Bhasha Andolan rejects the Cabinet Resolution

ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଭାଷା ଆନ୍ଦୋଳନ ପକ୍ଷେ ଗ୍ରହଣୀୟ ନୁହେଁ 

ଓଡ଼ିଶାରେ କ୍ଷମତାସୀନ ବିଜଦର 20 ବର୍ଷ କ୍ଷମତାଭୋଗ ଖୁସିରେ ପୁରୀ ସହରରେ ମନ୍ତ୍ରୀମଣ୍ଡଳ ବୈଠକ ବସି ଓଡ଼ିଆ ଭାଷାକୁ କେନ୍ଦ୍ର କରି ଯେଉଁ କେତେକ ନିଷ୍ପତ୍ତି ନେଇଛନ୍ତି ତାହା ଓଡ଼ିଆ ବିରୋଧୀମାନଙ୍କର ତଥା ଭାଷା ମାଫିଆମାନଙ୍କର ଅଭିସନ୍ଧି ଅନୁରୂପ ହୋଇଥିବା ହେତୁ ଭାଷା ଆନ୍ଦୋଳନ, ଓଡିଶା ଘୋର କ୍ଷୋଭ ପ୍ରକାଶ କରୁଛି  ∣ ସରକାରୀ ଭାଷା ଆଇନ 1954ର ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ମନ୍ତ୍ରୀଂମଣ୍ଡଳ ନେଇଥିବା ନିଷ୍ପତ୍ତିରେ ଯଦି ଆନ୍ତରିକତା ଥାନ୍ତା , ଦଂଡର ପରିମାଣ, ଦଣ୍ଡବିଧାନର ନ୍ୟାୟିକ ପଦ୍ଦତ୍ତି  ଇତ୍ୟାଦି ସେହି ଏକା ବୈଠକରେ ସଜ୍ଞାୟିତ ହୋଇଥାନ୍ତା ∣ ତାହା ନ କରି ପୂର୍ବପରି ଶବ୍ଦଜାଲ ସୃଷ୍ଟିକରଯାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବାକୁ ଚେଷ୍ଟା ହୋଇଥିବା ହେତୁ ଏହି କ୍ୟାବିନେଟ ନିଷ୍ପତ୍ତିରେ ଭାଷା ଆନ୍ଦୋଳନ ପ୍ରଭାବିତ ନ ହୋଇ କଳାପତାକା ଅଭିଯାନ ଜୋରଦାର ହେବ ବୋଲି ଆନ୍ଦୋଳନର ନେତୃତ୍ବ ଘୋଷଣା କରିଛି ∣

ଭାଷା ଆନ୍ଦୋଳନ ଦାବିର ଗରିମା ଓ ଗୁରୁତ୍ବ ସରକାର ବହୁ ବିଳମ୍ବରେ ଉପଲବ୍ଧି କରିଥିବା ଆଶ୍ଵସନାର କଥା ହୋଇଥିଲେ ମଧ୍ୟ, ଏହି କ୍ୟାବିନେଟ ନିଷ୍ପତ୍ତିରେ କୌଣସି ସ୍ପଷ୍ଟତା ନାହିଁ ∣ ଦଣ୍ଡବିଧାନର ସ୍ଵରୂପ କଣ ହେବ ତାହା ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଦେଇଥିବା ଚିଠା ନିୟମାବଳୀରେ ଉଲ୍ଲେଖ କରାଯାଇଥିବା ବେଳେ ସରକାର ସେ ସମ୍ପର୍କରେ ମୌନ ରହିଛନ୍ତି ∣

ଓଡ଼ିଆ ଭାଷାକୁ ବ୍ୟବସାୟିକ ପଣ୍ୟ କରିବାପାଇଁ ସହଭାଗିତାରେ କାମ କରିବାକୁ କହି ସରକାର ଭାଷା ମାଫିଆମାନଙ୍କୁ ପ୍ରୋତ୍ସାହନ ଦେବାକୁ ଯେଉଁ ନିଷ୍ପତ୍ତି କରିଛନ୍ତି ଭାଷା ଆନ୍ଦୋଳନ ତାକୁ ବିରୋଧ ସହ ତୀବ୍ର ନିନ୍ଦା କରୁଛି , କାରଣ ଭାଷା ମାଫିଆମାନେ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କୀୟ ସରକାରୀ ସନ୍ଦର୍ଭ ଚୋରି କରିଥିବା ଅଭିଯୋଗ ଏବେ ତଦନ୍ତ ଅପେକ୍ଷାରେ ∣

ଭାଷା ଆନ୍ଦୋଳନ ଭାଷା ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡ ପ୍ରଦାନ କରିବା ପାଇଁ ୩.୯.୨୦୧୫ରେ ଅଧ୍ୟକ୍ଷ ରଖିଥିବା ପ୍ରସ୍ତାବ ଅନୁଯାୟୀ ଏକ ‘ଭାଷା ବିଚାରାଳୟ’ ପାଇଁ ଦାବି କରିଆସିଛି ∣ ଏହା ଜଣେ ଜିଲ୍ଲା ଜଜ ପାହ୍ୟାର ବିଚାରପତିଙ୍କ ଅଧ୍ୟକ୍ଷତାରେ ଦଂଡବିଧିବିଧାନ ବ୍ୟବସ୍ଥା ଅନୁସାରେ ଚାଲିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିରେ ଯେଉଁ ଚିଠା ନିୟମାବଳୀ ଦେଇଥିଲେ ତାହାକୁ ଗ୍ରହଣ କରି ଭାଷା ବିଚାରାଳୟ ସ୍ଥାପନ କରିବାକୁ ଓ ଦଣ୍ଡ ସଂହିତା ଅନୁସାରେ ଏହି ବିଚାରାଳୟକୁ ସଶକ୍ତିକୃତ କରିବାକୁ ଭାଷା ଆନ୍ଦୋଳନ ଦାବି କରିବା ସହ ମନ୍ତ୍ରୀଂମଣ୍ଡଳ ଗ୍ରହଣ କରିଥିବା ଭାଷା କମିଶନ ପ୍ରସ୍ତାବକୁ ତଦନୁଯାୟୀ ପୁନଃ ନାମିତ କରିବାକୁ ଭାଷା ଆନ୍ଦୋଳନ ଦାବି କରୁଛି ∣

ଓଡ଼ିଆ ବିଦ୍ୟାଳୟଗୁଡିକୁ ରୁଗ୍ଣ କରି ରଖିଥିବା ସରକାର ଓଡ଼ିଆରେ ଭଲ କରୁଥିବା ଶିକ୍ଷାର୍ଥୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ଯାହା କହିଛନ୍ତି ତାହା କେବଳ ଆମ ଲୋକଙ୍କୁ ଭୁଆଁ ବୁଲାଇବାପାଇଁ ଉଦ୍ଦିଷ୍ଟ ∣ ଭାଷା ଆନ୍ଦୋଳନ ଦାବି କରୁଛି, ଏପରି ପଦକ୍ଷେପ ନେବା ପୂର୍ବରୁ ପ୍ରତି ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରାଯାଉ ଓ ଓଡ଼ିଆ ଭାଷାକୁ ପ୍ରାଥମିକତା ଦିଆଯାଉ ଓ ସମସ୍ତ ଶିକ୍ଷାର୍ଥୀଙ୍କୁ ଶିକ୍ଷାରଯାନର ସମାନ ସୁବିଧାସୁଯୋଗ ସୁନିଶ୍ଚିତ କରାଯାଉ ∣

ଉପରୋକ୍ତ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଚାଲିରହିବ ଓ ଅଧିକ ପ୍ରସାରିତ ହେବ  ବୋଲି ଭାଷା ଆନ୍ଦୋଳନ, ଓଡିଶା∣ର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ସହକର୍ମୀମାନେ ଏକ ପ୍ରେସ ଵିଜ୍ଞପ୍ତିରେ କହିଛନ୍ତି ∣

Cabinet Resolution too tricky to be noted as honest

ଯାହା ଜଣାପଡୁଛି , ସରକାର ଭାଷା ଆନ୍ଦୋଳନ ଦାବିର ଗରିମା ଓ ଗୁରୁତ୍ବ ଉପଲବ୍ଧି କରିଛନ୍ତି ∣ ଆଜି ପୁରୀରେ ଅନୁଷ୍ଠିତ  ମନ୍ତ୍ରିମଣ୍ଡଳର ସ୍ବତନ୍ତ୍ର ବୈଠକରେ ଗୃହୀତ ପ୍ରସ୍ତାବର ପ୍ରେସନୋଟ ନିମ୍ନରେ ଦିଆଗଲା ∣ ଲକ୍ଷ୍ୟ କରିବାର କଥା , ଏଥିରେ ଅତି ଚତୁରତା ସହ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ଓଡ଼ିଆ ଜାତିକୁ ଯେଉଁ ଭାଷା ଅଧିକାର ଦେଇଥିଲା ତାହାକୁ ଖର୍ବ କରିବା ପାଇଁ ଓଡ଼ିଆ ବିଦ୍ଵେଷୀମାନେ ଉପାଦାନ ଖଞ୍ଜିଛନ୍ତି । ଆମକୁ ଏହାକୁ ବିରୋଧ କରିବାକୁ ହେବ ।
– ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ,ଓଡ଼ିଶା

ଓଡ଼ିଆ ବିରୋଧୀଙ୍କୁ ଦଣ୍ଡବିଧାନ ସୁନିଶ୍ଚିତ ଦରକାର

ଦୁଇଶ ପଚାଶ ଦିନ ଟପିଲା ବ୍ୟାସ ନଗରରେ ଦୈନିକ କଳାପତାକା ଅଭିଯାନ

ଏଇ ଡିସେମ୍ବର ତେଇଶିରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ବ୍ୟାସ ନଗରରେ ଟପିଲା 250 ଦିନ ∣  ବିଶିଷ୍ଟ ସମାଜସେବୀ ଶ୍ରୀ ରାଜେନ୍ଦ୍ର ବିଶ୍ଵାଳ ଯାହାଙ୍କ ନେତୃତ୍ବରେ ଏ ଅଭିଯାନ ସେଠାରେ ଚାଲିଛି, ଏହି ବିଶେଷ ଦିବସ ଉପଲକ୍ଷେ ଆୟୋଜିତ ସକ୍ରିୟସାଥୀ ସମାରୋହରେ ସଭାପତିତ୍ଵ କରିଥିଲେ 

ବ୍ୟାସନଗର ଶାଖାର ନାରାୟଣ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ପାତ୍ର, ଚିନ୍ତାମଣି ପାଢ଼ୀ, ଭୁବନାନନ୍ଦ ମହାନ୍ତି, ବ୍ରଜକିଶୋର ସିଂହ, ଉପେନ୍ଦ୍ର ନାଥ, ପ୍ରଫୁଲ୍ଲ ସାହାଣୀ, ଚନ୍ଦ୍ରଶେଖର ପଣ୍ଡା, ମହେଶ୍ବର ନାୟକ, ଚନ୍ଦ୍ରମଣି ସାମଲ, ବିଶ୍ବଜିତ ମହାନ୍ତି, ଗଜାନନ ମିଶ୍ର, ସଂଯୁକ୍ତା ମହାପାତ୍ର ପ୍ରମୁଖ ନିଜ ନିଜ ଭାଷଣରେ ଭାଷା ଆନ୍ଦୋଳନର ଦାବି ହିଁ କାହିଁକି ଜନହୃଦୟର ଦାବି ତାହା ବର୍ଣନା କରିଥିଲେ ଓ ଯେଉଁଯାଏଁ ଏହି ଦାବି ମାନି ଓଡ଼ିଆ ଭାଷାରେ ଦାପ୍ତରିକ କାମ ନ କରିବା ବ୍ୟକ୍ତିକୁ ଦଣ୍ଡ ବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜା ନହୋଇଛି ସେ ପର୍ଯ୍ୟନ୍ତ କଳାପତାକା ଅଭିଯାନ ଚାଲିବ ବୋଲି ଘୋଷଣା କରିଥିଲେ ∣ 

ଭାଷାତପସ୍ବୀ ଗଜାନନ ମିଶ୍ର, ଭାଷା ଆନ୍ଦୋଳନ,ଓଡ଼ିଶାର ଆବାହକ ପବିତ୍ର ମହାରଥା ଆନ୍ଦୋଳନର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କଲା ପରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ସକ୍ରିୟସାଥୀ ସମାରୋହ ପରେ ପଟୁଆର ଯାଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆନ୍ଦୋଳନକୁ ଅଧିକ ସମ୍ପ୍ରସାରିତ କରିବାକୁ ଶପଥ ନବୀକୃତ ହୋଇଥିଲା 

ବ୍ୟାସଭୂମି ମହିମା ସେବା ଚ୍ୟାରିଟେବଲ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରିତ ହୋଇ ଭାଷା ଆନ୍ଦୋଳନର କେନ୍ଦୀୟ ନେତୃତ୍ବ ବ୍ୟାସ ନଗର ସ୍ଥିତ ସୁବିଖ୍ୟାତ ବ୍ୟାସ ସରୋବର ପରିଦର୍ଶନରେ ଯାଇ ତହିଁର ପରିବେଶ ପ୍ରତି ସରକାରୀ ଉଦାସୀନତା କାରଣରୁ ସେହି ପୁରାଣପ୍ରସିଦ୍ଧ ଜଳଖଣ୍ଡ କିପରି ଅସ୍ତିତ୍ବ ହରାଇବାକୁ ବସିଲାଣି ତାହା ଦେଖି ଘୋର ଉଦ୍ବେଗ ପ୍ରକାଶ କରିଥିଲେ ∣