ଭାଷା ଆନ୍ଦୋଳନରେ ଫାଟ ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ଵାର୍ଥଜନିତ : ଦେବୀ ପ୍ରସନ୍ନ ନାୟକ


ସୂତ୍ର: ଭାଷା ଅଧିକାର ଅଭିଯାନ

ଓଡ଼ିଆରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବାକୁ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ୨୦୧୫ରେ ଦେଇଥିବା ନିୟମାବଳୀକୁ ବିଧିଭୁକ୍ତ କରାଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆରେ କାମ କରିବାକୁ ସାମର୍ଥ୍ୟ ନଥିବା ହେତୁ ଦଣ୍ଡବିଧାନ ଏଡ଼ାଇବା ସମ୍ଭବ ହେବନାହିଁ । ଏହା ତାଙ୍କ ଅନ୍ତର୍ଦ୍ଦେଶରେ ବସା ବାନ୍ଧିଥିବା ଭୟ । ତେଣୁ ବିଧାନସଭାକୁ ଅତି ଚତୁର ଭାବେ ବିଭ୍ରାନ୍ତ କରି ଓ ଅନ୍ଧକାରରେ ରଖି ଭୁଲ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେବାକୁ ସେ ଚେଷ୍ଟା କରିଥିଲେ । ମାତ୍ର ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅକାଟ୍ୟ ଯୁକ୍ତି ବଳରେ ଏହି ସଂଶୋଧନର ଅବୈଧତା ସାବ୍ୟସ୍ତ କଲା ପରେ, ନିଜ ସ୍ଵାର୍ଥ ସୁରକ୍ଷା ଉଦ୍ଦେଶ୍ୟରେ ଭାଷା ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ସେ ତହିଁରେ ଫାଟ ସୃଷ୍ଟି କରାଇଛନ୍ତି ବୋଲି କହିଛନ୍ତି ବିଶିଷ୍ଟ ସାମ୍ବାଦିକ ଶ୍ରୀ ଦେବୀ ପ୍ରସନ୍ନ ନାୟକ ।

ଓଡ଼ିଆ ଜାତିର ଯଥାର୍ଥ ଦାବି ମାନିନେଇ ୧୯୦୩ରେ ଇଂରେଜୀ ଶାସକବର୍ଗ ସମ୍ବଲପୁରରେ ଓଡ଼ିଆ ଭାଷାକୁ କାର୍ଯ୍ୟାଳୟ ଭାଷା କରାଇଥିଲେ । ଅଥଚ, ଗତ ୨୦ ବର୍ଷ ଧରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହୋଇରହିଥିବା ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ଯେପରି ଓଡ଼ିଶାର କାର୍ଯ୍ୟାଳୟ ଭାଷା ନହୁଏ ସେଥିପାଇଁ ଷଡଯନ୍ତ୍ର କରୁଛନ୍ତି ଓ ଭେଦିଆ ଲଗାଇ ଭାଷା ଆନ୍ଦୋଳନକୁ ଭଙ୍ଗିବା ଉଦ୍ୟମ କରିଛନ୍ତି । ୨୦୧୬ରୁ ସୁଭାଷ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଥିବା ଭାଷା ଆନ୍ଦୋଳନକୁ ବ୍ୟର୍ଥ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଞ୍ଚକତାପୂର୍ବକ ଭାଷା ଆଇନରେ ଗୋଟିଏ ପରେ ଗୋଟିଏ ଅବୈଧ ଦଫା ଖଞ୍ଜି ଶେଷରେ ଭାଷା ଆନ୍ଦୋଳନ ବିରୁଦ୍ଧରେ ଭେଦିଆ ବ୍ୟବହାର କରିବା ଦେଖି ଏ ରାଜ୍ୟକୁ ଭାଷା ଭିତ୍ତିରେ ସୃଷ୍ଟି କରିଥିବା ତ୍ୟାଗପୂତ ଓଡ଼ିଆ ପୂର୍ବଜମାନେ ଲଜ୍ଜା ଅନୁଭବ କରୁଥିବେ ବୋଲି ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି ଶ୍ରୀ ନାୟକ ।

ସେ କହିଛନ୍ତି, ଭାଷା ଆଇନର ନିର୍ଭୁଲ ସଂଶୋଧନ ହୋଇଛି ବୋଲି କହି ଯେଉଁ ସରକାରୀ ଭେଦିଆମାନେ କଳାପତାକା ଅଭିଯାନକୁ ଛୁରି ମାରିଛନ୍ତି ସେମାନେ ଓଡ଼ିଆ ଜାତି ପ୍ରତି ବିଶ୍ବାସଘାତକତା କରିଛନ୍ତି । ଅଥଚ ଓଡ଼ିଶାର ଗଣମାଧ୍ୟମ ସରକାରଙ୍କ ଏପରି ବୋଲକରା ସାଜିଛି ଯେ, ଭାଷା ଆଇନର କେଉଁ ସଂଶୋଧନ କିପରି ନିର୍ଭୁଲ ତାହା ଏହି ଭେଦିଆମାନଙ୍କୁ ବା ମୁଖ୍ୟମନ୍ତ୍ରୀଙ୍କୁ ପଚାରୁନାହିଁ ।

ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଲିଖିତ ‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ପୁସ୍ତକର ଅବତାରଣା କରି ଶ୍ରୀ ନାୟକ କହିଥିଲେ, ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ସୃଷ୍ଟି ପାଇଁ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ଓଡ଼ିଶାର ଗଣମାଧ୍ୟମ ଆଜି ତାର ଚରିତ୍ର ହଜାଇଛି । ଭାଷା ଆଇନରେ ଭର୍ତ୍ତିକରାହୋଇଥିବା ଧାରା ୩-କ ଓ ଧାରା ୪-କ ଦ୍ଵାରା ଆଇନଟିକୁ ପଙ୍ଗୁ କରାଯାଇଛି ବୋଲି ଭାଷା ଆନ୍ଦୋଳନ କହୁଥିବା ବେଳେ ବର୍ତ୍ତମାନର ଗଣମାଧ୍ୟମ କାହିଁକି ନୀରବ? ଏହି ବଳିଷ୍ଠ ପ୍ରଶ୍ନ ତୋଳି, ଶ୍ରୀ ନାୟକ କହିଛନ୍ତି, ଗଣମାଧ୍ୟମର ମାଲିକମାନେ ରାଜନୀତିରେ ସମ୍ପୃକ୍ତ । ପଦପଦବୀ ଲୋଭ ଓ ଅର୍ଥଲୋଭ ହେତୁ ସେମାନେ ଲୋକସ୍ଵାର୍ଥକୁ ପାଶୋରି ଦେଇଛନ୍ତି ; ସରକାରୀ ବୋଲକରା ପାଲଟିଛନ୍ତି । ସରକାର ଯାହା କହୁଛନ୍ତି ତାହା ଛାପିବାକୁ ସେମାନଙ୍କୁ ପରିଚାଳିତ କରାହେଉଛି । ମୁଖ୍ୟମନ୍ତ୍ରୀ କିପରି ପ୍ରଶଂସା ପାଇବେ ତାହା ଛାପିବା ସେମାନଙ୍କ ପାଇଁ ପ୍ରାଥମିକ ହୋଇପଡ଼ିଛି । ତେଣୁ କରୋନା ମହାମାରୀ ହେତୁ ସ୍ଥଗିତ ଥିବା କଳାପତାକା ଅଭିଯାନର ଏହି ସାପ୍ତାହିକ ବୌଦ୍ଧିକ ଆଲୋଚନା ସମ୍ପର୍କରେ କୌଣସି ଗଣମାଧ୍ୟମରେ ଧାଡ଼ିଏ ବି ସଂବାଦ ନାହିଁ ବୋଲି ଦର୍ଶାଇ ଗଣମାଧ୍ୟମର ଏହି ସଂକୀର୍ଣ୍ଣତା ଓଡ଼ିଆ ଜାତିର ସ୍ଵାର୍ଥ ବିରୋଧୀ ବୋଲି କହିଛନ୍ତି ଶ୍ରୀ ନାୟକ ।

ଭାଷା ଆଂଦୋଳନର ବୌଦ୍ଧିକ ମଞ୍ଚ – ଭାଷା ମା ପାଇଁ ପଦେ – ପୃଷ୍ଠାରୁ ଫେସବୁକ ସହାୟତାରେ ସିଧା ପ୍ରସାରିତ ତାଙ୍କ ପ୍ରାମାଣିକ ଅଭିଭାଷଣରେ ଗତ ସୋମବାର ଶ୍ରୀ ନାୟକ କହିଛନ୍ତି, ଓଡ଼ିଶା ପ୍ରଦେଶ ସୃଷ୍ଟି ପାଇଁ ଚାଲିଥିବା ଆନ୍ଦୋଳନ କାଳରେ ମଧୁବାବୁ ଓ ପଣ୍ଡିତ ଗୋପବନ୍ଧୁଙ୍କ ଭିତରେ ଯେଉଁ ବିଭେଦ ଅନୁଭୂତ ହୋଇଥିଲା ତାହା ଥିଲା ବୈଚାରିକ ଓ ପୂର୍ଣ୍ଣତଃ ଭାଷକୈନ୍ଦ୍ରିକ ।

ଭାରତୀୟ ଜାତୀୟତା ସ୍ରୋତରେ ନିମଜ୍ଜିତ ହେବା ପାଇଁ ଗୋପବନ୍ଧୁ ଏତେ ବ୍ୟାକୁଳ ଥିଲେ ଯେ, ସାରା ଭାରତରେ ଗୋଟିଏ ଭାଷା ଓ ଗୋଟିଏ ଲିପି ପ୍ରବର୍ତ୍ତନ ପାଇଁ “ଓଡ଼ିଆ ଭାଷାକୁ ତ୍ୟାଗ କରିବାକୁ ମୁଁ ପ୍ରସ୍ତୁତ” ବୋଲି ସେ ଘୋଷଣା କରିଥିଲେ । ମଧୁବାବୁ ଓଡ଼ିଆ ଭାଷାକୁ ରାଜଭାଷା କରିବା ପାଇଁ ଭାରତର ବିଭିନ୍ନ ପ୍ରାନ୍ତରେ ଛିନ୍ନ ବିଚ୍ଛିନ୍ନ ହୋଇ ପଡ଼ିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଏକ ସ୍ଵତନ୍ତ୍ର ପ୍ରଦେଶ ସୃଷ୍ଟିପାଇଁ ଲାଗିଥିଲେ । ଏବଂ ଭାରତୀୟ ଜାତୀୟତାର ସ୍ରୋତରେ ନିମଜ୍ଜିତ ହୋଇ ନୁହଁ , ବରଂ ଓଡ଼ିଆ ଭାଷା-ଜାତୀୟତାର ଭିତ୍ତି ଉପରେ ହିଁ ଅବତୀର୍ଣ୍ଣ ହୋଇଥିଲା ଓଡ଼ିଶା । ଅଥଚ ଏହି ଓଡ଼ିଶାର ଉଦ୍ଦେଶ୍ୟ ପଣ୍ଡ କରିବାକୁ ଚେଷ୍ଟା କରୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ! ଶ୍ରୀ ନାୟକ କହିଛନ୍ତି, ବିଲାତି ଶାସନ କାଳରେ ୧୮୬୯ ମସିହାରେ ଯେତେବେଳେ ଜନ ବିମ୍ସ ବାଲେଶ୍ଵରର ଜିଲ୍ଲାପାଳ ଭାବେ ଯୋଗ ଦେଲେ, ସେତେବେଳେ ଆମ ଭାଷାକୁ ନେଇ ଆମ ପରିଚୟ ହିଁ ନଥିଲା । କିନ୍ତୁ ଆମ ଲୋକଙ୍କ ଭାଷା ଥିଲା ଓଡ଼ିଆ । ଲୋକଙ୍କ ଶାସନକର୍ତ୍ତା ଭାବେ ଲୋକଙ୍କ ଭାଷା ଶିଖିବା ପାଇଁ ସେ ଚେଷ୍ଟା କଲେ ଓ ଓଡ଼ିଆ ଭାଷା ଶିଖିଗଲେ । “ମୁଁ ଅତି ଶୀଘ୍ର ଓଡ଼ିଆ ଭାଷା ଶିଖିଗଲି” ବୋଲି ବିମ୍ସ ଯାହା ଲେଖିଛନ୍ତି ତାହା ଉଦ୍ଧାର କରି ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି – ସେ ଇଂରେକ ହୋଇ ବି କାହିଁକି ଓଡ଼ିଆ ଭାଷା ଅତି ଶୀଘ୍ର ଶିଖିଲେ? ତାର କାରଣ, ପ୍ରଶାସକକୁ ଶାସିତର ଭାଷା ଜାଣିବାକୁ ଓ କହିବାକୁ ହେବ । ସେଥିପାଇଁ ତ ୧୮୭୭ରେ ମହାରାଣୀ ଭିକ୍ଟୋରିଆ ଶାସନଭାର ନେଇଥିବାରୁ ତାଙ୍କ ବାର୍ତ୍ତା କଟକରେ ସମବେତ ଜନସାଧାରଣଙ୍କୁ ଇଂରାଜୀ ସାଙ୍ଗକୁ ଓଡ଼ିଆରେ କୁହା ହୋଇଥିଲା । ଅଥଚ ୨୦୦୦ରୁ ୨୦୨୦ ହେଲାଣି – ଏ ଦୀର୍ଘ କାଳରେ ନବୀନ ପଟ୍ଟନାୟକ ଓଡ଼ିଆରେ କଥା ନ କହି ଇଂରାଜୀରେ ଶାସନ ଚଳାଇଛନ୍ତି ! ଏବଂ ଜନସାଧାରଣଙ୍କ ଏହି ସର୍ବନିମ୍ନ ଅଧିକାର ହାସଲ କରିବା ପାଇଁ ୨୦୧୬ରୁ ଆରମ୍ଭ ହୋଇଥିବା ଭାଷା ଆନ୍ଦୋଳନରେ ଫାଟ ସୃଷ୍ଟିକରି ଆମ ଭାଷାକୁ ମାରିଦେବା ପାଇଁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ !

ଏହାକୁ ଆମର ଦୁର୍ଭାଗ୍ୟ ବୋଲି ସ୍ଵୀକାର କରି ଶ୍ରୀ ନାୟକ ଓଡ଼ିଶାର ଜନସାଧାରଣଙ୍କୁ ଆହ୍ଵାନ ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଚେତାଇଦେବାକୁ ହେବ ଯେ, ସେ ଯଦି ଆମ ଭାଷାକୁ ମାରିଦେବା ଚକ୍ରାନ୍ତରୁ ନିବୃତ୍ତ ନହେବେ, ଆମେ ତାଙ୍କ ସରକାରକୁ ମାରିଦେବୁ । ଫେସବୁକରେ ସିଧା ପ୍ରସାରିତ ତାଙ୍କ ପ୍ରାମାଣିକ ଅଭିଭାଷଣ ୟୁ ଟ୍ୟୁବ୍ ମାଧ୍ୟମରେ ଏଠାରେ ଉପଲଭ୍ୟ :

ଭାଷା ସାମ୍ରାଜ୍ୟ ପାଇଁ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ନିଆଯିବ : ଭାଷା ଅନ୍ଦୋଳନର ସପ୍ତାହନ୍ତ ପାଠଚକ୍ରରେ ନିଷ୍ପତ୍ତି  

(ସୂତ୍ର : ଆମ ଭାଷା ଆମ ଅଧିକାର)

ଗତ ରବିବାର(୨୩/୦୮/୨୦୨୦)ସନ୍ଧ୍ୟାରେ, ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀ ମାନେ ଅଂଶଗ୍ରହଣ କରିଥିଲେ।

ଶ୍ରୀଯୁକ୍ତ ମହେନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ତତ୍ପରେ ଶ୍ରୀ ଶଶିକାନ୍ତ ପଣ୍ଡା ସ୍ୱରଚିତ କବିତା “ଶବ୍ଦ-ଭାଷା” ଆବୃତ୍ତି କରିଥିଲେ। ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା,” ଓଡ଼ିଆ ଭାଷାର ସୁରକ୍ଷାରେ ସାହିତ୍ୟ ସଂଗଠନ/ଅନୁଷ୍ଠାନ ଗୁଡିକର ଭୂମିକା”। ଶ୍ରୀଯୁକ୍ତ ସୁଶାନ୍ତ ମାହାଳି, ନିଜ ଆଲୋଚନା ମାଧ୍ୟମରେ ନିମ୍ନ କେତୋଟି ମୁଖ୍ୟ ଦିଗ ପ୍ରତି ଆଲୋକପାତ କରିଥିଲେ। ସେଗୁଡିକ ହେଲା-

୧. ଓଡ଼ିଆ ସାହିତ୍ୟ ଅନୁଷ୍ଠାନ/ସଙ୍ଗଠନଗୁଡିକ ଭାଷା ଆନ୍ଦୋଳନ ସହ ନିଜକୁ ସାମିଲ କରିବା ଉଚିତ;

୨. ଓଡ଼ିଆ ଭାଷା-ସାହିତ୍ୟରେ ନବ ପ୍ରତିଭାମାନଙ୍କ ଉନ୍ମେଷ ଓ କ୍ରମ-ବିକାଶରେ ଏହି ଅନୁଷ୍ଠାନ/ସଙ୍ଗଠନମାନେ ନିଜ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବା ଆବଶ୍ୟକ;

୩. ସାହିତ୍ୟ ଅନୁଷ୍ଠାନ/ସଙ୍ଗଠନଗୁଡ଼ିକ ରାଜନୀତିରୁ ଦୂରେଇ ରହି ଭାଷା ସ୍ୱାର୍ଥ ପାଇଁ କାମ କରିବା ଆବଶ୍ୟକ;

୪. ଓଡ଼ିଆ ଭାଷା ସାମ୍ରାଜ୍ୟର ଆଵଶ୍ୟକତା ଉପରେ ଅଧିକ ଗବେଷଣା ଓ ଏହି ଗବେଷଣାଲବ୍ଧ ଜ୍ଞାନର ପ୍ରଚାର-ପ୍ରସାର ମଧ୍ୟ ଆବଶ୍ୟକ;

୫. ଭାଷା ସାମ୍ରାଜ୍ୟ ପ୍ରତିଷ୍ଠା ପାଇଁ ଆମକୁ ଏକ ଦୀର୍ଘ-ମିଆଦୀ ଯୋଜନା ପ୍ରସ୍ତୁତ କରିବା ସହିତ ଏକ ସୁଦୃଢ ବ୍ୟବସ୍ଥା ବିକଶିତକରିବାକୁ ହେବ।

ଏହି ଆଲୋଚନାଚକ୍ରରେ ଭାଗ ନେଇଥିବା ଭାଷାପ୍ରେମୀ  ରାଜେଶ ଶତପଥୀ, ଶ୍ୟାମଘନ ମହାରଣା, ନିରଂଜନ ଖିଲ୍ଲାର, ସୌଭାଗ୍ୟ ରାଉତ,ଶଶିକାନ୍ତ ପଣ୍ଡା, ଅଶୋକ ମହାରଣା,ମହେନ୍ଦ୍ର ତ୍ରିପାଠୀ, ସୁଶାନ୍ତ ସେଠୀ, ସୁଶାନ୍ତ ମାହାଳି,ତୃପ୍ତିମୟୀ ପାତ୍ର, ମଞ୍ଜୁଳା କର,ସରୋଜ କୁମାର ମହାନ୍ତି ଓ ଆମର ପ୍ରିୟ ନିର୍ମଳ ଭାଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ। ଏହି ଆଲୋଚନାଚକ୍ର ମାଧ୍ୟମରେ ସମସ୍ତେ ନିମ୍ନ କେତୋଟି ନିଷ୍କର୍ଷରେ ଉପନୀତ ହେଲେ-

*ଆମ ସାହିତ୍ୟିକ ଓ ସାହିତ୍ୟ ଅନୁଷ୍ଠାନ/ସଙ୍ଗଠନମାନଙ୍କୁ ଭାଷା-ମନସ୍କ କରିବାକୁ ପଡିବ;

*ଭାଷା ପାଇଁ ବ୍ୟକ୍ତିଗତ ଶ୍ରଦ୍ଧାଭାବ ସହ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ;

*ଓଡ଼ିଶାରେ ଓଡ଼ିଆ ଭାଷାର ଅପାଇହାର୍ଯ୍ୟତା ଉପରେ ଆଲୋଚନା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ସର୍ବବିଧ ଉଦ୍ୟମ କରିବାକୁ ହେବ;

*ସାହିତ୍ୟର ବ୍ୟବସାୟୀକରଣ ସମୟରେ, ଆମ ରାଜ୍ୟ ପରିଚାଳନାରେ ଆମ ଭାଷାର ସମ୍ପୂର୍ଣ ବ୍ୟବହାର ପାଇଁ ସହିତ୍ୟିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ହେବ;

*ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଆମକୁ ସମଗ୍ର ଓଡ଼ିଶାରେ ଭାଷା ସାମ୍ରାଜ୍ୟ ସୃଷ୍ଟିର ଆବଶ୍ୟକତା ଉପରେ ଜନ-ଜାଗୃତି ଗଢିତୋଳିବାକୁ ହେବ;

*ଓଡ଼ିଆ ଭାଷା କେବଳ ସାହିତ୍ୟ ଭିତରେ ସୀମିତ ନରହି, ଯେପରି ଜୀବନ-ଜୀବିକାର ହେତୁ ହୁଏ, ତା ପାଇଁ ସାହିତ୍ୟିକମାନଙ୍କ ସହଯୋଗ କାମନା କରାଯିବ;

*ଆମ ଶିକ୍ଷା-ବ୍ୟବସ୍ଥାରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ ପ୍ରଧାନ୍ୟ ଦେବାକୁ ଶୈକ୍ଷିକ ବିପ୍ଲବ ସୃଷ୍ଟିକରିବାକୁ ହେବ ।

 

ପରିଶେଷରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟନାୟକ ଆନ୍ଦୋଳନର ଅନୁଭୂତି, ଅଭିଜ୍ଞତା ତଥା ଓଡ଼ିଆ ଭାଷାକୁ ରାଜଭାଷା କରିବା ପଥରେ ଥିବା ଅନ୍ତରାୟ ବିଷୟରେ ଗଭୀର ଆଲୋକପାତ କରିଥିଲେ ଓ ଏହାର ପ୍ରଶାସନିକ ଓ ନ୍ୟାୟିକ ଦିଗ ବିଷୟରେ ସମସ୍ତଙ୍କୁ ସଚେତନ କରିଥିଲେ।

ଓଡ଼ିଶାର ସମସ୍ତ ସାହିତ୍ୟ ସଂଗଠନ/ଅନୁଷ୍ଠାନଗୁଡ଼ିକ ସହ ଯୋଗାଯୋଗ କରିବା ସହ ଭବିଷ୍ୟତରେ ଏକ ଗବେଷଣା ଧର୍ମୀ ପତ୍ରିକା ପ୍ରକାଶନ ପାଇଁ  ନିଷ୍ପତ୍ତି ନିଆଗଲା ।