ଭାଷା ମାଆ ପାଇଁ କବିତାଟିଏ //କବିସୌରଭ କୈଳାଶଚନ୍ଦ୍ର ବେହେରା

[ଆମ ଭାଷାକୁ ମାରିଦେବା ପାଇଁ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଯେଉଁ ଚକ୍ରାନ୍ତ ଚଳାଇଛନ୍ତି ତା କବଳରେ ପଡ଼ି ଆମ ଜାତିର ପରିଚୟ ଏବେ ବିପଦାପନ୍ନ । ତାକୁ ବିପଦମୁକ୍ତ କରିବା ପାଇଁ ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ, ତାହା ପ୍ରତ୍ୟାହୃତ ହୋଇସାରିଛି ବୋଲି ଏକଦା ଆନ୍ଦୋଳନ ପ୍ରତିଷ୍ଠତାଙ୍କ ଦୁଇ ସହଯୋଗୀଙ୍କଠାରୁ କଳା ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଲେଖେଇନେଇଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷାକୁ ମାରିଦେବା ପାଇଁ ଏପରି କୁତ୍ସିତ ଚକ୍ରାନ୍ତ କରିବା ସାରା ବିଶ୍ବରେ ବିରଳ । ବିଶ୍ବରେ ବିରଳ ମଧ୍ୟ ଆମ ଆନ୍ଦୋଳନ ପରି ଏକ ଆନ୍ଦୋଳନ ଯାହା ନିଜର ମାତୃଭାଷାକୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବର୍ଷ ବର୍ଷ ଧରି ନୀରବରେ ନିଜର ଦାବି ନିବେଦନ କରିପାରେ । ଏହି ଆନ୍ଦୋଳନ ଏତେ ନୀତିନିଷ୍ଠ ଯେ, କରୋନା ପରିଚାଳନାରେ ସରକାରଙ୍କୁ ଚାପମୁକ୍ତ  ରଖିବା ପାଇଁ ଏହା ପ୍ରତ୍ୟହ ଚଳାଇଥିବା କଳାପତାକା ଅଭିଯାନକୁ କାୟିକତଃ ସ୍ଥଗିତ ରଖିଛି ; କିନ୍ତୁ ଅବ୍ୟାହତ ରଖିଛି ବୌଦ୍ଧିକ ସ୍ତରରେ । ପ୍ରତିଦିନ ଆନ୍ଦୋଳନର ଦାବି ଅଦ୍ୟତନ କରାଯିବା ସଙ୍ଗେ ସଙ୍ଗେ ପ୍ରତି ରବିବାର ସନ୍ଧ୍ୟା ୭ରୁ ଚାଳୁଛି ନଭମଞ୍ଚ ମାଧ୍ୟମରେ ଏହାର  ସାରସ୍ଵତ ସାଙ୍ଗଠନିକ ଅଧିବେଶନ ; ଏବଂ ପ୍ରତି ସୋମବାର ପୂର୍ବାହ୍ନ ୧୦ରେ ଫେସବୁକରେ ଥିବା  ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଜଣେ ବିଜ୍ଞ ଓଡ଼ିଆ ଆନ୍ଦୋଳନର ଦାବି ଯଥାର୍ଥ ଓ ତାହାକୁ ସରକାର ମାନିନିଅନ୍ତୁ ବୋଲି ସାରଗର୍ଭକ ପରାମର୍ଶ ଦେଉଛନ୍ତି ସରକାରଙ୍କୁ । ବିଶ୍ଵର ଆନ୍ଦୋଳନ ଇତିହାସରେ ଏହା ଯେତିକି ବିରଳ, ସେତିକି ଅଭିନବ । ଏହି କ୍ରମରେ ଅନୁଷ୍ଠିତ ରବିବାସରୀୟ ଅଧିବେଶନରେ ଯେଉଁ ସମସ୍ତ ଭାଷାମନସ୍କ  କବିତା ଉପସ୍ଥାପିତ ହେବ, ସେଗୁଡ଼ିକୁ ଏହି ମଞ୍ଚରେ ଆମେ ‘ଭାଷା ମାଆ ପାଇଁ କବିତାଟିଏ ‘ ପୃଷ୍ଠାରେ ସ୍ଥାନିତ କରିବୁ । (ସୁଭାଷ ଚନ୍ଦ୍ର ପଟ୍ଟନାୟକ )]

                                                                                         ଓଡ଼ିଆ ଭାଷାର ଭବିଷ୍ୟତ

                                                                                                  କବିସୌରଭ କୈଳାଶଚନ୍ଦ୍ର ବେହେରା

ଭାଷା ଅଟେ ଆମ ଓଡ଼ିଆ ,
ସବୁଠାରୁ ଭାରି ବଢ଼ିଆ ,
କଥା କହୁଥିଲେ ମିଠା ଲାଗୁଥିବ
ଖାଇବ ଯେମିତି ନଡ଼ିଆ ।
କେଉଁ କାଳୁ ଏହା ରହିଛି ,
କେତେ ଝଡ଼ ଝଞ୍ଜା ସହିଛି ,
ପୁରାତନ ଆଉ ଓଜସ୍ବିନୀ ବୋଲି
କବିଙ୍କ କଲମେ କହିଛି ।
ପଡୋଶୀ ରାଇଜୁ୰ ଆସିଲେ ,
ଆମ ଲୋକ ସଙ୍ଗେ ମିଶିଲେ ,
ଆମ ଖାଦ୍ୟଖାଇ ବଡ଼ ଲୋକ ହୋଇ
ଆମ ଭାଷା ପ୍ରାଣ ଶୋଷିଲେ ।
ଭକ୍ତ କବି ମଧୁସୂଦନ ,
ସଙ୍ଗରେ ଫକୀର ମୋହନ ,
ରାତାରାତି ପୋଥି ରଚନା କରିଲେ
ରଖିଲେ ଭାଷାର ସମ୍ମାନ ।
ଶିକ୍ଷିତ ଯୁବକ ଆଜିର
ଭାଷାକୁ କଲେ ଅନାଦର ,
କଥାକଥାକେସେ ଇ°ରେଜୀ ଚୋବାନ୍ତି
ମାଆକୁ ନକରି ଖାତର ।
ଯଦି ବା ଓଡ଼ିଆ ଲେଖନ୍ତି ,
ବିକଳାଙ୍ଗ ତାକୁ କରନ୍ତି ,
ବନାନ ଅଶୁଦ୍ଧି କରିଦେଇ ସବୁ
ଲୋକେ ହାସ୍ୟାସ୍ପଦ ହୁଅନ୍ତି ।
ଚାଲ ଆମେ ଭାଷା ଶିଖିବା ,
କହିବା , ପଢ଼ିବା , ଲେଖିବା ,
ଭାଷାଜନନୀକୁ ସୁସମ୍ମାନ ଦେଇ
ସଙ୍କଟରୁ ତାକୁ ରଖିବା ।
—————————————-
                                                                                                           ସମ୍ପାଦକ , ଉତ୍କଳ ସମ୍ମିଳନୀ ,
                                                                                                           କନ୍ଧମାଳ ଜିଲ୍ଲା ଶାଖା ,ବାଲିଗୁଡା ।

ଓଡ଼ିଶାରେ ଓଡ଼ିଆ ଭାଷାକୁ ଧ୍ଵଂସ କରିବାକୁ ଷଡ଼ଯନ୍ତ୍ର ଚାଲିଛି : ଭାଷା ଆନ୍ଦୋଳନ ପାଠଚକ୍ରରେ ଅଶୋକ ମହାରଣା

ସୂତ୍ର : ଆମ ଭାଷା ଆମ ଅଧିକାର

ଭାଷା ଆନ୍ଦୋଳନର ରବିବାସରୀୟ ଭର୍ଚ୍ୟୁଆଲ ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଧ୍ୟାପକ ଅଶୋକ ମହାରଣା ଗତ ୪ ତାରିଖ ସନ୍ଧ୍ୟାରେ ଏକ ସର୍ବଜନବିଦିତ ସତ୍ୟକୁ ନିଜ ଶୈଳୀରେ ଉପସ୍ଥାପିତ କରି କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଭାଷାକୁ ମାରିଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଷଡ଼ଯନ୍ତ୍ର ଚଳାଇଛି । ନିଜ ଭାଷା ଜନନୀକୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ । ବିଷୟ ଥିଲା – ଭାଷା ସୁରକ୍ଷାରେ ଆମର କର୍ତ୍ତବ୍ୟ । 

ଅଧ୍ୟାପକ ମହାରଣାଙ୍କ ଭାଷଣ –ODIA BHASA 

ସରକାରଙ୍କ ଇଂରାଜୀ ପ୍ରୀତି ଆମ ଭାଷାକୁ ମରଣୋନ୍ମୁଖୀ କଲାଣି : ଭାଷା ଆନ୍ଦୋଳନର ଆଲୋଚନଚକ୍ରରେ ଆଶଙ୍କା

ସୂତ୍ର : ଆମ ଭାଷା ଆମ ଅଧିକାର 

ଗତ ରବିବାର(୦୪/୧୦/୨୦୨୦)ସନ୍ଧ୍ୟାରେ ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ରରେ ସରକାରଙ୍କ ଇଂରାଜୀ ପ୍ରୀତି ଆମ ଭାଷାକୁ ମରଣୋନ୍ମୁଖୀ କଲାଣି ବୋଲି ମତ ପ୍ରକାଶ ପାଇଥିଲା ।                       ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରାଙ୍କ ଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

              *”ଓଡ଼ିଆ ଭାଷାର ସୁରକ୍ଷାରେ, ଆମର କର୍ତ୍ତବ୍ୟ” ଶୀର୍ଷକ ଉପରେ ସାରଗର୍ଭକ ଆଲୋଚନା କଲେ, ମୁଖ୍ୟ ଆଲୋଚକ;ଶ୍ରୀଯୁକ୍ତ ଅଶୋକ ମହାରଣା।
              * ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଏହି ଆଲୋଚନା ଉପରେ ନିଜସ୍ୱ ମତାମତ ରଖିବ ସହ ସମ୍ପୂର୍ଣ୍ଣ ପରିବେଶକୁ ଅତ୍ୟନ୍ତ ବୌଦ୍ଧିକ କରିଦେଲେ।
               *ଅନ୍ତିମ ପର୍ଯ୍ୟାୟରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
              * ଶ୍ରୀକାନ୍ତ ବେହେରା,ସୁଶାନ୍ତ ମାହାଳି,ଦୀନବନ୍ଧୁ ପୋଇ,କୈଳାସ ଚନ୍ଦ୍ର ବେହେରା,ନଗେନ୍ଦ୍ର କୁମାର ରାଉତ,ଦୀପକ ରଂଜନ ଗ୍ରହାଚାର୍ଯ୍ୟ, କୈଳାଶ ଧଳ, ବି.କେ.କମଲ, ଶଶିକାନ୍ତ ପଣ୍ଡା ; ନିଜ ସ୍ୱ-ରଚିତ କବିତା ପାଠ କଲେ ।
              * ଓଡ଼ିଶାର କୋଣ ଅନୁକୋଣରୁ ଓଡ଼ିଆ ଭାଷା ଓ ସାହିତ୍ୟର ଅନେକ ସାରସ୍ୱତ ସାଧକ ଅଂଶଗ୍ରହଣ କରିଥିବା ଏହି ଆଲୋଚନାଚକ୍ରରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ପଟନାୟକଙ୍କ ସହ ରଞ୍ଜନ ଦାସ,ରଞ୍ଜନ କୁମାର ସାହୁ,ବାପିନା ପାଲଟାସିଂହ, ବଳରାମ ସାହୁ,ଶ୍ରୀରାମ ରାଉତ,ମହେନ୍ଦ୍ର ତ୍ରିପାଠୀ, ସରୋଜ କୁମାର ମହାନ୍ତି,ସାଗର କୁମାର ପରିଡା,ସୁନିତା ରଣା, ସ୍ନେହଳତା ସିଂ ପ୍ରମୁଖ ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ।

 

ଭାଷା ନୀତି କୁଆଡେ ଗଲା? ପଚାରିଛନ୍ତି ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା

ସୂତ୍ର: ଭାଷା ଅଧିକାର ଅଭିଯାନ

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ତହିଁର ସଦସ୍ୟ ସୁଭାଷ ଚନ୍ଦ୍ର ପଟ୍ଟନାୟକ ୩ ସେପ୍ଟେମ୍ବର ୨୦୧୫ ତାରିଖରେ ଏକ ଲିଖିତ ଚିଠା ବିଧାନ ପ୍ରଦାନ କରି ତଦନୁଯାୟୀ ଆଇନ ସଂଶୋଧନ କରିବାକୁ ଓ ସେହି ଆଇନର ଅମାନ୍ୟକାରୀ ପ୍ରତି କଠିନ ଦଣ୍ଡବିଧାନ ସୁନିଶ୍ଚିତ କରିବାକୁ ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀସ୍ତରୀୟ କମିଟି ତାହାକୁ ଅନୁମୋଦନ କରିଥିଲା । ଓ ତା ପରେ ଭାଷା ଆଇନ ସଂଶୋଧନର ଯେଉଁ ନୂଆ ଯୁଗ ଆରମ୍ଭ ହୋଇଥିଲା, ତାହା ଅଦ୍ୟାବଧି ଅବ୍ୟାହତ ଅଛି, ଯଦିଓ ସରକାର ତାହାର କାର୍ଯ୍ୟକାରୀତା ପାଇଁ ଚାଲିଥିବା ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଅତି ଉତ୍କଟ ଷଡ଼ଯନ୍ତ୍ର ଚଳାଇଛନ୍ତି ।

ଏହି ପ୍ରେକ୍ଷାପଟରେ ମନ୍ତ୍ରୀସ୍ତରୀୟ କମିଟିରେ ସରକାରୀ ସଦସ୍ୟ ଥିବା ଓଡ଼ିଶା ସରକାରଙ୍କ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା ଡଃ ତମସାରାଣୀ ଦାସମହାପାତ୍ର ରଖିଥିବା ବୟାନରୁ ସ୍ପଷ୍ଟ ହୋଇଛି ଯେ, ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବ ଅନୁରୂପ ବ୍ୟବସ୍ଥା ରଖି ପ୍ରତିଷ୍ଠାନ ବହୁ ବିଶିଷ୍ଟ ବିଷୟବିଶେଷଜ୍ଞମାନଙ୍କ ସହାୟତାରେ ଏକ ଭାଷା ନୀତିର ଚିଠା ପ୍ରଣୟନ କରି ସରକାରଙ୍କୁ ପ୍ରଦାନ କରି ଥିଲା ।

ଭାଷା ଆନ୍ଦୋଳନର ଫେସ୍ ବୁକ୍ ମଞ୍ଚ ଭାଷା ମା ପାଇଁ ପଦେ ପୃଷ୍ଠାରୁ ଭାଷା ହିଁ ଜୀବନୀଶକ୍ତି ତତ୍ତ୍ଵ ଉପରେ ଉଦ୍ବୋଧନ ଦେଇ ଅକ୍ଟୋବର ୫ ତାରିଖରେ ଡଃ ଦାସମହାପାତ୍ର କହିଛନ୍ତି, ଏହା କାର୍ଯ୍ୟକାରୀ ହୋଇଥିଲେ “ହୁଏତ ଦଣ୍ଡ ଭୟରେ ଅନ୍ତତଃ ସରକାରୀ କାର୍ଯ୍ୟ ଓଡ଼ିଆରେ ଚାଲିଥାନ୍ତା । ବର୍ତ୍ତମାନ ଭୟାନକ କୋଭିଦ-୧୯ର ବିଭିନ୍ନ ମାର୍ଗଦର୍ଶିକା ଯଦି ଓଡ଼ିଆରେ ପ୍ରକାଶ କରାଯାଇ ଗାଁଗଣ୍ଡାର ଲୋକମାନଙ୍କୁ ସଚେତନ କରାଯାଇଥାନ୍ତା , ତେବେ ହୁଏତ ଲୋକେ ଏହାର ଭୟାବହତା ବୁଝି ସାବଧାନତା ଅବଲମ୍ବନ କରିଥାନ୍ତେ ଓ ବହୁ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା ।” ଅଥଚ, ଭାଷା ପ୍ରତିଷ୍ଠାନର ପ୍ରଣୀତ ସେହି ଭାଷାନୀତି ବାତତମାନଯାଏଁ କାର୍ଯ୍ୟକାରୀ ହେଲା ନାହିଁ । ତାହା କୁଆଡ଼େ ଗଲା?

ସିଧା ପ୍ରସାରିତ ହୋଇଥିବା ଡଃ ଦାସମହାପାତ୍ରଙ୍କ ଭାଷଣର ସଂପୂର୍ଣ୍ଣ ଲିଖିତ ରୂପ ପରେ ପ୍ରକାଶ ପାଇବ । ଏବେ ଏଠାରେ ଦେଖନ୍ତୁ ତହିଁର ୟୁ ଟ୍ୟୁବ୍ ସଂସ୍କରଣ :

ମାତୃଭାଷାରେ ଶିକ୍ଷା ହିଁ ଶିଶୁର ବୌଦ୍ଧିକ ବିକାଶ କରେ : ଭାଷା ଆନ୍ଦୋଳନ ପାଠଚକ୍ରରେ ଶିକ୍ଷାବିତଙ୍କ ମତ

ସୂତ୍ର : ଆମ ଭାଷା ଆମ ଅଧିକାର 

ସେପ୍ଟେମ୍ବର ୨୭ ତାରିଖ ରବିବାର ସନ୍ଧ୍ୟାରେ ସରୋଜ କୁମାର ମହାନ୍ତିଙ୍କ ସଂଯୋଜନାରେ ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀମାନେ ଅଂଶଗ୍ରହଣ କରିଥିଲେ ।

ପ୍ରଥମେ କବି ଶ୍ୟାମଘନ ମହାରଣାଙ୍କ ଦ୍ୱାରା ଭାଷା ବନ୍ଦନାରୁ, ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅଲୋଚନାଚକ୍ରର ମୁଖ୍ୟ ବିଷୟ ବସ୍ତୁ ଥିଲା “ଶିଶୁର ବୌଦ୍ଧିକ ବିକାଶରେ ମାତୃଭାଷାର ଭୂମିକା”। 

ସୁଦୂର କୋଲକାତାରେ ଦୀର୍ଘ ୨୫ବର୍ଷ ଧରି ଶିକ୍ଷକତା କରିବା ସହ ସାହିତ୍ୟ ପତ୍ରିକା “ଅଭିଯାନ”ର ସମ୍ପାଦନା କରି ଆସୁଥିବା ଶ୍ରୀଯୁକ୍ତ ଶଂଭୂନାଥ ଦାସ ଆଲୋଚକ ଭାବେ, ନିଜ ବକ୍ତବ୍ୟ ଉପସ୍ଥାପନ କଲେ । ତାଙ୍କ ମତରେ,”ନବଜାତ ଶିଶୁର ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମା କ୍ଷୀର ଯେପରି ସର୍ବାଧିକ ସହାୟକ, ସେହିପରି ତାର ମାନସିକ ସ୍ୱାସ୍ଥ୍ୟ ତଥା ଶୈକ୍ଷିକ ଓ ବୌଦ୍ଧିକ ବିକାଶ ପାଇଁ ମାତୃଭାଷା ହିଁ ସର୍ବାଧିକ ସହାୟକ ।  ଶିଶୁର ପରିବାର-ପରିବେଶ-ସାଙ୍ଗସାଥି-ବିଦ୍ୟାଳୟର ବ୍ୟବହାରିକ ଭାଷାର ପ୍ରଭାବ, ତାର ମାନସିକ-ବୌଦ୍ଧିକ-ଆବେଗିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରେ”।

ଏହି ଆଲୋଚନାରେ ଭାଗ ନେଇଥିବା ଓ ନିଜେ ଅଧ୍ୟାପନା ବୃତ୍ତିରେ ଥିବା ଶ୍ରୀଯୁକ୍ତ ପ୍ରକାଶ ସାମଲ କହିଥିଲେ,” ଶିଶୁର ବିକାଶରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଅଭିଭାବକମାନଙ୍କର । ଅଭିଭାବକମାନେ ହିଁ ଆମ ଭାଷା ସୁରକ୍ଷାର ମୂଳ ସୂତ୍ରଧର”।

ବୃତ୍ତିରେ ଜଣେ ଶିକ୍ଷକ ଓ ଶିଶୁ-ସାହିତ୍ୟିକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ମତରେ,” ପିଲାଙ୍କ ଭିତରେ ଥିବା ସୃଜନଶୀଳତାକୁ ପରିପ୍ରକାଶ କରିବାର ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ ମାତୃଭାଷା । ଓଡ଼ିଆ ଶିଶୁର ମନ ଉପରେ ଓଡ଼ିଆ ଶିଶୁ-ସାହିତ୍ୟର ପ୍ରଭାବ ଅସୀମ ଓ ସେହେତୁ ଆମ ଶିଶୁ-ସାହିତ୍ୟ ଆହୁରି ଅଧିକ ସମୃଦ୍ଧ ହେବା ଉଚିତ”।

ଅଧ୍ୟାପନା ବୃତ୍ତିରେ ଥିବା, ଶ୍ରୀଯୁକ୍ତ ଅଶୋକ ମହାରଣାଙ୍କ ମତରେ, “ଶିଶୁର ବିକାଶରେ ବିଦ୍ୟାଳୟ ଓ ଶିକ୍ଷା-ବ୍ୟବସ୍ଥାର ଗଭୀର ପ୍ରଭାବ ଥାଏ । ଆଜିକାଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ,ଶିଶୁର ମସ୍ତିସ୍କ ଉପରେ ଅଧିକ ଚାପ ପ୍ରୟୋଗ କରୁଛି । ତହିଁର ପ୍ରତିବିଧାନ ପାଇଁ ବର୍ତ୍ତମାନ ସମୟରେ ବିଶେଷ କରି ଓଡ଼ିଆ ବର୍ଣ୍ଣବୋଧର ବାଧ୍ୟତାମୂଳକ ବ୍ୟବହାରର ଆଵଶ୍ୟକତା ରହିଛି।”

ଶ୍ରୀଯୁକ୍ତ ମହେନ୍ଦ୍ର ତ୍ରିପାଠୀ ନିଜ ଶିକ୍ଷକ ଜୀବନର ଅଭିଜ୍ଞତାରୁ ଅନେକ ଉପାଦେୟ ତଥ୍ୟ ଓ ମତ ଉପସ୍ଥାପନ କଲେ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ, ଓଡ଼ିଆ ଭାଷା ପ୍ରତି ସରକାରୀ ବିମୁଖତା ଓଡ଼ିଆ ଜାତିର ଭବିଷ୍ୟ ପିଢିକୁ ମଧ୍ୟ କ୍ଷତିଗ୍ରସ୍ତ କରିବାକୁ ଯାଉଛି; କାରଣ ନିଜ ଭାଷା ପ୍ରତି ଆକର୍ଷଣ ନରହିଲେ, ଓଡ଼ିଆ ଜାତିର ଯୁଗଯୁଗର ଆହାରିତ ଜ୍ଞାନ ଓ ତାର ସ୍ଵାଭାବିକ ସୃଜନଶୀଳତା ତାକୁ ଉପଲବ୍ଧ ହେବନାହିଁ । ବୌଦ୍ଧିକ ବିକାଶ ଏକ ସ୍ଵାଭାବିକ ପ୍ରକ୍ରିୟା ଯାହା ମାତୃଭାଷାରେ ସହଜ ସମ୍ଭବ, ବିଦେଶୀ ଭାଷାରେ ନୁହେଁ ; କାରଣ ଶିଶୁ ପାଇଁ ତାର ମାତୃଭାଷା ସ୍ଵାଭାବିକ ହୋଇଥିବା ବେଳେ ଅନ୍ୟ ଭାଷା ଅସ୍ୱାଭାବିକ । ଓଡ଼ିଶାରେ ଶିଶୁର ବୌଦ୍ଧିକ ବିକାଶ ନିଷ୍କଣ୍ଟକ କରିବାକୁ ହେଲେ ଓଡ଼ିଆ ଭାଷାକୁ ତାର ପ୍ରଥମିକତା ଦେବାକୁ ହେବ ଓ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଥମିକତା ପାଇବାକୁ ହେଲେ ତାହାକୁ କାର୍ଯ୍ୟାଳୟର ଭାଷା କରିବାକୁ ହେବ । ଏହା କରିବାକୁ ଓଡ଼ିଶା  କାର୍ଯ୍ୟାଳୟ ଭାଷା ଆଇନର ପୁନଃ ସଂଶୋଧନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅଲୋଚନାରେ ସୁଦୂର ଗୁଜୁରାଟରୁ ବାପିନା ପାଲଟାସିଂହ ଓ ରାୟଗଡ଼ାରୁ ଶ୍ରୀଯୁକ୍ତ ସରୋଜ ମହାନ୍ତି ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ମହାନ୍ତି ଅଲୋଚନା ସଂଯୋଜନ କରିବା ସଙ୍ଗେ ସଙ୍ଗେ , ଭାଷା ଆନ୍ଦୋଳନର ଦାବି ଅନୁରୂପ ରେଡିଓ ଏବଂ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ଦାନ ପାଇଁ ସରକାର ଘୋଷଣା କରିଥିବା ହେତୁ ସରକାରଙ୍କୁ ସାଧୁବାଦ ଜଣାଇଥିଲେ ଓ ଏଏହି ପଦକ୍ଷେପ ତଥାକଥିତ ‘ଅନଲାଇନ’ ଶିକ୍ଷାଜନିତ ଅବ୍ୟବସ୍ଥାକୁ ଲାଘବ କରିବ ବୋଲି ମତ ଦେଇଥିଲେ । 

ଆଲୋଚନା ପରେ ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରା ଓ ଶ୍ରୀଯୁକ୍ତ ପ୍ରକାଶ ସାମଲ ସ୍ୱରଚିତ କବିତା ପାଠ କରି ସମଗ୍ର ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ସର୍ଵଶେଷରେ ଗୁଜୁରାଟରୁ ଶ୍ରୀଯୁକ୍ତ ସୁଶାନ୍ତ ମାହାଳୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ସଂଯୋଜକଙ୍କ ସମ୍ମତିରେ ଆଲୋଚନା ଚକ୍ରକୁ ସମାପ୍ତ ଘୋଷଣା କରିଥିଲେ।