ମୋ ଭାଷା ମହାନ, ଅଥଚ ……

କୃଷ୍ଣପ୍ରିୟା ମହାପାତ୍ର
(ଅନୁଭୁତିରୁ ଖିଏ)

[ଆମ ମାତୃଭାଷା ଆମ ନିଜ ସରକାରଙ୍କ ପରିସୃଷ୍ଟ ସଙ୍କଟରେ ପଡ଼ି ଏପରି ଭାବେ ପ୍ରାଣସତ୍ତା ହରାଇ ବସିଲାଣି ଯେ, ଆମ ଲୋକେ ନିଜ ପିଲାଙ୍କୁ ଅନ୍ୟ ଭାଷା – ଇଂରାଜୀ ବା ହିନ୍ଦୀ – ପଢିବାକୁ  ବାଧ୍ୟ କରୁଛନ୍ତି, ଯଦିଓ ତାହା ହିଁ ସେମାନଙ୍କ ପ୍ରାକୃତିକ ବାକ୍-ପଟୁତାର ଅନ୍ତରାୟ ହେଉଛି, ସ୍ଵାଭାବିକ ବୌଦ୍ଧିକ ବିକାଶର ବାଧକ ହେଉଛି ଓ ସ୍ଵଚ୍ଛନ୍ଦ ବିଦ୍ୟାର୍ଜନର ପରିପନ୍ଥୀ ହେଉଛି । ଏହି ହୃଦୟବିଦାରକ ଲେଖାଟି ଲେଖିକାଙ୍କ  ଅନୁଭୂତିର ଏପରି ଏକ ବିବରଣୀ, ଯାହା ଓଡ଼ିଆ ଜାତି ଉପରେ ଓଡ଼ିଶା ସରକାର ଲଦିଚାଲିଥିବା ଅଣଓଡ଼ିଆ ଭାଷାପ୍ରୀତିର ପରିଣତି କେତେ ଭଯାବହ ତାହା ସ୍ପଷ୍ଟ କରେ । (ସମ୍ପାଦକ)]

ସକାଳୁ ସକାଳୁ କାହାର ପାଟିରେ ମୋ’ ନିଦଟା ଭାଙ୍ଗିଗଲା । ଯେଉଁପଟୁ ପାଟି ଶୁଭୁଥିଲା ,ସେଇ ପଟକୁ ଯାଇ ,ମୁଁ ଚାରିଆଡକୁ ଚାହୁଁ ଥାଏ, କିଏ ଏତେ ଜୋରରେ ପାଟିକରୁଚି ଦେଖିବା ପାଇଁ । ସେତେବେଳକୁ ଟିକେ ଟିକେ କାହାର କାନ୍ଦ ମଧ୍ୟ ଶୁଭିଲା। ପରେ ମୁଁ ଜାଣିଲି ଆମଘର ପାଖରେ ଯେଉଁ ଘରଟି ଖାଲି ଥିଲା, ସେଇ ଘରେ ଜଣେ ସ୍ତ୍ରୀଲୋକ ତାଙ୍କର ପରିବାର ସହିତ ଭଡ଼ା ରହୁଛନ୍ତି। ତାଙ୍କରି ଘରେ ଗୋଟିଏ ଛୋଟ ପିଲା କାନ୍ଦୁଛି । ଆମ ଛାତ ଉପରେ ଠିଆ ହେଲେ, ତାଙ୍କ ଅଗଣା ଦିଶେ । ମୁଁ ତାଙ୍କ ଅଗଣାକୁ ଚାହିଁଲି,ସେଇ ପିଲାଟିକୁ ଦେଖିପାରିବି ବୋଲି; ଆଉ ନିକଟକୁ ଯାଇ ଜାଣିଲି ସେ କଣପାଇଁ ପାଟି କରୁଥିଲେ ।ପିଲାଟି ମା’କୁ ଭୟରେ ଚାହିଁ ରହିଚି ଆଉ କୋହରି ହୋଇ କାନ୍ଦୁଛି ! କୌତୁହଳବଶତଃ ମୁଁ ତାଙ୍କ ଘରକୁ ନଜର କରୁଥିବାର ଜାଣିଗଲେ ସେଇ ମହିଳା ଜଣଙ୍କ, ମୋତେ ଉପରେ ଠିଆ ହୋଇଥିବାର ଦେଖି ଅତି ଆବେଗ ର ସହ ଝିଅଟିକୁ ଦେଖାଇ କହିଲେ, “ଦେଖୁନ ଭାଉଜ ! ଏ ପିଲାକୁ ମୁଁ ଯେତେ କହୁଛି ସକାଳୁ ଉଠି ଟିକେ ପଢିବା ପାଇଁ ସେ ମୋ କଥା ଶୁଣୁନି ।”

ତାଙ୍କ କଥା ଶୁଣିବା ଅବସ୍ଥାରେ ମୁଁ ସେଇ ଛୁଆକୁ ଚାହିଁଲି । ପିଲାଟିକୁ ଦୁଇରୁ ତିନି ବର୍ଷ ଭିତରେ ବୟସ,ଦୁର୍ବଳ ସ୍ୱାସ୍ଥ୍ୟ ,ଠିକ୍ ଭାବେ କଥା କହି ପାରୁନାହିଁ , ପାଟିଲାଗୁଛି ; ମା’ର ପାଟିରେ ଭୟ କରି ଗୋଟେ ପଟକୁ ସାଙ୍କୁଡ଼ି ହୋଇ ଠିଆ ହୋଇଛି ।ମୋତେ ଟିକେ ଚାହିଁ ଦେଉଛି, ତା ପରେ ତା ମାଙ୍କୁ ଚାହିଁ କୋହରି ହୋଇ କାନ୍ଦୁଛି ।

ଛୋଟ ପିଲାଙ୍କ ପ୍ରତି ମୋର ଢେର ଦୁର୍ବଳତା । ତାର ଏ ଅବସ୍ଥା ଦେଖି ମୁଁ ଟିକେ ଉଚ୍ଚ ସ୍ୱରରେ କହିଲି, କାହିଁକି ତାକୁ ବାଧ୍ୟ କରୁଚ !  ତାର ତ ଏବେ ଖେଳିବା ବୁଲିବା ସମୟ ,ଏବେ ତାକୁ ପଢିବା ପାଇଁ କହିଲେ ସେ କାନ୍ଦିବନି ? ଆଉ ଟିକେ ବଡ଼ ହେଲେ,ବଳେ ପଢିବ । ସେତେ ବେଳକୁ ତାକୁ ଆଉ ଖେଳିବାକୁ ସମୟ ମିଳିବନି ! ପଢିବାକୁ ତ ଜୀବନ ସାରା ପଡିଛି । ମୋ କଥା ଶୁଣି ମହିଳା ଜଣକ ବୋଧହୁଏ ଟିକେ ରାଗି ଗଲେ। ମତେ କିଛି କହି ନ ପାରି କଥା ବଦଳେଇବା ପାଇଁ ଅନ୍ୟ ଏକ ବିଷୟରେ ଧ୍ୟାନ ଦେଲେ ଓ ଘର ଭିତରକୁ ଚାଲିଗଲେ।

ମୁଁ ପିଲାଟିକୁ ଚାହିଁ ହସିଦେଲି ,ସତେ ଯେମିତି ସେ ମୋ’ ଠାରୁ ଗୁଡ଼ାଏ ସାହସ ପାଇଗଲା । ସେତେବେଳେ ତା’ ମୁହଁକୁ
ଦେଖି ମୋତେ ବହୁତ ଖୁସି ଲାଗିଲା।

ସେଇ ଦିନ ଠାରୁ ତାର ମୋର ବୋଧେ ବନ୍ଧୁ ହୋଇଗଲୁ ,କାରଣ ସେ ମୋତେ ଦେଖିଲେ ବହୁତ ଖୁସି ହୁଏ। ଝିଅଟିର ବାପା ଗୋଟିଏ ଟ୍ରାଭେଲ ଏଜେନ୍ସି କରିଛନ୍ତି । ଘରକଥା ବୁଝିବା ପାଇଁ ତାଙ୍କୁ ସମୟ ନଥାଏ। ଝିଅଟି କିନ୍ତୁ ଭାରି ଭଲ ପାଏ ତା ବାପାଙ୍କୁ , ରାତି ଅଧ ଯାଏ ଅପେକ୍ଷା କରି ଥାଏ କେତେବେଳେ ବାପା ଆସିବେ, ମାଙ୍କୁ ପଚାରି ପଚାରି ବ୍ୟସ୍ତ କରି ପକାଏ । ବେଳେ ବେଳେ ବାପାଙ୍କୁ ଅପେକ୍ଷା କରି ଶୋଇପଡେ । ତାପରଦିନ ସକାଳୁ ଉଠି ବାପାଙ୍କ ସଙ୍ଗେ ବହୁତ ଖେଳେ , ଆଉ ଖୁସି ହୁଏ ।ପିଲାଟି ସବୁବେଳେ ଚୁପ୍ ରହେ, ବେଶି କଥାବାର୍ତ୍ତା କରେ ନାହିଁ । ଯେତେବେଳେ ସେ କିଛି କହେ ତ ହିନ୍ଦୀରେ , ସେଇ କଥା ତକ ଭଲରେ ବୁଝି ହୁଏନି, କାରଣ ତାର ପାଟି ଲାଗେ ଓ ଉଚ୍ଚାରଣ ଠିକ୍ କରିପାରେନାହିଁ । ଝିଅଟିର ମା’ ଜଣେ ସୁଗୃହିଣୀ, ଘରର ସବୁ ଦାୟିତ୍ୱ ତାଙ୍କୁ ନେବାକୁ ପଡେ। ପିଲାର ସବୁକଥା ସେହିଁ ବୁଝନ୍ତି; ବହୁତ ପରିଶ୍ରମୀ ଏବଂ ଯତ୍ନଶୀଳା । ପିଲାର ସମସ୍ତ ଅଭାବକୁ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି । ହେଲେ ଗୋଟିଏ ଭୁଲ ଧାରଣା ତାଙ୍କ ମନରେ ରହିଛି, ପିଲାବେଳୁ ହିନ୍ଦୀ ଆଉ ଇଂରାଜୀଭାଷାରେ କଥା କହିଲେ ଭଲ; ଆଉ ତାକୁ ବାଧ୍ୟ କରି ସେହି ଭାଷାରେ ପାଠ ପଢାନ୍ତି ।

ସବୁଦିନ ସକାଳୁ ସକାଳୁ ତାଙ୍କର ପାଟି ଶୁଭେ,ଘର କାମ କରି କରି ଝିଅକୁ ପାଠ ପଢିବା ପାଇଁ ବାଧ୍ୟ କରୁଥାଆନ୍ତି । ଇଂରାଜୀରେ କଥା ହୁଅନ୍ତି ଝିଅ ସହିତ , ଓଡ଼ିଆ ଭାଷା ଜମା କହନ୍ତି ନାହିଁ , ପିଲାଟି ତାଙ୍କ କଥାକୁ ଦୋହରାଉଥାଏ । ତାଙ୍କ ଘରକୁ ଯଦି କିଏ ବନ୍ଧୁବାନ୍ଧବ ଆସିଲେ ପିଲାଟି ଖୁସି ହୁଏ, କିନ୍ତୁ କଥା ହୁଏନାହିଁ ; କାରଣ ତାକୁ ଓଡ଼ିଆ ଆସେ ନାହିଁ ।
ଘରକୁ ଆସିଥିବା ଲୋକମାନଙ୍କୁ ହୁଏତ ହିନ୍ଦୀ ଇଂରାଜୀ ଜଣା ନଥାଏ କିମ୍ବା ଜାଣିଥିଲେ ମଧ୍ୟ କହିବାକୁ ସୁବିଧା ଲାଗେନାହିଁ ।ଓଡ଼ିଆ ଭାଷା ରେ ଅଭ୍ୟସ୍ତ ହେଇ ,ଅନ୍ୟ ଭାଷାରେ କଣ ପାଇଁ ଜଣେ କଥା ହେବାକୁ ଭଲପାଇବ, ପୁଣି ଜଣେ ଓଡ଼ିଆ ଲୋକ ସହିତ । ତେଣୁ ପିଲାଟି କାହା ସହ କଥା ହୁଏ ନାହିଁ । ବାପାଝିଅ ଯେତେବେଳେ କଥା ହେବେ, ମା ସେପଟୁ କହୁଥିବାର ଶୁଭିବ, “ହିନ୍ଦୀମେ ମେ ବାତ କରୋ! ହିନ୍ଦୀମେ !”

ଯେଉଁ ବୟସରେ ପିଲାଏ କଥା କହି କହି ଘରକମ୍ପାଇବା କଥା, ସେତେବେଳେ ପିଲାଟି ଚୁପ୍ ରହୁଛି, ନହେଲେ ଡରି ଡରି ହିନ୍ଦୀ ଇଂରାଜୀ କହୁଛି । ସାହିରେ ଥିବା ଅନ୍ୟ ପିଲାମାନେ ବାହାରେ ଖେଳୁଥାନ୍ତି , ପିଲାଟି ଆସି ଦେଖେ ; ସେମାନେ ନିଜ ନିଜ ଭିତରେ ଓଡ଼ିଆରେ କଥା ହେଉଥାନ୍ତି । ଏ ଝିଅଟି ଚୁପଚାପ ଠିଆ ହୋଇ ଦେଖେ, କାହା ସହିତ ମିଶି ପାରେନାହିଁ ।
ସେତେବେଳେ ତା ମାଆ ଆସି କହନ୍ତି, “ହିନ୍ଦୀ ମେ ବାତ୍ କରୋ ୟେ ସମଝିତି ନହିଁ ।” ସେ ପିଲାମାନେ ଶୁଣନ୍ତି ନାହିଁ। ଖେଳର ମଜା ଉଠଉଥିବା ବେଳେ କିଏ କାହିଁକି ଅନଭ୍ୟସ୍ତ ଭାଷା ବ୍ୟବହାର କରିବ ? ସେଠି ଝିଅଟି କେତେ ସମୟ ଠିଆ ହୁଏ, ତାପରେ ଘରକୁ ଚାଲି ଯାଏ ।

ମୋ ସହିତ ଦେଖାହେଲେ ମୁଁ ତାକୁ ମୋ ପାଖରେ ବସାଇ ଗେଲ କଲେ, ସିଏ ବହୁତ ଖୁସି ହୁଏ । ତୋ ନାଁ କଣ ? ପଚାରିଲେ ଖାଲି ଚାହେଁ ,କିଛି ଉତ୍ତର ଦିଏ ନାହିଁ । ମୁଁ ଜାଣେ ସିଏ ଓଡ଼ିଆ ବୁଝି ପାରୁନି ।

ଥରେ ମୁଁ ତା ମାଙ୍କୁ କହିଲି, ତମେ ତାକୁ ଓଡ଼ିଆରେ କଥା କହୁନ , ଘରେ ଓଡ଼ିଆ କହିଲେ ସିନା ସିଏ ଆମ ସହିତ କଥା ହେବ; ସେଥିପାଇଁ ସେ କାହା ସହିତ ମିଶି ପାରୁନି । .ଆଗ କାହିଁକି ତାକୁ ହିନ୍ଦୀ ଶିଖଉଛ ? ସ୍କୁଲରେ ପଢିଲେ ବଳେ ଶିଖିଯିବନି ? ମୋ କଥା ନସରୁଣୁ ବୁଝେଇବା ଢଙ୍ଗରେ କହିଲେ, ତମେ ଜାଣିନ ଭାଉଜ ଆଜିକାଲି ପିଲାମାନଙ୍କୁ ଘରୁ ହିନ୍ଦୀ ଇଂରାଜୀ ଶିଖେଇ ସ୍କୁଲରେ ଆଡ଼ମିସନ କରିବାକୁ ପଡେ । ସେଠି ସିଏ ଓଡ଼ିଆ କଥା କହିଲେ ଟିଚରମାନେ ଭାବିବେ ଆମେ ପାଠପଢିନୁ । ହିନ୍ଦୀ ଇଂରାଜୀ କହୁଥିବା ପିଲାମାନେ ସ୍ମାର୍ଟ ଆଉ ଈଣ୍ଟେଲିଜେନ୍ଟ । ଓଡ଼ିଆ ଭାଷା କହିଲେ କହିବେ ଆଉଟଡ଼େଟେଡ଼ , ମଫସଲିଆ ।  ଆଉ, ଯଦି ତୁମେ କେବେ ଓଡିଶା ବାହାରକୁ ଯାଅ, ସେଠି ଓଡ଼ିଆ କହିଲେ କେହି ତ ବୁଝି ପାରିବେନି, ଓଲଟା ତୁମକୁ ଓଡ଼ିଆ ବୋଲି ଜାଣିଲେ ଖରାପ ବ୍ୟବହାର କରିବେ । ଆଜିକାଲି ଇଂରାଜୀ ମାଧ୍ୟମ ସ୍କୁଲରେ ଓଡ଼ି଼ଆ ପଢା ହେଉନାହିଁ , ଯଦିବା ପଢା ହେଉଛି ତେବେ ଖୁବ୍ କମ ମାର୍କର । ତେଣୁ ପରୀକ୍ଷା ପାଇଁ ଯେମିତି ସେମିତି ପଢ଼ି ଦେଲେ ଗଲା । ତେଣୁ ଓଡ଼ିଆ ଶିଖି କଣ ଲାଭ ମିଳିବ ?

ମୁଁ ତାଙ୍କ କଥାଶୁଣି ରାଗିଗଲି । ତାଙ୍କ ମନରେ ଓଡ଼ିଆ ଭାଷାକୁ ନେଇ ଏତେ ହୀନମନ୍ୟତା ଅଛି ବୋଲି ଜାଣିଲା ପରେ, ସେଠି ଠିଆ ହୋଇ କଥାହେବାକୁ ମୋତେ ଘୃଣାଆସିଲା । ମୁଁ ମୋ ମାତୃଭାଷାକୁ ନେଇ ଗର୍ବ ଅନୁଭବ କରେ । ମୁଁ ଟିକେ ବିରକ୍ତ ହୋଇ ତାଙ୍କୁ କହିଲି, ତମେ ଓଡ଼ିଆ ହୋଇ ଓଡ଼ିଶାର ପାଣି ପବନରେ ବଢ଼ି, ନିଜ ଭାଷାକୁ ନିନ୍ଦା କରୁଛ ? ନିଜଭାଷାର ଉନ୍ନତି ନିମନ୍ତେ କେତେ ମହାପୁରୁଷ ନିଜକୁ,ନିଜ ସ୍ଵାର୍ଥକୁ ତ୍ୟାଗ କରି ଦେଇଛନ୍ତି । ଆମେ ଯଦି ନିଜକୁ ଓଡ଼ିଆ କହିବାକୁ ଲଜ୍ୟା ଅନୁଭବ କରିବା, ତେବେ ଏ ଭାଷା ଦିନେ ଲୋପ ପାଇଯିବ ; ଆଉ କେତେକ ରାଜ୍ୟର ଲୋକେ ମାତୃଭାଷା ଛଡ଼ା ଅନ୍ୟ ଭାଷାରେ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଅଥଚ ଆମେ ପିଲାଙ୍କୁ ଓଡ଼ିଆ ଶିଖିବାକୁ ଆଗ୍ରହୀ କରାଇବା ପରିବର୍ତ୍ତେ, ତାଙ୍କୁ
ଓଡ଼ିଆ ଭାଷାର ଅନାଦର କରିବାକୁ ପ୍ରଵର୍ତ୍ତାଉଛେ !

ମୋ କଥା ଶୁଣି ଭଦ୍ର ମହିଳା ଜଣକ ଚୁପ୍ ରହି ଥିଲେ ସିନା, କିନ୍ତୁ ତାଙ୍କ ମନରେ ନିଜ ଭାଷାପ୍ରତି ଥିବା ଅବଜ୍ଞା ଭାଵଟା ମୋର ଅସହଣୀୟ ଥିଲା । ତେଣୁ ମୁଁ ସେଠାରୁ ଚାଲି ଆସିବାକୁ ଶ୍ରେୟଃସ୍କର ମନେକଲି ।
                                                                       (ପଞ୍ଚମୁଖି ଚଉରା, ଜେନାମଠ ଲେନ, ପୁରୀ ,ପିନ୍ -୭୫୨୦୦୧)

ମହାନ ଆମ ମାତୃଭାଷା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବଲାଙ୍ଗିର ହୃଦୟରେ ବିକଶିତ ମହାନ ଆମ ମାତୃଭାଷା ସଂଘର ପ୍ରତିଷ୍ଠାତା ରାଜେଶ କୁମାର ଶତପଥୀଙ୍କ ରଚିତ ଓ ପରିବେଷିତ ଏହି ମହାନ କୃତି ସବୁ ଓଡ଼ିଆଙ୍କ ପ୍ରାଣସତ୍ତାର ଝଙ୍କାର ବହନ କରେ ।

ଅଧିକ ଭିଡିଓ ପାଇଁ 'ମହାନ ଆମ ମାତୃଭାଷା ' ୟୁଟ୍ୟୁବ୍ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ ।ମହାନ ଆମ ମାତୃଭାଷା#Odiasahitya #Saraladas#Lokasahitya #Odia_Song#Odiabhasa#UpendraBhanja

Posted by ମହାନ ଆମ ମାତୃଭାଷା Mahan ama Matrubhasa on Friday, September 25, 2020

 

ରଞ୍ଜନ କୁମାର ଦାସଙ୍କୁ ମରାଯିବାର ମୂଳ କାରଣ ତାଙ୍କ ଭାଷାପ୍ରେମ: ସିବିଆଇ ତଦନ୍ତ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋର ଦୁଇଜଣ ମୁଖ୍ୟ ସହଯୋଗୀଙ୍କ ଅର୍ଥଲୋଭର ଉପଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାପାଇଁ ଜୁଲାଇ ୧୬, ୨୦୧୮ ସନ୍ଧ୍ୟାରେ ବସ୍ତୁତଃ ସକ୍ଷମ ହୋଇଥିଲେ । ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏ ଦୁହେଁ – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ସେହି ସନ୍ଧ୍ୟାରେ ସଂପୂର୍ଣ୍ଣ ଅନଧିକୃତ ଭାବେ ଘୋଷଣା କରିଥିଲେ ଯେ, ଭାଷା ଆନ୍ଦୋଳନର  ନିଷ୍ପତ୍ତିକ୍ରମେ କଳାପତାକା ଅଭିଯାନ ସ୍ଥଗିତ ରହିଲା ।

ଓଡ଼ିଶାର ସମସ୍ତ ଗଣମାଧ୍ୟମ ଜାଣନ୍ତି ଯେ, ଭାଷା ଆନ୍ଦୋଳନ ମୋର ମାନସ ସନ୍ତାନ । ସେମାନେ ସମସ୍ତେ ଜାଣନ୍ତି ଯେ, ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ସରକାରଙ୍କୁ ଦେଇଥିବା ଚିଠା ବିଧାନ ସପକ୍ଷରେ ମୋ ନିଜସ୍ଵ ପଦ୍ଧତ୍ତିରେ ଏହା ଚାଲିଥାଏ ଯାହାର ପରିଚାଳନାରେ ମୋତେ ସାହାଯ୍ୟ କରୁଥାନ୍ତି ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା । ଅଥଚ ମୋ ଅନୁପସ୍ଥିତିରେ ସେମାନେ ଯେତେବେଳେ ଏହି ବକ୍ତବ୍ୟ ରଖିଲେ, ଗଣମାଧ୍ୟମମାନଙ୍କର ସମ୍ବାଦିକୀୟ ଦାୟିତ୍ଵ ଥିଲା ସତ୍ୟାସତ୍ୟ ଜାଣିବା ପାଇଁ ମୋତେ ପଚାରିବା । ମାତ୍ର କେହି ବି  ପଚାରିନଥିଲେ । ସେମାନେ ସମସ୍ତେ ପ୍ରଚାର କରିଥିଲେ ଯେ, କଳା ପତାକା ଅଭିଯାନ ବନ୍ଦ ହୋଇଗଲା ଓ ମୁଁ ପଠାଇଥିବା ପ୍ରତିବାଦ ଉପରେ  ମଧ୍ୟ ସମସ୍ତେ କଳା ଢାଙ୍କୁଣୀ ଘୋଡ଼ାଇ ଦେଇଥିଲେ ବା ସାମ୍ବାଦିକୀୟ ଭାଷାରେ ତାହାକୁ ବ୍ଳାକ୍ଆଉଟ୍ (blackout) କରିଦେଇଥିଲେ । ଅତଏବ, ମୁଖ୍ୟମନ୍ତ୍ରୀ ପ୍ରଦ୍ୟୁମ୍ନ ପବିତ୍ରଙ୍କ ଆନୁଗତ୍ୟ କିଣି କଳା ପତାକା ଅଭିଯାନ ବନ୍ଦ କରିବାକୁ ସେଦିନ ଅପୋଦ୍ୟମ କରିଥିଲେ କେବଳ ନୁହେଁ, ଗଣମାଧ୍ୟମମାନେ ଯେପରି କେବଳ ସେହିମାନଙ୍କ ଘୋଷଣାକୁ ହିଁ ପ୍ରଚାର କରନ୍ତି ଓ ମୋର ପ୍ରତିକ୍ରିୟା ଉପରେ କଳାପରଦା ଢାଙ୍କି ରଖନ୍ତି ତାର ବି ବ୍ୟବସ୍ଥା କରିଥିଲେ ।

କିନ୍ତୁ ଏ ଅପ୍ରତ୍ୟାଶିତ ଭୟଙ୍କର ଆଘାତ ସତ୍ତ୍ୱେ ଭାଷାଜନନୀର ସଂଗ୍ରାମ ଜାରିରହିଲା । ତାର ବିଜୟ ପତାକା – କଳାପତାକା – ନିର୍ଦ୍ଧାରିତ ସମୟରେ ଉଡ଼ିଚାଲିଲା ରାଜଧାନୀର ଛାତି ଉପରେ ପ୍ରତିଦିନ । ଏବଂ ଉପରୋକ୍ତ ଦୁଇ ଅର୍ଥଲୋଭୀଙ୍କୁ ପୋଷା ମନାଇ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବାକୁ ଯେଉଁ ଚକ୍ରାନ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଚକ୍ରାନ୍ତକୁ ପାଦରେ ଦଳିଦେଲେ ଭାଷା ମାଆର ଭୀମ ପରି ଶକ୍ତିଶାଳୀ ସନ୍ତାନ ରଞ୍ଜନ କୁମାର ଦାସ, ଯାହାଙ୍କ ଓଡ଼ିଆଜାତୀୟତାବୋଧ ଏତେ ଅସୀମ ଥିଲା ଯେ, ଇତିହାସରେ ସ୍ନାତକୋତ୍ତର ଉପାଧି ପାଇସାରି ବହିରାଗତ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ପ୍ରାକୃତିକ, ସଂସ୍କୃତିକ ଓ କଳାତ୍ମକ ଐତିହ୍ୟ ଉପରେ ଅବଗତ କରାଇବା ପାଇଁ ସେ ସ୍ଵତନ୍ତ୍ର ଶିକ୍ଷା ଅର୍ଜନ କରିଥିଲେ ଓ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ବୈଶିଷ୍ଟ୍ୟ ଉପରେ ଦିଗ୍ଦର୍ଶନ ଦେବା କମ ଆୟକାରୀ ହୋଇଥିଲେ ମଧ୍ୟ ତାହାକୁ ହିଁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିଲେ ।

ଏହି ଅସାଧାରଣ ମାତୃଭୂମିବତ୍ସଳ ରଞ୍ଜନ କୁମାର ଦାସ ୧୬ ଅଗଷ୍ଟ ୨୦୧୮ ତାରିଖରେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରର ଶିଶୁମାନଙ୍କ ହାତରୁ କଳାପତାକା ଗ୍ରହଣ କରି ନିଜ ସଂଗ୍ରାମୀ ଜୀବନର ଘନିଷ୍ଠ ସହଯୋଗୀ ସର୍ବଶ୍ରୀ ଜିତେନ୍ଦ୍ର କୁମାର ସାହୁ , ଆଳୟ ସାମନ୍ତରାୟ, ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତିଙ୍କ ସହ ପାଣିଚିଆ ଖରାରେ ଡହଡହ ତାତିଥିବା ରାଜରାସ୍ତାରେ ଚାଲି ଚାଲି ୧୭ ଅଗଷ୍ଟ ୨୦୧୮ରେ ବିଧାନସଭା ସମ୍ମୁଖରେ ପହଞ୍ଚି ଓଡ଼ିଆ ଭାଷାର ଜୀବନ ଇତିହାସରେ ଯେଉଁ ନୂଆ ଅଧ୍ୟାୟ ଯୋଡ଼ିଲେ  ତାହା ଭାଷାପ୍ରେମର ଅନନ୍ୟ ନିଦର୍ଶନ କେବଳ ନଥିଲା, ଭାଷା ବିଦ୍ଵେଷୀ ନବୀନଙ୍କ ଛାତିରେ ଏପରି ଛନକା ଭରିଦେଇଥିଲା ଯେ, ୧୫ ଦିନ ଭିତରେ ଓଡ଼ିଶାର ସର୍ବତ୍ର ସବୁ ଦପ୍ତର ଓ ଦୋକାନର ନାମ ଓଡ଼ିଆରେ ଲେଖାହେବା ବାଧ୍ୟତାମୂଳକ ହେବ ଓ ଆଇନରେ ଥିବା ତ୍ରୁଟି ସଂଶୋଧନ କରାଯିବ ବୋଲି କହିବାକୁ ତର ସହିନଥିଲା ।

ମୁଖ୍ୟମନ୍ତ୍ରୀଙ୍କ ପ୍ରୀତ୍ୟର୍ଥେ ସେଦିନର ଏହି ଐତିହାସିକ ଘଟଣାକୁ ଓଡ଼ିଶାର ଗଣମାଧ୍ୟମମାନେ ବ୍ଳାକ୍ଆଉଟ୍ କରିଥିବା ବେଳେ ଆନ୍ଦୋଳନର ଛତ୍ରପୁର ସଞ୍ଚାଳକ ସୌମ୍ୟରଞ୍ଜନ ନାୟକ ଫେସବୁକ ମାଧ୍ୟମରେ ତାର ପ୍ରସାରଣ କରିଥିଲେ ଓ ପରେ ଭିନ୍ନଧାରାର ପ୍ରତିଜ୍ଞା ଟିଭି ତାହାକୁ ହିଁ ପ୍ରସାରିତ କରିଥିଲା । ଆପଣମାନଙ୍କ ଉଦ୍ଦେଶ୍ୟରେ ତାହାକୁ orissamattersର YouTube ମଞ୍ଚରେ ସ୍ଥାନିତ କରି ଏଠାରେ ସଲଗ୍ନ କରାଗଲା ।

ଏହି ଘଟଣା ପରେ ଓଡ଼ିଶା ସରକାର ଅତର୍ଛିଯାଇ ଆଇନଟିକୁ ମାସକ ପରେ ୨ୟ ବାର  ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ ମଧ୍ୟ ତାହା ଥିଲା  ତ୍ରୁଟିପୂର୍ଣ୍ଣ ୧ମ ସଂଶୋଧନର ପୁନଃ ବୈଧିକରଣ ଓ ପରିବର୍ଦ୍ଧନ ।

ଏହି ପ୍ରତାରଣା ବିରୁଦ୍ଧରେ  ଓ ଷଡ଼ଯନ୍ତ୍ର ସମ୍ପର୍କରେ ସାରା ଓଡ଼ିଶାର ଜନଗଣଙ୍କୁ ଅବଗତ କରାଇ ଭାଷା ମାଆର ବିଜୟ ସୁନିଶ୍ଚିତ କରିବା ପାଇଁ ନିଜ ସାଥୀମାନଙ୍କୁ କଳାପତାକା ସହ ସାଇକଲ ଅଭିଯାନ ପାଇଁ ରଞ୍ଜନ ଯେଉଁଦିନ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କଲେ ଓ ସେଥିପାଇଁ ସାଥୀ ସମ୍ପର୍କ ଆରମ୍ଭ କଲେ, ତହିଁର ତୃତୀୟ ଦିନ ଅତିବାହିତ ହେବା ପୂର୍ବରୁ ତାଙ୍କୁ ହତ୍ୟା କରାଗଲା । ଭାଷା ଆନ୍ଦୋଳନ ଓ ଓଡ଼ିଶା ସୂଚନା ଅଧିକାର ଅଭିଯାନର ତଥା ଜନସାଧାରଣଙ୍କ ପ୍ରତିବାଦ ବିକ୍ଷୋଭ ଓ ବାରମ୍ବାର ଦାବି ସତ୍ତ୍ୱେ ତାଙ୍କ ହତ୍ୟାକାରୀକୁ ଧରିବା ପାଇଁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ ।

ଏହି ହେତୁ ଆମେ ସନ୍ଦେହ କରୁ ଯେ , ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତ କବଳରୁ ଭାଷା ଆନ୍ଦୋଳନକୁ ରକ୍ଷା କରିବା ପାଇଁ ଓ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବା ପାଇଁ ରଞ୍ଜନଙ୍କ ଉପରସୂଚିତ କଳାପତାକାଧାରୀ ପଦଯାତ୍ରା ଓ କଳାପତାକା ସହ ସାରା ଓଡ଼ିଶାରେ ସାଇକଲ ଯାତ୍ରା କରିବା ପ୍ରସ୍ତାବର ପ୍ରତିକ୍ରିୟାରେ ତାଙ୍କୁ ହତ୍ୟାକରାଯାଇଛି ଓ ସେହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତୃତ୍ତ୍ଵାଧିନ ପୋଲିସ ହତ୍ୟାକାରୀକୁ ଧରୁନାହିଁ ।

ଏହି ପ୍ରେକ୍ଷାପଟରେ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଭାଷା ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ମୁଁ ଦାବି କରୁଛି ।

ଓଡ଼ିଶା ରାଜ୍ୟ ଓଡ଼ିଆ ଭାଷାର ରାଜ୍ୟ, ଏକୁ ରକ୍ଷା କରିବାକୁ ହେବ: ପ୍ରଫେସର ମନୋରଞ୍ଜନ ଦାସ

(ସୂତ୍ର ଆମ ଭାଷା ଆମ ଅଧିକାର)
“ଭାଷା ଯେକୌଣସି ଜାତିର ପରିଚୟ କେବଳ ନୁହେଁ , ତା’ର ପ୍ରାଣଶକ୍ତି ମଧ୍ୟ । ଅନୁରୂପ ଭାବରେ ଓଡ଼ିଆ ଭାଷା ଓଡ଼ିଆ ଜାତିର ପରିଚୟ ଓ ପ୍ରାଣଶକ୍ତିର ଅଫୁରନ୍ତ ଉତ୍ସ ।” ଏହାର ଅବକ୍ଷୟ ରୋକିବା ପାଇଁ “ଆସନ୍ତୁ, କଳାପତାକାକୁ ମୁଣ୍ଡାଇ ଚାଲିବା ଲକ୍ଷ୍ୟ ସାଧନ ପର୍ଯ୍ୟନ୍ତ” ବୋଲି କହିଛନ୍ତି ଓଡ଼ିଆଭାଷାସାହିତ୍ୟର ସୁଖ୍ୟାତ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋରଞ୍ଜନ ଦାସ ।

ଇଂରାଜୀ ରାଜୁତିରୁ ଓଡ଼ିଶାକୁ ମୁକ୍ତ କରି ଓଡ଼ିଆ ଜାତିର ପରିଚୟ ଓ ପ୍ରାଣଶକ୍ତି ସୁରକ୍ଷିତ କରିବା ପାଇଁ ଚାଲିଥିବା ଭାଷା ଆନ୍ଦୋଳନ କରୋନା କାଳରେ ତାର କଳାପତାକା ଅଭିଯାନକୁ ବୌଦ୍ଧିକ ପ୍ରଦର୍ଶନରେ ପରିଣତ କରିଛି ଓ ପ୍ରତି ସୋମବାର ଜଣେ ଜଣେ ପ୍ରସିଦ୍ଧ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ତାଙ୍କର ବକ୍ତବ୍ୟ ରଖୁଛନ୍ତି, ଯାହାକୁ ଆଂଦୋଳନର ଫେସବୁକ ମଞ୍ଚ ଭାଷା ମା ପାଇଁ ପଦେ ପୃଷ୍ଠାରୁ ସିଧା ପ୍ରସାରିତ କରାଯାଉଛି ।

ଏହିକ୍ରମରେ ସେପ୍ଟେମ୍ବର ୨୧ ସୋମବାର ପ୍ରଫେସର ଦାସ କହିଛନ୍ତି, “ଓଡ଼ିଆ ଭାଷା ନିଷ୍ପ୍ରାଣ ହୋଇ ମୃତ୍ୟୁ ମୁଖରେ ପଡ଼ିବା ପୂର୍ବରୁ ଏହାକୁ ଜୀବନକ୍ଷମ କରାଇବାର ଏକମାତ୍ର ବାଟ ହେଉଛି ଓଡ଼ିଆ ଭାଷାକୁ ଅବିଳମ୍ବେ ଓଡ଼ିଶାର ରାଜଭସ ରୂପେ ପ୍ରତିଷ୍ଠା ଦେବା ।”

ଫେସବୁକର ଭାଷା ଆନ୍ଦୋଳାନ ମଞ୍ଚରୁ ସିଧା ପ୍ରସାରିତ ଭାଷଣଟିକୁ ବିଶ୍ଵବାସୀ ଓଡ଼ିଆଙ୍କ ସୁବିଧା ପାଇଁ ୟୁଟ୍ୟୁବରେ ସ୍ଥାନିତ କରାଯାଇଛି । ନିମ୍ନରେ ତାହା ଉପସ୍ଥାପିତ ହେଲା – 

 

 

 

ଭାଷା ଆନ୍ଦୋଳନର ରବିବାସରୀୟ ଚର୍ଚ୍ଚା : ଓଡ଼ିଆ ଭାଷାର ପ୍ରାଣଶକ୍ତି ହ୍ରାସର କାରଣ ଓ ନିରାକରଣ

ସୂତ୍ର : ଆମ ଭାଷା ଆମ ଅଧିକାର 

ଗତ ରବିବାର(୨୦/୦୯/୨୦୨୦)ସନ୍ଧ୍ୟାରେ ଭାଷା ଆନ୍ଦୋଳନର ରବିବାସରୀୟ ଭର୍ଚୁଆଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀମାନେ ଅଂଶଗ୍ରହଣ କରିଥିଲେ ।
ଶ୍ରୀ ରଂଜନ କୁମାର ସାହୁଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ଆଲୋଚନାର ବିଷୟ ଥିଲା-” ଓଡ଼ିଆ ଭାଷାର ପ୍ରାଣଶକ୍ତି ହ୍ରାସର କାରଣ ଓ ନିରାକରଣ”। ଏହା ଉପରେ ଉପସ୍ଥିତ ଭାଷାପ୍ରେମୀ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ସେମାନଙ୍କ ମତର ସଂକ୍ଷିପ୍ତସାର :
* ସୁଦୂର କୋଲକତାରେ ଶିକ୍ଷକତା କରୁଥିବା ସନାତନ ମହାକୁଡ଼ଙ୍କ ମତରେ,” ଆମ ପଢିବା, ଲେଖିବା ଓ କଥାହେବାର ଭାଷା ଓଡ଼ିଆ ହେବା ଉଚିତ”।
*ମହେନ୍ଦ୍ର ତ୍ରିପାଠୀଙ୍କ ମତରେ,” ପ୍ରଶାସନିକ ତତ୍ପରତା, ବିଦ୍ୟାଳୟରେ ଓଡ଼ିଆ ଭାଷାରେ ଶିକ୍ଷା ଓ ଓଡ଼ିଆ ଭାଷାର ବ୍ୟବହାରିକ ଦିଗ ଉନ୍ନତ ହେବା ଉଚିତ”।
* ଶ୍ୟାମଘନ ମହାରଣାଙ୍କ ମତରେ,” ଆମକୁ ପ୍ରଥମେ ବ୍ୟକ୍ତିଗତ ସ୍ତରରୁ ଭାଷାର ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିବାକୁ ପଡିବ ।” 
* ବାପିନା ପାଲଟାସିଂହ ନିଜ ଛାତ୍ର ଜୀବନରେ ଅନୁଭୂତି ବର୍ଣ୍ଣନା କରି କହିଥିଲେ, ଉଜ୍ଜ୍ବଳ ଭବିଷ୍ୟତଆଶାରେ ଘରଗୁରୁଜନଙ୍କ ଚାପରେ ଇଂରାଜୀ ପଢିବାକୁ ବାଧ୍ୟବାଧକତା ଏବଂ ସହଜରେ ବୁଝିହେଉଥିବା ମାତୃଭାଷା ଓଡ଼ିଆରେ ଅଧ୍ୟୟନ ପ୍ରତି ଅନୁରାଗ- ଏହି ଦ୍ଵନ୍ଦ୍ଵ ଭିତରେ ସେ କଟାଇଥିଲେ ତାଙ୍କ ପିଲାଦିନ । ବାପମାଆମାନେ ଇଂରାଜୀ ଭାଷା ମାୟାରେ  ନପଡି ନିଜ ଆଦରର ସନ୍ତାନମାନଙ୍କୁ ଓଡ଼ିଆ ଭାଷାରେ ମୂଳରୁ ଶିକ୍ଷା ଦିଆଇଲେ ଶୈଶବ ନଷ୍ଟ ହେବ ନାହିଁ ଓ ଓଡ଼ିଆ ଭାଷାର ପ୍ରାଣଶକ୍ତି ସୁଦୃଢ ହେବ ଓ ଜାତିର ଭବିଷ୍ୟତ ଉଜ୍ଜ୍ଵଳ ହେବ ବୋଲି ସେ କହିଥିଲେ । *ଦେବାଶିଷ ଆଚାର୍ଯ୍ୟ ଓ ଶ୍ରୀକାନ୍ତ ବେହେରା ନିଜ ନିଜ ମତାମତରେ, ଓଡ଼ିଆ ଭାଷା କିପରି ହିନମନ୍ୟତାର ଶୀକାର ହେଉଛି କହିଥିଲେ।

*ପ୍ରମାଦପୂର୍ଣ୍ଣ ସଂଶୋଧନ ଦ୍ଵାରା ଭାଷା ଆଇନକୁ ଅକର୍ମଣ୍ୟ କରି ରଖା ହୋଇଥିବା ହେତୁ କାର୍ଯ୍ୟ ନିର୍ବାହର ଭାଷା ହୋଇନପାରି ଓଡିଆ ଭାଷା ତାର ପ୍ରାଣଶକ୍ତି ହରାଇବାରେ ଲାଗିଛି ଓ ଯଦି ତୁରନ୍ତ ଭାଷା ଆଇନର ସାନି ସଂଶୋଧନ ଦ୍ଵାରା ତାକୁ ନିର୍ଭୁଲ କରାନଯାଏ ଓ ରାଜ୍ୟର ସମସ୍ତ କାର୍ଯ୍ୟାଳୟରେ ଓଡ଼ିଆ ଅପରିହାର୍ଯ୍ୟ କରାନଯାଏ ଏବଂ ଓଡ଼ିଆରେ କାମନକରିବା ଲୋକକୁ  କଠିନ ଦଣ୍ଡ ବିଧାନ ପାଇଁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ବିଧିକୃତ କରାନଯାଏ, ତେବେ ଓଡ଼ିଆ ଜାତିର ମାତୃଭାଷାର ଯେଉଁ ସାମାନ୍ୟ କିଛି ଜୀବନ ବଞ୍ଚିଛି ତାହା ଲୋପ ପାଇଯିବ ବୋଲି ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ । ସେ କହିଥିଲେ, ଓଡ଼ିଆ ସାହିତ୍ୟିକମାନେ ଭାଷାଜୀବୀ ହୋଇନରହି ଭାଷାମନସ୍କ ହୁଅନ୍ତୁ ଓ ପ୍ରତି ଓଡ଼ିଆ ପ୍ରାଣରେ ମାତୃଭାଷା ପାଇଁ ମମତା ଓ ଗର୍ବବୋଧ ସୃଷ୍ଟି କରିବାକୁ ପ୍ରେରଣାଦାୟୀ ସାହିତ୍ୟ ସୃଷ୍ଟି କରନ୍ତୁ ; ତେବେ ଯାଇ ଭାଷାର ପ୍ରାଣଶକ୍ତି ପୁନରୁଦ୍ଧାର ହେବ ।  

*ଆଲୋଚନା ପରେ, ବାପିନା ପାଲଟାସିଂହ ଓ ଶ୍ରୀକାନ୍ତ ବେହେରା ନିଜ କବିତା ଆବୃତ୍ତି କରିଥିଲେ।
* ସରୋଜ ମହାନ୍ତି ଓ ସୁଶାନ୍ତ ମହାଳି ଅଲୋଚନାଚକ୍ରର ପରିଚାଳନା କରିଥିଲେ।
* ବୈଦ୍ୟୁତିକ ଗଣମାଧ୍ୟମ/ସୋସିଆଲ ମିଡିଆ ସାହାଯ୍ୟରେ ଭାଷା ଆନ୍ଦୋଳର କାର୍ଯ୍ୟକ୍ରମ ବିଷୟରେ ଅଧିକ ପ୍ରଚାର ଓ ପ୍ରସାର କରିବାକୁ ସ୍ଥିର କରାଗଲା।
*କଳାପତାକା ଅଭିଯାନକୁ ଅଧିକ ସକ୍ରିୟ କରିବାକୁ, ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ ହେଲା।
* ଏହି ଆଲୋଚନାରେ ଆଶା ମଞ୍ଜରୀ ଦାଶ, ଇତିଶ୍ରୀ ପତି, ପ୍ରତ୍ୟାଶା ପ୍ରିୟଦର୍ଶିନୀ ଓ ଗାୟତ୍ରୀ ପଣ୍ଡାଙ୍କ ଉପସ୍ଥିତି ଆଲୋଚନାକୁ ଅଧିକ ବଳିଷ୍ଠ କରିଥିଲା।
* ସମସ୍ତେ ଏହି ନିଷ୍କର୍ଷ ରେ ଉପନୀତ ହେଲେ ଯେ, ଆମ୍ଭମାନଙ୍କୁ ଅଧିକ ସକ୍ରିୟ ହେବାକୁ ପଡିବ । ଭାଷା ମା’ ପାଇଁ ଥିବା ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ନିର୍ବାହ କରି, ତାର ପ୍ରାଣ ଶକ୍ତିକୁ ଅଧିକ ଦୃଢ କରିବାକୁ ପଡିବ ।
* ଏହି ସଂକଳ୍ପ ସହ ଅଲୋଚନାଚକ୍ରକୁ ସମାପ୍ତ କରାଗଲା ।