ଦି ନିଉଜ୍ ସିଣ୍ଡିକେଟ୍
ଯେହେତୁ ଓଡ଼ିଆଭାଷାକୁ କେନ୍ଦ୍ରକରି ଓଡ଼ିଶା ପ୍ରଦେଶ ସୃଷ୍ଟି ଆନ୍ଦୋଳନ ହୋଇଥିଲା, ସେହେତୁ ସେହି ଆନ୍ଦୋଳନକୁ ବି କେହି କେହି ଭାଷା ଆନ୍ଦୋଳନ ବୋଲି ମନେ କରନ୍ତି । ଯଦିଓ, “ଭାଷା ଆନ୍ଦୋଳନ” ନାମକ ଏକ ବିଶେଷ ନାମଧ୍ୟେୟ ଆନ୍ଦୋଳନ ଆଗରୁ କେବେ ସୃଷ୍ଟି ହୋଇନଥିଲା ।
ସ୍ଵାଧୀନତା ପୂର୍ବରୁ ଓଡ଼ିଶା ରାଜ୍ୟ ଗଠନ ପାଇଁ ଓଡ଼ିଆ ଭାଷାକୁ ଭିତ୍ତି କରି ମଧୁବାବୁ ଯେଉଁ ବୌଦ୍ଧିକ ଅଭିଯାନ/ଆନ୍ଦୋଳନ ଆରମ୍ଭ କରିଥିଲେ ତାହାର ନାମ ଥିଲା ଉତ୍କଳ ସମ୍ମିଳନୀ । ସ୍ଵାଧୀନତା ପରେ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଶାସନିକ ବ୍ୟବହାର ପାଇଁ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ତିଆରି ପାଇଁ ଦାବି କରିଥିଲେ ସମ୍ବଲପୁରରେ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର । କିନ୍ତୁ ନିଜ ଦାବି ସପକ୍ଷରେ ସେ କୌଣସି ଆନ୍ଦୋଳନ ଚଲାଇନଥିଲେ । ହରେକୃଷ୍ଣ ମହତାବଙ୍କ ସରକାର ତାଙ୍କୁ ତାଙ୍କ ପ୍ରସ୍ତାବ ପ୍ରତ୍ୟାହାର କରିନେବାକୁ ବାଧ୍ୟ କରିଥିଲା । ମହତାବଙ୍କ ପରେ, ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ବିଧାନସଭାରେ ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏହି କାର୍ଯ୍ୟାଳୟ ଭାଷା ଆଇନ (The Orissa Official Language Act, 1954) ଉପସ୍ଥାପିତ, ପାରିତ ଓ ପ୍ରବର୍ତ୍ତିତ କରିଥିଲେ । ତାହା କାର୍ଯ୍ୟକାରୀ ନ ହୋଇ ପଡ଼ି ରହିଥିବା ବେଳେ ୨୦୦୯ରେ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରବର୍ତ୍ତକ ପୁସ୍ତକ ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା କିପରି ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା, ତାହା ଦର୍ଶାଇ ବିଜୁ ପଟ୍ଟନାୟକଙ୍କ ଠାରୁ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଯେପରି ଏହି ଉଦ୍ଦେଶ୍ୟକୁ ପଣ୍ଡ କରାହୋଇଆସିଛି ତା ଉପରେ ପ୍ରଥମ ସମ୍ବାଦିକୀୟ ଓ ସାରସ୍ଵତ କ୍ଷୋଭ ପ୍ରକଟ କଲେ, ଯାହା କେତେକଙ୍କ ଭିତରେ ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଚିନ୍ତା ଉଦ୍ରେକ କଲା ।
ଅଦାଲତରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ଟିଟିଲାଗଡ଼ର ଓକିଲ ଗଜାନନ ମିଶ୍ର ଅଦାଲତୀୟ ସଂଘର୍ଷ ଆରମ୍ଭ କଲେ ଓ ଟିଟିଲାଗଡ଼ର ତଳ ଅଦାଲତରେ ଓଡ଼ିଆରେ ମକଦ୍ଦମା ପରିଚାଳନା ସପକ୍ଷରେ ଓଡ଼ିଶା ହାଇ କୋର୍ଟରୁ ଆଦେଶ ବି ପାଇଲେ । ମାତ୍ର ସାରା ଓଡ଼ିଶାରେ ଓଡ଼ିଆ ଭାଷାରେ ଅଦାଲତ କାମ ହେବା ଦାବିରେ ସେ ରାଜଧାନୀରେ ଆମରଣ ଅନଶନ କରିବାକୁ ନୋଟିସ ଦେଲେ । ତାଙ୍କୁ ସାହାଯ୍ୟ କରିବାକୁ ୨୦୧୫ରେ ଗଢା ହୋଇଥିଲା ଏକ ସଂଗଠନ ଯାହାର ନାମ ଥିଲା ଓଡ଼ିଆ ଭାଷା ସଂଗ୍ରାମ ସମିତି । ତତ୍କାଳୀନ ସାଂସଦ ବୈଷ୍ଣବ ଚରଣ ପରିଡ଼ା ଗଜାନନବାବୁଙ୍କ ଅଦାଲତୀୟ ଉପଲବ୍ଧିକୁ ପରାଗଗ୍ରସ୍ତ କରିବା ପାଇଁ ଭାଷା ଆଇନର କାର୍ଯ୍ୟକାରୀତା ଡୁହା ତୋଳି ଗଢିଥିଲେ ଏକ ବୈଠକୀ ମଞ୍ଚ , ଯାହାର ନାମ ଥିଲା ଓଡ଼ିଆ ଭାଷା ସୁରକ୍ଷା ଅଭିଯାନ ।
ସୁତରାଂ, ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆଇନର ସଶକ୍ତିକରଣ ପାଇଁ ଦେଇଥିବା ଚିଠା ବିଧାନର ପରିଗ୍ରହଣ ପାଇଁ ଯେଉଁ ଭାଷା ଆନ୍ଦୋଳନ ଚାଲିଛି, ତାହା ଭାଷା ସଂଗ୍ରାମ ସମିତି ଓ ଭାଷା ସୁରକ୍ଷା ଅଭିଯାନ ଉଭୟଠାରୁ ଭିନ୍ନ । ଏହାର ଆନୁଷ୍ଠାନିକ ନାମ ଭାଷା ଆନ୍ଦୋଳନ, ଓଡ଼ିଶା , ଯାହାର ପ୍ରୟୋଗାତ୍ମକ ମାଧ୍ୟମ ହେଉଛି ନିରବ କଳାପତାକା ଅଭିଯାନ, ଯାହା ତାଙ୍କ ନିଜସ୍ଵ ଓ ପୂର୍ବ ପରୀକ୍ଷିତ ବୌଦ୍ଧିକ କୌଶଳ ଉପରେ ଆଧାରିତ ଓ ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆରେ ଓଡ଼ିଶାର ସାମଗ୍ରିକ ପରିଚାଳନା । ଏହି ଦୃଷ୍ଟିରୁ,ଏହି ଭାଷା ଆନ୍ଦୋଳନର ନାମ, ଆଧାର ଓ ଲକ୍ଷ୍ୟ ପୂର୍ବବର୍ତ୍ତୀ ସଂଗଠନମାନଙ୍କଠାରୁ ସମ୍ପୁର୍ଣ୍ଣ ଭିନ୍ନ ।
ଉଲ୍ଲେଖନୀୟ ଯେ, ଆଜିର ସରକାର ଚକ୍ରାନ୍ତ କରି ଭାଷାକୁ ଭିତ୍ତି କରି ହୋଇଥିବା ସମସ୍ତ ଆନ୍ଦୋଳନ/ଅଭିଯାନର ଆବେଦନକୁ ବ୍ୟର୍ଥ କରିଥିବାବେଳେ, ଭାଷାକୁ ଭିତ୍ତି କରି ପୂର୍ବରୁ ହୋଇଥିବା ସମସ୍ତ ଆନ୍ଦୋଳନର ସାମଗ୍ରିକ ଦୁର୍ବଳତାକୁ ଅନୁଧ୍ୟାନ କରି ସେ ସବୁ ଦୁର୍ବଳତା ପରିହାର ପୂର୍ବକ ଭାଷା ଆଇନର ସଶକ୍ତିକରଣ ପାଇଁ ତହିଁର ଉପଯୁକ୍ତ ସଂଶୋଧନ ଓ ତାହାକୁ ଆଗକୁ ନେବା ସକାଶେ ନିୟମାବଳୀ ପ୍ରବର୍ତ୍ତନର ପ୍ରସ୍ତାବ ଓ ଚିଠା ପ୍ରଦାନ କରି ତାହାକୁ ବିଧିକୃତ କରିବା ପାଇଁ ଶ୍ରୀ ପଟ୍ଟନାୟକ ଯେଉଁ ଆନ୍ଦୋଳନ ଭିଆଇଲେ ୨୦୧୬ ଏପ୍ରିଲ ପହିଲାରେ ଓ ଯାହା ସେ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ନିରବ କଳା ପତାକା ଅଭିଯାନ ଦ୍ଵାରା ଆଗେଇଲା , ତାହାକୁ ଭାଙ୍ଗି ଦେବା ପାଇଁ ସରକାର ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି ।
ନିରବ କଳାପତାକା ଅଭିଯାନ ପରି ଏକ ଅଭିନବ ରଣକୌଶଳ ହେତୁ ଏହା ଏତେ ଶକ୍ତିଶାଳୀ ଯେ, ଏହାକୁ ବ୍ୟର୍ଥ କରାଇବା ସରକାରଙ୍କ ପକ୍ଷେ ଅସମ୍ଭବ । କୌଣସି ଆଇନ ଉଲ୍ଲଂଘନ ନକରି ଆଇନ ନ ମାନୁଥିବା ଏକ କ୍ଷମତାମଦମତ୍ତ ସରକାରକୁ କିପରି ଆଇନ ମାନିବାକୁ ବାଧ୍ୟ କରାଯାଇପାରେ ଏହି ଆନ୍ଦୋଳନ ହେଉଛି ତହିଁର ଯୁଗାନ୍ତକାରୀ ପରୀକ୍ଷଣ ।
ବହୁ ନୀତିନିଷ୍ଠ ଭାଷାପ୍ରାଣ ଓଡ଼ିଆ, ବିଶେଷତଃ ଶିକ୍ଷିତ ଯୁବ ସଂପ୍ରଦାୟ, ଭାଷା ଆନ୍ଦୋଳନ ବିରୁଦ୍ଧରେ ସରକାର ଷଡ଼ଯନ୍ତ୍ର ଚଳାଇଥିବା ଅନୁଭବ କରି ଏହି ଆନ୍ଦୋଳନକୁ ନିଜ ଆନ୍ଦୋଳନ ଭାବେ ଆପଣାଇ ନେଇଛନ୍ତି ଓ ନିଜ ନିଜ ସ୍ତରରେ ଏହାକୁ ଆଗେଇ ନେଉଛନ୍ତି । ଭାଷା ଆନ୍ଦୋଳନ ତାର ଯେଉଁ ନୂଆ ସନ୍ତକ (logo ) ବ୍ୟବହାର କରୁଛି, ତାହା ତିଆରିକରିଛନ୍ତି ଚାର୍ଟର୍ଡ ଆକାଉଣ୍ଟାଣ୍ଟ ରଞ୍ଜନ କୁମାର ସାହୁ, ଯହିଁରେ ଖୋଦିତ ହୋଇଛି ତାଙ୍କ ଲିଖିତ ଆବାହନୀ:
“ଦୂରୀଭୂତ ହେବ ଭାଷା ମାଆ ପାଇଁ ଅନ୍ଧକାରର ରାତି , ଉଠରେ ଉଠ ସୂର୍ଯ୍ୟ ପରି ଉଠ ଓଡ଼ିଆ ଜାତି ॥”
ଫେସବୁକ୍ ଅନ୍ତର୍ଗତ “ଭାଷା ମା ପାଇଁ ପଦେ” ପୃଷ୍ଠାରୁ ସିଧା ପ୍ରସାରଣକ୍ରମେ ଅଭିଭାଷଣ ଦେଇ ଯେଉଁ ସୁବିଦିତ ଓଡ଼ିଆ ବିଜ୍ଞବ୍ୟକ୍ତିମାନେ ଏହି ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରିଛନ୍ତି , ସେମାନଙ୍କ ମଧ୍ୟରେ ଅଛନ୍ତି
ଶିକ୍ଷାବିତ୍ ମହେନ୍ଦ୍ର ତ୍ରିପାଠୀ, ଗବେଷକ ସୌଭାଗ୍ୟ ରାଉତ, ପ୍ରଫେସର କମଳା ପ୍ରସାଦ ମହାପାତ୍ର, କବି ଉମାକାନ୍ତ ରାଉତ, ବିଦ୍ଵାନ ରାଜନେତା ପ୍ରସାଦ ହରିଚନ୍ଦନ, ସାହିତ୍ୟିକ ଡଃ ଗୋବିନ୍ଦ ଭୂୟାଁ , ମନସ୍ତାତ୍ତ୍ଵିକ ଭାଷାତତ୍ତ୍ଵବିତ୍ ପ୍ରଫେସର ଅଜିତ କୁମାର ମହାନ୍ତି , ବିଶିଷ୍ଟ ବ୍ୟାଙ୍କର ନିର୍ମଳ କୁମାର ବେହେରା, କ୍ରାନ୍ତିକାରୀ ଲେଖକ ଓ କଥକ ବୈଷ୍ଣବ ଚରଣ ମହାନ୍ତି, ଭାରତ ବିଖ୍ୟାତ ଭାଷାତତ୍ତ୍ଵବିତ୍ ପ୍ରଫେସର ପଞ୍ଚାନନ ମହାନ୍ତି, କୃଷି ଅର୍ଥନୀତିର ସୁବିଦିତ ବ୍ୟାଖ୍ୟାକାର ନଟବର ଖୁଣ୍ଟିଆ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା ଡଃ ତମସାରାଣୀ ଦାସ ମହାପାତ୍ର , ପ୍ରସିଦ୍ଧ ଭାଷାତତ୍ତ୍ଵବିତ୍ ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ, ଅଧ୍ୟାପକ ଅଶୋକ ମହାରଣା, ଭାଷାତତ୍ତ୍ଵବିତ୍ ପ୍ରଫେସର ଅରବିନ୍ଦ ଦାସ, ଶିକ୍ଷକସଙ୍ଗଠନମାନଙ୍କ ବିଶ୍ଵ ମହାସଂଘର ସଭାପତି ପ୍ରଫେସର ଅମିୟ କୁମାର ମହାନ୍ତି, ବିଶିଷ୍ଟ ସାମ୍ବାଦିକ ଓ ସାହିତ୍ୟ ସମାଲୋଚକ ଡଃ ଅସିତ ମହାନ୍ତି, ବିଶିଷ୍ଟ ସମ୍ୟବାଦୀ ବୁଦ୍ଧିଜୀବୀ ପଦୀପ୍ତ ନାୟକ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ହରିହର କାନୁନଗୋ, ଜନବାଦୀ ସାମ୍ବାଦିକ ସତୀଶ ମିଶ୍ର, ମଧୁ ଜନତା ଦଳର ପ୍ରତିଷ୍ଠାତା ପ୍ରାଧ୍ୟାପକ ମନୋରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ ଡଃ ଅରୂପ କୁମାର ଜେନା, ଉତ୍କଳମଣି ସମ୍ବାଦପତ୍ର କର୍ମଚାରୀ ସଂଗଠନର ସଭାପତି ତଥା ବିଶିଷ୍ଟ ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ, ସୁବିଦିତ ଚିକିତ୍ସକ ତଥା ଓଡ଼ିଆ ଭାଷା ଜାତୀୟତାର ଚଳନ୍ତି ବିଗ୍ରହ ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ , ଭାରତର ପ୍ରଥମ ଶ୍ରମିକ ସଂଗଠନ ଏ.ଆଇ.ଟି.ଯୁ.ସି.ର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ପରିବେଶସୁରକ୍ଷା କ୍ଷେତ୍ରରେ ବିଶ୍ଵବିଦିତ ପ୍ରଫୁଲ୍ଲ ସାମନ୍ତରା, ବାମପନ୍ଥୀ ଯୁବନେତା ଅବକାଶ ସାହୁ, ବିଜେପିର ବରିଷ୍ଠନେତା ସଜ୍ଜନ ଶର୍ମା, ଅଧିବକ୍ତା ସୁବାସ ମହାପାତ୍ର, ରାଜନୀତି ବିଜ୍ଞାନୀ ନେତାଜୀ ଅଭିନନ୍ଦନ ପ୍ରମୁଖ ।
ଏହି ଅନନ୍ୟ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସୁପାରି ଆତତାୟୀ ନିଯୁକ୍ତ କରିଥିବା ମୁଖ୍ୟମନ୍ତ୍ରୀ ନିଜର ଅଯଥା ଜିଦ ପରିହାର କରି ୨୦୧୫ ସେପ୍ଟେମ୍ବର ୩ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଯେଉଁ ପ୍ରସ୍ତାବ ଓ ପ୍ରସ୍ତାବିତ ବିଧାନର ଚିଠା ପ୍ରଦାନ କରିଥିଲେ, ଯାହାର କାର୍ଯ୍ୟକାରୀତା ପାଇଁ ଏ ଆନ୍ଦୋଳନ ଚାଲିଛି , ତାହାକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରନ୍ତୁ ଏବଂ ଓଡ଼ିଆ ଭାଷା ଜନନୀର ନିଜ ରାଜ୍ୟରେ ତାର ରାଜୁତି ଆରମ୍ଭ ହେଉ । ଭାଷା ଆନ୍ଦୋଳନ ଯଥାର୍ଥତଃ କହୁଛି:
“ଆମ ଭାଷାରେ ଆମ ରାଜ୍ୟ, ଆନ କାହିଁରେ ନାହିଁ କାର୍ଯ୍ୟ ॥”