ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଧେୟକଟି ଉପସ୍ଥାପନା କଲାବେଳେ ମନ୍ତ୍ରୀ ଦେଇଥିବା ଭାଷଣ ଓ ଉପସ୍ଥାପିତ ହୋଇଥିବା ବିଧେୟକଟିର ଭାଷା ଭିତରେ ଥିବା ଭୟଙ୍କର ଅମେଳ ପ୍ରତି ବିରୋଧୀ ଦଳର ଜଣେ ଶକ୍ତିଶାଳୀ ସଦସ୍ୟଭାବେ ଶ୍ରୀ ତାରା ପ୍ରସାଦ ବାହିନୀପତି ଗୃହର ଦୃଷ୍ଟି ଆକର୍ଷଣ କରିପାରିଥାନ୍ତେ ଓ ବିଧେୟକଟି ମାଧ୍ୟମରେ ଯେଉଁ ବିଧିକ ଜାଲିଆତି ହେବାକୁ ଯାଉଥିଲା ତାହା ବାଧା ପାଇପାରିଥାନ୍ତା । ହେଲା ନାହିଁ ।

ସେ କହିଥିଲେ ,

“ସରକାରୀ କାର୍ଯ୍ୟରେ ସରକାରୀ ଭାଷାକୁ ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଖିଲାପକରୁଥିବା ସରକାରୀ କର୍ମଚାରୀ ବା ବିଭାଗକୁ ଦଣ୍ଡବିଧାନ କରିବା ସକାଶେ (ସରକାର) ନିୟମାବଳୀରେ ଉପଯୁକ୍ତ ବିଧି ବ୍ୟବସ୍ଥା କରିପାରିବେ ।“ ବିଧେୟକଟିକୁ ବିଚାର ପାଇଁ ଉପସ୍ଥାପନ କରି ମନ୍ତ୍ରୀ କହିଥିଲେ, “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଆ ଭାଷା ବ୍ୟବହାରରେ ଖିଲାପକାରୀ କର୍ମଚାରୀ ଏବଂ ବିଭାଗକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ଆମ ରାଜ୍ୟ କ୍ୟାବିନେଟ୍ ତାଙ୍କର ତା୨୬.୧୨.୨୦୧୭ରିଖ ଦିନ ଅନୁଷ୍ଠିତ ୫୧ତମ ବୈଠକରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଆଣିବାପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ଏହି ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଧେୟକ, ୨୦୧୮ ଅଣାଯାଇଛି ।”

ବାହିନୀପତିଙ୍କୁ କ’ଣ ଏବଂବା ଦୁଇଟି ସମ୍ପୂର୍ଣ ଭିନ୍ନ ଅର୍ଥସମ୍ପନ୍ନ ଶବ୍ଦ ବୋଲି ଜଣା ପଡ଼ିଲାନି ? ସେ ଏହି ଭିନ୍ନତା ଉପରେ କାହିଁକି ପ୍ରଶ୍ନ ତୋଳିଲେନି? ବିଧେୟକଟିର ଅନ୍ତନାଡ଼ି ଭାବେ ମନ୍ତ୍ରୀ ଯେଉଁ ତା୨୬.୧୨.୨୦୧୭ରିଖର କ୍ୟାବିନେଟ୍ ପ୍ରସ୍ତାବ କଥା କହିଥିଲେ ସେ ପ୍ରସ୍ତାବଟି ବାସ୍ତବରେ କଣ ଥିଲା ଏବଂ ତାହାକୁ “ଉଦ୍ଦେଶ୍ୟ ଓ କାରଣ କଥନ”ରେ ସ୍ଥାନିତ କରି ବିଧିକ ଅଭିଳାଷ (Legislative Intention) ରୂପେ ଅପରିହାର୍ଯ୍ୟ କରାଯାଇଥିବା ହେତୁ ତା ଦ୍ଵାରା ମୂଳ ଆଇନଟି କିପରି ପ୍ରଭାବିତ ହେବାର ଥିଲା, ତାହା ତାଙ୍କ ପରି ଜଣେ ଅଭିଜ୍ଞ ବିଧାୟକ କାହିଁକି ଜାଣିବାକୁ ଚାହିଁଲେ ନାହିଁ ?

ଅନ୍ୟ କେହି କ’ଣ ଏହା ଜାଣିବାକୁ ଚାହିଁଥିଲେ? ନା । କେହି ବି ନୁହେଁ । ଓଡ଼ିଶା ପାଇଁ ଦୁର୍ଭାଗ୍ୟ ; କିନ୍ତୁ ଏହା ହିଁ ସତ୍ୟ ।

ଶ୍ରୀ ଉମେଶ ସାହୁ

ଯୁକ୍ତିକୁଶଳ ସଦସ୍ୟ ଶ୍ରୀ ଉମେଶ ସାହୁ ବିଧେୟକଟିକୁ “ସ୍ଵାଗତ” କରି କହିଥିଲେ, “ଭାଷା ପାଇଁ ଦୀର୍ଘଦିନ ଧରି ଯେଉଁ କିଛି ବ୍ୟକ୍ତି ବିଶେଷ , ଅନୁଷ୍ଠାନ ଯେଉଁ ଆନ୍ଦୋଳନ କରୁଛନ୍ତି , ମୁଁ ତାଙ୍କୁ ନିବେଦନ କରିବି , ସେମାନେ ତାଙ୍କ ଆନ୍ଦୋଳନ ସ୍ଥଗିତ ରଖନ୍ତୁ । ଯଦି ବା ଚାଲୁରଖିବା ପାଇଁ ଚାହାନ୍ତି, ତାହେଲେ ଜଗନ୍ନାଥଙ୍କ ବାନା ଧରି ବରଂ କାର୍ଯ୍ୟକ୍ରମ କରନ୍ତୁ ।“

କଳାପତାକା ଅଭିଯାନ ଯେ ଶ୍ରୀ ସାହୁଙ୍କ ଅବଚେତନରେ ପ୍ରଭାବ ବିସ୍ତାର କରିଥିଲା ତାହା ତାଙ୍କର ଏହି ଗୋଟିଏ ବାକ୍ୟରୁ ବାରିହୋଇପଡ଼େ । କିନ୍ତୁ ଏତଦ୍ଦ୍ବାରା ବିଧେୟକଟିରେ ପ୍ରସ୍ତାବିତ ଧାରା ୪କ ପ୍ରଭାବିତ ହେବାର ନଥିଲା । ଓଡ଼ିଆ ଜାତିର ଭାଷା ଅଧିକାରକୁ ଖର୍ବ କରିବା ଥିଲା ୪କ ଧାରାର ଉଦ୍ଦେଶ୍ୟ । ଶ୍ରୀ ସାହୁ ସେ ସମ୍ପର୍କରେ ପଟି ଫିଟାଇ ନଥିଲେ । ସେ ଶାସକ ଦଳର ଥିଲେ ଜଣେ ଟାଣୁଆ ସଦସ୍ୟ । ତା୨୬.୧୨.୨୦୧୭ରିଖର କ୍ୟାବିନେଟ୍ ପ୍ରସ୍ତାବକୁ ବସ୍ତୁତଃ ନିଶ୍ଚିହ୍ନ କରି ଭାଷା ଆଇନ ସଂଶୋଧନ କ’ଣ ହେବ ତାହା ୧୪.୩.୨୦୧୮ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବିତ ହୋଇଥିଲା । ଓଡ଼ିଶାର ସମସ୍ତ ଟେଲିଭିଜନ ଚ୍ୟାନେଲ୍, ୱେବ୍ ଚ୍ୟାନେଲ୍, ସମ୍ବାଦପତ୍ରରେ ତାହା ପ୍ରଚାରିତ ହୋଇଥିଲା ଓ ସରକାରୀ ପୋର୍ଟାଲରେ ମଧ୍ୟ ସ୍ଥାନିତ ହୋଇଥିଲା । orissamatters॰com ଏବଂ bhashaandolan॰comରେ ବି ତାହା କେବଳ ପ୍ରଚାରିତ ହୋଇଥିଲା ତା ନୁହେଁ, ଆମ ଭାଷା ଅଧିକାରକୁ ଖର୍ବ କରିବା ପାଇଁ ମୁଖ୍ୟମନ୍ତ୍ରୀ କିପରି ଏହି ପ୍ରସ୍ତାବ ଉପରେ ଏକ କ୍ୟାବିନେଟ୍ ସ୍କାମ୍ ଘଟାଇବା ମତଲବରେ ଥିଲେ ତାହା ମଧ୍ୟ ଆଲୋଚିତ ହୋଇଥିଲା । ସୁତରାଂ ଏ ବିଧେୟକ ଓଡ଼ିଆ ଭାଷା ଉପରେ ଯେଉଁ ସଙ୍କଟ ସୃଷ୍ଟିକରିବା ସୁନିଶ୍ଚିତ ଥିଲା ସେ ସମ୍ପର୍କରେ ଶ୍ରୀ ସାହୁ ଅବଗତ ଥିଲେ । ଅଥଚ, ବିଧେୟକଟିକୁ ସେ ସ୍ଵାଗତ କରିଥିଲେ ।

ଶ୍ରୀ ପ୍ରିୟଦର୍ଶୀ ମିଶ୍ର

“ସାଧାରଣ ଲୋକ official administrationରେ କିପରି ସୁବିଧା ପାଇପାରିବ ତା’ର ଆବଶ୍ୟକତା ଅଛି, ଯାହାକି ଏ ବିଧେୟକରେ ଉଲ୍ଲିଖିତ” ବୋଲି କହିଥିଲେ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ।

ବିଧେୟକଟିରେ ଯେତେବେଳେ ବୁଲେଇ ବଙ୍କେଇ ଏହା ହିଁ ଲେଖା ହୋଇଛି ଯେ, କର୍ମଚାରୀମାନଙ୍କ ମର୍ଜି ଉପରେ ନିର୍ଭର କରିବ ଆମ ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା, ଏବଂ ଆଇନଟି ଏପରି ବଦଳିଯିବ ଯେ, ସମସ୍ତ ଓ ଯେକୌଣସି କାମ ଓଡ଼ିଆରେ ହେବନାହିଁ , ସେତେବେଳେ କେଉଁ ଭିତ୍ତିରେ ଶ୍ରୀ ମିଶ୍ର ଉପରୋକ୍ତ ମତ ରଖିଥିଲେ? ମନେହୁଏ, ମୁଖ୍ୟମନ୍ତ୍ରୀଙ୍କ ଦୃଶ୍ୟମାନ ଭୁଲ ସତ୍ତ୍ୱେ ତାଙ୍କୁ ଧନ୍ୟବାଦ ଦେବାକୁ ଶ୍ରୀ ମିଶ୍ର ଯେତେ ବ୍ୟାକୁଳ ଥିଲେ , ଭାଷା ଆଇନଟିର ନିର୍ଭୁଲ ସଂଶୋଧନ ପାଇଁ ସେତେ ଚିନ୍ତିତ ନଥିଲେ ।

ଶ୍ରୀ ଦିବ୍ୟଶଙ୍କର ମିଶ୍ର

ଯେଉଁ ଜୁନାଗଡ଼ର ପ୍ରତିନିଧି ପି॰କେ॰ଦେଓଙ୍କ ଦୃଢ଼ ସମର୍ଥନ ହେତୁ ୧୯୫୪ରେ ଓଡ଼ିଶା ସରକାରୀ ଭାଷା ଆଇନ ଓଡ଼ିଶା ବିଧାନସଭାରେ ପାରିତ ହେବା ସହଜ ହୋଇଥିଲା, ସେହି ଜୁନାଗଡ଼ର ପ୍ରତିନିଧିତ୍ଵ କରୁଥିବା କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଦର୍ଶାଇଥିଲେ କି, ଯେହେତୁ ଓଡ଼ିଶାର ୯୩ ଶତାଂଶ ବ୍ୟକ୍ତି କେବଳ ଓଡ଼ିଆ ଭାଷାରେ କାରବାର କରନ୍ତି ଓ ମାତ୍ର ୭ ଶତାଂଶ ଓଡ଼ିଆ ଲୋକ ବ୍ୟବହାର କରନ୍ତି ଇଂରାଜୀ ଭାଷା, ସେହେତୁ “ଏହି ବିଧେୟକଟି ଗରିବ ଲୋକମାନଙ୍କୁ ସହାୟକ ହେବ ।” ସେ ହେତୁ ସେ ଏହାକୁ ସମର୍ଥନ କରୁଛନ୍ତି ବୋଲି କହିଥିଲେ ।

କିନ୍ତୁ ଏହି ସମର୍ଥନ ଯେ ଜୁନାଗଡ଼ର ପ୍ରଥମ ସାମ୍ବିଧାନିକ ପ୍ରତିନିଧି ଶ୍ରୀ ଦେଓ ସମର୍ଥନ କରିଥିବା ଭାଷା ଆଇନର ଶିର ଛେଦ ପାଇଁ ସମର୍ଥନ ସଦୃଶ ଥିଲା ତାହା ସେ ଜାଣିପାରିଲେ ନାହିଁ !

ସେ କହିଥିଲେ,

“ଜଣେ ଗରିବ ଖଟିଖିଆ, ମଜଦୁର, ଶ୍ରମିକ, ଜଣେ ଜଙ୍ଗଲ ଅଞ୍ଚଳର ଲୋକ ତାର ଦରଖାସ୍ତଟିକୁ (ଧରି/ ପିଛାକରି) ତଳ ପାହିଆରୁ ଉପର ପାହିଆ ପର୍ଯ୍ୟନ୍ତ ଯାଉଛି ।“ ଏହି ସଂଶୋଧନ କାର୍ଯ୍ୟକାରୀ ହେଲେ “ତା ଉପରେ ସରକାର ନିଷ୍ପତ୍ତି କଣ ନେଲେ ସେ ଜାଣିପାରିବ ।”

ସଂଶୋଧନଟି ଯେତେବେଳେ କହୁଛି ଓଡ଼ିଆ ଭାଷାରେ କେଉଁଠି କେତେ ପରିମାଣର କାମ ହେବ ତାହା କର୍ମଚାରୀମାନଙ୍କ ମର୍ଜି ଉପରେ ନିର୍ଭର କରିବ ଏବଂ ଓଡ଼ିଆ ଭାଷାରେ ସବୁକାମ ନ କରୁଥିବା ବ୍ୟକ୍ତିଙ୍କୁ ବି ପୁରସ୍କାର ମିଳିବ , ସେତେବେଳେ ସବୁ “ଗରିବ ଖଟିଖିଆ, ମଜଦୁର, ଶ୍ରମିକ, ଜଙ୍ଗଲ ଅଞ୍ଚଳର ଲୋକ”, ତାଙ୍କ ଭାଷାରେ “ଓଡ଼ିଶାର ୯୩ ଶତାଂଶ ବ୍ୟକ୍ତି”, କିପରି ଏ ସଂଶୋଧନ ଦ୍ଵାରା “ସହାୟତା” ପାଇବାର ଥିଲା?

ଶ୍ରୀ ମିଶ୍ର ଏ ପ୍ରଶ୍ନ ଯଦି ନିଜକୁ ନିଜେ ବି ପଚାରିଥାନ୍ତେ ତେବେ ହୁଏତ ନୀରବ ରହିଥାନ୍ତେ ସିନା, ଏ ବିଧେୟକକୁ ସମର୍ଥନ କରିନଥାନ୍ତେ । କାରଣ ମାତ୍ର ୭ ଶତାଂଶ ଇଂରାଜୀ ପଢୁଆଙ୍କ ପାଇଁ ୯୩ ଶତାଂଶ ଓଡ଼ିଆ ଅଡୁଆରେ ଥିବା ନେଇ ସେ ଯେଉଁ ଅଭିମତ ରଖିଥିଲେ ତାହା ଆନ୍ତରିକ ଥିଲା ।

ଶ୍ରୀ ମିଶ୍ର କହିସାରିବା ପରେ ମନ୍ତ୍ରୀ ଶ୍ରୀ ଆରୁଖ ବିତର୍କର ଉତ୍ତର ଦେଇ ବିଧେୟକଟି ସହ ଦୁରଭିସନ୍ଧି ରଖି ସଂଯୁକ୍ତ କରାଯାଇଥିବା ତା୨୬.୧୨.୨୦୧୭ରିଖର କ୍ୟାବିନେଟ୍ ପ୍ରସ୍ତାବକୁ ପୁନଃ ସଶକ୍ତୀକୃତ କରିଥିଲେ । କୌଣସି ବିଧାୟକ ତ ସେହି ପ୍ରସ୍ତାବ ଉପରେ କରାଯାଇଥିବା ଜାଲିଆତି ନେଇ କୌଣସି ପ୍ରଶ୍ନ ତୋଳିନଥିଲେ , ମନ୍ତ୍ରୀ ବା କାହିଁକି ଚିନ୍ତା କରିଥାନ୍ତେ ?

କ୍ୟାବିନେଟ୍ ପ୍ରସ୍ତାବ ବଦଳାଇଥିଲା କିଏ?

କେବଳ ଯୁକ୍ତି ପାଇଁ ଯଦି ଧରିନିଆଯାଏ ଯେ, ତା୨୬.୧୨.୨୦୧୭ରିଖର କ୍ୟାବିନେଟ୍ ପ୍ରସ୍ତାବ ଅବୈଧ ନଥିଲା, ତେବେ ସେ ପ୍ରସ୍ତାବ ବିଧାନସଭାରେ ପହଞ୍ଚିଲା ବେଳକୁ କିଏ ତାକୁ ବଦଳାଇଦେଇଥିଲା ? ପ୍ରସ୍ତାବଟିକୁ ଆଉ ଥରେ ଦେଖାଯାଉ –

“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ କ୍ଷେତ୍ର ନିର୍ଦ୍ଧାରଣ କରିବେ ।”

ଏହି ଅନୁସାରେ ବିଧେୟକରେ ଖଞ୍ଜା ହୋଇଥିବା ୪କ ଧାରା ହେଲା –

“ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ପ୍ରଶ୍ନ ହେଉଛି, କ୍ୟାବିନେଟ୍ ପ୍ରସ୍ତାବରେ ଥିବା “ତଥା” କୁ ବିଧେୟକରେ ଥିବା “ବା”ରେ ରୂପାନ୍ତରିତ କଲା କିଏ?

ସରିଯାଇଥିବା ବିଧାନସଭାର ସଭ୍ୟମାନେ ଯଦି ଏ ପ୍ରଶ୍ନ ତୋଳିଥାନ୍ତେ, ତେବେ ଜଣାପଡିଯାଇଥାନ୍ତା ଯେ, “ବା” ଶବ୍ଦ ପ୍ରୟୋଗ କରି ବିଭାଗ ମୁଣ୍ଡରେ ଅଠା ବୋଳି ଭାଷା ଆଇନ ଉଲ୍ଲଂଘନ କରୁଥିବା କର୍ମଚାରୀମାନେ ନିରାପଦରେ ଖସିଯିବାକୁ ଷଡ଼ଯନ୍ତ୍ର ଭିଆଇଥିଲେ, ଯେଉଁଥିରେ ସହଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ । ନଚେତ୍ , ଆମ ଭାଷା ଆଇନକୁ ଉଲ୍ଲଙ୍ଘନ କରି କେମିତି ଇଂରାଜୀମନସ୍କ କର୍ମଚାରୀମାନେ ନିରାପଦ ରହିବେ ତାହା ପାଇଁ ମୁଖ୍ୟମନ୍ତ୍ରୀ ନିଜ ଆଡୁ ଏ ଜାଲିଆତି କରିଥିଲେ । ଆୟୁଷ ସରିଯାଇଥିବା ବିଧାନସଭାର ସଭ୍ୟମାନେ ଏ କ୍ଷେତ୍ରରେ ନିଜ ନିଜ ବିଧାୟକୀୟ ଦାୟିତ୍ଵ ନିର୍ବାହ କରିନଥିବାରୁ ୪କ ପରି ଓଡ଼ିଆ ଭାଷାର ଏକ ଘୋର ହାନୀକାରକ ଧାରା ଓଡ଼ିଶା ସରକାରୀ ଭାଷା ଆଇନରେ ଖଞ୍ଜା ହୋଇଗଲା ।

ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନୌକାରମାନଙ୍କ ଗୋଲମ, କେବଳ ସେହି ରାଜ୍ୟରେ ଏପରି ଜଘନ୍ୟ ଜାଲିଆତି ସମ୍ଭବ ହୁଏ । (କ୍ରମଶଃ)
୯.୬.୨୦୧୯

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.