ସୂତ୍ର : ଆମ ଭାଷା ଆମ ଅଧିକାର
ସେପ୍ଟେମ୍ବର ୨୭ ତାରିଖ ରବିବାର ସନ୍ଧ୍ୟାରେ ସରୋଜ କୁମାର ମହାନ୍ତିଙ୍କ ସଂଯୋଜନାରେ ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀମାନେ ଅଂଶଗ୍ରହଣ କରିଥିଲେ ।
ପ୍ରଥମେ କବି ଶ୍ୟାମଘନ ମହାରଣାଙ୍କ ଦ୍ୱାରା ଭାଷା ବନ୍ଦନାରୁ, ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅଲୋଚନାଚକ୍ରର ମୁଖ୍ୟ ବିଷୟ ବସ୍ତୁ ଥିଲା “ଶିଶୁର ବୌଦ୍ଧିକ ବିକାଶରେ ମାତୃଭାଷାର ଭୂମିକା”।
ସୁଦୂର କୋଲକାତାରେ ଦୀର୍ଘ ୨୫ବର୍ଷ ଧରି ଶିକ୍ଷକତା କରିବା ସହ ସାହିତ୍ୟ ପତ୍ରିକା “ଅଭିଯାନ”ର ସମ୍ପାଦନା କରି ଆସୁଥିବା ଶ୍ରୀଯୁକ୍ତ ଶଂଭୂନାଥ ଦାସ ଆଲୋଚକ ଭାବେ, ନିଜ ବକ୍ତବ୍ୟ ଉପସ୍ଥାପନ କଲେ । ତାଙ୍କ ମତରେ,”ନବଜାତ ଶିଶୁର ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମା କ୍ଷୀର ଯେପରି ସର୍ବାଧିକ ସହାୟକ, ସେହିପରି ତାର ମାନସିକ ସ୍ୱାସ୍ଥ୍ୟ ତଥା ଶୈକ୍ଷିକ ଓ ବୌଦ୍ଧିକ ବିକାଶ ପାଇଁ ମାତୃଭାଷା ହିଁ ସର୍ବାଧିକ ସହାୟକ । ଶିଶୁର ପରିବାର-ପରିବେଶ-ସାଙ୍ଗସାଥି-ବିଦ୍ୟାଳୟର ବ୍ୟବହାରିକ ଭାଷାର ପ୍ରଭାବ, ତାର ମାନସିକ-ବୌଦ୍ଧିକ-ଆବେଗିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରେ”।
ଏହି ଆଲୋଚନାରେ ଭାଗ ନେଇଥିବା ଓ ନିଜେ ଅଧ୍ୟାପନା ବୃତ୍ତିରେ ଥିବା ଶ୍ରୀଯୁକ୍ତ ପ୍ରକାଶ ସାମଲ କହିଥିଲେ,” ଶିଶୁର ବିକାଶରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଅଭିଭାବକମାନଙ୍କର । ଅଭିଭାବକମାନେ ହିଁ ଆମ ଭାଷା ସୁରକ୍ଷାର ମୂଳ ସୂତ୍ରଧର”।
ବୃତ୍ତିରେ ଜଣେ ଶିକ୍ଷକ ଓ ଶିଶୁ-ସାହିତ୍ୟିକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ମତରେ,” ପିଲାଙ୍କ ଭିତରେ ଥିବା ସୃଜନଶୀଳତାକୁ ପରିପ୍ରକାଶ କରିବାର ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ ମାତୃଭାଷା । ଓଡ଼ିଆ ଶିଶୁର ମନ ଉପରେ ଓଡ଼ିଆ ଶିଶୁ-ସାହିତ୍ୟର ପ୍ରଭାବ ଅସୀମ ଓ ସେହେତୁ ଆମ ଶିଶୁ-ସାହିତ୍ୟ ଆହୁରି ଅଧିକ ସମୃଦ୍ଧ ହେବା ଉଚିତ”।
ଅଧ୍ୟାପନା ବୃତ୍ତିରେ ଥିବା, ଶ୍ରୀଯୁକ୍ତ ଅଶୋକ ମହାରଣାଙ୍କ ମତରେ, “ଶିଶୁର ବିକାଶରେ ବିଦ୍ୟାଳୟ ଓ ଶିକ୍ଷା-ବ୍ୟବସ୍ଥାର ଗଭୀର ପ୍ରଭାବ ଥାଏ । ଆଜିକାଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ,ଶିଶୁର ମସ୍ତିସ୍କ ଉପରେ ଅଧିକ ଚାପ ପ୍ରୟୋଗ କରୁଛି । ତହିଁର ପ୍ରତିବିଧାନ ପାଇଁ ବର୍ତ୍ତମାନ ସମୟରେ ବିଶେଷ କରି ଓଡ଼ିଆ ବର୍ଣ୍ଣବୋଧର ବାଧ୍ୟତାମୂଳକ ବ୍ୟବହାରର ଆଵଶ୍ୟକତା ରହିଛି।”
ଶ୍ରୀଯୁକ୍ତ ମହେନ୍ଦ୍ର ତ୍ରିପାଠୀ ନିଜ ଶିକ୍ଷକ ଜୀବନର ଅଭିଜ୍ଞତାରୁ ଅନେକ ଉପାଦେୟ ତଥ୍ୟ ଓ ମତ ଉପସ୍ଥାପନ କଲେ ।
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ, ଓଡ଼ିଆ ଭାଷା ପ୍ରତି ସରକାରୀ ବିମୁଖତା ଓଡ଼ିଆ ଜାତିର ଭବିଷ୍ୟ ପିଢିକୁ ମଧ୍ୟ କ୍ଷତିଗ୍ରସ୍ତ କରିବାକୁ ଯାଉଛି; କାରଣ ନିଜ ଭାଷା ପ୍ରତି ଆକର୍ଷଣ ନରହିଲେ, ଓଡ଼ିଆ ଜାତିର ଯୁଗଯୁଗର ଆହାରିତ ଜ୍ଞାନ ଓ ତାର ସ୍ଵାଭାବିକ ସୃଜନଶୀଳତା ତାକୁ ଉପଲବ୍ଧ ହେବନାହିଁ । ବୌଦ୍ଧିକ ବିକାଶ ଏକ ସ୍ଵାଭାବିକ ପ୍ରକ୍ରିୟା ଯାହା ମାତୃଭାଷାରେ ସହଜ ସମ୍ଭବ, ବିଦେଶୀ ଭାଷାରେ ନୁହେଁ ; କାରଣ ଶିଶୁ ପାଇଁ ତାର ମାତୃଭାଷା ସ୍ଵାଭାବିକ ହୋଇଥିବା ବେଳେ ଅନ୍ୟ ଭାଷା ଅସ୍ୱାଭାବିକ । ଓଡ଼ିଶାରେ ଶିଶୁର ବୌଦ୍ଧିକ ବିକାଶ ନିଷ୍କଣ୍ଟକ କରିବାକୁ ହେଲେ ଓଡ଼ିଆ ଭାଷାକୁ ତାର ପ୍ରଥମିକତା ଦେବାକୁ ହେବ ଓ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଥମିକତା ପାଇବାକୁ ହେଲେ ତାହାକୁ କାର୍ଯ୍ୟାଳୟର ଭାଷା କରିବାକୁ ହେବ । ଏହା କରିବାକୁ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନର ପୁନଃ ସଂଶୋଧନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଅଲୋଚନାରେ ସୁଦୂର ଗୁଜୁରାଟରୁ ବାପିନା ପାଲଟାସିଂହ ଓ ରାୟଗଡ଼ାରୁ ଶ୍ରୀଯୁକ୍ତ ସରୋଜ ମହାନ୍ତି ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ମହାନ୍ତି ଅଲୋଚନା ସଂଯୋଜନ କରିବା ସଙ୍ଗେ ସଙ୍ଗେ , ଭାଷା ଆନ୍ଦୋଳନର ଦାବି ଅନୁରୂପ ରେଡିଓ ଏବଂ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ଦାନ ପାଇଁ ସରକାର ଘୋଷଣା କରିଥିବା ହେତୁ ସରକାରଙ୍କୁ ସାଧୁବାଦ ଜଣାଇଥିଲେ ଓ ଏଏହି ପଦକ୍ଷେପ ତଥାକଥିତ ‘ଅନଲାଇନ’ ଶିକ୍ଷାଜନିତ ଅବ୍ୟବସ୍ଥାକୁ ଲାଘବ କରିବ ବୋଲି ମତ ଦେଇଥିଲେ ।
ଆଲୋଚନା ପରେ ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରା ଓ ଶ୍ରୀଯୁକ୍ତ ପ୍ରକାଶ ସାମଲ ସ୍ୱରଚିତ କବିତା ପାଠ କରି ସମଗ୍ର ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।
ସର୍ଵଶେଷରେ ଗୁଜୁରାଟରୁ ଶ୍ରୀଯୁକ୍ତ ସୁଶାନ୍ତ ମାହାଳୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ସଂଯୋଜକଙ୍କ ସମ୍ମତିରେ ଆଲୋଚନା ଚକ୍ରକୁ ସମାପ୍ତ ଘୋଷଣା କରିଥିଲେ।
ସୁନ୍ଦର ଉପସ୍ଥାପନା।
ଅଶେଷ ଧନ୍ୟବାଦ ଭାଇ । ଆପଣ ଓ ଆପଣମାନେ ହିଁ ଆମ ଜନ୍ମମାଟି ଓ ଭାଷାମାଆର ଭବିଷ୍ୟତ । ଓଡ଼ିଆ ପୂର୍ବପୁରୁଷମାନଙ୍କ ଆଶୀର୍ବାଦ ଆପଣଙ୍କୁ ସବୁବେଳେ ପ୍ରାପ୍ତ ହେଉ । (ସୁଭାଷ ଚନ୍ଦ୍ର ପଟ୍ଟନାୟକ)