଇନଟିକୁ କାର୍ଯ୍ୟକାରୀ କରିବାକୁ ଆଇନଟି ସରକାରଙ୍କୁ କ୍ଷମତା ଦେଇନଥିଲା ; ଓ (୨) ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନର ବ୍ୟବସ୍ଥା ନଥିବା ହେତୁ କେହି ଏହାକୁ ମାନୁନଥିଲେ । କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କ ଅନଶନ ଫଳରେ ଆଇନଟିର କାର୍ଯ୍ୟକାରିତା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସଭ୍ୟଭାବେ ସଂସ୍ଥିତ ହୋଇ ଏହି ଦୁଇଟି ପ୍ରମାଦ ଚିହ୍ନଟ କଲେ ଓ ତହିଁର ଦୂରୀକରଣ ପାଇଁ ଦୁଇଟି ବିଧିକ ଚିଠା ସରକାରଙ୍କୁ ଦେଲେ : ପ୍ରଥମଟି ତାଙ୍କ ପ୍ରସ୍ତାବିତ ଆଇନ ସଂଶୋଧନର ଚିଠା ଓ ଦ୍ବିତୀୟଟି ତାଙ୍କ ପ୍ରସ୍ତାବିତ ନିୟମାବଳୀର ଚିଠା ।

ପ୍ରଥମଥର ପାଇଁ ସରକାର ଓ ଓଡ଼ିଶାବାସୀ ଜାଣିଲେ ଯେ, ଏତଦ୍ଦୃଶ ଆଇନ ସଂଶୋଧନ ନ ହେଲେ, ଓଡ଼ିଆରେ ଓଡ଼ିଶାର ଶାସନ ସମ୍ଭବ ହେବନାହିଁ । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଆଧାର କରି ୧୪. ୧୨ . ୨୦୧୫ ତାରିଖରେ ବିଧାନସଭାରେ କହିଲେ କି, ଭାଷା ଆଇନ ସଂଶୋଧନ ପାଇଁ ପଦକ୍ଷେପ ନିଆ ହେଉଛି । କିନ୍ତୁ ଦିନ ଦୁଇଟା ପରେ ସେ ବଦଳିଗଲେ ଓ ମନ୍ତ୍ରୀସ୍ତରୀୟ କମିଟିଟିକୁ ଆପାତତଃ ଅକାମି କରିଦେଲେ । ପରେ ନଥି ଅନୁଧ୍ୟାନ କରି ଜଣାପଡ଼ିଲା ଯେ, ଜି.ଭି.ଭି.ଶର୍ମା ନାମକ ଜଣେ ଅଣଓଡ଼ିଆ ଆଇ .ଏ .ଏସ . ଅଫିସରଙ୍କ ଚକ୍ରାନ୍ତ ହେତୁ ଏହା ସମ୍ଭବ ହୋଇଥିଲା ।

ତେଣୁ ଆଇନ ସଂଶୋଧନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇ ୧୩. ୪. ୨୦୧୬ ତାରିଖରୁ କଳାପତାକା ଅଭିଯାନ ଆରମ୍ଭ ହେଲା ।

କଳାପତାକା ଅଭିଯାନର ଶକ୍ତି

ଚାରିଜଣ ଭାଷାପ୍ରେମୀ ଓଡ଼ିଆ ହାତରେ ଦାବିଫଳକ ଓ କଳାପତାକା ଧରି ଓଡ଼ିଶାର ଆଇନ ପ୍ରଣୟନ କେନ୍ଦ୍ରଠାରୁ ରାଜ୍ୟପାଳଙ୍କ ଦାପ୍ତରିକ ନିବାସ ଯାଏଁ ପ୍ରତ୍ୟହ କାର୍ଯ୍ୟାଳୟ ସମୟ ଶେଷରେ ନୀରବରେ ଯାତ୍ରା କରିବା ଓ ଏହି ଅନନ୍ୟ ଆନ୍ଦୋଳନର ଶ୍ରେୟ କୁଳଗୌରବ ମଧୁବାବୁଙ୍କ ଚରଣତଳେ ଅର୍ପଣ କରିବା ହିଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ । ଏହି ନୀରବତା ହିଁ ଏହି ଆନ୍ଦୋଳନର ଶକ୍ତି ।

ପ୍ରଥମ ତ୍ରୁଟି

ଦୀର୍ଘ ଅଣଚାଳିଶ ଦିନ ଏହି କଳାପତାକା ଅଭିଯାନ ଚାଲିଲା ପରେ ମୁଖ୍ୟମନ୍ତ୍ରୀ ଚେତିଥିଲେ । ଅଧ୍ୟାଦେଶ ବଳରେ ଆଇନ ସଂଶୋଧନ କଲେ । ମାତ୍ର ଅମଲାତନ୍ତ୍ର ଯେଉଁ ଚିଠା କଲା ତହିଁରେ ନିୟମାବଳୀ ପ୍ରଣୟନର କ୍ଷମତା ସରକାରଙ୍କୁ ପ୍ରଦତ୍ତ ହୋଇଥିଲେ ମଧ୍ୟ ଓଡ଼ିଆରେ କାମନକରିବା କର୍ମଚାରୀଙ୍କୁ ଦଣ୍ଡବିଧାନ ବ୍ୟବସ୍ତା ରହିଲାନାହିଁ । ଫଳରେ ଓଡିଶା ସରକାରୀ ଭାଷା ଆଇନକୁ ତ୍ରୁଟିଶୂନ୍ୟ କରିବାକୁ ଆମ ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ହେତୁ ଅମଲାତନ୍ତ୍ର ଭଣ୍ଡୁର କରିଦେଲା ।

ଦ୍ବିତୀୟ ତ୍ରୁଟି

ଏହି ତ୍ରୁଟିପୂର୍ଣ୍ଣ ଅଧ୍ୟାଦେଶ ଜାରି ହେଲା ୨୧. ୫. ୨୦୧୬ ତାରିଖରେ । ମୁଖ୍ୟମନ୍ତ୍ରୀ କହିଲେ, “ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଅଣାଯାଇ ୧୫. ୮. ୨୦୧୬ ସୁଦ୍ଧା ଆଇନ ପ୍ରଣୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।”

ସୁତରାଂ ବିଧାନସଭାରେ ଅଧ୍ୟାଦେଶଟି ଆଇନରେ ରୂପାନ୍ତରିତ ହେବାବେଳେ ତହିଁର ତ୍ରୁଟି ସୁଧୁରିଯିବ ବୋଲି ବିଶ୍ଵାସ କରି ୧୬. ୮. ୨୦୧୬ ପର୍ଯ୍ୟନ୍ତ କଳାପତାକା ଅଭିଯାନ ସ୍ଥଗିତ ରଖାଯାଇଥିଲା ।

ଆଇନ ସଂଶୋଧନ ହେବା ପରିବର୍ତ୍ତେ, ୧୨. ୮. ୨୦୧୬ ତାରିଖରେ ସରକାର ଏକ ନିୟମାବଳୀ ପ୍ରବର୍ତ୍ତନ କଲେ ଯାହା ଓଡ଼ିଆ ଜାତି ପ୍ରତି ଥିଲା ଏକ ପ୍ରଚଣ୍ଡ ପ୍ରତାରଣା । ଯେଉଁ ଅମଲାମାନେ ଭାଷା ଆଇନ ଓ ତାର ଅଧିସୂଚନାକୁ ସମ୍ପୂର୍ଣ ଉଲ୍ଲଙ୍ଘନ କରିଆସିଛନ୍ତି ସେହିମାନଙ୍କ ହାତରେ ଉଲ୍ଲଙ୍ଘନର ସମୀକ୍ଷା ଅଧିକାର ଅର୍ପଣ କରିବା ଭିନ୍ନ ଏହି ନିୟମାବଳୀରେ ଆଉ କିଛି ନଥିଲା । ଏହାକୁ ପ୍ରତ୍ୟାଖ୍ୟାନ କରି ଭାଷା ଆନ୍ଦୋଳନର ସ୍ଥଗିତ ଥିବା କଳାପତାକା ଅଭିଯାନ ପୁନଃ ଆରମ୍ଭ ହେଲା ପୂର୍ବ ଘୋଷଣା ଅନୁସାରେ ୧୬. ୮. ୨୦୧୬ ଅପରାହ୍ନରେ ।

ତୃତୀୟ ତ୍ରୁଟି

ଅଧ୍ୟାଦେଶଟି ବିଧାନସଭାରେ ବିଧେୟକ ରୂପେ ରଖାଗଲା ୨୮. ୯. ୨୦୧୬ ତାରିଖରେ । ଅଧ୍ୟାଦେଶରେ ଥିବା ତ୍ରୁଟିକୁ ଆଇନସିଦ୍ଧ କରିବା ପାଇଁ ଏହା ଥିଲା ଏକ ଧୂର୍ତ୍ତ ପ୍ରୟାସ । ଅଧ୍ୟାଦେଶ ଜାରି ହୋଇଥାଏ ଏକ ନାହିଁନଥିବା ଜରୁରୀ ପରିସ୍ଥିତିରେ । ତେଣୁ, ତାହାକୁ ଆଇନରେ ପରିଣତ କରିବା ପାଇଁ ଯେତେବେଳେ ବିଧେୟକ ଉପସ୍ଥାପିତ ହୁଏ , ସେତେବେଳେ କେଉଁ ଅପରିହାର୍ଯ୍ୟ ଚାପ ହେତୁ ଅଧ୍ୟାଦେଶଟି ଜାରିହୋଇଥିଲା ତାହା ସରକାର ପ୍ରାଞ୍ଜଳ ଭାବେ ବିଧାନସଭାକୁ କହିବାକୁ ବାଧ୍ୟ । କାରଣ ବିଧାନସଭା ପରିସର ବାହାରେ ବିଧାନ ପ୍ରଣୟନ ଓ ପ୍ରବର୍ତ୍ତନ କରି କାର୍ଯ୍ୟନିର୍ବାହୀ ସରକାର ସ୍ଵାଭାବିକ କାର୍ଯ୍ୟଧାରାର ଯେଉଁ ଉଲ୍ଲଙ୍ଘନ କରିଥାନ୍ତି, ତହିଁର ପ୍ରକୃତ କାରଣ ଓ ତାର ଯଥାର୍ଥତା ବିଧାୟକମାନେ ତଦ୍ଦ୍ଵାରା ଅବଗତ ହୁଅନ୍ତି ଓ ବିଧେୟକଟିର ପ୍ରକୃତ “ଉଦ୍ଦେଶ୍ୟ ଓ କାରଣ କଥନ” ନିର୍ଭୁଲ ହୋଇ ଭବିଷ୍ୟତରେ ତାହାର ବିଧିକ ଉପଯୋଗ ସମ୍ଭବ ହୋଇଥାଏ । ମୁଖ୍ୟମନ୍ତ୍ରୀ ଏହି ବିଧେୟକ ଆଗତ କଲାବେଳେ ତାହା ଲୁଚାଇ ରଖିଲେ ଓ ତହିଁରେ ସନ୍ନିହିତ ସ୍ପଷ୍ଟ-କଥନରେ ମିଛ ବି କହିଲେ । ଆମ ବିଧାନସଭାର ସଭ୍ୟମାନେ ଏତେ ଯୋଗ୍ୟ ଯେ, ଏହି ଦୃଶ୍ୟପଟ ସମସ୍ତେ ଜାଣି ମଧ୍ୟ କେହି କିଛି ପ୍ରତିବାଦ କଲେନି ଆମ ଭାଷା ଇତିହାସର ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ଗୁପ୍ତ ହୋଇଗଲା । ଫଳରେ ସଠିକ “ଉଦ୍ଦେଶ୍ୟ ଓ କାରଣ କଥନ” ନଥାଇ ଓଡିଶା ସରକାରୀ ଭାଷା (ସଂଶୋଧନ) ଆଇନ , ୨୦୧୬ ବିଧାନସଭାରେ ପାରିତ ହେଲା ଓ ସଂଶୋଧନଟି ଅଧିକ ତ୍ରୁଟିପୂର୍ଣ୍ଣ ହୋଇ ରହିଲା ।

ପୁରୀ ପ୍ରସ୍ତାବ ଓ ତାର ଭ୍ରମ ସଂଶୋଧନ

ମୁଖ୍ୟମନ୍ତ୍ରୀଙ୍କ ବାପା ବିଜୁ ପଟ୍ଟନାୟକ ଆମ ସରକାରୀ ଭାଷା ଆଇନକୁ କିପରି ଛୁରା ମାରି ଇଂରାଜୀ ଭାଷାକୁ ଆମ ଉପରେ ଲଦିଦେଲେ ତାହା ଉପରେ ତିନି ସପ୍ତାହ ଧରି ଚର୍ଚ୍ଚା (ବିଜୁଙ୍କ ଛୁରା, ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସୂର୍ଯ୍ୟପ୍ରଭା) ପରେ ମୁଖ୍ୟମନ୍ତ୍ରୀ ୧୯. ୫. ୨୦୧୭ ତାରିଖରେ ଭାଷା ଆଇନର କାର୍ଯ୍ୟକାରିତା ପାଇଁ ପ୍ରତ୍ୟକ୍ଷ ଆଲୋଚନା କରିବାକୁ ମୋତେ ନିମନ୍ତ୍ରଣ କଲେ । ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସାଙ୍ଗରେ ଧରି ମୁଁ ତାଙ୍କ ସହ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଆଲୋଚନା କଲି ଓ ଉପରୋକ୍ତ ତ୍ରୁଟି ସମ୍ପର୍କରେ ତାଙ୍କୁ ଅବଗତ କରାଇ, ୨୦୧୬ ସଂଶୋଧନକୁ ସେ ପୁନଃ ସଂଶୋଧିତ କରନ୍ତୁ ବୋଲି କହି, ସେହି ସଂଶୋଧନର ସ୍ଵରୂପ କ’ଣ ହେବା ଉଚିତ ତାହା ବୁଝାଇ ଏକ ସାନି ଚିଠା ମଧ୍ୟ ତାଙ୍କ ହାତରେ ଦେଲି ।

ଛଅ ମାସ ଗଡ଼ିଗଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଓଡ଼ିଅଵିରୋଧୀ ମାନସିକତା ବିରୁଦ୍ଧରେ ତାଙ୍କ ନିଜ ଦଳରେ ବି ଅସନ୍ତୋଷ ଦାନା ବାନ୍ଧିଲା । ଫଳରେ, ନିଜ ଦଳୀୟ ଲୋକଙ୍କୁ ବୁଝାଇବା ପାଇଁ ଯେ, ନବୀନ ବାବୁ ଓଡ଼ିଅଵିରୋଧୀ ନୁହନ୍ତି , ୨୬.୧୨. ୨୦୧୭ ତାରିଖରେ ପୁରୀଠାରେ ହେବାକୁଥିବା ତାଙ୍କ ଦଳର ପ୍ରତିଷ୍ଠା ଉତ୍ସବ ଅବସରରେ ସେହିଠାରେ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ବସାଇ ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ସେ ପ୍ରସ୍ତୁତ ବୋଲି ପ୍ରଚାର କରାଇବାକୁ ନିଷ୍ପତ୍ତି ହେଲା । ତେଣୁ , ସେଠାରେ ଗୃହୀତ ଏକ ପ୍ରସ୍ତାବରେ କୁହାଗଲା , “ସରକାରୀ ଭାଷା ଆଇନ, ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷା ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ଵ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ୧.୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ ।”

କାହା ଉର୍ବର ମସ୍ତିଷ୍କରୁ ଏହି ପ୍ରସ୍ତାବର ଭାଷା ବାହାରିଥିଲା କିଏ ଜାଣେ ? ଏହା ଯେ ଆମ ଭାଷା ଅଧିକାରକୁ ଭଣ୍ଡୁର କରିବାକୁ ଉଦ୍ଦିଷ୍ଟ ଥିଲା ତାହା ଆମେ ଜାଣିଗଲୁ ଏବଂ ଏହାକୁ ବିରୋଧ କଲୁ । କାରଣ, (କ) “ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ” ବୋଲି କହି ଏହି ପ୍ରସ୍ତାବ ଦ୍ଵାରା ବିଭାଗଗୁଡିକର ମର୍ଜୀ ଉପରେ ଆମ ଭାଷା ଅଧିକାରକୁ ଛାଡିଦିଆହୋଇଥିଲା ଓ ସାରା ରାଜ୍ୟରେ ଏହାର ପ୍ରବର୍ତ୍ତନକୁ ସଂକୁଚିତ କରି “ବହୁଳ ବ୍ୟବହାର” ପରି ଏକ କିମ୍ଭୁତକିମାକାର ବିଭାବନା କବଳରେ ମାତୃଭାଷା ଓଡ଼ିଆର ଗରିମାକୁ ଉଜାଡ଼ିଦେବାକୁ ତଥା ତଦ୍ଦ୍ଵାରା ଭାଷା ଆଇନର ଅସଲ ଉଦ୍ଦେଶ୍ୟକୁ ପଣ୍ଡ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା । ଅପରପକ୍ଷେ କର୍ମଚାରୀଙ୍କ ଦୋଷ ହେତୁ ବିଭାଗକୁ ଦଣ୍ଡବିଧାନପାଇଁ ପ୍ରସ୍ତାବ ରଖି ମନ୍ତ୍ରୀମଣ୍ଡଳ ଚାହୁଁଥିଲା ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବାପାଇଁ ।

ଏହାର ପ୍ରତିବାଦରେ ତଥା ପ୍ରତିକାର ଦାବିରେ କଳାପତାକା ଅଭିଯାନ ଚାଲିରହିଲା । ଫଳରେ ବାଧ୍ୟ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳ ସେହି ଏକା ବିଷୟରେ ବୈଠକ କଲା ୧୪.୦୩.୨୦୧୮ ତାରିଖରେ, ଯହିଁରେ ମୁଖ୍ୟମନ୍ତ୍ରୀ ବି ଅଧ୍ୟକ୍ଷତା କଲେ । ୨୬. ୧୨. ୨୦୧୭ ତାରିଖର ପ୍ରସ୍ତାବକୁ ଏହା ବଦଳେଇଦେଇ, ତହିଁରେ କର୍ମଚାରୀଙ୍କ ଭୁଲ ପାଇଁ ବିଭାଗକୁ ଦଣ୍ଡିତ କରିବା ସକାଶେ ଯେଉଁ ଅନର୍ଥ ଖଞ୍ଜା ହୋଇଥିଲା ତାହାକୁ ନିପାତ କଲା ଓ ପରିସ୍କାର କରିଦେଲା କି, ଯେଉଁମାନେ ଓଡ଼ିଆ ଭାଷାରେ କାମ ନ କରିବେ, ସେହି କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ହେବ । ଏବଂ ଆମ ଯୁକ୍ତିକୁ ବି ଏହି ପ୍ରସ୍ତାବରେ ସ୍ଥାନିତ କରି ଏହା ଉଲ୍ଲେଖ କଲା କି, “ଓଡିଶା ସରକାରୀ ଭାଷା ଆଇନ ଏକ ଦୀର୍ଘ ଦିନର ପୁରୁଣା ଆଇନ ହୋଇଥିଲେ ମଧ୍ୟ, ଯେହେତୁ ଏହାର ଉଲ୍ଲଙ୍ଘନ ବିରୁଦ୍ଧରେ ଏଥିରେ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନାହିଁ ସେହେତୁ ଏହାକୁ କେହି ମାନୁନାହାନ୍ତି” ବୋଲି ହୃଦ୍ବୋଧ ହୋଇଥିବାରୁ, ଖିଲାପକାରୀ ପଦାଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ସକାଶେ ଅତିଶୀଘ୍ର ଓଡିଶା ସରକାରୀ ଭାଷା ଆଇନ ସଂଶୋଧନ ହେବ ।” ଅତଏବ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ କଥନ” କଣ ହେବ ତାହା ବି ଏହି ମନ୍ତ୍ରୀମଣ୍ଡଳ ବୈଠକରେ ନିଶ୍ଚିତ କରିଦିଆଗଲା ।

ଚତୁର୍ଥ ତ୍ରୁଟି

ଅଥଚ , ସଂଶୋଧନ-ବିଧେୟକର ଚିଠା କଲାବେଳେ, ସମ୍ପୃକ୍ତ ଶାସନ ସଚିବ ଏକାକୀ ବା ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଏହି ୧୪.୦୩.୨୦୧୮ ତାରିଖର ପ୍ରସ୍ତାବକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଏବଂ ଏହି ଦିନର ମନ୍ତ୍ରୀମଣ୍ଡଳ ୨୬. ୧୨ . ୨୦୧୭ ତାରିଖର ଯେଉଁ ପ୍ରସ୍ତାବକୁ ବିଲୁପ୍ତ କରି ଥିଲା, ସେହି ଅପରିଣାମଦର୍ଶୀ ପ୍ରସ୍ତାବ ଉପରେ ନୂଆ ସଂଶୋଧନ ଠିଆ କରାଇଛନ୍ତି ମନ୍ତ୍ରିମଣ୍ଡଳର ସମ୍ପୂର୍ଣ ଅବଜ୍ଞା କରି । ଏହି ଦୁରାଚାର ଏତିକିରେ ଅଟକି ନାହିଁ । ଓଡ଼ିଆ ବିରୋଧୀ ଅମଲା ଓ ମୁଖ୍ୟମନ୍ତ୍ରୀଙ୍କୁ ରକ୍ଷାକବଚ ଯୋଗାଇବା ପାଇଁ ଏହି ଦୁଇ ମନ୍ତ୍ରିମଣ୍ଡଳର ପ୍ରସ୍ତାବକୁ ବି ହେରଫେର୍ (Tampering) କରାଯାଇଛି ।

ଉଦାହରଣ ସ୍ଵରୂପ, ୨୬. ୧୨ . ୨୦୧୭ ତାରିଖର ଯେଉଁ ପ୍ରସ୍ତାବକୁ ବିଲୋପ କରାଯାଇଥିଲା, ତହିଁରେ ଥିଲା “ବିଭାଗ ତଥା କର୍ମଚାରୀଙ୍କୁ” ଦଣ୍ଡିତ କରାଯିବ । ଅର୍ଥାତ୍ ବିଭାଗ ଏବଂ କର୍ମଚାରୀ- ଉଭୟେ ଦଣ୍ଡିତ ହେବେ । ସଂଶୋଧନ ବିଧେୟକଙ୍କୁ ଏହି ପ୍ରସ୍ତାବ ଉପରେ ଅନଧିକୃତ ଭାବେ ଠିଆ କରାଇ କୁହାଗଲା, “କର୍ମଚାରୀ କିମ୍ବା ବିଭାଗ”କୁ ଦଣ୍ଡିତ କରାଯିବ । ଏହି “କିମ୍ବା” ଶବ୍ଦଟିକୁ ଶାସନ ସଚିବ / ମୁଖ୍ୟମନ୍ତ୍ରୀ କେଉଁଠୁ ଆଣିଲେ? ମନ୍ତ୍ରୀମଣ୍ଡଳ ବୈଠକରେ ବିଲୁପ୍ତ କରାଯାଇଥିବା ଏକ ବିଭାବନକୁ ମନ୍ତ୍ରିମଣ୍ଡଳର କୌଣସି ଅନୁମୋଦନ ନଥାଇ ପୁନର୍ଜୀବିତ କରିବା ଓ ତହିଁର ଶବ୍ଦ ହେରଫେର୍ କରି “ଏବଂ” ସ୍ଥାନରେ “କିମ୍ବା” ଲେଖିବା ଏକ ଜଘନ୍ୟ ପ୍ରଶାସନିକ ଅପରାଧ । ମୁଖ୍ୟମନ୍ତ୍ରୀ ଯଦି ନିଜେ ଏହି ଅପରାଧ କରିନାହାନ୍ତି ତେବେ ଯେଉଁ ଶାସନ ସଚିବ ଏହା କରିଛନ୍ତି ତାଙ୍କ ବିରୁଦ୍ଧରେ କଡ଼ା ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ମୋ ଚିଠିରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଛି । ସେ ନିରବ ରହିଛନ୍ତି ।

ଅପରପକ୍ଷେ , ଯେପରି ଉପରେ କୁହାହୋଇଛି, ମନ୍ତ୍ରିମଣ୍ଡଳର ଯେଉଁ ପ୍ରସ୍ତାବ ଭାଷା ଆଇନର ଏହି ଶେଷ ସଂଶୋଧନରେ ପ୍ରତିଫଳିତ ହେବା କଥା ବା ଯେଉଁ ପ୍ରସ୍ତାବ ଉପରେ ଏହି ସଂଶୋଧନ ଆଧାରିତ ହେବା କଥା, ମନ୍ତ୍ରିମଣ୍ଡଳର ଅଜାଣତରେ ସେହି ପ୍ରସ୍ତାବକୁ ହତ୍ୟା କରାଯାଇଛି । ୧୪.୦୩.୨୦୧୮ ତାରିଖର ଏହି ପ୍ରସ୍ତାବରେ ସ୍ପଷ୍ଟତଃ କୁହାହୋଇଥିଲା, “The same (Orissa Official Language Act, 1954) is not properly implemented, as there is no provision for imposing penalty against the Officers and employees who are violating the provisions of the notifications under the Act.” ଅତଏବ, ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମ ଯୁକ୍ତିକୁ ସମ୍ପୂର୍ଣ୍ଣତଃ ଗ୍ରହଣ କରି ମନ୍ତ୍ରୀମଣ୍ଡଳ ସ୍ବୀକାର କରିଥିଲା ଯେ, ଦଣ୍ଡବିଧାନ ବ୍ୟବସ୍ଥା ନଥିବା ହେତୁ ଭାଷା ଆଇନର ଅବାଧ ଅବମାନନା ହୋଇଚାଲିଛି । ସେଥିପାଇଁ, “Government have decided to bring the amendment immediately providing penalties for such erring officers and employees who don’t obey the directions issued under sub- section (2) of section 2 , so that they will implement the provisions of the notification in its letter and spirit” ଖୋଦିତ ହୋଇଥିଲା ଏହି ପ୍ରସ୍ତାବ ଦେହରେ । ଏହାର ଅର୍ଥ, “ଓଡ଼ିଆ ଭାଷାରେ କାମ ନ କଲେ ପଦାଧିକାରୀ ଓ କର୍ମଚାରୀଙ୍କୁ ଏପରି ଦଣ୍ଡବିଧାନ ପାଇଁ ଆଇନ ସଂଶୋଧନ ଅବିଳମ୍ବେ କରାଯିବ ବୋଲି ସରକାର ନିଷ୍ପତ୍ତି କରିଛନ୍ତି, ଯଦ୍ଦ୍ଵାରା ସେମାନେ ଧାରା-୨ର ଉପଧାରା-(୨) ଅନ୍ତର୍ଗତ ଅଧିସୂଚନାକୁ ଅକ୍ଷରେ ଅକ୍ଷରେ ଓ ମର୍ମେ ମର୍ମେ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେବେ । “ଉଦ୍ଦେଶ୍ୟ ଓ କାରଣ କଥନ”ର ସ୍ବରୂପ ନିର୍ଦ୍ଧାରଣ ସହ ସଂଶୋଧନ କଣ ହେବ ତାହା ଏହି ମନ୍ତ୍ରୀମଣ୍ଡଳ ସ୍ପଷ୍ଟ କରିଦେଇଥିଲା । ଓଡ଼ିଆଦ୍ରୋହୀ ପଦାଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡବିଧାନପାଇଁ ଯେହେତୁ ଏଥିରେ ସ୍ପଷ୍ଟ କରାହୋଇଥିଲା, ଓ ଯେହେତୁ ଓଡ଼ିଆଦ୍ରୋହୀ ନବୀନ ପଟ୍ଟନାୟକ ମଧ୍ୟ ଜଣେ ପଦାଧିକାରୀ , ସେହେତୁ ଓଡ଼ିଆଦ୍ରୋହୀ ଅମଲା ତଥା ମୁଖ୍ୟମନ୍ତ୍ରୀ ମିଳିମିଶି ଏହି ପ୍ରସ୍ତାବକୁ ହତ୍ୟା କରିଦେଲେ ଓ “ଅବିଳମ୍ବେ” ଅର୍ଥାତ୍ ବିଧାନସଭା ଅଧିବେଶନ ଆରମ୍ଭ ହେବା ସଂଗେ ସଂଗେ ଚିହ୍ନିତ ସରକାରୀ ଦିବସରେ ସଂଶୋଧନ ବିଧେୟକଙ୍କୁ ଆଗତ କରିଥିଲେ କାଳେ ଏହି ଜଘନ୍ୟ ଅପରାଧ ଧରା ପଡିଯିବ, ସେହି ଭୟରେ ଏହାକୁ ଅଧିବେଶନର ଶେଷ ଦିନରେ ଆଗତ ଓ ପାରିତ କରାଇ ନେଲେ ଏବଂ ଯେଉଁ “ଉଦ୍ଦେଶ୍ୟ ଓ କାରଣ କଥନ” ରଖିଲେ ତାହା ବି ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ଅବମାନନା କଲା ।

ଆରୁଖ ମୁଣ୍ଡରେ ପଣସ ଅଠା

ପଳାତକ ଆସାମୀ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଜାଲିଆତି କଳୁଷିତ ବିଧେୟକ ପାରିତୀକରଣ ପାଇଁ ଆଗତ ନ କରି , ତାଙ୍କ ନିଜ ଜିଲ୍ଲାବାସୀ ଓ ଅନୁଗତ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଦାୟିତ୍ବ ଦେଇ ପଳାଇଲେ ଓ ଏହି ଜାଲିଆତି ସହ ସମ୍ପୃକ୍ତ ଶାସନ ସଚିବ ଆଗରୁ ଲେଖିରଖିଥିବା ଖଣ୍ଡେ କାଗଜ ପଢ଼ି ଆରୁଖ ବିତର୍କର ଉତ୍ତର ରଖିଲେ । କେହି ଜଣେ ବି ବିଧାୟକ ପ୍ରଶ୍ନ କଲେନାହିଁ , ମୌଖିକ ବିତର୍କର ଲିଖିତ ଉତ୍ତର ବିତର୍କ ପୂର୍ବରୁ ମନ୍ତ୍ରୀ କେଉଁଠୁ ଆଣିଥିଲେ । ଲଜ୍ଜ୍ୟା ଲାଗୁଛି କହିବାକୁ ଯେ, ଏହି ପରି ସଭ୍ୟମାନଙ୍କୁ ନେଇ ଓଡିଶା ବିଧାନସଭା ଚାଲିଛି ।

ବିଧାନସଭାର ସ୍ବାଧୀକାର ଭଙ୍ଗ

ଏହି ଜାଲିଆତିର ଅଠା , ଯାହା ଅରୁଖଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ବୋଳିଛନ୍ତି, ତାହା ସେ କିପରି ଧୋଇବେ ତାଙ୍କୁ ଜଣା । କିନ୍ତୁ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତିକୁ ସମ୍ପୂର୍ଣ ଗୋପନ ରଖି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ଉପରେ ସଂଶୋଧନ ବିଧେୟକ ଆଧାରିତ ବୋଲି ସମ୍ପୃକ୍ତ ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଯେଉଁ ଉଲ୍ଳେଖନା ଅଛି ତାହା ପବିତ୍ର ସାର୍ବଭୌମ ଗୃହର ଅବଗତିରୁ ‘ବାସ୍ତବ ତଥ୍ୟ ସଂଗୋପନ’ (suppression of material facts) ଦୋଷରେ ଆକ୍ରାନ୍ତ ।

ଏପରି ଦୋଷ ଜାଣିଶୁଣି କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ସ୍ବାଧୀକାର ଭଙ୍ଗ କରିଛନ୍ତି କିମ୍ବା ସେ ଯାହା ମୁଣ୍ଡରେ ପଣସ ଅଠା ବୋଲିଛନ୍ତି, ସେ ନିଜେ ସାଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଥିଲେ ମଧ୍ୟ ଏବଂ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ପରିବର୍ତ୍ତିତ କରିଥିବା ଅବଗତ ଥିଲେ ମଧ୍ୟ, ଉପରୋକ୍ତ ‘ବାସ୍ତବ ତଥ୍ୟ ସଂଗୋପନ’ ପ୍ରତି ଆଖି ବୁଜି ଦେଇ , ସେ ସମ୍ପର୍କରେ ବିଧାନସଭାକୁ ଅନ୍ଧକାରରେ ରଖି, ଶାସନ ସଚିବଙ୍କ ଦ୍ଵାରା ପୂର୍ବରୁ ଲିଖିତ ବିତର୍କ-ଉତ୍ତର ପାଠ କରି ଓ ତଦ୍ଦ୍ଵାରା ବିଧାନସଭାକୁ ପ୍ରତାରିତ କରି, ବିଧାନସଭାର ସ୍ବାଧୀକାର ଭଙ୍ଗ କରିଛନ୍ତି ତାହା ବିଧାନସଭାର ଆଗାମୀ ଅଧିବେଶନ ସ୍ଥିର କରିବା ଆବଶ୍ୟକ ।

ବିଧାନସଭାର ଅପରିହାର୍ଯ୍ୟ ଦାୟିତ୍ବ

ଯଦି ଓଡିଶା ବିଧାନସଭା ଏହି ଅପରିହାର୍ଯ୍ୟ ଦାୟିତ୍ବ ନତୁଲାଏ , ତେବେ ଜୀଇଁ ଥାଉଁ ଥାଉଁ ଏହା ଏକ ମଲା ବିଧାନସଭା ବୋଲି ମନେହେବ । ଯଦି ଏ ବିଧାନସଭାଟି ପ୍ରକୃତରେ ମରିନଥାଏ, ତେବେ ଏହାକୁ ଆଉ ଏକ ଅଧିକ ଦାୟିତ୍ବ ନିର୍ବାହ କରିବାକୁ ହେବ । ତାହା ହେଲା, ଏହି ବିବାଦୀୟ ସଂଶୋଧନ ମାଧ୍ୟମରେ ଓଡିଶା ସରକାରୀ ଭାଷା ଆଇନଟିକୁ ମାରିଦେବାପାଇଁ ଯେଉଁ ବ୍ୟବସ୍ଥା ଖଞ୍ଜା ହୋଇଛି ବିଧେୟକଟିରେ ତାହାର ମୁଳୋତ୍ପାଟନ । ଆଇନଟି ସାରା ଓଡ଼ିଶା ପାଇଁ ପ୍ରବର୍ତ୍ତିତ ଏବଂ ଓଡ଼ିଶାର ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ସରକାରୀ ଭାଷା ହିଁ ଓଡ଼ିଆ ଭାଷା ବୋଲି ଯେଉଁ ଅନୁବନ୍ଧ ଅଛି ତାହାକୁ “ବ୍ୟାପକ ବ୍ୟବହାର” (extensive use) ପରି ଧୂର୍ତ୍ତ ଶବ୍ଦ ଦ୍ଵାରା ସଂକୁଚିତ କରିଛି ଏହି ଅଯୌକ୍ତିକ ତଥା ଜାଲିଆତୀପ୍ରସୁତ ସଂଶୋଧନ । ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଯାଇ ଏହି ପ୍ରମାଦପୂର୍ଣ ସଂଶୋଧନକୁ ପୁନଃ ସଂଶୋଧନ ଦ୍ଵାରା ଭାଷା ଆଇନଟିକୁ ନିର୍ଭୁଲ କରାଇବା ପାଇଁ ଅନୁରୋଧ କରାଯାଇଛି ।

ଆମ ବିଧାନ ପ୍ରଣୟନ ସଭା ଏହି ପ୍ରେକ୍ଷାପଟରେ ତାର ଦାୟିତ୍ବ ନିଵାହ କରିବା ଆବଶ୍ୟକ ।

ଓଡ଼ିଆ ଜାତି ବିରୁଦ୍ଧରେ ଉଭୟ ସରକାର ଓ ବିଧାନସଭାର ପ୍ରବଞ୍ଚନା ପ୍ରତି ଜନସଚେତନତା ହିଁ ପୁନଶ୍ଚ କଳାପତାକା ଅଭିଯାନର ମୂଳ ଲକ୍ଷ୍ୟ । ଏହି ଉଭୟ ସାମ୍ବିଧାନିକ ସଂସ୍ଥା ଯେତେଶୀଘ୍ର ସୁଧୁରିଯିବେ, ସେତେ ମଙ୍ଗଳ ।

Comments

2 Comments

Post a comment
  1. Gajanan mishra #
    July 4, 2018

    ନିଃସନ୍ଦେହ ଏ ସରକାର ଓଡିଆ ବିରୋଧୀ, ସୁତରାଂ ଓଡିଶା ବିରୋଧୀ। ଲୋକଙ୍କୁ କିନ୍ତୁ ଭୁଆଁ ବୁଲାଇ, ମଦପାଣି ଦେଇ ସଂଖ୍ଯା ଖେଳରେ ଜିତି ସମଗ୍ର ଜାତିଟାକୁ, ପରିଚିତିକୁ ନଷ୍ଟ କରିବାରେ ବ୍ୟସ୍ତ । ବିଦେଶୀ ଶାସନ ବିଦେଶୀ ଭାଷାରେ ଆଉ ଲୋକେ ଅନ୍ଧାରରେ, ବୁଲୁଛନ୍ତି ଦାଦନ ଖଟି ଖଟି ବାହାରେ। ଧିକ୍ ଜୀବନ!ଲୋକେ ରକ୍ତହୀନ।କେମିତି କଟୁଛି ଦିନ!

    • Subhas Chandra PattanayK #
      July 4, 2018

      ଅଶେଷ ଧନ୍ଯବାଦ ପ୍ରିୟ ଭାଷାତପସ୍ବୀ ଗଜାନନ ମିଶ୍ର । ଆମର ସୌଭାଗ୍ଯ ଯେ ଏହି ଦୁଃଖଦାୟକ ପରିସ୍ଥିତିର ପରିବର୍ତ୍ତନ ପାଇଁ ଆମେ ସୈନିକ ସାଜିପାରିଛେଁ ।
      ସୁଭାଷ

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS