ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା ବିଧାନସଭାରେ ୧.୫.୨୦୧୮ରେ ପାରିତ ହୋଇଥିବା ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ,୨୦୧୮କୁ ଅନୁମୋଦନ ନ ଦେବା ପାଇଁ ମୁଁ ରାଜ୍ୟପାଳଙ୍କୁ ଦେଇଥିବା ପୂର୍ବ ସୂଚିତ ପତ୍ର ତିନୋଟି ମୁଖ୍ୟକାରଣ ଉପରେ ଆଧାରିତ ହୋଇଥିଲା । ଯଥା: (୧) ଏଥିରେ ଥିବା ୪କ ଧାରା ମୂଳ ଆଇନର ଉଦ୍ଦେଶ୍ୟ ପଣ୍ଡକାରକ ଓ ଜନବିରୋଧୀ, (୨) ବିଜୁ ପଟ୍ଟନାୟକ ୧୯୬୩ରେ ଖଞ୍ଜିଥିବା ୩କ ଧାରାର ବିଲୋପନ ପାଇଁ ମୋ ଦାବି ପ୍ରତି ଅବଜ୍ଞା ପ୍ରଦର୍ଶିତ ହୋଇଥିବା ହେତୁ “ସରକାରୀ ଭାଷା”ର ସଜ୍ଞା ସଙ୍କଟ ଗ୍ରସ୍ତ ଓ (୩) ଏହି ବିଧେୟକ ପାଇଁ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ସ୍କାମ୍ ପରି ଏକ ଅଭୂତପୂର୍ବ ରାଜନୈତିକ ଅପରାଧ କରି ବିଧାନସଭାକୁ ବିଭ୍ରାନ୍ତ କରିଥିବା ହେତୁ ବିଧେୟକଟି ଅବୈଧ ଓ ଅଗ୍ରାହ୍ୟ । ଏହି ତିନୋଟି କାରଣରୁ କୌଣସି ଗୋଟିକୁ ଖଣ୍ଡନ କରିବା ସରକାରଙ୍କ ପକ୍ଷେ ଥିଲା ଅସମ୍ଭବ ।

ମୋ ପତ୍ର ଉପରେ ରାଜ୍ୟପାଳ ଏହି ବିଧେୟକକୁ ନାମଞ୍ଜୁର କରିନଥିଲେ ମଧ୍ୟ, ତାଙ୍କ ହସ୍ତକ୍ଷେପ ହେତୁ ମୁଁ ଦର୍ଶାଇଥିବା ଉପରୋକ୍ତ ୧ମ ଓ ୨ୟ କାରଣର ଯଥାର୍ଥତା ସ୍ଵୀକାର କରି ସରକାର କିପରି ସେହି ୨୦୧୮ରେ ଭାଷା ଆଇନର ୨ୟ ସଂଶୋଧନ ଆଣିବାକୁ ବାଧ୍ୟ ହୋଇଥିଲେ, ତାହା ପରେ ଆଲୋଚନା କରିବା । ବର୍ତ୍ତମାନ ପାଇଁ ଏତିକି କୁହାଯାଇପାରେ ଯେ, ମୋ ପତ୍ର ଉପରେ ରାଜ୍ୟପାଳଙ୍କ ତନାଘନାରେ ଅତର୍ଛି , “ମୂଳୁ ମାରିଲେ ଯିବ ସରି” ନୀତିରେ ଯେ କୌଣସି ପ୍ରକାରେ ଭାଷା ଆନ୍ଦୋଳନକୁ ଭାଙ୍ଗିଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ । ଫଳରେ ୨୨.୫.୨୦୧୮ରୁ ଘୁମେଇ ପଡ଼ିଥିବା ଶ୍ରୀମତୀ ପ୍ରଦ୍ୟୁମ୍ନ ଶତପଥୀ (ମାନସୀ ଷଡଙ୍ଗୀ)ଙ୍କ ନଥି ୧୯.୬.୨୦୧୮ ଅପରାହ୍ନରେ ସକ୍ରିୟ ହୋଇଉଠିଲା ।

ଚାପ ପ୍ରୟୋଗ

ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ରଙ୍କ ଚାପରେ ଅନୁବିଭାଗ ଅଧିକାରୀ ପ୍ରତାପ କୁମାର ରାଉତ ନଥିଟିକୁ ପୁନଃକ୍ରିୟ କରିଥିଲେ ମଧ୍ୟ, ଏହା ହିଁ ଲେଖିଲେ ଯେ, ଅନୁସ୍ମାରକ ସତ୍ତ୍ୱେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସରକାରଙ୍କ ୨୨.୬.୨୦୧୫ତାରିଖର୧୩୨୯୦ ପତ୍ରାଙ୍କସମ୍ପନ୍ନ ଆଦେଶ ଉପରେ କୌଣସି ଉତ୍ତର ଦେଇନାହାନ୍ତି (ଟିପ୍ପଣୀ ୩, ତାରିଖ ୧୯.୬.୨୦୧୮ , ସମୟ ଅପରାହ୍ନ ୩ଟା ୩୯ ମିନିଟ ୫୯ ସେକେଣ୍ଡ) । ଏହି ଟିପ୍ପଣୀ ସରକାରଙ୍କ ଅଭିସନ୍ଧିକୁ ସାହାଯ୍ୟ କରୁନଥିଲା । କାରଣ, ଏହା ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ ଚାକିରି ଭଙ୍ଗ ଆଦେଶକୁ ପୁନରୁଜ୍ଜୀବୀତ କରୁଥିଲା । ଅପରପକ୍ଷେ ପୂର୍ବରୁ ପ୍ରଦତ୍ତ ଏକ ବିଧିବଦ୍ଧ ଆଦେଶ ରୂପେ ଏହା ଥିଲା ଅନତିକ୍ରମଣୀୟ ।

ନୂଆ ଖସଡ଼ା

ସୁତରାଂ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କଲେ ଓ ସେଦିନ ରାତିରେ ଯେଉଁ ନୂଆ ଖସଡ଼ା ପ୍ରସ୍ତୁତ ହେଲା, ତଦନୁଯାୟୀ ତହିଁ ପରଦିନ ଅଫିସ ଖୋଲୁ ଖୋଲୁ ସରକାରଙ୍କ ୨୨.୬.୨୦୧୫ ତାରିଖର ଆଦେଶ ଉପରେ କୁଠାରାଘାତ କରିଥିଲେ । ଆଦେଶଟିର ମାନ୍ୟତା ଉପରେ ଦୃଷ୍ଟି ଆକର୍ଷଣ କରି ଅନୁବିଭାଗୀୟ ଅଧିକାରୀ ଦେଇଥିବା ପ୍ରଥମ ଟିପ୍ପଣୀଟିକୁ ଅକାମି କରିଦେବା ମତଲବରେ ସେ ତହିଁ ଉପରେ ଏକ ବ୍ୟାଖ୍ୟା ରଖିଲେ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ , ଯେଉଁଥିରେ ସେ ନିଜ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି , ସେହି କମିଟି ଦିନକ ପରେ, ଅର୍ଥାତ୍ ୨୨.୬.୨୦୧୮ ତାରିଖରେ ଶ୍ରୀମତୀ ଷଡଙ୍ଗୀଙ୍କ କର୍ମକ୍ଷେତ୍ରରେ ଯୋଗଦାନ ବିଷୟରେ ସାନି ନିଷ୍ପତ୍ତି ନେବ ଓ ସେହିଦିନ ହିଁ ତହିଁ ଉପରେ ଆବଶ୍ୟକୀୟ ଆଦେଶ ପାଇଁ ତାହା ଶାସନ ସଚିବଙ୍କୁ ପ୍ରଦାନ କରାଯିବ ବୋଲି ଟିପ୍ପଣୀ ଦେଲେ (ଟିପ୍ପଣୀ ୪, ତାରିଖ ୨୦.୬.୨୦୧୮ , ସମୟ ସକାଳ ୧୦ଟା ୧୫ ମିନିଟ ୧୬ ସେକେଣ୍ଡ) । ଏପରି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ନଥି ଚାଲିବା ଉଚ୍ଚ ଶିକ୍ଷା ବିଭାଗର ଜୀବନରେ କେବେ ଘଟିନଥିଲା ।

ଅସାଧାରଣ ତତ୍ପରତା

ଯେଉଁ ତତ୍ପରତାର ସହ ଏ ନଥି ଆଗେଇଲା ତାହା ଥିଲା ଅନନ୍ୟସାଧରଣ । ମାତ୍ର ଅଧଘଣ୍ଟାକରେ ଶାସନ ସଚିବ ବିଷ୍ଣୁପଦ ସେଠି “ଯଥା ପ୍ରସ୍ତାବିତ” ବୋଲି ଲେଖି ଧାର୍ଯ୍ୟ ପଥରେ ଆଗେଇଯିବାକୁ ଅତିରିକ୍ତ ଶାସନ ସଚିବଙ୍କୁ ଆଦେଶ ଦେଲେ (ଟିପ୍ପଣୀ ୫, ତାରିଖ ୨୦.୬.୨୦୧୮ , ସମୟ ସକାଳ ୧୦ଟା ୪୬ ମିନିଟ ୧୦ ସେକେଣ୍ଡ) । ଦି ଘଣ୍ଟା ବି ଯାଇନି, ଦିନ ୧୨ଟା୧୨ମିନିଟ ୪୮ ସେକେଣ୍ଡରେ ନିଜ ଅଧ୍ୟକ୍ଷତାରେ କମିଟି ଗଢି ତହିଁରେ ତାଙ୍କର ଆଜ୍ଞାଧୀନ ଜଣେ ଉପନିର୍ଦ୍ଦେଶକ (ବେସରକାରୀ କଲେଜ-୨)ଙ୍କୁ ତଥା ଅଡ଼ଶପୁର କଲେଜ ଅଧ୍ୟକ୍ଷଙ୍କୁ ସଭ୍ୟ ଭାବେ ସଂସ୍ଥିତ କରି ସେମାନଙ୍କୁ ୨୨.୬.୨୦୧୮ ତାରିଖରେ କମିଟି ବୈଠକରେ ଯୋଗଦେବାକୁ ନୋଟିସ୍ ଚିଠା କରି ପେଶ୍ କରିବାକୁ ଅନୁଭିବାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଶାସନ ସଚିବ ମହୋଦୟ । ମାତ୍ର ୪୦ ମିନିଟରେ ଚିଠା ପେଶ୍ ହେଲା ଓ ତଦନୁସାରେ ବୈଠକ ବି ଅନୁଷ୍ଠିତ ହେଲା ।

ବୋଲେ ହୁଁ ଟି, ବୋଲେ ନା ଟି

ଆଜ୍ଞାଧୀନ ଉପନିର୍ଦ୍ଦେଶକ (ଜଣେ ସରକାରୀ କର୍ମଚାରୀ) ଶ୍ରୀମତୀ ଷଡଙ୍ଗୀଙ୍କୁ ସରକାର ସାହାଯ୍ୟ କରିବାକୁ ଚାହୁଁଥିବା ଜାଣି ଅତିରିକ୍ତ ଶାସନ ସଚିବଙ୍କ କଥାରେ ମୁଣ୍ଡ ଟୁଙ୍ଗାରୁଥିବା ବେଳେ ତାଙ୍କ ଯୋଗଦାନ (joining) ଅଡ଼ଶପୁର କଲେଜରେ ସମ୍ଭବ ନୁହେଁ ବୋଲି କଲେଜ ଅଧ୍ୟକ୍ଷ ସ୍ପଷ୍ଟ କରିଦେଇଥିଲେ । ଅନଧିକୃତ ଅନୁପସ୍ଥିତି କାରଣରୁ ତାଙ୍କ ନିଯୁକ୍ତି କାର୍ଯ୍ୟତଃ ସେହିଦିନ ଶେଷ ହୋଇସାରିଛି, ଯେଉଁ ଦିନ କଲେଜ ପରିଚାଳନା କର୍ତ୍ତୃପକ୍ଷ ସେଥିପାଇଁ ନିଷ୍ପତ୍ତି ନେଇ ଥିଲେ ବୋଲି କହିଥିଲେ ଅଧ୍ୟକ୍ଷ । ସେ ଦୃଢତାର ସହ କହିଥିଲେ, ପରିଚାଳନା କମିଟି ଗ୍ରହଣ କରିଥିବା ନିଷ୍ପତ୍ତିର ଅନୁମୋଦନ ପାଇଁ କଲେଜର ଚିଠି ଉପରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଶୋଇ ରହିବା ସେହି ନିଷ୍ପତ୍ତିର ବିଲୋପୀକରଣ ନୁହେଁ । ସୁତରାଂ ତାଙ୍କ କଲେଜରେ ଶ୍ରୀମତୀ ଷଡଙ୍ଗୀଙ୍କର ଆଦୌ ବିଧିମନ୍ୟ ସ୍ଥିତି ନଥିବା ବେଳେ, ସେଠି ତାଙ୍କ ଯୋଗଦାନ ପତ୍ର (joining report) କିଏ କେଉଁ ଅଧିକାରରେ ଗ୍ରହଣ କରିବ ବୋଲି ପ୍ରଶ୍ନ ଉଠାଇଥିଲେ ଅଧ୍ୟକ୍ଷ ।

କାରସାଦି

ଅଧ୍ୟକ୍ଷଙ୍କର ଏହି ଯୁକ୍ତିଯୁକ୍ତ କଥାକୁ ଦସ୍ତାବିଜଭୁକ୍ତ ନ କରି, ଶ୍ରୀମତୀ ଷଡଙ୍ଗୀ ସେହି କଲେଜରେ ଯୋଗ ଦେବେ ଓ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ତାଙ୍କ ଯୋଗଦାନ ପତ୍ର ଗ୍ରହଣ କରିବେ ବୋଲି ସିଦ୍ଧାନ୍ତ ହୋଇଥିବା ଉଲ୍ଲେଖ କରି ଟିପ୍ପଣୀ ପେଶ୍ କରିବାକୁ ଅନୁବିଭାଗ ଅଧିକାରୀଙ୍କୁ କୁହାଗଲା ଓ ଏହି ଟିପ୍ପଣୀରେ ପୂର୍ବ ଆଦେଶ ରଦ୍ଦ ହୋଇଯାଇଥିବା କଥା ଉଲ୍ଲେଖ କରିବାକୁ ବି ନିର୍ଦ୍ଦେଶ ଦିଆଗଲା । ଅତିରିକ୍ତ ଶାସନ ସଚିବ ନିଜେ ଏପରି କାରସାଦି କରିଥିଲେ କି ଉପର ଚାପରେ? ତଦନ୍ତ ସାପେକ୍ଷ ।

ପ୍ରଣିଧାନ ଯୋଗ୍ୟ ଟିପ୍ପଣୀ

ଅନୁବିଭାଗୀୟ ଅଧିକାରୀ ଯେଉଁ ଟିପ୍ପଣୀ ଦରଜ କଲେ ତାହା ବିଶେଷ ପ୍ରଣିଧାନ ଯୋଗ୍ୟ । ଇଂରାଜୀ ଭାଷାରେ ଲିଖିତ ସେହି ଟିପ୍ପଣୀଟି ନିମ୍ନରେ ଅବିକଳ ଉଦ୍ଧୃତ୍ତ ହେଲା :

1. In supersession of all orders passed on the issue, Smt. Manasi Sarangi will be instructed by the DHE to join in her present place of posting i.e. U.N.(Auto) College , Adaspur within seven days of receipt of this order.
2. She will submit an undertaking through affidavit with her joining report before the Principal to abide by future Govt. decision regarding her absence period.
3. The Principal will be instructed to accept the joining of Smt. Sarangi and to allow her to work until further Govt. orders. (ଟିପ୍ପଣୀ ୯, ତାରିଖ ୨୨.୬.୨୦୧୮, ସମୟ : ଅପରାହ୍ନ ୩ଟା ୪୯ ମିନିଟ ୩୩ ସେକେଣ୍ଡ)

ଏହି ଟିପ୍ପଣୀଟି ସରକାରଙ୍କୁ ଅଧିକ ଅଡୁଆରେ ପକାଇଲା । କାରଣ, ୨୦୧୫ରେ ସରକାର ନେଇଥିବା ନିଷ୍ପତ୍ତିକୁ ଏପରି ଏକ କ୍ଷମତାହୀନ କମିଟି ବାତିଲ କରିବା ଥିଲା ଅସଙ୍ଗତ । ଅପରପକ୍ଷେ, ଶ୍ରୀମତୀ ଷଡଙ୍ଗୀଙ୍କ ପାଇଁ ୨ ନମ୍ବର ନିଷ୍ପତ୍ତିଟି ମଧ୍ୟ ଅଡୁଆଜନକ ଥିଲା । କାରଣ ତାଙ୍କ ଅନଧିକୃତ ଅନୁପସ୍ଥିତି ଉପରେ ସରକାର ଭବିଷ୍ୟତରେ ଯାହା ନିଷ୍ପତ୍ତି ନେବେ ତାହାକୁ ମାନିବାକୁ ସେ ଏକ ସତ୍ୟପାଠ ଭିତ୍ତିକ ଅଙ୍ଗୀକାର ପତ୍ର ଦାଖଲ କରିବାକୁ କୁହା ହୋଇଥିବାରୁ ଚାକିରିରେ ନିୟମିତ ହୋଇଯିବେ ବୋଲି ତାଙ୍କୁ ଯେଉଁ ଭରସା ଦିଆ ହୋଇଥିଲା ଏଥିରେ ତାହା ଅତୁଟ ରହିପାରୁ ନ ଥିଲା । ତେଣୁ, ସେ ଏହାକୁ ଗ୍ରହଣକରିବା ପାଇଁ ପ୍ରସ୍ତୁତ ନଥିଲେ । ସମୟ ଗଡିଯାଉଥିଲା ଓ କଳାପତାକା ଅଭିଯାନର ପୁନରାରମ୍ଭ ପାଖେଇ ଆସୁଥିଲା ।

ସରକାରୀ ସ୍ତରୀୟ ଦୃଶ୍ୟପଟ ଏହିପରି ଥିବା ବେଳେ, ୨୮.୬.୨୦୧୮ରେ ଭାଷା ଆଇନର ଭୁଲ ସଂଶୋଧନ ସାନି ସଂଶୋଧନ ଦ୍ଵାରା ସଜଡ଼ା ହେଉ ବୋଲି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି । ୪.୭.୨୦୧୮ରେ “ଏ ମାସ ୧୬ରୁ ପୁନଶ୍ଚ କଳାପତାକା ଅଭିଯାନ : କାହିଁକି?” ଶୀର୍ଷକରେ ମୋର ଆଲୋଚନା ସରକାରଙ୍କ ଛାତିରେ ଛନକା ଭର୍ତ୍ତିକଲା । କାରଣ ବିଧାନସଭାର ବର୍ଷାକାଳୀନ ଅଧିବେଶନରେ ଭାଷା ଆଇନ ଉହାଡ଼ରେ ହୋଇଥିବା ତଞ୍ଚକତା ଓ କ୍ୟାବିନେଟ୍ ସ୍କାମ୍ ଦ୍ଵାରା ବିଧାନସଭାର ସ୍ଵାଧିକାର ଭଙ୍ଗ ଉପରେ ଆଲୋଚାନା ପାଇଁ ଯଥେଷ୍ଟ ଖୋରାକ ମୁଁ ଏହି ନିବନ୍ଧରେ ଭର୍ତ୍ତି କରିଥିଲି ।

ଅଡୁଆରେ ସରକାର

ସମ୍ଭାବ୍ୟ ସ୍ଵାଧିକାର ଭଙ୍ଗ ଅଭିଯୋଗରୁ ବଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସକାଶେ ଏକମାତ୍ର ବାଟ ଥିଲା ବର୍ଷାକାଳୀନ ଅଧିବେଶନରେ ଭାଷା ଆଇନ ସମ୍ପର୍କୀୟ ଚର୍ଚ୍ଚା ଯେପରି ନ ହୁଏ ତା ପାଇଁ କୌଣସି ନା କୌଣସି ପ୍ରକାରେ କଳାପତାକା ଅଭିଯାନ ବନ୍ଦ କରାଇବା ।

ସେଥିପାଇଁ ସଉଦା

ସେଥିପାଇଁ ଆବଶ୍ୟକ ଥିଲା ଯେକୌଣସି ପ୍ରକାରେ ହେଉ ପଛେ, ମାନସୀ ଷଡଙ୍ଗୀଙ୍କୁ ଚାକିରି ଦିଆଇ ପ୍ରଦ୍ୟୁମ୍ନ ଶତପଥୀଙ୍କୁ କଳାପତାକା ପାଇଁ ଲୋକ ଯୋଗାଇବାରୁ ବିରତ କରାଇବା ।

ସୁତରାଂ, ୧୧.୭.୨୦୧୮ ତାରିଖରେ ଆରମ୍ଭ ହେଲା ଯେକୌଣସି ପ୍ରକାରେ ହେଉ ପଛେ ମାନସୀ ଷଡଙ୍ଗୀଙ୍କୁ ଚାକିରିରେ ପୁନଃ ସଂସ୍ଥିତା କରିବାର ପ୍ରକ୍ରିୟା ।

ଅନୁବିଭାଗୀୟ ଅଧିକାରୀ କୌଣସି ନୀତିବିରୁଦ୍ଧ କାମ କରିବାକୁ ମଙ୍ଗୁ ନଥିବା ହେତୁ, ସୂର୍ଯ୍ୟ ନାରାୟଣ ମହାପାତ୍ର ନାମକ ଜଣେ ଅନୁଶାସନ ସଚିବ ଏହି କାମ କଲେ । ତାଙ୍କ ହେତୁ ପ୍ରଶାସନିକ ଅଚଳାବସ୍ଥା ଦୂର ହୋଇଗଲା ଓ ୧୬.୭.୨୦୧୮ରେ ଶ୍ରୀମତୀ ଷଡଙ୍ଗୀଙ୍କୁ ଚାକିରିରେ ପୁନଃ ସଂସ୍ଥିତା କରିବା ପ୍ରସ୍ତାବ ଉପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦିନ ୨ଟା ୧୧ ମିନିଟରେ ଦସ୍ତଖତ କଲେ । ସନ୍ଧ୍ୟାବେଳେ କଳା ପତାକା ଅଭିଯାନରୁ ଦୂରେଇ ରହି ଅର୍ଥମନ୍ତ୍ରୀ ଶଶୀ ବେହେରାଙ୍କ ମାଧ୍ୟମରେ ଏ ସମ୍ପର୍କରେ ସୁନିଶ୍ଚିତ ହେବା ପରେ କଳାପତାକା ଅଭିଯାନ ବର୍ଷା ଅଧିବେଶନ ପର୍ଯ୍ୟନ୍ତ ବନ୍ଦ ରହିଲା ବୋଲି ଘୋଷଣା କଲେ ପ୍ରଦ୍ୟୁମ୍ନ ଶତପଥୀ ସନ୍ଧ୍ୟା ୭ଟାରେ, ସରକାରଙ୍କ ସହ ହୋଇଥିବା ଗୋପନ ଚୁକ୍ତି ଅନୁସାରେ । (କ୍ରମଶଃ)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.