ଆରମ୍ଭ ହେଲା ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ର

ଦି ନିଉଜ୍ ସିଣ୍ଡିକେଟ୍

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ: ଓଡ଼ିଆ ଭାଷାରେ ରାଜ୍ୟ ପରିଚାଳନା । :

ଭାଷା ଆନ୍ଦୋଳନର ଏକମାତ୍ର ଉଦ୍ଦେଶ୍ୟ : ଭାଷା ଆଇନର କାର୍ଯ୍ୟକାରୀତା ପଥରୁ ସମସ୍ତ ଅନ୍ତରାୟ ଅପସାରଣ ପାଇଁ ଏହାର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିର ସଭ୍ଯ ଭାବେ ସେପ୍ଟେମ୍ବର ୩, ୨୦୧୫ ତାରିଖରେ ଦେଇଥିବା ଆଇନ ସଂଶୋଧନ ପ୍ରସ୍ତାବ ଓ ନିୟମାବଳୀର ବିଧିକ ରୂପାୟନ ।

ଏହି ପ୍ରସ୍ତାବ ଅନୁସାରେ ଭାଷା ଆଇନରେ ଧାରା -୫ ଖଞ୍ଜିବାକୁ ସରକାର ବାଧ୍ୟ ହୋଇଥିଲେ ମଧ୍ୟ ଅଣଓଡ଼ିଆ ଅଫିସରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ମିଳାଇ, ବିଧାନସଭାକୁ ମିଛ କହି, ପାଶବିକ ସଂଖ୍ୟାଗରିଷ୍ଠତା ବଳରେ ଭାଷା ଆଇନରେ ଧାରା-୪ ଓ ଧାରା – ୪କ ନାମକ ଦୁଇଟି ଓଡ଼ିଆ ବିରୋଧୀ ବ୍ୟବସ୍ଥା ଖଞ୍ଜିଛନ୍ତି । ମାର୍ଚ୍ଚ ୧୪, ୨୦୧୮ ତାରିଖର ଯେଉଁ କ୍ୟାବିନେଟ୍ ବୈଠକରେ ସୁଭାଷବାବୁଙ୍କ ପ୍ରସ୍ତାବ ଅନୁରୂପ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା, ସେହି କ୍ୟାବିନେଟ୍ ବୈଠକକୁ ମୁଖ୍ୟମନ୍ତ୍ରୀ ଗାଏବ କରିଦେବା ପରି ଅପରାଧ ବି କରିଛନ୍ତି ଓଡ଼ିଆ ଜାତିକୁ ତାର ଭାଷା ଅଧିକାର ନଦେବାପାଇଁ । କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଓ ସମଗ୍ର ବିଶ୍ଵରେ ବିଧାନ ପ୍ରଣଯନ କ୍ଷେତ୍ରରେ ଏପରି ଦୁଷ୍କର୍ମର ପଟାନ୍ତର ନାହିଁ । ଏହି ଦୁଷ୍କର୍ମ କରି ଖସିଯିବା ପାଇଁ ଭାଷା ଆନ୍ଦୋଳନରେ ସୁଭାଷବାବୁଙ୍କର ଘନିଷ୍ଠ ସହଯୋଗୀ ଭାବେ ପରିଚୟ ଲାଭ କରିଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ଯୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କ ଅର୍ଥଲୋଭର ଉପଯୋଗ ଏମାନଙ୍କ ଦ୍ଵାରା ପ୍ରଚାର କରିଛନ୍ତି ଯେ, ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧନ ହୋଇଛି ଓ ସେହେତୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି । ଏପରିଲି ଏହି ବିଶ୍ଵାସଘାତକମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧିତ ହୋଇଥିବାର ସ୍ଵୀକୃତି ଭିତ୍ତିରେ ନିଜ ପାଇଁ ପ୍ରଶଂସାପତ୍ର ବି ଲେଖେଇନେଇଛନ୍ତି ! ନବୀନବାବୁଙ୍କ ଛଡ଼ା ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଏତେ ନିର୍ଲଜ୍ଜ ଭାବେ ମିଥ୍ୟା ପ୍ରଶଂସାପତ୍ର ସଂଗ୍ରହ କରିଥିବାର ନଜିର ନାହିଁ । କିନ୍ତୁ ଓଡ଼ିଆଭାଷାବିଦ୍ଵେଷୀ ନବୀନ ପଟ୍ଟନାୟକଙ୍କ ଏହି ଦଲାଳପଲ ଓ ଓ ତାଙ୍କ ଷଡ଼ଯନ୍ତ୍ର ସତ୍ତ୍ୱେ ଭାଷା ଆନ୍ଦୋଳନ ଚାଲିଛି ଯାହା ଗତକାଲି ଅତିକ୍ରମ କରିଛି ୧୫୫୧ ଦିବସ ।

କରୋନା ମହାମାରୀ କାଳରେ ନୀତିଗତ କାରଣରୁ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଥିବା ବେଳେ ବୌଦ୍ଧିକ ଅଭିଯାନ କାଏମ ଅଛି ଓ ପ୍ରତି ସପ୍ତାହରେ ଓଡ଼ିଶାର ଜଣେ ଜଣେ ବିଖ୍ୟାତ ବ୍ୟକ୍ତି ଭାଷାଆନ୍ଦୋଳନର ଡିଜିଟାଲ ମଞ୍ଚ ‘ଭାଷା ମା ପାଇଁ ପଦେ’ ମାଧ୍ୟମରେ ଭାଷା ଆନ୍ଦୋଳନ ପ୍ରତି ସମର୍ଥବ ଜ୍ଞାପନ କରୁଛନ୍ତ, ଯାହା ସାମାଜିକ ଗଣମାଧ୍ୟମ ‘ଫେସ୍ ବୁକ୍’ ଦ୍ଵାରା ସିଧା ପ୍ରସାରିତ ହେଉଛି ।

ଏହିକ୍ରମରେ ଭାଷା ଆନ୍ଦୋଳନର ଏକ ସାପ୍ତାହିକ ପାଠଚକ୍ର ଆରମ୍ଭ ହୋଇଛି । ପ୍ରତି ରବିବାର ସନ୍ଧ୍ୟା ୭ଟାରୁ ଏହି ପାଠଚକ୍ର ଚାଲିବ ଯେଉଁଥିରେ ଆନ୍ଦୋଳନ ସମ୍ପର୍କରେ ଚର୍ଚ୍ଚା ସାଙ୍ଗକୁ ଆନ୍ଦୋଳନର ସପ୍ତାହନ୍ତ ସମୀକ୍ଷା ବି ହେବ ।

ଗତ ସନ୍ଧ୍ୟାର ପାଠଚକ୍ରରେ  ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ସର୍ବଶ୍ରୀ ରଞ୍ଜନ କୁମାର ସାହୁ, ନିର୍ମଲ କୁମାର ପତ୍ରୀ, ସୁଶାନ୍ତ ମହଲି, ମହେନ୍ଦ୍ର ତ୍ରିପାଠୀ , ଅନୀଲକୁମାର ମହାନ୍ତ, ରାଜେଶ ଶତପଥୀ, ଓ ସୁଧାଂଶୁ ଚୌଧୁରୀ  । ସେମାନଙ୍କ ସାଙ୍ଗକୁ ଜନସେବୀ ସଂଗଠନ ଜୀବନ ସଂଘର୍ଷ ମଧ୍ୟ ସାଙ୍ଗଠନିକ ଭାବେ ଅଂଶ ଗ୍ରହଣ କରିଥିଲେ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.