(ଆମ ଭାଷା ଆମ ଅଧିକାର ସୂତ୍ରରୁ )
ଭାଷା ବଞ୍ଚିଲେ ଆମ ଅସ୍ମିତା ବଞ୍ଚିବ । ଆମ ଭାଷା ଆଜି ବିପଦରେ ଓ ଏହି ବିପଦରୁ ଉଦ୍ଧାର ପାଇଁ ଓଡ଼ିଶାର ସନ୍ତାନସନ୍ତତି ମାନେ ଆଗେଇ ଆସିବା ଆବଶ୍ୟକ । ଵିଶେଷତଃ ଯୁବସମାଜ ଆଗେଇ ଏ ଦାୟିତ୍ବ କାନ୍ଧେଇ ନେବା ଆବଶ୍ୟକ; କାରଣ ସେମାନେ ହିଁ ଆମର ଭବିଷ୍ୟତ ଓ ତାଙ୍କରି ମନଯୋଗ ଉପରେ ଆମ ଭାଷାଅସ୍ମିତା ନିର୍ଭର କରେ । ଏହିଭଳି ମତ ରଖିଥିଲେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆନ୍ଦୋଳନର ଦ୍ଵିତୀୟ ସପ୍ତାହନ୍ତ ପାଠଚକ୍ରରେ ରଖିଥିଲେ ଗତ ରବିବାର ।
ଏହି ପାଠଚକ୍ରର ତୃପ୍ତିମୟୀ ପାତ୍ର ଯୋଗ ଦେଇ ଯୁବସମାଜର ଦାୟିତ୍ୱବୋଧ ଉପରେ ଆଲୋକପାତ କରି କହିଥିଲେଯେ ଆମ ମନରେ ଆମ ଭାଷା ପ୍ରତି ଥିବା ହୀନ ଭାବନା ଦୂର ହେବା ଆବଶ୍ୟକ ଓ ତାହା କେବଳ ନିରଳସ ଭଲପାଇବା ଦ୍ୱାରା ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଗୁଳରୁ ଭାଗ ନେଇଥିବା ସରୋଜ ମହାନ୍ତି ଭାଷାପ୍ରତି ଆସୁଥିବା ବିପଦ ଓ ତାର ପ୍ରତିକାର ସମ୍ବନ୍ଧରେ କହିଥିଲେ ଯେ, କିଛି ମୁଷ୍ଟିମେୟ ଯୁବକଯୁବତୀ ଏକାଠି ହେଲେ ଆମ ଭାଷା ପ୍ରତି ଆସୁଥିବା ସମସ୍ତ ବିପଦକୁ ଆମେ ପ୍ରତିହତ କରିପାରିବା ।
ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ମହାଲି, ନିର୍ମଳ କୁମାର, ମହେନ୍ଦ୍ର ତ୍ରିପାଠୀ, ରଂଜନ କୁମାର ସାହୁ ଯୋଗ ଦେଇ ନିଜନିଜର ମତ ରଖି ଆଲୋଚନାକୁ ବଳିଷ୍ଠ କରିଥିଲେ ।