ଜାତୀୟ ଶିକ୍ଷାନୀତି ମାତୃଭାଷାର ପରିପନ୍ଥୀ : ପ୍ରଫେସର ଡଃ ଅମିୟ କୁମାର ମହାନ୍ତି

ଫେସବୁକରେ ସିଧା ପ୍ରସାରିତ ଏହି ଉଦ୍ବୋଧନ ସ୍ଵୟଂ ସମ୍ପୂର୍ଣ୍ଣ  । ଭାଷଣତିର ଲିଖିତ ରୂପ ପରେ ପ୍ରକାଶିତ ହେବ । 

ଓଡ଼ିଆ କହିବା ସାଙ୍ଗମାନେ ଆସ, ବସ


                         -ମନୋରଞ୍ଜନ ଚୌଧୁରୀ (କଟକ)
[ମନୋରଞ୍ଜନ ଚୌଧୁରୀ ଜଣେ ଆଶୁ କବି । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ଵିତୀୟ ଶ୍ରେଣୀ ଓ ପେଷାରେ ସେ ଜଣେ ସାଇକେଲ ଦୋକାନୀ । ତୁଣ୍ଡେ ତୁଣ୍ଡେ ସେ ସୃଷ୍ଟି କରୁଥିବା କବିତାଗୁଡ଼ିକୁ କିଛି ଉତ୍ସାହୀ ଯୁବକ ଟିପିଦେଇ ସାମାଜିକ ଗଣମାଧ୍ୟମରେ ଦିଅନ୍ତି । ଏଗୁଡ଼ିକ ସାଧାରଣତଃ ଜୀବନଧର୍ମୀ ଓ ପ୍ରେମ କବିତା । ଫଳରେ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବପିଢ଼ିଙ୍କ ନିକଟରେ ସେ ସୁପରିଚିତ । ତାଙ୍କର ଏହି କବିତାଟି ଓଡ଼ିଆ ଭାଷାର ସାଂପ୍ରତିକ ଅବସ୍ଥା ଉପରେ ଆଧାରିତ । ]

ଓଡ଼ିଶା ଆମ ଦେଶ
ନିଶକୁ ମୋଡ଼ି, ଓଡ଼ିଆ କହିବା
ସାଙ୍ଗମାନେ ଆସ ବସ ।

ଓଡ଼ିଆ ମାଟିରେ ଜନ୍ମ ମୋହର,
ପ୍ରିୟ ମୋ ପଖାଳ କଂସା ।
ଯାହା ମୁଁ କହିବି ସତ ମୁଁ କହିବି,
ଦରକାର ହେଲେ ଇଂଲିଶ କହିବି;
ସବୁବେଳେ କିନ୍ତୁ ଇଂଲିଶ କହି
ହେବିନି ମୁଁ ଲୋକହସା ।

ଓଡ଼ିଶା ମୋହର ଗର୍ବ ଗୌରବ,
ଓଡ଼ିଆ ମୋହର ଭାଷା ।
ମୋ ମା ବାପଙ୍କର ଭାଷା ॥

ମା ଡାକେ ଯଉ ମଜା ଅଛି ମମି ଡାକରେ ନାହିଁ ।
ବାପା ଡାକେ ଯଉ ମଜା ଅଛି ଡାଡି ଡାକରେ ନାହିଁ ।
ମୁଁ କହିବି ମୋହରି ଭାଷା ,
ମୋ ମା ବାପଙ୍କର ଭାଷା ।


କାନ୍ଦୁଛି କବିର କଲମ

ରାଜେଶ କୁମାର ଶତପଥୀ 

ଅଶୀଠାରୁ ମସୀ ଅଟେ ଶକ୍ତିଶାଳୀ
ଏ କଥା ଜାଣେ ଜଗତ,
ଅସମ୍ଭବ କର୍ମ ସମ୍ଭବ କରିଣ
ଜଗତେ ସିଏ ବିଖ୍ୟାତ ।

ମସୀ ଅସ୍ତ୍ର ରୂପେ ଧରି ନିଜ ହାତେ
ଯୁଦ୍ଧ କରେ ମର୍ତ୍ତ୍ୟେ ଜଣେ,
ଅସତ୍ୟରୁ ସତ୍ୟ ଅଧର୍ମରୁ ଧର୍ମ
ଦୁର୍ନୀତିରୁ ନୀତି ଆଣେ ।

କେତେ ଯେ ବିପ୍ଳବ କେତେ ଆନ୍ଦୋଳନ
କରିଅଛି ଏ କଲମ,
ଇତିହାସ ପୃଷ୍ଠା ଭିତରେ କେବଳ
ରହିଯାଇଛି ତା ନାମ ।

ବଦଳି ଯାଇଛି ଆଜିର ସାହିତ୍ୟ
ବଦଳିଛି କବିମତ,
କମିଯାଉଅଛି ସାହିତ୍ୟ ସାଧନା
ହୋଇଛି କ୍ଷତ ବିକ୍ଷତ ।

କି ସୁନ୍ଦର ସତେ ଓଡ଼ିଆ ସାହିତ୍ୟ
ଅଟେ କେତେ ପୁରାତନ,
କେତେ ଯେ ସୁଯୋଗ୍ୟ ସାହିତ୍ୟସାଧକ
ରଖି ଯାଇଛନ୍ତି ନାମ ।

ସାହିତ୍ୟ ସାଧନା ଧର୍ମ ଥିଲା ତାଙ୍କ
ଲେଖନୀ ଯେ ଭଗବାନ,
ସମାଜ ଉନ୍ନତି ଲକ୍ଷ୍ୟ ଥିଲା ତାଙ୍କ
ଥିଲେ ବଡ଼ ତ୍ୟାଗବାନ ।

ଆଜି ବି ଅଛି ଏ ଓଡ଼ିଆ ସାହିତ୍ୟ
ଅଛନ୍ତି କବି, ଲେଖକ,
ନାହିଁ ଆଜି ସେହି ସାହିତ୍ୟ ଆଦର
ନାହିଁ ତ ଆଉ ପାଠକ ।

ଉନ୍ନତି ନାମରେ ଡିଣ୍ଡିମ ବଜାଇ
ହେଉଛନ୍ତି ଅନୁନ୍ନତ,
ନିଜ ଭାଷା ପାଇଁ ସମୟ ତ ନାହିଁ
ଇଂରାଜୀରେ ସର୍ବେ ବ୍ୟସ୍ତ ।

ନିଜକୁ ପଛେ କେ ଚିହ୍ନି ନ ପାରନ୍ତୁ
ନ ଜାଣନ୍ତୁ ପରିଚୟ,
ସଭିଙ୍କର ଇଚ୍ଛା ପଢିବେ ଇଂରାଜୀ
ବଢିବ ନିଜର ମୂଲ୍ୟ ।

ଓଡ଼ିଆ ପୁସ୍ତକ, ଓଡ଼ିଆ ପତ୍ରିକା
ପଢ଼ିବାକୁ ନାହିଁ କେହି,
ଓଡ଼ିଶାର ଛାତ୍ର ବାଧ୍ୟ ତ ନୁହନ୍ତି
ଓଡ଼ିଆ ପଢିବା ପାଇଁ ।

ପାଠକମାନେ ତ ଅଟନ୍ତି ଏମିତି
ଲେଖକ ବି କମ୍ ନୁହେଁ,
ଭାଷା ସାହିତ୍ୟର ଅବନତି ପାଇଁ
ତାଙ୍କର ବି ଦୋଷ ଥାଏ।

କାହାର ଲେଖାରେ ନ ଥାଏ ମାଧୁର୍ଯ୍ୟ
କିଏ ଲେଖେ ସ୍ଵାର୍ଥ ପାଇଁ,
ଟଙ୍କା ଉଦ୍ଦେଶ୍ୟରେ ଲେଖା ବ୍ୟବସାୟ
କରେ କିଏ କବି ହୋଇ !

ଲେଖକ ମାନଙ୍କ ଚିନ୍ତା ବଦଳିଲା
ବଦଳିଗଲେ ପାଠକ ,
ଏମାନଙ୍କ ମଧ୍ୟେ ଛନ୍ଦି ହୋଇ ଆଜି
କଲମର ବଢେ ଦୁଃଖ ।

ସମାଜ ଉନ୍ନତି ଜାତୀୟ ପ୍ରଗତି
ଲକ୍ଷ୍ୟ ଅଟେ କଲମର,
ଭୁଲ ଚିନ୍ତାଧାରା ଦୂର କରିବାକୁ
ସବୁବେଳେ ଚେଷ୍ଟା ତାର ।

କଲମର ଦୁଃଖ କିଏ ବା ବୁଝିବ
କାହାର ସେ ଚିନ୍ତାଧାରା?
ଟଙ୍କା ପଛେ ଆଜି ଧାଇଁ ଧାଇଁ ପରା
ଜାତି ହୋଇଛି ବେସୁରା ।

ନିଜ ଘରେ ଆଜି ଭିକାରୀ ସାଜିଛି
ଓଡ଼ିଆ ଭାଷା ସାହିତ୍ୟ,
କବିର କଲମ କାନ୍ଦୁଅଛି ଆଜି
ସବୁ ଥାଇ ସେ ଅନାଥ ।

(ମାଲପଡା, ଧଣ୍ଡାମୁଣ୍ଡା, ଖପ୍ରାଖୋଲ, ବଲାଙ୍ଗୀର)