Posts from the Current Topic Category

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନର ନାମ ବ୍ୟବହାର କରି ପବିତ୍ର ମହାରଥା କିପରି ବହୂଲକ୍ଷ ଟଙ୍କାର ଜାଲିଆତି ଓ ତୋଷରପାତ କରିଛନ୍ତି ତାହା ସପ୍ରମାଣ ପ୍ରକାଶ ପାଇଛି । ଏହି ଆର୍ଥିକ ଅପରାଧ ସହ ପ୍ରଦ୍ୟୁମ୍ନ ଶତପଥୀ କିପରି ଜଡିତ ହୋଇଛନ୍ତି ତାହା ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଭାବେ ମୁଁ ପୋଲିସରେ ଦାଖଲ କରିଥିବା ଏତଲାରେ ଉଲ୍ଲେଖ କରିଛି । ଏହି ଦୁଇ ବ୍ୟକ୍ତି ସରକାରଙ୍କ ସହ ହାତ ମିଳାଇ ଭାଷା ଆନ୍ଦୋଳନକୁ କିପରି ଲକ୍ଷ୍ୟଭ୍ରଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ତାହା ଏହି ଗଣମାଧ୍ୟମରେ ସକ୍ରିୟଥିବା ବନ୍ଧୁମାନଙ୍କୁ ଜଣା ।

ଯେହେତୁ ମୁଁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଭାବେ ଉପରୋକ୍ତ ଆର୍ଥିକ ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସରେ ଏତଲା କରିଛି ସେହେତୁ ମୋର ସେହି ପଦମର୍ଯ୍ୟାଦାକୁ ସଂକଟଗ୍ରସ୍ତ କରିବା ପାଇଁ ଏମାନେ ଚକ୍ରଧର ମହନ୍ତ (Chakradhar Mohanta) ନାମକ ବ୍ୟକ୍ତି ଭାଷା ଆନ୍ଦୋଳନର ଅଧ୍ୟକ୍ଷ ହୋଇଛନ୍ତି ବୋଲି ପ୍ରଚାର ଚଳାଇଛନ୍ତି ଓ ଗତକାଲି ଓଡ଼ିଆ ଭାଷାକୁ ଓଡିଶା ବିଧାନସଭାରେ ଯେଉଁ ମରଣ-ଆଘାତ ମିଳିଲା ତାହାକୁ ନିଜର ବିଜୟ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିବା ଉପରୋକ୍ତ ଦୁଇ ଅଭିଯୁକ୍ତ ଏହି ଚକ୍ରଧର ମହନ୍ତଙ୍କୁ ଉପସ୍ଥାପିତ ବି କରିଛନ୍ତି ଅଧ୍ୟକ୍ଷ ଭାବେ ।

କିଏ ଏହି ବ୍ୟକ୍ତି ? ଏ ଜଣେ ଅର୍ଥନୈତିକ ଅପରାଧୀ । ଜଳସେଚନ ବିଭାଗର ଦକ୍ଷିଣ ଓଡିଶା ମଣ୍ଡଳର ତତ୍ତ୍ଵାବଧାନ ଦାୟିତ୍ଵରେ ଥିବା ବେଳେ ଦୁର୍ନୀତି ମାଧ୍ୟମରେ ପ୍ରଚୁର ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ହେତୁ ଦୁର୍ନୀତି ନିବାରଣ ଆଇନ ବଳରେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି ଓ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଦୁର୍ନୀତି ନିବାରଣ ବିଭାଗର ସ୍ଵତନ୍ତ୍ର ଅଦାଲତରେ ଏହାଙ୍କ ବିରୁଦ୍ଧରେ ମୋକଦ୍ଦମା ହୋଇଛି ।

ଅର୍ଥନୈତିକ ଅପରାଧୀମାନେ ଅର୍ଥନୈତିକ ଅପରାଧରେ ସିଦ୍ଧହସ୍ତ ବ୍ୟକ୍ତିଙ୍କୁ ନିଜର ଅଧ୍ୟକ୍ଷ ଭାବେ ପରିଚିତ କରାଇବା ସ୍ଵଭାବିକ ।

ସବୁ ଜାଲିଆ ଗୋଟାଏ ଜାଗାରେ ଏବେ ଏକାଠି ! ଭାଷା ଆନ୍ଦୋଳନ କେଉଁଠି ସତେ ନ ପହଁଚିଲା !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଜି ସେପ୍ଟେମ୍ବର ୧୧, ୨୦୧୮ । ଆଜିକୁ ୧୪୭ ବର୍ଷ ତଳେ , ୧୮୭୦ର ଏହି ଦିବସରେ ଭାଷା ଭିତ୍ତିରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ସୃଷ୍ଟିର ପ୍ରଥମ ଦାବି ଉଠିଥିଲା ଗଂଜାମ ଜିଲ୍ଲାର ଘୁମୁସର ତାଲୁକ ରସୁଲକୋଣ୍ଡା ମୁକାମରେ ପୁଣ୍ୟଶ୍ଳୋକ ଦୀନବନ୍ଧୁ ପଟ୍ଟନାୟକଙ୍କ ଉଦ୍ୟମରେ ।

ଓଡ଼ିଆରେ ସମସ୍ତ ପ୍ରଶାସନିକ କାର୍ଯ୍ୟ ପରିଚାଳନା ପାଇଁ ଯେଉଁ ଓଡିଶା ପ୍ରଦେଶ ସୃଷ୍ଟି ହେଲା, ସେହି ପ୍ରଦେଶରେ ଏବେ ବି ଓଡ଼ିଆ ଭାଷା ପ୍ରଶାସନର ଭାଷା ହୋଇପାରିନି । ୧୯୫୪ର ଏହି ମାସରେ ସମ୍ବିଧାନ ଅନୁସାରେ ଗଠିତ ପ୍ରଥମ ବିଧାନସଭାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓଡ଼ିଆରେ ଓଡ଼ିଶାର ପରିଚାଳନା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଆଇନ ପ୍ରବର୍ତ୍ତନ କଲେ । କିନ୍ତୁ ତହିଁର ଉଲ୍ଲଙ୍ଘନ ହେଲେ ଦଣ୍ଡବିଧାନର ବ୍ୟବସ୍ଥା ନଥିବା ହେତୁ ତାକୁ କେହି ମାନିଲେ ନାହିଁ ।

ମୋ ନିଜର ଗବେଷଣା ଦ୍ଵାରା ଏହା ମୁଁ ନିରୂପଣ କଲା ପରେ ୨୦୧୫ର ଏହି ସେପ୍ଟେମ୍ବର ମାସ ୩ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ଜଣେ ସଦସ୍ୟ ଭାବେ ସରକାରଙ୍କୁ ମୁଁ ଏହା ଅବଗତ କରାଇଥିଲି ଓ ଆଇନଟି କିପରି ସଂଶୋଧନ ହେଲେ କାର୍ଯ୍ୟକାରୀ ହେବ ତାହାର ଚିଠା କରି ମଧ୍ୟ ଦେଇଥିଲି । ତହିଁରେ ଦୁଇଟି ବ୍ୟବସ୍ଥା ପ୍ରସ୍ତାବିତ ହୋଇଥିଲା : (୧) ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ଓ (୨) ଏହାର ପ୍ରୟୋଗ ପାଇଁ ନିୟମାବଳୀ ପ୍ରଣୟନ ସକାଶେ ସରକାରଙ୍କୁ ଦିଆଯାଇନଥିବା କ୍ଷମତା ପ୍ରଦାନ ।

ଏହା କାର୍ଯ୍ୟକାରୀ ହେଲେ ନିଜେ ଓଡ଼ିଆରେ କାମ କରିନପାରି ଦଣ୍ଡବିଧାନର ସମ୍ମୁଖୀନ ହେବା ଆଶଙ୍କା କରି ମୁଖ୍ୟମନ୍ତ୍ରୀ ଆଉ ଧରାଛୁଆଁ ଦେଲେନି ଓ ମନ୍ତ୍ରୀସ୍ତରୀୟ କମିଟିଟିକୁ ଅକାମି କରାଇଦେଲେ ।

ତେଣୁ ଏହି ସଙ୍କଟ ପ୍ରତି ଜନସଚେତନତା ସୃଷ୍ଟି କରିବାକୁ ମୁଁ ମୋର ପରିସୃଷ୍ଟ ପଦ୍ଧତ୍ତି “ନିରବ କଳାପତାକା ଅଭିଯାନ” ଆରମ୍ଭ କଲି ।

ଏହି ଅଭିଯାନରେ ମୋତେ ପ୍ରତିଦିନ ପତାକାଧାରୀ ଯୋଗାଉଥିଲେ ପ୍ରଦ୍ୟୁମ୍ନ ଶତପଥୀ ଓ ଏହାର ସମ୍ବାଦ ଗଣମାଧ୍ୟମକୁ ପ୍ରେରଣ କରୁଥିଲେ ପବିତ୍ର ମହାରଥା । ଫଳରେ ସରକାରଙ୍କ ସହ ବୌଦ୍ଧିକ ସଂଘର୍ଷ କରି ଆଇନ ସଂଶୋଧନ କରାଇବା ମୋ ପାଇଁ ସହଜସାଧ୍ୟ ଥିଲା । ମୋ ପ୍ରସ୍ତାବର ଗୋଟିଏ ଅଂଶକୁ ୨୧. ୫. ୨୦୧୬ ତାରିଖରେ ଅଧ୍ୟାଦେଶ ବଳରେ ସରକାର କାର୍ଯ୍ୟକାରୀ କଲେ, ଯାହା ପରେ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ, ୨୦୧୬ ଭାବେ ପ୍ରବର୍ତ୍ତିତ ହେଲା । ଏଥି ବଳରେ ନିୟମାବଳୀ ପ୍ରଣୟନ ଓ ପ୍ରବର୍ତ୍ତନ ପାଇଁ ସରକାର ଅଧିକୃତ ହେଲେ । କିନ୍ତୁ ଦଣ୍ଡବିଧାନ ପାଇଁ ଉଦ୍ଦିଷ୍ଟ ମୋର ଅନ୍ୟ ପ୍ରସ୍ତାବଟି ଏହି ସଂଶୋଧନରେ ସ୍ଥାନିତ ହେଲାନାହିଁ । କଳାପତାକା ଅଭିଯାନ ଚାଲୁରହିଲା ଓ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ପିତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରେ ପାଇଥିବା ଓଡ଼ିଆ ଭାଷା ବିରୋଧୀ ମନୋବୃତ୍ତି ହେତୁ ଓଡ଼ିଆ ଭାଷାକୁ ଜଖମ କରି ରଖିବାକୁ ଚାହାନ୍ତି ତାହା ଦର୍ଶାଇବାକୁ ତାଙ୍କ ବାପା ଓଡ଼ିଆ ଭାଷା ବିରୁଦ୍ଧରେ କରିଥିବା ଷଡ଼ଯନ୍ତ୍ରକୁ ‘ବିଜୁଙ୍କ ଛୁରା’ ଶୀର୍ଷକରେ ମୁଁ କ୍ରମାଗତ ଲେଖିବା ଆରମ୍ଭ କଲି । ଏଥିରେ ଚମକି, ଆଇନଟି କିପରି କାର୍ଯ୍ୟକାରୀ ହୋଇପାରିବ ତହିଁ ଉପରେ ୧୯. ୫. ୨୦୧୭ରେ ମୋ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସେଠାକୁ ମୁଁ ଉପରୋକ୍ତ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସାଙ୍ଗରେ ନେଇଯାଇଥିଲି ।

ସେହି ଅବସରରେ, ଏହି ଉଭୟଙ୍କ ଉପସ୍ଥିତିରେ ଏକ ଲିଖିତ ସ୍ମାରକପତ୍ର ଦେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ସ୍ପଷ୍ଟ ପରାମର୍ଶ ଦେଲି । (୧) ଭାଷା ଆଇନରେ ୨୦୧୬ ସଂଶୋଧନ ବଳରେ ଯୋଡ଼ା ହୋଇଥିବା ଧାରା – ୪ ଅତ୍ୟନ୍ତ ଦୁର୍ବଳ, ଅକୁଳାନ ଓ ଲକ୍ଷ୍ୟହୀନ ହୋଇଥିବା ହେତୁ ତାହାକୁ ସଂଶୋଧିତ ବା ପରିବର୍ତ୍ତିତ କରାଯାଇ ଉଲ୍ଲେଖ କରାଯାଉ କି, “ଭାଷା ଆଇନ ଉଲ୍ଲଙ୍ଘନ ହେବା ବିରୁଦ୍ଧରେ କାହାପାଖରେ କିପରି ଅଭିଯୋଗ ଦାଖଲ ହେବ ତାହା ନିୟମାବଳୀରେ ସ୍ପଷ୍ଟ କରି ସରକାର ଜନସାଧାରଣଙ୍କଠାରୁ ଅଭିଯୋଗ ଗ୍ରହଣ କରିବେ ଏବଂ ଏପରି ଅଭିଯୋଗ ଅଧିକନ୍ତୁ , ଭାଷା ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମକଦ୍ଦମା କରିବାକୁ ଓଡ଼ିଶାର ଯେ କୌଣସି ବ୍ୟକ୍ତିର ଅଧିକାର ପ୍ରତି କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ନକରି, ଭାଷା ଆଇନର ଅଧିସୂଚନାଗୁଡ଼ିକ କେହି ଅମାନ୍ୟ କରୁଛି କି ନାହିଁ ତାହା ନିଜ ଆଡୁ ତନଖି କରି ଅମାନ୍ୟକାରୀ ବିରୁଦ୍ଧରେ ଦଣ୍ଡବିଧି ବ୍ୟବସ୍ଥା ପ୍ରୟୋଗ କରିବେ ।” ଏବଂ (୨) ସଂଶୋଧିତ ଭାଷା ଆଇନ (୨୦୧୬) ଦ୍ଵାରା ପରିସୃଷ୍ଟ ଧାରା – ୫ ବଳରେ ଯେଉଁ ନିୟମାବଳୀ ପ୍ରବର୍ତ୍ତିତ ହୋଇଛି ତାହା ଆଇନର ଉଦ୍ଦେଶ୍ୟସିଦ୍ଧିର ଅନ୍ତରାୟ ହୋଇଥିବା ହେତୁ ତାକୁ ପରିହାର କରାଯାଇ ସରକାରୀ ୱେବସାଇଟରେ ସ୍ଥାନିତ ହୋଇଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଚିଠା ନିୟମାବଳୀକୁ ପ୍ରବର୍ତ୍ତିତ କରିବେ ।”

ଏତଦନୁଯାୟୀ , ଓଡ଼ିଆରେ କାମ ନ କରିବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ଚଳିତ ବର୍ଷ ମଇ ପହିଲାରେ ବିଧେୟକ ପାରିତ ହୋଇ ଓଡିଶା ସରକାରୀ ଭାଷା (ସଂଶୋଧନ) ଆଇନ, ୨୦୧୮ ଜନ୍ମ ନେଲା । କିନ୍ତୁ ଏହି ସଂଶୋଧନ ଥିଲା ସମ୍ପୂର୍ଣ ଚଂଚକତାପୂର୍ଣ୍ଣ ।

ସବୁଦିନପାଇଁ ଓଡ଼ିଶା ସରକାରୀ ଭାଷା ଆଇନକୁ ଅକାମି କରାଇଦେବା ସକାଶେ ଏଥିରେ ୪-କ ନାମକ ଏକ ନୂଆ ଧାରା ଖଞ୍ଜା ଯାଇ ଅତି ଅବୈଧ ଭାବେ ମୂଳ ଭାଷା ଆଇନର ସୀମା ସଂକୋଚନ କରାଯାଇଛି ଓ ଏହାର କାର୍ଯ୍ୟକାରିତାକୁ କର୍ମଚାରୀଙ୍କ ମର୍ଜୀ ପାଖରେ ବନ୍ଧା ପକାଇ ଦିଆଯାଇଛି ଏବଂ ଆଇନ ଉଲ୍ଲଙ୍ଘନ କଲେ କର୍ମଚାରୀଙ୍କ ବଦଳରେ ଜନସାଧାରଣ କିପରି ଦଣ୍ଡିତ ହେବେ ତା ପାଇଁ ବ୍ୟବସ୍ଥା କରାଯାଇଛି ।

ଓଡ଼ିଆ ଜାତି ବିରୁଦ୍ଧରେ ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ବିରୋଧ କରି କଳାପତାକା ଅଭିଯାନକୁ ଅଧିକ ଜୋରଦାର କରିବା ଉପରେ ମୁଁ ଗୁରୁତ୍ବ ଦେଲି । ମାତ୍ର ସେତେବେଳକୁ ବୋଧେ ମୋର ଉପରୋକ୍ତ ଦୁଇ ସହକର୍ମୀଙ୍କୁ ସରକାର ପୋଷାମନାଇ ସାରିଥିଲେ । କାରଣ ସେମାନେ କଳାପତାକା ଅଭିଯାନ ଅତି କମ୍ ଦୁଇମାସ ସ୍ଥଗିତ ରଖିବାକୁ ଜିଦ୍ କଲେ । ଯେହେତୁ ଏହି ନୂତନ ଧାରାରେ ବିହିତ ଦଣ୍ଡବିଧାନ ପାଇଁ ନିୟମାବଳୀରେ ବ୍ୟବସ୍ଥା ରହିବ ବୋଲି ଉଲ୍ଲେଖ ଥିଲା , ସେହେତୁ ନିୟମାବଳୀ ପ୍ରଣୟନ ପର୍ଯ୍ୟନ୍ତ କଳାପତାକା ଅଭିଯାନ ସ୍ଥଗିତ ରଖିବା ଉଚିତ ବୋଲି ସେମାନଙ୍କ ଯୁକ୍ତିଥିଲା । ସଂଶୋଧନ ବିଧାୟକରେ ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଯେହେତୁ ୨୬. ୧୨. ୨୦୧୭ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ପ୍ରସ୍ତାବ ଉପରେ ଯେହେତୁ ସଂଶୋଧନଟି ଆଧାରିତ ଓ ସେହି କ୍ୟାବିନେଟ ପ୍ରସ୍ତାବ ଯେହେତୁ ଭାଷା ଆଇନର ସୀମା ସଂକୋଚନ ପରି ଉପର ଲିଖିତ ଉପସର୍ଗଗୁଡ଼ିକ ସୃଷ୍ଟି କରିଛି ସେହେତୁ ଏହାକୁ ସମ୍ପୂର୍ଣ ବିଲୋପିତ କରାନଗଲେ ଆମ ଭାଷା ଉପରୁ ବିପତ୍ତି ହଟିବ ଅସମ୍ଭବ ବୋଲି ମୁଁ ଯେତେ ବୁଝାଇଲି, ଶତପଥୀ ଓ ମହାରଥା ନିଜ ଜିଦ୍ ଅଟଳ ରଖିଲେ । କଳାପତାକା ଅଭିଯାନଟି ବାସ୍ତବରେ ଚଳାଇବା ପାଇଁ ମୁଁ ଏହି ଦୁଇଜଣଙ୍କ ଉପରେ ସମ୍ପୂର୍ଣ ନିର୍ଭରଶୀଳ ଥିଲି । ଫଳରେ ଏମାନଙ୍କ କଥା ଅନୁସାରେ ଦୁଇ ମାସ ପାଇଁ କଳାପତାକା ଅଭିଯାନ ସ୍ଥଗିତ ରହିଲା । କିନ୍ତୁ ଯେହେତୁ ମୋ ବିଚାରରେ ଏହି ସଂଶୋଧନଟିକୁ ସମ୍ପୂର୍ଣ ପରିହାର କରାନଗଲେ ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ କେବେ ସମ୍ଭବ ହେବନାହିଁ , ସେହେତୁ ଏହି ସଂଶୋଧନ ବିଧେୟକଟିକୁ ଅନୁମୋଦନ ନକରି ବିଧାନସଭାକୁ ଫେରାଇ ଦିଆଯାଉ ବୋଲି ମୁଁ ଓଡ଼ିଶା ରାଜ୍ୟପାଳଙ୍କୁ ମଇ ୨୪,୨୦୧୮ରେ ଅନୁରୋଧ କଲି । ତାହା କାମ କଲାନାହିଁ । ଜୁନ ୨୯,୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ବି ଚିଠି ଲେଖି ମୋର ଅନୁରୋଧ ଦୋହରାଇଲି ଓ ୧୪.୦୩.୨୦୧୮ର କ୍ୟାବିନେଟ ପ୍ରସ୍ତାବକୁ ସମ୍ପୂର୍ଣ କବର ଦେଇ , ଏକ ପୁରୁଣା ଓ ଦୋଷପୂର୍ଣ୍ଣ ପ୍ରସ୍ତାବ ଉପରେ ଏହି ସଂଶୋଧନ ଆଧାରିତ କରି ଯେଉଁ ଶାସନସଚିବ ଓଡ଼ିଆ ଭାଷାକୁ ମାରିଦେବାପାଇଁ ଚକ୍ରାନ୍ତ କଲେ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକଲି ।

ନିଜ ଭୁଲ ସୁଧାରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ କଳାପତାକା ଅଭିଯାନକୁ ହତ୍ୟା କରିବା ପାଇଁ ଉପରୋକ୍ତ ଶତପଥୀ ଓ ମହାରଥାଙ୍କୁ ସୁପାରୀ ଦେଇଥିବା ମନେହୁଏ । କାରଣ ଏ ଦୁଇଜଣ ଜୁଲାଇ ୨ରେ ଆରମ୍ଭ ହେବାକୁ ଥିବା କଳାପତାକା ଅଭିଯାନର ୩ୟ ପର୍ଯ୍ୟାୟକୁ ଆଉ ୧୫ ଦିନ ଘୁଞ୍ଚାଇଦେବାକୁ ଜିଦ୍ କଲେ ଓ ସେମାନଙ୍କ ଉପରେ ମୁଁ ନିର୍ଭର କରୁଥିବା ହେତୁ ଅଗତ୍ୟା ତହିଁରେ ରାଜି ହେଲି ।

ଜୁଲାଇ ୧୬ରେ କଳାପତାକା ଅଭିଯାନ ଆରମ୍ଭ ହେଲା । ଏମାନେ ଅଭିଯାନର ଆରମ୍ଭ ସ୍ଥଳ – ବିଧାନସଭା ସମ୍ମୁଖସ୍ଥ ନବବାବୁଙ୍କ ପ୍ରତିମୂର୍ତ୍ତି – ପାଖକୁ ଆସିଲେ ନାହିଁ । ଆମେମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ଥିବାବେଳେ ହଠାତ ଆସି କହିଲେ , “ବିଧାନସଭାରେ ଆପଣ କହିଥିବା ଅନୁସାରେ ଆଇନ ସଂଶୋଧନ ହେବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି, ତେଣୁ କଳାପତାକା ଅଭିଯାନ ବିଧାନସଭାଯାଏଁ ସ୍ଥଗିତ ରଖିବାକୁ ଆମେ ତାଙ୍କୁ ପ୍ରତିଶ୍ରୁତି ଦେଇଛୁ ।” ମୋ ପାଇଁ ଏମାନଙ୍କ ଏହି ଅନଧିକୃତ ଆଚରଣ ଥିଲା ଏକ ଅତ୍ୟନ୍ତ ଆକସ୍ମିକ ଆଘାତ । ମୁଁ ପ୍ରତିବାଦ କଲି ଓ ସରକାର ଅଧ୍ୟାଦେଶ ଜାରିକରିବା ପର୍ଯ୍ୟନ୍ତ ବା ଏକ ପ୍ରେସ ନୋଟ ଜାରିକରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉପରେ ଗୁରୁତ୍ବ ଦେଲି । ଏ ଉଭୟେ ଆଉ ପାଞ୍ଚଜଣ ଲୋକଙ୍କୁ ସାଙ୍ଗରେ ଧରି ସନ୍ଧ୍ୟାବେଳେ ଗଣମାଧ୍ୟମରେ ପ୍ରଚାର କଲେ ଯେ, ଭାଷା ଆନ୍ଦୋଳନର ନିଷ୍ପତ୍ତି କ୍ରମେ କଳାପତାକା ଅଭିଯାନ ସ୍ଥଗିତ ହୋଇଗଲା !

ଓଡ଼ିଆ ଜାତି କଳାପତାକା ଅଭିଯାନ ସ୍ଥଗିତ କରିନାହିଁ । ପ୍ରତିଦିନ ଯଥାରୀତି ଏ ଅଭିଯାନ ଚାଲିଛି ଓ ଓଡ଼ିଆ ଭାଷା ଉପରୁ ବିପତ୍ତି ହଟିବା ଯାଏଁ ଚାଲିବ ।

ପବିତ୍ର ମହାରଥା ଭାଷା ଆନ୍ଦୋଳନର ସ୍ମରଣିକା ବାହାନାରେ ବହୂଲକ୍ଷ ଟଙ୍କା ଖାଇଯାଇଛନ୍ତି । ଏହି ଅପରାଧକୁ ଘଣ୍ଟଘୋଡେଇବାକୁ ଚେଷ୍ଟା କରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ । ଏହି ଅପରାଧ ଜଣାପଡ଼ିଲା ପରେ ମୁଁ ଯେତେବେଳେ ମହାରଥାଙ୍କ ଠାରୁ କୈଫିୟତ ମାଗିଲି, ପ୍ରଦ୍ୟୁମ୍ନ ଶତପଥୀ ଚିଠି ମାଧ୍ୟମରେ ମୋତେ ପ୍ରାର୍ଥନା କରିଥିଲେ ଜୁଲାଇ ୧୬ ତାରିଖଯାଏଁ ଅପେକ୍ଷା କରିବାପାଇଁ ଓ ସାମ୍ବାଦିକ ଅସିତ ମହାନ୍ତିଙ୍କୁ ତଥା ଆଉଜଣଙ୍କୁ ସାଙ୍ଗରେ ଧରି ମୋ ଘରକୁ ଆସି ତାଙ୍କ ଉପସ୍ଥିତିରେ ବି ମୋତେ ଏହି ପ୍ରାର୍ଥନା ପୁନରାୟ କରିଥିଲେ , ଯଦିଓ ଆଲୋଚନା କାଳରେ ମହାରଥାଙ୍କ ବିରୁଦ୍ଧରେ ଗୁଡ଼ାଏ ବିଷୋଦ୍ଗାର ବି କରିଥିଲେ । ଯାହା ମନେ ହୁଏ, ପବିତ୍ର ମହାରଥାଙ୍କ ଆର୍ଥିକ ଅପରାଧ ବିରୁଦ୍ଧରେ ମୁଁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଭାବେ ପୋଲିସରେ ଦେଇଥିବା ଅଭିଯୋଗକୁ ନିଷ୍ପ୍ରଭ କରିଦେବା ପାଇଁ ଭାଷା ଆନ୍ଦୋଳନରେ ସଙ୍କଟ ସୃଷ୍ଟି କରାଇବା ପ୍ରଦ୍ୟୁମ୍ନ ଶତପଥୀଙ୍କ ଚାଲ୍ ଥିଲା ଓ ସେ କେବଳ ସେଥିପାଇଁ କିଛି ସମୟ ଚାହୁଁଥିଲେ , ଯେଉଁ ସମୟରେ କି ଅର୍ଥମନ୍ତ୍ରୀଙ୍କ ସହ କଳାପତାକା ଅଭିଯାନକୁ ଖତମ କରିଦେବା ସକାଶେ ସୁପାରୀ ଆକାର ଚୂଡାନ୍ତ ହେବାର ଥିଲା ।

ଏ ଦୁଇ ଆତତାୟୀ ଯଦି ନିଜ ସ୍ଵାର୍ଥ ପାଇଁ ଏପରି କୁତ୍ସିତ ଆଚରଣ କରି ନଥାନ୍ତେ, ଚଳିତ ବିଧାନସଭାରେ ହିଁ ଭାଷା ଆଇନରେ କରାଯାଇଥିବା ଭୁଲ ସଂଶୋଧନ ସଂଶୋଧିତ ହୋଇ ଆଇନଟି ନିର୍ଭୁଲ ହୋଇପାରିଥାନ୍ତା ଓ ଆମ ଭାଷା ଉପରୁ ସରକାରୀ ସଙ୍କଟ ସବୁଦିନ ପାଇଁ ଅପସାରିତ ହୋଇଥାନ୍ତା ।

କଳାପତାକା ଅଭିଯାନ ସ୍ଥଗିତ ରହିଛି ବୋଲି ଏହି ଦୁଇ ସ୍ବାର୍ଥାନ୍ବେଷୀ ଆତତାୟୀ ଯେଉଁ ପ୍ରଚାର କଲେ, ତାହା ମିଥ୍ୟା ଦର୍ଶାଇବାକୁ ରଞ୍ଜନ କୁମାର ଦାସ ଓ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ କେନ୍ଦ୍ରାପଡା ଓ କଟକର ୮ ଜଣ ଭାଷାପ୍ରାଣ ଯୁବନେତା ସତ୍ୟଭାମାପୁରରେ ଥିବା ମଧୁବାବୁଙ୍କ ଅନ୍ତୁଡ଼ିଘରଠାରୁ ୮୭ କିଲୋମିଟର ପଥ କଳାପତାକା ସହ ପାଦରେ ଚାଲିଚାଲି ଅଗଷ୍ଟ ୧୭ ତାରିଖରେ ଭୁବନେଶ୍ୱରରେ ଅଭିଯାନ ଚଳାଇ ସରକାରଙ୍କୁ ଛାନିଆ କଲା ପରେ, ସରକାର ଜନସାଧାରଣଙ୍କୁ ଭୁତେଇଦେବା ପାଇଁ ୨୧ ତାରିଖରେ ଆଦେଶ ଜାରି କଲେ କି, ଓଡ଼ିଶାର ସର୍ବତ୍ର ୧୫ ଦିନ ମଧ୍ୟରେ ସରକାରୀ ଓ ବେପାରୀ ପ୍ରତିଷ୍ଠାନର ନାମ ଓ ପ୍ରଜ୍ଞାପନ ଫଳକ ଓଡ଼ିଆରେ ନ ଲେଖିଲେ ଦଣ୍ଡବିଧାନ ହେବ । ତାହା ଏଯାଏଁ ହୋଇନାହିଁ । କାରଣ ଏଥିପାଇଁ ଆଇନଟି ଯାହା ହେବା କଥା ତାହା ହୋଇନାହିଁ । ସତେ ଯେମିତି ଗବାମାନେ ହିଁ ବିଧାନସଭାରେ ବସୁଛନ୍ତି, ମତଲବଖୋର ଅମଲାତନ୍ତ୍ର ଯେପରି ଆଇନ ଚିଠା କଲା ସେହିପରି ତାହା ପାରିତ ହେଲା !

ଠିକ୍ ଏହିପରି ଏ ମାସ ୫ ତାରିଖରେ ଭାଷା ଆନ୍ଦୋଳନର ଉପସଭାପତି କମଳ ଲୋଚନ ନାୟକ ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ବିଭୂଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ବରେ ବରୁଣାଇ ପୀଠଠାରୁ ଭୟଙ୍କର ବର୍ଷା ସତ୍ତ୍ଵେ ୧୦ ଜଣ ଭାଷାପ୍ରାଣ ପାଦରେ ଚାଲି ଚାଲି କଳାପତାକା ସହ ଭୁବନେଶ୍ୱରରେ ପହଞ୍ଚି ରାଜଧାନୀର ଛାତି ଚହଲାଇ ଦେଲାପରେ ସରକାର ଅତର୍ଛରେ ଭାଷା ଆଇନ ସଂଶୋଧନ ପ୍ରସ୍ତାବ ଗ୍ରହଣ କରିଛନ୍ତି କ୍ୟାବିନେଟରେ । କିନ୍ତୁ ଖଳବୁଦ୍ଧି ଛାଡ଼ିନାହାନ୍ତି ।

ବିଧାନସଭା ନିକଟରେ ସରକାର ଏଯାଏଁ ଏ ପ୍ରସ୍ତାବ ରଖିନାହାନ୍ତି ; କିନ୍ତୁ କ୍ୟାବିନେଟରେ ଗୃହୀତ ଏହି ପ୍ରସ୍ତାବ ମୁଁ ପାଇଛି । ଏହାକୁ ଯଦି ସରକାର ଏହି ବିଧାନସଭାରେ ଆଇନର ରୂପ ଦିଅନ୍ତି ତେବେ ତାହା ହେବ ଓଡ଼ିଆ ଭାଷା ଜନନୀ ଉପରେ ଏକ ମର୍ମନ୍ତୁଦ ମରଣ ଆଘାତ । କାରଣ,ତାହା ମଇ ପହିଲର କୁତ୍ସିତ ଅଭିସନ୍ଧିସମ୍ପନ୍ନ ସଂଶୋଧନକୁ ବିଲୋପ କରିବା ପରିବର୍ତ୍ତେ ଅଧିକ ଆଇନସମ୍ମତ କରାଇବ ।

ଓଡ଼ିଆ ଭାଷାଜନନୀ ଉପର ଉଲ୍ଲିଖିତ ଦୁଇ ଆତତାୟୀଙ୍କ ଦ୍ଵାରା ଯେପରି ବିପତ୍ତିରେ ପଡିଛି ସେପରି ସଙ୍କଟ କେବେ ବି ସୃଷ୍ଟି ହୋଇ ନଥିଲା ତା ଜୀବନରେ ଆଜିଯାଏଁ । ଓଡ଼ିଆ ଭାଷାକୁ ନେଇ ସାହିତ୍ୟ ଲେଖୁଥିବା, ନିଜକୁ ଓଡ଼ିଆ ବୋଲି କହି ଗର୍ବ କରୁଥିବା ପ୍ରତି ଶିକ୍ଷିତ ସଚେତନ ବ୍ୟକ୍ତି ନିଜ ଭାଷା ଉପରେ ପଡିଥିବା ଏହି ସଙ୍କଟ ଅବିଳମ୍ବେ ଅନୁଧ୍ୟାନ କରନ୍ତୁ ଓ ଏହାର ନିରାକରଣ ପାଇଁ ୨୦୧୮ ମଇ ପହିଲାର ସଂଶୋଧନ ବିଲୋପ କରିବାକୁ ଓ ବିଧାନସଭାର ଚଳିତ ଅଧିବେଶନରେ ଆସିବାକୁ ଥିବା ପ୍ରମାଦପୂର୍ଣ୍ଣ ସଂଶୋଧନ ପରିବର୍ତ୍ତେ ଏକ ନିର୍ଭୁଲ ସଂଶୋଧନ ପାଇଁ ଦାବି ତୋଳନ୍ତୁ ।

କାରଣ, ଆଜକୁ ୧୪୭ ବର୍ଷ ତଳେ ଯେଉଁ ସ୍ଵପ୍ନ ସ୍ଵତନ୍ତ୍ର ଓଡିଶା ପ୍ରଦେଶକୁ ସୃଷ୍ଟି କରିଥିଲା, ସେହି ସ୍ଵପ୍ନକୁ ଉଜୁଡ଼ି ଯିବାକୁ ଆମେ ଦେବା ନାହିଁ ।

ବିଶେଷ ସମ୍ବାଦଦାତା

ଓଡ଼ିଆ ଭାଷାକୁ ଅକାମି କରି ରଖିବା ପାଇଁ ସରକାର ଚଳାଇଥିବା ସବୁ ଷଡଯନ୍ତ୍ର ପଣ୍ଡ ହେବାରେ ଲାଗିଛି ।

ବୁଦ୍ଧିର ଲଢ଼େଇରେ ନ ପାରିବା ଫଳରେ ଭାଷା ଆନ୍ଦୋଳନର କିଛି ଅସାଧୁ ବ୍ୟକ୍ତିଙ୍କୁ ସୁପାରୀ କିଲର ପରି ବ୍ୟବହାର କରି ଜୁଲାଇ ୧୬ରୁ ପୁନଃ ଆରମ୍ଭ ହେବାକୁ ଥିବା କଳାପତାକା ଅଭିଯାନକୁ ନିସ୍ପନ୍ଦ କରାଇ ଦେବାକୁ ଚକ୍ରାନ୍ତ କରିଥିଲେ ସରକାର । କଳାପତାକା ଅଭିଯାନ ପଦ୍ଧତ୍ତିର ସ୍ରଷ୍ଟା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତହିଁର ପ୍ରୟୋଗ ପାଇଁ ସାଙ୍ଗଠନିକ ମଂଚ ଭାବେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲାବେଳେ, ପ୍ରତିଦିନ କଳାପତାକା ଧରିବା ପାଇଁ ସାଥୀ ଯୋଗାଇବା ଦାୟିତ୍ବ ନେଇଥିଲେ ପ୍ରଦ୍ୟୁମ୍ନ ଶତପଥୀ ଓ ପ୍ରତିଦିନର ବିବରଣୀ ଗଣମାଧ୍ୟମକୁ ପଠାଇବା ଥିଲା ପବିତ୍ର ମହାରଥାଙ୍କ କାମ , ଯାହାକୁ କି ସେମାନେ ତୁଲାଉଥିଲେ । ସୁତରାଂ ଶ୍ରୀ ପଟ୍ଟନାୟକ ଆନ୍ଦୋଳନ ସପକ୍ଷରେ ସାହିତ୍ୟ ସୃଷ୍ଟିକରିବା ଓ ସରକାରୀ କଳକୁ ସାମ୍ନା କରିବା କାର୍ଯ୍ୟ ସଫଳତାର ସହ କରିପାରୁଥିଲେ ।

ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟ ହୋଇ ଆଇନ ସଂଶୋଧନ କରିବାକୁ ନିଷ୍ପତ୍ତି ନେଲାପରେ, ଭ୍ରମାତ୍ମକ ଭାବେ ସଂଶୋଧନ ଚିଠା ତିଆରିକରି ରାଜ୍ୟର ଇଂରାଜୀମନସ୍କ ଅମଲାତନ୍ତ୍ର ମୁଖ୍ୟମନ୍ତ୍ରୀ/ମନ୍ତ୍ରୀଙ୍କୁ ଉପଯୋଗ କରି ବିଧାନସଭାର ଗତ ଅଧିବେଶନରେ ଏପରି ସଂଶୋଧନ ଘଟାଇଲେ ଯେ, ତଦ୍ଦ୍ଵାରା ମୂଳ ଆଇନଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଓଡ଼ିଆ ଭାଷା ଅଧିକ ବିପଦାପନ୍ନ ହେବା ସୁନିଶ୍ଚିତ ବୋଲି ଆଶଙ୍କା ଉପୁଜିଲା । ତେଣୁ ସେହି ସଂଶୋଧନକୁ ପ୍ରତ୍ୟାଖ୍ୟାନ କରି ବିଧାନସଭାକୁ ଫେରାଇ ଦେବାପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ଅନୁରୋଧ କଲେ ଓ ତାହା ଫଳବତୀ ନ ହେବାରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସଂଵୋଧନଟି କାହିଁକି ଓଡ଼ିଆ ଭାଷା ପାଇଁ ଅଧିକ କ୍ଷତିକାରକ ତାହା ଜଣାଇଲେ ଏବଂ ତାହାର ବିଲୋପନ ପାଇଁ ପଦକ୍ଷେପ ନେବା ସଂଗେ ସଂଗେ ସାନି ସଂଶୋଧନ ଦ୍ଵାରା ଆଇନଟିକୁ ସମ୍ପୂର୍ଣ ତ୍ରୁଟିଶୂନ୍ୟ କରିବାକୁ ଅନୁରୋଧ କଲେ । ବସ୍ତୁତଃ, ସେହି ଆପତ୍ତିଜନକ ସଂଶୋଧନ ସମ୍ପୂର୍ଣ୍ଣତଃ ବିଲୋପନ କରା ନଗଲେ, ମୂଳ ଭାଷା ଆଇନଟି କେବେ ବି ତହିଁର ଉଦ୍ଦେଶ୍ୟ ଅନୁରୂପ କାର୍ଯ୍ୟକାରୀ ହେବ ନାହିଁ – ଏହା ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ । ସରକାର ଅଡୁଆରେ ପଡିଗଲେ । ସୁତରାଂ ଭାଷା ଆନ୍ଦୋଳନକୁ ଅକାମି କରାଇଦେବାପାଇଁ ଆତତାୟୀ ଖୋଜା ଚାଲିଲା ଓ ସରକାର ଉପରୋକ୍ତ ଦୁଇ ବ୍ୟକ୍ତିଙ୍କୁ କରାୟତ କରିନେଲେ । ସରକାର ଭାବିଥିଲେ ଯେ, ଉପରୋକ୍ତ ଦୁଇ ବ୍ୟକ୍ତି ଯେହେତୁ ପ୍ରତ୍ୟହ ଲୋକ ଯୋଗାଣ ଓ ସମ୍ବାଦ ସମ୍ପ୍ରସାରଣ କରୁଥିବା ହେତୁ କଳାପତାକା ଅଭିଯାନ ଚାଲିଥିଲା,ସେମାନଙ୍କୁ ଆୟତ୍ତକୁ ନେଇଗଲେ କଳାପତାକା ଅଭିଯାନ ଅପା ଆପେ ବନ୍ଦ ହୋଇଯିବ । ତାହା ହେଲା ନାହିଁ ।

ଏହି ବିଶ୍ଵାସଘାତକତା ପରେ କିଛି ସମୟର ଦୁଃଖ-ଝଡ଼ରେ ଝାଉଁଳି ପଡିଥିବା ଓଡ଼ିଆ ଜାତି ଜୁଲାଇ ୧୭ ତାରିଖ ସକାଳେ ନବବିକ୍ରମରେ ଜାଗିଉଠିଲା । ଜୁଲାଇ ୧୭ରେ କଳାପତାକା ଅଭିଯାନର ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ
ଅନୁସାରେ ପହଁଚିଲେ ବୈଜ୍ଞାନିକ ଡକ୍ଟର ଅଶୋକ ମିଶ୍ର ଏବଂ ସେ ହିଁ ସୁଭାଷ ବାବୁଙ୍କ ସହ ଚାଲି ସେହି ଘୋର ସଂକଟଜନକ ସ୍ଥିତିରେ ବଞ୍ଚାଇ ରଖିଲେ ଅଭିଯାନକୁ । ତହିଁ ପରେ ପରେ ଆସିଲେ କୁମାରୀ ସଂଘମିତ୍ରା ଜେନା, ଆସିଲେ ଛତ୍ରପୁରରୁ ଭାଷାଜନନୀର ପରମ ଅନୁଗତ ସୌମ୍ୟରଞ୍ଜନ ନାୟକ ଓ ସାଗର କୁମାର ବେହେରା, ଆସିଲେ ବେସାଲିସ କ୍ରାନ୍ତିକାରୀ ବିନୟ ପାଣିଗ୍ରାହୀ, ଆନନ୍ଦ ମହାପାତ୍ର ଏବଂ ଆସିଲେ “ଭାଷା ମା ପାଇଁ ଘଣ୍ଟାଟିଏ” ମନ୍ତ୍ର ଦେଇ ଅତୀତରେ ଭାଷା ଆନ୍ଦୋଳନ ସହ ଶିକ୍ଷିତ ଯୁବ ସମ୍ପ୍ରଦାୟକୁ ଜଡ଼ିତ କରିଥିବା ସଞ୍ଜୀବ ପତ୍ରୀ, ଭାଷା ଅସ୍ମିତା ପାଇଁ ପୋଲିସ ନିର୍ଯ୍ୟାତନା ଭୋଗିଥିବା ପ୍ରମୋଦ ଦେବ ପ୍ରମୁଖ । ଭାଷା ମାଆର ଘୋର ବିପତ୍ତି ବେଳାରେ ତାର ଉପରୋକ୍ତ ସନ୍ତାନମାନେ ଯେଉଁ ସଂହତି ପ୍ରଦର୍ଶନ କଲେ, ବିଶେଷତଃ ସଂଘମିତ୍ରା, ସୌମ୍ୟ ଓ ସାଗର ଯେପରି ନିଜର ସମସ୍ତ ଜଞ୍ଜାଳ ଭୁଲି, ଏପରିକି ଘରଦ୍ଵାର ଭୁଲି ଭୟଙ୍କର ବର୍ଷାରେ ଭିଜି ଅଭିଯାନଟିକୁ ଆତତାୟୀମାନଙ୍କ କବଳରୁ ରକ୍ଷା କଲେ, ତାହା ସାବ୍ୟସ୍ତ କରିଦେଲା ଯେ, ଓଡ଼ିଆ ଜାତି ତା ଭାଷାଜନନୀକୁ ରକ୍ଷା କରିବାକୁ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଯିବ ।

ଉଷା ଉଦୟ ହେଲେ ଦିନ ଯେମିତି ଦୁରେଇ ରହି ପାରେନି, ସେମିତି ଉପରୋକ୍ତ ଦୁଇ ଆତତାୟୀଙ୍କ ହେତୁ ପ୍ରାୟ ସପ୍ତାହେ କାଳ ଝାଇଁମରା ହୋଇଯାଇଥିବା ଅଭିଯାନ ପୂର୍ଣ୍ଣ ଶକ୍ତିଶାଳୀ ହୋଇଉଠିଲା ସଂଜୀବ ପତ୍ରୀ , ପ୍ରମୋଦ ଦେବ ପ୍ରମୁଖ ଏହି ଅଭିଯାନକୁ ଫେରିଆସିବା ପରେ ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓଡ଼ିଆଭାଷାପ୍ରାଣମାନେ ଧାଇଁଆସିଲେ କଳାପତାକା ଧରିବା ପାଇଁ । ଭାଷା ତପସ୍ବୀ ଗଜାନନ ମିଶ୍ର, ଭବାନୀଶଙ୍କର ପରିଜା, କମଳ ଲୋଚନ ନାୟକ , ମାନସ ପଟ୍ଟନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ, ଅମିତ ଅଭିଜିତ ସାମଲ, ପ୍ରଫେସର ଡକ୍ଟର କୁଳମଣି ନାୟକ, ମନୋଜ କୁମାର ପଣ୍ଡା, ବୀର କିଶୋରେ ବେହେରା , ଶିଶିର କୁମାର ସାହୁ, ଅବକାଶ ସାହୁ , ରାଜନାରାୟଣ ଡ଼ାଳୁଆ, ତ୍ରିଲୋଚନ ବାରିକ, ସୁଭାଷ ଚନ୍ଦ୍ର ସାହୁ,ସୁଜିତ କୁମାର ନାୟକ , କୃପାସିନ୍ଧୁ ଦାଶ,ରାକେଶ କୁମାର ଚାନ୍ଦ , ପ୍ରମୋଦ ପଢ଼ିଆରୀ, ଜିତେନ୍ଦ୍ର ସାସମଲ , ସତ୍ୟନାରାୟଣ ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ , ରା଼ଞ୍ଜୁଲତା ମହାପାତ୍ର, ନିରାକାର ସାହୁ , ଅଶୋକ ମହାନ୍ତି, ଗୋପୀନାଥ କିଷାନ , ଜ୍ୟୋତିପ୍ରକାଶ ମହାନ୍ତି, ତପନ କୁମାର ସେଠି , ପ୍ରଭାତ କୁମାର ବେହେରା, ଗଣେଶ ଚନ୍ଦ୍ର ପରିଡା , ସ୍ପନ୍ଦନ ଜ୍ଞାନଜିତ, ନରେଶ କୁମାର ମହାନ୍ତି , ଦିଲ୍ଲୀପ କୁମାର ସାମନ୍ତରାୟ, ଅଭିଷେକ ଦାଶ , ଦିବ୍ୟଜ୍ୟୋତି ଜେନା, ଆଶିଷ କୁମାର ଦାଶ , ତପନ ପାଢ଼ୀ, ପ୍ରଦୀପ ପ୍ରଧାନ , ପ୍ରସନ କୁମାର ପ୍ରଧାନ,ପ୍ରମୋଦ ରାଉତ, ଦେବାଶିଷ ଶତପଥୀ, ବୀରେନ୍ଦ୍ର ଚୌହାନ, ନିକୁଞ୍ଜ ବିହାରୀ ପଣ୍ଡା , ସଞ୍ଜୟ ସାହୁ, ଦୀପକ କୁମାର ସାହୁ, ଅଜୟ କୁମାର ଜେନା, ହରେକୃଷ୍ଣ ପଟ୍ଟନାୟକ, ସୁଜିତ କୁମାର ନାୟକ, ମାନସ ବିଶୋଇ, ସଂଗ୍ରାମ କେଶରୀ ବେହେରା,କେଦାରନାଥ ସାହୁ, ସରୋଜ ମହାପତ୍ର, ତପନ ମହାନ୍ତି, ନରେନ୍ଦ୍ର କୁମାର ବେହେରା, ନରେନ୍ଦ୍ର କୁମାର ସେଠି, ସୁବାସ ଚନ୍ଦ୍ର ହୋତା, ରିଂକନ ନାରାୟଣ,ଧ୍ରୁବ ଚରଣ ମହାନ୍ତି, ପ୍ରଦ୍ୟୋତ କୁମାର ବିଶୋଇ , ବିଜୟ ମଲ୍ଲିକ, ମାନସୀ ବିଶ୍ବାଳ, ରାଜଲକ୍ଷ୍ମୀ ନାୟକ, ନନ୍ଦିନୀ ଶତପଥୀ,କବିତା ସାମନ୍ତରାୟ , ଲଲାଟ ଚନ୍ଦ୍ର ପତ୍ର, ପ୍ରିତୀଶ କୁମାର ବଳିୟାରସିଂହ , ପ୍ରଶ୍ନଜିତ ରାୟ, ଅମୁଲ୍ୟ ଦାଶ , ସନ୍ଦୀପ ମହାନ୍ତି, ଶ୍ରୀନୁ ନାୟକ ପ୍ରମୁଖ । ରାଜେନ୍ଦ୍ର ବିଶ୍ବାଳଙ୍କ ନେତୃତ୍ବରେ ବ୍ୟାସନଗରରେ ଯେମିତି କଳାପତାକା ଚାଲିଲା, ଅଶୋକ ପରିଡାଙ୍କ ନେତୃତ୍ବରେ ସେମିତି ଫୁଲବାଣୀରେ । ସରକାର ଚମକିଲେ ।

ଅଗଷ୍ଟ ୧୭ରେ କୁଳଗୌରବ ମଧୁସୂଦନଙ୍କ ଏନ୍ତୁଡ଼ିଶାଳ ଘରୁ ସତ୍ୟଭାମାପୁରର ଛାତ୍ରଛାତ୍ରୀମାନେ “ଆମ ଭାଷା ମାଆକୁ ଆତତାୟୀମାନଙ୍କ କବଳରୁ ରକ୍ଷାକର” ବୋଲି କହି, କଳାପତାକା ଧରାଇଦେଲେ କେନ୍ଦ୍ରାପଡ଼ା ଜିଲ୍ଲାର ରଞ୍ଜନ କୁମାର ଦାସ, ଓ କଟକ ଜିଲ୍ଲାର ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଆସୁଥିବା ଓଡ଼ିଆ ଭାଷା ଜନନୀଙ୍କ ବିଜୟ ବାହିନୀକୁ ଯେଉଁମାନଙ୍କ ଭିତରେ ଥିଲେ ଉପରୋକ୍ତ ଦୁଇ ସୁଯୋଗ୍ୟ ଓଡ଼ିଆଙ୍କ ସମେତ ଆଲୟ ସାମନ୍ତରାୟ,ନରେଶ ବେଉରା, ଆଶିଷ କୁମାର ଖଟୁଆ, ସୂର୍ଯ୍ୟ ପ୍ରକାଶ ପାଣି, ଓ ପ୍ରତାପ ମହାନ୍ତି । ଦୀର୍ଘ ୮୭ କିଲୋମିଟର ବାଟ ପାଦରେ ଚାଲି ଚାଲି ସମଗ୍ର ଅଂଚଳରେ ଭାଷା ଜନନୀଙ୍କ ବିପତ୍ତି ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇ ଏହି ବିଜୟବାହିନୀ ଯେତେବେଳେ ରାଜଧାନୀ ଭୁବନେଶ୍ୱରରେ ପହଁଚିଲା ସାରା ସହର ଚେଇଁ ଉଠିଲା ନିଦରୁ ତାର ମା ପାଇଁ । ନାହିଁନଥିବା ଉନ୍ମାଦନା ଖେଳିଗଲା ଭାଷା ମା ପାଇଁ ପ୍ରତିବଦ୍ଧତାର ତାଳେ ତାଳେ । କଳାପତାକା ଅଭିଯାନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସୌମ୍ୟ ରଞ୍ଜନ ନାୟକ ସାମାଜିକ ଗଣମାଧ୍ୟମ Facebookରେ ତହିଁର ସିଧାପ୍ରସାରଣ କରି ଛନକା ଭରିଦେଲେ ସରକାରଙ୍କ ଛାତିରେ । ସାଧାରଣ ମଣିଷର ବୌଦ୍ଧିକସ୍ଵର ଭାବେ ସୁବିଦିତ ସତୀଶ ମିଶ୍ର ପ୍ରତିଜ୍ଞା ଟିଭିର ଛାଇ ଶୀର୍ଷକରେ ତାକୁ ଜନର୍ପିତ କଲେ ।

ସରକାର ଏତେ ଅତର୍ଛି ଗଲେ ଯେ, ଲୋକଙ୍କୁ ତୁରନ୍ତ ଆଶ୍ଵାସନା ଦେବାପାଇଁ ଏହି ଝଟକାର ସପ୍ତାହେ ନ ପୂରୁଣୁ ଅଗଷ୍ଟ ୨୧ ତାରିଖରେ ଏକ ଉଚ୍ଚସ୍ତରୀୟ କମିଟି ବସାଇ ୧୫ ଦିନ ଭିତରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବାକୁ , ତା ନ ହେଲେ ଦଣ୍ଡବିଧାନର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଲେ । କଳାପତାକାର ତେଜ କବଳରୁ ନିସ୍ତାର ପାଇବା ପାଇଁ ଏହା ତତ୍କାଳ କେବଳ ଏକ ପ୍ରହସନ ଥିଲା ।

ତେଣୁ ଏଥିରେ ବିଭ୍ରାନ୍ତ ନ ହୋଇ , ନିଜ ମାତୃଭାଷା ପାଇଁ ପ୍ରତିବଦ୍ଧ ଓଡ଼ିଆ ଭାଇଭଉଣୀମାନେ ଏ ଅଭିଯାନକୁ ତେଜୀୟାନ କରିଚାଲିଲେ ।

ସେପ୍ଟେମ୍ବର ୫ ଥିଲା ଗୁରୁଦିବସ । ସେଦିନ ଖୋର୍ଦ୍ଧାରୁ କଳାପତାକା ଧରି ମାତୃଭାଷାର ବିଜୟବାହିନୀର ବିଶିଷ୍ଟ ସଦସ୍ୟ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ , ଡକ୍ଟର ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା,ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରଶ୍ନଜିତ ରାୟ ପ୍ରମୁଖ ଭାଷା ଆନ୍ଦୋଳନର ରାଜ୍ୟ ଉପସଭାପତି କମଳ ଲୋଚନ ନାୟକ ଓ ଜିଲ୍ଲା ସଭାପତି ବିଭୁଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ବରେ କଳାପତାକା ଓ ଦାବିଫଳକ ସହ ଭୀଷଣ ବର୍ଷାକୁ ବେଖାତିର କରି ଚାଲିଚାଲି ଭୁବନେଶ୍ୱର ଆସି ନିଜ ଭାଷା ଜନନୀ ପାଇଁ ଓଡ଼ିଆ ଜାତି କିପରି ଜାଗିଉଠିଲାଣି ତାହାର ଏକ ଝଲକ ଦେଲେ ଯେଉଁଥିରେ ଝଳି ଉଠିଥିଲା ବିଭାସ ଆନ୍ଦୋଳନର ଦାବି : “ସରକାରୀ ଷଡଯନ୍ତ୍ର ବନ୍ଦ ହେଉ , ଭାଷା ଆଇନର ନିର୍ଭୁଲ ସଂଶୋଧନ ହେଉ ।”

ଏହା ସରକାରଙ୍କ ଛାତିରେ ଛନକା ଭରିଦେଇଛି । ଖୋର୍ଦ୍ଧା ବାହିନୀ ରାଜଧାନୀରେ ଭାଷା ଅସ୍ମିତାର ଵୀରତ୍ବବ୍ୟଞ୍ଜକ ସ୍ଵାକ୍ଷର ଖୋଦିତ କରିବାର ଦିନକ ପରେ ଭଉଣୀ ସଙ୍ଗୀତା କିଷାନ, ମାହେ ନିଖାତ୍, ରୀନା ବେହେରା ଓ ଉଷା ଶୁକ୍ଲା ଗତକାଲି କଳାପତାକା ଅଭିଯାନରେ ଯୋଗ ଦେବା ଓ ଭାଷା ଆନ୍ଦୋଳନର ସହସମ୍ପାଦିକା ସଂଘମିର ଜେନା ବି ସେମାନଙ୍କ ସହ ସାମିଲ ହେବ ସରକାରଙ୍କୁ ଛାନିଆ କରିଦେଇଛି ।

ଏହି ପ୍ରବଳ ଚାପର ସମ୍ମୁଖୀନ ହୋଇ, ସରକାର ଅତର୍ଚ୍ଛରେ ଭାଷା ଆଇନ ପୁନଃ ସଂଶୋଧନ ପାଇଁ ସେପ୍ଟେମ୍ବର ୭ ତାରିଖର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

ଯେତିକି ବାହାରକୁ ଜଣାପଡୁଛି, କଳାପତାକା ଅଭିଯାନ ଚାପରେ ସରକାର ଆଇନ ସଂଶୋଧନ ପାଇଁ ଆପାତତଃ ପ୍ରସ୍ତୁତ । ଏଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳ ଆଉ ଏକ ସୁଯୋଗ ଦେଇଛି । ଏହି ସୁଯୋଗର ସଦୁପଯୋଗ କରି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଶାସନକଳ ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ପ୍ରଦାନ କରିଥିବା ପାତ୍ରାନୁସାରେ ନିର୍ଭୁଲ ଭାବେ ଭାଷା ଆଇନଟିକୁ ଏହି ବିଧାନସଭାରେ ସଂଶୋଧନ ଓ ଆଇନଟିର ଉଦ୍ଦେଶ୍ୟ ପଣ୍ଡକରୁଥିବା ୧୯୬୩ ଓ ୨୦୧୮ର ସଂଶୋଧନଗୁଡ଼ିକର ବିଲୋପନ କରି ଓଡ଼ିଆ ଭାଷାକୁ ବିପଦମୁକ୍ତ କରିବେ ବୋଲି ଭାଷା ଆନ୍ଦୋଳନ ଆଶା କରୁଛି ।

ଭୁବନେଶ୍ଵର, ୫.୯.୨୦୧୮

ଆମ ଭାଷା ଆମ ମା । ଆମ ମା ପାଇଁ ଆମ ଲଢ଼େଇ । ଏ ଲଢ଼େଇରେ ଆଜି ଭାଷା ଜନନୀଙ୍କ କଳାପତାକା ହାତରେ ଧରି ଖୋର୍ଦ୍ଧା ପରିକ୍ରମା କରିଥିଲେ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ ,ଡ. ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା ।

ସେଠାରୁ ଚାଲି ଚାଲି ଭୁବନେଶ୍ୱର ଆସିଥିଲେ ବିଭୁଦେନ୍ଦ୍ର ବିଦ୍ୟାଧର, ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରସେନଜିତ ରାୟ । ନେତୃତ୍ବ ଦେଇଥିଲେ ଭାଷା ଆନ୍ଦୋଳନ, ଓଡ଼ିଶାର ଉପସଭାପତି କମଳ ଲୋଚନ ନାୟକ ।

ଭୁବନେଶ୍ଵରରେ ସେମାନଙ୍କୁ ସ୍ଵାଗତ ଜଣାଇଥିଲେ ଭାଷା ଆନ୍ଦୋଳନର ସମ୍ପାଦକ ପ୍ରମୋଦ କୁମାର ଦେବ, “ଭାଷା ମା ପାଇଁ ଘଣ୍ଟାଟିଏ ” ମନ୍ତ୍ର ସ୍ରଷ୍ଟା ସଂଜୀବ ପତ୍ରୀ , ସହସଂପାଦିକା ସଂଘମିତ୍ରା ଯେନା , କୋଷାଧ୍ୟକ୍ଷ ବୀର କିଶୋର ବେହେରା । ଅଧକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆଇନ ପ୍ରଦାତା ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ବିଧାନସଭା ସମ୍ମୁଖସ୍ଥ ପ୍ରତିମୂର୍ତ୍ତିରେ ସମସ୍ତଙ୍କ ଗହଣରେ ପୁଷ୍ପାର୍ଘ୍ୟ ଦେବା ପରେ ସେଠାରୁ ସମସ୍ତେ ରାଜଭବନ ସମ୍ମୁଖସ୍ଥ କୁଳଗୌରବ ମଧୁସୂଦନ ଦାସଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ କଳାପତାକା ପଟୁଆରରେ ଆସିଥିଲେ।

ଭାଷା ଆନ୍ଦୋଳନ ଓଡ଼ିଶାର ସହସଂପାଦକ ତଥା ସାମ୍ବାଦିକ ସୌମ୍ୟରଂଜନ ନାୟକ ସମଗ୍ର କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିଥିବା ବେଳେ, ଅନ୍ୟତମ ସହସଂପାଦକ ଓ ସୁପ୍ରତିଷ୍ଠିତ ଯୁବସଙ୍ଗଠକ ମାନସ ପଟ୍ଟନାୟକ ଏଥିରେ ସହଯୋଗ କରିଥିଲେ ।