ଆମ ଭାଷା ଶାସ୍ତ୍ରୀୟ ବୋଲି ସ୍ବୀକୃତ ହେଲା, ମାତ୍ର ଆମ ଭାଷା ଏବେ କେଉଁଠି?

ତୁଷାରକାନ୍ତ ଶତପଥୀ 

ସନ ୨୦୧୪ ମସିହା ଆଜିର ଦିନରେ ” ଓଡିଆ ଏକ ଶାସ୍ତ୍ରୀୟ ଭାଷା” ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ମାନ୍ୟତାପ୍ରାପ୍ତ ହୋଇଥିଲା।ଏହି ଅବସରରେ, ଆମ ଭାଷାକୁ ଏପରି ସମ୍ମାନ ପ୍ରଦର୍ଶନ ମୂଳରେ ଯେଉଁମାନଙ୍କର ପରିଶ୍ରମ ଓ ଅବଦାନ ରହିଛି, ସେମାନଙ୍କ ଉଦ୍ଦେଶ୍ୟରେ ଶତକୋଟି ପ୍ରଣାମ ଅର୍ପଣ କରୁଛି ।

ଏ ବାବଦରେ ଭାରତ ସରକାରଙ୍କ ତା୧୧.୩.୨୦୧୪ରିଖର ଗେଜେଟ ଇସ୍ତାହାରରେ ଅଂଗ୍ରେଜୀରେ “xx the Govt of India here by declare Odia as a Classical Language ” ଓ ହିନ୍ଦିରେ ” ଭାରତ ସରକାର ଏତଦଦ୍ୱାରା ଓଡିଆ କୋ ‘ପ୍ରାଚୀନ ଭାଷା’ କେ ଋପ ମେଁ ଘୋଷିତ କରତା ହୈ ” ବୋଲି ଉଲ୍ଲେଖ ଅଛି ।ଏଥିରେ କୌଣସି ଠାରେ “ଶାସ୍ତ୍ରୀୟ ଭାଷା” ବୋଲି ଉଲ୍ଲେଖ ନଥିଲେ ମଧ୍ୟ ଆମ ଓଡିଶା ସରକାର ଏହାକୁ “ଶାସ୍ତ୍ରୀୟ ଭାଷା” ବୋଲି ଘୋଷଣା କରିଛନ୍ତି,ଯାହା ବୁଝିବା ସାଧାରଣ ଲୋକଙ୍କ ପକ୍ଷେ ଦୁରୁହ । 
ହୁଏତ ” ପ୍ରାଚୀନ ଭାଷା” ଋପେ ଚିହ୍ନିତ କରାଯାଇଥିଲେ,ତାହା ଅଧିକ ବୋଧଗମ୍ୟ ହୋଇଥାଆନ୍ତା ।

ଶହେଟଙ୍କିଆ ନୋଟରେ ଓଡିଆରେ ” ଏକ ଶହ ଟଙ୍କା” ଓ ହିନ୍ଦିରେ ” ଏକ ଶୌ ରୁପୟେ” ଲେଖାଥିବା ସ୍ଥଳେ
ପାଞ୍ଚଶହଟଙ୍କିଆ ନୋଟରେ ” ପାଞ୍ଚ ଶତ ଟଙ୍କା” କିନ୍ତୁ ହିନ୍ଦିରେ ଶହେଟଙ୍କିଆ ଭଳି ” ପାଞ୍ଚ ଶୌ ରୁପୟେ” ଲେଖା ଅଛି। ଦୁଇଟି ନୋଟରୁ ଶାସ୍ତ୍ରୀୟ ଓଡିଆ କେଉଁଠି?

(A classical language is a language with an independent literary tradition and a large and ancient body of written literature. Classical languages are typically dead languages, or show a high degree of diglossia  as the spoken varieties of the language diverge further away from the classical written language over time.)

ତେବେ ସେ ଯାହା ହେଉ, ଏଭଳି ମାନ୍ୟତା ମିଳିବା ପରେ ସରକାରଙ୍କ ଦ୍ୱାରା ଓଡିଆ ଭାଷାକୁ ସମ୍ମାନ ଦିଆଯିବା ଉପରେ ବ୍ୟକ୍ତିଗତ ଅନୁଭୂତିରୁ ଘଟଣାଟିଏର ବର୍ଣ୍ଣନା କରୁଛି।

“ସୂଚନା ଅଧିକାର ଆଇନ” ଜରିଆରେ ଆମ ରାଜ୍ୟର ପଞ୍ଚାୟତରାଜ ବିଭାଗକୁ ଓଡିଆଭାଷାରେ ମଗାଯାଇଥିବା ତଥ୍ୟଟିଏର ଉତ୍ତର ନିରୋଳା ଅଂଗ୍ରେଜୀ ଭାଷାରେ ମିଳିଥିଲା, ଯଦିଓ ସେତେବେଳକୁ ” ଓଡିଶାର ଶାସନ ଓଡିଆରେ ଚାଲିବ” ଭଳି ବିଜ୍ଞପ୍ତି ପ୍ରକାଶିତ ହୋଇ ସାରିଥିଲା। ଭାରତ ସରକାରଙ୍କ ସରକାରୀ ଭାଷା ବିଭାଗ- (Official Languages Dept)ର ନିୟମ ହେଉଛି “ଚିଠି ଯେଉଁ ଭାଷାରେ ଥାଏ, ଉତ୍ତର ସେଇ ଭାଷାରେ ଦିଆଯିବ” ।

ଆଜି ” ପ୍ରାଚୀନ ଭାଷା ଘୋଷଣା ଦିବସ ” ଅବସରରେ ଓଡିଶାରେ ଓଡିଆ ଭାଷାର ଅବସ୍ଥାକୁ ଅନୁଧ୍ୟାନ କଲାବେଳେ ମନେ ପଡ଼ିଯାଉଛି କବିସୂର୍ଯ୍ଯ ବଳଦେବ ରଥଙ୍କ କଟୂ କଟାକ୍ଷ :

“ସମଝଇ ନାହିଁ ସ୍ୱଦେଶୀ ଭାଷା
କହିଲେ ସେ ହୁଅଇ ଲୋକହସା
ଜଡ଼ ମୁଁ ବୋଲି ନ ଜନ୍ମ ନିର୍ବେଦ
ଷଡ଼ଦଶୀ ତୁଲେ କଲେ ବିବାଦ
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ।” 

 ମନେ ପଡ଼ିଯାଉଛି କୁଳବୃଦ୍ଧ ମଧୁସୂଦନ ଦାସଙ୍କ “ଜାତିର ଉନ୍ନତି ହେବ କିରେ ଭାଇ ସ୍ୱାର୍ଥକୁ ଜଗତ ମଣି?
ଗୋଦରଗୋଡରେ ମାଉଁସ ଲାଗିଲେ ଦେହର କି ଶୁଭ ଗଣି!” ।

ମନେ ବି ପଡ଼ିଯାଉଛି ଓଡ଼ିଆ ତୁଣ୍ଡରେ  ଘନଘନ ପ୍ରସାରିତ  ଭକ୍ତଚରଣ ଦାସଙ୍କ “ଚିତ୍ର ପ୍ରତିମା ପ୍ରାୟ ଦିଶେ ସୁନ୍ଦର,
ଚିରି ଭିତର ଦେଖ କି ନାରଖାର”  ।

କାର୍ଯ୍ୟରେ ନହେଉ ପଛେ, ” ଓଡିଶା ଶାସନ ଓଡିଆରେ” ଭଳି ସରକାରଙ୍କ ଘୋଷଣା ପଛରେ ଏହି ଅକିଞ୍ଚନ ତାର ଗୁଣ୍ଡୁଚିମୂଷାର ଦାୟିତ୍ୱ ତୁଲାଇ ମାଟିମା’ ଋଣର କିଞ୍ଚିତ ଅଂଶ ପରିଶୋଧ କରିବାର ସୁଯୋଗ ପାଇଛି, ଯଦିଓ ଆହୁରି ବହୁତ କିଛି କରିବାର ଥିଲା, ଯେଉଁଥି ପାଇଁ ପରିସ୍ଥିତିକୁ ଦେଖି ଆଉ ଆଗ୍ରହ ନଥିଲା।
ଏବେ ତ ଘୋର ଅସୁସ୍ଥତା ଯୋଗୁ ଗୃହବନ୍ଦୀ ଅବସ୍ଥାରେ ।

ଦେଖାଯାଉ, ଓଡିଆ ଭାଷାର ଅବସ୍ଥା କ’ଣ ହେଉଛି ।

“ବନ୍ଦେ ଉତ୍କଳ ଜନନୀ,ଜୟ ହେଉ ଓଡିଆ ଭାଷାର”

‘ମିଛ କେବେ ସତ ହୁଏନା’ ମିଛ ଓଗାଳୁଛି : ସତ ଜାଣିବା ପାଇଁ ସିବିଆଇ ତଦନ୍ତ ଦରକାର

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ପ୍ରସ୍ତୁତ ସରକାରୀ ସନ୍ଦର୍ଭ କିପରି ସେହି ପ୍ରକଳ୍ପରେ କାମ କରୁଥିବା ଲୋକେ ଚୋରୀ କରିନେଇ ତତ୍କାଳୀନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ମାଧ୍ୟମରେ ସରକାରୀ ସତ୍ତ୍ଵାଧିକାର ଉପରେ ଏକ ଦଣ୍ଡନୀୟ ସତ୍ତ୍ଵାଧିକାର ସୃଷ୍ଟି କରିଛନ୍ତି ଓ ସରକାରୀ ସନ୍ଦର୍ଭଟିକୁ ଓଡ଼ିଶାର ସାଧାରଣ ଲୋକଙ୍କ ପାଇଁ ଅପ୍ରାପ୍ୟ କରାଯାଇଛି ତହିଁର ପ୍ରାମାଣିକ ତଥ୍ୟ ‘ମିଛ କେବେ ସତ ହୁଏନା’ ପୁସ୍ତକରେ ପ୍ରଘଟ ହେବା ପରେ ଏହି ଦଣ୍ଡନୀୟ ଆଚରଣରେ ଜଡ଼ିତ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟି ନିଜ ନିଜ ସ୍ତରରେ ଭିଡିଓ ଜାରିକରି ସର୍ବ ସାଧାରଣଙ୍କୁ ନିଜ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି । କୌତୁହଳର କଥା, ସତ୍ୟ ସ୍ଵୀକାର କରିବା ପରିବର୍ତ୍ତେ, ଏ ଉଭୟେ ଯାହା କହିଛନ୍ତି ତାହା ଅଧିକ ମିଥ୍ୟା ଓଗାଳିଲା ପରି ପ୍ରତୀତ ହେଉଛି । ମନେ ହେଉଛି , ଏହି ଅପରାଧ ଉପରେ ସରକାର ଗତ ୪ ବର୍ଷ ଧରି ତଦନ୍ତର ଯେଉଁ ନାଟକ ଚଳାଇଛନ୍ତି ତାହା ବନ୍ଦ କରି ସତ୍ୟ ଜାଣିବା ପାଇଁ ସିବିଆଇର ଆଶ୍ରୟ ନେବାକୁ ହେବ ।

ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଥିବା ବହିରେ ଡ. ପଟ୍ଟନାୟକଙ୍କୁ ତହିଁର ଲେଖକ ଭାବେ ସ୍ଥାନିତ କରିଛନ୍ତି । ଶ୍ରୀ ପୃଷ୍ଟି ତାଙ୍କ ଭିଡ଼ିଓରେ ନିଜକୁ ସେହି ସନ୍ଦର୍ଭର ଲେଖକ ବୋଲି ଜାରି କଲେଣି । କୌଣସି ଗ୍ରହଣଯୋଗ୍ୟତା ନଥିବା ପୃଷ୍ଟିଙ୍କ କେଇପୃଷ୍ଠାର ଚିଠାକୁ ୮୦ ପ୍ରୁଷ୍ଠା ପର୍ଯ୍ୟନ୍ତ ବଢାଇ ଏହାର ଭିତ୍ତିପତ୍ର ତିଆରି କରିଥିବାର ଦାବି ରଖିଥିବା ନଟବର ଶତପଥୀ ପୃଷ୍ଟିଙ୍କ ଭିଡ଼ିଓରେ ଆଦୌ ଉଚ୍ଚାରିତ ବି ହୋଇନାହାନ୍ତି । ତେଣୁ ତାଙ୍କରି ନିର୍ମିତ ଭିତ୍ତିପତ୍ରକୁ ନିଜ କୃତ ବୋଲି ଡ. ପଟ୍ଟନାୟକ ଦେଖେଇଥିବାର ଯେଉଁ ଦାବି ଶ୍ରୀ ଶତପଥୀ “ସାହିତ୍ୟ ମନ୍ଥନ”ରେ କରିଥିଲେ ତାହା ଏବେ ସନ୍ଦେହର ଆବର୍ତ୍ତରେ ।

ଅସଲ ପ୍ରସଙ୍ଗ ହେଉଛି, ସରକାରୀ ସନ୍ଦର୍ଭ ପ୍ରକଳ୍ପରେ ଏମାନେ ନିଯୁକ୍ତ ରହି ସରକାରଙ୍କଠାରୁ ଟଙ୍କା ନେଇଛନ୍ତି । ଯୌଥ ବିଜ୍ଞତା ବଳରେ ପ୍ରସ୍ତୁତ ହୋଇଥିବା ସେହି ସରକାରୀ ସନ୍ଦର୍ଭକୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତିଆରି କରିଥିବା ସନ୍ଦର୍ଭ ବୋଲି ଅନୁମୋଦନ ଦେଇ ଏମାନେ ତହିଁରେ ସ୍ଵାକ୍ଷର କରିଛନ୍ତି ଓ ତାହାର କୌଣସି ଅଂଶ କେହି ଅନ୍ୟଥା କୌଣସି ପ୍ରକାରେ ହଡଫ କରିପାରିବେ ନାହିଁ ବୋଲି ଜାଣି ମଧ୍ୟ ଶ୍ରୀ ଖୁଣ୍ଟିଆଙ୍କୁ ତାର ଚୋରା ନକଲ ଦେଇ ତହିଁ ଉପରେ ସମାନ୍ତରାଳ ସତ୍ତ୍ଵାଧିକାର ତିଆରି କରିଛନ୍ତି ଓ ଗତ ୪ ବର୍ଷ ଧରି ତହିଁ ଉପରେ ଚାଲିଥିବା ସରକାରୀ ତଦନ୍ତ ଆଗେଇ ପାରୁନଥିବା ବେଳେ ମିଛ କେବେ ସତ ହୁଏନା ପୁସ୍ତକରେ ବର୍ଣ୍ଣିତ ରାଜକୋଷ ଲୁଣ୍ଠନ ଏମାନେ ବାରମ୍ବାର କରିଛନ୍ତି । ଓଡ଼ିଆ ଭାଷା କ୍ଷେତ୍ରରେ ମାଫିଆ ମତାଣ ଅବାରିତ ହୋଇଉଠିଛି ।

ଓଡିଶା ସରକାର ଏମାନଙ୍କ ସହ ହାତ ମିଳାଇଛନ୍ତି । କାରଣ, ଏମାନେ ଭାଷା ଆନ୍ଦୋଳନକୁ ବିରୋଧ କରି ଲୋକଙ୍କୁ ବିଭ୍ରାନ୍ତ କରିବାରେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ଏଣୁ ସିବିଆଇ ଦ୍ଵାରା ତଦନ୍ତର ଆବଶ୍ୟକତା ଅଛି ।

ଅର୍ଥଲୋଭରେ ବିଶ୍ଵାସଘାତକତା କରିବା ପୂର୍ବରୁ ପବିତ୍ର ମହାରଥା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅର୍ଥଲୋଭର ବଶବର୍ତ୍ତୀ ହୋଇ ଭାଷା ଆନ୍ଦୋଳନ ପ୍ରତି ବିଶ୍ଵାସଘାତକତା କରିବା ପୂର୍ବରୁ ପବିତ୍ର ମହାରଥା ମୋର ଅତ୍ୟନ୍ତ ବିଶ୍ଵସ୍ତ ଅନୁଚର ଥିଲେ ଓ ମୋ ଘରେ ପୁତ୍ରବତ୍ ଚଳପ୍ରଚଳ ହେଉଥିଲେ । ଓଡ଼ିଶା ଅଫିସିଆଲ ଲାଙ୍ଗୁଏଜ ଆକ୍ଟର ପୂର୍ଣ୍ଣ ପ୍ରୟୋଗ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟସରକାରଙ୍କୁ ବାଧ୍ୟ କରିଥିବା ଭାଷା ସଂଗ୍ରାମ ସମିତିର ସର୍ବୋଚ୍ଚ ନେତା କବି ଶଙ୍କର ପରିଡ଼ା ଏକ ସାହିତ୍ୟସଭାରେ ଥରେ କବିସୁଲ୍ଲଭ ଠାଣିରେ କହିଥିଲେ, ସୁଭାଷବାବୁ ତାଙ୍କ ଗାଡ଼ିର ବାହକଙ୍କୁ ଭାଷା ଆନ୍ଦୋଳନର ଆବାହକ କରି ନିଜ ପାଇଁ ଓ ରାଜ୍ୟ ପାଇଁ ଅଡୁଆ ସୃଷ୍ଟି କରିଛନ୍ତି । ସେତେବେଳେ ମୁଁ ହସି ଦେଇଥିଲି, ଏତେବେଳେ ଭାବୁଛି ସେ ସତ କହିଥିଲେ ।

ଯାହା ହେଉ, ଯେତେବେଳେ ସେ ମୋର ଅନୁଗତ ଅନୁଚର ଭାବେ କାମ କରୁଥିଲେ, ସେହି ସମୟର ଏକ ପ୍ରାମାଣିକ ତଥ୍ୟ ମୁଁ ଏବେ ଉପସ୍ଥାପନା କରିବି ।

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ କରିଥିବା ଯୁକ୍ତି-ସନ୍ଦର୍ଭକୁ ତଦାନୀନ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ସ୍ଵାର୍ଥ ପାଇଁ ଚୋରି କରି ନିଜସ୍ଵ ଲାଭରେ ବ୍ୟବହାର କରିଥିବା ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ ପୃଷ୍ଟି ତଥା ସଂସ୍କୃତି ବିଭାଗକୁ ମୁଁ ସେମାନଙ୍କ ଅସଲ ରୂପରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରୁଥିଲି ଦୈନିକ ସର୍ବସାଧାରଣ କାଗଜରେ, “ମିଛ କେବେ ସତ ହୁଏନା” ଶୀର୍ଷକ ନିବନ୍ଧନିଚୟରେ ।  ସେତେବେଳେ, ସେହି ସରକାରୀ ସନ୍ଦର୍ଭର ଭିତ୍ତିପତ୍ର ଲେଖକ ଭାବେ (ଅସିତ ମହାନ୍ତିଙ୍କ “ସାହିତ୍ୟ ମହାଭାରତ”) ନିଜକୁ ଜାରିକରିଥିବା ଡଃ ନଟବର ଶତପଥୀଙ୍କୁ ଟେଲିଫୋନରେ ଜେରା କରିଥିଲେ ପବିତ୍ର ମହାରଥା ଓ ତାହାର ରେକର୍ଡ ମୋତେ ଇ-ମେଲ୍ ଯୋଗେ ପଠାଇ ଥିଲେ । ତହିଁରେ ପବିତ୍ର କହିଛନ୍ତି, ସୁଭାଷ ଚନ୍ଦ୍ର ପଟ୍ଟନାୟକ କେବେ ଫାଲତୁ କଥା କହନ୍ତିନାହିଁ ; ବିନା ପ୍ରମାଣରେ କିଛି ଲେଖନ୍ତିନାହିଁ  ଏବଂ ଆହୁରି କହିଛନ୍ତି, ସୁଭାଷ ଚନ୍ଦ୍ର ପଟ୍ଟନାୟକ କଳାପତାକା ଅଭିଯାନ ପ୍ରଥମେ ୧୯୮୦ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୁଦ୍ଧରେ ଆଠଗଡ଼ରେ ଚଳାଇଥିଲେ ଓ ତାଙ୍କ ସହ ମିଶି ସମାଜ କାଗଜ ବିରୁଦ୍ଧରେ କଳାପତାକା ପଟୁଆର ଭୁବନେଶ୍ଵରରେ ହୋଇଥିଲା ।

ସେହି ପବିତ୍ର ମହାରଥା ଭାଷା ଆଂଦୋଳନର ପାଣ୍ଠି ତୋଷରପାତ କରି ତାଙ୍କ ଅପରାଧ ଉପରୁ  ଲୋକଙ୍କ ଦୃଷ୍ଟି ଏଡ଼େଇବା ପାଇଁ ଏବେ ବିଭିନ୍ନ ନାଟକ ଚଳାଇଛନ୍ତି ଓ ସର୍ବବିଧ ଅସାଧୁ ଉପାୟ ଅବଲମ୍ବନ କରି ଚାଲିଛନ୍ତି । ଅଥଚ, ଭାଷା ଆଂଦୋଳନର ହିସାବ ଦେଉନାହାନ୍ତି । ସତ୍ୟର ନିକଟତର ହେବାପାଇଁ ମୁଁ ଏବେ ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛି ସେହି ରେକର୍ଡ ଯାହା ଡଃ ନଟବର ଶତପଥିଙ୍କ ସହ ତାଙ୍କ ଟେଲିଫୋନୀକ୍ ଆଲୋଚନାର ରେକର୍ଡ , ଯାହାକୁ କି ସେ ମୋତେ ପଠାଇଥିଲେ  । ତାହାକୁ ଏବେ ଅନୁଧ୍ୟାନ କରନ୍ତୁ ; ଆଲୋଚନା ଚାଲିରହିବ ।