ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆରେ କାମ ନ କଲେ ଯଦି କୌଣସି କର୍ମଚାରୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୁଏ ସେ ତାର ବୈଧତାକୁ ଆହ୍ଵାନ ଦେଇପାରିବେ । ଏହା ହିଁ ପ୍ରାକୃତିକ ନ୍ୟାୟ । କିନ୍ତୁ ଧାରା ୪କ ତାଙ୍କୁ ଖସିଯିବାରେ ସାହାଯ୍ୟ କରିବ । କାରଣ ଏହି ଧାରା ସରକାରୀ କାମରେ ଓଡ଼ିଆ ଭାଷାର “ବ୍ୟାପକ ବ୍ୟବହାର” ପ୍ରୋତ୍ସାହନଯୋଗ୍ୟ ବୋଲି କହିଛି, ଯାହାର ଅର୍ଥ ହେଲା ସରକାରୀ କାମରେ ଓଡ଼ିଆ ଭାଷାର ସମ୍ପୂର୍ଣ ବ୍ୟବହାର ନ କରିବା ବି ପ୍ରୋତ୍ସାହନଯୋଗ୍ୟ । ତେଣୁ ଦଣ୍ଡବିଧାନର ଅବକାଶ କାହିଁ ?

ତଥାପି ଯଦି କେଉଁଠି ନା କେଉଁଠି ଦଣ୍ଡବିଧାନ ଉପରେ କେହି ଗୁରୁତ୍ଵ ଦେଲା,ଏହି ୪କ ଧାରାର ମୂଳରେ ଥିବା ବିଧାୟକୀୟ ଅଭିଳାଷ (legislative intention) ଖୋଜା ଯିବ ।

ପରିଭାଷା ନ ଥାଇ ଶବ୍ଦ

ସେତେବେଳେ ବିଚାରକୁ ଆସିବ ଏହି ଧାରା ସୃଷ୍ଟିର ‘ଉଦ୍ଦେଶ୍ୟ ଓ କାରଣ କଥନ’, ଯହିଁରେ ୨୬.୧୨.୨୦୧୭ର କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଏହି ଧାରା ତିଆରିହୋଇଥିବା କୁହାହୋଇଛି । ତେଣୁ ଖୋଜାଯିବ ସେହି କ୍ୟାବିନେଟ ନିଷ୍ପତ୍ତିକୁ ଏବଂ ଦେଖାଯିବ , “ବହୁଳ ବ୍ୟବହାର” ପରି ଏକ ସୀମାହୀନ ବିଭ୍ରାନ୍ତି ସେହି କ୍ୟାବିନେଟ୍ କେବଳ ତିଆରି କରିଛି ତା ନୁହେଁ, ବରଂ ଓଡ଼ିଆ ଭାଷାର “ବହୁଳ ବ୍ୟବହାର” ପାଇଁ “ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ“ ବୋଲି ମଧ୍ୟ ଘୋଷଣା କରିଛି । ଅଥଚ “ବହୁଳ ବ୍ୟବହାର”ର ପରିଭାଷା କଣ , ତାହା ନିରୂପଣ କରିନାହିଁ । ଯେଉଁ କ୍ୟାବିନେଟ “ବହୁଳ ବ୍ୟବହାର” ପରି ନୂଆ ବିଭାବନା ତିଆରି କଲା, ସେହି କ୍ୟାବିନେଟ ଯଦି ତାର ପରିଭାଷା ପ୍ରଦାନ କଲା ନାହିଁ, ତେବେ କରିବ କିଏ? କେଉଁ ଅଧିକାର ବଳରେ?

ବିଧାନ ପ୍ରଣୟନ ପାଇଁ ବିଧାନସଭାକୁ ଯାଇଥିବା ଆମ ପ୍ରତିନିଧୀମାନେ ଏହା ଜାଣିବାକୁ ବି ଚାହିଲେ ନାହିଁ ! ସେମାନେ ଚାହିଁଥିଲେ, ୧.୫.୨୦୧୮ ତାରିଖରେ ହିଁ ୪କ ଧାରାର ଏହି ଅନ୍ତର୍ହିହିତ ଅନର୍ଥର ଅବସାନ ଘଟାଇ ପାରିଥାନ୍ତେ । ଚାହିଁଲେ ନାହିଁ ! କିନ୍ତୁ କାହିଁକି ଚାହିଁଲେ ନାହିଁ? ନିଜ ନିଜର ଅଯୋଗ୍ୟତା ହେତୁ କି କାହା ବୋଲରେ?

ଅନ୍ତର୍ହିହିତ ଅନର୍ଥ

ଅପରପକ୍ଷେ, ମୂଳ ଭାଷା ଆଇନଟି ୧୯୫୪ରେ ହିଁ ସମଗ୍ର ଓଡିଶାରେ ତତ୍କାଳ ଲାଗୁହୋଇସାରିଛି (“It extends to the whole of State of Orissa” [Sub-Section (2) of Section 1] , “It shall come into force at once” [Sub-Section (3) of Section 1 of Orissa Official Language Act, 1954]) । ଧାରା ୧ର ଏହି ଉଭୟ ଉପଧାରାକୁ ତ କୌଣସି ସମୟରେ ଆସିଦ୍ଧ ଘୋଷଣା କରାଯାଇନାହିଁ ବା ବିଲୁପ୍ତ କରାଯାଇନାହିଁ । ତେଣୁ ଭାଷା ଆଇନଟିର ସୀମା ସଂକୋଚନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଏ, ରାଜ୍ୟ ମନ୍ତ୍ରୀମଣ୍ଡଳ ବା କିଏ?

ଏହି ବିଧେୟକ ୨୮.୪.୨୦୧୮ରେ ବିଧାନସଭାରେ ଥୁଆ ହେବା ପରେ କାହିଁକି ଏହା ପ୍ରତ୍ୟାଖ୍ୟାନଯୋଗ୍ୟ ତାର ସବିଶେଷ ଆଲୋଚନା ମୁଁ ବିଭିନ୍ନ ମଞ୍ଚରେ କରିଥିଲି । ତହିଁରୁ ଗୋଟିକର ଶୀର୍ଷକ ଥିଲା A fraud perpetrated by the CM on the Cabinet ଏବଂ ଏ ପରିସ୍ଥିତିରେ ବିଧାୟକମାନଙ୍କ କର୍ତ୍ତବ୍ୟ କଣ ତାହା ମୁଁ ଦର୍ଶାଇଥିଲି । ବ୍ୟକ୍ତିଗତ ଭାବେ କିଛି ମନ୍ତ୍ରୀଙ୍କୁ ଭେଟି କଥାଟି କହିଲାବେଳେ, କେହି କେହି ଲଜ୍ଜ୍ୟାରେ ମୁଣ୍ଡ ତଳକୁ କରିଥିଲେ, ଅସହାୟତା ପ୍ରକାଶ କରିଥିଲେ ଓ ଏମିତି କେମିତି ହେଲା ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଆଶା ଥିଲା ବିଧାୟକମାନଙ୍କ ବିବେକ ଉପରେ । ୧.୫.୨୦୧୮ରେ ସେ ଆଶା ମଉଳିଗଲା । ବିଧେୟକଟି ଯେମିତି ଆସିଥିଲା ସେମିତି ଗୃହୀତ ହେଲା । ମା ଓଡ଼ିଶା ଯଦି କାନ୍ଦିଥିବ, ଅଯୋଗ୍ୟ ପିଲାଙ୍କୁ ଜନ୍ମ ଦେଇଛି ବୋଲି କବାଟ କଣରେ କାନ୍ଦିଥିବ । ବିଧାନସଭାରୁ ଫେରି ଦେଖିଲି ଯେ, ମୋର ପ୍ରମୁଖ ସହକର୍ମୀ ପବିତ୍ରଙ୍କ ପ୍ରମୁଖତାରେ କେତେକ ଆନ୍ଦୋଳନକାରୀ ବନ୍ଧୁ ସେହି ବିଧେୟକଟି ପାରିତ ହୋଇଯାଉ ବୋଲି ମାନସିକ କରି ମଧୁବାବୁଙ୍କ ପାଖରେ ଅଖଣ୍ଡ ଦୀପ ଲଗାଇଥିଲେ । ପ୍ରଦ୍ୟୁମ୍ନ ଶତପଥୀ ଆସି ପହଞ୍ଚିଲେ ଓ ଯେହେତୁ ପାରିତ ବିଧେୟକଟିରେ ଦଣ୍ଡବିଧାନ ପାଇଁ ନିୟମାବଳୀ ପ୍ରଣୟନର ଉଚ୍ଚାରଣ ଥିଲା, ସେହେତୁ ତାହା ପାଇଁ ସରକାରଙ୍କୁ ଦୁଇମାସ ସମୟ ଦେଇ ଜୁଲାଇ ପହିଲା ଯାଏଁ କଳା ପତାକା ଅଭିଯାନ ସ୍ଥଗିତ ରଖିବାକୁ ଯିଦ୍ କଲେ । କଦଳୀରେ ଦାଗ ଲାଗିଥିବା ମୁଁ ଜାଣିଲି, ମାତ୍ର ରାଜି ହେଲି ; କାରଣ କଳା ପତାକା ଅଭିଯାନ ସେହିମାନଙ୍କ ସହାୟତାରେ ଚାଲିଥିଲା । ଏହି ଦୃଶ୍ୟପଟକୁ ପରେ ଫେରିବା । କିଛି ଆନ୍ଦୋଳନକାରୀ ଆନ୍ଦୋଳନକୁ ପଥହୁଡ଼ା କରାଇବାପାଇଁ ଯଦି ସରକାରଙ୍କ ସହ ଗୋପନ ବୁଝାବଣା କରିଥିଲେ, ତାହା କଣ ଆମ ପ୍ରତିନିଧିମାନଙ୍କ ବିଧାୟକୀୟ ବିଜ୍ଞତାକୁ ପରାଗଗ୍ରସ୍ତ କରିସାରିଥିଲା ୧.୫.୨୦୧୮ ପୂର୍ବରୁ? ନା । ତେବେ ସେମାନେ ସେମାନଙ୍କ ଦାୟିତ୍ଵ ତୁଲାଇଲେ ନାହିଁ କାହିଁକି? ଉପରୋକ୍ତ ପ୍ରତିବେଦନରେ ଯେଉଁ ଦୃଶ୍ୟପଟ ପ୍ରଦତ୍ତ କାହିଁକି ତହିଁ ଉପରେ ସେମାନଙ୍କ ପାଟି ଫିଟିଲାନି?

ବିଧାନ ଗଢ଼ିବାକୁ ଯେଉଁ ମହାମହିମମାନେ ବିଧାନସଭାକୁ ଆସୁଛନ୍ତି ଓ ଥରେ ଭୋଟ ପାଇଗଲେ ଆଉ ଥରେ ଭୋଟ ମାଗିବା ପର୍ଯ୍ୟନ୍ତ ସମ୍ରାଟ ପରି ତେଜୀୟାନ ହୋଇରହୁଛନ୍ତି , ସେମାନେ ଯଦି ଆମ ଲୋକଙ୍କ ପ୍ରତିନିଧି ଭାବେ ନିଜ ନିଜକୁ ବିଚାରିଥାନ୍ତେ ଓ ଏକ ନୂଆ ବିଧାନ ଯୋଡ଼ିବା ପୂର୍ବରୁ ସ୍ଥିତିବାନ ବିଧାନଟି କଣ କହୁଛି ତାହା ପ୍ରତି ସଚେତନ ଦୃଷ୍ଟିପାତ କରିଥାନ୍ତେ, ତେବେ ସେମାନେ ଆମ ସରକାରୀ ଭାଷା ବ୍ୟାପାରରେ “ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ“ ବୋଲି ୨୬.୧୨.୨୦୧୭ର କ୍ୟାବିନେଟ ଯେଉଁ ନିଷ୍ପତ୍ତି ନେଇଥିଲା ତାହା ଯେ ସମ୍ପୂର୍ଣ ଅବୈଧ ଓ ଅନଧିକୃତ ଥିଲା ତାହା କହିପାରିଥାନ୍ତେ ଏବଂ ଏହି ଓଡ଼ିଆଦ୍ରୋହୀ ସଂଶୋଧନ-ବିଧେୟକକୁ ସମୂଳେ ପ୍ରତ୍ୟାଖ୍ୟାନ କରିପାରିଥାନ୍ତେ । କିନ୍ତୁ ତାହା ହେଲାନାହିଁ ।

ମନ୍ତ୍ରୀମଣ୍ଡଳର ଚାପ

୨୬.୧୨.୨୦୧୭ର କ୍ୟାବିନେଟ୍ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କଳାପତାକା ଅଭିଯାନ ଜାରି ରହିଥିଲା । ମୋ ପ୍ରତିବେଦନ Bhasha Andolan refuses to be hoodwinked by the State Cabinet ଏହାର ସବିଶେଷ କାରଣ ରଖିଥିଲା ଜଗତ ସମ୍ମୁଖରେ ଏବଂ ଏହାରି ଭିତ୍ତି ଉପରେ ହିଁ ରାଜ୍ୟ ମନ୍ତ୍ରୀମଣ୍ଡଳର ଗରିଷ୍ଠ ସଦସ୍ୟମାନେ ଏହି ଅମଲାତାନ୍ତ୍ରିକ ଦୁରଭିସନ୍ଧିସମ୍ଭୁତ ପ୍ରସ୍ତାବକୁ ପରିହାର କରି ସରକାରୀ ଭାଷା ଉପରେ ଏକ ସାନି ପ୍ରସ୍ତାବ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । ଫଳରେ ୧୪.୩.୨୦୧୮ରେ ସାନି ପ୍ରସ୍ତାବ ନିଆଯାଇ ମୋର ଉପରୋକ୍ତ ଲେଖାରେ ପ୍ରଦର୍ଶିତ ପ୍ରମାଦଗୁଡ଼ିକ ଆପାତତଃ ହଟାଇ ଦିଆଯାଇଥିଲା ଏବଂ ଏହି ୧୪.୩.୨୦୧୮ ତାରିଖର ପ୍ରସ୍ତାବ ଅନୁସାରେ ଅବିଳମ୍ବେ ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହାକୁ ସ୍ଵାଗତ ଜଣାଇ ମୁଁ ଲେଖିଥିଲି , “ଭାଷା ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ବାଧ୍ୟ, କାରଣ ମନ୍ତ୍ରୀମଣ୍ଡଳ ଭାଷା ଆନ୍ଦୋଳନ ସପକ୍ଷରେ” ।

ଏହା ସତ୍ତ୍ୱେ ଓଡ଼ିଆ ଜାତିର ଭାଷା ଅଧିକାର ଭୟଙ୍କର ଭାବେ ବିପନ୍ନ ହୋଇଗଲା ବିଧାନସଭାର ଓଡ଼ିଆଦ୍ରୋହୀ ଆଚରଣ ହେତୁ । କେହି ଜଣେ ମଧ୍ୟ ସଦସ୍ୟ ଉପରୋକ୍ତ ପ୍ରେକ୍ଷାପଟରେ ୧.୫.୨୦୧୮ ତାରିଖରେ ବିଚାରିତ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ର ଆଲୋଚନାରେ ଆମ ଲୋକଙ୍କ ନେତା ଓ ବିଧାନଦାତା ଭାବେ କାମ ନ କରି ଅମଲାତନ୍ତ୍ରର କ୍ରୀଡ଼ନକ ଭାବେ କାମ କଲେ । ବିଧେୟକଟି ଯଥା ଉପସ୍ଥାପିତ ପାରିତ ହୋଇଗଲା । (କ୍ରମଶଃ)

୧୨.୮.୨୦୧୯

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS