ଭାଷାସଚିବଙ୍କ ପ୍ରଥମ କାମ ହେଉ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ କଳାତାଲିକାଭୂକ୍ତ କରିବା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ସରକାରୀ ଭାଷା ଆଇନ 1954 ଅକ୍ଟୋବର 14 ତାରିଖଠାରୁ ଓଡିଶା ପରିଚାଳନାରେ ଇଂରାଜୀକୁ ଅବୈଧ କରିସାରିଥିଲେ ମଧ୍ୟ ନିଜକୁ ଶାସକ ମନେ କରୁଥିବା ଦରମାଖିଆ ନୌକରମାନେ ଆମ ଲୋକଙ୍କୁ ଓଡ଼ିଆରେ ସେବା ଦେବାକୁ ନାରାଜ । ଫଳରେ ସମ୍ବିଧାନ ବହିର୍ଭୁତ ଇଂରାଜୀ ଭାଷାରେ ଚାଲିଛି ଓଡ଼ିଶାର ପରିଚାଳନା ସମ୍ପୂର୍ଣ ଅସାମ୍ବିଧାନିକ ଶୈଳୀରେ । ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ ହୋଇଚାଲିଛି ଓ ସ୍ଵାଧୀନତା ସତ୍ତ୍ବେ ଆମ ନିଜ ରାଜ୍ୟରେ ଆମେ ପରାଧୀନ ହୋଇରହିଛୁ ।

ଏହାର ପରିସମାପ୍ତି ପାଇଁ ଓଡ଼ିଆରେ ସେବା ନ ଦେଉଥିବା ବ୍ୟକ୍ତିକୁ ଦଣ୍ଡବିଧାନ ପାଇଁ ଓ ଏହି ଉଦ୍ଦେଶ୍ୟରେ ଭାଷା ଅଦାଲତ ଗଠନ ପାଇଁ ଭାଷା ଆଇନର ସଂଶୋଧନ ସକାଶେ ଆମେ ଚଳାଇଛୁ ଭାଷା ଆନ୍ଦୋଳନ ନିରବ କଳାପତାକା ଅଭିଯାନ ମାଧ୍ୟମରେ ।

ଭାଷାବିତ୍ ଭାବେ ଡିଣ୍ଡିମ ପିଟିହେଉଥିବା ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ କି 2016 ଜୁନ 25 ତାରିଖର ସମାଜ କାଗଜରେ ଅତ୍ୟନ୍ତ ଗର୍ହିତ ଭାଷାରେ ଗାଳିଗୁଲଜ କଲେ କଳାପତାକା ଅଭିଯାତ୍ରୀମାନଙ୍କୁ । ଏହାର କାରଣ ଅନୁସନ୍ଧାନରୁ ଜଣାପଡ଼ିଲା, ତାଙ୍କୁ ବ୍ଲାକମେଲ୍ କରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଭାଷା ଆନ୍ଦୋଳନ ବିରୁଦ୍ଧରେ ଲଗାଇଛି । କାହିଁକି ତାଙ୍କୁ ବ୍ଲାକମେଲ୍ କରାଯାଉଛି ତହିଁର ଅନୁସନ୍ଧାନ କରିବାରୁ ଜଣାପଡିଲା , ଏକ ଘରୋଇ ବିଶ୍ଵବିଦ୍ୟାଳୟ ଆଳରେ ଭୁବନେଶ୍ଵର ପାଖରେ ପ୍ରାୟ 100 ଏକର ଜାଗା ହାତେଇବାକୁ ସକ୍ଷମ ହେବାପାଇଁ ସେ ସରକାରୀ ନଥି ଚୋରିକରିଥିବା ସରକାର ଜାଣନ୍ତି । ଆମ ଆନ୍ଦୋଳନ ବିରୁଦ୍ଧରେ କାମ ନ କଲେ ସେହି ଚୋରୀ ଅପରାଧରେ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଧମକାଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତାଙ୍କୁ ଏହି କାମରେ ଲଗାଇଥିବା ଜଣାପଡିଲା । ଏହି ପ୍ରେକ୍ଷାପଟରେ ଜଣେ ଓଡ଼ିଆର କର୍ତ୍ତବ୍ୟ ସମ୍ପାଦନ ପାଇଁ ଆମେ ନିଷ୍ପତ୍ତି ଗ୍ରହଣ କଲୁ ।

ଏତଦନୁସାରେ , ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରସ୍ତୁତ କରିଥିବା ଯୁକ୍ତି ସନ୍ଦର୍ଭକୁ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଚୋରି କରି ତତ୍କାଳୀନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ମାଧ୍ୟମରେ ତାର ଶ୍ରେୟ ଲୁଣ୍ଠନ କରିବା ତଥା ସେହି ତଥ୍ୟପ୍ରମାଣ ସମ୍ବଳିତ ସନ୍ଦର୍ଭ ଉପରେ ରାଜ୍ୟ ସରକାରଙ୍କ ସତ୍ଵାଧିକାରର ଏକ ପ୍ରତିଦ୍ବନ୍ଦୀ ସତ୍ଵାଧିକାର ତିଆରି କରାଇ ତହିଁର ବ୍ୟବସାୟିକ ଉପଯୋଗ କରିବା ଏବଂ ଏହି ଦୁରଭିସନ୍ଧି ରଖି ରାଜ୍ୟପ୍ରତି ବିଶ୍ଵାସଘାତକତା କରିଥିବା ଅପରାଧରେ ତାଙ୍କ ବିରୁଦ୍ଧରେ ଅପରାଧିକ ଦଣ୍ଡବିଧାନ ପାଇଁ ପଦକ୍ଷେପ ନେବାକୁ ଭାଷା ଆନ୍ଦୋଳନ ପକ୍ଷରୁ 8.6.2017ରେ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକାଙ୍କୁ ପତ୍ର ଲେଖା ଯାଇଥିଲା । ଏହି ଅଭିଯୋଗ ତଥ୍ୟଭିତ୍ତିକ ବୋଲି ରାଜ୍ୟସରକାରଙ୍କୁ ନିର୍ଦ୍ଦେଶିକା ଅବଗତ କରାଇଥିବା 14.7.2017ରେ ନିର୍ଗତ ହୋଇଥିବା ତାଙ୍କ 364 ସଂଖ୍ୟକ ପତ୍ରରୁ ଜଣାଯାଏ ।

ସଂସ୍କୃତି ବିଭାଗର ଶାସନ ସଚିବ ନିରବ ରହି, ଅତ୍ୟନ୍ତ ବେଆଇନ ଭାବେ ଡ଼.ପଟ୍ଟନାୟକଙ୍କୁ ରାଜକୋଷରୁ ନାନା ଆଳରେ ଟଙ୍କା ଦେଉଥିବା ଲକ୍ଷ୍ୟ କରି 24.10.2017ରେ ମୁଖ୍ୟ ଶାସନ ସଚିବଙ୍କୁ ଏକ ସ୍ମାରକପତ୍ର ଦିଆଗଲା ଯାହାର ବିଷୟ ହେଲା

“ସ୍ପର୍ଶକାତର ସରକାରୀ ସନ୍ଦର୍ଭ ଚୋରି ଓ ମୁନାଫା ପାଇଁ ବିଭିନ୍ନ ଦପ୍ତରକୁ ପ୍ରଭାବିତ କରୁଥିବା ହେତୁ ପଦ୍ମଶ୍ରୀ ଡ଼.ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ କଳାତାଲିକାଭୂକ୍ତ କରିବାକୁ ଏବଂ ଏହି ସାଙ୍ଘାତିକ ଅପରାଧ ବିରୁଦ୍ଧରେ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ ।”

ଓଡ଼ିଶାର ମୁଖ୍ୟ ସମ୍ବାଦପତ୍ରମାନେ ଏହି ଅଭିଯୋଗକୁ ଗୁରୁତ୍ବର ସହ ପ୍ରସାରିତ କରିଥିଲେ ।

ମୁଖ୍ୟ ଶାସନ ସଚିବ ଏହି ଅଭିଯୋଗ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସଂସ୍କୃତି ସଚିବଙ୍କୁ ନିର୍ଦ୍ଦେଶ ଦେଲେ । ସଚିବ ଏଯାଏଁ ଶୋଇଛନ୍ତି । ଶବ ଉପରେ ଶାଗୁଣା ଝାମ୍ପିପଡ଼ିଲାପରି ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ଗ୍ୟାଙ୍ଗ ଓଡିଶା ରାଜକୋଷ ଉପରେ ଝାମ୍ପି ପଡୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନାକତଳେ । ଓଡ଼ିଆ ଭାଷା ଜନନୀ ବିପଦଗ୍ରସ୍ତ ହୋଇପଡିଛି ।

ଓଡିଶା ମନ୍ତ୍ରୀମଣ୍ଡଳ ଗୁରୁବାର ଅପରାହ୍ନରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଦିଫାଳ କରି ସଂସ୍କୃତି ଅଂଶକୁ ଭାଷା ସାହିତ୍ୟ ଓ ସଂସ୍କୃତି ନାମକ ଏକ ସ୍ବତନ୍ତ୍ର ବିଭାଗରେ ପରିଣତ କରିଛନ୍ତି ଓ ଭାଷା ବିଷୟ ଏହି ବିଭାଗର ଅନ୍ତର୍ଗତ ହୋଇଛି ।

ସୁତରାଂ, ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ତାଙ୍କ ଗ୍ୟାଙ୍ଗ ସହ କଳାତାଲିକାଭୁକ୍ତ କରିବା ଏହି ବିଭାଗର ପ୍ରଥମ କାମ ହେଉ । ତହିଁରୁ ଜଣ ପଡିବ ଓଡ଼ିଆ ଭାଷା ପାଇଁ ନିଷ୍ଠାର ସହ କାମ କରିବାକୁ ଏହି ବିଭାଗ ଗଢ଼ା ହୋଇଛି କି ଆମ ଲୋକଙ୍କୁ ପୁଣି ପ୍ରତାରିତ କରିବାକୁ ଓଡ଼ିଆଦ୍ରୋହୀ ନବୀନ ପଟ୍ଟନାୟକଙ୍କର ଏହା ଏକ ନୂଆ ଚାଲ୍ ।

Cabinet Resolution too tricky to be noted as honest

ଯାହା ଜଣାପଡୁଛି , ସରକାର ଭାଷା ଆନ୍ଦୋଳନ ଦାବିର ଗରିମା ଓ ଗୁରୁତ୍ବ ଉପଲବ୍ଧି କରିଛନ୍ତି ∣ ଆଜି ପୁରୀରେ ଅନୁଷ୍ଠିତ  ମନ୍ତ୍ରିମଣ୍ଡଳର ସ୍ବତନ୍ତ୍ର ବୈଠକରେ ଗୃହୀତ ପ୍ରସ୍ତାବର ପ୍ରେସନୋଟ ନିମ୍ନରେ ଦିଆଗଲା ∣ ଲକ୍ଷ୍ୟ କରିବାର କଥା , ଏଥିରେ ଅତି ଚତୁରତା ସହ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ଓଡ଼ିଆ ଜାତିକୁ ଯେଉଁ ଭାଷା ଅଧିକାର ଦେଇଥିଲା ତାହାକୁ ଖର୍ବ କରିବା ପାଇଁ ଓଡ଼ିଆ ବିଦ୍ଵେଷୀମାନେ ଉପାଦାନ ଖଞ୍ଜିଛନ୍ତି । ଆମକୁ ଏହାକୁ ବିରୋଧ କରିବାକୁ ହେବ ।
– ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ,ଓଡ଼ିଶା